Unknown

 

 

 

 

 

 

 

 

 

ସମ୍ପାଦକର ସ୍ତମ୍ଭ

(ତୃତୀୟ ଖଣ୍ଡ)

ଚିତ୍ତରଞ୍ଜନ ଦାସ

 

ଉତ୍ସର୍ଗ

 

‘ସମ୍ପାଦକର ସ୍ତମ୍ଭ’ ପ୍ରଥମ ଦୁଇଖଣ୍ଡ ପରେ ବର୍ତ୍ତମାନ ଏକ ତୃତୀୟ ଖଣ୍ଡ ପ୍ରକାଶିତ ହେଉଛି, ଏହା ଅତୀବ ଆନନ୍ଦର କଥା । ଉଭୟ ‘ଧରିତ୍ରୀ’ ଦୈନିକ ସମ୍ବାଦପତ୍ର ଓ ‘ପଥିକ ପ୍ରକାଶନୀ’ କୁ ମୁଁ କୃତଜ୍ଞତାର ସହିତ ସ୍ମରଣ କରୁଛି ।

 

ଏଗୁଡ଼ିକ ପ୍ରକାଶ ପାଉଥିବା ସମୟରେ ଶ୍ରୀଯୁକ୍ତ ରାମନାଥ ପଣ୍ଡା ‘ଧରିତ୍ରୀ’ର ସମ୍ପାଦନା କାର୍ଯ୍ୟ କରୁଥିଲେ । ସମ୍ପାଦକୀୟ ସ୍ତମ୍ଭରେ ମୁଁ ସପ୍ତାହରେ କେତୋଟି ଦିନ ଲେଖେ ବୋଲି ‘ଧରିତ୍ରୀ’ ତରଫରୁ ସେଇ ମୋତେ ପ୍ରସ୍ତାବ ଦେଇଥିଲେ । ମୋ’ଦ୍ୱାରା ଲେଖା ହେଉଥିବା ସ୍ତମ୍ଭଗୁଡ଼ିକ ସଂପୃକ୍ତ ସମସ୍ତଙ୍କର ମନକୁ ପାଉଛି ବୋଲି ମୋ’ ପାଖକୁ ମଝିରେ ଥରେ ଚିଠିରେ ମଧ୍ୟ ଲେଖିଥିଲେ । ସଂକଳନର ଏହି ସ୍ତମ୍ଭଟିକୁ ମୁଁ ତାଙ୍କରି ହାତରେ ଅର୍ପଣ କରୁଛି ।

 

ଦୀପାବଳୀ, ୨୦୦୦

ଚିତ୍ତରଞ୍ଜନ ଦାସ

Image

 

ସୂଚୀପତ୍ର

 

୧.

ବିଜୟ-ଦଶହରା

୨.

ଉଚ୍ଛନ୍ନ ସ୍ରୋତ

୩.

ଅଷ୍ଟ୍ରେଲିଆରେ ଜୀବନ

୪.

ରାଜକାର୍ଯ୍ୟ ପଦ୍ଧତି

୫.

ମୃତ୍ୟୁଦଣ୍ଡର ମୃତ୍ୟୁ

୬.

ଅସ୍ତ୍ରଶସ୍ତ୍ର କମୁ

୭.

ଆଫ୍ରିକାର ଆଉ ଏକ ପଟେ

୮.

ଇସ୍ରାଏଲ୍‌ର ଆରବ ପ୍ରଜା

୯.

ଭୂମିପୁତ୍ର ଓ ନାଗରିକ

୧୦.

ଶିକ୍ଷାରେ ପୁନର୍ବିନ୍ୟାସ

୧୧.

ଏକମାତ୍ର ବ୍ୟାଖ୍ୟାକାରୀ

୧୨.

ବିଶେଷଜ୍ଞଙ୍କର ବିଷାଦ

୧୩.

ଭାରତ ଓ ନିରାପତ୍ତା ପରିଷଦ

୧୪.

ନିଶ୍ଚିନ୍ତ ଦକ୍ଷିଣ ଆଫ୍ରିକା

୧୫.

ଅସ୍ତ୍ରଯୋଗାଣରୁ ରାଜନୀତି

୧୬.

ସାଦାତ୍ ରହିଲେ

୧୭.

ବଳପ୍ରୟୋଗ ଓ ବିବାଦମୀମାଂସା

୧୮.

ନୂଆ ରାଷ୍ଟ୍ରପତି

୧୯.

ଆମେରିକା ଓ ଭାରତ

୨୦.

ପାରସ୍ୟ ଉପସାଗର

୨୧.

ଆମେରିକାକୁ ଧମକ

୨୨.

ଏକ ନିଶ୍ଚିତ ଅଗ୍ରଗତି

୨୩.

ସାଧାରଣ ସଂପର୍କ

୨୪.

ମୌଲାନା ଭାସାନୀ

୨୫.

ଚୀନରେ ବିସ୍ଫୋରଣ

୨୬.

ସମ୍ମିଳନୀ ବ୍ୟର୍ଥ ହେଲେ

୨୭.

ସ୍ପେନର ନୂଆ ଗଢ଼ଣ

୨୮.

ଆଙ୍ଗୋଲାକୁ ସ୍ୱୀକୃତି

୨୯.

ଭୁଟ୍ଟୋ ଓ ନିରପେକ୍ଷ ନୀତି

୩୦.

ରୋଡ଼େସିଆ ସମସ୍ୟାର ଜାଲ

୩୧.

ମୁକ୍ତ ବିଶ୍ୱବିଦ୍ୟାଳୟ

୩୨.

ଗ୍ରାମାଞ୍ଚଳର ଗରିବ

୩୩.

ଆହ୍ୱାନ କାହାକୁ ?

୩୪.

ଆମେରିକା ଏକୁଟିଆ

୩୫.

ସଂଖ୍ୟାଗରିଷ୍ଠର ଭୟ

୩୬.

ନମୁନା ବିଶ୍ୱବିଦ୍ୟାଳୟ

୩୭.

ମାନବଜାତିର ଅଧିକାର

୩୮.

ସାଢ଼େ ତିନିକୋଟି ଡଲାର

୩୯.

ଅଙ୍ଗାଙ୍ଗୀ ଭାବେ ଜଡ଼ିତ

୪୦.

ସୀମାନ୍ତ ଗାନ୍ଧୀ ଭାରତ ଆସନ୍ତୁ

୪୧.

ଚୀନର ଜନସମସ୍ୟା

୪୨.

ମୃତ ବୋଲି ଧରିନେବା ଉଚିତ

୪୩.

ଇସ୍ରାଏଲରେ ଅସ୍ଥିରତା

୪୪.

ଥାଇଲାଣ୍ଡରେ ସାମରିକ ଶାସନ

୪୫.

ଜିବ୍ରାଲ୍‍ଟର ଓ ସ୍ପେନ୍‌

୪୬.

ଜାତୀୟ ଉନ୍ନୟନ ଓ ଶିକ୍ଷା

୪୭.

ପୃଥିବୀ ଲାଗି ଜଳ

୪୮.

ତେଲୁଗୁ ଏକାଡ଼େମୀ

୪୯.

ଶିକ୍ଷାରେ ମାନବୃଦ୍ଧି ପାଇଁ

୫୦.

ସ୍ୱାୟତ୍ତଶାସନର ଦାବୀ

୫୧.

କର୍କଟ ରୋଗର ଗବେଷଣା

୫୨.

ସୋଭେଟୋର ବିଦ୍ରୋହୀ ଛାତ୍ର

୫୩.

ଇଂଲଣ୍ଡ ଓ ସ୍କଟ୍‍ଲ୍ୟାଣ୍ଡ୍

୫୪

ହଜାର ହଜାରର କ୍ଷତି

୫୫.

ହରିହର ଭେଟ

୫୬.

ସୋଭେଟୋରେ ପରୀକ୍ଷା ବାସନ୍ଦ

୫୭.

ତିନିଶହ ବର୍ଷର ଦୌରାତ୍ମ୍ୟ

୫୮.

କିମ୍ଭୂତ ଆଫ୍ରିକା

୫୯.

ଉନ୍ନତ ଦେଶ, ଉନ୍ନତ ମନୁଷ୍ୟ

୬୦.

ଦୂଷିତ ବାତାବରଣ

୬୧.

ନାଟୋ ପଛକୁ ସାଟୋ

୬୨.

ଭାରତରେ ନିର୍ବାଚନ

୬୩.

ମରୁଭୂମି ଓ ମଣିଷ

୬୪.

ପ୍ରତିବିପ୍ଳବ-ପ୍ରତିରୋଧର ଭୟ

୬୫.

ଆମର ଖାଦ୍ୟ ଓ ଖାଦ୍ୟପ୍ରାଣ

୬୬.

ସୋଭିଏଟ ରୁଷ ଓ ଚୀନ

୬୭.

ସ୍ପେନରେ ପରିବର୍ତ୍ତନ

୬୮.

ଫିଲିପାଇନ୍‍ରେ ଶାନ୍ତି

୬୯.

ଚିକିତ୍ସକର ଦୟା

୭୦.

ମୃତ୍ୟୁମୁଖୀ ଭୂମଧ୍ୟସାଗର

୭୧.

ରାଜନୀତିକ ସ୍ଥିରତା

୭୨.

ଗଣତାନ୍ତ୍ରିକ ସ୍ଥିରସ୍ଥିତି

୭୩.

ଅସଲ କଂଗ୍ରେସ

୭୪.

ଖେଳ ଓ ଯୁଦ୍ଧ

୭୫.

କେବଳ ଲାଭ କମାଇବା ନୁହେଁ

୭୬.

ସାମରିକ ବିଦ୍ରୋହ ବ୍ୟର୍ଥ

୭୭.

ତୁରସ୍କ ଓ ଗ୍ରୀସ୍

୭୮.

ଏକନାୟକ ଗୀତାଭିନୟ

୭୯.

କଂଗ୍ରେସ ଜୀଇ ରହୁ

୮୦.

ଶତକଡ଼ା ନବେରୁ ଅଧିକ

୮୧.

ମଶା ଓ ମଣିଷ

୮୨.

ଧୂମକୁଣ୍ଡଳିର ଧନ୍ଦା

୮୩.

ସମ୍ପୂର୍ଣ୍ଣ ଭାବରେ ଦାୟୀ

୮୪.

ଅନାକ୍ରମଣ ଚୁକ୍ତି

୮୫.

କୁଷ୍ଠରୋଗୀଙ୍କ ଧାରଣା

୮୬.

ବହିଷ୍କାର ଓ ତିରସ୍କାର

୮୭.

ଇସ୍ରାଏଲର ନୂଆ ଆଖି

୮୮.

ଶେଷରେ ସମସ୍ତେ ଦାୟୀ

୮୯.

ପ୍ରଧାନମନ୍ତ୍ରୀଙ୍କୁ ଜରିମାନା

୯୦.

ନିଖିଳ ଭାରତ ବେକାର ଇଉନିୟନ

୯୧.

ତେଲର ଅଭାବ ନାହିଁ

୯୨.

ଧନୀ ଓ ଦରିଦ୍ର

୯୩.

ଆମେରିକା ଓ ଭିଏତ୍‌ନାମ

୯୪.

ମୌନାବତୀ କଥା କହିଲେ

୯୫.

ଆଫ୍ରିକା ଲାଗି ଆହ୍ୱାନ

୯୬.

ନେପାଳ ରାଷ୍ଟ୍ର ଓ ନେପାଳ ଦେଶ

୯୭.

ସାଧୁମାନେ ବାହାରିଗଲେ

୯୮.

ଅଙ୍ଗୀକାରବଦ୍ଧ

Image

 

ବିଜୟ-ଦଶହରା

 

ଦଶହରା ହେଉଛି ବିଜୟ ଦଶହରା । ପୌରାଣିକ ଇତିହାସରେ ଏହି ଦିନ ରାମଚନ୍ଦ୍ର ରାବଣ ଉପରେ ଏକ ବିଜୟ ହାସଲ କରିବା ଲାଗି ଦେବୀଙ୍କର ଆବାହନ କରିଥିଲେ ବୋଲି ଇତିବୃତ୍ତ ରହିଛି । ମାତ୍ର ସେହି ଗୋଟିଏ କାହାଣୀର ସ୍ମୃତିରକ୍ଷା ଲାଗି କଦାପି ଦଶହରାର ପାଳନ କରାଯାଉନାହିଁ । ପ୍ରତ୍ୟେକ ପର୍ବ ପଛରେ ପ୍ରାୟ ସର୍ବଦା ଏକ ପ୍ରତୀକ ନିହିତ ହୋଇ ରହିଥାଏ ଏବଂ ସେହି ପ୍ରତୀକ ପଛରେ ରହିଥିବା ତାତ୍ପର୍ଯ୍ୟ, ଆବେଦନ ଅର୍ଥାତ୍ ଆହ୍ୱାନଟିହିଁ ସେହି ପ୍ରତୀକକୁ ଓ ସେହି ପ୍ରତୀକ ମଧ୍ୟରେ ସେହି ପର୍ବଟିକୁ ଏକ ଅନୁଷ୍ଠାନରେ ପରିଣତ କରିଥାଏ । ଦଶହରା ପର୍ବର ଅନୁଷ୍ଠାନଟି ପଛରେ ଏକ ପ୍ରତୀକ ରହିଛି ଏବଂ ସେହି ପ୍ରତୀକ ପଛରେ ଏକ ବିଶେଷ ଆବେଦନ ମଧ୍ୟ ରହିଛି ।

 

ଦଶହରାର ପର୍ବଟି ହେଉଛି ଶକ୍ତିର ପ୍ରତୀକ । ରାବଣକୁ ରାମଚନ୍ଦ୍ର କେବଳ ଅସ୍ତ୍ରବଳରେ ସଂହାର କରିଥିଲେ । ଶକ୍ତି ଯେ କେବଳ ଅସ୍ତ୍ରଶକ୍ତି ନୁହେଁ, ଆମ ଇତିହାସରେ ଯୁଗେ ଯୁଗେ ଦେଶେ ଦେଶେ ଏକାଧିକବାର ପ୍ରମାଣିତ ହୋଇ ଆସିଛି । ଇତିହାସରେ ଯେଉଁ ଦୁର୍ଦ୍ଧର୍ଷମାନେ ଅସ୍ତ୍ରଶକ୍ତି ଓ ସୈନ୍ୟଶକ୍ତିକୁହିଁ ଏକମାତ୍ର ଶକ୍ତି ବୋଲି ଭ୍ରମ କରିଛନ୍ତି, ସେମାନେ ସଂସାରରେ ଅନେକ ପ୍ରକାରର ଦୌରାତ୍ମ୍ୟ ଭିଆଇଛନ୍ତି ସତ, ମାତ୍ର ସର୍ବଶେଷରେ ସେମାନଙ୍କର ଶକ୍ତି ଚୂର୍ଣ୍ଣହିଁ ହୋଇଯାଇଛି । ଆମର ଇତିହାସରେ ନେପୋଲିଅନ, ସିଜର ଓ ଚେଙ୍ଗିଜ୍ ଖାଁ- ଏମାନେ ଅତ୍ୟନ୍ତ ମୁଷ୍ଟିମେୟ । ସେମାନଙ୍କର ଶକ୍ତିହିଁ ଯଦି ଯୁଗବିଧାତାଙ୍କଦ୍ୱାରା ସର୍ବକାମ୍ୟ ଓ ସର୍ବଗରିଷ୍ଠ ଶକ୍ତି କାଲି ସ୍ୱୀକୃତ ହୋଇଥାନ୍ତା, ତେବେ ମାନବର ଏହି ସଂସାରରେ ଯଥାର୍ଥରେ ମାନବର ବୋଲି କହିବା ଲାଗି ହୁଏତ ଆଉ କିଛିହେଲେ ନ ଥାନ୍ତା । ସଂସାରଟା ଦାନବର ଅଢ଼ାରେ ଚଳୁଥାନ୍ତା । କଂସଗୁଡ଼ାକ ସବୁଦିନ ଯାଇ ଦେବକୀର ସଦ୍ୟଜାତ ସନ୍ତାନଗୁଡ଼ିକୁ ପଥର ଉପରେ ପିଟି ଉତ୍ସବ କରିବାରେ ଲାଗିଥାନ୍ତେ ଏବଂ ନିଶ୍ଚିନ୍ତ ହୋଇ ରହିଥାନ୍ତେ । ଯେଉଁ ଶକ୍ତି ବଳରେ ମନୁଷ୍ୟ ମନୁଷ୍ୟ ହୋଇ ରହିପାରିଛି, ଯେଉଁ ଶକ୍ତି ବଳରେ ଏଠି ଜୀବନ ସତେ ଅବା କାହାର ଆଶୀର୍ବାଦ ଲାଭ କରିଆସିଥିବା ପରି କୁସୁମ ହୋଇ ଫୁଟି ଉଠିପାରୁଛି, ସେହି ଶକ୍ତି ଅସ୍ତ୍ରଶକ୍ତି ନୁହେଁ, ସୈନ୍ୟଶକ୍ତି ନୁହେଁ, କଂସଶକ୍ତି ନୁହେଁ; ତାହା ଜନନୀର ଶକ୍ତି ।

 

ଜନନୀଙ୍କର ଅନେକ ଶକ୍ତି, ଅନେକବିଧ ଶକ୍ତି, ଅନେକବିଧ କାର୍ଯ୍ୟ ସାଧନ କରିବାର ଶକ୍ତି । ଜନନୀ ଆପଣା ଭିତରୁ ସନ୍ତାନକୁ କେବଳ ଜନ୍ମ ଦିଅନ୍ତି ନାହିଁ, ଜନ୍ମ ଦେବାର ସେହି ପ୍ରକ୍ରିୟାଟି ମଧ୍ୟଦେଇ ସେ ସନ୍ତାନ ମଧ୍ୟରେ ଅବତୀର୍ଣ୍ଣ ମଧ୍ୟ ହୋଇଥାନ୍ତି । ଆପଣାର ଶକ୍ତିଗୁଡ଼ିକୁ ସେ ସନ୍ତାନ ମଧ୍ୟରେ ପ୍ରେରଣ କରିଥାନ୍ତି । ସେହି ଶକ୍ତି ହେଉଛି ସ୍ନେହର ଶକ୍ତି, ବିଦ୍ୟାର ଶକ୍ତି, ବିଚ୍ଛିନ୍ନ ଅନେକଙ୍କୁ ଏକରୂପେ ଯୋଡ଼ି ପାରିବାର ଶକ୍ତି, କର୍ମର ଶକ୍ତି ଓ ବିଶ୍ୱାସର ଶକ୍ତି । ମନୁଷ୍ୟ ହିସାବରେ ଆମେ ପ୍ରତ୍ୟେକେ ଯାହାରି ସନ୍ତାନରୂପେ ଏହି ପୃଥିବୀ ଲାଗି ଅଭିପ୍ରେତ ହୋଇ ଏଠାକୁ ଆସିଛେ, ସେହିସବୁ ଶକ୍ତିକୁ ନିଜ ଜୀବନ ଉପରକୁ ଆବାହନ କରିଆଣି ଆମେ ଆପଣା ମଧ୍ୟରେ ତାଙ୍କରି ଜନନୀତ୍ୱଟିକୁହିଁ ପ୍ରତ୍ୟକ୍ଷରୂପେ ଅନୁଭବ କରୁ । ସ୍ୱୟଂ ଜନନୀ ହୋଇ ଆମର ସନ୍ତାନତ୍ୱର ଉଦ୍ଦେଶ୍ୟସିଦ୍ଧ କରୁ । ଯିଏ ଖାଲି ଜନନୀ ପାଖରୁ ମାଗିବାରେ ଲାଗିଥାଏ, ସିଦ୍ଧି ମାଗୁଥାଏ, ଯଶ ମାଗୁଥାଏ, କ୍ଷମତା ମାଗୁଥାଏ ଏବଂ ସଫଳତା ମାଗୁଥାଏ, ସିଏ ଜୀବନଯାକ ଆର୍ତ୍ତ ହୋଇ ରହିଯାଏ, ଦୀନ ହୋଇ ରହିଯାଏ, ବୃହତ୍ ବିଶ୍ୱରେ ବଡ଼ କ୍ଷୁଦ୍ରାୟତନ ହୋଇ ରହିଯାଏ, ଭୂମା ଭିତରେ ଥାଇ ମଧ୍ୟ ତଥାପି ଅତ୍ୟନ୍ତ ଅଳ୍ପ ହୋଇ ରହିଯାଏ । ବଡ଼ ନିଃସ୍ୱ ହୋଇ ରହିଯାଏ ।

 

ପ୍ରକୃତ ଶକ୍ତି ଆର୍ତ୍ତ ହୋଇ ରହିବାର ଶକ୍ତି ନୁହେଁ । ଆମର ଯାବତୀୟ ଆର୍ତ୍ତତା ମଧ୍ୟରୁ ଆମକୁ ନିର୍ଭୟ କରି, ସନ୍ଦୀପିତ କରି ଓ ବିଜୟୀ କରି ବାହାର କରି ଆଣିବାର ଶକ୍ତି । ଅନ୍ଧାର ମଧ୍ୟ ଅନେକ ସମୟରେ ଗୋଟାଏ ପ୍ରକାରର ଶକ୍ତିର ଭାଣ କରିବାରେ ଲାଗିଥାଏ । ଯିଏ ନିଜର କ୍ଷୁଦ୍ରତା ଓ କୃପଣତାଗୁଡ଼ିକୁ ଲୁଚାଇ ରଖିବା ଲାଗି ବାହାରେ ଏଡ଼େବଡ଼ ଗୋଟାଏ ମୁଖାପିନ୍ଧି ଗଗନବ୍ୟାପୀ ହୋଇ ରହିବାକୁ ଦମ୍ଭ କରୁଥାଏ, ସିଏ ମଧ୍ୟ ଗୋଟାଏ ପ୍ରକାର ଶକ୍ତିରେ ସତେଅବା ବଳୀୟାନ୍ ହୋଇ ରହିଛି ବୋଲି ଅନୁଭବ କରୁଥାଏ । ଅନେକେ ପୁଣି ଚତୁରତାକୁ ଓ ଧୂର୍ତ୍ତତାକୁ ମଧ୍ୟ ଶକ୍ତି ବୋଲି ଭାବିବାରେ ଲାଗିଥାନ୍ତି । ବିଚ୍ଛିନ୍ନତାକୁ ବି ସତେଅବା ଏକ ଶକ୍ତି ବୋଲି ମଣି ଆଉ କେତେକ ଆପଣା ଲାଙ୍ଗୁଳକୁ ଗୁଡ଼ାଇ ଏଡ଼େବଡ଼ ଆସ୍ଥାନଟାଏ ତିଆରି କରି ତାହାରି ଉପରେ ଯାଇ ବସିଥାନ୍ତି-। ଦୂରତାଟାକୁହିଁ ଶକ୍ତିମତ୍ତା ବୋଲି ଭ୍ରମ କରୁଥାନ୍ତି । ଜନନୀର ଶକ୍ତି ଅନନ୍ତ ରୂପରେ ଓ ଅନନ୍ତ ଯୋଜନାରେ ଏହିସବୁ କ୍ଷୁଦ୍ରତା ବିରୁଦ୍ଧରେହିଁ ଆପଣାକୁ ପ୍ରେରିତ କରାଇ ଆଣେ ।

 

ଆମର ଶକ୍ତି ଆର୍ତ୍ତର ଶକ୍ତି ହୋଇ ନରହୁ, ଅଳ୍ପର ଶକ୍ତି ହୋଇ ନରହୁ ଅଥବା ବିଚ୍ଛିନ୍ନତାର ଶକ୍ତି ହୋଇ ନରହୁ । ଜନନୀ ଯେତେବେଳେ ଆସନ୍ତି, ସେତେବେଳେ ସେ ଦଶଭୁଜା ହୋଇ ଆସନ୍ତି, ଅର୍ଥାତ୍ ସହସ୍ରଭୁଜା ହୋଇ ଆସନ୍ତି । ସହସ୍ରଭୁଜରେ ଭାଙ୍ଗନ୍ତି, ସହସ୍ରଭୁଜରେ ଉଠାଇ ଧରନ୍ତି, ସହସ୍ରଭୁଜରେ ବରାଭୟ ବହନ କରି ଆସିଥାନ୍ତି ଓ ସହସ୍ରଭୁଜର ଆଶୀର୍ବାଦରେ ଆମକୁ ନିରଳସ ଓ ନିଃସଂଶୟ କରିବାକୁ ଆସିଥାନ୍ତି । ସେଇଥିଲାଗି ଅପଶକ୍ତିଗୁଡ଼ାକର ସର୍ବବିଧ କୌଶଳ ଓ ଚକ୍ରାନ୍ତ ସତ୍ତ୍ୱେ ଏହି ସଂସାରରେ ଅଧିକରୁ ଅଧିକ ସ୍ନେହର ପ୍ରତିଷ୍ଠା ହେବାରେ ଲାଗିଥାଏ । ସମ୍ବନ୍ଧଗୁଡ଼ାକ ଅଧିକରୁ ଅଧିକ ପ୍ରଗାଢ଼ ହେବାରେ ଲାଗିଥାଏ । ଏହି ସମ୍ବନ୍ଧରୁ ସଂଘ ଉପୁଜେ ଓ ସଂଘଦ୍ୱାରାହିଁ ସମର୍ପଣ ଏକ ସତ୍ୟରେ ପରିଣତ ହୁଏ । ଯେଉଁମାନେ ସଂଘକୁ ଡରନ୍ତି, ସ୍ନେହକୁ ଡରନ୍ତି, ଅଭୟକୁ ଡରନ୍ତି, ସେମାନେ ବାହାରର ଯାବତୀୟ ବିକରାଳତା ସତ୍ତ୍ୱେ ତଥାପି ଭାରି ଅସହାୟ ଓ ଉତ୍ତେଜିତ ହୋଇ ରହିଥାନ୍ତି ।

 

ଶକ୍ତିମୟୀ ଜନନୀ ଭାରତବର୍ଷକୁ ଶକ୍ତି ଦିଅନ୍ତୁ, ଅର୍ଥାତ୍ ଆମ ସମସ୍ତଙ୍କୁ ଶକ୍ତି ଦିଅନ୍ତୁ । ଆମର ମନରେ ବିଶ୍ୱାସ ବଢ଼ୁ, ସ୍ନେହ ବଢ଼ୁ, ସାମର୍ଥ୍ୟ ବଢ଼ୁ, ସମ୍ବନ୍ଧ ବଢ଼ୁ । ଦୂରଗୁଡ଼ାକ ନିକଟ ହେଉ, ପରମାନେ ଆପଣାର ହୁଅନ୍ତୁ । ଉପେକ୍ଷା ବିଦୂରିତ ହେଉ–ଉଦାସୀନତା ଚୂର୍ଣ୍ଣ ହୋଇଯାଉ । ଆମ ଭିତରେ ଯାହାକିଛି ପୁରୁଣା ରହିଛି, ଯାହାସବୁ ନାନା ବିଚ୍ଛନ୍ନତାର ପାଷଣ୍ଡ ପରିଧାନରେ ଯୁଗ ଲାଗି ପ୍ରତିବନ୍ଧକ ହୋଇ ରହିଛି, ସେଗୁଡ଼ାକ ମୁଣ୍ଡ ହୋଇ ତାଙ୍କରି ଗଳାରେ ଝୁଲୁ; ତାଙ୍କର ନୃମୁଣ୍ଡମାଳିନୀ ନାମକୁ ସାର୍ଥକ କରୁ । ଆମର ଯାବତୀୟ କ୍ଷୁଦ୍ରତା ଆମରି ଭିତରେ ଆତ୍ମଗୋପନ କରି ରହିବା ଲାଗି ଆଉ କୌଣସି ପ୍ରଶ୍ରୟ ନପାଉ । ଆମର ଜୀବନ କୌଣସି ପ୍ରକାର ଅଭିନୟ ମଧ୍ୟରେ ଆଉ ଆପଣାକୁ ଭଣ୍ଡୁର କରି ନଦେଉ । ଆମ ଶଠତା, ଆତ୍ମପ୍ରବଞ୍ଚନା ଓ ଆତ୍ମଚାଟୁକାରିତାର ଦଶଟାଯାକ ଶିର ଆମରି ଭିତରେ ରହିଥିବା ଶୁଭ ଶକ୍ତି ଆଗରେ ଭୂତଳଶାୟୀ ହୋଇଯାଉ । ଅନାଗତ ଲାଗି ବାଟ ଫିଟିଯାଉ, ଆମ ନିଜ ଭିତରେ ଫିଟିଯାଉ, ଆମର ଜାତୀୟ ଜୀବନରେ ମଧ୍ୟ ଫିଟିଯାଉ।

 

ସେହି ଶକ୍ତି, ସେହି ବିଦ୍ୟା, ସେହି ଜନନୀ । ସକଳ ରାତ୍ରିକୁ ଆପଣା ଭିତରକୁ ଶୋଷି ନେଉଥିବା ରାତ୍ରି ସେ । ସେଇ ଲଜ୍ଜା ରୂପରେ ଆମର ଯାବତୀୟ ଲଜ୍ଜାକୁ ଅପହରଣ କରିନିଅନ୍ତି । ଆମକୁ ବିଜୟୀ କରାନ୍ତି, ଆମକୁ ଜନନୀ ହେବାର ସାମର୍ଥ୍ୟ ଦେଇଯାନ୍ତି,– ବର୍ଷା ରୂପରେ ଆସି ଆମର ବୀଜଟିକୁ ଅଙ୍କୁରିତ ହେବାର ଆତ୍ମବିଶ୍ୱାସ ଦେଇଯାନ୍ତି । ଆମ ଜୀବନରେ,–ବ୍ୟକ୍ତିଗତ ଓ ଜାତୀୟ ଉଭୟ ଜୀବନରେ–ବିଜୟ ଦଶହରା କେବଳ ବିଜୟରହିଁ ପ୍ରତୀକ ହୋଇ ରହୁ । ଆଜିର ଶୁଭ ଦିବସରେ ଏହାହିଁ ଆମର କାମନା ।

ତା ୩୦.୯.୧୯୭୬ ରିଖ

Image

 

ଉଚ୍ଛନ୍ନ ସ୍ରୋତ

 

ଆମ ଦେଶର ପ୍ରବାସୀ ବୈଜ୍ଞାନିକମାନଙ୍କ ବିଷୟରେ ଏବେ ସମ୍ବାଦପତ୍ରମାନଙ୍କରେ କେତେକ ହିସାବ ବାହାରିଛି । ସେଥିରୁ ଜଣାଯାଉଛି ଯେ ବିଦେଶରେ ଥିବା ଭାରତୀୟ ବୈଜ୍ଞାନିକ ଓ ଉଚ୍ଚ ଟେକନିସିଆନ୍‌ମାନଙ୍କ ମଧ୍ୟରୁ ଚଳିତ ବର୍ଷର ପ୍ରଥମାର୍ଦ୍ଧରେ ତିନିଶହ ଜଣ ଜାତୀୟ ରେଜିଷ୍ଟରର ବୈଦେଶିକ ବିଭାଗରେ ନାମ ଦରଜ କରିଛନ୍ତି । ଏ ପର୍ଯ୍ୟନ୍ତ ଜାତୀୟ ରେଜିଷ୍ଟରରେ ତାଲିକାଭୁକ୍ତ ହୋଇଥିବା ପ୍ରବାସୀ ଭାରତୀୟ ବୈଜ୍ଞାନିକ ଏବଂ ଉଚ୍ଚଶିକ୍ଷିତ ଟେକନିସିଆନ୍‌ମାନଙ୍କର ମୋଟ ସଂଖ୍ୟା ହେଉଛି ପ୍ରାୟ ଏକୋଇଶି ହଜାରର ପାଖାପାଖି । ତାଲିକାଭୁକ୍ତ ହୋଇଥିବା ଏହି ପ୍ରଶିକ୍ଷିତ ବ୍ୟକ୍ତିମାନଙ୍କ ମଧ୍ୟରୁ ଶତକଡ଼ା ୩୭ଭାଗ ଯୁକ୍ତରାଷ୍ଟ୍ର ଅମେରିକାରେ ଅଛନ୍ତି, ୩୧ଭାଗ ବିଲାତରେ ଅଛନ୍ତି । କାନାଡ଼ା ଏବଂ ଜର୍ମାନୀରେ ଶତକଡ଼ା ୯ଭାଗ କରି ଅଛନ୍ତି । ଏମାନଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ଇଞ୍ଜିନିୟର, ଏଥିରେ ଡାକ୍ତରମାନଙ୍କ ସଂଖ୍ୟା ଅନ୍ତର୍ଭୁକ୍ତ ହୋଇନାହିଁ । ମାତ୍ର ତଥାପି ଅନୁମାନ କରି କୁହାଯାଇ ପାରିବ ଯେ ଭାରତ ବାହାରେ ଭାରତୀୟ ଇଞ୍ଜିନିୟର ଯେତିକି ସଂଖ୍ୟାରେ ଅଛନ୍ତି, ଭାରତୀୟ ଡାକ୍ତର ମଧ୍ୟ ପ୍ରାୟ ସେତିକି ସଂଖ୍ୟାରେ ରହିଛନ୍ତି ।

 

ଏମାନେ ସମସ୍ତେ ବିଦେଶରେ ରହି ନିଜର ଜୀବିକାନିର୍ବାହ କରୁଛନ୍ତି । ଏମାନେ ସମସ୍ତେ ଏହି ଦେଶରେ ଜନ୍ମ ହୋଇଛନ୍ତି । ପ୍ରଥମ ଶିକ୍ଷା ଓ ଶୈକ୍ଷଣିକ ପରିବେଶଟି ଏହି ଦେଶରୁ ପାଇଛନ୍ତି, ଏହି ଦେଶରୁ ଆଖି ପାଇହିଁ ଦେଶ ବାହାରେ ଥିବା ବୃହତ୍ତର ପୃଥିବୀକୁ ଅନାଇ ପାରିଛନ୍ତି । ସେମାନେ ନିଜ ନିଜ କ୍ଷେତ୍ରରେ ଉଚ୍ଚଶିକ୍ଷା ନିମିତ୍ତ ବିଦେଶକୁ ଯାଇଛନ୍ତି । ଅନେକ କ୍ଷେତ୍ରରେ, ସମ୍ଭବତଃ ଅଧିକାଂଶ କ୍ଷେତ୍ରରେହିଁ ରାଷ୍ଟ୍ର ସେମାନଙ୍କୁ ଆର୍ଥିକ ସାହାଯ୍ୟ ଓ ଆବଶ୍ୟକ ଅନ୍ୟ ଯାବତୀୟ ପ୍ରୋତ୍ସାହନ ଦେଇ ବିଦେଶକୁ ପଠାଇଛନ୍ତି । ଏମାନେ ଅଧ୍ୟୟନ ଓ ତାଲିମ୍ ଶେଷକରି ସେହିସବୁ ଦେଶରେ ରହି ଯାଇଛନ୍ତି । ଏ କଥାଟିକୁ ବୁଝିବା ଅତ୍ୟନ୍ତ ସହଜ ଯେ ସେମାନେ ଆମ ଦେଶକୁ ଫେରି ଆସିଥିଲେ ଏଠାରେ ଆଧୁନିକ ବିଜ୍ଞାନ ଓ ଲୋକସେବାର କ୍ଷେତ୍ରଗୁଡ଼ିକୁ ଅଧିକ ସମୃଦ୍ଧ କରିପାରିଥାନ୍ତେ । ସ୍ୱାଧୀନତା ପରେ ଆମ ଦେଶ ସେହିପରି ବୈଜ୍ଞାନିକ ଓ ବିଶେଷଜ୍ଞମାନଙ୍କ ଉପରେ ସ୍ୱଭାବତଃ ଅନେକ ପ୍ରତ୍ୟାଶା ରଖିଥିଲା । ସେମାନଙ୍କ ଉପରେ ଏହି ଦେଶର ଅର୍ଥାତ୍ ଦେଶବାସୀଙ୍କର ଏକ ଦାବୀ ମଧ୍ୟ ରହିଥିଲା । ମାତ୍ର ନାନା କାରଣରୁ ସେହି ବିଦ୍ୱାନମାନେ ଘରକୁ ଫେରିଲେ ନାହିଁ । କାହିଁକି ଫେରିଲେ ନାହିଁ, ସେହି ବିଷୟରେ କେତେ ଅଧ୍ୟୟନ ଓ ଗବେଷଣା ହେଉଛି । ସେହି ବିଦ୍ୱାନମାନଙ୍କୁ କୁଆଡ଼େ ଅଧିକ ପ୍ରଲୋଭନ ଏବଂ ଆକର୍ଷଣମାନ ଦେଖାଇ ଦେଶକୁ ଫେରାଇ ଆଣିବା ଲାଗି ଚେଷ୍ଟା ବି ହେଉଛି । କିନ୍ତୁ ହିସାବଗୁଡ଼ାକ କହୁଛନ୍ତି ଯେ ସେମାନଙ୍କର ସଂଖ୍ୟା ବର୍ଷକୁ ବର୍ଷ ବଢ଼ିବାରେ ଲାଗିଛି ।

 

ଖାଲି ଭାରତବର୍ଷ ଛାଡ଼ି ଯେ ବୈଜ୍ଞାନିକ, ବିଶେଷଜ୍ଞ ଓ ବିଦ୍ୱାନମାନେ ବିଲାତ, ଆମେରିକା ଓ ଜର୍ମାନୀ ଚାଲିଯାଉଛନ୍ତି, ତା’ ନୁହେଁ, ବିକାଶଶୀଳ ଅଞ୍ଚଳଗୁଡ଼ିକର ଅଧିକାଂଶ ଦେଶରୁ ମଧ୍ୟ ଚାଲି ଯାଉଛନ୍ତି । ତେଲଗୁଡ଼ାକ ଆଉ ନୁଖୁରା ମୁଣ୍ଡକୁ ମନ ନ କରି ତେଲଘଡ଼ିକୁହିଁ ଅଧିକ ମନ କରୁଛନ୍ତି । ବିକାଶଶୀଳ ଦେଶ ଅର୍ଥାତ ବିକାଶର ପଥରେ ଅନେକ ପଛରେ ପଡ଼ିଥିବା ଦେଶ, ଦେଶରେ ସମସ୍ତଙ୍କ ଲାଗି ସର୍ବନିମ୍ନ ସଂସ୍ଥାନ ସମ୍ଭବ କରି ପାରିନଥିବା ଦେଶ । ଏ କଥା ଯେଉଁଠି ଅନେକ ପରିମାଣରେ ହୋଇ ସାରିଛି, ସେଗୁଡ଼ିକୁ ବିକଶିତ ଦେଶ ବୋଲି କୁହାଯାଉଛି । ତଥାପି ଆଧୁନିକ ଜ୍ଞାନ ଓ ବିଜ୍ଞାନର ଆଖି ଅର୍ଜନ କରୁଥିବା ବିଦ୍ୱାନମାନେ ବିକାଶଶୀଳ ନିଜ ଦେଶଗୁଡ଼ିକୁ ଛାଡ଼ି ବିକଶିତ ଦେଶମାନଙ୍କୁ ଚାଲି ଯାଉଛନ୍ତି । ଏହାଦ୍ୱାରା ଅପରିମିତ କ୍ଷତି ହେଉଛି ।

 

ଗୋଟିଏ ବିକାଶଶୀଳ ମହାଦେଶର କେବଳ ଗୋଟିଏ ମାତ୍ର କ୍ଷେତ୍ରରୁ ହିସାବ ଦେଇ ଆମେ ଏହି କ୍ଷତିର ଏକ ପରିମିତ ଅନୁମାନ କରିବାକୁ ଚେଷ୍ଟା କରିବା । ଲାଟିନ୍ ଆମେରିକାରୁ ଅନେକ ସଂଖ୍ୟାରେ ଡାକ୍ତରମାନେ ନିଜ ନିଜ ଦେଶ ଛାଡ଼ି ଯୁକ୍ତରାଷ୍ଟ୍ର ଆମେରିକାକୁ ଚାଲି ଯାଉଥିବାରୁ, ସେହି ମହାଦେଶର ବର୍ଷକୁ ପ୍ରାୟ କୋଡ଼ିଏ କୋଟି ଡଲାର କ୍ଷତି ହେଉଛି । ୧୯୬୦ ରୁ ୧୯୭୦ ମସିହା ଭିତରେ ଆମେରିକା ତରଫରୁ ଲାଟିନ ଆମେରିକାର ବିଭିନ୍ନ ଦେଶକୁ ମୋଟ ଯେତେ ପରିମାଣରେ ମେଡ଼ିକାଲ ସାହାଯ୍ୟ ମିଳିଛି, ଏଇଟି ତାହାର ପ୍ରାୟ ସମାନ ହେବ ବା ଲାଟିନ ଆମେରିକାର ଗୋଟିଏ ଦେଶ ଚିଲି ତା’ର ଶିକ୍ଷା ବଜେଟ ବାବଦକୁ ୧୯୭୦ ମସିହାରେ ଯେତେ ଖରଚ କରିଥିଲା, ଏହା ପ୍ରାୟ ତାହାରି ସମାନ ହେବ । ଅଧ୍ୟୟନଦ୍ୱାରା ଏପରି ଏକ ଅନୁମାନ କରାଯାଇଥାଏ ଯେ ବିକଶିତ ଦେଶଗୁଡ଼ିକ ତରଫରୁ ବିକାଶଶୀଳ ଦେଶଗୁଡ଼ିକୁ ମୋଟ ଯେତିକି ସାହାଯ୍ୟ ମିଳିଆସିଛି, ବିକାଶଶୀଳ ଦେଶଗୁଡ଼ିକରୁ ବୈଜ୍ଞାନିକ, ପ୍ରଶିକ୍ଷିତ ଉଚ୍ଚ ଟେକନିସିଆନ ଓ ଅନ୍ୟାନ୍ୟ ନାନା କ୍ଷେତ୍ରର ବିଦ୍ୱାନମାନେ ବିଦେଶକୁ ଅଧିକ ଅଧ୍ୟୟନ ଲାଗି ଯାଇ ଦେଶକୁ ନ ଫେରି ସେଇଆଡ଼େ ରହିଯାଉଥିବାରୁ ତାହାଠାରୁ ଅନେକ ଅଧିକ କ୍ଷତି ଘଟୁଛି । ଅର୍ଥାତ୍ ହିସାବରେ ମଧ୍ୟ କ୍ଷତି ଘଟୁଛି । ଅର୍ଥାତ୍ ଯେଉଁମାନେ ସାହାଯ୍ୟ ପାଉଛନ୍ତି ବୋଲି କୁହାଯାଉଛି, ସେମାନେ ସାହାଯ୍ୟକାରୀମାନଙ୍କଦ୍ୱାରା ଯେତିକି ଉପକୃତ ହେଉଛନ୍ତି, ତା’ଠାରୁ ଅଧିକ ପରିମାଣରେ ସାହାଯ୍ୟକାରୀ ମାନଙ୍କୁହିଁ ଉପକୃତ କରିବାରେ ଲାଗିଛନ୍ତି । ଆନ୍ତର୍ଜାତିକ ପାରସ୍ପରିକତାର କ୍ଷେତ୍ରରେ ଏହି ବିଦ୍ରୂପ ଅତ୍ୟନ୍ତ ପ୍ରଦାହକ ହୋଇ ରହିଛି ।

 

ଏହି ଅସ୍ୱାଭାବିକତା ଲାଗି ଆମେ କାହାକୁ ଦାୟୀ କରିବା ? ହୁଏତ ଅନେକ କାରଣକୁ ଦାୟୀ କରିବା, ମାତ୍ର ଯେଉଁ ଶିକ୍ଷାବ୍ୟବସ୍ଥା ଶିକ୍ଷିତ ମଣିଷକୁ ଭୂଇଁଛଡ଼ା ହୋଇ ଅନ୍ୟତ୍ର ଅଧିକ ସୌଭାଗ୍ୟର ତଲାସ କରିବା ଲାଗି ପ୍ରରୋଚନା ଦେଇ ପାରୁଛି ଓ ସେହି ପ୍ରରୋଚନାଟିକୁ ଜୟ କରିବା ସକାଶେ ଆଉ ଅନ୍ୟ କୌଣସି ପ୍ରକାର ଶ୍ରଦ୍ଧା ବା ଦୃଷ୍ଟି ଯୋଗାଇ ପାରୁନାହିଁ, ଆମେ ସର୍ବୋପରି ସେହି ଶିକ୍ଷାବ୍ୟବସ୍ଥାକୁ ଦାୟୀ କରିବା । ଏହି ବ୍ୟବସ୍ଥା ଏକ ଅସ୍ୱାଭାବିକ ବ୍ୟବସ୍ଥା, ଏକ ଅସ୍ୱାସ୍ଥ୍ୟକର ବ୍ୟବସ୍ଥା । ଏହାର ଅବଲମ୍ବନରୂପେ ଏଥିରେ ଅସଲ ଚେରଟି ନାହିଁ ବା ବାରି ହେଉନାହିଁ ବୋଲି ଏହା ଆମର ଶିକ୍ଷିତମାନଙ୍କୁ ମଧ୍ୟ ଚେରଛିଣ୍ଡା କରି ତିଆରିକରୁଛି ।

 

ଘରଟି ଭିତରେ ଦୁଃଖ ବଢ଼ିବାରେ ସାହାଯ୍ୟ କରୁଛି । ପୁରାତନ କୁସଂସ୍କାରଗୁଡ଼ାକୁ ବହଳମୁହାଁ କରି ରଖିବାରେ ମଧ୍ୟ ସାହାଯ୍ୟ କରୁଛି ।

ତା ୫.୧୦.୧୯୭୬ ରିଖ

Image

 

ଅଷ୍ଟ୍ରେଲିଆରେ ଜୀବନ

 

ଅଷ୍ଟ୍ରେଲିଆ ଗୋଟିଏ ମହାଦେଶ । ଅଷ୍ଟ୍ରେଲିଆ ଗୋଟିଏ ଦ୍ୱୀପ । ଗ୍ରୀନ୍‍ଲାଣ୍ଡ ପରେ ପୃଥିବୀରେ ତାହା ହେଉଛି ବୃହତ୍ତମ ଦ୍ୱୀପ । ପ୍ରଶାନ୍ତ ମହାସାଗର ଭିତରେ ରହିଥିବା ଅନେକ ଦ୍ୱୀପ ମଧ୍ୟରୁ ଗୋଟିଏ । ଲୋକସଂଖ୍ୟା ପୃଥିବୀର ଅନ୍ୟାନ୍ୟ ଦେଶ ଓ ମହାଦେଶ ତୁଳନାରେ ଅନେକ କମ୍ । ଅଷ୍ଟ୍ରେଲିଆର ଲୋକସଂଖ୍ୟାକୁ ଜାଣିଶୁଣି କମ୍ କରି ରଖାଯାଇଛି । ବାହାରର ବିଶେଷ କରି ଅଣ-ୟୁରୋପୀୟ କୌଣସି ଦେଶର ଅଧିବାସୀଙ୍କୁ ଅଷ୍ଟ୍ରେଲିଆ ଯାଇ ସ୍ଥାୟୀ ଭାବରେ ବସବାସ କରିବାକୁ ଅନୁମତି ଦିଆଯାଇନାହିଁ । ଅଷ୍ଟ୍ରେଲିଆରେ ହୀରାଖଣି ଅଛି, ଅଷ୍ଟ୍ରେଲିଆରେ ଚାରଣଭୂମି ଅଛି । ମେଣ୍ଢା, ଛେଳି, ଗୋରୁଗାଈ ଅପର୍ଯ୍ୟାପ୍ତ ସଂଖ୍ୟାରେ ରହିଛି । ଲୋକମାନେ ସାଧାରଣତଃ ଧନୀ । ସେମାନେ ସୁଖରେ ରହନ୍ତି । କୌଣସି ଚିନ୍ତା ନ ଥାଇ ଜୀବନଯାପନ କରନ୍ତି । ଅଧିକ ଭୂଇଁ ଓ ଅଳପ ମଣିଷ ହେଲେ ଯେଉଁସବୁ ଅଧିକ ସୁବିଧା ଭୋଗ କରିବା ସମ୍ଭବ ହୁଏ, ଅଷ୍ଟ୍ରେଲିଆରେ ସେହି ସୁବିଧାଗୁଡ଼ାକ ଭରପୂର ହୋଇ ରହିଛି ।

 

ଅଷ୍ଟ୍ରେଲିଆରେ ଯେଉଁ ଲୋକମାନେ ଭୂମିର ଅଧିବାସୀ ଓ ଦେଶର ନାଗରିକ ହୋଇ ଅଛନ୍ତି, ସେମାନେ ପ୍ରଥମେ ସେଠାରେ ନ ଥିଲେ । ସେମାନେ ବିଲାତରୁ ଆସିଛନ୍ତି, ମାତ୍ର କେଇ ବର୍ଷ ତଳେ ଆସିଛନ୍ତି । ୟୁରୋପର ଅନ୍ୟ କେତେକ ଦେଶରୁ ମଧ୍ୟ କିଛି ଅଂଶରେ ଲୋକମାନେ ଆସିଛନ୍ତି । ଅଷ୍ଟ୍ରେଲିଆର ଅସଲ ଭୂମିଜନମାନେ ଏହି କେତେଟା ବର୍ଷରେ ବିଲୁପ୍ତ ହୋଇ ଯାଇଛନ୍ତି-। ବାକି ଯେଉଁମାନେ ରହିଥାଆନ୍ତେ, ସେମାନେ ୟୁରୋପରୁ ଆକ୍ରମଣ କଲା ପରି ଆସିଥିବା ସଭ୍ୟତାଜଙ୍ଗଲ ଭିତରେ କୁଆଡ଼େ ମିଶି ଯାଇଛନ୍ତି । ସେମାନଙ୍କର ଆଉ ସ୍ୱତନ୍ତ୍ର ସତ୍ତା ବୋଲି କିଛି ନାହିଁ । ସେମାନଙ୍କ କାଳରେ ସେମାନେ ନିଜକୁ ମେଓରି ବୋଲି କହୁଥିଲେ । ସେକାଳର କେତେକ ବର୍ଣ୍ଣନାରୁ ଜାଣିବାକୁ ମିଳିଥାଏ ଯେ ମେଓରିମାନେ ରଙ୍ଗ ବେରଙ୍ଗର କଉଡ଼ିକୁ ଏତେ ଭଲ ପାଉଥିଲେ ଯେ ସେଇଥିରୁ ଗଦାଏ ଗୋଟାଇ ଦେହରେ ମାଳ କରି ପିନ୍ଧୁଥିଲେ । ମୁହଁଟା ବି ଯେପରି କଉଡ଼ିମାଳ ସହିତ ସୁଠାମ ହୋଇ ମିଶିଯିବ, ସେଥିଲାଗି ସେମାନେ ମୁହଁକୁ ତଦନୁରୂପ ଚିତ୍ର କରୁଥିଲେ । ଚାରିପାଖରେ ପଡ଼ିଥିବା ମୁନାକଣାମିଶା ବାଲିକୁ ସେମାନଙ୍କର ଲୋଭ ନଥିଲା । ୟୁରୋପୀୟମାନେ ସୁନାଲୋଭରେ ଅଷ୍ଟ୍ରେଲିଆ ଗଲେ । ମେଓରିମାନଙ୍କୁ ନିପାତ କରି ସଭ୍ୟତାକୁ ମାଲିକ କଲେ ଏବଂ ନିଜେ ସେହି ସଭ୍ୟତାର ଯନ୍ତ୍ର ହୋଇ ରହିଲେ ।

 

ଅଷ୍ଟ୍ରେଲିଆର ରାଜନୀତି ହେଉଛି ପ୍ରଧାନତଃ ପେଟଗୁଡ଼ାକ ଦୁଇଗୁଣ ପୂରି ଅମାରରେ ଆହୁରି ଦୁଇଗୁଣ ମହଜୁଦ ହୋଇ ରହିଥିବାର ରାଜନୀତି । ଅଷ୍ଟ୍ରେଲିଆର ସମସ୍ୟାଗୁଡ଼ାକ ହେଉଛି ପେଟଗୁଡ଼ାକ ଦୁଇଗୁଣ ପୂରି ଅମାର ଭିତରେ ଆହୁରି ଦୁଇଗୁଣ ମହଜୁଦ ହୋଇ ରହିଥିବାର ସମସ୍ୟା । ଅଷ୍ଟ୍ରେଲିଆର ରାଜନୀତି ନିଶ୍ଚିତ ଜୀବନର ରାଜନୀତି, ବଳକା ଭଣ୍ଡାରର ରାଜନୀତି ଏବଂ ଅଷ୍ଟ୍ରେଲିଆର ଭୌଗୋଳିକ ଓ ସାମୁଦ୍ରିକ ଅବସ୍ଥିତି ଅଷ୍ଟ୍ରେଲିଆବାସୀଙ୍କୁ ଆହୁରି ନିଶ୍ଚିନ୍ତ ହୋଇ ରହିବାର ପ୍ରଶ୍ରୟ ଦେଇ ଆସିଛି । ପୁଣି ବାହାର ଲୋକଙ୍କୁ ଏବଂ ବିଶେଷକରି ନିକଟତମ ପ୍ରତିବେଶୀ ଏସିଆର ଲୋକଙ୍କୁ ଅଷ୍ଟ୍ରେଲିଆରେ ବସବାସ କରିବାରୁ ନିଷିଦ୍ଧ କରି ରଖି ଅଷ୍ଟ୍ରେଲିଆ ଆହୁରି ଅଧିକ ନିଶ୍ଚିନ୍ତ ସମସ୍ୟାହୀନ ଓ ଏକୁଟିଆ ହୋଇ ରହିବାର ସୁଖାବସ୍ଥାଟିକୁ ଭୋଗ କରି ଆସିଛି । ବୃହତ୍ତର ପୃଥିବୀଟିଏ ବାହାରେ ରହିଛି ଓ ତା’ର ନାନା ସମସ୍ୟା ରହିଛି ବୋଲି ଜାଣିଥିଲେ ମଧ୍ୟ ଅଷ୍ଟ୍ରେଲିଆ ଆପଣାକୁ ସତେ ଅବା ଏକ ସ୍ୱତନ୍ତ୍ର ଓ ବିଚ୍ଛିନ୍ନ ପୃଥିବୀ ବୋଲି ମାନି ନେଇ ଆସିଛି-। ଯେଉଁଠାରେ ସଂଘର୍ଷ ନାହିଁ, ସେଠାରେ ଆହ୍ୱାନ ବି ନାହିଁ ଓ ଗୋଟାଏ ଦୃଷ୍ଟିରୁ ସେଠାରେ ଜୀବନ ନାହିଁ ବୋଲି କେତେକ ବୈଜ୍ଞାନିକ ମତ ରହିଛି । ଅଷ୍ଟ୍ରେଲିଆ ବେଶ୍ କେତେବର୍ଷ ହେଲା ସେହି ଦୃଷ୍ଟିରୁ ପ୍ରାୟ ଏକ ଜୀବନହୀନ ଓ ଉଦ୍ୟମହୀନ ଜୀବନଯାପନ କରି ଆସିଛି । ବ୍ୟକ୍ତିଗତ ତଥା ସାମାଜିକ ଜୀବନରେ ବିରୋଧ ଯେ ସତ୍ୟକୁ ଅଧିକ ଶାଣିତ କରାଏ ଏବଂ ପ୍ରୟାସ ଗୁଡ଼ିକୁ ଅଧିକ ଉଜ୍ଜ୍ୱଳ ଓ ତାତ୍ପର୍ଯ୍ୟପୂର୍ଣ୍ଣ କରାଏ, ତାହା ଉପଲବ୍‍ଧି କରିବା ଅଷ୍ଟ୍ରେଲିଆର ଭାଗ୍ୟରେ ଜୁଟିନାହିଁ ।

 

ଅଷ୍ଟ୍ରେଲିଆରେ ଗଣତନ୍ତ୍ରର ପ୍ରତିଷ୍ଠା ହେବା ଦିନୁ ସେଠାରେ ବିରୋଧୀ ଦଳ ରହିଛନ୍ତି । ମାତ୍ର ସତେ ଅବା ବିରୋଧ କରିବାକୁ କିଛି ନ ଥିଲା ପରି ସେମାନେ ବି ଅନ୍ୟ ପଟଟି ସହିତ ପ୍ରାୟ ସାମିଲ ହୋଇ ରହିଯାଇଛନ୍ତି ।

 

ଏହି ପରିପ୍ରେକ୍ଷୀରେ ବିଚାର କରି ଦେଖିଲେ କହିବାକୁ ପଡ଼ିବ ଯେ ଅଷ୍ଟ୍ରେଲିଆରେ ଏବେ ଏକ ବିଚିତ୍ର କଥା ଘଟିଛି । ସେଠିକାର ବିରୋଧୀ ଦଳ ସରକାରୀ ବେଞ୍ଚ୍ ପାଖରେ ଦାବୀ କରିଛି ଯେ ଅଷ୍ଟ୍ରେଲିଆ ବିଶ୍ୱ ରାଜନୀତିରେ ସକଳ ପ୍ରକାର ମେଣ୍ଟ ରାଜନୀତିରୁ ଅଲଗା ରହୁ, ସକଳ ପ୍ରକାର ମେଣ୍ଟରୁ ବି ଅଲଗା ରହୁ । ଅଷ୍ଟ୍ରେଲିଆ ଗୋଷ୍ଠୀନିରପେକ୍ଷତାର ପନ୍ଥା ଅବଲମ୍ବନ କରୁ ବୋଲି ବିରୋଧୀ ଦଳ ପରାମର୍ଶ ଦେଇଛି । ବିଦେଶୀ କୌଣସି ଦେଶର ସାମରିକ ବାହିନୀ କିମ୍ବା ସାମରିକ ଘାଟି ଅଷ୍ଟ୍ରେଲିଆରେ ନ ରହୁ ବୋଲି ଦାବୀ କରାଯାଇଛି । ସ୍ମରଣ କରାଯାଇପାରେ ଯେ ଅଷ୍ଟ୍ରେଲିଆ ଏ ପର୍ଯ୍ୟନ୍ତ ସିଆଟୋ ସାମରିକ ମେଣ୍ଟର ଅନ୍ୟତମ ସଭ୍ୟରୂପେ ରହିଆସିଛି । ଭିଏତ୍‍ନାମ ଯୁଦ୍ଧ ପରେ ଏହି ମେଣ୍ଟର କୌଣସି ଆବଶ୍ୟକତା ନାହିଁ ବୋଲି ସ୍ପଷ୍ଟ ହୋଇଗଲା ପରେ ସଦସ୍ୟମାନଙ୍କ ରାଜନୀତିକ ଭୂମିରେ ଯେଉଁ ହାସ୍ୟାସ୍ପଦତା ସୃଷ୍ଟି ହୋଇଛି, ସମ୍ଭବତଃ ତାହାହିଁ ଅଷ୍ଟ୍ରେଲିଆରେ ଅନ୍ତତଃ ବିରୋଧୀ ଦଳର ନିଦ ଭଙ୍ଗାଇବାରେ ଏକ ଆଘାତ ପରି କାର୍ଯ୍ୟ କରିଛି-

 

ଦେଶଠାରୁ ପୃଥିବୀ ଅନେକ ବଡ଼ । ତେଣୁ ଏହି ପୃଥିବୀ ଭିତରେ କେହି ଆପଣାକୁ ବିଚ୍ଛିନ୍ନ କରି ରଖିପାରିବ ନାହିଁ । ବିଚ୍ଛିନ୍ନ ଭାବରେ ସୁଖୀ ହୋଇ ପାରିବ ନାହିଁ କିମ୍ବା ବିଚ୍ଛିନ୍ନ ଭାବରେ ବୃହତ୍‌ଶକ୍ତି ବି ବୋଲାଇ ପାରିବ ନାହିଁ । ବିଚ୍ଛିନ୍ନ ହୋଇ ରହିବାର ଯାବତୀୟ ବାସନା କେବଳ ବୃଦ୍ଧତ୍ୱ ଲାଗିହିଁ ପ୍ରଶ୍ରୟ ଦେବ । ଅଷ୍ଟ୍ରେଲିଆରେ ବିରୋଧୀ ଦଳ ମଧ୍ୟରେ ଯେଉଁ ଜୀବନର ସୂଚନାଟି ମିଳିଲା, ତାହା ସେଠାରେ ଲୋକଜୀବନକୁ ଆହୁରି ସଚଳ କରୁ, ଆହୁରି ଆଗ୍ରହବାନ୍ କରୁ, ସମଗ୍ର ଭୂଖଣ୍ଡ ସହିତ ପୃଥିବୀର କୋଟି କୋଟି ମଣିଷକୁ ସମ୍ମିଳିତ କରିଆଣୁ, ଆତ୍ମସର୍ବସ୍ୱତାର ରୋଗ ଦୂର ହୋଇ ଏକ ନୂତନ ସଂଖ୍ୟ ଜନ୍ମଲାଭ କରୁ ।

ତା ୦୬.୧୦.୧୯୭୬ ରିଖ

Image

 

ରାଜକାର୍ଯ୍ୟ ପଦ୍ଧତି

 

ଶ୍ରୀଲଙ୍କାରେ ଏବେ ସରକାରୀ ଆଇନ ପ୍ରଣୟନ କରି ରାଜକାର୍ଯ୍ୟ ପଦ୍ଧତିକୁ ଉଠାଇ ଦିଆଗଲା । ଅର୍ଥାତ୍ ମନ୍ଦିର ଏବଂ ଦେବୋତ୍ତର ଅନୁଷ୍ଠାନମାନଙ୍କରେ ପାରମ୍ପରିକ ନାନା ଉପାୟର ଅବଲମ୍ବନ କରାଯାଇ ମଣିଷମାନଙ୍କୁ ସେଠି ଯେଉଁ ବେଠି ଖଟାହୋଇ ଆସୁଥିଲା, ଏବେ ତାହାକୁ ବେଆଇନ ବୋଲି ଘୋଷଣା କରାଗଲା ।

 

ଆମ ରାମାୟଣ ଅମଳରେ ଲଙ୍କାରେ ରାଜାମାନେ ଥିଲେ । ତା’ପରେ ଦୀର୍ଘ ଅନେକ ଅନେକ ଶତାବ୍ଦୀ ପର୍ଯ୍ୟନ୍ତ ବି ରାଜାମାନେ ରହିଥିଲେ । ତଥାକଥିତ ରାଜକାର୍ଯ୍ୟ ପଦ୍ଧତିଟି ସମ୍ଭବତଃ ସେହି କାଳରୁ ଚଳି ଆସୁଛି । ରାଜା ହେଉଛନ୍ତି ଦେଶର ମାଲିକ, ଜନଇଚ୍ଛାର ମାଲିକ, ଜନଭାଗ୍ୟର ମଧ୍ୟ ମାଲିକ । ତେଣୁ ଭଗବାନଙ୍କର ଯେଉଁ ଆସ୍ଥାନ ଓ ପୀଠଗୁଡ଼ାକ ରାଜ୍ୟରେ ରହିଛି, ଆନୁଷ୍ଠାନିକ ଦୃଷ୍ଟିରୁ ସେଗୁଡ଼ାକ ମଧ୍ୟ ରାଜ୍ୟର ସମ୍ପତ୍ତି ଅର୍ଥାତ୍ ରାଜାଙ୍କର ସମ୍ପତ୍ତି । ଏହି ପୀଠ ଓ ଆସ୍ଥାନମାନଙ୍କରେ ଭଗବାନଙ୍କ ନାଆଁରେ କେତେ ଜମି ରହିଛି, କେତେ ସୁନାରୂପା ରହିଛି ଓ କେତେ ମାମଲତ ମଧ୍ୟ ରହିଛି । ଭଗବାନଙ୍କର କାର୍ଯ୍ୟ ଚଳିବ, ଅର୍ଥାତ୍ ତାଙ୍କର ଦୈନିକ ଭୋଗ ଓ ଯାନିଯାତ୍ରାମାନ ଚଳିବ ବୋଲି ହୁଏତ କୋଉ କାଳରୁ ଏଗୁଡ଼ାକ ରାଜାଙ୍କଦ୍ୱାରା ତାଙ୍କ ଲାଗି ଖଞ୍ଜା ହୋଇ ରହିଛି ଏବଂ ସେହି ଦିନଠାରୁ ସେହି ଭଗବାନଙ୍କ ନାଆଁରେ କେତେକ ମଣିଷହିଁ ସେହିସବୁ ବ୍ୟବସ୍ଥାକୁ ଭୋଗ କରି ଆସୁଛନ୍ତି ।

 

ଇତିହାସରେ ଯେଉଁଠି ଯେଉଁଠି ରାଜାମାନେ ରହି ଆସିଛନ୍ତି, ସେଠାରେ ପ୍ରାୟ ଏକ ସାଧାରଣ ନିୟମଭଳି କେତେ ପ୍ରକାରର ବେଠିକୁ ସ୍ୱୀକୃତି ଦିଆଯାଇ ଆସିଛି ଏବଂ ଯେଉଁଠାରେ ଦେଉଳଗୁଡ଼ାକ ରାଜାଙ୍କର ସମ୍ପତ୍ତି ହୋଇ ରହିଛି, ରାଜାଙ୍କୁହିଁ ଭଗବାନଙ୍କର ସର୍ବପ୍ରଥମ ସେବକ ବୋଲି କୁହାହୋଇଛି ଏବଂ ସିଏ ଏହି ସଂସାରରେ ଭଗବାନଙ୍କର ପ୍ରତିନିଧି ହୋଇ ରହି ଶାସନ କରିବାର ଅକ୍ଷୟ କ୍ଷମତା ପାଇଛନ୍ତି, ସେଠାରେ ଏକ ସାର୍ବଜନୀନ ଚଳଣିପରି ଭଗବାନ ଓ ତାଙ୍କ ଦେଉଳର ଯାବତୀୟ କାର୍ଯ୍ୟକୁ ରାଜକାର୍ଯ୍ୟ ବୋଲି କୁହାହୋଇ ଆସିଛି । ଭଗବାନଙ୍କ ନୀତିଗୁଡ଼ାକ ଚାଲିପାରିବ ବୋଲି ସେଠାରେ ରାଜାଙ୍କର ନୀତି ଅର୍ଥାତ୍ ରାଜନୀତିକୁ ବି ଆଣି ଭର୍ତ୍ତି କରି ଦିଆଯାଇଛି । ଭଗବାନ ପାଣି ପାଇବା ନାମରେ ଆହୁରି କେତେକେତେ ମଣିଷ ଅର୍ଥାତ୍ କେତେକେତେ ନ୍ୟସ୍ତସ୍ୱାର୍ଥ ପାଣି ପାଇ ଆସିଛନ୍ତି । ସେମାନେ ଆପଣାର ଏହି ପାରମ୍ପରିକ ଅଧିକାରଗୁଡ଼ାକୁ ସତେଅବା ଭଗବାନଙ୍କର ଅଧିକାର ପରି ଲୋକମାନଙ୍କର ପିଠି ଉପରେ ଚଳାଇ ନେଇ ଆସିଛନ୍ତି । ଏକଥା କେବଳ ସିଂହଳ ବା ଶ୍ରୀଲଙ୍କାରେ ହୋଇନାହିଁ । ଏକଥା ଇତିହାସରେ ସର୍ବତ୍ର ହୋଇଛି, ରାଜତନ୍ତ୍ର ସହିତ ସତେଅବା ଅଭିନ୍ନ ଭାବରେ ଯୋଖାହୋଇ ରହିଛି ।

 

ଏବଂ ରାଜତନ୍ତ୍ର ବିଲୁପ୍ତ ହୋଇଗଲା ପରେ ମଧ୍ୟ ରାଜକାର୍ଯ୍ୟ ଗୁଡ଼ାକ ତଥାପି ଅକ୍ଷୟ ହୋଇ ରହିଛି । କାରଣ, ନ୍ୟସ୍ତସ୍ୱାର୍ଥ ଓ ନ୍ୟସ୍ତସ୍ୱାର୍ଥୀମାନେ ତଥାପି ରହିଛନ୍ତି ଏବଂ ସେହିମାନଙ୍କର କାର୍ଯ୍ୟଗୁଡ଼ାକୁ ସେମାନେ ରାଜକାର୍ଯ୍ୟ ବୋଲି ଅକ୍ଷୟ କରି ରଖିଛନ୍ତି । ରାଜତନ୍ତ୍ର ଲୋପ ପାଇବା ହେଉଛି ଯେକୌଣସି ଦେଶରେ କେବଳ ଏକ ପ୍ରଥମ ଅଧ୍ୟାୟ । ଏହାକୁ ଅନେକ କ୍ଷେତ୍ରରେ ରାଜନୀତିକ ବିପ୍ଳବ ବୋଲି କୁହାଯାଇଥାଏ । ରାଜନୀତିକ ବିପ୍ଳବ ସମଗ୍ର ବିପ୍ଳବ ନୁହେଁ । ବିପ୍ଳବକୁ ସମ୍ପୂର୍ଣ୍ଣ କରିବାକୁ ହେଲେ ରାଜନୀତିକ ବିପ୍ଳବ ସହିତ ଏକ ଦୀର୍ଘକାଳସ୍ଥାୟୀ ସାମାଜିକ ବିପ୍ଳବ ମଧ୍ୟ ଦରକାର । ସାମାଜିକ ବିପ୍ଳବ ଅର୍ଥାତ୍ ମଣିଷକୁ ମଣିଷର ପ୍ରତିଷ୍ଠା ଦେବାର ବିପ୍ଳବ । ପୃଥିବୀରେ ଅନେକ ଦେଶରେ ରାଜତନ୍ତ୍ରର ଲୋପ ହୋଇ ଯାଇଥିଲେ ମଧ୍ୟ ସାମାଜିକ ବିପ୍ଳବକୁ ତଥାପି ଆସିବାକୁ ଦିଆଯାଇନାହିଁ । ନେତୃତ୍ୱଗୁଡ଼ାକ କ୍ଷମତାରେ ବସି ଭାଗ୍ୟର ଗତିଟାକୁ ଆପଣାର ସୁବିଧା ଅନୁସାରେ ଅଧବାଟରେ ଅଟକାଇ ରଖିଛନ୍ତି । ଗଣତନ୍ତ୍ରରେ ମଧ୍ୟ ସେଠାରେ ନ୍ୟସ୍ତସ୍ୱାର୍ଥଗୁଡ଼ାକହିଁ ରାଜା ହୋଇ ବସିଛି । ପରମ୍ପରା ଗୁଡ଼ାକୁ ନାନା ଆନୁଷ୍ଠାନିକତା ଓ ଭାବପ୍ରବଣତା ସହିତ ଏକାଠି ମିଶାଇ ସ୍ଥାଣୁ କରି ରଖି ଦିଆଯାଇଛି । ତେଣୁ ଯେଉଁଠାରେ ଲୋକକାର୍ଯ୍ୟ ଚାଲୁଥାନ୍ତା, ଲୋକୋଦୟକୁହିଁ ଯଥାର୍ଥତମ ଉଦୟର ସ୍ୱୀକୃତି ମିଳୁଥାନ୍ତା, ସେଠାରେ ତଥାପି ରାଜକାର୍ଯ୍ୟ ଗୁଡ଼ାକହିଁ ଚାଲିବାରେ ଲାଗିଛି । ଭଗବାନଙ୍କର କାର୍ଯ୍ୟଗୁଡ଼ାକ ବି ରାଜକାର୍ଯ୍ୟର ଛାଞ୍ଚରେ ଚାଲିଛି । ବେଠି ଚାଲିଛି, ମଣିଷଦ୍ୱାରା ମଣିଷର ଶୋଷଣ ଚାଲିଛି । ଶଠତା ଚାଲିଛି, ଛଦ୍ମତା ବି ଚାଲିଛି ଏବଂ ଭଗବାନଙ୍କ ନାଆଁରେ ଅନେକ ନୃଶଂସତାକୁ ଚମତ୍କାର ପ୍ରଶ୍ରୟ ଦିଆଯିବାରେ ଲାଗିଛି ।

 

ପୃଥିବୀର ଅନେକ ଦେଶପରି ଶ୍ରୀଲଙ୍କାରେ ମଧ୍ୟ ଏଗୁଡ଼ାକ ଏ ପର୍ଯ୍ୟନ୍ତ ଲାଗି ରହିଥିଲା-। ସେଠାରେ ଗଣତନ୍ତ୍ରର ବାହ୍ୟ ବ୍ୟବସ୍ଥାଟି ଅନୁସାରେ ଦେଶର ଶାସନ ଚାଲୁଥିବା ସତ୍ତ୍ୱେ ଏ ପର୍ଯ୍ୟନ୍ତ ଲାଗି ରହିଥିଲା । ଯେଉଁମାନେ ଭଗବାନଙ୍କ ନାଆଁରେ ମଣିଷର ବେଠି ଖଟୁଥିଲେ, ସେମାନେ ହୁଏତ ଏପର୍ଯ୍ୟନ୍ତ ଗଣତନ୍ତ୍ର ଓ ଗଣତାନ୍ତ୍ରିକ ବିଚାରର ବୃତ୍ତଟି ମଧ୍ୟକୁ ଆସିବାଲାଗି ଅନୁମତିହିଁ ପାଇ ନଥିଲେ । ନ୍ୟସ୍ତସ୍ୱାର୍ଥ ଗୋଷ୍ଠୀମାନେ ହୁଏତ ଗଣତନ୍ତ୍ର ଶାସନର ସକଳ ଦ୍ୱାରଗୁଡ଼ାକୁ ମାଡ଼ି ବସିଥିଲେ, ଗଣତନ୍ତ୍ର ଶାସନର ବେକଗୁଡ଼ାକୁ ଆପଣାର ହାତରେହିଁ ରଖିଥିଲେ-। ତେଣୁ ପୁରୁଣା ପଙ୍କଗୁଡ଼ାକ ସେମିତି ରହିଥିଲା ଓ ଅସହାୟ ଅନେକ ମଣିଷଙ୍କର ଜୀବନ ତାହାରି ଭିତରେ ପଡ଼ି କଲବଲ ହେଉଥିଲା ।

 

ରାଜକାର୍ଯ୍ୟ ପଦ୍ଧତିଟିକୁ ଆଇନ କରି ଉଠାଇ ଦେବାଦ୍ୱାରା ଶ୍ରୀଲଙ୍କାରେ ସରକାର ଯେଉଁ ସାହସିକ ପଦକ୍ଷେପଟି ନେଲେ, ସେଥିଲାଗି ତାଙ୍କୁ ଅଭିନନ୍ଦନ ଜଣାଇବା ଉଚିତ । ପ୍ରାଚ୍ୟ ଦେଶମାନଙ୍କରେ ଧର୍ମାନୁଷ୍ଠାନଗୁଡ଼ିକ, ଅର୍ଥାତ୍ ଭଗବାନଙ୍କ ନାମରେ ଚାଲୁଥିବା ସମ୍ପତ୍ତି ଅନୁଷ୍ଠାନଗୁଡ଼ିକ ପାରମ୍ପରିକ ମନ ଉପରେ ଏତେବେଶୀ ପ୍ରତିଷ୍ଠା ଜମାଇ ରହିଥାନ୍ତି ଯେ ସାଧାରଣତଃ କୌଣସି ସରକାର ଓ ବିଶେଷତଃ ପ୍ରତିନିଧି-ଶାସିତ କୌଣସି ସରକାର ସେଗୁଡ଼ିକରେ କୌଣସି ହସ୍ତକ୍ଷେପ କରିବାକୁ ଅନେକ ସମୟରେ ସାହସହିଁ କରନ୍ତି ନାହିଁ । ହସ୍ତକ୍ଷେପ କରିବା ମାତ୍ରକେ ଦୁର୍ବଳ ଭାବପ୍ରବଣତାଗୁଡ଼ାକୁ ଏପରି ଅଭିସନ୍ଧିମୂଳକ ଭାବରେ ଉସକାଇ ଦିଆଯାଏ ଯେ, ଅନେକ ସରକାର ତାଙ୍କର ଯାବତୀୟ ସଦିଚ୍ଛା ସତ୍ତ୍ୱେ ବି ତାହାର ସମ୍ମୁଖୀନ ହୋଇପାରନ୍ତି ନାହିଁ । ଏହିପରି ଭାବରେ ବିପ୍ଳବର କାର୍ଯ୍ୟକ୍ରମ ନେଇ କ୍ଷମତାକୁ ଆସିଥିବା ଅନେକ ସରକାର କାଳକ୍ରମେ ଚିରାଚରିତ ଏକ ଉଦାସୀନ ଯନ୍ତ୍ରରେହିଁ ପରିଣତ ହୋଇଯାଆନ୍ତି । ଶ୍ରୀଲଙ୍କା ସରକାର ତଥାପି ହସ୍ତକ୍ଷେପ କରିଛନ୍ତି ଓ ନିନ୍ଦା ଅର୍ଜିବାର ସାହସ ଦେଖାଇଛନ୍ତି, ତାହା ଯଥାର୍ଥରେ ଅଭିନନ୍ଦନୀୟ ।

ତା ୦୯.୧୦.୧୯୭୬ ରିଖ

Image

 

ମୃତ୍ୟୁଦଣ୍ଡର ମୃତ୍ୟୁ

 

ଅନେକ ଦଣ୍ଡ ଭିତରେ ମୃତ୍ୟୁଦଣ୍ଡ ମଧ୍ୟ ଗୋଟିଏ ଦଣ୍ଡ । ମଣିଷର ଜୀବନକୁ ଯେତେବେଳେ ଯଥେଷ୍ଟ ମୂଲ୍ୟ ଦିଆଯାଉନଥିଲା, ସେତେବେଳେ ଜଣେ ଅପରାଧୀକୁ ମୃତ୍ୟୁଦଣ୍ଡ ଦେଉଥିବାବେଳେ କୌଣସି ଶାସକ ଅଥବା ଅଧିକାରୀ କୌଣସି ପ୍ରକାର ବିବେକଦଂଶନ ଅନୁଭବ କରୁନଥିଲେ । ପୁନଶ୍ଚ ଯେତେବେଳେ ମଣିଷକୁ କେବଳ କୌଣସି ସମାଜର ଯନ୍ତ୍ରରେ କେବଳ ଗୋଟାଏ ପେଚ ବା କବଜାପରି କଳ୍ପନା କରାଯାଉଥିଲା, ସେତେବେଳେ ନିୟମ-ଲଂଘନକାରୀ ମଣିଷ ଲାଗି ସଚରାଚର ସମୁଚିତ କେତେଗୁଡ଼ାଏ ନିୟମକୁହିଁ ସମାଜ ବୋଲି ବିଶ୍ୱାସ କରାଯାଉଥିଲା, ଦଣ୍ଡର–ମୃତ୍ୟୁଦଣ୍ଡର କଳ୍ପନା କରାଯାଇ ପାରୁଥିଲା । ମନୁଷ୍ୟ ଓ ସମାଜ ବିଷୟରେ ଯୁଗାନୁକ୍ରମେ ଆମର କଳ୍ପନା ଓ ସଂସ୍କାରଗୁଡ଼ାକ ବଦଳିଯିବା ସଙ୍ଗେ ସଙ୍ଗେ ଅପରାଧ ଓ ଅପରାଧୀ ସମ୍ବନ୍ଧରେ ଆମର ଧାରଣାଗୁଡ଼ାକ ମଧ୍ୟ ବଦଳି ଯିବାକୁ ଲାଗିଛି । ମୃତ୍ୟୁଦଣ୍ଡ ପ୍ରକୃତରେ ଏକ ଦଣ୍ଡ ହୋଇ ରହିବା ଉଚିତ କି ନୁହେଁ, ଏହି ବିଷୟରେ ସଭ୍ୟ ସଂସାରରେ ପ୍ରାୟ ସବୁଆଡ଼େ ଚର୍ଚ୍ଚାମାନ ଆରମ୍ଭ ହେଲାଣି, ଅର୍ଥାତ୍ ବିବେକର ଦଂଶନ ଆରମ୍ଭ ହେଲାଣି ।

 

ଏବକାଳର ମଣିଷ ତୁଳନାରେ ପ୍ରାଚୀନ କାଳର ମଣିଷ ଅଧିକ କ୍ରୂର ଥିଲା କି ନାହିଁ, ସେ ବିଷୟରେ ହୁଏତ ଏକାଧିକ ମତ ଥାଇପାରେ, ମାତ୍ର ଏଥିରେ ଆଦୌ କୌଣସି ସନ୍ଦେହ ନାହିଁ ଯେ ପୁରାକାଳର ଏକାଧିକ ସମାଜରେ ଓ ତଥାକଥିତ ସଭ୍ୟତାରେ ଦଣ୍ଡଗୁଡ଼ାକ ଅତିରିକ୍ତ ମାତ୍ରାରେ କ୍ରୂର ହୋଇ ରହିଥିଲା । ପ୍ରାୟ ଟିକିଏ ଟିକିଏ ଅପରାଧରେ ଅପରାଧୀକୁ ମୃତ୍ୟୁଦଣ୍ଡର ବିଧାନ କରାହେଉଥିଲା । ପ୍ରାଚୀନ ପାରସ୍ୟରେ ଅପରାଧୀକୁ କୌଣସି ଏକ ଅନ୍ଧାର ଗୁହାଘରେ ଅତ୍ୟନ୍ତ ଅସହାୟ ଭାବରେ ନେଇ ଛାଡ଼ି ଦିଆଯାଉଥିଲା, ଯେଉଁଠାରେ କି ବିଷାକ୍ତ କୀଟ ପତଙ୍ଗ ଓ ଜନ୍ତୁମାନେ ତାକୁ ଜୀଅନ୍ତା ଅବସ୍ଥାରେ ବି ଖାଇବାକୁ ଆରମ୍ଭ କରୁଥିଲେ ଓ ଅଳ୍ପ ଅଳ୍ପ କରି ଖତମ କରି ଦେଉଥିଲେ । ମଧ୍ୟଯୁଗରେ ଅତି ସାନ ସାନ ଅପରାଧ ସକାଶେ ଅଙ୍ଗପ୍ରତ୍ୟଙ୍ଗକୁ କାଟି ଦିଆଯାଉଥିଲା, ତତଲା ତେଲ କଡ଼େଇରେ ନେଇ ପକାଇ ଦିଆଯାଉଥିଲା ବା ନିଆଁରେ ପୋଡ଼ି ମାରି ଦିଆ ଯାଉଥିଲା । ଆମ ଓଡ଼ିଶାରେ ଫାଶୀ ଦିଆଯିବାର ଉପାଖ୍ୟାନ ଆମ ଅନେକଙ୍କୁ ଜଣାଥିବ । ମୋଗଲ ଦରବାରରେ ଗୋଟାଏ ଦୁଷ୍ଟ ହାତୀକୁ ବାନ୍ଧି କରି ରଖି ଦିଆଯାଉଥିଲା ଓ ମୃତ୍ୟୁଦଣ୍ଡରେ ଦଣ୍ଡିତ ଅପରାଧୀକୁ ତାହାରି ଆଗରେ ନେଇ ପକାଇ ଦିଆଯିବା ମାତ୍ରକେ ହାତୀ ତାକୁ ନିଜର ଆଗଗୋଡ଼ ଓ ଶୁଣ୍ଢ ସାହାଯ୍ୟରେ ଦୁଇଖଣ୍ଡ କରି ଫାଡ଼ି ଦେଉଥିଲା ।

 

ପ୍ରାଚୀନ କାଳରେ କେତେକ ଦେଶରେ ସାଧାରଣ ଚୋରି ପ୍ରଭୃତି ଅପରାଧ ସକାଶେ ମଧ୍ୟ ପ୍ରାଣଦଣ୍ଡ ଦିଆଯାଉଥିଲା । ପ୍ରାଚୀନ ବେବିଲୋନରେ ବେଆଇନ ମଦ ବିକିବାର ପ୍ରମାଣ ମିଳିଲେ ଅପରାଧୀ ପ୍ରାଣଦଣ୍ଡରେ ଦଣ୍ଡିତ ହେଉଥିଲା । ପ୍ରାଚୀନ ଇହୁଦୀ ସମାଜରେ ପିତାମାତାଙ୍କୁ ଗାଳିଦେଲେ, ଅଭିଶାପ ଦେଲେ ଅଥବା ସାପ୍ତାହିକ ସାବାଥ୍‍ର ପାଳନ ନକଲେ ମୃତ୍ୟୁଦଣ୍ଡହିଁ ଭୋଗିବାକୁ ପଡ଼ୁଥିଲା । ବାଇବେଲରେ ଲେଖା ହୋଇଥିବା ଏକ ବାକ୍ୟ ଅନୁସାରେ ଆଉ ଜଣକର ଜୀବନ ନାଶ କରୁଥିବା ବ୍ୟକ୍ତିର ଜୀବନ ନେବାଦ୍ୱାରାହିଁ କୃତ ଅପରାଧିଟିର ପ୍ରାୟଶ୍ଚିତ୍ତ ସମ୍ଭବ ହେଉଥିଲା । ଅଷ୍ଟାଦଶ ଶତାବ୍ଦୀରୁ ଯାଇ ଇଉରୋପରେ ମଣିଷ ପ୍ରତି ଦୃଷ୍ଟି ବଦଳିଲା, ସମାଜ ବିଷୟରେ ରହିଥିବା ସଂସ୍କାରଗୁଡ଼ାକ ବଦଳିଲା ଓ ତାହାରି ଫଳସ୍ୱରୂପ ମୃତ୍ୟୁଦଣ୍ଡ ବିଷୟରେ ରହିଥିବା ଧାରଣାମାନ ମଧ୍ୟ ବଦଳିଲା । ଘାତକର ପ୍ରାଣ ନେବାଦ୍ୱାରା ନିହତ ବ୍ୟକ୍ତିର ହତ୍ୟାର କେତେଦୂର ପ୍ରତିଶୋଧ ନିଆଯାଇ ପାରୁଛି, ସେହି ବିଷୟରେ ମଣିଷର ମନରେ ପ୍ରଥମ କରି ପ୍ରଶ୍ନମାନ ଜାଗୃତ ହେବାକୁ ଲାଗିଲା ଏବଂ ତାହାରି ଫଳରେ ଅପରାଧ ଏବଂ ବିଶେଷକରି ମୃତ୍ୟୁଦଣ୍ଡ ବିଷୟରେ ଏକ ଆଧୁନିକ ଦୃଷ୍ଟି ଜନ୍ମଲାଭ କଲା ।

 

ଏହି ପ୍ରତିକ୍ରିୟା ପରିଣାମ ସ୍ୱରୂପ ପୃଥିବୀର ଏକାଧିକ ଦେଶରେ ବର୍ତ୍ତମାନ ମୃତ୍ୟୁଦଣ୍ଡକୁ ଅନାବଶ୍ୟକ ବୋଲି ଅନୁଭବ କରାଗଲାଣି । ସେହିସବୁ ଦେଶର ଆଇନରୁ ମୃତ୍ୟୁଦଣ୍ଡକୁ ଉଠାଇ ଦିଆଗଲାଣି । ମୃତ୍ୟୁଦଣ୍ଡ ଉଠାଇ ଦିଆଗଲେ ନରଘାତୀ ମାନଙ୍କର ସାହସ ବଢ଼ିଯିବ ଓ ସେମାନେ ଅଧିକ ନିଃସଙ୍କୋଚ ହୋଇ ଅନ୍ୟମାନଙ୍କର ଜୀବନନାଶ କରିବା ଲାଗି ଯେ ପ୍ରଶ୍ରୟ ପାଇବେ, ଅନେକ ଦିନରୁ ଅନେକଙ୍କ ମନରେ ପ୍ରାୟ ବଦ୍ଧମୂଳ ହୋଇ ରହିଆସିଥିବା ଆଶଙ୍କା ସେହିସବୁ ଦେଶରେ କରାଯାଇଥିବା ଅଧ୍ୟୟନଦ୍ୱାରା ମିଥ୍ୟା ବୋଲି ପ୍ରମାଣିତ ହୋଇଛି । ଅର୍ଥାତ୍ ସେହିସବୁ ଦେଶରେ ପ୍ରାଣଦଣ୍ଡ ଉଠାଇଦେବା ଫଳରେ ହତ୍ୟାର ସଂଖ୍ୟା ଆଦୌ ବୃଦ୍ଧି ପାଇନାହିଁ । ଲୋକହତ୍ୟା ଘଟାଇବା ପଛରେ ଯେଉଁସବୁ ଗଭୀରତର ବ୍ୟକ୍ତିଗତ ଓ ସାମାଜିକ କାରଣ ରହିଛି ଏବେ ସେଗୁଡ଼ିକର ବୈଜ୍ଞାନିକ ଅନୁଧ୍ୟାନ କରାଗଲାଣି । ସମସ୍ୟାଟିର ଅଧ୍ୟୟନ କରାଯିବା ସଙ୍ଗେ ସଙ୍ଗେ ସମସ୍ୟାଟିର ଅନ୍ୟସ୍ତରୀୟ କେତେ ସମାଧାନ ଖୋଜି ବାହାର କରିବା ସମ୍ଭବ ବି ହେଲାଣି ।

 

ଯୁକ୍ତରାଜ୍ୟ ଆମେରିକାରେ ଗତ ପଇଁଚାଳିଶି ବର୍ଷ ଭିତରେ ସର୍ବମୋଟ ପ୍ରାୟ ଚାରିହଜାର ମଣିଷଙ୍କୁ ଫାଶି ଦିଆଯାଇଛି । ଏଥିମଧ୍ୟରୁ ଅଧିକାଂଶତଃ ଖୁଣୀମାନଙ୍କୁହିଁ ଏହି ଦଣ୍ଡ ଦିଆଯାଇଛି । ତଥାପି, ଏହି ଦଣ୍ଡର ଆଦେଶ ଦିଆଗଲା ବେଳେ ଅନେକ ସମୟରେ ଅନ୍ୟାନ୍ୟ କେତେ ପ୍ରକାର ଭାବପ୍ରବଣତା ଓ ବିଦ୍ୱେଷ କାର୍ଯ୍ୟ କରୁଛି ବୋଲି ମନ୍ତବ୍ୟମାନ ପ୍ରକାଶ ପାଇଛି । ଆମ ଭାରତବର୍ଷରେ ଇଂରେଜମାନେ ପ୍ରାୟ ଶହେବର୍ଷ ତଳେ ଯେଉଁ ଅପରାଧ-ବହିର ପ୍ରଣୟନ କରିଯାଇଥିଲେ, ଆମେ ଅଳ୍ପବହୁତେ ତାହାରିଦ୍ୱାରାହିଁ ବର୍ତ୍ତମାନ ମଧ୍ୟ ପରିଚାଳିତ ହେଉଛୁ । ତେଣୁ ପ୍ରାଣଦଣ୍ଡର ବ୍ୟବସ୍ଥା ପୂର୍ବପରି ଏବେ ମଧ୍ୟ ଆମ ଦେଶରେ ରହିଛି । ତଥାପି ବାସ୍ତବ କ୍ଷେତ୍ରରେ ପ୍ରାଣଦଣ୍ଡ ଆଦେଶମାନ ସଂଖ୍ୟାରେ କ୍ରମଶଃ ଊଣା ହୋଇଯାଉଛି । ଅର୍ଥାତ୍ ବିଚାରାଳୟମାନଙ୍କରେ ମଧ୍ୟ ଆଧୁନିକ ବିଚାରର ପ୍ରବେଶ ଘଟିଲାଣି । ଆମ ଦେଶର ନୂତନ ଆବଶ୍ୟକତା ଅନୁସାରେ ଏକ ନୂତନ ଦଣ୍ଡବିଧି ଆଇନ ପ୍ରଣୟନ କରିବାର ଆବଶ୍ୟକତା ବି ଅଧିକ ପରିମାଣରେ ଅନୁଭୂତ ହେଲାଣି । ଏହି ଦିଗରେ କାର୍ଯ୍ୟକାରୀ ପଦକ୍ଷେପମାନ ନିଆହେଲାଣି । ଏହା ଏକ ନିଶ୍ଚିତ ଅଗ୍ରଗତି ବୋଲି କହିବାକୁ ହେବ ।

ତା ୧୨.୧୦.୧୯୭୬ ରିଖ

Image

 

ଅସ୍ତ୍ରଶସ୍ତ୍ର କମୁ

 

ଆଧୁନିକ ପୃଥିବୀରେ ଅସ୍ତ୍ରଶସ୍ତ୍ରର ପରିମାଣ ଯେତିକି ବଢ଼ିବାରେ ଲାଗିଛି, ଅନ୍ୟ ପକ୍ଷରେ ଅସ୍ତ୍ରଶସ୍ତ୍ରର ପରିମାଣକୁ କମାଇ ଦେବା ଲାଗି ମଧ୍ୟ ଏକ ଆନ୍ଦୋଳନ ସେତିକି ବଢ଼ିବାରେ ଲାଗିଛି । ଅସ୍ତ୍ରଶସ୍ତ୍ରଗୁଡ଼ାକ ଯେତିକି ଅଧିକ ଅଧିକ ଦେଶକୁ ବ୍ୟାପ୍ତ ହୋଇ ଯାଉଛି ଓ ଯେତିକି ଅଧିକସଂଖ୍ୟକ ଦେଶ ଏହି ଅଭିନବ ପ୍ରତୀକବଳଟି ପ୍ରତି ଆପଣାର ଶ୍ରଦ୍ଧା ଦେଖାଉଛନ୍ତି, ପୃଥିବୀକୁ ସକଳ ପ୍ରକାର ପାରମାଣବିକ ଅସ୍ତ୍ରରୁ ମୁକ୍ତ କରି ରଖିବାଲାଗି ଗୋଟିଏ ଆନ୍ଦୋଳନ ମଧ୍ୟ କ୍ରମେ ସେତିକି ଅଧିକ ଶକ୍ତିଶାଳୀ ହେବାରେ ଲାଗିଛି । ଏହି ଆନ୍ଦୋଳନଟିରେ ବାଟରେ ଅନେକ ବାଧା ରହିଛି, ତଥାପି ଏହି ଆନ୍ଦୋଳନଟି ଦିନକୁଦିନ ଅଧିକ ଶକ୍ତିଶାଳୀ ହେବାରେ ଲାଗିଛି । ଏକ ପକ୍ଷରେ ଅସ୍ତ୍ରଶସ୍ତ୍ରଦ୍ୱାରା ପୃଥିବୀର ରାଜନୀତିକୁ ଯେତିକି ଉତ୍ତେଜିତ ଏବଂ ପ୍ରଭାବିତ କରି ରଖିବାକୁ ଚେଷ୍ଟା କରାଯାଉଛି, ଆଉ ଏକ ପକ୍ଷରେ ବିଶ୍ୱ ରାଜନୀତିକ ବିକାଶକୁ ତାହାର ପ୍ରାଦୁର୍ଭାବରୁ ଯଥାସମ୍ଭବ ବାହାରେ ରଖିବାକୁ ମଧ୍ୟ ଚେଷ୍ଟା ହେବାରେ ଲାଗିଛି ।

 

ମିଳିତ ରାଷ୍ଟ୍ରସଂଘର ଉଦ୍ୟମରେ ଓ ମିଳିତ ରାଷ୍ଟ୍ରସଂଘକୁ ଏକ ନିମିତ୍ତରୂପେ ବ୍ୟବହାର କରି ପାରମାଣବିକ ନିରସ୍ତ୍ରୀକରଣକୁ କିପରି ଏକ ବାସ୍ତବ ସତ୍ୟରେ ପରିଣତ କରାଯାଇ ପାରିବ, ତାହାର ଆଲୋଚନା କରିବା ଲାଗି ଗତ ଜୁନମାସରେ ନିଉର୍ୟକ୍‍ଠାରେ ଏକ ସମ୍ମିଳନୀ ବସିଥିଲା । ଏହି କ୍ଷେତ୍ରରେ ଯାବତୀୟ ପ୍ରଚେଷ୍ଟା ମୁଖ୍ୟତଃ କେବଳ କଥା ଭିତରେହିଁ ସୀମାବଦ୍ଧ ହୋଇ ରହିଛି ଏବଂ କାର୍ଯ୍ୟତଃ ସେପରି ଆଦୌ କୌଣସି ଅଗ୍ରଗତି ହେଉନାହିଁ ବୋଲି ସମ୍ମିଳନୀରେ ଯୋଗ ଦେଇଥିବା ଏକାଧିକ ଦେଶ ଏହିଭଳି ଏକ ଅଭିଯୋଗ କରିଥିଲେ । କହିବା ବାହୁଲ୍ୟ ଯେ ପ୍ରଧାନତଃ ତୃତୀୟ ପୃଥିବୀର ଦେଶମାନେହିଁ ଏହି ଅଭିଯୋଗ କରିଥିଲେ । ଯେଉଁମାନଙ୍କ ପାଖରେ ବର୍ତ୍ତମାନ ଅଣୁଶସ୍ତ୍ର ନାହିଁ, ସେହିମାନଙ୍କ ତରଫରୁହିଁ ଏହି ଅଭିଯୋଗଟି କରାଯାଇଥିଲା ।

 

ପରମାଣୁ ଅସ୍ତ୍ର କ୍ଷେତ୍ରରେ ନିରସ୍ତ୍ରୀକରଣର ନାନାବିଧ ପ୍ରଚେଷ୍ଟା କାହିଁକି ସନ୍ତୋଷଜନକ ଭାବରେ ସଫଳ ହୋଇ ପାରୁନାହିଁ, ସେହି ବିଷୟରେ ସାଧାରଣତଃ ଦୁଇଟି ମତ ରହିଛି । ଗୋଟିଏ ମତ ହେଉଛି ଯେ ଆଣବିକ ଅସ୍ତ୍ରବଳର ଅଧିକାରୀ ହୋଇ ରହିଥିବା ବଡ଼ବଡ଼ ରାଷ୍ଟ୍ରମାନେ ଏ ଦିଗରେ ପ୍ରାୟ କୌଣସି ଗମ୍ଭୀର ଉତ୍ସାହ ଦେଖାଉ ନାହାନ୍ତି । ସେମାନେ ବି କଥା କହୁଛନ୍ତି ଓ କଥା ଶୁଣୁଛନ୍ତି, ମାତ୍ର ନିରସ୍ତ୍ରୀକରଣ ଦିଗରେ ନିଜେ କୌଣସି ନିର୍ଦ୍ଦିଷ୍ଟ ପଦକ୍ଷେପ ଗ୍ରହଣ କରିବା ଲାଗି ଆଦୌ ତତ୍ପରତା ଦେଖାଉ ନାହାନ୍ତି । ଦ୍ୱିତୀୟ ମତଟି କହୁଛି ଯେ ଏପର୍ଯ୍ୟନ୍ତ ନିରସ୍ତ୍ରୀକରଣର ଯାବତୀୟ କଥାବାର୍ତ୍ତାରେ ସଂଯୁକ୍ତ ରାଷ୍ଟ୍ରସଂଘକୁ ଯଥେଷ୍ଟ ପରିମାଣରେ ସଂଶ୍ଳିଷ୍ଟ କରାଯାଇ ପାରିନାହିଁ । ନିରସ୍ତ୍ରୀକରଣର ସାମୟିକ ସମ୍ମିଳନୀମାନ ଜାତିସଂଘର ମୂଳଦପ୍ତର ନିଉୟର୍କରେ ନ ବସି ସୁଦୂର ଜେନେଭାଠାରେ ବସୁଛି । ଆଲୋଚନାର ପ୍ରେରକସ୍ଥାନ ହିସାବରେ ଜାତିସଂଘକୁ ଅଧିକ ସ୍ୱୀକୃତି ମିଳିପାରିଲେ, ତଦ୍ଦ୍ୱାରା ଏହି ସମସ୍ୟାଟି ଉପରେ ଆନ୍ତର୍ଜାତିକ ଅଧିକ ଚାପ ପଡ଼ି ପାରନ୍ତା ଓ ଫଳରେ ନିରସ୍ତ୍ରୀକରଣ ଲାଗି ନିଶ୍ଚିତ ଓ କ୍ରମାଗତ ପ୍ରତିବିଧାନମାନ କରାଯାଇ ପାରନ୍ତା ବୋଲି ଏହି ମତ ଅଭିଯୋଗ କଲାପରି କହୁଛି ।

 

ନିରସ୍ତ୍ରୀକରଣ ବିଷୟରେ କଥାବାର୍ତ୍ତା କରିବା ସକାଶେ ବିଶ୍ୱସ୍ତରରେ ଯେଉଁ ଦୁଇଟିଯାକ ସଂସ୍ଥା ରହିଛି, ସେଗୁଡ଼ିକରେ ପ୍ରାୟ କୌଣସି ଫଳ ହାସଲ ହୋଇ ପାରୁନାହିଁ, ଅଥବା ଯାହା ହେଉଛି, ତାହାକୁ ଉଲ୍ଲେଖଯୋଗ୍ୟ ଆଦୌ କିଛି ନୁହେଁ ବୋଲି ମଧ୍ୟ କୁହାଯାଇ ପାରିବ । ସେଗୁଡ଼ିକ କାର୍ଯ୍ୟତଃ ପୃଥିବୀର ବୃହତ୍‌ଶକ୍ତିମାନଙ୍କର ନିମନ୍ତ୍ରଣରେ ରହିଛି । ବିଶ୍ୱରାଜନୀତି ଏବଂ ବିଶ୍ୱଶାନ୍ତିର ସମସ୍ୟାଗୁଡ଼ିକୁ ବୃହତ୍‌ଶକ୍ତିମାନେ ଯେପରି ସର୍ବଦା ନିଜର ନିୟନ୍ତ୍ରଣରେ ରଖିବାକୁହିଁ ସବୁଠାରୁ ଅଧିକ ଉତ୍ସାହଦାୟକ କାର୍ଯ୍ୟକ୍ରମ ବୋଲି ଭାବୁଛନ୍ତି, ନିରସ୍ତ୍ରୀକରଣର ସମସ୍ୟାଟିକୁ ମଧ୍ୟ ସେମାନେ ଆପଣାର ତତ୍ତ୍ୱାବଧାନ ମଧ୍ୟରେ ରଖିବାକୁ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ବୋଲି ବିଚାରିଛନ୍ତି । କାରଣ ଅତି ସ୍ପଷ୍ଟ । ପାରମାଣବିକ ସମେତ ଯେକୌଣସି ନିରସ୍ତ୍ରୀକରଣରେ ଯାହାକିଛି ଘଟିବ, ତଦ୍ଦ୍ୱାରା ପୃଥିବୀର ସ୍ଥିତାବସ୍ଥାରେ ଅନେକ ପରିବର୍ତ୍ତନ ଅବଶ୍ୟମ୍ଭାବୀ ହୋଇ ପଡ଼ିବ ଏବଂ ବୃହତ୍‍ଶକ୍ତିମାନଙ୍କୁ ଏହି ସ୍ଥିତାବସ୍ଥା ଯେତେବେଳେ ସବୁଠାରୁ ଅଧିକ ସୁହାଉଛି, ସେତେବେଳେ ଯାବତୀୟ ପରିବର୍ତ୍ତନ ବିଷୟରେ ସେହିମାନେହିଁ ସବୁଠାରୁ ଅଧିକ ପ୍ରମାଦ ଗଣୁଥିବେ ଏବଂ ତେଣୁ ସେଗୁଡ଼ିକୁ ସବୁବେଳେ ନିଜର ନିୟନ୍ତ୍ରଣ ଓ ତତ୍ତ୍ୱାବଧାନରେ ରଖିବାକୁ ଚେଷ୍ଟା କରୁଥିବେ ।

 

ନିରପେକ୍ଷ ଦେଶଗୁଡ଼ିକ ତରଫରୁ ୧୯୭୭ ମସିହା ଆଡ଼କୁ ଏକ ବିଶ୍ୱ-ନିରସ୍ତ୍ରୀକରଣ ସମ୍ମିଳନୀ ଡକାଇବାକୁ ଆଗ ପ୍ରସ୍ତାବଟିଏ ହୋଇଥିଲା । ମାତ୍ର ଏହି ସମ୍ମିଳନୀରେ ଯଦି ଚୀନ ଓ ଫ୍ରାନ୍‍ସ ପ୍ରଭୃତି ଦେଶମାନେ ଯୋଗ ଦେବାକୁ ନ ଆସିବେ, ତେବେ ଏହି ସମ୍ମିଳନୀଦ୍ୱାରା ବିଶେଷ କୌଣସି ଫଳ ମିଳିବ ନାହିଁ ବୋଲି ଗୋଷ୍ଠୀନିରପେକ୍ଷ ଦେଶଗୁଡ଼ିକର ଲିମା ସମ୍ମିଳନୀରେ ଉପଲବ୍‍ଧ କରାଯାଇଥିଲା । ବର୍ତ୍ତମାନ ସେମାନେ ଜାତିସଂଘର ଏକ ବିଶେଷ ଅଧିବେଶନ ଡାକି ସେଥିରେ ବିଶେଷ ଭାବରେ ଆଣବିକ ନିରସ୍ତ୍ରୀକରଣର ସମସ୍ୟାଟି ବିଷୟରେ ଆଲୋଚନା କରିବା ଉପରେ ବିଶେଷ ଗୁରୁତ୍ୱ ଦେଉଛନ୍ତି । ଏହି ସମ୍ମିଳନୀଟିକୁ ବିଶେଷ ଭାବରେ କାହାରିକୁ ନିମନ୍ତ୍ରଣ କରିବାର ପ୍ରଶ୍ନହିଁ ଉଠିବ ନାହିଁ । କାରଣ ମିଳିତ ଜାତିସଂଘର ସବୁ ସଦସ୍ୟ ଦେଶ ଏଥିରେ ଯୋଗ ଦେଇପାରିବେ । ଚୀନ ଓ ଫ୍ରାନ୍‍ସ ମଧ୍ୟ ଯୋଗଦେବାକୁ ଆସିବେ ।

 

ପାରମାଣିକ ନିରସ୍ତ୍ରୀକରଣର ସମସ୍ୟା ମୂଳତଃ ସମ୍ମିଳନୀ ଡାକିବାର ଏକ ସମସ୍ୟା ଆଦୌ ନୁହେଁ । ଏହା ହେଉଛି ଏକ ବିଶ୍ୱାସର ସମସ୍ୟା । ଯେ ପର୍ଯ୍ୟନ୍ତ ପୃଥିବୀର କେତେକ ରାଷ୍ଟ୍ର ବିଶ୍ୱ-ଗୋଷ୍ଠୀଠାରୁ ଆପଣାକୁ ଅଲଗା ବୋଲି ଭାବି ଅଧିକ ଶସ୍ତ୍ରାସ୍ତ୍ର ବଳରେ ଆପଣାଲାଗି ଅଲଗା ସ୍ଥିତି ମଧ୍ୟ ସମ୍ଭବ ବୋଲି ବିଶ୍ୱାସ କରିବାରେ ଲାଗିଥିବେ, ସେ ପର୍ଯ୍ୟନ୍ତ ସେମାନେ ନିରସ୍ତ୍ରୀକରଣରେ ସମ୍ମିଳନୀରେ କେବଳ ଅସାଧୁତାହିଁ ଦେଖାଇବାରେ ଲାଗିଥିବେ । ଗୋଟିଏ ବୃହତ୍ ରାଷ୍ଟ୍ର ଆଉ ଗୋଟିଏ ବୃହତ୍ ରାଷ୍ଟ୍ରକୁ କେବଳ ଭୟ କରିବାରେ ଲାଗିଥିବ । ଆପଣା ଆପଣା ସ୍ତରରେ ସମସ୍ତେ ଆପଣାର ଦାନ୍ତଗୁଡ଼ାକୁ ପଜାଇବାରେ ଲାଗିଥିବେ । ଦାନ୍ତ ପଜାଇବାର ପ୍ରତିଦ୍ୱନ୍ଦ୍ୱିତା ଲାଗି ରହିଥିବ । ସେହି ପ୍ରତିଦ୍ୱନ୍ଦ୍ୱିତାକୁହିଁ ଆମେ ରାଜନୀତି ବୋଲି କହୁଥିବା । ଅବିଶ୍ୱାସହିଁ ସାମ୍ରାଜ୍ୟ ବିସ୍ତାର କରି ରହିଥିବ । ପୃଥିବୀର ସାନ ସାନ ରାଷ୍ଟ୍ର ଏହି ଅବିଶ୍ୱାସ ଦୂର କରିବାଲାଗି ବିଶ୍ୱସ୍ତରରେ ହୁଏତ ଅନେକ କିଛି କରିପାରନ୍ତେ ।

ତା. ୧୫.୧୦.୧୯୭୬ ରିଖ

Image

 

ଆଫ୍ରିକାର ଆଉ ଏକ ପଟେ

 

ଲୋହିତ ସାଗର ଉପକୂଳରେ ଆଫ୍ରିକାର ଉତ୍ତର ଦାଢ଼ରେ ଆଫାର୍ସ୍ ଏବଂ ଇସାସ୍ ବୋଲି ଯେଉଁ ଦୁଇଟି ଫରାସୀ ଉପନିବେଶ ରହିଛି, ଆଗାମୀ ବର୍ଷ ଆରମ୍ଭରେ କୌଣସି ଏକ ସମୟରେ ଫ୍ରାନ୍‍ସ୍ ତାହାକୁ ଛାଡ଼ିଦେବ ବୋଲି ସରକାରୀ ଭାବରେ ଘୋଷଣା କରିସାରିବା ପରେ ସେହି ଅଞ୍ଚଳରେ ଏବେ ଉତ୍ତେଜନା ପ୍ରବଳ ଭାବରେ ବୃଦ୍ଧି ପାଇବାରେ ଲାଗିଛି । ମନେ ହେଉଛି, ସେହି ଅଞ୍ଚଳଟିକୁ ଆଳକରି ସୋମାଲିଆ ଏବଂ ଏଥିଓପିଆ ମଧ୍ୟରେ ସମ୍ଭବତଃ ଏକ ଖଣ୍ଡଯୁଦ୍ଧ ଲାଗିଯିବ ।

 

ଏଥିଓପିଆ ଏବଂ ସୋମାଲିଆ ଦୁଇଟିଯାକ ରାଜ୍ୟରେ ବର୍ତ୍ତମାନ ସାମରିକ କର୍ତ୍ତାମାନେ ରାଜ୍ୟଶାସନ କରୁଛନ୍ତି । ସାମରିକ ବଳପ୍ରୟୋଗଦ୍ୱାରାହିଁ ସେମାନେ ରାଷ୍ଟ୍ରୀୟ କ୍ଷମତା ଅଧିକାର କରୁଛନ୍ତି ଏବଂ ଏଥିରେ କୌଣସି ସଂଶୟ ନାହିଁ ଯେ ସେମାନେ ସେହି ବଳପ୍ରୟୋଗକୁହିଁ ସବୁଠାରୁ ଅଧିକ ଫଳପ୍ରଦ ରାଜନୀତି ବୋଲି ବିଶ୍ୱାସ କରୁଛନ୍ତି । ରାଜ୍ୟ ରାଜ୍ୟ ଅର୍ଥାତ୍ ରାଷ୍ଟ୍ର ରାଷ୍ଟ୍ର ମଧ୍ୟରେ କୌଣସି ସମାଧାନ ଖୋଜିବାକୁ ବାହାରିବା ବେଳେ ସେମାନଙ୍କର ସତେ ଅବା ସବାଆଗ ବନ୍ଧୁକର ବଳ କଥା ମନେ ପଡ଼ିଯିବା ଏକାନ୍ତ ସ୍ୱାଭାବିକ । ପୁନଶ୍ଚ, ସାମରିକ ବଳପ୍ରୟୋଗଦ୍ୱାରା ପ୍ରତିଷ୍ଠିତ ଯେକୌଣସି ଶାସନ ସାମରିକ ଉତ୍ତେଜନା ଓ ଘୃଣାର ନାନା ଅବସର ସୃଷ୍ଟି କରି ଲୋକମାନଙ୍କର ଧ୍ୟାନକୁ ସାଧାରଣତଃ ସେହିଆଡ଼େହିଁ ଭୁଲାଇ ରଖିବାକୁ ଚେଷ୍ଟା କରିଥାଏ । ଏଥିଓପିଆ ଏବଂ ସୋମାଲିଆ ଉଭୟ ଦେଶରେ ବର୍ତ୍ତମାନ ଏହି କୌଶଳ ପ୍ରୟୋଗର ଏକ ଆବଶ୍ୟକତା ରହିଛି ।

 

ଫ୍ରାନ୍‍ସ ଯେଉଁ ଅଞ୍ଚଳଟିକୁ ଆଗାମୀ ବର୍ଷ ସ୍ୱାଧୀନତା ଦେବ ବୋଲି ଘୋଷଣା କରିଛି, ତାହାକୁ ଅନେକେ ଜିବୁଟି ବୋଲି ମଧ୍ୟ ଜାଣନ୍ତି । ଜିବୁଟି ହେଉଛି ଲୋହିତ ସାଗରର ପ୍ରାନ୍ତରେ ଏକ ମହତ୍ତ୍ୱପୂର୍ଣ୍ଣ ବନ୍ଦର, ବୃହତ୍ତର ପୃଥିବୀକୁ ପ୍ରବେଶ କରିବା ଲାଗି ଏଥିଓପିଆର ଏକମାତ୍ର ଦ୍ୱାର । ସେହି ଅଞ୍ଚଳର ଏକମାତ୍ର ରେଳପଥ ହେଉଛି ଏଥିଓପିଆର ରାଜଧାନୀ ଆଡ଼ିସାବାବାଠାରୁ ଜିବୁଟି ବନ୍ଦର ପର୍ଯ୍ୟନ୍ତ ଯାଇଥିବା ରେଳପଥ । ଏଥିଓପିଆର ମୋଟ ଆମଦାନୀ ଓ ରପ୍ତାନିର ପ୍ରାୟ ଶତକଡ଼ା ଷାଠିଏ ଭାଗ ଏହି ବନ୍ଦର ଦେଇ ସମ୍ଭବ ହୋଇଥାଏ । ତେଣୁ ଜିବୁଟି ବନ୍ଦରର ଭବିଷ୍ୟତ ବିଷୟରେ ଏଥିଓପିଆ ଯେ ଅବଶ୍ୟ ଆଗ୍ରହ ରଖିବ ଓ ଚିନ୍ତା କରିବ, ତାହା ଅତ୍ୟନ୍ତ ସ୍ୱାଭାବିକ । ଉପନିବେଶଟି ସ୍ୱାଧୀନ ହେବା ପରେ ମଧ୍ୟ ବନ୍ଦରଟିକୁ ଏଥିଓପିଆ ଯେପରି ବର୍ତ୍ତମାନ ପରି ବ୍ୟବହାର କରିପାରିବ, ଏଥିଓପିଆ ସେହି ବିଷୟରେ ନିଶ୍ଚିତ ହୋଇ ପାରିବାକୁ ଇଚ୍ଛା କରୁଛି ଏବଂ ସେହି କାରଣରୁହିଁ ଜିବୁଟି ଅଞ୍ଚଳଟି ଏକ ସାର୍ବଭୌମ ରାଜ୍ୟ ହୋଇ ରହିବ ଏବଂ ପଡ଼ୋଶୀ କୌଣସି ରାଜ୍ୟ ତା’ର ସେହି ସ୍ଥିତିରେ କୌଣସି ହସ୍ତକ୍ଷେପ କରିବ ନାହିଁ, ଏଥିଓପିଆ ତାହାହିଁ କରୁଛି । ମାତ୍ର ଜିବୁଟି ଅଞ୍ଚଳର ଆଉ ଗୋଟିଏ ପ୍ରତିବେଶୀ ସୋମାଲିଆ ତାହା ଇଚ୍ଛା କରୁ ନାହିଁ ।

 

ସୋମାଲିଆ ଚାହୁଁଛି ଯେ ଜିବୁଟିର ଅଧିବାସୀମାନେହିଁ ଉପନିବେଶଟିର ଭାଗ୍ୟକୁ ନିର୍ଣ୍ଣୟ କରିବେ । ସେମାନେ ଏକ ସ୍ୱାଧୀନ ରାଜ୍ୟ ହୋଇ ରହିବେ ନା ସୋମାଲିଆ ସହିତ ମିଶିଯିବାକୁ ଇଚ୍ଛା କରିବେ, ଫ୍ରାନ୍‍ସ ଉପନିବେଶଟିକୁ ଛାଡ଼ିଗଲା ପରେ ସେହିମାନେହିଁ ତା’ର ନିଷ୍ପତ୍ତି କରିବେ । ମନେ ରଖିବାକୁ ଯେ ଏହି ଅଞ୍ଚଳର ପୂର୍ବଭାଗରେ ଯେଉଁ ସୋମାଲି ଜାତିର କେତେକ ଲୋକ ବାସ କରୁଛନ୍ତି, ସେହିମାନଙ୍କ ଉପରେ ଭରସା ରଖି ସୋମାଲିଆ ଏପରି କହିବାରେ ଲାଗିଛି । ସୋମାଲିଆ ସରକାରଙ୍କର ଏକ ‘‘ବୃହତ୍ତର ସୋମାଲିଆ’’ର ସ୍ୱପ୍ନ ମଧ୍ୟ ରହିଛି-। ପଶ୍ଚିମପଟୁ ଜିବୁଟି ଅଞ୍ଚଳ ଆସି ମିଶିବ, ପୂର୍ବ ଏଥିଓପିଆର ଏକ ପ୍ରଦେଶ ବି ଆସିବ ଏବଂ କେନିଆର ଉତ୍ତରାଅଞ୍ଚଳରେ ଅବସ୍ଥିତ ଗୋଟିଏ ଜିଲ୍ଲା ମଧ୍ୟ ଆସିବ । ଏହି ସବୁଯାକ ସୋମାଲିଆ ଦେଶ ସହିତ ମିଶି ବୃହତ୍ତର ସୋମାଲିଆ ଗଠନ କରିବ । ଏହିସବୁ ଭିନ୍ନ ଭିନ୍ନ ଅଞ୍ଚଳରେ ସୋମାଲି ଉପଜାତିର ଲୋକମାନେ ବାସ କରୁଛନ୍ତି । ଏମାନଙ୍କୁ ଏକତ୍ର ଗୋଟିଏ ରାଷ୍ଟ୍ରୀୟ ଏକକ ମଧ୍ୟରେ ଆଣି ସମ୍ମିଳିତ କରିବାଲାଗି ସୋମାଲିଆ ସରକାର ଏକ ଜାତୀୟ କର୍ତ୍ତବ୍ୟରୂପେ ଗ୍ରହଣ କରିଛନ୍ତି ଓ ସେଇଥିଲାଗି ପ୍ରସ୍ତୁତିମାନ ବି କରୁଛନ୍ତି ।

 

ଫ୍ରାନ୍‍ସ ଆଫାର୍ସ ଓ ଇସାସ ଅଞ୍ଚଳଟିକୁ ଛାଡ଼ି ଚାଲିଯିବା ମାତ୍ରକେ ସେହି ଅଞ୍ଚଳରେ ଏଥିଓପିଆ ଏବଂ ସୋମାଲିଆ ଦୁହେଁ ଆପଣା ଆପଣାର ଇଚ୍ଛା ପୂରଣ ଲାଗି ଯେପରି ସକ୍ରିୟ ଭାବରେ ଅଗ୍ରସର ହୋଇ ଆସିପାରିବେ, ସେଥିଲାଗି ଆବଶ୍ୟକ ସାମରିକ ପ୍ରସ୍ତୁତିମାନ ଆରମ୍ଭ ହୋଇଗଲାଣି । ଏଥିରେ ସେମାନେ ପୃଥିବୀର ବୃହତ୍ ଶକ୍ତିମାନଙ୍କର ବି ସାହାଯ୍ୟ ନେଇଛନ୍ତି । ରୁଷିଆର ସାହାଯ୍ୟରେ ସୋମାଲିଆ ଆପଣାର ସୈନ୍ୟବାହିନୀକୁ ଏକ ଆଧୁନିକ ଆକ୍ରମଣ- ବାହିନୀରେ ପରିଣତ କରି ରଖିଛି । ତେଣୁ ଏଥିଓପିଆ ମଧ୍ୟ ଯୁକ୍ତରାଜ୍ୟ ଆମେରିକା ଠାରୁ ୧୪୪ କୋଟି ଟଙ୍କାର ଦୁର୍ଲଭ ସାମରିକ ସରଞ୍ଜାମମାନ ପାଇବ ବୋଲି ଚୁକ୍ତି ସ୍ୱାକ୍ଷରିତ ହୋଇ ସାରିଲାଣି-। ଅର୍ଥାତ୍ ଆଫ୍ରିକାର ଏ ପଟେ କୌଣସି ସ୍ଥାନୀୟ ସଂଘର୍ଷ ଲାଗିଲେ ସେଥିରେ ବୃହତ୍ ଶକ୍ତିମାନେ ଯେ ଆସି ଜଡ଼ିତ ହୋଇ ପଡ଼ିବେ, ସେପରି ଆଶଙ୍କା କରିବାର ଯଥେଷ୍ଟ କାରଣ ରହିଛି-। ଏହି ସଂଘର୍ଷର ପୂର୍ବାଭାସ ସ୍ୱରୂପ ଏଥିଓପିଆର ପୂର୍ବପଟେ ସୋମାଲିଆ ତରଫରୁ ଅତ୍ୟନ୍ତ ସୁଯୋଜିତ ଭାବରେ ସନ୍ତ୍ରାସବାଦୀ କେତେକ କାର୍ଯ୍ୟକଳାପ ଆରମ୍ଭ ହୋଇ ସାରିଲାଣି ।

 

ସୋମାଲିଆ ଓ ଏଥିଓପିଆ ଉଭୟେ ଆଫ୍ରିକା ମହାଦେଶର ଦେଶ । ଆଫ୍ରିକୀୟ ଐକ୍ୟ ସଙ୍ଗଠନଟି ମଧ୍ୟରେ ଏମାନେ ଗୋଟିଏ ଗୋଟିଏ ସଦସ୍ୟ ଦେଶ । ଏବେ ମରିସସ୍‌ରେ ହୋଇଥିବା ଏହି ସଙ୍ଗଠନର ବୈଠକରେ ସମସ୍ୟାଟି ବିଷୟରେ କଥା ପଡ଼ିଥିଲା ସତ, ମାତ୍ର ସଦସ୍ୟମାନେ କୌଣସି ମୀମାଂସାକୁ ଆସିପାରିନଥିଲେ । ବୃହତ୍‌ଶକ୍ତିମାନଙ୍କର କଣ୍ଟାକୁ ଗିଳିଥିବା ଦେଶମାନେ ଆପଣା ବିଷୟରେ କିପରି ବା କ’ଣ ମୀମାଂସା କରିପାରିବେ ?

ତା ୧୬.୧୦.୧୯୭୬ ରିଖ

Image

 

ଇସ୍ରାଏଲ୍‍ର ଆରବ ପ୍ରଜା

 

ବିଭିନ୍ନ ରାଷ୍ଟ୍ରର ବିଭିନ୍ନ ସମସ୍ୟା । ଗୋଟିଏ ରାଷ୍ଟ୍ର ହିସାବରେ ଇସ୍ରାଏଲ୍‌ର ସମ୍ଭବତଃ ସବୁଠାରୁ ବଡ଼ ସମସ୍ୟା ହେଉଛି ସେହି ଦେଶରେ ବାସକରୁଥିବା ଆରବ ପ୍ରଜାମାନଙ୍କର ସମସ୍ୟା । ଆରବ ରାଷ୍ଟ୍ରମାନଙ୍କର ଘେର ଭିତରେ ପଡ଼ି ନିଜକୁ ବଞ୍ଚାଇ ରଖିବା ଦିନେ ଇସ୍ରାଏଲର ସର୍ବମୁଖ୍ୟ ସମସ୍ୟା ହୋଇ ରହିଥିଲା । ଏହା ଭିତରେ ଦୁଇଟା ଯୁଦ୍ଧରେ ଇସ୍ରାଏଲକୁ ତା’ର ପଡ଼ୋଶୀମାନଙ୍କୁ ମୁକାବିଲା କରିବାରେ ଯେଉଁ ସଫଳତା ମିଳିଲା ଓ ଆପଣାର ଆଧୁନିକ ଅସ୍ତ୍ରବଳକୁ ବଢ଼ାଇବାରେ ଯୁକ୍ତରାଜ୍ୟ ଆମେରିକା ତରଫରୁ ତାକୁ ଯେଉଁ ସହାୟତା ନିୟମିତ ଭାବରେ ମିଳିଆସିଛି, ସମ୍ଭବତଃ ସେହି ଦୁଇଟି କାରଣରୁ ଇସ୍ରାଏଲ ସେଇଟାକୁ ଆଉ ନିଜର ପ୍ରଧାନ ସମସ୍ୟା ବୋଲି ଭାବୁନାହିଁ । ଆରବ ଦେଶଗୁଡ଼ିକ ଭିତରେ ଲାଗି ରହିଥିବା ଗୃହଶତ୍ରୁତା ଗୁଡ଼ାକ ମଧ୍ୟ ତାକୁ ଅପେକ୍ଷାକୃତ ଅଧିକ ନିଶ୍ଚିନ୍ତ ହୋଇ ରହିବାକୁ ଉତ୍ସାହ ଦେଉଛି । ମାତ୍ର ଇସ୍ରାଏଲ ଦେଶରେ ବାସକରୁଥିବା ଆରବ ପ୍ରଜାମାନେ କ୍ରମଶଃ ଇସ୍ରାଏଲ ଲାଗି ସତେଅବା ଆଉଗୋଟାଏ ଗମ୍ଭୀର ସମସ୍ୟା ସୃଷ୍ଟି କରି ଆଣୁଥିବା ପରି ମନେହେଉଛି ।

 

ଏହି ସମସ୍ୟାଟି ହେଉଛି ଆରବ ପ୍ରଜାମାନଙ୍କର କ୍ଷିପ୍ର ଲୋକସଂଖ୍ୟା ବୃଦ୍ଧିର ସମସ୍ୟା । ଇସ୍ରାଏଲରେ ଆରବ ପ୍ରଜାମାନଙ୍କର ସଂଖ୍ୟା ଅତ୍ୟନ୍ତ ପ୍ରଖର ଭାବରେ ବଢ଼ିବାରେ ଲାଗିଛି । ଇସ୍ରାଏଲର ଆରବ ଅଞ୍ଚଳରେ ଏପରି ଗୋଟିଏ ଗୋଟିଏ ସ୍ଥାନ ରହିଛି ଯେଉଁଠାରେ କି ପୃଥିବୀର ଯେକୌଣସି ସ୍ଥାନ ତୁଳନାରେ ଅଧିକ ପ୍ରଖର ଭାବରେ ଲୋକସଂଖ୍ୟା ବୃଦ୍ଧି ହେଉଛି । ଏହିସବୁ ସ୍ଥାନରେ ବାର୍ଷିକ ଶତକଡ଼ା ଚାରିଜଣ କରି ଜନସଂଖ୍ୟା ବଢ଼ିବାରେ ଲାଗିଛି । ସମସ୍ତ ଇସ୍ରାଏଲର ଆରବମାନଙ୍କୁ ଗୋଟିଏ ଏକକ ହିସାବରେ ଧରିଲେ ସେମାନେ ଶତକଡ଼ା ବର୍ଷକୁ ୩.୫ ହାରରେ ଅଧିକ ହେବାରେ ଲାଗିଛନ୍ତି । ଇସ୍ରାଏଲରେ ଥିବା ଇହୁଦୀମାନେ, ଇସ୍ରାଏଲରେ ପ୍ରତିଷ୍ଠିତ ସରକାରଙ୍କ ତରଫରୁ ଯେଉଁମାନଙ୍କୁ ଇସ୍ରାଏଲର ଅସଲ ପିଣ୍ଡ ବୋଲି କୁହାଯାଉଛି, ବର୍ଷକୁ ଶତକଡ଼ା ଦୁଇଜଣ ହାରରେ ବଢ଼ୁଛନ୍ତି ଏବଂ ଇସ୍ରାଏଲ ସରକାର ଇସ୍ରାଏଲ ରାଜ୍ୟସୀମା ମଧ୍ୟରେ ବାସକରୁଥିବା ପାଞ୍ଚଲକ୍ଷରୁ କିଞ୍ଚିତ୍ ଅଧିକ ଆରବମାନଙ୍କର ଏହି କ୍ଷିପ୍ର ସଂଖ୍ୟାବୃଦ୍ଧିର ସମସ୍ୟାଟିକୁହିଁ କ୍ରମେ ପ୍ରାୟ ଏକ ବିସ୍ଫୋଟନର ସମସ୍ୟାରୂପେ ଦେଖିବାକୁ ଆରମ୍ଭ କଲେଣି, ସେଥିରୁ ପ୍ରମାଦ ଗଣିଲେଣି । ଏହି ସମସ୍ୟା ଯେ ଅତିଶୀଘ୍ର ଏକ ରାଜନୀତିକ ସମସ୍ୟାରେ ପରିଣତ ହେବ, ତାହାର ସୂଚନା ବର୍ତ୍ତମାନ ମଧ୍ୟ ମିଲିଲାଣି । ଏଥିରୁ ନୂଆ ଅସନ୍ତୋଷମାନ ବି ଜନ୍ମଲାଭ କଲାଣି ।

 

ଇସ୍ରାଏଲରେ ଆରବ ପ୍ରଜାଙ୍କ ସଂଖ୍ୟା ବର୍ତ୍ତମାନ ଶତକଡ଼ା ୧୫ ଜଣ । ଗଣନା ସମୀକ୍ଷକମାନେ ହିସାବ କରିକହୁଛନ୍ତି ଯେ ୧୯୭୮ ବେଳକୁ ଏହି ସଂଖ୍ୟା ବୃଦ୍ଧିପାଇ ଷୋହଳ ହେବ: ୧୯୮୮ ବେଳକୁ ପ୍ରାୟ ଉଣେଇଶି ହୋଇଯିବ ଓ ତା’ର ଆଉ ପାଞ୍ଚବର୍ଷ ପରେ ୨୦.୫ ହେବାକୁ ବସିବ । ସ୍ମରଣ ରଖିଥିବା ଉଚିତ ଯେ ଅନ୍ୟପକ୍ଷରେ ଇହୁଦୀମାନଙ୍କ ମଧ୍ୟରେ ଯେଉଁ ସଂଖ୍ୟାବୃଦ୍ଧି ଘଟୁଛି, ତାହା କେବଳ ପ୍ରାକୃତିକ ବୃଦ୍ଧି ଫଳରେ କଦାପି ଘଟୁନାହିଁ । ଇସ୍ରାଏଲର ଲିଖିତ ସମ୍ବିଧାନ ଅନୁସାରେ ଇସ୍ରାଏଲକୁ ଇହୁଦୀମାନଙ୍କରହିଁ ଏକ ଦେଶ ବୋଲି ସ୍ୱୀକାର କରାଯାଇଛି । ଅର୍ଥାତ୍ ଇହୁଦୀମାନଙ୍କୁହିଁ ସର୍ବପ୍ରଥମେ ଦେଶର ନାଗରିକରୂପେ ସ୍ୱୀକୃତି ଦିଆଯାଇଛି ।

 

ଇସ୍ରାଏଲ ବାହାରେ ପୃଥିବୀର ଆଉ ସବୁ ଦେଶରେ ବାସ କରୁଥିବା ଇହୁଦୀମାନଙ୍କୁ ବାର୍ଷିକ ପ୍ରାୟ ୨୫୦୦୦ କରି ଇସ୍ରାଏଲ ଭିତରକୁ ଅଣାଯାଉଛି ଓ ନ୍ୟାୟତଃ ସେହିମାନଙ୍କୁ ଅସଲ ନାଗରିକତ୍ୱର ଅଧିକାର ଦିଆଯାଉଛି । ଇସ୍ରାଏଲ ଦେଶ ସୃଷ୍ଟି ହେବାର ଶହ ଶହ ବର୍ଷ ପୂର୍ବରୁ ସେହି ଭୂମିରେ ବାସ କରି ଆସୁଥିବା ଆରବମାନଙ୍କୁ ବର୍ତ୍ତମାନ ଦ୍ୱିତୀୟ ଶ୍ରେଣୀର ନାଗରିକ କରି ରଖାଯାଇଛି, ସେମାନଙ୍କୁ ସତେଅବା ବହିଃଶତ୍ରୁର ପକ୍ଷଲୋକ ବୋଲି ସନ୍ଦେହ କରାଯାଉଛି । ବାହାରୁ ଆସୁଥିବା ଇହୁଦୀମାନଙ୍କ ଲାଗି ସ୍ଥାନ ଓ ସଂସ୍ଥାନ ଯୋଗାଇ ଦେବା ଲାଗି ଇସ୍ରାଏଲ ସରକାରଙ୍କୁ ପ୍ରତିବର୍ଷ ଅଧିକରୁ ଅଧିକ ଜମି ସଂଗ୍ରହ କରିବାକୁ ପଡ଼ୁଛି ଏବଂ ମୁଖ୍ୟତଃ ଆରବ ପ୍ରଜାମାନଙ୍କଠାରୁ ଏହି ଜମି ସଂଗ୍ରହ ହେଉଛି । ଅଧିକାଂଶ ସ୍ଥଳରେ ସରକାରୀ ଆଇନ ଫଳରେ ଏହି ଜମିକୁ ଦଖଲ କରି ନିଆଯାଇଛି । କେତେକ ଜାଗାରେ କ୍ଷତିପୂରଣ ଦିଆଯାଉଛି, କେତେକ କ୍ଷେତ୍ରରେ ହୁଏତ କ୍ରୟ କରାଯାଉଛି । ମାତ୍ର ପ୍ରତ୍ୟେକ କ୍ଷେତ୍ରରେ ଯେ ଏକ ପ୍ରତ୍ୟକ୍ଷ ଅଥବା ପରୋକ୍ଷ ବାଧ୍ୟବାଧକତା ଅବଶ୍ୟ କାର୍ଯ୍ୟକାରୀ ହେଉଛି, ଏଥିରେ କୌଣସି ସନ୍ଦେହ ନାହିଁ । ଆରବମାନଙ୍କ ହାତରୁ ଜମିଗୁଡ଼ାକ ଚାଲିଯିବାରେ ଲାଗିଛି । ଇସ୍ରାଏଲରେ ବାସ କରୁଥିବା ପ୍ରାୟ ସବୁ ଆରବ ପ୍ରଜା ହେଉଛନ୍ତି ଚାଷୀ । ତେଣୁ ଇହୁଦୀ ସରକାରଙ୍କର ଜମି ନେଇଯିବା ନୀତି ବିରୁଦ୍ଧରେ ପ୍ରତିବାଦ କୁହୁଳୁଛି, ବେଳେ ବେଳେ ତାହା ପ୍ରତିରୋଧରୂପେ ମଧ୍ୟ ପ୍ରକାଶ ପାଇ ଯାଉଛି-। ଏହିବର୍ଷ ମାର୍ଚ୍ଚ ତିରିଶି ତାରିଖରେ ଆରବ ଚାଷୀମାନେ ସରକାରୀ ଭୂମି ଉଚ୍ଛେଦ ବିରୁଦ୍ଧରେ ଯେଉଁ ଧର୍ମଘଟର ଡାକରା ଦେଇଥିଲେ, ସେଥିରେ କେତେକ ହିଂସାତ୍ମକ ସଂଘର୍ଷ ମଧ୍ୟ ଉପୁଜିଥିଲା-। ସେହି ଦଙ୍ଗା ଓ ଉପଦ୍ରବରେ ପୂର୍ବର ଯେକୌଣସି ତତ୍ତୁଲ୍ୟ ଘଟଣା ତୁଳନାରେ ଅଧିକ ଆରବ ଭାଗ ନେଇଥିଲେ । ଇସ୍ରାଏଲ ସରକାର ଏଥିରେ ବିଚଳିତ ହେବାକୁ ଆରମ୍ଭ କଲେଣି । ଆରବ ପ୍ରଜାଙ୍କର ସଂଖ୍ୟାବୃଦ୍ଧିକୁ ଭବିଷ୍ୟତର ଏକ ବଡ଼ ବିପଦରୂପେ ଦେଖିଲେଣି ।

 

ହିସାବକାରୀମାନେ କହୁଛନ୍ତି ଯେ ସରକାରଙ୍କ ତରଫରୁ ବାହାରୁ ଯେତେ ଇହୁଦୀଙ୍କୁ ଇସ୍ରାଏଲକୁ ଅଣାଗଲେ ମଧ୍ୟ ତଥାପି ଆରବ ସଂଖ୍ୟାବୃଦ୍ଧିକୁ ତାହା କଦାପି ଟପିଯାଇ ପାରିବନାହିଁ । ଆରବମାନଙ୍କର ସଂଖ୍ୟା ବଢ଼ୁଥିବା ସଙ୍ଗେ ସଙ୍ଗେ ଅନୁଷ୍ଠିତ ପ୍ରତିବାଦ ଓ ପ୍ରଦର୍ଶନର ଆଶଙ୍କା ମଧ୍ୟ ସେତିକି ଅଧିକ ମୂର୍ତ୍ତ ରୂପ ଧାରଣ କରୁଥିବ । ଇସ୍ରାଏଲର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ରବିନ ମଧ୍ୟ ଏବେ ଆରବ ଗ୍ରାମସଭା ଗୁଡ଼ିକର ମୁଖ୍ୟମାନଙ୍କୁ ଏକ ସାକ୍ଷାତ୍‍କାରରେ ଯାହାସବୁ କହିଛନ୍ତି, ସେଥିରୁ ସିଏ ସମସ୍ୟାଟି ବିଷୟରେ ସଚେତନ ହେଲେଣି ବୋଲି ସ୍ପଷ୍ଟ ଧରା ପଡ଼ି ଯାଉଛି । ଇସ୍ରାଏଲର ଆରବମାନଙ୍କୁ ଅଧିକ ସୁବିଧା ଓ ଅଧିକ ପ୍ରତିନିଧିତ୍ୱ ଦିଆଯିବ ବୋଲି ସେ ପ୍ରତିଶୃତି ଦେଇଛନ୍ତି । ଆରବମାନଙ୍କର ସମସ୍ୟା ପ୍ରତି ବିଶେଷ ଦୃଷ୍ଟି ଦିଆଯିବାକୁ କ୍ୟାବିନେଟ୍ ସ୍ତରରେ ଗୋଟିଏ କମିଟି ଗଢ଼ାଯିବ ଓ ଇହୁଦୀ ତଥା ଆରବମାନଙ୍କୁ ଏକାଠି ନେଇ ଏକ ପରାମର୍ଶଦାତା ସମିତି ବି ରହିବ ବୋଲି ସେ କହିଛନ୍ତି । କିନ୍ତୁ ଆରବମାନଙ୍କର ଜମିକୁ ଦଖଲ କରି ନିଆଯିବାର ସରକାରୀ ନୀତି ବିଷୟରେ ସିଏ ଆଦୌ କିଛି କରିନାହାନ୍ତି । ଅସଲ ଘାଆ ଗୁଡ଼ାକୁ ଭଲ କରାଇବା ବିଷୟରେ କିଛି କହିନାହାନ୍ତି ।

ତା. ୧୮.୧୦.୧୯୭୬ ରିଖ

Image

 

ଭୂମିପୁତ୍ର ଓ ନାଗରିକ

 

ମାଲୟେସିଆରେ ମୁଖ୍ୟତଃ ଦୁଇ ଜାତିର ଲୋକ ବାସ କରନ୍ତି । ସେମାନେ ହେଉଛନ୍ତି ମାଲୟଜାତିର ଲୋକ ଓ ଚୀନାଜାତିର ଲୋକ । ମାଲୟମାନେ କହନ୍ତି ଯେ ସେହିମାନେହିଁ ଆବହମାନ କାଳରୁ ଅର୍ଥାତ୍ ମୂଳରୁ ସେହି ଭୂମିରେ ବାସ କରି ଆସିଛନ୍ତି । ଅନ୍ୟ ପକ୍ଷରେ ଚୀନାମାନେ ବାହାରୁ ଆସିଛନ୍ତି, ସେମାନେ ଚୀନ୍‍ରୁ ଆସିଛନ୍ତି । ସେମାନେ ବେପାରୀ ହୋଇ ଆସିଛନ୍ତି, ବ୍ୟବସାୟୀ ହୋଇ ଆସିଛନ୍ତି । କାଳକ୍ରମେ ଏହି ମାଳୟ ଦେଶର ବାସିନ୍ଦା ହୋଇ ରହିଛନ୍ତି ସତ, ତଥାପି ସତେ ଅବା ଅନ୍ୟଦେଶୀ ହୋଇ ରହିଛନ୍ତି । ମାଲୟମାନେ ମାଲୟେସିଆରେ ଆପଣାକୁ ଭୂମିପୁତ୍ର ବୋଲି କହନ୍ତି । ସେମାନେ ଭୂମିପୁତ୍ର, ଚୀନାମାନେ ଭୂମିପୁତ୍ର ନୁହନ୍ତି । ରାଷ୍ଟ୍ରର ଆଖିରେ ମାଲୟମାନେ ଯେପରି ନାଗରିକ, ଚୀନାମାନେ ମଧ୍ୟ ସେଠି ସେହିପରି ନାଗରିକ । ମାତ୍ର ଚୀନାମାନେ କେବଳ ନାଗରିକ, ମାଲୟମାନେ ଉଭୟ ନାଗରିକ ଏବଂ ଭୂମିପୁତ୍ର ।

 

ମାଲୟେସିଆର ସରକାର ମଧ୍ୟ ମାଲୟମାନଙ୍କୁ ଭୂମିପୁତ୍ର ବୋଲି ସ୍ୱୀକାର କରେ । ସେଠାରେ ମାଲୟମାନଙ୍କ ଲାଗି ଭୂମିପୁତ୍ର ନୀତି ବୋଲି ଏକ ସ୍ୱତନ୍ତ୍ର ସରକାରୀ ନୀତି କାର୍ଯ୍ୟକାରୀ ହୋଇ ଆସିଛି । ସଂଖ୍ୟାଦୃଷ୍ଟିରୁ ଦେଖିଲେ ଦେଶର ସର୍ବମୋଟ ୧୨୦ ଲକ୍ଷ ଜନସଂଖ୍ୟାର ଶତକଡ଼ା ୫୩ଭାଗ ହେଉଛନ୍ତି ମାଲୟ ଏବଂ ୩୫ ଭାଗ ହେଉଛନ୍ତି ଚୀନାଜାତି । ବାକୀ ଯେଉଁମାନେ ରହିଲେ, ସେମାନେ ଭାରତୀୟ । ମାଲୟମାନେ ପ୍ରଧାନତଃ ଚାଷୀ । ସେମାନଙ୍କ ମଧ୍ୟରୁ ଅଧିକାଂଶ ଅପେକ୍ଷାକୃତ ଅଧିକ ଗରିବ । ଚୀନାମାନେ ବ୍ୟବସାୟୀ, ଅପେକ୍ଷାକୃତ ଅଧିକ ଭଲ ଅବସ୍ଥାର । ସ୍ୱାଧୀନ ମାଲୟେସିଆ ସରକାର ନିଜର ଭୂମିପୁତ୍ର ନୀତିର ପ୍ରଣୟନ କରି ମାଲୟମାନଙ୍କର ଅବସ୍ଥାରେ ଯଥାସମ୍ଭବ ସତ୍ୱର ଭାବରେ ଏକ ଉନ୍ନତିବିଧାନ କରିବାର ପ୍ରୟାସ କରୁଛି । ମାଲୟମାନେ ପ୍ରାୟ ପାରମ୍ପରିକ ଭାବରେ ପଛୁଆ ହୋଇ ରହିଛନ୍ତି । ସରକାରୀ ଭୂମିପୁତ୍ର ନୀତି ଫଳରେ ସେମାନଙ୍କର ପ୍ରତ୍ୟାଶାମାନ ଅତ୍ୟନ୍ତ ସ୍ୱାଭାବିକ ଭାବରେ ଏବେ ବୃଦ୍ଧି ପାଇବାକୁ ଆରମ୍ଭ କରିଛି ଓ ଦେଶର ଭବିଷ୍ୟତ ଯେ କ୍ରମେ ସେହିମାନଙ୍କ ହାତକୁ ଆସୁଛି, ଏହି ବିଶ୍ୱାସଟି ସେମାନଙ୍କୁ ବେଳେ ବେଳେ ବେଶ୍ ଉତ୍ତେଜିତ ବି କରି ପକାଉଛି । ଦେଶର ଅର୍ଥନୀତି ସମଗ୍ରତଃ ଚୀନାମାନଙ୍କ ହାତରେ ରହିଛି । ଅର୍ଥକାରବାର ଗୁଡ଼ାକ ସେହିମାନଙ୍କ ନିୟନ୍ତ୍ରଣରେ ଅଛି । ମାଲୟ କୃଷକମାନଙ୍କ ଲାଗି ସେହିମାନେହିଁ ଅର୍ଥଋଣ ଦେବାର ସର୍ବପ୍ରଧାନ ଗୋଷ୍ଠୀ ହୋଇ ରହିଛନ୍ତି ଓ ସେମାନଙ୍କଠାରୁ ଶତକଡ଼ା ୮୦ ଭାଗ ସୁଧ ଆଦାୟ କରୁଛନ୍ତି । ସରକାରଙ୍କର ନୂଆ ନୀତି ଫଳରେ ସେମାନେ କ୍ରମେ ଅନିଶ୍ଚିତତା ଗଣିଲେଣି ।

 

ଏହି ଦୁଇ ଗୋଷ୍ଠୀର ଜାତି ଅଲଗା, ଧର୍ମ ଅଲଗା, ଭାଷା ଅଲଗା, ସାଂସ୍କୃତିକ ଭୂମିଗୁଡ଼ାକ ମଧ୍ୟ ଅଲଗା । ମାଲୟେସିଆ ସରକାରଙ୍କର ଭୂମିପୁତ୍ର ନୀତି ଫଳରେ ଏହି ପାର୍ଥକ୍ୟଗୁଡ଼ାକ ଅନେକ ସମୟରେ ଏକ ଗୋଷ୍ଠୀଗତ ବିଦ୍ୱେଷରେ ମଧ୍ୟ ପରିଣତ ହେବାର ପ୍ରବୃତ୍ତି ଦେଖାଉଛି । କହିବା ବାହୁଲ୍ୟ ଯେ, ମାଲୟେସିଆ ସ୍ୱାଧୀନତା ଲାଭ କରିବାର ଗତ କୋଡ଼ିଏ ବର୍ଷ ତମାମ ଏହି ପ୍ରବୃତ୍ତି ଉତ୍ତେଜିତ ଆକାର ଧାରଣ କରି ଏକ ସାଂପ୍ରଦାୟିକ ବିଦ୍ୱେଷ ଓ ଶତ୍ରୁତାରୂପେ ମଧ୍ୟ ଦେଖାଦେଇଛି । ୧୯୬୯ ମସିହାରେ ସେହି ଶତ୍ରୁତା ପ୍ରାୟ ଏକ ଦଙ୍ଗା ହୋଇ କୁହୁଳି ଉଠିଥିଲା ଓ ଏବେ ମଧ୍ୟ ନାନା ଅସନ୍ତୋଷ ଓ ଦ୍ୱନ୍ଦ୍ୱବିରୋଧର କାରଣ ହୋଇ ରହିଛି । ଏହି ବିଦ୍ୱେଷ ଦକ୍ଷିଣ ପଟେ ସିଙ୍ଗାପୁରକୁ ମଧ୍ୟ ବ୍ୟାପିଯିବାର ସଂପୂର୍ଣ୍ଣ ଆଶଙ୍କା ରହିଛି । ସିଙ୍ଗାପୁରରେ ଚୀନାମାନଙ୍କର ସଂଖ୍ୟାଗରିଷ୍ଠତା ରହିଛି, ତଥାପି ସେଠାରେ ମାଲୟମାନେ ଏକ ସଂଖ୍ୟାଲଘୁ ଗୋଷ୍ଠୀ ହୋଇ ବାସ କରୁଛନ୍ତି । ମାଲୟେସିଆର ବିଦ୍ୱେଷ କୌଣସି ପ୍ରକାରେ ସକ୍ରିୟ ହୋଇ ଉଠିଲେ ପଡ଼ୋଶୀ ରାଜ୍ୟ ସିଙ୍ଗାପୁରରେ ମଧ୍ୟ ଯେ ତାହାର ପ୍ରତିକ୍ରିୟା ଘଟିବ, ସେହିକଥା ଆଶଙ୍କା କରିବାର ଏକାଧିକ କାରଣ ରହିଛି । ମାଲୟ ଉପଦ୍ୱୀପ ବୋଲି କୁହାଯାଉଥିବା ପୂର୍ବତନ ବ୍ରିଟିଶ ଉପନିବେଶଟି ଯେ ଆଦୌ ସିଙ୍ଗାପୁର ଓ ମାଲୟେସିୟା ବୋଲି ଦୁଇଟି ରାଜ୍ୟରେ ବିଭକ୍ତ ହୋଇଗଲା, ସେଥିରେ ଜାତିଗତ ଦୂରତା ଓ ସନ୍ଦେହଗୁଡ଼ାକହିଁ ନିଶ୍ଚୟ ସବୁଠାରୁ ଅଧିକ ଶକ୍ତିଶାଳୀ କାରଣରୂପେ କାର୍ଯ୍ୟ କରିଥିଲା ।

 

ସମ୍ପ୍ରତି ରାଷ୍ଟ୍ରୀୟ ବିକାଶ ଯୋଜନାର ବ୍ୟାଖ୍ୟା କରିବାକୁ ଯାଇ ମାଲୟେସିଆର ପ୍ରଧାନମନ୍ତ୍ରୀ ଘୋଷଣା କରି କହିଛନ୍ତି ଯେ, ଏହା ଦେଶର ଗ୍ରାମବାସୀ ଦରିଦ୍ରମାନଙ୍କର ଅବସ୍ଥାରେ ଉନ୍ନତି ଲାଗିହିଁ ଉଦ୍ଦିଷ୍ଟ ହୋଇ ରହିବ । ଗ୍ରାମବାସୀ ଦରିଦ୍ର କହିଲେ ବାସ୍ତବ କ୍ଷେତ୍ରରେ ମାଲୟମାନଙ୍କୁହିଁ ବୁଝାଉଛି ସତ, ମାତ୍ର ପ୍ରଧାନମନ୍ତ୍ରୀ ଭୂମିପୁତ୍ର ଶବ୍ଦଟିର ବ୍ୟବହାର କରିନାହାନ୍ତି । ଏହା ବଡ଼ ଆଶାର କଥା । କିନ୍ତୁ ବିକାଶଶୀଳ ପ୍ରାୟ ସବୁ ଦେଶରେ ଯାହା ହୋଇଛି, ମାଲୟେସିଆରେ ମଧ୍ୟ ତାହାହିଁ ହୋଇଛି । ଜାତୀୟ ଯୋଜନାମାନ ମୂଳତଃ ଯେଉଁମାନଙ୍କ ଲାଗି ହେଉଛି, ସେମାନେ ସେଗୁଡ଼ିକଦ୍ୱାରା ପ୍ରକୃତରେ ଉପକୃତ ହେଉନାହାନ୍ତି । ଭୂମିପୁତ୍ର ନୀତିଦ୍ୱାରା ଯେ ମାଲୟମାନେ ଲାଭବାନ୍ ହୋଇଛନ୍ତି, ସେକଥା ମଧ୍ୟ ନୁହେଁ ।

 

ପ୍ରଧାନତଃ ଅବସ୍ଥାପନ୍ନ ମାଲୟମାନେହିଁ ଉପକୃତ ହୋଇଛନ୍ତି । ଅବସ୍ଥାପନ୍ନମାନଙ୍କର ଅବସ୍ଥା ଆହୁରି ଅବସ୍ଥାପନ୍ନ ହୋଇଛି, ଦୁଃସ୍ଥମାନେ ଆହୁରି ଦୁଃସ୍ଥ ହୋଇ ରହିବା ଲାଗି ବାଧ୍ୟ ହୋଇଛନ୍ତି । ଭୂମିପୁତ୍ରମାନଙ୍କ ମଧ୍ୟରେ ଉଚ୍ଚ ଓ ନିମ୍ନଶ୍ରେଣୀର ସୃଷ୍ଟି ହୋଇଛି । ମାଲୟେସିଆର ଭବିଷ୍ୟତ ବିଷୟରେ ଚିନ୍ତା କରୁଥିବା ସମ୍ପୃକ୍ତ ସମସ୍ତଙ୍କୁ ଏଇଟି ବିଷୟରେ ଚିନ୍ତା କରିବାକୁ ପଡ଼ିବ । ତେଣୁ ସମସ୍ୟାଟି ଚୀନା ବନାମ ମାଲୟମାନଙ୍କର ସମସ୍ୟା ନୁହେଁ, ଏହା ମୂଳତଃ ଏକ ଦେଶର ନାଗରିକମାନଙ୍କର ସମସ୍ୟା, ଏହା ଏକ ମାନବିକ ସମସ୍ୟା ।

ତା.୨୦.୧୦.୧୯୭୬ ରିଖ

Image

 

ଶିକ୍ଷାରେ ପୁନର୍ବିନ୍ୟାସ

 

ଏବେ ଅନେକ ନେତୃତ୍ୱସ୍ଥାନୀୟ ବ୍ୟକ୍ତି ବିଭିନ୍ନ ସ୍ଥାନରେ ଏକ ଭାଷଣ ପ୍ରସଙ୍ଗରେ ଶିକ୍ଷାରେ ଏକ ପୁନର୍ବିନ୍ୟାସର ଆବଶ୍ୟକତା ବିଷୟରେ କେତେକ କଥା କହୁଛନ୍ତି । ଶିକ୍ଷାର ଯେ ଏକ ପୁନର୍ବିନ୍ୟାସ ଏକାନ୍ତ ଆବଶ୍ୟକ, ସେଥିରେ ଆଦୌ କୌଣସି ସନ୍ଦେହ ନାହଁ । ସ୍ୱାଧୀନତା ପୂର୍ବରୁ ଭାରତରେ ଯେଉଁ ଶିକ୍ଷାର ବ୍ୟବସ୍ଥା ଥିଲା, ତାହା କେବଳ କେତେକ ଲୋକଙ୍କ ଲାଗି ଉଦ୍ଦିଷ୍ଟ ଥିଲା । ସୀମାବଦ୍ଧ କେତୋଟି ମାତ୍ର ଉଦ୍ଦେଶ୍ୟ ସାଧନ ଲାଗି ଉଦ୍ଦିଷ୍ଟ ଥିଲା । ଶିକ୍ଷା କହିଲେ ଅଳ୍ପ କେତେକ ଲୋକଙ୍କର ଗୋଟିଏ ନିର୍ଦ୍ଦିଷ୍ଟ ଭାବରେ ମଣ ହୋଇ କେତେକ ନିର୍ଦ୍ଦିଷ୍ଟ କାମରେ ଲାଗିବାକୁହିଁ ବୁଝାଉଥିଲା । ବର୍ତ୍ତମାନ ଭାରତରେ ଶିକ୍ଷା, ବିଜ୍ଞାନ, ସଭ୍ୟତା ଓ ସଂସ୍କୃତି ବୋଲି ଯାହାକିଛି ବୁଝାଏ, ତାହା ହେଉଛି କେବଳ ସୀମିତ କେତେକ ଲୋକଙ୍କର କଳ୍ପନାକୁ ଆସୁଥିବା ଶିକ୍ଷା, ବିଜ୍ଞାନ, ସଂସ୍କୃତି ଇତ୍ୟାଦି ଇତ୍ୟାଦି । ବର୍ତ୍ତମାନ ମଧ୍ୟ ଭାରତବର୍ଷରେ ଶହେରେ ସତୁରିଜଣ ମଣିଷ ନିରକ୍ଷର ରହିଛନ୍ତି । ବାକି ଯେଉଁ ତିରିଶି ଜଣ ରହିଲେ, ସେମାନଙ୍କ ମଧ୍ୟରେ ମାତ୍ର ପ୍ରାୟ ଦୁଇଜଣ ହୁଏତ ଦେଶର ଶିକ୍ଷା, ବିଜ୍ଞାନ ଓ ସଭ୍ୟତାର କ୍ଷେତ୍ରରେ ରହିଛନ୍ତି, ଏସବୁ କ୍ଷେତ୍ରରେ କିଛି ଚିନ୍ତା କରି ବି ପାରୁଛନ୍ତି ।

 

ଅଧିକ ମଣିଷ ଯେପରି ନିଜର ସଂସ୍କାରଟିଦ୍ୱାରା ବାଧ୍ୟ ହୋଇଥାନ୍ତି, ଭାରତର ଶିକ୍ଷିତମାନେ ସମ୍ଭବତଃ ତାହାରିଦ୍ୱାରା ବାଧ୍ୟ ହୋଇ ଭାରତବର୍ଷର ନୂତନ ଆବଶ୍ୟକତା ଗୁଡ଼ିକ ଅନୁସାରେ କିପରି ଏଠାରେ ଶିକ୍ଷାରେ ଏକ ପୁନର୍ବିନ୍ୟାସ ଅର୍ଥାତ୍ ନୂତନ ବିନ୍ୟାସ ହୋଇପାରିବା ଉଚିତ୍, ସେହି ବିଷୟରେ ଟିକିଏ ଟିକିଏ ଚିନ୍ତା କରିବାକୁ ଆରମ୍ଭ କଲେଣି । ଯେତିକି ଚିନ୍ତା କରାଯାଉଛି ସେଗୁଡ଼ିକୁ ମଧ୍ୟ ଶିଷ୍ଟତାର ସହିତ କାର୍ଯ୍ୟକାରୀ କରାଯାଇ ପାରୁନାହିଁ । ଏହାକୁ କାର୍ଯ୍ୟକାରୀ କରିବାରେ ଯେଉଁ ଅସୁବିଧାଗୁଡ଼ାକ ରହିଛି, ବେଶି ଜାଣିଥିବା ବଡ଼ମାନେ ଆଗ ସେହିଗୁଡ଼ାକ ବିଷୟରେ ଗୁଣକ ଜାଗାରେ ଦଶଗୁଣ କହିବାରେ ଲାଗିଛନ୍ତି, ଆପଣା ପ୍ରଜ୍ଞାର ପରିଚୟ ଦେଉଛନ୍ତି । ସେହି ଅସୁବିଧା ସକାଶେ ଆମର ଏଠାରେ ଅନେକ କିଛି ବାକି ରହିଯାଉଛି-। ଆହୁରି ଅନେକ କିଛି ଅଧାପନ୍ତରିଆ ହୋଇ ପଡ଼ି ରହୁଛି ଏବଂ ସବୁଠାରୁ ବଡ଼ କଥା ହେଉଛି ଯେ, ଆମର ବିଦ୍ୟାଗୁଡ଼ାକ ଯୋଉଟାକୁ ଠିକ୍ ଅର୍ଥାତ କର୍ତ୍ତବ୍ୟ ବୋଲି ସୂଚିତ କରାଇ ଦେଉଛି, ଆମେ ଉପରେ କେତେଜଣ ନିଜେ ପ୍ରସ୍ତୁତ ହୋଇ ନ ଥିବାରୁ ଅଥବା ଅନାଗତ ଲାଗି ଆମର ଏକ ଅନ୍ତର୍ଗତ ଭୟ ରହିଥିବାରୁ ସେସବୁ ଦିଗରେ ମଧ୍ୟ ଆମେ ଖୋଜେ ହେଲେ ଆଗକୁ ଯାଇ ପାରୁନାହୁଁ-। ଅନେକ ସମୟରେ ସିଦ୍ଧାନ୍ତ ତଥା ଲକ୍ଷ୍ୟଗୁଡ଼ାକୁ କାର୍ଯ୍ୟକାରୀ କରିବାରେ ମତଭେଦ ମଧ୍ୟ ରହିଯାଉଛି, କଥା ଛିଣ୍ଡୁ ନାହିଁ, ତେଣୁ ସେଗୁଡ଼ାକ କେବଳ ବିଚାର-ଗୋଦାମରେ ପଡ଼ିରହୁଛି ।

 

କ’ଣ ହେବା ଉଚିତ ଓ କିପରି ହେବା ଉଚିତ, ସେହି ବିଷୟରେ କାରିଗରମାନଙ୍କ ଭିତରେ ଯେତେ ଯାହା ମତଭେଦ ରହିଥିଲେ ମଧ୍ୟ ଆମକୁ ସେ ଅମଳର ଶିକ୍ଷା ବ୍ୟବସ୍ଥା ଓ ବର୍ତ୍ତମାନର ବ୍ୟବସ୍ଥା ମଧ୍ୟରେ ରହିଥିବା ଏକ ମୌଳିକ ଭେଦକୁ ମାନିନେବାକୁହିଁ ପଡ଼ିବ । ସେକାଳରେ ମାତ୍ର କେତେକଙ୍କ ଲାଗି ଶିକ୍ଷାର ବ୍ୟବସ୍ଥା ହେଉଥିଲା । ବର୍ତ୍ତମାନ ସେହି ବ୍ୟବସ୍ଥା ସମସ୍ତଙ୍କ ଲାଗି ହେବ । ଶୀଘ୍ର ହେଉ କିମ୍ବା ବିଳମ୍ବରେ ହେଉ ତାହା ଅବଶ୍ୟ ହେବ । ଆମର ଦୂରଦୃଷ୍ଟି ଅଥବା ପ୍ରସ୍ତୁତିର ଅଭାବରୁ ଉପରେ ରହିଥିବା ଆମେମାନେ ତାହାକୁ ହୁଏତ ଆହୁରି କେତେଟା ବର୍ଷ ପାଇଁ ଘୁଞ୍ଚାଇ ଦେଇପାରିବା ସତ, ମାତ୍ର ସେହି ଆବଶ୍ୟକତାକୁ ସଂପୂର୍ଣ୍ଣ ଭାବେ କଦାପି ଏଡ଼ିଦେଇ ପାରିବା ନାହିଁ । କାରଣ ଏହି ଆବଶ୍ୟକତା ହେଉଛି ଏକ ମାନବିକ ଆବଶ୍ୟକତା, ଆଧୁନିକ ପ୍ରତ୍ୟେକ ଦେଶ ଲାଗି ଏକ ଅତ୍ୟାବଶ୍ୟକତା ଏବଂ ଏକ ରାଜନୀତିକ ଆବଶ୍ୟକତା । ଏହି ଆବଶ୍ୟକତାଗୁଡ଼ିକୁ ପୂରଣ କରିବାକୁ ଯାଇ ଆମେ ଆପଣାର ନାନା ଅଯୋଗ୍ୟତାଦ୍ୱାରା ହୁଏତ ତାକୁ ବିକୃତ କରିଦେଇ ପାରିବା ସତ, ମାତ୍ର ସେତିକି ବ୍ୟତୀତ ଆଉ କିଛିହେଲେ କରିପାରିବା ନାହିଁ ।

 

ଆମ ଦେଶରେ ସହର ଅପେକ୍ଷା ଗ୍ରାମାଞ୍ଚଳରେହିଁ ଅଧିକ ନିରକ୍ଷରତା ରହିଛି । ଆମେ ଯେଉଁମାନଙ୍କୁ ଏବେ ଆଦିବାସୀ ଓ ହରିଜନ ବୋଲି କହୁଛୁ, ସେହିମାନେହିଁ ପ୍ରାୟ ସମସ୍ତେ ଗ୍ରାମାଞ୍ଚଳରେ ରହିଛନ୍ତି ଏବଂ ତେଣୁ ଅଶିକ୍ଷାଗୁଡ଼ିକ ସେହିମାନଙ୍କର ଜୀବନରେହିଁ ସତେ ଅବା ଜଳଜଳ ହୋଇ ଦେଖାଯାଉଛି । ବର୍ତ୍ତମାନ ସେହିମାନଙ୍କର ଶିକ୍ଷା ଲାଗି ବିଶେଷ ଭାବରେ ଚିନ୍ତା କରାଯାଉଛି, ସେମାନଙ୍କର ଶିକ୍ଷାଲାଗି ବିଶେଷ ଅର୍ଥର ବ୍ୟବସ୍ଥା ହେଉଛି । ଆମେ କ’ଣ ସେମାନଙ୍କୁ ଆମରି ପରି ଗଢ଼ିବାର ଉଦ୍ଦେଶ୍ୟ ରଖି ଏହିସବୁ ବ୍ୟବସ୍ଥା କରୁଛୁ କି ? ସେମାନେ ଦରିଦ୍ର ଅଛନ୍ତି, ଜୀବନର ନାନା କ୍ଷେତ୍ରରେ ବଞ୍ଚିତ ହୋଇ ରହିଛନ୍ତି, ଆମେ କ’ଣ ସେମାନଙ୍କୁ ସମୃଦ୍ଧ ଏବଂ ସମ୍ପନ୍ନ ହେବାର ଆମ ଉପାୟରେ ତାଲିମ ଦେବାକୁ ମନସ୍ଥ କରିଛୁ କି ଏବଂ ତାହାକୁହିଁ ସର୍ବୋତ୍ତମ ବ୍ୟବସ୍ଥା ବୋଲି ଧରିନେଉଛୁ କି ?

 

ସ୍ୱୟଂ ଆଦିବାସୀ ଓ ହରିଜନ ନ ହୋଇଥିଲେ ମଧ୍ୟ ଆମେ ଯେଉଁମାନେ ଆଦିବାସୀ ଓ ହରିଜନମାନଙ୍କର ଉନ୍ନତି ବିଷୟରେ ଚିନ୍ତା କରୁଛୁ, ସ୍ୱୀକୃତ ସାମାଜିକ ଓ ଅର୍ଥନୈତିକ ବ୍ୟବସ୍ଥାଟିରେ ସ୍ୱୟଂ କୌଣସି ପ୍ରକାରେ ବଞ୍ଚିତ ହୋଇ ରହି ନ ଥିଲେ ହେଁ ଆମେ ଯେଉଁମାନେ ବଞ୍ଚିତମାନଙ୍କୁ ମଣିଷର ପାହିଆକୁ ଆଣିବା ଲାଗି ଚିନ୍ତା କରୁଛୁ ଓ ରାଷ୍ଟ୍ର ତରଫରୁ ସେଥିଲାଗି ଅର୍ଥବ୍ୟୟ କରିବାର ଦାୟିତ୍ୱରେ ରହିଛୁ, ଆମେ ସେମାନଙ୍କୁ ମଣିଷ କରି ଗଢ଼ିବାକୁ ଇଚ୍ଛା କରୁଛୁ ନା ଏକ ପ୍ରତିଦ୍ୱନ୍ଦ୍ୱିତାପୂର୍ଣ୍ଣ ଅସୁସ୍ଥ ସମାଜରେ ସେମାନଙ୍କୁ କେବଳ କେତେକ ପରିମାଣର ଜଣେ ଜଣେ ନିକୃଷ୍ଟ ପ୍ରତିଦ୍ୱନ୍ଦ୍ୱୀ ହୋଇ ରହିବା ଲାଗି ତାଲିମ୍ ଦେବାକୁ ବାହାରୁଛୁ ? ଶିକ୍ଷାର ଯେକୌଣସି ପୁନର୍ବିନ୍ୟାସ ବିଷୟରେ ଚିନ୍ତା କରାଯିବାବେଳେ ଆମର ମନରେ ସର୍ବପ୍ରଥମେ ଏହି ମୂଳ ପ୍ରଶ୍ନଗୁଡ଼ିକରହିଁ ଏକ ଉତ୍ତର ମିଳିପାରିବା ଉଚିତ । ନାନା ଶ୍ରେଣୀ ଓ ନାନା ବୈଷମ୍ୟଦ୍ୱାରା ବିଭକ୍ତ ଏକ ସମାଜରେ ଏଠାରେ ସମୃଦ୍ଧ ତଥା ବଞ୍ଚିତ ଉଭୟେ ବଡ଼ ଅସୁସ୍ଥ ହୋଇ ରହି ଆସିଥିଲେ । ବର୍ତ୍ତମାନ ଆମେ ସମସ୍ତେ ସୁସ୍ଥ ହେବାକୁ ମନ କରିବା, ନା ପ୍ରାୟ ନିତ୍ୟନୈମିତ୍ତିକ ହୋଇ ରହି ଆସିଥିବା ଅସୁସ୍ଥତା ଗୁଡ଼ାକର ବହୁପ୍ରସାରଣ ସକାଶେହିଁ ଅର୍ଥଗୁଡ଼ାକୁ ବ୍ୟୟ କରିବା ? ଆମେ ଯାହା କରିବା ତଦ୍ଦ୍ୱାରା ଆଗାମୀ ସମାଜଟିର ଭାଗ୍ୟର ନିଷ୍ପତ୍ତି ହେବ । ତେଣୁ ଆମ ଚିନ୍ତାର ପୁନର୍ବିନ୍ୟାସ ହେଉ, ଆମ ସାମାଜିକ ମୂଲ୍ୟବୋଧର ପୁନର୍ବିନ୍ୟାସ ହେଉ, ତେବେ ହୁଏତ ଆମ ଶିକ୍ଷାର ମଧ୍ୟ ଏକ ସୁସ୍ଥ ଓ ନୂତନ ପୁନର୍ବିନ୍ୟାସ ହୋଇପାରିବ ।

ତା.୨୪.୧୦.୧୯୭୬ ରିଖ

Image

 

Unknown

ଏକମାତ୍ର ବ୍ୟାଖ୍ୟାକାରୀ

 

ଚୀନରେ ସର୍ବସ୍ୱୀକୃତ ନାୟକ ମାଓ ସେ ତୁଙ୍ଗ୍‍ଙ୍କର ନିଧନ ଘଟିବା ପରେ ବର୍ତ୍ତମାନ ପରିସ୍ଥିତିରେ ମାଓବାଦର ପ୍ରକୃତ ବ୍ୟାଖ୍ୟାକାରୀ କିଏ, ସେହି ବିଷୟରେ ଭାରି ଗଣ୍ଡଗୋଳ ଚାଲିଛି । ବିଚାରର କ୍ଷେତ୍ରରେ ବାଦବିବାଦ ଲାଗିବା ଏକ ଅତି ସ୍ୱାଭାବିକ କଥା । ମାତ୍ର ବିଚାରକୁ ଗଣ୍ଠିକରି ଯେତେବେଳେ କ୍ଷମତା ଅଧିକାର କରିବାରେ ସର୍ବପ୍ରଶସ୍ତତାରେ ବିଶ୍ୱାସ କରୁଥିବା ବିଭିନ୍ନ ଶିବିର ପରସ୍ପରର ବିରୋଧ କରି ବାହାରନ୍ତି, ସେତେବେଳେ କୌଣସି ବିବାଦ ଆଉ ବିବାଦର ସ୍ତରରେ ସୀମିତ ହୋଇ ରହିପାରେ ନାହିଁ । ତାହା ଏକ ଲଢ଼େଇରେ ପରିଣତ ହୋଇଯାଏ । ଅସ୍ତ୍ରଶସ୍ତ୍ରରେ ଲଢ଼େଇ ଲାଗେ, ବିଚରା ବିଚାରକୁ ମଧ୍ୟ ଅସ୍ତ୍ରଶସ୍ତ୍ର ଓ କ୍ଷମତାର ବିଜୟ ଲାଗି ଅପେକ୍ଷା କରିବାକୁ ପଡ଼େ । ଗୋଟିଏ ଦେଶର ଭାଗ୍ୟ ନାନା ଅନିଶ୍ଚିତତା ମଧ୍ୟରେ ଅପେକ୍ଷା କରି ପଡ଼ିରହେ ।

 

ମାଓ ସେ ତୁଙ୍ଗ୍ ମାର୍କସବାଦୀ ଥିଲେ । ଏହି ମାର୍କସବାଦ ବିଭିନ୍ନ ଦେଶରେ କ୍ଷମତା ହାସଲ କଲାପରେ ଯେ କାଳକ୍ରମେ ବିଭିନ୍ନ ପ୍ରକାରର ଉପବାଦ ଏବଂ ସ୍ଥାନୀୟ ବ୍ୟବଧାନବାଦରେ ପରିଣତ ହୋଇଗଲା, ଚେୟାରମ୍ୟାନ୍ ମାଓଙ୍କର ଏହି ଦିଗରେ ଆଦୌ କମ୍ ଅବଦାନ ରହିନାହିଁ । ସାରା ପୃଥିବୀର ବୃହତ୍‌ଶକ୍ତି ଉପାଖ୍ୟାନରେ ନାନା ବିଚିତ୍ର ରଙ୍ଗ ଆଣି ଲଗାଇ ଦେବାରେ ଓ ସାମରିକ ଶିବିର ଏବଂ ରାଜନୀତିକ ମେଣ୍ଟଗୁଡ଼ାକୁ ଅଧିକ ଜଟିଳ କରିବାରେ ମଧ୍ୟ ମାଓ ସେ ତୁଙ୍ଗ ସର୍ବଦା ଏକ ଅତ୍ୟନ୍ତ ମୀମାଂସକ ଭୂମିକା ଗ୍ରହଣ କରିଛନ୍ତି । ଚୀନକୁ ଆପଣାର ମଡ଼େଲ ଅନୁସାରେ ଗଢ଼ିବାରେ ସେ ଆପଣା ଶିବିର ଭିତରେ ମଧ୍ୟ କେତେ ପ୍ରକାରର ନିଷ୍କାସନ ଘଟାଇଛନ୍ତି, ଆପଣାର କେତେ ସହକର୍ମୀ ଓ ସହସଂଗ୍ରାମୀଙ୍କୁ ନିପାତ କରିଛନ୍ତି । ମାତ୍ର କେଇଟା ବର୍ଷ ତଳେ ତତ୍କାଳୀନ ଚୀନର ଆଉ ଜଣେ ରାଜନୀତିକ ପ୍ରବର ଲିଉ ସାଓ ଚିଙ୍କୁ କେନ୍ଦ୍ର କରି ଚୀନରେ ଯାହାସବୁ ଘଟିଲା ଓ ଶେଷରେ ଚି’ ଯେପରି ଭାବରେ ମୂଳପୋଛ ହେଲେ, ସେଗୁଡ଼ାକ ଏପର୍ଯ୍ୟନ୍ତ ପର୍ଯ୍ୟବେକ୍ଷକମାନଙ୍କର ମନରୁ ଯାଇ ନଥିବ । ସେତେବେଳେ ଚେୟାରମ୍ୟାନ୍ ମାଓହିଁ ଚୀନ ଦେଶରେ ମାଓବାଦର ପ୍ରକୃତ ବ୍ୟାଖ୍ୟାକାରୀ ଥିଲେ, ଅର୍ଥାତ୍ ଏକମାତ୍ର ବ୍ୟାଖ୍ୟାକାରୀଥିଲେ । ତାଙ୍କରି ହାତରେ କ୍ଷମତା ଥିବାରୁ ତାଙ୍କୁ ଏକମାତ୍ର ବ୍ୟାଖ୍ୟାକାରୀରୂପେ ସ୍ୱୀକାର କରାଯାଉଥିଲା, ଅଥବା ସିଏ ଏକମାତ୍ର ବ୍ୟାଖ୍ୟାକାରୀ ଓ ପ୍ରକୃତ ବ୍ୟାଖ୍ୟାକାରୀ ଥିବାରୁହିଁ ସେ କ୍ଷମତାରେ ରହିଥିଲେ, ଆଧୁନିକ ରାଜନୀତିକ ବୁଦ୍ଧିର ପରିସର ଭିତରେ ରହି ସେକଥା ଠିକ୍ କରି କହିଦେଇ ପାରିବା ଆଦୌ ସହଜ ନୁହେଁ ।

 

ମାଓ ସେ ତୁଙ୍ଗଙ୍କ ସମୟରେ ଚୀନର ମତି ଓ ଗତି ଉଗ୍ରପନ୍ଥୀ ହୋଇ ରହିଥିଲା । ତେଣୁ ତଥାକଥିତ ନରମପନ୍ଥୀ ବା ମଧ୍ୟମପନ୍ଥୀଙ୍କୁ ନିପାତ କରିବାହିଁ ସେତେବେଳେ ରାଜକାର୍ଯ୍ୟ-ପଦ୍ଧତି ହୋଇ ରହିଥିଲା । ଲିଓ ଶାଓ ଚି ସଂଖ୍ୟାଗରିଷ୍ଠ ଓ କ୍ଷମତାବରିଷ୍ଠଙ୍କ ଆଖିରେ ନରମପନ୍ଥୀ ବୋଲି ଦେଖାଯାଉଥିଲେ । ତେଣୁ ସମୁଦାୟ ରାଷ୍ଟ୍ରୀୟ ରାଜନୀତିର ଯନ୍ତ୍ରଟିକୁ ତାଙ୍କ ବିରୁଦ୍ଧରେ ପ୍ରୟୋଗ କରାଗଲା, ତାଙ୍କର ଧାରାଟି ପ୍ରତି ସହାନୁଭୂତି ରଖିଥିବା ସମସ୍ତଙ୍କ ବିରୁଦ୍ଧରେ ସେହି ଯନ୍ତ୍ରଟିକୁ ପ୍ରୟୋଗ କରାଗଲା । ମାଓ ସେ ତୁଙ୍ଗ ଥିବାତକ ଅନ୍ୟମାନେ ମୁହଁ ବନ୍ଦକରି ରହିଥିଲେ, ହୁଏତ ମୁହଁ ଲୁଚାଇ ବି ରହିଥିଲେ ଏବଂ ମାଓ ସେ ତୁଙ୍ଗ ଯିବାପରେ ବର୍ତ୍ତମାନ ସେହିମାନେହିଁ ସତେଅବା କ୍ଷମତାକୁ ଆସିଛନ୍ତି । ଚେୟାରମ୍ୟାନ ମାଓଙ୍କ ନାମରେ ଅର୍ଥାତ ମାଓବାଦର ନାମରେହିଁ ସେମାନେ ପୂର୍ବରୁ ସ୍ୱୀକୃତ ହୋଇ ଆସିଥିବା ମାଓପନ୍ଥୀ ଅର୍ଥାତ୍ ଉଗ୍ରପନ୍ଥୀମାନଙ୍କ ବିରୁଦ୍ଧରେ ଲଢ଼େଇ ଆରମ୍ଭ କରିଦେଲେଣି । ଏବଂ ଯେଉଁମାନେ ଆପଣାକୁ କ୍ଷମତାରେ ଅଧିଷ୍ଠିତ କରିଛନ୍ତି, ସେହିମାନେହିଁ ନିଜକୁ ମାଓବାଦର ଏକମାତ୍ର ବ୍ୟାଖ୍ୟାକାରୀ ବୋଲି ଘୋଷଣା କରିଦେଲେଣି ।

 

ପୃଥିବୀର ରାଜନୀତିକ ପଟ ଉପରେ ଏଗୁଡ଼ାକ ଆହୁରି ଅନେକ ଦେଶରେ ବଡ଼ ବିଚିତ୍ର ବୋଲି ମନେ ହେଉଥିବ । ରାଜନୀତିକ ଲଢ଼ାଇ ପରିବର୍ତ୍ତରେ ଏବେ ରାଜନୀତିକ ଚେତନାକୁହିଁ ପୃଥିବୀର ଅଧିକରୁ ଅଧିକ ମଣିଷ ମହତ୍ତ୍ୱ ଦେଇ ଜାଣିଲେଣି । ଭବିଷ୍ୟ ପୃଥିବୀର ଭାଗ୍ୟ କହିଲେ କ୍ରମଶଃ ସମଗ୍ର ପୃଥିବୀ ଯେଉଁସବୁ ମୂଲ୍ୟବୋଧର ଚିନ୍ତା କରିବାକୁ ଆରମ୍ଭ କଲାଣି, ତାହାରି ପରିପ୍ରେକ୍ଷୀରେ ଚୀନରେ ବର୍ତ୍ତମାନ ଘଟୁଥିବା ଘଟଣାମାନ ପ୍ରକୃତରେ ଭାରି ବିଡ଼ମ୍ବନାପୂର୍ଣ୍ଣ ବୋଲି ମନେ ହେବ । କେତେଜଣ କ୍ଷମତାଧାରୀ ବ୍ୟାଖ୍ୟାକାରୀ ଯେ ଅଶୀ କୋଟି ମଣିଷଙ୍କର ବିଶ୍ୱାସଗୁଡ଼ାକୁ ନିୟନ୍ତ୍ରିତ କରିବେ, ସେକଥା ସହଜରେ ବିଶ୍ୱାସ କରି ହେବନାହିଁ ।

 

କିନ୍ତୁ ଚୀନରେ ପ୍ରକୃତରେ ଯେ କ’ଣ ଘଟୁଛି, ସେକଥା କିଏ କହିପାରିବ ? ମାଓ ସେ ତୁଙ୍ଗଙ୍କର ପରମ୍ପରାଟିକୁ ରକ୍ଷାକରି ଚୀନ ବର୍ତ୍ତମାନ ମଧ୍ୟ ବୃହତ୍ତର ପୃଥିବୀଲାଗି ଏକ ଅଭେଦ୍ୟ ଦୁର୍ଗପ୍ରାୟ ହୋଇ ରହିଛି । ତଥାକଥିତ ନରମପନ୍ଥୀମାନେ ବି ସେମାନଙ୍କର ପୂର୍ବଗାମୀ ଉଗ୍ରପନ୍ଥୀମାନଙ୍କ ପରି ଚୀନର କବାଟଗୁଡ଼ିକୁ ଠିକ୍ ଆଗପରି କିଳି ରଖିବାକୁହିଁ ସବୁଠାରୁ ଉତ୍କୃଷ୍ଟ ପନ୍ଥା ବୋଲି ଭାବୁଛନ୍ତି । ତେଣୁ ଚୀନରେ କ’ଣ ଯେ ହେବାକୁ ଯାଉଛି, ସେକଥା କେହି ସହଜରେ କହିପାରିବନାହିଁ । ତଥାପି ଏଥିରେ କୌଣସି ସନ୍ଦେହ ନାହିଁ ଯେ ଏକ ନୂତନ ସମତାବସ୍ଥାର ପ୍ରତିଷ୍ଠା ହେବା ପୂର୍ବରୁ ସେହି ଦେଶରେ ଅନେକ ପ୍ରକାରର ଅନେକ ଲଢ଼େଇ ଲାଗିବ ।

ତା.୨୫.୧୦.୧୯୭୬ ରିଖ

Image

 

ବିଶେଷଜ୍ଞଙ୍କର ବିଷାଦ

 

ଆମ ଦେଶର ବିଶେଷଜ୍ଞମାନେ ଲୋକଙ୍କର ଭାଷାରେ କଥା କହି ପାରନ୍ତି ନାହିଁ, ଲୋକମାନେ ବୁଝିଲା ଭଳି ପ୍ରାୟ କିଛି କଥା ପ୍ରକାଶ କରିପାରନ୍ତି ନାହିଁ ଓ ସମ୍ଭବତଃ ସେହି କାରଣରୁ ଲୋକମାନଙ୍କର କାମରେ ଲାଗିଲା ଭଳି ପ୍ରାୟ କିଛିହେଲେ କରିପାରନ୍ତି ନାହିଁ ।

 

ଭାରତୀୟ ବିଶେଷଜ୍ଞମାନେ ପୃଥିବୀର ଉନ୍ନତ ଦେଶମାନଙ୍କର ବିଶେଷଜ୍ଞମାନଙ୍କ ତୁଳନାରେ ଆଦୌ କୌଣସି ଗୁଣରେ କମ୍ କୁଶଳୀ ଅର୍ଥାତ୍ କମ୍ ଧୁରନ୍ଧର ନୁହନ୍ତି ବୋଲି ଏହି ଦେଶରେ ଉଚ୍ଚ ମହଲମାନଙ୍କରେ ସାଧୁବାଣୀ ଶୁଣିବାକୁ ମିଳିଥାଏ । ତାହାର ଅର୍ଥ ହେଉଛି ଯେ ଆମ ବିଶେଷଜ୍ଞମାନେ ପୃଥିବୀର ଆଗୁଆ ଅନେକ ଦେଶର ବିଶେଷଜ୍ଞମାନଙ୍କ ସହିତ ଚମତ୍କାର ପ୍ରତିଦ୍ୱନ୍ଦ୍ୱିତା କରିପାରନ୍ତି; ସେମାନେ ଯେତିକି ଜାଣନ୍ତି ଏମାନେ ମଧ୍ୟ ସେତିକି ଜାଣନ୍ତି । ମାତ୍ର ସେମାନଙ୍କର ଜ୍ଞାନଗୁଡ଼ିକ ସତେ ଅବା କାମରେ ନ ଲାଗିବା ପାଇଁ ଗଚ୍ଛିତ ହେବାରେ ଲାଗିଥାଏ । ଆମ ବିଶେଷଜ୍ଞମାନେ ବିଦେଶରେ ଯାଇ ଦେଶ ଲାଗି କେତେ କେତେ କୃତିତ୍ୱ ଅର୍ଜନ କରନ୍ତି । ମାତ୍ର ନିଜ ଦେଶରେ ସେମାନେ ପ୍ରାୟ କୁଣିଆ ହୋଇ ରହନ୍ତି, ବଡ଼ଘରର ପୁଅ ହୋଇ ରହନ୍ତି । ଅଶିକ୍ଷିତ ଦେଶରେ ମୁଷ୍ଟିମେୟ ଉଚ୍ଚଶିକ୍ଷିତଙ୍କର ଯେଉଁ ଦଶା ହେବାର କଥା, ସେମାନେ ପ୍ରାୟ ସେହି ଦଶା ଭୋଗକରୁଥାନ୍ତି ।

 

ଆମ ଦେଶର ବିଶେଷଜ୍ଞମାନେ ଆମ ଭାଷା ଜାଣନ୍ତି ନାହିଁ । ଏକଥା ସତ ଯେ ସେମାନେ ଏହି ଦେଶରେ କୌଣସି ଭାଷାର ମାଧ୍ୟମରେ ଆପଣାର ଉଚ୍ଚ ପାଠମାନ ପଢ଼ି ନଥାନ୍ତି । ଆମ ଦେଶରେ ବିଶ୍ୱବିଦ୍ୟାଳୟମାନଙ୍କରେ ଆମ ଦେଶର ଭାଷାଗୁଡ଼ିକର ମାଧ୍ୟମରେ ବିଶେଷ ବିଦ୍ୟାଗୁଡ଼ିକର ଶିକ୍ଷା ଦିଆଯିବାର ବ୍ୟବସ୍ଥା ଏ ପର୍ଯ୍ୟନ୍ତ ହୋଇ ପାରିନାହିଁ । ନାନା ଆଶଙ୍କା ଏବଂ ସୁବିଚାରିତ ଭୟ ସକାଶେ ତାହା ହୋଇପାରି ନାହିଁ ।

 

ଭାରତୀୟ ଭାଷାଗୁଡ଼ିକର ମାଧ୍ୟମରେ ଭାରତୀୟ ବିଶେଷଜ୍ଞମାନଙ୍କୁ ପୋଖତ କରିବାର ବ୍ୟବସ୍ଥା ଚାଲୁହେଲେ ସେମାନେ ଯେ ଆନ୍ତର୍ଜାତିକ ସ୍ତରରେ ନିଜ ନିଜ କ୍ଷେତ୍ରରେ ଅନ୍ୟ ବିଶେଷଜ୍ଞମାନଙ୍କର ସମକକ୍ଷ ହୋଇ ପାରିବେ ନାହିଁ, ଅନେକ ସମୟରେ ସେମାନଙ୍କ ତରଫରୁ କାରଣ ଦର୍ଶାଯାଇ ଏହି କଥା କୁହାହୋଇଥାଏ । ଆମ ବିଶେଷଜ୍ଞମାନେ ଯେପରି କେବଳ ବିଦେଶୀ ଖାଉଟିଙ୍କ ପାଇଁ ତିଆରି ହେଉଛନ୍ତି, ଅନେକ ସମୟରେ ସେହିପରି ମନେ ହୋଇଥାଏ । ଏହିପରି ଏକ ସ୍ଥିତିରେ ରହିଥିବାରୁ ବିଶେଷଜ୍ଞମାନେ ଅନେକ ସ୍ଥଳରେ ଗୋଟାଏ ପ୍ରକାରର ଗର୍ବ ମଧ୍ୟ ଅନୁଭବ କରିଥାନ୍ତି । ତୁଳି ଉପରେ ବସିଲେ ଯେଉଁ ଗର୍ବ ସାଧାରଣତଃ ଆସିଥାଏ, ଇଏ ହେଉଛି ସେହିପରି ଗୋଟାଏ ପ୍ରକାରର ଗର୍ବ । ମାତ୍ର ତୁଳିଟାକୁ ଯେ ଅନେକ ଖୁଣ୍ଟ ଆଶ୍ରା ଦେଇ ରଖିଥାନ୍ତି, ଖୁଣ୍ଟଗୁଡ଼ିକ ମଜବୁତ ନ ହେଲେ ତୁଳିଟା ଯେ ଆଦୌ ନିରାପଦ ରହିପାରେ ନାହିଁ, ତୁଳି ଉପରେ ବସିଥିବା ମଣିଷ ଏହି କଥା ନ ବୁଝିବାକୁ ଜିଦ୍ ଧରି ବସିଲେ, ତାହାକୁ ସମ୍ପୃକ୍ତ ସମସ୍ତଙ୍କର ଦୁର୍ଭାଗ୍ୟ ବୋଲିହିଁ କହିବାକୁ ହେବ ।

 

ଆମ ଦେଶରେ ବିଶେଷଜ୍ଞମାନେ ଆମ ଦେଶର କୋଟି କୋଟି ମଣିଷଙ୍କ ଠାରୁ ଦୂରଛଡ଼ା ହୋଇ ରହିଛନ୍ତି, ଆମ ଦେଶର ସମସ୍ୟା ଗୁଡ଼ିକରୁ ପ୍ରାୟ ଦୂରଛଡ଼ା ହୋଇ ରହିଛନ୍ତି, ଯାବତୀୟ ମାନବୀୟ ଆହ୍ୱାନକୁ କରଛଡ଼ା ଦେଇ ରହିଛନ୍ତି । ସମାଜବାଦୀ ଦେଶର ବିଶେଷଜ୍ଞ ମୂଳତଃ ସମାଜସଚେତନ ହୋଇ ରହିବା ଉଚିତ, ସମାଜର ଭାଷାରେ ସେ କଥା କହିପାରିବା ଉଚିତ, ସମାଜରେ ଅଧିକରୁ ଅଧିକ ମଣିଷଙ୍କର କାମରେ ଲାଗିବା ପାଇଁ ଆପଣାର ଦୁରୂହ ଅଥଚ ବହୁ ମୂଲ୍ୟବାନ ଜ୍ଞାନକୁ ତା’ର ସୁଲଭ ଓ ସର୍ବଜନବୋଧ୍ୟ କରି ଆଣିପାରିବା ଉଚିତ ।

 

ଆମ ଦେଶର ବିଶେଷଜ୍ଞମାନେ କେବଳ ଇଂରାଜୀରେ କହିପାରିବେ ଓ ଯେଉଁମାନେ ତାଙ୍କୁ ସବୁଠାରୁ ଆଗ ଲୋଡ଼ିବା କଥା, ନାନା କାରଣରୁ ଓ ପ୍ରଧାନତଃ ଏକ ସ୍ୱେଚ୍ଛାକୃତ ଅନଭ୍ୟସ୍ତତାରୁ ସେମାନଙ୍କ ଭାଷାରେ ଆପଣାର ଭାବନାଗୁଡ଼ାକୁ ବ୍ୟକ୍ତ କରିପାରିବେ ନାହିଁ ବୋଲି ଯେତେବେଳେ ପ୍ରାୟ ଏକ ବିନୟର ସହିତ କ୍ଷମାଭିକ୍ଷା କରନ୍ତି, ସେତେବେଳେ ଅନେକ ପ୍ରକାରର ଦୂରତା ଓ ଦୁର୍ବିନୀତତା ଏହି ଦେଶରେ ଓ ଏଠି ବାସ କରୁଥିବା ମଣିଷମାନଙ୍କର ଭାଗ୍ୟ ବିରୁଦ୍ଧରେ ସତେ ଅବା ଷଡ଼ଯନ୍ତ୍ର କରୁଥିବା ପରିହିଁ ବୋଧହୁଏ । ଯେଉଁ ଗରିଷ୍ଠ ବୋଝକୁ ଗୋଟାଏ ଦେଶ ମୁଣ୍ଡରେ ବୋହୁଛି, ସେହି ବୋଝ ତା’ର କୌଣସି କାର୍ଯ୍ୟରେ ଲାଗିପାରୁନାହିଁ ବୋଲି ଜାଣି ସିଏ ହୁଏତ ସତେ ଅବା ବିମୂଢ଼ ହୋଇପଡ଼ିବା ପରି ଅନୁଭବ କରେ ।

 

ରୁଷିଆର ପ୍ରତ୍ୟେକ ବିଶେଷଜ୍ଞ ଖାଲି ରୁଷଭାଷା ଜାଣେ ନାହିଁ; ରୁଷିଆର ଯେଉଁ ଅଞ୍ଚଳରେ ସିଏ କାର୍ଯ୍ୟ କରୁଛି, ସେହି ଆଞ୍ଚଳିକ ଭାଷାକୁ ମଧ୍ୟ ସିଏ ଭଲକରି ଜାଣେ । ତାହାକୁହିଁ ସିଏ ଆପଣା ଜ୍ଞାନ ଓ ଆପଣା କ୍ଷେତ୍ରରେ ଭାଷା ବୋଲି ସ୍ୱୀକାର କରିନିଏ । ପୃଥିବୀର କୌଣସି ବାସ୍ତବବୁଦ୍ଧିସମ୍ପନ୍ନ ଦେଶରେ ଜ୍ଞାନକ୍ଷେତ୍ରରେ ସକଳ ବିନିମୟରେ ଗୋଟିଏ ବିଦେଶୀ ଭାଷାକୁହିଁ ବ୍ୟବଧାନର ସଙ୍କେତରୂପେ ବ୍ୟବହାର କରାଯାଏନାହିଁ । ଭାରତବର୍ଷରେ ତାହା ହୁଏ; ଆମ ଓଡ଼ିଶାରେ ହୁଏତ ଅପେକ୍ଷାକୃତ ଟିକିଏ ଅଧିକ ପରିମାଣରେ ହୁଏ । ବିଶେଷଜ୍ଞମାନଙ୍କର ବିଷାଦଯୋଗ ଦେଶବାସୀଙ୍କ ଲାଗି ଘୋର ବିଷାଦରେ ପରିଣତ ହୁଏ । ସମ୍ବନ୍ଧଗତ କେତେ କେତେ ବିପର୍ଯ୍ୟୟକୁ ଡାକି ନେଇଆସେ । ଜ୍ଞାନଗୁଡ଼ାକ ତୁଚ୍ଛା ନିର୍ବାସିତ ହୋଇ ରହନ୍ତି । ଜ୍ଞାନୀମାନେ ଅମୁହାଁ ହୋଇ ରହିବାକୁହିଁ ସ୍ୱାଭାବିକତା ବୋଲି ବିଶ୍ୱାସ କରିଥାନ୍ତି । ଅର୍ଥ ଅନର୍ଥର ବାଟ ହୁଡ଼ିଯାଏ-। ଦେଶ ତୁରନ୍ତ ଏ ଦୁର୍ଗତିରୁ ମୁକ୍ତି ପାଇବା ଦରକାର ।

ତା.୨୬.୧୦.୧୯୭୬ ରିଖ

Image

 

ଭାରତ ଓ ନିରାପତ୍ତା ପରିଷଦ

 

ଭାରତ ଏଥର ନିରାପତ୍ତା ପରିଷଦକୁ ଆଗାମୀ ଦୁଇବର୍ଷ ସକାଶେ ଏକ ସଦସ୍ୟ ଦେଶରୂପେ ନିର୍ବାଚିତ ହେଲା । ନିରାପତ୍ତା ପରିଷଦରେ ରହିବା ଭାରତବର୍ଷ ଲାଗି କିଛି ନୂଆ କଥା ବା ନୂଆ ଅଭିଜ୍ଞତା ନୁହେଁ । କାରଣ ଏହା ପୂର୍ବରୁ ସିଏ ଆହୁରି ତିନିଥର ସେହି ପରିଷଦର ସଦସ୍ୟ ଭାବେ ରହିଆସିଛି । ଏହି କ୍ଷେତ୍ରରେ ଭାରତର ଦୀର୍ଘ ଛଅବର୍ଷର ଅଭିଜ୍ଞତା ରହିଛି ।

 

ଏସୀୟ ଦେଶଗୁଡ଼ିକ ସକାଶେ ନିରାପତ୍ତା ପରିଷଦରେ ଯେଉଁ ଗୋଟିଏ ସ୍ଥାନ ସ୍ୱତନ୍ତ୍ର ଭାବରେ ରଖା ହୋଇଥାଏ, ଭାରତବର୍ଷ ଏଥର ସେହି ସ୍ଥାନଟି ପାଇଲା । ଏହି ସ୍ଥାନଟି ସକାଶେ ମଙ୍ଗୋଲିଆ ଓ ଫିଲିପାଇନ୍‌ସ ମଧ୍ୟ ଏଥର ଆକାଙ୍‌କ୍ଷୀ ହୋଇଥିଲେ । ମାତ୍ର ଏସୀୟ ରାଷ୍ଟ୍ରଗୁଡ଼ିକର ଏକ ମିଳିତ ପୂର୍ବ ବୈଠକରେ ସେମାନେ ଭାରତବର୍ଷ ଲାଗିହିଁ ସଦସ୍ୟ ପଦଟିକୁ ଛାଡ଼ିଦେଇ ସମ୍ଭାବିତ ପ୍ରତିଦ୍ୱନ୍ଦ୍ୱିତାରୁ ଓହରିଗଲେ । ଅର୍ଥାତ୍ ଭାରତବର୍ଷ ସମ୍ପୃକ୍ତ ସମସ୍ତଙ୍କର ଅବିରୋଧରେ ସର୍ବସମ୍ମତି କ୍ରମେ ନିରାପତ୍ତା ପରିଷଦକୁ ଏକ ସଦସ୍ୟରୂପେ ନିର୍ବାଚିତ ହୋଇ ଆସିଲା ।

 

ବିଶ୍ୱଯାକର ନିରାପତ୍ତା ବିଷୟରେ ବିଚାର ଏବଂ ମୀମାଂସାମାନ କରିବାଲାଗି ମିଳିତ ଜାତିସଂଘର ଏକ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ଶାଖା ଅନୁଷ୍ଠାନରୂପେ ନିରାପତ୍ତା ପରିଷଦ ମୂଳରୁହିଁ ରହିଆସିଛି; ସେଥିରେ ସର୍ବମୋଟ ପନ୍ଦରଜଣ ସଦସ୍ୟ ଅଛନ୍ତି । ସେମାନେ ପନ୍ଦରଗୋଟି ରାଷ୍ଟ୍ରର ପ୍ରତିନିଧିତ୍ୱ କରୁଛନ୍ତି । ସେମାନଙ୍କ ମଧ୍ୟରୁ ପାଞ୍ଚଜଣ ସଦସ୍ୟଙ୍କର ଯେଉଁ ଧ୍ୱଂସାତ୍ମକ ବିଶେଷ କ୍ଷମତା ରହିଛି, ସେମାନେ ବାହାରକୁ ଦେଖିବାଲାଗି ଗୋଟିଏ ଗୋଟିଏ ରାଷ୍ଟ୍ରର ପ୍ରତିନିଧିତ୍ୱ କରୁଛନ୍ତି ସତ, ମାତ୍ର ବାସ୍ତବ କ୍ଷେତ୍ରରେ ଅତୀତରେ ଗୋଟାଏ ଯୁଦ୍ଧରେ ଜୟଲାଭ କରିଥିବା ହେତୁ ଏପର୍ଯ୍ୟନ୍ତ ସେମାନଙ୍କ ଭିତରେ ଅସମାନ ବା ବିଶେଷ ଏକ ଏକଚାଟିଆ କର୍ତ୍ତୃତ୍ୱର ପ୍ରତିନିଧିତ୍ୱ କରିବାରେ ଲାଗିଛନ୍ତି । ସ୍ମରଣ ରହିବା ଉଚିତ ଯେ ଦ୍ୱିତୀୟ ବିଶ୍ୱଯୁଦ୍ଧର ଅବ୍ୟବହିତ ପରେ ସେହି ଯୁଦ୍ଧରେ ଜୟଲାଭ କରିଥିବା ଏହିମାନେହିଁ ପଚାଶଗୋଟି ପ୍ରାୟ ମନୋନୀତ ଦେଶଙ୍କୁ ଡାକି ଏକ ମିଳିତ ଜାତିସଂଘ ସଂଗଠନ କରିଥିଲେ । ଏହି ସଂଗଠନଟି ହୁଏତ ଚିରକାଳ ଲାଗି ଶାନ୍ତି ଓ ଯୁଦ୍ଧ ବିଷୟରେ ସେମାନଙ୍କର ପାଞ୍ଜିଟା ଅନୁସାରେହିଁ ବିଶ୍ୱର ବିଭିନ୍ନ ସମସ୍ୟାର ମୀମାଂସା ହେବ ବୋଲି ସେମାନେ ଏକଦା କଳ୍ପନା କରିଥିଲେ । ଏହିପରି ଭାବରେ ସଂସାରର ନୀତିଟି ସେହିମାନଙ୍କର ସ୍ୱାର୍ଥଗୁଡ଼ାକର ସମବାଚୀ ହୋଇ ନିଶ୍ଚୟ ସବୁଦିନ ଚାଲି ପାରିବବୋଲି ସେମାନେ ଦମ୍ଭ ବି କରିଥିଲେ ।

 

କିନ୍ତୁ ସେ ଦମ୍ଭ ରହିଲା ନାହିଁ । କାରଣ ସେହି ପରିସ୍ଥିତି ମଧ୍ୟ ରହିଲା ନାହିଁ । କିନ୍ତୁ ନିରାପତ୍ତା ପରିଷଦର ଏହି ପାଞ୍ଚଜଣ ବିଶେଷ ମୂର୍ତ୍ତିଙ୍କର ବିଶେଷ କ୍ଷମତାଗୁଡ଼ାକ ରହିଗଲା । ସମଗ୍ର ପୃଥିବୀର ସ୍ୱାର୍ଥ ଅର୍ଥାତ୍ ଭବିଷ୍ୟ ଦୃଷ୍ଟିରୁ ଯଦି ଭେଟୋଧାରୀମାନେ ଭେଟୋ କ୍ଷମତାର ପ୍ରୟୋଗ କରିଥାନ୍ତେ, ତେବେ ମାନବସମାଜର ଅଗ୍ରଗତି ଏବଂ ଏକତ୍ୱବିଧାନରେ ଏମାନେ ନିଶ୍ଚୟ ଅନେକ ସହାୟତା କରିପାରିଥାନ୍ତେ । ମାତ୍ର ଭେଟୋଗୁଡ଼ାକ କେବଳ ସ୍ୱାର୍ଥଗୁଡ଼ାକର ରକ୍ଷା ଲାଗିହିଁ ପ୍ରୟୋଗ ହେଲା । ଯୁଦ୍ଧ ସରିବାବେଳେ ପାଞ୍ଚୋଟିଯାକ ବିଜେତା ଗୋଟାଏ ପକ୍ଷରେ ଥିଲେ, ମାତ୍ର କ୍ରମେ ଦୁଇ ପକ୍ଷରେ ବିଭକ୍ତ ହୋଇଗଲେ । ଦୁଇପକ୍ଷ ତିନିପକ୍ଷ ହେଲା । ତେଣୁ ବର୍ତ୍ତମାନ ଭେଟୋର ଦ୍ୱାହିଦେଇ ଏମାନେ ପୃଥିବୀର ଭାଗ୍ୟକୁ ତିନି ଆଡ଼କୁ ଟାଣିବାରେ ଲାଗିଛନ୍ତି, ବିଶ୍ୱର ଅନେକ ସ୍ୱାଭାବିକ ବିବର୍ତ୍ତନକୁ ବଡ଼ ଦୌରାତ୍ମ୍ୟପୂର୍ଣ୍ଣ ଭାବରେ ଅଟକାଇ ବି ରଖିଛନ୍ତି । ପୃଥିବୀରେ ଏହି ପାଞ୍ଚୋଟି ଦେଶ ହାତରେ ସବୁଠାରୁ ଅଧିକ ଅସ୍ତ୍ରଶସ୍ତ୍ର ରହିଛି, ପୃଥିବୀର ବଜାରରେ ଏହିମାନଙ୍କର ସୌଦାଗରୀ ସର୍ବପ୍ରତିପତ୍ତିଶାଳୀ ହୋଇଛି । ତା’ ନହେଲେ ଜାତିସଂଘର ସଦସ୍ୟ ଦେଶ ସମସ୍ତେ ମିଶି ଏହି ଭେଟୋ ଉପରେ କେଉଁଦିନୁ ବହୁମତର ବୃହତ୍ତର ଭେଟୋଟିକୁ ପ୍ରୟୋଗ କରି ସାରନ୍ତେଣି ଓ ନୂତନ ଔପନିବେଶିକତାର କୌଶଳଗୁଡ଼ାକ କେଉଁ ଦିନରୁ ପଣ୍ଡ ହୋଇ ସାରନ୍ତାଣି । ତେଣୁ ଭେଟୋର ବିଧାନଟି ବସ୍ତୁତଃ ଅଧିକ କ୍ଷମତାର ବିଧାନ ଉପରେ ପ୍ରତିଷ୍ଠିତ ହୋଇ ରହିଛି । ବୃହତ ଶକ୍ତିମାନଙ୍କର ମେଣ୍ଟ-ରାଜନୀତି ଓ ଅସ୍ତ୍ରାଗାରଶକ୍ତି ଏହି ପରିସ୍ଥିତିକୁ ଆହୁରି ଅଧିକ ବିକଟ ଓ ଧୂମ୍ରକରି ରହିଛି ।

 

ତେଣୁ ନିରାପତ୍ତା ପରିଷଦର ଦାୟିତ୍ୱ ଅନେକ । ସେହେତୁ ତା’ର ମହତ୍ତ୍ୱ ବି ଅନେକ; ମାତ୍ର ତା’ର ସମସ୍ୟା ମଧ୍ୟ ଅନେକ । ଭେଟୋର ସମସ୍ୟାଟି ହେଉଛି ତା’ର ଗୋଡ଼କୁ ପ୍ରାୟ ବାନ୍ଧିକରି ରଖିଥିବା ସର୍ବବୃହତ୍ ସମସ୍ୟା । ପ୍ରଥମ ପର୍ଯ୍ୟାୟରେ ଜାତିସଂଘରେ ମାତ୍ର ୫୦ଟି ସଭ୍ୟଦେଶ ରହିଥିଲେ, ବର୍ତ୍ତମାନ ୧୫୦ଜଣ ରହିଲେଣି । ଏମାନଙ୍କ ଭିତରୁ ଅଧିକାଂଶ ଦେଶ ଯେ ଭେଟୋର ପ୍ରୟୋଗକୁ ଗୋଟିଏ ଅନ୍ୟାୟ ଏବଂ ଅନ୍ଧ କ୍ଷମତା ବୋଲି ଭାବୁଛନ୍ତି, ସେଥିରେ କୌଣସି ସନ୍ଦେହ ନାହିଁ । ତେଣୁ ସେହି ଅନ୍ୟାୟଟିର ଦୂରୀକରଣ ଲାଗି ଜାତିସଂଘ ଆଗରେ କ’ଣ କୌଣସି ବାଟ ନାହିଁ ? ଏକଥା ସତ ଯେ ଭେଟୋ କ୍ଷମତାର ବିଧାନଟି ଜାତିସଂଘର ସମ୍ବିଧାନରେ ଲିପିବଦ୍ଧ ହୋଇ ରହିଛି । କିନ୍ତୁ ପ୍ରତ୍ୟେକ ଦେଶର ସମ୍ବିଧାନ ଯଦି ସେହି ଦେଶର ପରିବର୍ତ୍ତିତ ନାନା ଆବଶ୍ୟକତା ଅନୁସାରେ ବଦଳିଯାଇ ପାରୁଛି, ତେବେ ଜାତିମାନେ ପରସ୍ପର ସହିତ ଏକତ୍ର ହୋଇ ଯେଉଁ ଜାତିସଂଘର ଗଠନ କରିଛନ୍ତି ଓ ଯାହାଉପରେ ପାରସ୍ପରିକ ଅଭିବୃଦ୍ଧି ଲାଗି ଏତେ ବେଶୀ ନିର୍ଭର କରୁଛନ୍ତି, ତାହାର ସମ୍ବିଧାନଟା ବଦଳିଯାଇ ନପାରିବ ବା କାହିଁକି ?

 

ନିରାପତ୍ତା ପରିଷଦରେ ଭାରତବର୍ଷର ସଦସ୍ୟତା ହୁଏତ ଏହି ଦିଗରେ କିଛି ବାଟ ଫିଟାଇବାରେ ସାହାଯ୍ୟ କରିବ । ଏକଥା ସତ ଯେ ସେହି ପରିଷଦରେ ଯେଉଁମାନେ ଭେଟୋଦନ୍ତ ହୋଇ ବସିଛନ୍ତି, ସେମାନେ କଦାପି କୌଣସି ପରିବର୍ତ୍ତନ ଲାଗି ଇଚ୍ଛା କରିବେ ନାହିଁ । ଭାରତବର୍ଷ ଓ ମରିସସ୍‍କୁ ଛାଡ଼ିଦେଲେ ନିରାପତ୍ତା ପରିଷଦରେ ବର୍ତ୍ତମାନ ଯେଉଁ ଅନ୍ୟ ଆଠୋଟି ସଦସ୍ୟ ଦେଶ ଅଛନ୍ତି, ଆନ୍ତର୍ଜାତିକ ଅର୍ଥନୀତି ଓ ଅସ୍ତ୍ରନୀତିରେ ସେମାନେ ହୁଏତ ଯଥେଷ୍ଟ ପରିମାଣରେ ସ୍ୱାଧୀନ ହୋଇ ରହିନାହାନ୍ତି, ସେମାନଙ୍କର ବୈଦେଶିକ ନୀତିର ନିର୍ଦ୍ଧାରଣ କେତେକାଂଶରେ ସେମାନଙ୍କ ଅକ୍ତିଆର ବାହାରେ ରହିଛି । ଏହି ପରିସ୍ଥିତିହିଁ ପରିଷଦରେ ଭାରତବର୍ଷର ଉପସ୍ଥିତିର ମହତ୍ତ୍ୱଟିକୁ ଅନେକ ଅଧିକ ପରିମାଣରେ ବଢ଼ାଇ ଦେଉଛି । ତେଣୁ ଭାରତବର୍ଷ ଆଗାମୀ ଦୁଇବର୍ଷ ସେଠାରେ ଆପଣାର ସେହି ଦାୟିତ୍ୱଟି ବିଷୟରେହିଁ ଅଧିକ ସଚେତନ ହେବା ଦରକାର ।

ତା ୨୯.୧୦.୧୯୭୬ ରିଖ

Image

 

ନିଶ୍ଚିନ୍ତ ଦକ୍ଷିଣ ଆଫ୍ରିକା

 

ରୋଡ଼େସିଆରେ ପରିବତ୍ତର୍ନର ବନ୍ୟା ମାଡ଼ି ଆସିଲାଣି । ସେଠାରେ ଗତ ଦଶବର୍ଷ ଧରି ଏକତରଫା ଭାବରେ ଆପଣାକୁ ପ୍ରତିଷ୍ଠିତ କରି ରଖିଥିବା ପ୍ରତିନିଧିତ୍ୱହୀନ ସ୍ମିଥ୍ ସରକାର ବର୍ତ୍ତମାନ ବହୁସଂଖ୍ୟକ କୃଷ୍ଣାଙ୍ଗମାନଙ୍କ ଲାଗି ବାଟ ଛାଡ଼ିଦେବାକୁ ରାଜି ହୋଇଛନ୍ତି । ଯେଉଁ କାରଣରୁ ହୋଇଥାଉ ପଛକେ, ଗତ ଗୋଟିଏ ମାସ ଭିତରେ ଏହି ଘଟଣାଟି ଘଟିଛି ଏବଂ ସମସ୍ତ ପୃଥିବୀର ରାଜନୀତିରେ ତାହା ଏକ ନୂତନ ତତ୍ପରତା ସୃଷ୍ଟି କରିପାରିଛି । ପୁରୁଣା ଯାଇ କିପରି ନୂଆର ପ୍ରତିଷ୍ଠା ହେବ ଏବଂ ଏହି ପରିବର୍ତ୍ତନଟିକୁ କାର୍ଯ୍ୟକାରୀ କରିବାଲାଗି ସର୍ବପକ୍ଷ- ସ୍ୱୀକୃତ ମଧ୍ୟବର୍ତ୍ତୀ ବ୍ୟବସ୍ଥାଟିଏ କିପରି ସମ୍ଭବ ହୋଇପାରିବ, ସେଥିଲାଗି ସମ୍ପୃକ୍ତ ସମସ୍ତଙ୍କୁ ନେଇ ଜେନେଭାଠାରେ ସମ୍ମିଳନୀ ଡକାଯାଉଛି । ବର୍ତ୍ତମାନ ପୃଥିବୀରେ ସମସ୍ତଙ୍କର ଆଖି ଜେନେଭା ସମ୍ମିଳନୀ ଉପରେ ରହିଛି । ମାତ୍ର ଏହିସବୁ ପରିବର୍ତ୍ତନ ଫଳରେ ଯାହାର ଆଖି ସର୍ବପ୍ରଥମେ ଖୋଲିବା କଥା ଓ ଯାହାର ନିଦ ସର୍ବପ୍ରଥମେ ଭାଙ୍ଗିଯିବା କଥା, ସିଏ ତଥାପି ଶୋଇ ରହିଥିବାପରିହିଁ ମନେହେଉଛି । ତା’ର ଆଖି ତଥାପି ଖୋଲିନାହିଁ ବୋଲି ମନେହେଉଛି ।

 

ରୋଡ଼େସିଆର ପଡ଼ୋଶୀ ରାଷ୍ଟ୍ର ହେଉଛି ଦକ୍ଷିଣ ଆଫ୍ରିକା, ଯାହାକୁ ରାଜନୀତିର ମାନଚିତ୍ର ଅନୁସାରେ ପ୍ରାୟ ଅଭ୍ୟସ୍ତ ଭାବରେ ଦକ୍ଷିଣ ଆଫ୍ରିକାର ସାଧାରଣତନ୍ତ୍ର ବୋଲି କୁହାହୋଇ ଆସିଛି । ଦକ୍ଷିଣ ଆଫ୍ରିକାର ପ୍ରଧାନମନ୍ତ୍ରୀ ନିକଟରେ ସାମ୍ବାଦିକମାନଙ୍କ ଆଗରେ ଗୋଟିଏ ବିବୃତ୍ତି ଦେଇ କହିଛନ୍ତି ଯେ ରୋଡ଼େସିଆରେ ଯେଉଁସବୁ ପରିବର୍ତ୍ତନ ହେବବୋଲି ପ୍ରାଥମିକ ରାଜିନାମା ହୋଇଗଲାଣି ଓ ଅବିଳମ୍ବେ ଆହୁରି ଅନେକ ରାଜିନାମା ହେବାକୁ ଯାଉଛି, ଦକ୍ଷିଣ ଆଫ୍ରିକା ସରକାରଙ୍କ ସେଥିରେ ଚିନ୍ତିତ ହେବାର ଆଦୌ କୌଣସି କାରଣ ନାହିଁ । ଅର୍ଥାତ୍ ରୋଡ଼େସିଆରେ ଯେଉଁ ପରିବର୍ତ୍ତନଟି ହେବ ବୋଲି ବିଶ୍ୱବାସୀ ଅପେକ୍ଷା କରି ରହିଛନ୍ତି, ତାହାର କୌଣସି ଆଘାତ ଦକ୍ଷିଣ ଆଫ୍ରିକାର ରାଷ୍ଟ୍ର ଓ ରାଜନୀତିର ବ୍ୟବସ୍ଥା ଉପରେ ଯାଇ ବାଜିବ ବୋଲି ଶ୍ରୀଯୁକ୍ତ ଫର୍ଷ୍ଟର ମୋଟେ ଆଶଙ୍କା କରୁନାହାନ୍ତି । ଯେଉଁମାନେ କ୍ଷମତାରେ ରହିଥାନ୍ତି, ବିଶେଷକରି ଚିରଦିନ ସକାଶେ ସେହି କ୍ଷମତାରେ ସ୍ଥାୟୀ ହୋଇ ରହିବେ ବୋଲି ଅତ୍ୟନ୍ତ ନିଷ୍ଠାର ସହିତ ବିଶ୍ୱାସ କରୁଥାନ୍ତି, ସେମାନେ ପ୍ରାୟ ସବୁଦିନେ ଏହିପରି ବିଚିତ୍ର ପ୍ରକାରେ ଆଚରଣ କରିଥାନ୍ତି । ଘର ଭୁଷୁଡ଼ି ନ ପଡ଼ିଲା ପର୍ଯ୍ୟନ୍ତ ସେମାନେ ଚତୁର୍ଦ୍ଦିଗରୁ ମାଡ଼ି ଆସୁଥିବା ପାଣିକୁ ମୋଟେ ବିଶ୍ୱାସ କରି ପାରନ୍ତି ନାହିଁ । ଦକ୍ଷିଣ ଆଫ୍ରିକାର ବର୍ଣ୍ଣଦ୍ୱେଷୀ ପ୍ରଧାନମନ୍ତ୍ରୀ ସେହି ବିଚିତ୍ର ଆଚରଣରହିଁ ଏକ ପ୍ରମାଣ ଦେଖାଇଛନ୍ତି ।

 

ରୋଡ଼େସିଆରେ ଏକ ପରିବର୍ତ୍ତନ ଘଟିବାକୁ ଯାଉଥିବାର ପ୍ରତ୍ୟୟ ଦେବା ଭଳି ସେଠାରେ ଘଟଣାଚକ୍ରର ମଙ୍ଗଟି ଯେପରି ଭାବରେ ମୋଡ଼ି ହୋଇଯାଇଛି, ତାହାର ପ୍ରକୃତ ଫଳାଫଳ ଏକାଧିକ ବିଷୟ ଉପରେ ନିର୍ଭର କରୁଛି । ଜେନେଭା ସମ୍ମିଳନୀ ସଫଳ ହୋଇପାରେ, ବିଫଳ ବି ହୋଇପାରେ । ତେଣୁ ଆମେ ଅନେକେ ରୋଡ଼େସିଆରେ ଏକ ରାଜନୀତିକ ପରିବର୍ତ୍ତନ ଆସି ସାକାର ହୋଇଯିବ ବୋଲି ଯେ ଆଶା କରି ବସିଛୁ, ସେହି ପରିବର୍ତ୍ତନ ହୁଏତ ଏତେ ଶୀଘ୍ର ଆସି ନପାରେ । ପୃଥିବୀର ବୃହତ୍‍ଶକ୍ତି ଆଫ୍ରିକାର ଅସଲ ଆକାଙ୍‌କ୍ଷାଗୁଡ଼ିକୁ ଧୋକା ଦେବା ପାଇଁ ହୁଏତ ଆହୁରି କିଛି ନୂତନ ଚକ୍ରାନ୍ତ ବି କରିପାରନ୍ତି । ମାତ୍ର ଗୋଟିଏ କଥା ତଥାପି ଏକାନ୍ତ ସତ୍ୟ ଯେ ରୋଡ଼େସିଆରେ ଯାହା ହେଉ ପଛକେ, ଚକ ଆଉ କଦାପି ଲେଉଟି ଘୁରିବ ନାହିଁ । ଅର୍ଥାତ୍ ସେହି ଦେଶର ଶାସନ ଏବଂ ବ୍ୟବସ୍ଥା ନାମରେ ଯେଉଁ ଅନ୍ୟାୟ କେତେକ ବୃହତଶକ୍ତିଙ୍କର ପ୍ରାୟ ଏକ ସହାନୁଭୂତିପୂର୍ଣ୍ଣ ଉପେକ୍ଷା ସହିତ ଚାଲି ଆସିଥିଲା, ରୋଡ଼େସିଆର କୃଷ୍ଣକାୟମାନେ ତାହାକୁ ଆଉ କଦାପି ସ୍ୱୀକାର କରି ନେବେ ନାହିଁ ।

 

ତେଣୁ ଜେନେଭା ସମ୍ମିଳନୀ ବିଫଳ ହେଲେ ମୁକ୍ତିସଂଗ୍ରାମ ଆହୁରି ପ୍ରଚଣ୍ଡ ହେବ, ଆହୁରି ଶକ୍ତିଶାଳୀ ବି ହେବ । ସମଗ୍ର ତୃତୀୟ ପୃଥିବୀର ସମର୍ଥନ ଏହି ସଂଗ୍ରାମ ପଛରେ ରହିବ । ଆଫ୍ରିକାର ବିଭିନ୍ନ ରାଷ୍ଟ୍ର ମଧ୍ୟରେ ଅନ୍ୟାନ୍ୟ କ୍ଷେତ୍ରରେ ଯାହାକିଛି ମତଭେଦ ରହିଥାଉ ପଛକେ, ସେମାନେ ପ୍ରାୟ ସମସ୍ତେ ଅଳ୍ପ ଅଥବା ଅଧିକ ସକ୍ରିୟ ଭାବରେ ଏହି ସଂଗ୍ରାମଟିକୁ ସାହାଯ୍ୟ କରିବେ । ଏବଂ ସେହି ସଂଗ୍ରାମ କେବଳ ରୋଡ଼େସିଆ ମଧ୍ୟରେ କଦାପି ସୀମାବଦ୍ଧ ହୋଇ ରହିବ ନାହିଁ । ବର୍ଣ୍ଣବିଦ୍ୱେଷର ଅସଲ ମଞ୍ଜି ଯେଉଁ ଦକ୍ଷିଣ ଆଫ୍ରିକାରେ ପୋତା ହୋଇଛି ଓ ଯେଉଁଠାରୁ ପ୍ରଶ୍ରୟର ଚେରଗୁଡ଼ାକ ଯାଇ ରୋଡ଼େସିଆରେ ମଧ୍ୟ ମାଡ଼ିଛି, ରୋଡ଼େସିଆରେ ଶ୍ରୀଯୁକ୍ତ ସ୍ମିଥ୍‍ଙ୍କୁ ଗତ ଦଶବର୍ଷ ହେଲା ହିମ୍ମତ ଯୋଗାଇଆସିଛି, ସଂଗ୍ରାମର ନିଆଁ ସେଠିକୁ ମଧ୍ୟ ବ୍ୟାପିଯିବ । ଗତ କେତେ ମାସ ହେଲା ଦକ୍ଷିଣ ଆଫ୍ରିକାର ନାନା ସ୍ଥାନରେ ସେହି କଥାଟିରହିଁ ସୂଚନା ମିଳୁଥିଲା । ଏବଂ ଅନ୍ୟ ପକ୍ଷରେ ଯଦି ଜେନେଭା ସମ୍ମିଳନୀ ସଫଳ ହୁଏ, ଅର୍ଥାତ୍ ଯଦି ରୋଡ଼େସିଆରେ ପ୍ରକୃତ ପ୍ରତିନିଧି ଶାସନର ପ୍ରତିଷ୍ଠା ହୁଏ, ତେବେ ଦକ୍ଷିଣ ଆଫ୍ରିକାର ଅନ୍ୟାୟ ଅଟ୍ଟାଳିକାଟି ଭୁଷୁଡ଼ି ପଡ଼ିବା ଲାଗି ମଧ୍ୟ ଆଉ କଦାପି ଅନେକ ସମୟ ଲାଗିବ ନାହିଁ । ତେଣୁ ଯଦି ଶ୍ରୀଯୁକ୍ତ ଫର୍ଷ୍ଟର୍ ପରିବର୍ତ୍ତନଟିକୁ ସ୍ୱୀକାର କରିନେବାକୁ ମନେ ମନେ ପ୍ରସ୍ତୁତ ହୋଇ ନ ଯାଇଥାନ୍ତି, ତେବେ ରୋଡ଼େସିଆରେ ଘଟି ଯାଇଥିବା ଘଟଣାଗୁଡ଼ିକ ବିଷୟରେ ତାଙ୍କର ଚିନ୍ତା କରିବାର ନିଶ୍ଚୟ ଯଥେଷ୍ଟ କାରଣ ରହିଛି ।

ତା ୩୦.୧୦.୧୯୭୬ ରିଖ

Image

 

ଅସ୍ତ୍ରଯୋଗାଣରୁ ରାଜନୀତି

 

ପୃଥିବୀର ବୃହତ୍‍ଶକ୍ତିମାନେ ବିଭିନ୍ନ ଦେଶକୁ ଯେପରି ଭାବେ ଅସ୍ତ୍ରଶସ୍ତ୍ର ଯୋଗାଇ ଦେବାରେ ଲାଗିଛନ୍ତି, ସେଇଥିରୁ କ’ଣ ପୃଥିବୀରେ ରାଜନୀତିର କ୍ଷେତ୍ରରେ ରହିଥିବା ସମସ୍ୟାଗୁଡ଼ାକ କ୍ରମଶଃ ଅଧିକରୁ ଅଧିକ ଜଟିଳ ହେବାରେ ଲାଗିଛି କି ? ପୃଥିବୀର ଯେଉଁସବୁ ଅଞ୍ଚଳରେ ସାନବଡ଼ ଯୁଦ୍ଧମାନ ଲାଗିଛି ବା ଯେକୌଣସି ସମୟରେ ଯୁଦ୍ଧ ଲାଗିଯିବାର ଯାବତୀୟ ଉତ୍ତେଜନାଗୁଡ଼ିକୁ ସୃଷ୍ଟି କରାହୋଇ ରଖାଯାଇଛି, ସେହିସବୁ ଅଞ୍ଚଳରେ ବଡ଼ ସହଜରେ ଅସ୍ତ୍ରଗୁଡ଼ାକୁ ନେଇ ଯୋଗାଇ ଦେବାଦ୍ୱାରା ଆଉ ଏପରି ହେଉଛି କି ? ବୃହତ୍‍ଶକ୍ତିମାନେ ଯେ ଆମ ପୃଥିବୀରେ ଶାନ୍ତିରକ୍ଷା କରିବା ଲାଗି ବିଭିନ୍ନ ଦେଶକୁ ଅସ୍ତ୍ରଗୁଡ଼ାକୁ ଯୋଗାଇ ଦେଉଛନ୍ତି, ସେକଥା ଆଦୌ ନୁହେଁ-। ସେମାନେ ଅସ୍ତ୍ରଶସ୍ତ୍ରରେ ବାଣିଜ୍ୟ କରୁଛନ୍ତି । ଅସ୍ତ୍ରଶସ୍ତ୍ରର ଉତ୍ପାଦନ ଓ ଅସ୍ତ୍ରଶସ୍ତ୍ରର ରପ୍ତାନି ସେମାନଙ୍କର ସମଗ୍ର ଜାତୀୟ ଅର୍ଥନୀତି ମଧ୍ୟରେ ଏକ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ଅଙ୍ଗ ହୋଇ ରହିଛି, ଯେଉଁଠି ତାହା ନ ରହିଲେ ବି ସେମାନଙ୍କ ସମଗ୍ର ଅର୍ଥନୀତିଟି ମଧ୍ୟ ଭୁଷୁଡ଼ି ପଡ଼ିବାର ଯଥେଷ୍ଟ ଆଶଙ୍କା ରହିଛି । ଆଗେ ସାମ୍ରାଜ୍ୟବାଦୀ ଦେଶଗୁଡ଼ାକର ଅର୍ଥନୀତିକୁ ସଚଳକରି ରଖିବାଲାଗି ଯେପରି ଉପନିବେଶଗୁଡ଼ାକର ଏକାନ୍ତ ଆବଶ୍ୟକତା ରହିଥିଲା, ଏବେ ଅନେକ ଦେଶରେ ରାଷ୍ଟ୍ରୀୟ ସମସ୍ତ ଅର୍ଥନୀତିଟିକୁ ଭାରସାମ୍ୟ ମଧ୍ୟରେ ରଖିବା ଲାଗି ସମ୍ଭବତଃ ଅସ୍ତ୍ରଶସ୍ତ୍ରର ଉତ୍ପାଦନ ଓ ଅସ୍ତ୍ରଶସ୍ତ୍ରର ରପ୍ତାନି ପ୍ରାୟ ଅପରିହାର୍ଯ୍ୟ ହୋଇ ପଡ଼ିଛି ଏବଂ ଏହିପରି ଭାବରେ ଯନ୍ତ୍ରଟିକୁ ଚାଲୁରଖିବା ଲାଗି ବୃହତ୍‍ଶକ୍ତିମାନଙ୍କୁ କୂଟନୀତିର ନାନାବିଧ ବୁଦ୍ଧିର ପ୍ରୟୋଗ କରି ବଜାର ଖୋଜିବାକୁ ପଡ଼ୁଛି, ଚାହିଦାମାନ ସୃଷ୍ଟି କରିବାକୁ ପଡ଼ୁଛି ଏବଂ ପ୍ରୟୋଜନ ପଡ଼ିଲେ ପୃଥିବୀରେ ନାନା କ୍ଷେତ୍ରରେ ଉତ୍ତେଜନାମାନ ଭିଆଇବାକୁ ପଡ଼ୁଛି ।

 

ଯୁକ୍ତରାଜ୍ୟ ଆମେରିକାର ହିସାବ ବା ଇସ୍ତାହାର ଅନୁସାରେ ୧୯୭୦ ମସିହାରେ ଆମେରିକାରୁ ପୃଥିବୀର ଭିନ୍ନ ଭିନ୍ନ ଦେଶକୁ ସର୍ବମୋଟ ବୟାନବେ କୋଟିରୁ କିଛି ଅଧିକ ଡଲାର ମୂଲ୍ୟର ଅସ୍ତ୍ରଶସ୍ତ୍ର ଯୋଗାଣ ହୋଇଥିଲା । ଏହି ଅସ୍ତ୍ର ଯୋଗାଣର ପରିମାଣ ବୃଦ୍ଧି ପାଇ ୧୯୭୩ ମସିହା ବେଳକୁ ତିନିଶହ ପଚାଶ କୋଟି ଡଲାର ହେଲା ଏବଂ ୧୯୭୫ ମସିହାରେ ତାହା ଆହୁରି ବଢ଼ି ବାର୍ଷିକ ହଜାର କୋଟି ଡଲାରକୁ ମଧ୍ୟ ସ୍ପର୍ଶ କରିପାରିଥିଲା । ଆମେରିକା ତରଫରୁ ସମଗ୍ର ପୃଥିବୀକୁ ଯେତେ ଅସ୍ତ୍ରଯୋଗାଣ ହୋଇଥିଲା, ତାହାର ଅଧେ କେବଳ ମଧ୍ୟପ୍ରାଚ୍ୟର ବିଭିନ୍ନ ଦେଶକୁ ଯାଇଥିଲା । ୧୯୭୫ର ହିସାବ ଅନୁସାରେ ଇରାନ ଆମେରିକାଠାରୁ ସେହି ବର୍ଷ ୨୬୦ କୋଟି ଡଲାର ମୂଲ୍ୟର ଅସ୍ତ୍ରଶସ୍ତ୍ର ଆଣିଥିଲା; ସାଉଦି ଆରବ ୧୪୦ କୋଟି ଡଲାର ମୂଲ୍ୟର ଅସ୍ତ୍ର ସଉଦା କରିଥିଲା; ଇସ୍ରାଏଲ ୮୭ କୋଟି ଡଲାରର ଅସ୍ତ୍ରଶସ୍ତ୍ର ଆଣିଥିଲା ଏବଂ କୁଓ୍ୱେଟ ୩୭ କୋଟି ଡଲାରର ଅସ୍ତ୍ରଶସ୍ତ୍ର ଆମଦାନୀ କରିଥିଲା । ୧୯୭୪ ମସିହା ସମ୍ପର୍କରେ ରହିଥିବା ଆମେରିକା ସରକାରଙ୍କର ହିସାବରୁ ଆମକୁ ଜାଣିବାକୁ ମିଳୁଛି ଯେ ସେହିବର୍ଷ ଆମେରିକା ପୃଥିବୀର ସର୍ବମୋଟ ୧୩୬ଟି ଦେଶକୁ ଅସ୍ତ୍ରଶସ୍ତ୍ର ଯୋଗାଇଥିଲା । ଏହି ତାଲିକାଟି ଭିତରେ ଚିଲି ଥିଲା, ଦକ୍ଷିଣ କୋରିଆ ବି ରହିଥିଲା ।

 

ଅସ୍ତ୍ରଶସ୍ତ୍ର ଯୋଗାଣଦ୍ୱାରା ପୃଥିବୀ ଶାନ୍ତିପ୍ରତିଷ୍ଠା ଦିଗରେ ଅଧିକ ଅଗ୍ରସର ହୋଇଛି ବା ପୃଥିବୀରେ ଉତ୍ତେଜନାଗୁଡ଼ାକୁ ଜାଣିଶୁଣି ଅଧିକ ଉତ୍ତେଜିତ ରଖିବାରେ ଏଥିରୁ ପ୍ରୋତ୍ସାହନ ମିଳିଛି, ଏହି ବିଷୟରେ ନିଶ୍ଚୟ ମତଭେଦ ରହିବ । ଆନ୍ତର୍ଜାତିକ ଶାନ୍ତି ବିଷୟରେ ବିଭିନ୍ନ ଶିବିରରେ ମତଭେଦ ରହିଥିବାରୁହିଁ ଏପରି ହେବ । ମାତ୍ର ଗୋଟିଏ କଥା ଆମେ ପ୍ରାୟ ନିଶ୍ଚିତ ଭାବରେ କହିଦେଇ ପାରିବା ଯେ ଆନ୍ତର୍ଜାତିକ ଶାନ୍ତି ଓ ଆନ୍ତର୍ଜାତିକ ଉତ୍ତେଜନାର ସମସ୍ୟା ଗୁଡ଼ାକ ଯେଉଁଦିନ ଠାରୁ ବୃହତ୍‍ଶକ୍ତି ରାଜନୀତି ଅର୍ଥାତ୍ ବୃହତ୍‍ଶକ୍ତି ସ୍ୱାର୍ଥର ଏକ ଅଙ୍ଗ ହୋଇ ରହିବାକୁ ଆରମ୍ଭ କଲାଣି, ସେହି ଦିନଠାରୁ ଆମ ପୃଥିବୀରେ ଉତ୍ତେଜନା ଗୁଡ଼ାକହିଁ ଯେପରି ଭାରି ନିତ୍ୟନୈମିତ୍ତିକ ହୋଇଗଲାଣି । କୌଣସି ସ୍ଥାନୀୟ ଉତ୍ତେଜନାର ସମାଧାନ ଆଉ ସେହି ଅଞ୍ଚଳରେ ଥିବା ଦେଶଗୁଡ଼ିକର ମତି ବା ଇଚ୍ଛା ଉପରେ ମୋଟେ ନିର୍ଭର କରୁନାହିଁ । ଗଣ୍ଠିକୁ ଗଣ୍ଠି ଯୋଡ଼ାହୋଇ ରହିଛି, ରାଜନୀତିକ ସମସ୍ୟାଗୁଡ଼ାକ ଅର୍ଥନୈତିକ ବଜାର ଓ କାରବାର ସହିତ ଜଡ଼ିତ ହୋଇ ରହିଛି । ବୃହତ୍ ଶକ୍ତିଗୁଡ଼ାକ ନିଜ ନିଜର ବୃହତ୍‍ଶକ୍ତିପଣ ନ ଛାଡ଼ିବା ପର୍ଯ୍ୟନ୍ତ ଓ ଆପଣାକୁ ସମଗ୍ର ବିଶ୍ୱର ଭାଗ୍ୟ ସହିତ ସମ୍ମିଳିତ ନ କରିବା ପର୍ଯ୍ୟନ୍ତ, ଯେତେ ସ୍ଥାନୀୟ ଓ ସାନ ହୋଇଥିଲେ ମଧ୍ୟ ପୃଥିବୀର କୌଣସି ସମସ୍ୟାର ସତେ ଅବା କୌଣସି ସମାଧାନ ଆଉ ହୋଇ ପାରିବ ନାହିଁ ବୋଲି ଆଶଙ୍କା ମଧ୍ୟ ହେଉଛି ।

 

ଏବଂ ଏହି ଅସ୍ତ୍ରଶସ୍ତ୍ର ଯୋଗାଣ ଓ ଅସ୍ତ୍ରଶସ୍ତ୍ରର ଅର୍ଥନୀତି ଫଳରେ ପୃଥିବୀର ଅନେକ ଅନେକ ଦେଶରେ ରାଜନୀତିକ ଚେତନା ଏବଂ ରାଜନୀତିକ ବିକାଶର ସ୍ୱାଭାବିକ ଧାରାଟିକୁ ଯେପରି ବଡ଼ ଅଭିସନ୍ଧିମୂଳକ ଭାବରେ ଅଟକାଇ ରଖାଯାଇଛି । ପୃଥିବୀର ବିଭିନ୍ନ ଦେଶରେ ଯେଉଁମାନେ କ୍ଷମତାରେ ଅଛନ୍ତି, ସେହିମାନଙ୍କୁ ଅସ୍ତ୍ର ଯୋଗାଇ ଦେଇ ସେମାନଙ୍କର ଆସନଗୁଡ଼ାକୁ ଆହୁରି ଦୃଢ଼କରି ରଖାଯାଉଛି । ଅସ୍ତ୍ରର ସାହାଯ୍ୟ ଗ୍ରହଣ କରୁଥିବା ଅନେକ ଦେଶରେ ପୁରୁଣାଟାହିଁ କ୍ଷମତାରେ ରହିଛି, ସାମନ୍ତବାଦୀ ଆଖଡ଼ାଗୁଡ଼ାକହିଁ ଅନେକ ସ୍ଥାନରେ ଆପଣାକୁ ରାଷ୍ଟ୍ରବୋଲି ଜାରି କରି ରଖିଛନ୍ତି । ଏବଂ ଅଧିକାଂଶ ସ୍ଥଳରେ ଆପଣାକୁ ଦୃଢ଼ତର ଭାବରେ ପ୍ରତିଷ୍ଠିତ କରି ରଖିବାକୁହିଁ ସେହି ଅନାବଶ୍ୟକ ସାମନ୍ତମାନେ ଆପଣାର ବହିଃଲବ୍‍ଧ ଅସ୍ତ୍ରଶକ୍ତିଟିକୁ ବ୍ୟବହାର କରିବାରେ ଲାଗିଛନ୍ତି । ଦ୍ୱିତୀୟ ମହାଯୁଦ୍ଧ ପରେ ପୃଥିବୀର ଅନେକ ଦେଶରେ ଏକ ରାଜନୀତିକ ପରିବର୍ତ୍ତନ ଘଟିଥିବା ପରି ରାଜନୀତିକ ଚେତନାର ସ୍ୱାଭାବିକ ବୃଦ୍ଧି ସଙ୍ଗେ ସଙ୍ଗେ ଏକ ସାମାଜିକ ପରିବର୍ତ୍ତନ ମଧ୍ୟ ଘଟିଥାନ୍ତା । ମାତ୍ର ତାହା ସମ୍ଭବ ହୋଇପାରି ନାହିଁ । ପ୍ରତିଷ୍ଠିତ କ୍ଷମତାଗୁଡ଼ାକୁ ଅସ୍ତ୍ରଶସ୍ତ୍ରଦ୍ୱାରା ସଜ୍ଜିତ ରହି ଅନେକ ଆବଶ୍ୟକ ବିବର୍ତ୍ତନକୁ ଭୟଭୀତ କରି ରଖିଛନ୍ତି । ଏବଂ କୌଣସି ଆଦର୍ଶର ପ୍ରେରଣା ହେତୁ ନୁହେଁ, ଆପଣାର ସ୍ୱାର୍ଥଗୁଡ଼ିକର ସଂରକ୍ଷଣ ଏବଂ ସଂପ୍ରସାରଣ କରିହିଁ ବୃହତ୍‍ଶକ୍ତିମାନେ ଏପରି ଏକ ଭୂମିକା ଗ୍ରହଣ କରିଛନ୍ତି । ପରିସ୍ଥିତିଗୁଡ଼ାକ ଅଧିକ ଅସ୍ୱାଭାବିକ ହେବାରେ ଲାଗିଛି । ପୃଥିବୀର ଭାଗ୍ୟ ଉପରେ ବଣିକର ବଣିକଗିରି ରାଜା ହୋଇ ବସିଛି । ତେଣୁ ଏହି ସମସ୍ୟାଟି ବଡ଼ ଚିନ୍ତାର କାରଣ ହୋଇପଡ଼ିଛି ।

ତା ୩୧.୧୦.୧୯୭୬ ରିଖ

Image

 

ସାଦାତ୍ ରହିଲେ

 

ମିଶରର ରାଷ୍ଟ୍ରପତି ସାଦାତ୍ ଆହୁରି ଛଅବର୍ଷ ଲାଗି ମିଶରର ରାଷ୍ଟ୍ରପତିରୂପେ ନିର୍ବାଚିତ ହେଲେ । ଏବେ ମିଶରରେ ଅନୁଷ୍ଠିତ ହୋଇଥିବା ଏକ ଗଣଭୋଟରେ ସିଏ ଶତକଡ଼ା ୯୯ଦଶମିକ ୯୯ଭାଗ ଲୋକସମର୍ଥନ ଲାଭ କରିଛନ୍ତି ବୋଲି ମିଶର ସରକାରଙ୍କଦ୍ୱାରା ପ୍ରକାଶିତ ଏକ ଘୋଷଣାରୁ ଜଣାଯାଇଛି ।

 

ଅବଦୁଲ ଗାମେଲ୍ ନାସେର ମିଶରର ରାଷ୍ଟ୍ରପତି ଥିବାବେଳେ ଶ୍ରୀଯୁକ୍ତ ଅନଓ୍ୱାର୍ ସାଦାତ୍ ଉପରାଷ୍ଟ୍ରପତି ଥିଲେ । ତା ପୂର୍ବରୁ ସେନାବାହିନୀରେ ସୈନ୍ୟାଧ୍ୟକ୍ଷ ଥିଲେ, ମିଶର ତରଫରୁ ଏକାଧିକ ଯୁଦ୍ଧ ଲଢ଼ିଥିଲେ; ଶତ୍ରୁପକ୍ଷଦ୍ୱାରା ଥରେ ବନ୍ଦୀ ବି ହୋଇଥିଲେ । ଶ୍ରୀଯୁକ୍ତ ନାସେର ବଞ୍ଚିଥିବା ସମୟରୁହିଁ ତାଙ୍କୁ ଆପଣାର ଉତ୍ତରାଧିକାରୀରୂପେ ଭାବି ସାରିଥିଲେ । ମାତ୍ର ସାଦାତ୍ କୌଣସି କାରଣରୁ ରାଜନୀତି ଭିତରେ ରହିବେନାହିଁ ବୋଲି ଠିକ୍‍କରି ନେଇଥିଲେ । ୧୯୬୮ ମସିହାରେ ଅର୍ଥାତ୍ ତାଙ୍କୁ ଠିକ୍ ପଚାଶବର୍ଷ ପୂରିବାପରେ ସିଏ ରାଜନୀତି ଅର୍ଥାତ୍ ସାଧାରଣ ଜୀବନରୁ ଅବସର ଗ୍ରହଣ କରିବେ ବୋଲି ସେତିକିବେଳୁ ନାସେରଙ୍କୁ କହି ରଖିଥିଲେ । ୧୯୬୮ମସିହା ଆସିଲା, ସେତେବେଳେ ନାସେର ଜୀବଦ୍ଦଶାରେ ଥିଲେ । ୧୯୬୭ ଯୁଦ୍ଧରେ ମିଶର ଇସ୍ରାଏଲ ହାତରେ ବଡ଼ ଶୋଚନୀୟ ଭାବରେ ପରାସ୍ତ ହୋଇଥିଲା । ନାସେର ଆଉ ସାଦାତ୍‌ଙ୍କୁ ଛାଡ଼ି ପାରିଲେନାହିଁ । ସାଦାତ୍ ଅବ୍ୟାହତି ନେଉ ନେଉ ଲାଖିକରି ରହିଗଲେ ।

 

ନାସେରଙ୍କର ମୃତ୍ୟୁ ପରେ ସାଦାତ୍ହିଁ ମିଶରର ରାଷ୍ଟ୍ରପତି ହେଲେ । ଛଅବର୍ଷ ରାଷ୍ଟ୍ରପତି ହୋଇ ରହିବା ପରେ ଯିଏ ଏବେ ପୁନର୍ବାର ସେହି ପଦକୁ ନିର୍ବାଚିତ ହୋଇଛନ୍ତି । ଗାମେଲ ନାସେର ମିଶରର ରାଷ୍ଟ୍ରପତି ହୋଇ ରହିଥିବା ସମୟରେ ସିଏ କେବଳ ଗୋଟିଏ ଦେଶର ରାଷ୍ଟ୍ରପତି ବା ସର୍ବମୁଖ୍ୟ ଶାସକ ନଥିଲେ । ସିଏ ଜନନାୟକ ଥିଲେ, ଆରବ ଜଗତର ଜଣେ ସର୍ବସ୍ୱୀକୃତ ନେତାଥିଲେ ଏବଂ ଗୋଷ୍ଠୀନିରପେକ୍ଷ ଦେଶଗୁଡ଼ିକର ଶିବିରର ଜଣେ ପ୍ରତିଷ୍ଠାତା ବି ଥିଲେ । ମେଣ୍ଟଗୁଡ଼ାକର ବ୍ୟୂହକୁ ଭାଙ୍ଗି, ମେଣ୍ଟଭିତରେ ନପଶିଲେ ସାନ ସାନ ଦେଶ ଏବଂ ନୂତନକରି ସ୍ୱାଧୀନତାଲାଭ କରିଥିବା ଦେଶଗୁଡ଼ାକ ଯେ କଦାପି ତିଷ୍ଠିପାରିବେନାହିଁ, ପୃଥିବୀରେ ସେତେବେଳେ ଦୃଢ଼ ପ୍ରତିଷ୍ଠିତ ହୋଇ ରହିଥିବା ଏହି ଭ୍ରମଟିକୁ ଅସ୍ୱୀକାର କରି ଯେଉଁ କେତେଜଣ ରାଜନୀତିକ ରାଷ୍ଟ୍ରନେତା ଗୋଷ୍ଠୀ ନିରପେକ୍ଷତାର ଅନ୍ୟମାର୍ଗଟିକୁ ଆବିଷ୍କାର କରିଥିଲେ ଓ ତାହାକୁ ଏକ ବାସ୍ତବ ରୂପ ଦେଇ ପାରିଥିଲେ, ଶ୍ରୀଯୁକ୍ତ ନାସେର ସେମାନଙ୍କ ମଧ୍ୟରେ ଜଣେ ଅନ୍ୟତମ ତୁଙ୍ଗ ନେତା ହୋଇ ରହିଥିଲେ । ଅନଓ୍ୱାର ସାଦାତ୍ ଯେ ଗାମେଲ ନାସେରଙ୍କର ସେହିସବୁ ଶୂନ୍ୟସ୍ଥାନଗୁଡ଼ାକୁ ପୂର୍ଣ୍ଣକରି ପାରିଲେ ନାହିଁ ଏହା ଏକ ସର୍ବବିଦିତ କଥା ଏବଂ ଆନ୍ତର୍ଜାତିକ କ୍ଷେତ୍ରରେ ସେତେବେଳେ ମିଶରର ଯେଉଁ ସ୍ଥାନ ଥିଲା, ସାଦାତ୍‌ଙ୍କ ଅମଳରେ ତାହା ଯେ ଆଉ ରହିଲାନାହିଁ, ସେକଥା ମଧ୍ୟ ନିଶ୍ଚୟ ଅନସ୍ୱୀକାର୍ଯ୍ୟ । ଆରବ ଜଗତ ଯେ ଆଜି ଖଣ୍ଡ ଖଣ୍ଡ ହୋଇଯାଇଛି ଏବଂ ବର୍ତ୍ତମାନ ପରିସ୍ଥିତିରେ ମିଶର ଯେ ତାହାକୁ ପୁଣି ସଜାଡ଼ି ଆଣିବାରେ ପ୍ରକୃତରେ ଆଉ କଦାପି କୌଣସି ମୀମାଂସକ ସ୍ଥାନ ଗ୍ରହଣକରି ପାରିବନାହିଁ, ଆମେ ପ୍ରାୟ ଆଖିବୁଜି ମଧ୍ୟ ସେହି କଥାଟିକୁ କହିଦେଇ ପାରିବା । ନାସେରଙ୍କ ସମୟରେ ଆରବ ଜଗତରେ ଅର୍ଥାତ୍ ମଧ୍ୟପ୍ରାଚ୍ୟର ରାଜନୀତିରେ ମିଶର ଯେଉଁ ଭୂମିକା ଗ୍ରହଣ କରୁଥିଲା, ସାଦାତ୍‌ଙ୍କ ଅମଳରେ ମିଶର ସେହି ଭୂମିକାଟିକୁ ବର୍ଜନ କରି ଚାଲି ଆସିବାରୁହିଁ ଯେ ଆରବ ଜଗତର ସଂହତି ଏପରି ଚୂର୍ଣ୍ଣ ବିଚୂର୍ଣ୍ଣ ହୋଇଗଲା, ସମୀକ୍ଷକମାନେ ବେଳେବେଳେ ଏକଥା ମଧ୍ୟ କହିବାକୁ କୁଣ୍ଠିତ ହେବେ ନାହିଁ ।

 

ଗାମେଲ ନାସେର ସମଗ୍ର ଆରବ ଜଗତର ପରିପ୍ରେକ୍ଷୀରେହିଁ ମିଶରକୁ ଦେଖିଥିଲେ; ସାଦାତ୍ ଆଗ ମିଶରକୁ ସୁଦୃଢ଼ କରି ତା’ପରେ ବେଳ ମିଳିଲେ ଯାଇ ବାହାରକୁ ଅନାଇବା ଉଚିତ ବା ସେଠାରେ ଆପଣାଠାରୁ ପ୍ରତ୍ୟାଶିତ କୌଣସି ଭୂମିକା ଗ୍ରହଣ କରିବା ଉଚିତ ବୋଲି ଏକ ନୂତନ ଅନ୍ୟବାଟ ଧରିଲେ । ଗତବର୍ଷ ଆମେରିକାର ମଧ୍ୟସ୍ଥତାରେ ସମଗ୍ର ଆରବ ଜଗତକୁ ପ୍ରାୟ ଉପେକ୍ଷା କରି ସାଦାତ୍ ଇସ୍ରାଏଲ ସହିତ ସିନାଇ ମାଳଭୂମିର ଅଧିକୃତ ଅଞ୍ଚଳଟି ବିଷୟରେ ଯେଉଁ ଏକତରଫା ଚୁକ୍ତି କରି ପକାଇଲେ, ସେହିଠାରୁ ଏହି ନୂତନ ପଥଟି ଆରମ୍ଭ ହେଲା । ଏହି ଚୁକ୍ତିଟି ଅନୁସାରେ ମିଶରର ଅନେକ ଲାଭ ହେଲା । ସୁଏଜ କେନାଲର ଅଞ୍ଚଳଟି ଶତ୍ରୁମୁକ୍ତ ହେଲା ଓ ଫଳରେ ବନ୍ଦ ହୋଇ ରହିଥିବା ସୁଏଜ କେନାଲ ଆନ୍ତର୍ଜାତିକ ସରବରାହ ଲାଗି ପୁନର୍ବାର ଖୋଲିଗଲା । ମିଶରର ଆୟ ବଢ଼ିଲା । ସିନାଇ ମାଳଭୂମିରେ ରହିଥିବା ମିଶରର କେତୋଟି ତେଲକେନ୍ଦ୍ର ମଧ୍ୟ ମିଶର ଫେରି ପାଇଲା । ଏଥିରେ ମିଶରବାସୀ ନିଶ୍ଚୟ ଉପକୃତ ଅନୁଭବ କରିଥିବେ, ମିଶରର ଅସ୍ତବ୍ୟସ୍ତ ଅର୍ଥନୀତିକୁ ସଜାଡ଼ିବାରେ ସାଦାତ୍ ସରକାରଙ୍କର ବିଶେଷଜ୍ଞମାନଙ୍କୁ ଅପେକ୍ଷାକୃତ ଅଧିକ ସୁବିଧା ହୋଇଥିବ; କିନ୍ତୁ ଏହି ଘଟଣାଟିଦ୍ୱାରା ଆରବ ଜଗତର ଓ ତଥାକଥିତ ଆରବ ଏକତାର ସମ୍ପୂର୍ଣ୍ଣ ମେରୁଦଣ୍ଡଟି ଯେ ଭାଙ୍ଗିପଡ଼ିଲା, ସେକଥା ମିଶର ବାହାରେ ଆଉ ସମସ୍ତଙ୍କର ଆଖିକୁ ବଡ଼ ଜଳ ଜଳ ହୋଇ ଦିଶିଗଲା । ଆରବ ଜଗତ ହାସ୍ୟାସ୍ପଦ ହେଲା, ଆପଣାକୁ ବଡ଼ ଅସହାୟ ମଣିଲା । ସେହି ଅସହାୟତା ଆହୁରି ଦୟନୀୟ ହୋଇ ଏବର୍ଷ ଲେବାନନ୍ ଉପରେ ସିରିଆର ଆକ୍ରମଣର ମଧ୍ୟ ରୂପ ଧାରଣ କଲା । ଯାହା ଅପ୍ରତ୍ୟାଶିତ, ସେହିଗୁଡ଼ାକ ଘଟିଲା ।

 

ଆରବ ଜଗତ ଭିତରେ କେବଳ ସାଉଦି ଆରବ ସହିତହିଁ ସାଦାତ୍‌ଙ୍କର ସୁସମ୍ପର୍କ ରହିଛି । ଏହା ଯେ କୌଣସି ରାଜନୀତିକ କିମ୍ବା ଆଦର୍ଶଗତ କାରଣରୁ ହେଉଛି, ସେକଥା ଆଦୌ ଠିକ୍ ନୁହେଁ । ସାଉଦି ଆରବରୁ ମିଶରକୁ ତେଲ ପଇସା ସାହାଯ୍ୟ ଆସୁଛି ବୋଲି ସେହି ସୁସମ୍ପର୍କ ରହିଛି । ବର୍ତ୍ତମାନ ମିଶରର ସର୍ବପ୍ରଧାନ ଶତ୍ରୁ ଇସ୍ରାଏଲ ନୁହେଁ, ପଡ଼ୋଶୀ ଲିବିୟା ହେଉଛି ସର୍ବପ୍ରଧାନ ଶତ୍ରୁ । ସୈନ୍ୟାଧ୍ୟକ୍ଷ ଗାଡ଼ାଫି ହେଉଛନ୍ତି ରାଷ୍ଟ୍ରପତି ସାଦାତ୍‌ଙ୍କର ସର୍ବପ୍ରଧାନ ଶତ୍ରୁ । ମିଶର ଲିବିୟା ମଧ୍ୟରେ କ୍ରମଶଃ ବୃଦ୍ଧି ପାଇଥିବା ଶତ୍ରୁତାହିଁ ଏବେ ମିଶରର ଆଭ୍ୟନ୍ତରୀଣ ସର୍ବବିଧ ଉଚିତ ଓ ଅନୁଚିତକୁ ମଧ୍ୟ ପ୍ରଭାବିତ କଲାଣି । ବର୍ତ୍ତମାନ ଅବସ୍ଥାରେ ସାଦାତ୍‌ଙ୍କ ସ୍ଥାନରେ ଆଉ ଜଣେ ନୂତନ ରାଷ୍ଟ୍ରପତି ନିଯୁକ୍ତ ହେଲେ ଅଥବା ଏଥିପାଇଁ ଏକ ନିର୍ବାଚନ କରିବାକୁ ପଡ଼ିଲେ କାଳେ ବାହାରୁ ଲିବିୟା ଆସି ପରୋକ୍ଷ ଭାବରେ ହସ୍ତକ୍ଷେପ କରିବ ବା ଏହି ପରିସ୍ଥିତିର ଫାଇଦା ଉଠାଇବ, ଏଇଥିଲାଗି ନିରାପତ୍ତା ଦୃଷ୍ଟିରୁହିଁ ସାଦାତ୍‌ଙ୍କୁ ଆଉ ଛଅବର୍ଷ ଲାଗି ରାଷ୍ଟ୍ରପତି ପଦରେ ରଖିବାକୁହିଁ ସମ୍ପୃକ୍ତ ସମସ୍ତେ ଉଚିତ ମନେକଲେ । ନାସେର ସାଦାତ୍‌ଙ୍କୁ ବାଛିଥିଲେ । ମାତ୍ର ଯେକୌଣସି କାରଣରୁ ହେଉ, ସାଦାତ୍ ଉତ୍ତରାଧିକାରୀରୂପେ ଆଉ କାହାକୁ ବାଛି ନାହାନ୍ତି ବା ତିଆରି କରି ଆଣିନାହାନ୍ତି । ହୁଏତ ଏଇଟା ପାଇଁ ବି ତାଙ୍କୁ ଅବ୍ୟାହତି ନେବାର ସକଳ ଇଚ୍ଛା ସତ୍ତ୍ୱେ ରାଷ୍ଟ୍ରପତି ପଦରେ ବାଧ୍ୟ ହୋଇ ରହିବାକୁ ପଡ଼ୁଛି । ହୁଏତ ସେଥିଯୋଗୁହିଁ ଅନିଚ୍ଛା ସତ୍ତ୍ୱେ ତାଙ୍କୁ ଅନେକ କାର୍ଯ୍ୟ ମଧ୍ୟ କରିବାକୁ ହେଉଥିବ, କାରଣ ଏହାହିଁ ହେଉଛି ଏକ କଠୋର ବାସ୍ତବତା ।

ତା ୧.୧୧.୧୯୭୬ ରିଖ

Image

 

ବଳପ୍ରୟୋଗ ଓ ବିବାଦମୀମାଂସା

 

ମିଳିତ ଜାତିସଂଘର ଚଳନ୍ତି ଅଧିବେଶନରେ ଆନ୍ତର୍ଜାତିକ ବିବାଦମୀମାଂସା ଲାଗି ବଳପ୍ରୟୋଗର ଉପାୟକୁ ବର୍ଜନ କରିବାଲାଗି ସୋଭିଏଟ ରୁଷିଆର ପ୍ରତିନିଧିଙ୍କ ତରଫରୁ ଏକ ପ୍ରସ୍ତାବ ଆସିଥିଲା । ଭାରତବର୍ଷ ସେହି ପ୍ରସ୍ତାବଟି ଉଦ୍ଦେଶ୍ୟରେ ମୂଳରୁହିଁ ଆପଣାର ଆନ୍ତରିକ ସମର୍ଥନ ଜଣାଇଥିଲା । ଜାତିସଂଘର ସାଧାରଣ ଅଧିବେଶନରେ ପ୍ରସ୍ତାବଟି ଉପରେ ଭୋଟଗ୍ରହଣ କରାଯାଇଥିଲା । ମିଳିତ ଜାତିସଂଘର ମୋଟ ପ୍ରାୟ ଦେଢ଼ଶହ ସଭ୍ୟଦେଶଙ୍କ ମଧ୍ୟରୁ ଛୟାନବେ ଜଣ ପ୍ରସ୍ତାବଟିର ସପକ୍ଷରେ ଭୋଟ ଦେଇଥିଲେ । ଚୀନ ଓ ଆଲବାନିଆ ବିପକ୍ଷରେ ଭୋଟ ଦେଲେ ଏବଂ ପଇଁତିରିଶିଟି ଦେଶର ଗୋଟିଏ ବୃହତ୍‌ଗୋଷ୍ଠୀ ପ୍ରସ୍ତାବର ସପକ୍ଷ କିମ୍ବା ବିପକ୍ଷ କୌଣସି ପଟରେ ଭୋଟ ନ ଦେଇ ନିରପେକ୍ଷ ରହିଥିଲେ । ପ୍ରସ୍ତାବଟି ଗୃହୀତ ହୋଇଗଲା ସତ, ମାତ୍ର ଗୃହୀତ ନ ହେବା ପରିହିଁ ରହିଗଲା ।

 

ଆମେରିକା, ଇଂଲଣ୍ଡ, ଫ୍ରାନ୍‍ସ ଓ ଜାପାନ ସମେତ ଆମେରିକା ଗୋଷ୍ଠୀର ଅଧିକାଂଶ ସଦସ୍ୟଦେଶ ପ୍ରସ୍ତାବଟିର କୌଣସି ପଟେ ଭୋଟ ନ ଦେଇ ନିରପେକ୍ଷ ରହିଲେ । ନିରପେକ୍ଷ ରହି ସେମାନେ ଆନୁଷ୍ଠାନିକ ଭାବରେ ପ୍ରସ୍ତାବଟି ପ୍ରତି କୌଣସି ବିରୋଧ ପ୍ରକଟ କଲେନାହିଁ ସତ, ମାତ୍ର ପ୍ରସ୍ତାବଟି ଯେଉଁ ନୂତନ ପରିବେଶଟି ସୃଷ୍ଟି କରି ଆନ୍ତର୍ଜାତିକ ସମ୍ବନ୍ଧର କ୍ଷେତ୍ରରେ ଏକ ଗଠନମୂଳକ ସକ୍ରିୟତା ସୃଷ୍ଟି କରିବାର ଅଭିପ୍ରାୟ ଦେଖାଇଥିଲା, ସେମାନେ ସେହି ଅଭିପ୍ରାୟଟି ପ୍ରତି ଆପଣାର ପୂର୍ଣ୍ଣ ଉଦାସୀନତାହିଁ ଦେଖାଇଲେ । ଏବଂ, ଜାତିସଂଘର ଇତିହାସ ବିଷୟରେ କିଞ୍ଚିତ୍ ପର୍ଯ୍ୟାଲୋଚନା କଲେ ଆମେ ବେଶ୍ ଦେଖିପାରିବା ଯେ ବିଶ୍ୱମତ ବିନିମୟର ଏହି ଏକମାତ୍ର କ୍ଷେତ୍ରରେ ବିରୋଧ ଅପେକ୍ଷା ଉଦାସୀନତାହିଁ ସର୍ବଦା ଅଧିକ କ୍ଷତିକାରକ ଏବଂ ବାଧକ ହୋଇ ରହିଆସିଛି । ଏପରି କହିବାଲାଗି ଏକାଧିକ ଦୃଷ୍ଟାନ୍ତ ରହିଛି ।

 

ଏହି ଉଦାସୀନତା ପଛରେ ପାରସ୍ପରିକ ଅବିଶ୍ୱାସ ବଦ୍ଧମୂଳ ହୋଇ ରହିଛି । ଚୀନ ଓ ଆଲବାନିଆ ଯେ ପ୍ରସ୍ତାବଟିର ବିରୋଧ କରିଛନ୍ତି, ସେକଥାଟି ଅଳ୍ପବହୁତ ବୁଝି ହେଉଛି । ଚୀନ ପ୍ରସ୍ତାବଟିର ବିରୋଧ କରିଛି, ତେଣୁ ଆଲବାନିଆ ମଧ୍ୟ ବିରୋଧ କରିଛି । ବିଶ୍ୱ ରାଜନୀତିର ଶିବିର-ଖେଳରେ ଗତ ଅନେକବର୍ଷ ହେଲା ଚୀନ ଓ ଆଲବାନିଆ ସର୍ବଦା ଏକାଠି ରହି ଆସିଛନ୍ତି । ଚୀନ ଦୀର୍ଘ ଅନେକ କାଳ ଧରି ବୃହତ୍‌ଶକ୍ତି ରାଜନୀତିର କ୍ଷେତ୍ରରେ ନିର୍ବାସିତ ହୋଇ ରହିଥିଲା । ସେତିକିବେଳର ବିଚ୍ଛିନ୍ନତାଧର୍ମୀ ମନୋଭାବ ଚୀନ ଭିତରେ ଏବେ ମଧ୍ୟ ବଞ୍ଚି ରହିଛି । ଚୀନ ଜାତିସଂଘର ସଦସ୍ୟ ହେବା ପରେ ଓ ଆମେରିକାର ନିକଟବର୍ତ୍ତୀ ହେବା ପରେ ମଧ୍ୟ ତାହାର ସେହି ପୁରାତନ ସଂସ୍କାରଟି ତଥାପି ତୁଟିପାରି ନାହିଁ । ତେଣୁ ଅସ୍ତ୍ରବର୍ଜନକୁ ମୂଳ କରି କୌଣସି ପ୍ରକାର ଆନ୍ତର୍ଜାତିକ କଥାବାର୍ତ୍ତା ଓ ରାଜିନାମାକୁ ବିଶ୍ୱାସ କରିବା ଚୀନ ପକ୍ଷରେ ପ୍ରକୃତରେ ଭାରି କଷ୍ଟକର ହେଉଛି ।

 

କିନ୍ତୁ ଆମେରିକା, ଜାପାନ ଓ ପଶ୍ଚିମ ଇଉରୋପର ଦେଶମାନେ ପ୍ରସ୍ତାବଟି ବିଷୟରେ ଉଦାସୀନ ରହିଗଲେ କାହିଁକି ? ଏପରି ଗୋଟିଏ ପ୍ରସ୍ତାବ ଗୃହୀତ ହୋଇଗଲେ ପ୍ରକୃତରେ ବାତାବରଣରେ ଯେ କୌଣସି ପରିବର୍ତ୍ତନ ଘଟିବ, ସେ କଥାକୁ ସେମାନେ ବିଶ୍ୱାସ କରିପାରିଲେ ନାହିଁ ବୋଲି ଏପରି କଲେ । ରାଷ୍ଟ୍ରଗୁଡ଼ିକର ସ୍ତରରେ ଯେପର୍ଯ୍ୟନ୍ତ ଅସ୍ତ୍ରଶସ୍ତ୍ରରେ ପ୍ରତିଯୋଗିତା ଲାଗି ରହିଥିବ, ସେପର୍ଯ୍ୟନ୍ତ ଆନ୍ତର୍ଜାତିକ ସ୍ତରରେ ଅସ୍ତ୍ରଶସ୍ତ୍ର ବର୍ଜନ କରିବାକୁ ଅର୍ଥାତ୍ ଆନ୍ତର୍ଜାତିକ ସବୁ ବିବାଦର ମୀମାଂସାରେ ବଳପ୍ରୟୋଗର ଆଶ୍ରୟ ନେବାକୁ ପ୍ରସ୍ତାବଟାଏ ଗୃହୀତ ହୋଇଗଲେ ତଦ୍ଦ୍ୱାରା ଯେ କୌଣସି ପରିବର୍ତ୍ତନ ହେବ ଏକଥା ସେମାନେ ବିଶ୍ୱାସ କରିପାରିଲେ ନାହିଁ । ତଥାକଥିତ ବୃହତ୍‌ ଶକ୍ତିମାନଙ୍କର ପ୍ରାଧାନ୍ୟ ଆଧୁନିକ ପୃଥିବୀରେ ଏତେ ପ୍ରଚଣ୍ଡ ହୋଇ ପଡ଼ିଲାଣି ଯେ, କୌଣସି ସ୍ଥାନରେ ବିବାଦ ଲାଗିବା ମାତ୍ରକେ ସମସ୍ତେ ବୃହତ୍‍ଶକ୍ତିମାନଙ୍କର ଅନୁଗ୍ରହରୁ ପ୍ରାପ୍ତ ଅସ୍ତ୍ରଗୁଡ଼ାକୁ ବ୍ୟବହାର କରି ଲଢ଼ିବାରେ ଲାଗି ଯାଇଛନ୍ତି । ବିବାଦଗୁଡ଼ାକର ଯେ କୌଣସି ଅନ୍ୟ ପ୍ରକାରେ ମୀମାଂସା ହୋଇପାରିବ, ସେକଥା ବିଚାର କରିବା ଲାଗିହିଁ ସତେ ଯେପରି କାହାର ତର ସହୁନାହିଁ ବା କାହାର ଧୈର୍ଯ୍ୟ ନାହିଁ । ବୃହତ୍ ଶକ୍ତିମାନଙ୍କ ପ୍ରଦତ୍ତ ଅସ୍ତ୍ରଗୁଡ଼ାକ ବ୍ୟତୀତ ଆଉ କୌଣସି ଅସ୍ତ୍ର ପୃଥିବୀରେ ପ୍ରାୟ କୌଣସିଠାରେ ବ୍ୟବହୃତ ହେଉନାହିଁ । ସେତିକିବେଳେ ଜାତିସଂଘରେ ବଳପ୍ରୟୋଗ କରିବା ଲାଗି ପ୍ରସ୍ତାବ ଆସୁଥିବାବେଳେ ସ୍ୱୟଂ ବଳ ପ୍ରୟୋଗକୁହିଁ ଏକମାତ୍ର ପନ୍ଥା ବୋଲି ଆଚରି ଆସିଥିବା ଦେଶମାନେ ତାହାର ପ୍ରକୃତରେ କୌଣସି ମୂଲ୍ୟ ଅଛି ବୋଲି କଳ୍ପନା ବି କରିପାରୁ ନାହାନ୍ତି ।

 

ଆନ୍ତର୍ଜାତିକ ବିବାଦରେ ବଳପ୍ରୟୋଗକୁ ଏକ ପନ୍ଥାରୂପେ ବର୍ଜନ କରିସାରିବା ପରେ ବି ଯଦି କେହି ତଥାପି ବଳପ୍ରୟୋଗର ଆଶ୍ରୟ ନିଏ, ତେବେ ତାହାକୁ ଅଟକାଇ ରଖିବା ଲାଗି ଆମ ପୃଥିବୀରେ ଏ ପର୍ଯ୍ୟନ୍ତ କୌଣସି ଗ୍ୟାରେଣ୍ଟି ନାହିଁ । ଏ ପୃଥିବୀରେ ଯଦି ବଳପ୍ରୟୋଗକୁ ବର୍ଜନ କରାଯିବ, ତେବେ ବର୍ତ୍ତମାନ ଖର୍ବ ଖର୍ବ ଟଙ୍କା ଖରଚ ହୋଇ ଜମା କରାଯାଉଥିବା ଅସ୍ତ୍ରଶସ୍ତ୍ରଗୁଡ଼ିକର ଦଶା ପୁଣି କ’ଣ ହେବ ?

 

ତେଣୁ ଏପରି କୁହାଯାଇପାରେ ଯେ ଏହିଭଳି ଏକ ପ୍ରସ୍ତାବକୁ ପ୍ରକୃତରେ କାର୍ଯ୍ୟାନ୍ୱିତ କରିବାପାଇଁ ଜାତିସଂଘକୁ ଆହୁରି ବେଶ୍ କିଛିବାଟ ଅଗ୍ରସର ହେବାକୁ ପଡ଼ିବ । ସଂସାରରେ ବିଶ୍ୱାସ ବଢ଼ିବ, ପୃଥିବୀର ସାଧାରଣ ଭାଗ୍ୟ ବିଷୟରେ ଆମ ସମସ୍ତଙ୍କର ଆହୁରି ପ୍ରତ୍ୟୟ ବଢ଼ିବ । ତେବେ ଯାଇ ଜଳବାୟୁ ବଦଳି ପାରିବ । ପୃଥିବୀର ରାଜନୀତି ଅନ୍ୟ ଏକ ଗୁଣାତ୍ମକ ବିବର୍ତ୍ତନ ଲାଗି ଏକ ଯଥାର୍ଥ ପଦକ୍ଷେପ ଗ୍ରହଣ କରିପାରିବ ।

ତା ୬.୧୧.୧୯୭୬ ରିଖ

Image

 

ନୂଆ ରାଷ୍ଟ୍ରପତି

 

ଏଥର ଆମେରିକାର ନୂତନ ରାଷ୍ଟ୍ରପତି ନିର୍ବାଚନରେ ଅନ୍ୟ ଥରଗୁଡ଼ିକ ତୁଳନାରେ ଅନେକ ଅଧିକ ପ୍ରତିଦ୍ୱନ୍ଦ୍ୱିତା ଦେଖାଯାଇଥିଲା ବୋଲି ସାମ୍ବାଦିକମାନେ ଲକ୍ଷ୍ୟ କରିଥିଲେ । ଆମେରିକାର ରାଷ୍ଟ୍ରପତି ଆସନଟିକୁ ନେଇ ଗତ ଚାରିବର୍ଷ ଭିତରେ ଯେଉଁସବୁ ଘଟଣା ଅର୍ଥାତ୍ ଦୁର୍ଘଟଣା ଘଟିଯାଇଛି, ସମ୍ଭବତଃ ସେହି କାରଣରୁହିଁ ଆମେରିକାବାସୀ ଏଥର ଏହି ନିର୍ବାଚନଟି ବିଷୟରେ ଟିକିଏ ଆଖିଦୃଶିଆ ହେଲାପରି ଅଧିକ ସତେଜ ହୋଇ ଉଠିଥିଲେ । ଏଥର ନିର୍ବାଚନରେ ଅଧିକସଂଖ୍ୟକ ଭୋଟଦାତା ଭୋଟ ଦେବାକୁ ଆସିଥିଲେ । ଦେଶର ବା ରାଷ୍ଟ୍ରର ଭାଗ୍ୟରେ ସାଧାରଣ ନାଗରିକର ମଧ୍ୟ ଯେ ଏକ ଭୂମିକା ରହିଛି, ଆମେରିକାରେ ହଜାର ହଜାର ନାଗରିକ ହୁଏ ତ ସର୍ବପ୍ରଥମ ଥର ପାଇଁ ସେହି କଥାଟିକୁ ଅନୁଭବ କଲେ ।

 

ଆମେରିକା ଜାତୀୟସ୍ତରରେ ଯେତେ ଯାହା ନିର୍ବାଚନ ହୁଏ, ସେସବୁ କେବଳ ଦୁଇଦଳ ମଧ୍ୟରେହିଁ ହୋଇଥାଏ । କେଉଁ ପୁରୁଷରୁ ଯେ କେବଳ ଏହି ଦୁଇଟି ମାତ୍ର ଦଳ ପ୍ରତ୍ୟେକ ଚାରିବର୍ଷରେ ଥରେ ଲେଖାଏଁ ନିର୍ବାଚନର ରଣାଙ୍ଗନରେ ଅବତରଣ କରି ଆସିଛନ୍ତି, ଇତିହାସକାରମାନେ ହିସାବକରି ସେକଥା ନିଶ୍ଚୟ କହିଦେଇ ପାରିବେ । ଆମେରିକାରେ କୌଣସି ତୃତୀୟ କିମ୍ବା ଚତୁର୍ଥ ଦଳ ଗଠିତ ହେବାରେ କୌଣସି ପ୍ରତିବନ୍ଧକ ଯେ ରହିଛି, ସେ କଥା ଆଦୌ ନୁହେଁ । ଆମେରିକାରେ କୌଣସି ତୃତୀୟ ଦଳର ହୁଏତ ଆବଶ୍ୟକତା ନାହିଁ ବୋଲି ସେଠାରେ କୌଣସି ତୃତୀୟ ଦଳ ନାହିଁ । ହୁଏତ ଏକ ଦ୍ୱିତୀୟ ଦଳ ରହିବାଲାଗି ମଧ୍ୟ ସେପରି କୌଣସି ନିତାନ୍ତ ଆବଶ୍ୟକତା ନାହିଁ । ଦୁଇଟା ଦଳ ନ ରହିଲେ ନିର୍ବାଚନରେ କୌଣସି ପ୍ରତିଦ୍ୱନ୍ଦ୍ୱିତା ସମ୍ଭବ ହେବନାହିଁ ବୋଲି ସେଠାରେ ସତେ ଅବା ପରମ୍ପରାକ୍ରମେ ଏକ ଦ୍ୱିତୀୟ ଦଳ ରହିଛି ଏବଂ ସେହି ଆବଶ୍ୟକତା ଦୃଷ୍ଟିରୁ ଦଳଗୁଡ଼ିକର ଦୁଇଟି ନାଆଁ ବି ରହିଛି ।

 

ଆମେରିକା ଯୁକ୍ତରାଜ୍ୟର ସାମ୍ପ୍ରତିକ ଇତିହାସ ମଧ୍ୟ ସେହି କଥାର ପ୍ରମାଣ କରି ଦେଉଛି-। ଆମେରିକାର ରାଷ୍ଟ୍ରଦାୟିତ୍ୱ ରିପବ୍ଲିକାନ୍ ଅଥବା ଡିମୋକ୍ରାଟିକ ଯେକୌଣସି ଦଳରେ ମାରଫତରେ ଯେତେବେଳେ ରହିଥାଉ ପଛକେ, ଆମେରିକା ରାଷ୍ଟ୍ରନୀତିରେ ତଦ୍ଦ୍ୱାରା କେବେହେଲେ ଖୁବ୍ ବେଶୀ ଓଲଟାପାଲଟ ହୋଇଯିବା ପରିଲକ୍ଷିତ ହୋଇନାହିଁ ।

 

ଯେତେବେଳେ ଲକ୍ଷ୍ୟ କଲା ଭଳି କୌଣସି ପାର୍ଥକ୍ୟ ରହିଥିଲା ପରି ମନେ ହୋଇଛି, ସେତେବେଳେ ରାଷ୍ଟ୍ରପତି ରାଷ୍ଟ୍ରପତି ମଧ୍ୟରେ ବ୍ୟକ୍ତିଗତ କିଛି ପାର୍ଥକ୍ୟ ରହିଥିବା ହେତୁ ହୁଏତ ତାହା ସମ୍ଭବ ହୋଇଛି । ରାଜନୀତିକ ଦୁଇ ଦଳ ଭିତରେ ସେପରି କୌଣସି ଦୃଷ୍ଟିଗତ ମୌଳିକ ପାର୍ଥକ୍ୟ ରହିଛି ବୋଲି ତାହା ମୋଟେ ଘଟିନାହିଁ । ରାଷ୍ଟ୍ରବ୍ୟାପାରର ପ୍ରାୟ ପ୍ରତ୍ୟେକ ମାମଲାରେ ରିପବ୍ଲିକାନ୍ ଓ ଡିମୋକ୍ରାଟିକ ଉଭୟ ରାଷ୍ଟ୍ରପତିଙ୍କର ନୀତି ଏବଂ ଆଚରଣଗୁଡ଼ାକ ପ୍ରାୟ ସଦାସ୍ଥିର ରହିଛି । ବହିଃବ୍ୟାପାର ଓ ବିଦେଶ-ସମ୍ପର୍କିତ ରାଜନୀତିର କ୍ଷେତ୍ରରେ ପୃଥିବୀକୁ ଚକିତ କରିଦେବା ଭଳି ସେପରି କୌଣସି ପରିବର୍ତ୍ତନ କେବେ ଘଟିନାହିଁ । ଭିଏତନାମରେ ଆମେରିକା ତରଫରୁ ଦୀର୍ଘ କୋଡ଼ିଏ ବର୍ଷ ପର୍ଯ୍ୟନ୍ତ ଯେଉଁ ଯୁଦ୍ଧ ଚାଲିଥିଲା, ସେଥିରେ ଆମେରିକାର ଡିମୋକ୍ରାଟିକ ଦଳର ନୀତି କ’ଣ ଓ ରିପବ୍ଲିକାନ୍ ଦଳର ଅଲଗା ନୀତି ବି କ’ଣ, ସେକଥା ଦେଖି ପାରିବାର ଆଦୌ କୌଣସି ଅବସର ନଥିଲା । ସେହି କୋଡ଼ିଏ ବର୍ଷ ଭିତରେ ଆମେରିକାରେ କେତେ ରାଷ୍ଟ୍ରପତି ଗଲେ, କେତେ ରାଷ୍ଟ୍ରପତି ଆସିଲେ । ତଥାପି ଆମେରିକାର ତଥାକଥିତ ଭିଏତନାମ ନୀତି ସର୍ବଦା ସ୍ଥିର ହୋଇ ରହିଥିଲା । ଆମେରିକାର ସୈନ୍ୟ ଭିଏତନାମରୁ ଆପଣାର ଯାବତୀୟ ମହତ୍ତ୍ୱାକାଙ୍‌କ୍ଷାକୁ ହଟାଇ ନେବାର ସର୍ବଶେଷ ମୀମାଂସାଟି ଜଣେ ରିପବ୍ଲିକାନ୍ ରାଷ୍ଟ୍ରପତିଙ୍କ ଅମଳରେ ହେଲା ଏବଂ ଯଦି ଆହୁରି ନିରୀକ୍ଷଣ କରି ଦେଖାଯାଏ, ଡିମୋକ୍ରାଟିକ ରାଷ୍ଟ୍ରପତିମାନଙ୍କ ଅମଳରେହିଁ ଭିଏତନାମ ସମସ୍ୟାରେ ଆମେରିକା ଲିପ୍ତ ହୋଇ ରହିବାର ଉତ୍ତେଜନା ଗୁଡ଼ାକୁ ଅପେକ୍ଷାକୃତ ଅଧିକ ବଢ଼ାଇ ଦିଆଯାଇଥିଲା ବୋଲି କହିବା ଲାଗି ଆମକୁ ହୁଏତ କେତେକ ପ୍ରମାଣ ମଧ୍ୟ ମିଳିଯିବ ।

 

୧୯୬୨ ମସିହାରେ କ୍ୟୁବାକୁ କେନ୍ଦ୍ର କରି ଯେଉଁ ମାରାତ୍ମକ ବିଶ୍ୱସଙ୍କଟ ସୃଷ୍ଟି କରାଯାଇଥିଲା, ସେତେବେଳେ ଜନ୍ କେନେଡ଼ି ଆମେରିକା ଯୁକ୍ତରାଜ୍ୟର ରାଷ୍ଟ୍ରପତି ଥିଲେ ଏବଂ ସିଏ ଡିମୋକ୍ରାଟିକ ଦଳର ଟିକେଟରେ ନିର୍ବାଚନ ଲଢ଼ି ରାଷ୍ଟ୍ରପତି ଆସନକୁ ଆସିଥିଲେ । ସେତେବେଳେ ରୁଷିଆର ନିକିତା କୃଶ୍ଚେଭ ଯଦି ଠିକ୍ କେନେଡ଼ିଙ୍କ ପରି ଜିଦ୍ ଧରି ବସିବାକୁ ସରାଗ ଦେଖାଇଥାନ୍ତେ ଓ ସମସ୍ତ ସମସ୍ୟାଟିକୁ ନିଜର ସମ୍ମାନ ରହିବାର ବା ନ ରହିବାର ଏକ ସମସ୍ୟାରେ ପରିଣତ କରି ଦେଇଥାନ୍ତେ, ତେବେ ସେତେବେଳେ ବିଶ୍ୱର ପରିସ୍ଥିତି ଯେ କିଭଳି କ’ଣ ଆକାର ଧାରଣ କରିଥାନ୍ତା, ତାହା ଭାବିଲାବେଳକୁ ବି ଅନେକଙ୍କୁ ଭୟ ଲାଗିବ ।

 

ଯୁକ୍ତରାଜ୍ୟ ଆମେରିକାରେ ଡିମୋକ୍ରାଟିକ୍ ଅଥବା ରିପବ୍ଲିକାନ୍ ଯେଉଁ ଦଳର ରାଷ୍ଟ୍ରପତି ଥାଆନ୍ତୁ ପଛକେ, ଲାଟିନ୍ ଆମେରିକା ପ୍ରତି ଆମେରିକା ସରକାରଙ୍କର ନୀତି ପ୍ରାୟ ସ୍ଥିର ରହି ଆସିଛି । ୧୯୬୨ର କ୍ୟୁବାଠାରୁ ୧୯୭୩ର ଚିଲି ପର୍ଯ୍ୟନ୍ତ ଏହି ସଂକ୍ରାନ୍ତରେ ହୁଏତ ଯେଉଁ ରାଜନୀତିକ ପୁରାଣଟି ଲେଖାହୋଇ ପାରିବ, ସେଥିରେ ଆମେରିକା ସରକାରଙ୍କର ଭୂମିକାଟି ଯେ ସର୍ବଦା ସେହିପରି ଅପରିବର୍ତ୍ତିତ ହୋଇ ରହିଥିବାର ଦେଖିବାକୁ ମିଳିବ, ସେଥିରେ ଆଦୌ କୌଣସି ସନ୍ଦେହ ନାହିଁ । ଯୁକ୍ତରାଜ୍ୟ ଆମେରିକାର ଅର୍ଥନୀତି ଏବଂ ସମରନୀତିହିଁ ଲାଟିନ୍ ଆମେରିକାର ସମଗ୍ର ରାଜନୀତିକୁ ସକଳ ସ୍ଥିତିରେ ଆପଣାର ସ୍ୱାର୍ଥଗୁଡ଼ିକର ରକ୍ଷାଲାଗି ବ୍ୟବହାର କରି ଆସିଛି ଓ ତାହାକୁ ଠିକ୍ ତଦନୁରୂପ ଭାବରେ ନିୟନ୍ତ୍ରଣରେ ରଖିଆସିଛି ।

 

ଏକଦା ଆମେରିକାର ରାଷ୍ଟ୍ରପତି ରହିଥିବା ଶ୍ରୀଯୁକ୍ତ ଆଇସେନହାଉଅର୍ ରାଷ୍ଟ୍ରପତି ପଦରୁ ଅବସର ନେବାପରେ ଥରେ କହିଥିଲେ ଯେ ଆମେରିକାର ରାଜନୀତି କ୍ରମଶଃ ଅଧିକରୁ ଅଧିକ ପରିମାଣରେ ସେହି ଦେଶର ଅର୍ଥନୀତି ଓ ସମରନୀତିଗତ ସ୍ୱାର୍ଥଗୁଡ଼ିକର ଏକ ମେଣ୍ଟଦ୍ୱାରାହିଁ ନିୟନ୍ତ୍ରିତ ହେବାରେ ଲାଗିଛି । ତାଙ୍କର ସେହି ଶଙ୍କାବାଣୀ କ’ଣ ଆପଣାକୁ ବାସ୍ତବ କ୍ଷେତ୍ରରେ ପ୍ରତିପାଦିତ କରିବାରେ ଲାଗିଛି କି ? ଆମେରିକାର ରାଷ୍ଟ୍ରପତିମାନଙ୍କ ହାତରେ ସାମ୍ବିଧାନିକ ସର୍ବୋଚ୍ଚ କ୍ଷମତା ରହିଥିଲେ ମଧ୍ୟ ସେମାନେ ନିଜର ଯାବତୀୟ ଆଦର୍ଶବାଦ ଓ ଉତ୍ସାହ ସତ୍ତ୍ୱେ ସେହି ସ୍ୱାର୍ଥମେଣ୍ଟର ଜାଲଟା ଭିତରେ ବାନ୍ଧିହୋଇ ରହିବା ଲାଗି ବାଧ୍ୟ ହେଉଛନ୍ତି କି ? ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ମଧ୍ୟ କ’ଣ ସେହି ଜାଲରେ ପଡ଼ିବାକୁ ବାଧ୍ୟ ହେବେ ? ଏକଥା ଦେଖିବାକୁ ବାକି ରହିଲା ।

ତା ୧୩.୧୧.୧୯୭୬ ରିଖ

Image

 

ଆମେରିକା ଓ ଭାରତ

 

ଭାରତବର୍ଷକୁ ଯଦି ପୃଥିବୀର ବୃହତ୍ତମ ଗଣତନ୍ତ୍ର ବୋଲି କୁହାଯାଏ, ତେବେ ଯୁକ୍ତରାଜ୍ୟ ଆମେରିକାକୁ ପୃଥିବୀର ଧନିକତମ ଗଣତନ୍ତ୍ର ବୋଲି କୁହାଯିବ । ଭାରତବର୍ଷର ଲୋକସଂଖ୍ୟା ଅଧିକ, ତେଣୁ ଏଠାରେ ପୃଥିବୀର ଅନ୍ୟ ଗଣତାନ୍ତ୍ରିକ ଦେଶଗୁଡ଼ିକର ତୁଳନାରେ ଅଧିକସଂଖ୍ୟକ ଲୋକ ଭୋଟ ଅଧିକାର ପାଇଛନ୍ତି । ଭାରତବର୍ଷ ଏକ ସ୍ୱାଧୀନ ଦେଶରୂପେ ଜନ୍ମଗ୍ରହଣ କରିବା ଦିନଠାରୁହିଁ ଗଣତନ୍ତ୍ରକୁ ଆପଣାର ବିବର୍ତ୍ତନପଥରୂପେ ଗ୍ରହଣ କରି ଆସିଛି ଏବଂ ଏହି ତିରିଶି ବର୍ଷ ଭିତରେ ଭାରତବର୍ଷରେ ଗଣତନ୍ତ୍ରର ଚେରଗୁଡ଼ାକ ମାଟି ଭିତରକୁ ଭେଦି ସାରିଲାଣି ବୋଲି କହିବାଲାଗି ପ୍ରକୃତରେ ଅନେକ କାରଣ ରହିଛି ।

 

ଅନ୍ୟ ପକ୍ଷରେ, ଯୁକ୍ତରାଜ୍ୟ ଆମେରିକା ପୃଥିବୀର ଏକ ସମ୍ପନ୍ନତମ ଦେଶ, ସାମରିକ ବଳର କ୍ଷେତ୍ରରେ ମଧ୍ୟ ଏକ ସର୍ବାଧିକ ବଳବାନ ଦେଶ । ପୃଥିବୀରେ ଯେତେଯେତେ ଦେଶରେ ଗଣତନ୍ତ୍ରଶାସନର ପ୍ରତିଷ୍ଠା ହୋଇଛି, ସେମାନେ ସମସ୍ତେ ନ୍ୟାୟତଃ ଯୁକ୍ତରାଜ୍ୟ ଆମେରିକାକୁହିଁ ଆବଶ୍ୟକ ଯଥାର୍ଥ ନେତୃତ୍ତ୍ୱଟି ଲାଗି ଅପେକ୍ଷା କରନ୍ତି । ଆମେରିକାର ସଂଗ୍ରାମମୟ ଇତିହାସରେ ସେଥିରୁ ପ୍ରେରଣା ପାଇବାଲାଗି ପୃଥିବୀର ଗଣତନ୍ତ୍ରଗୁଡ଼ିକର ଅନେକ କିଛି ଶିକ୍ଷା କରିବାର ରହିଛି-। ତେଣୁ ପ୍ରାୟ ଅନ୍ତଃପ୍ରେରିତ ଭାବରେ ଯେ ଆମେରିକା ଏବଂ ଭାରତବର୍ଷ ପରସ୍ପରର ଯଥାସମ୍ଭବ ଅଧିକ ନିକଟବର୍ତ୍ତୀ ହୋଇ ରହିବାକୁ ଇଚ୍ଛା କରିବେ, ଏକଥା ଅତ୍ୟନ୍ତ ସହଜରେ ବୁଝିହେବ । କିନ୍ତୁ ସାମ୍ପ୍ରତିକ ବିଶ୍ୱ-ରାଜନୀତିର ଗତ କେତେବର୍ଷ ଭିତରେ ତାହା ସେପରି ଆଦୌ ହୋଇପାରିନାହିଁ । ଆମେରିକା ଏବଂ ଭାରତବର୍ଷକୁ ନିକଟବର୍ତ୍ତୀ କରି ରଖିବାଲାଗି ଅନେକ କାରଣ ରହିଥିଲେ ମଧ୍ୟ ଅନେକ ସମୟରେ ଆମେରିକା ଓ ଭାରତବର୍ଷ ଭିତରେ ଅକାରଣ ଅନେକ ବ୍ୟବଧାନ ସୃଷ୍ଟି ହୋଇଛି ।

 

ଏପରି କାହିଁକି ହୋଇଛି ? ଆମେରିକା ପୃଥିବୀର ଏକ ଅତ୍ୟନ୍ତ ସମୃଦ୍ଧିମନ୍ତ ଗଣତନ୍ତ୍ର ସତ, ମାତ୍ର ବିଶ୍ୱ-ରାଜନୀତିର କ୍ଷେତ୍ରରେ ଆମେରିକା କ୍ରମେ ଏକ ବୃହତ୍‍ଶକ୍ତିର ଭୂମିକାରେ ଅବତୀର୍ଣ୍ଣ ବି ହୋଇ ଆସିଛି ଓ ଆପଣାର ସେହି ଭୂମିକାଟିର ନିର୍ବାହ କରିବାକୁ ଆତ୍ମପ୍ରଣୋଦିତ ହେଲାପରି ପ୍ରାୟ ବାଧ୍ୟ ବି ହୋଇଆସିଛି । ଏପରି ଏକ ଦିନ ଥିଲା, ଯେତେବେଳେ କି ଏକ ରାଷ୍ଟ୍ର ହିସାବରେ ଆମେରିକା ଅବଶିଷ୍ଟ ପୃଥିବୀଠାରୁ ଯଥାସମ୍ଭବ ଅଲଗା ହୋଇ ରହୁଥିଲା, ପଶ୍ଚିମ ଗୋଲାର୍ଦ୍ଧଟି ସହିତ ଅବଶିଷ୍ଟ ବିଶ୍ୱର କୌଣସି କ୍ରିୟାଶୀଳ ସମ୍ବନ୍ଧ ରହୁ ବୋଲି ହୁଏତ ମୋଟେ ଇଚ୍ଛାକରୁ ନଥିଲା । ଦ୍ୱିତୀୟ ମହାଯୁଦ୍ଧ ପରେ ଯହୁଁ ଯହୁଁ ସମଗ୍ର ପୃଥିବୀ କ୍ରମେ ଦୁଇଟା ଅଲଗା ଅଲଗା ଶିବିରରେ ବିଭକ୍ତ ହୋଇଗଲା, ସେତେବେଳେ ଆମେରିକାକୁ ଗୋଟାଏ ପକ୍ଷର ବୃହତ୍ତମ ହୋଇ ରହିବାକୁ ପଡ଼ିଲା । କୂଟନୀତିଗୁଡ଼ାକ କ୍ରମେ ସେହିପରି ଭାବରେ ପରିଚାଳିତ ହେବାକୁ ଲଗିଲା । ପୃଥିବୀରେ ଯେଉଁଠି ଯାହାକିଛି ଘଟିଲା, ସେଠାରେ ମଧ୍ୟ ତାର କିଛି କର୍ତ୍ତବ୍ୟ ରହିଛି ବୋଲି ଏକ ବୃହତ୍ ଶକ୍ତି ହିସାବରେ ଆମେରିକା ଭାବିବାକୁ ଲାଗିଲା । ପଶ୍ଚିମ ଇଉରୋପ ଗୋଟାକ ଯାକ ସତେ ଅବା ତାହାରି ଏକ ପ୍ରଭାବମଣ୍ଡଳରେ ପରିଣତ ହୋଇଗଲା । ଯେଉଁସବୁ ପରାଧୀନ ଦେଶ ସ୍ୱାଧୀନ ହେବାକୁ ଇଚ୍ଛାକଲେ, ସେମାନଙ୍କର ସ୍ୱାଧୀନତାକୁ ଆମେରିକା ସରକାର ଆଗ ନିଜର ତରାଜୁଗୁଡ଼ାକରେ ପରଖି ଦେଖିବାକୁ ଇଚ୍ଛା କଲେ । ମେଣ୍ଟ ପରେ ମେଣ୍ଟ ଗଢ଼ାଗଲା । ଯେଉଁଠି ହୁଏତ ଆଦୌ କୌଣସି ମେଣ୍ଟର ଆବଶ୍ୟକତା ନ ଥିଲା, ସେଠାରେ ଉପରୁ କୂଟନୀତିର ପ୍ରୟୋଗ କରାଯାଇ ଓ ହାତରୁ ପଇସା ଖରଚ କରି ଗୋଟାଏ ଗୋଟାଏ ମେଣ୍ଟ ଗଢ଼ାଗଲା । ମେଣ୍ଟ ବାହାରେ ଯେ ତଥାପି ଦେଶମାନେ ରହିପାରନ୍ତି, ଆପଣା ଦମ୍ଭଗୁଡ଼ାକର ଅର୍ଗଳି ଭିତରଦେଇ ବିଶ୍ୱ ରାଜନୀତିକୁ ଦେଖୁଥିବା ଆମେରିକା ସେକଥାଟିକୁ ବିଶ୍ୱାସ କରିବାକୁ ମଧ୍ୟ ରାଜି ହେଲାନାହିଁ ।

 

ଏହିପରି ଏକ ଦମ୍ଭରେ କ୍ରମେ ଉପଦ୍ରୂତ ହୋଇ ଆସୁଥିବା ପୃଥିବୀରେ ଯେଉଁ କେତୋଟି ଦେଶ ମେଣ୍ଟମୁକ୍ତ ନିରପେକ୍ଷ ସହାବସ୍ଥାନର କଥା ଉଠାଇଲେ, ଆମେରିକା ସେମାନଙ୍କୁ ଆପଣାର ଆଗ୍ରହ ଓ ଧାରଣାଗୁଡ଼ିକ ସହିତ ମୋଟେ ଖାପ ଖୁଆଇ ପାରିଲା ନାହିଁ । ଏହିପରି ଭାବରେ ଭାରତବର୍ଷ ଆମେରିକାର ଅପ୍ରୀତିଭାଜନ ହେଲା; ଏବଂ ମେଣ୍ଟ ଭିତରେ ବଚନବଦ୍ଧ ହୋଇ ରହିଥିବାରୁ ଆମେରିକା ସରକାର ଯେତେବେଳେ ଭାରତର ପ୍ରତିବେଶରେ ନିରାଟ ଏକାଧିନାୟକତ୍ୱଗୁଡ଼ାକୁ ସାମରିକ ଉତ୍ସାହ ଦେଇ ଉତ୍ତେଜିତ କରି ରଖିବାକୁ ଚେଷ୍ଟା କଲେ, ସେତେବେଳେ ଗଣତନ୍ତ୍ର-ଶାସିତ ଭାରତବର୍ଷ ସ୍ୱଭାବତଃ ଆମେରିକାଠାରୁ ଦୂରକୁ ଦୂରକୁ ଚାଲିଗଲା-। ଭାରତବର୍ଷ କାହିଁକି ଆମେରିକା ରୀତିରେ ଚାଲୁନାହିଁ ବୋଲି ତେଣେ କ୍ଷୋଭ ଓ କୋପ ବି ପ୍ରକାଶ ପାଇଲା ।

 

ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଶ୍ରୀଯୁକ୍ତ କାର୍ଟର ଏବେ ଯେଉଁ ବିବୃତିଟି ଦେଇଛନ୍ତି, ଏହି ପରିପ୍ରେକ୍ଷୀରେ ସେଥିରେ ଟିକିଏ ଆଶାବାଦୀ ହେବାରେ ଅବଶ୍ୟ କାରଣ ରହିଛି । ସିଏ କହିଛନ୍ତି ଯେ ଆମେରିକାର ବୈଦେଶିକ ନୀତି ଗତ କେତେବର୍ଷ ଧରି ପୃଥିବୀକୁ ଦୁଇ ବୃହତ୍ ଶକ୍ତିଙ୍କ ମଧ୍ୟରେ ବିଭକ୍ତ କରାଇବା ଓ ଅନ୍ୟ ରାଷ୍ଟ୍ରମାନଙ୍କୁ ଏହି ଦୁଇ ଶକ୍ତିଙ୍କ ମଧ୍ୟରୁ କୌଣସି ଗୋଟିଏ ପକ୍ଷ ପ୍ରତି ଅନୁରକ୍ତ କରାଇବା ଦିଗରେ ପରିଚାଳିତ ହେଉଥିଲା । ଏହି ନୀତିକୁ ସେ ଏକ ବିଭେଦସୃଷ୍ଟିକାରୀ ନୀତି ବୋଲି କହିଛନ୍ତି । ସିଏ ଆଶ୍ୱାସନା ଦେଇଛନ୍ତି ଯେ ସାମରିକ ବଳ କିମ୍ବା ଅର୍ଥନୈତିକ ଅଥବା ରାଜନୀତିକ ଚାପଦ୍ୱାରା ଆମେରିକା ତାଙ୍କର ଶାସନକାଳରେ କଦାପି କୌଣସି ଅନ୍ୟ ରାଷ୍ଟ୍ରର ନିଷ୍ପତ୍ତିରେ ହସ୍ତକ୍ଷେପ କରିବାକୁ ଯିବନାହିଁ ।

 

ଉଲେସଙ୍କଠାରୁ ଆରମ୍ଭ କରି କିସିଞ୍ଜରଙ୍କ ପର୍ଯ୍ୟନ୍ତ ସି.ଆଇ.ଏ.ର.ଏକ ପ୍ରବଳ ବାହିନୀ ସାହାଯ୍ୟରେ ଆମେରିକାର ରାଷ୍ଟ୍ରନୀତି ସମଗ୍ର ପୃଥିବୀରେ ଯେଉଁସବୁ ସ୍ୱତନ୍ତ୍ର ସମସ୍ୟାର ସୃଷ୍ଟି ହେବାରେ ସାହାଯ୍ୟ କରି ଆସିଥିଲା, ଶ୍ରୀଯୁକ୍ତ ଜିମ୍ମି କାର୍ଟରଙ୍କର ଆଶ୍ୱାସନା ଆମକୁ ସେସବୁର ଫାନ୍ଦ ଭିତରୁ ବାହାରି ଅନ୍ୟ ପ୍ରକାରେ ଚିନ୍ତା କରିବା ଲାଗି ଅବଶ୍ୟ ଖାଦ୍ୟ ଯୋଗାଇ ଦେବ । ବିଶେଷତଃ ଭାରତବର୍ଷର ପ୍ରତ୍ୟେକ ସଚେତନ ଓ ବନ୍ଧୁତାକାମୀ ନାଗରିକ ଭାବୀ ରାଷ୍ଟ୍ରପତିଙ୍କର ଏହି ଉକ୍ତିଗୁଡ଼ିକୁ ସ୍ୱାଗତ କରିବେ । ଏହିସବୁ ବିବୃତି ଅନୁସାରେ ଶ୍ରୀଯୁକ୍ତ କାର୍ଟର ଆଗାମୀ ଚାରି ବର୍ଷର ତାଙ୍କର ଶାସନରେ ଯଦି ପ୍ରକୃତରେ କିଛି କରିପାରନ୍ତି, ତେବେ ଭାରତବର୍ଷ ସମେତ ସମଗ୍ର ତୃତୀୟ ପୃଥିବୀର କୋଟି କୋଟି ମଣିଷ ତାଙ୍କ ପାଖରେ ନିଶ୍ଚୟ କୃତଜ୍ଞ ହୋଇ ରହିବେ । ଭାରତବର୍ଷ ଓ ଆମେରିକା ପରସ୍ପରର ଅଧିକ ନିକଟବର୍ତ୍ତୀ ହୋଇ ଆସିବାର ବାଟ ପ୍ରଶସ୍ତ ହୋଇଯିବ ।

ତା ୧୫.୧୧.୧୯୭୬ ରିଖ

Image

 

ପାରସ୍ୟ ଉପସାଗର

 

ଏବେ ଯେଉଁ ଦେଶକୁ ଇରାନ ବୋଲି କୁହାଯାଉଛି, ଆଗେ ତାହାକୁ ପାରସ୍ୟ ବୋଲି କୁହାଯାଉଥିଲା ଏବଂ ସେହି ପାରସ୍ୟର ଦକ୍ଷିଣରେ ରହିଥିବା ଉପସାଗରଟିକୁ ନ୍ୟାୟତଃ ପାରସ୍ୟ ଉପସାଗର ବୋଲି କୁହାଯାଉଥିଲା । ବର୍ତ୍ତମାନ ଦେଶଟିର ନାମ ପାରସ୍ୟରୁ ବଦଳି ଇରାନ ହେଲାଣି, ମାତ୍ର ଉପସାଗରଟିର ନାମ ସେହି ପାରସ୍ୟ ଉପସାଗରହିଁ ରହିଛି । ପ୍ରାୟ ତିନିଶହ ବର୍ଷତଳେ ଭାରତ ଏବଂ ୟୁରୋପ ମଧ୍ୟରେ ହେଉଥିବା ପ୍ରାୟ ଯାବତୀୟ ବାଣିଜ୍ୟ ଏହି ପାରସ୍ୟ ଉପସାଗର ଦେଇ ହେଉଥିଲା । ଆରବ ବଣିକମାନେ ପାରସ୍ୟ ଉସସାଗରରୁ ଆରବସାଗର ବାଟେ ଭାରତବର୍ଷକୁ ଆସୁଥିଲେ ଏବଂ ଭାରତର ଜିନିଷ ନେଇ ପଶ୍ଚିମର ସ୍ଥଳପଥ ଅତିକ୍ରମ କରି ତାହାକୁ ୟୁରୋପ ବଜାରରେ ବିକୁଥିଲେ ।

 

ପାରସ୍ୟ ଉପସାଗରରେ ପାଣି ରହିଛି, ମାତ୍ର ଉପସାଗର ଉପକୂଳଯାକ ପେଟ୍ରୋଲ ରହିଛି ଏବଂ ସେହି ଗୋଟିଏମାତ୍ର କାରଣରୁହିଁ ଉପସାଗରର ଚାରିପାଖରେଥିବା ଦେଶଗୁଡ଼ିକ ବିଶ୍ୱ-ଅର୍ଥନୀତି ଏବଂ ବିଶ୍ୱ ରାଜନୀତିରେ ଏତେ ମହତ୍ତ୍ୱପୂର୍ଣ୍ଣ ହୋଇ ଉଠୁଛନ୍ତି । ସମଗ୍ର ପୃଥିବୀରେ ମୋଟ ଯେତେ ପେଟ୍ରୋଲ ମାଟିତଳୁ ବାହାରେ, ତାହାର ତିନି ଭାଗରୁ ଏକଭାଗ କେବଳ ଏହି ଗୋଟିଏ ଅଞ୍ଚଳରୁ ବାହାରେ । ଏହି ଅଞ୍ଚଳଟିରେ ଉପସାଗରକୁ ଲାଗି ଯେତୋଟି ଦେଶ ରହିଛି; କେବଳ ଇରାକକୁ ଛାଡ଼ି ଦେଲେ ବାକୀ ସାନ ବଡ଼ ସବୁ ଦେଶରେ ଶାହ ଅଛନ୍ତି, ରାଜା ଅଛନ୍ତି ଓ ଅମିରମାନେ ଅଛନ୍ତି । ସେହି ପୁରୁଣା କାଳର ସାମନ୍ତବାଦୀ ବ୍ୟବସ୍ଥା ସେଠାରେ ଏବେ ମଧ୍ୟ ବଞ୍ଚି ରହିଛି ଏବଂ ଏଣେ ଅର୍ଥନୀତି କ୍ଷେତ୍ରରେ ସେହିସବୁ ଦେଶ ତେଲ ବିକ୍ରୀ ପଇସାଦ୍ୱାରା ଅତୁଳନୀୟ ସଫଳତା ହାସଲ କରି ପାରିଛନ୍ତି । ବିଶେଷ କରି ପେଟ୍ରୋଲ ଉତ୍ପାଦନ ତଥା ରପ୍ତାନୀ କରୁଥିବା ଦେଶମାନେ ଏକତ୍ର ସଂଗଠନ ବାନ୍ଧି ପୃଥିବୀର ବଜାରରେ ନିଜର ଖିଆଲ ଅନୁସାରେହିଁ ତେଲ ମୂଲ୍ୟ ବଢ଼ାଇବାକୁ ବାଗ ପାଇଗଲା ପରଠାରୁ ଶାହ ଏବଂ ଅମିରମାନଙ୍କର ଏହିସବୁ ଦେଶ ଆହୁରି ଅଧିକ ଧନୀ ହେବାଲାଗି ପ୍ରଶ୍ରୟ ପାଇଛନ୍ତି । ମରୁଭୂମିମୟ ଏହିସବୁ ଦେଶରେ କ୍ରମେ ଅତିରିକ୍ତ ଅର୍ଥାଗମହିଁ ସବୁଠାରୁ ବଡ଼ ସମସ୍ୟା ହେବାକୁ ବସିଲାଣି ଏବଂ ଅସ୍ତ୍ରଶକ୍ତିକୁହିଁ ସବୁଠାରୁ ବଡ଼ଶକ୍ତି ବୋଲି ମାନୁଥିବା ଆଧୁନିକ ପୃଥିବୀର ବଳକଷାକଷିର ପ୍ରତିଦ୍ୱନ୍ଦ୍ୱିତାରେ, ପଇସାଗୁଡ଼ାକୁ ଅସ୍ତ୍ରଶସ୍ତ୍ରରେ ପରିଣତ କରିହିଁ ପାରସ୍ୟ ଉପସାଗରୀୟ ଦେଶମାନେ ସେହି ସମସ୍ୟାଗୁଡ଼ିକର ସମାଧାନ କରୁଛନ୍ତି ।

 

ପାରସ୍ୟ ଉସସାଗରର ଉତ୍ତର କାନ୍ଥକୁ ଇରାନ ଓ ଦକ୍ଷିଣ କାନ୍ଥକୁ ସାଉଦି ଆରବ ବୋଲାଯାଏ । ମଝିରେ ଇରାକକୁ ଛାଡ଼ି ଦେଲେ କୁଏଟ, ଆବୁ ଧାବି, ବାହରାଇନ ଓ ଦୁବାଇ ପ୍ରଭୃତି ଯେଉଁସବୁ ସାନ ସାନ ଟାପୁପ୍ରାୟ ଦେଶ ଅଛନ୍ତି, ଆନ୍ତର୍ଜାତିକ ରାଜନୀତିର କ୍ଷେତ୍ରରେ ସେମାନେ ଏବେ ମଧ୍ୟ କୌଣସି ମହତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରି ନାହାନ୍ତି । ଇରାନ ଓ ସାଉଦି ଆରବହିଁ ବାହାର ବୃହତ୍‍ଶକ୍ତିମାନଙ୍କର ଆଖିରେ ବିଶେଷ ଭାବରେ ମହତ୍ତ୍ୱପୂର୍ଣ୍ଣ ବୋଲି ଦେଖା ଯାଉଛନ୍ତି । ବୃହତ୍‍ଶକ୍ତିମାନଙ୍କର ପ୍ରାଦୁର୍ଭାବ-କ୍ଷେତ୍ରରେ ଯେଉଁ ଶୀତଳଯୁଦ୍ଧ ଅର୍ଥାତ୍ ଅସ୍ତ୍ରଶସ୍ତ୍ର ଜମାକରି ରଖିବାର ପ୍ରତିନ୍ଦନ୍ଦ୍ୱିତା ଲାଗିଛି, ଇରାନ ଏବଂ ସାଉଦି ଆରବ ଅସ୍ତ୍ରବଣିକମାନଙ୍କର ବିଶ୍ୱାସଭାଜନ ହେଲାଭଳି ସେଥିରୁ ଲାଭ ଉଠାଇ ପାରୁଛନ୍ତି ।

 

ଉପନିବେଶ-ଯୁଗରେ ପାରସ୍ୟ ଉପସାଗରର ପ୍ରାୟ ସମଗ୍ର ଅଞ୍ଚଳଟି ବ୍ରିଟିଶ ସାମ୍ରାଜ୍ୟ ଭିତରେ ରହିଥିଲା ବା ଅନ୍ତତଃ ବ୍ରିଟିଶ ପ୍ରଭାବମଣ୍ଡଳର ଅନ୍ତର୍ଗତ ହୋଇ ରହିଥିଲା । ସାମ୍ରାଜ୍ୟର ଅବସାନ ଘଟିଲା, ବ୍ରିଟିଶ ଶକ୍ତି ସେହି ଅଞ୍ଚଳଟିରୁ ବିଦାୟ ନେଇ ଗଲେ । ତଥାପି ପ୍ରଭାବମଣ୍ଡଳର ରାଜନୀତି ଗୁଡ଼ାକ ସହଜରେ ଯିବାକୁ ଚାହିଲା ନାହିଁ । ଦ୍ୱିତୀୟ ମହାଯୁଦ୍ଧ ପରେ ଯୁକ୍ତରାଜ୍ୟ ଆମେରିକାହିଁ ପଶ୍ଚିମ ଇଉରୋପୀୟ ଦେଶଗୁଡ଼ିକର ବିଭିନ୍ନ ସ୍ୱାର୍ଥର ପହରାଦାର ହୋଇ ଅବତୀର୍ଣ୍ଣ ହେଲା । ଆମେରିକା ପୃଥିବୀ ସାରା ମେଣ୍ଟ ବାନ୍ଧିଲା । ପୃଥିବୀଟାକୁ ଦୁଇଟା ଛାଉଣି ହିସାବରେ ବାଣ୍ଟି କରି ରଖିବାକୁ ଯାହାକିଛି କରିବା ଦରକାର, ନିଜ ତରଫରୁ ସେସବୁ କରିବାରେ ଆମେରିକା ଆଦୌ କୌଣସି ତ୍ରୁଟି ଦେଖାଇଲା ନାହିଁ । ଇରାନର ଉତ୍ତରସୀମା ସୋଭିଏଟ ରୁଷିଆକୁ ସ୍ପର୍ଶ କରିଛି । ତେଣୁ, ଏହି ତେଲଖଣି ଗୁଡ଼ିକର ଲୋଭରେ କାଳେ ରୁଷିଆ ସେ ପାଖରୁ ମାଡ଼ି ଆସିବ, ଏହି ଭୟରେ ଆମେରିକାର ଶାନ୍ତି-ନୀତିଜ୍ଞମାନେ ଏହି ଅଞ୍ଚଳଟିକୁ ପ୍ରଚଣ୍ଡ ଭାବରେ ଅସ୍ତ୍ରଶସ୍ତ୍ରଦ୍ୱାରା ବିଭୂଷିତ କରି ରଖିବାକୁହିଁ ବିଜ୍ଞତା ବୋଲି ଜାଣିଲେ । ଆମେରିକା ତରଫରୁ ଇରାନ ଓ ସାଉଦି ଆରବକୁ ଅସ୍ତ୍ରଶସ୍ତ୍ର ବିକ୍ରୀ କରାଗଲା । ତେଲ କିଣିବାରେ ଖରଚ ହେଉଥିବା ପଇସା ଅସ୍ତ୍ର ବିକ୍ରୀର ଜରିଆରେ ପୁଣି ସେହି ଘରକୁହିଁ ଫେରିଆସି ପାରିଲା ।

 

୧୯୭୩ ମସିହାରେ ଯୁକ୍ତରାଜ୍ୟ ଆମେରିକାରୁ ବିଦେଶକୁ ମୋଟ ଯେତେ ଅସ୍ତ୍ରଶସ୍ତ୍ର ବିକ୍ରୀ କରା ହୋଇଥିଲା, ଏକା ସାଉଦି ଆରବ ତାର ଶତକଡ଼ା ୨୩ଭାଗ ଖରିଦ କରିଥିଲା । ୧୯୭୫ରେ ମଧ୍ୟ ସାଉଦି ଆରବ ଆମେରିକା ତରଫରୁ ବିକ୍ରୀ ହୋଇଥିବା ମୋଟ ଅସ୍ତ୍ରଶସ୍ତ୍ରର ଶତକଡ଼ା ୧୪ଭାଗ କିଣିଥିଲା । ଅନ୍ୟ ପକ୍ଷରେ ସେହି ମୋଟ ବିକ୍ରୀର ଶତକଡ଼ା ୪୮ଭାଗ ୧୯୭୩ ମସିହାରେ ଇରାନକୁ ଯାଇଥିଲା । ବର୍ତ୍ତମାନ ମଧ୍ୟ ଇରାନ ଆମେରିକାରୁ ମୋଟ ବିକ୍ରୀ ହେଉଥିବା ଅସ୍ତ୍ରଶସ୍ତ୍ରର ୨୭ଭାଗ କ୍ରୟ କରୁଛି । ଇରାନ ଆମେରିକାଠାରୁ ଯେତେ ପରିମାଣର ଓ ଯେତେ ମୂଲ୍ୟର ଅସ୍ତ୍ରଶସ୍ତ୍ର କିଣୁଛି, ପୃଥିବୀର ଅନ୍ୟ କୌଣସି ଦେଶ ସେତେ ପରିମାଣର ଓ ସେତେ ମୂଲ୍ୟର ଅସ୍ତ୍ରଶସ୍ତ୍ର ଆଦୌ କିଣିନାହାନ୍ତି । ଏପରିକି, ଇସ୍ରାଏଲ ଯାହା କିଣୁଛି, ତାହାକୁ ମୋଟେ ଶତକଡ଼ା ୯ଭାଗ ବୋଲି ହିସାବ କରାଯାଇଛି । ଏବେ ଇରାନର ଶାହ ଓ ହେନରି କିସିଞ୍ଜରଙ୍କ ମଧ୍ୟରେ ହୋଇଥିବା ଏକ ଚୁକ୍ତି ଅନୁସାରେ ୧୯୮୦ ମସିହା ଭିତରେ ଇରାନ ଆମେରିକାଠାରୁ ବାର୍ଷିକ ୨୭୦୦ କୋଟି ଟଙ୍କାର ଅସ୍ତ୍ରଶସ୍ତ୍ର କିଣିପାରିବ ବୋଲି ପ୍ରତିଶ୍ରୁତି ଦିଆଯାଇଛି ।

 

ଏହିସବୁ ଅସ୍ତ୍ରଶସ୍ତ୍ର ସୋଭିଏଟ ରୁଷିଆ ବିରୁଦ୍ଧରେ କେବେ ବ୍ୟବହୃତ ହେବ, ସେକଥା ଖୋଦ୍ କିସିଞ୍ଜର, ଇରାନର ଶାହ ଅଥବା ସାଉଦି ଆରବର ରାଜା ଖାଲେଦ୍ ମଧ୍ୟ କଦାପି କହି ପାରିବେ ନାହିଁ । ମାତ୍ର ବର୍ତ୍ତମାନ ଉପସାଗରୀୟ ଏହି ଦେଶମାନଙ୍କରେ ସାମନ୍ତବାଦ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରି ଆଧୁନିକ ରାଜନୀତିକ ଚେତନା ଲାଗି ଜନସାଧାରଣଙ୍କର ମଧ୍ୟରେ ଯେତେଯାହା ଆକାଂକ୍ଷା ପ୍ରକାଶ ପାଉଛି, ସେଗୁଡ଼ାକୁ କେବଳ କମ୍ୟୁନିଷ୍ଟ କୁପ୍ରଭାବ ବୋଲି କହି ଦବାଇ ଦିଆଯାଉଛି । ଆମେରିକାରୁ କିଣା ଯାଇଥିବା ଅସ୍ତ୍ରଶସ୍ତ୍ର ଗୁଡ଼ାକ ଏହିପରି ଭାବରେହିଁ କାମରେ ଲାଗୁଛି । ଅର୍ଥାତ୍ ଆମେରିକାର ଅସ୍ତ୍ରଶସ୍ତ୍ର ଓ ସହଯୋଗ ଉପସାଗରର ସମଗ୍ର ଖଣ୍ଡଟିରେ ପୁରୁଣା ନିରଙ୍କୁଶତା ଗୁଡ଼ାକୁ ତଥାପି ଦୃଢ଼ କରି ରଖିବାରେହିଁ ସାହାଯ୍ୟ କରୁଛି । ମଣିଷମାନଙ୍କର ଯାବତୀୟ ଅଭିଳାଷକୁ ଉପେକ୍ଷା କରି ରଖାଯାଇଛି ।

ତା ୧୭.୧୧.୧୯୭୬ ରିଖ

Image

 

ଆମେରିକାକୁ ଧମକ

 

ପାକିସ୍ଥାନ ସରକାର ଏବେ ଆମେରିକାକୁ ଧମକ ଦେଇ କହିଛନ୍ତି ଯେ ପାକିସ୍ଥାନରେ ଆଣବିକ ଯନ୍ତ୍ରପାତି ଓ ଚୁଲୀ ଆଦି ବସାଇବାରେ ଫ୍ରାନ୍‍ସକୁ ଆମେରିକା ତରଫରୁ ଯଦି କୌଣସି ବାଧା ଦିଆଯାଏ, ତେବେ ପାକିସ୍ଥାନ ଆମେରିକାର କର୍ତ୍ତୃତ୍ୱରେ ପରିଚାଳିତ ହେଉଥିବା ସାମରିକ ମେଣ୍ଟ ‘ସେଣ୍ଟୋ’ରୁ ଅଲଗା ହୋଇଯିବ । ଇତିମଧ୍ୟରେ ଫ୍ରାନ୍‍ସର ଜଣେ ମନ୍ତ୍ରୀ ଓ ବିଶେଷଜ୍ଞମାନେ ପାକିସ୍ଥାନକୁ ଆସି ସେଠାରେ ଆଣବିକ ଯନ୍ତ୍ରପାତି ବସାଇବା ବିଷୟରେ ପ୍ରାଥମିକ ସର୍ଭେମାନ କରି ଯାଇଛନ୍ତି ଏବଂ ପାକିସ୍ଥାନର ବୈଦେଶିକ ବିଭାଗୀୟ ମନ୍ତ୍ରୀ ଶ୍ରୀଯୁକ୍ତ ଅଜିତ ଅହମ୍ମଦ ମଧ୍ୟ ପ୍ୟାରିସ ଯାଇ ଫେରି ଆସିଛନ୍ତି । ବାହାରକୁ ଜାଣିବାକୁ ସିଏ ଅନ୍ୟ କେତେକ ମାମଲାରେ ସେଠାକୁ ଯାଇଥିଲେ ସତ, ମାତ୍ର ପର୍ଯ୍ୟବେକ୍ଷକମାନେ ଏହି କଥାଟିକୁ ଅତ୍ୟନ୍ତ ସ୍ପଷ୍ଟଭାବେ ଅନୁମାନ କରୁଛନ୍ତି ଯେ ସିଏ ପ୍ୟାରିସରେ ଫରାସୀ ସରକାରୀ କର୍ତ୍ତାମାନଙ୍କ ସହିତ କଥାବାର୍ତ୍ତା କରିବା ସମୟରେ ପାକିସ୍ଥାନରେ ଆଣବିକ ଯନ୍ତ୍ରପାତି ବସାଇବା ଦିଗରେ ଫ୍ରାନ୍‍ସର ସାହାଯ୍ୟ ବିଷୟରେ ନିଶ୍ଚୟ କିଛି ନା କିଛି କଥା ପକାଇଛନ୍ତି । ଏହି କଥାବାର୍ତ୍ତାରେ ପାକିସ୍ଥାନର ଉତ୍ସାହିତ ହେଲାଭଳି ନିଶ୍ଚୟ କେତେକ ଅଗ୍ରଗତି ହୋଇଛି ବୋଲି ସବୁ ପ୍ରକାରର ସୂଚନା ମିଳୁଛି ।

 

କୌଣସି କାରଣରୁ ପାକିସ୍ତାନ ସରକାର ଆମେରିକା ସରକାରଙ୍କ ଠାରୁ ଏହି କ୍ଷେତ୍ରରେ କୌଣସି ସାହାଯ୍ୟ ମାଗିବାକୁ ଯାଇନାହାନ୍ତି । ଅଥବା, ଏପରି ବି ହୋଇପାରେ ଯେ ପାକିସ୍ଥାନକୁ ଆଣବିକ କୌଶଳର କ୍ଷେତ୍ରରେ କୌଣସି ସହଯୋଗ ଦେଖାଇବାକୁ ବା ସାହାଯ୍ୟ କରିବାକୁ ଆମେରିକା ସରକାର ଆଗ୍ରହ ପ୍ରକାଶ କରିନାହାନ୍ତି । ଇସ୍ରାଏଲକୁ ସାହାଯ୍ୟ ଦେବାର କ୍ଷେତ୍ରରେ ଯେଉଁ ଆଗ୍ରହ ପ୍ରକାଶ କରିଛନ୍ତି, ପାକିସ୍ଥାନ ବେଳକୁ ତାହା କରିନାହାନ୍ତି । ମାତ୍ର ଏଣେ ଆପଣାର ଆଣବିକ କୌଶଳ ହାସଲ କରିବାର ଉତ୍ସାହରେ ପାକିସ୍ଥାନ ଆମେରିକାର ଭରସା ଛାଡ଼ି ଅନ୍ୟ ସୌଦାଗରଙ୍କ ପାଖକୁ ଯାଇଛି ଓ ଫ୍ରାନସ ସରକାରଙ୍କ ଠାରୁ ଅନୁକୂଳ ସଙ୍କେତ ପାଇଛି । ଏହାଦ୍ୱାରା ଆମେରିକା ସରକାରଙ୍କର ସ୍ୱାଭିମାନରେ ଆଘାତ ଅବଶ୍ୟ ଲାଗିଛି । ଫ୍ରାନ୍‍ସ ସରକାର ଦକ୍ଷିଣ ଆଫ୍ରିକାରେ ଆଣବିକ ଯନ୍ତ୍ରପାତି ବସାଇବା ଦିଗରେ ଚୁକ୍ତିମାନ ହେଉଥିବା ସମୟରେ ଆମେରିକା ତରଫରୁ କୌଣସି ପ୍ରକାର ଆପତ୍ତି କରାଯାଇ ନଥିଲେ ମଧ୍ୟ କେତେକ ବିଶେଷ କାରଣରୁ ଆମେରିକା ପାକିସ୍ଥାନରେ ଫ୍ରାନସର ସେହି କାର୍ଯ୍ୟକୁ ପସନ୍ଦ କରୁନାହିଁ ଓ ପାକିସ୍ଥାନ ସରକାରଙ୍କୁ ସେ ବିଷୟରେ ନିବର୍ତ୍ତାଇବା ଲାଗି ଚେଷ୍ଟା କରୁଛି । ଫ୍ରାନ୍‍ସ ସରକାରଙ୍କୁ ନିବର୍ତ୍ତାଇବା ଅପେକ୍ଷା ପାକିସ୍ଥାନକୁ ନିବର୍ତ୍ତାଇବା ଆମେରିକା ପକ୍ଷରେ ହୁଏତ ଅପେକ୍ଷାକୃତ ଅଧିକ ସହଜ ବୋଲି ବୋଧ ହେଉଛି । ମାତ୍ର ପାକିସ୍ଥାନ ସରକାର ଆମେରିକା ସହିତ ଆପଣାର ସମ୍ପର୍କରେ କ୍ରମେ ଆପଣାକୁ ଅଧିକ ସାବାଳକ ବୋଲି ଅନୁଭବ କରିବାକୁ ସାହସ କରିଥିବାରୁ ଆମେରିକା ସରକାର ଆଉ ପୂର୍ବପରି ସେତେ ସହଜରେ ଆପଣା ଇଚ୍ଛା ଅନୁସାରେ ଫଳ ପାଇପାରୁ ନାହାନ୍ତି ।

 

ଏହିସବୁ ଘଟଣା, ଅର୍ଥାତ୍ ପ୍ରବର୍ତ୍ତନା ତଥା ପ୍ରତିବାଦର ଗୁମରଗୁଡ଼ାକୁ ପାଇବାକୁ ହେଲେ ଆମକୁ ଆନ୍ତର୍ଜାତିକ କ୍ଷମତା-ରାଜନୀତିର କେତେ ଶିରା ଖେଳେଇ ଦେଖିବାକୁ ପଡ଼ିବ । ଏହି ରାଜନୀତି ହେଉଛି ସାରା ପୃଥିବୀରେ ଆପଣାଲାଗି ଯଥାସମ୍ଭବ ଅଧିକ ପ୍ରଭାବମଣ୍ଡଳ ବିସ୍ତାର କରିବାର ରାଜନୀତି । ଏହି ରାଜନୀତି ବୃହତ୍‍ଶକ୍ତି ବିବାଦର ରାଜନୀତି, ପୃଥିବୀର ଅନେକ ଦେଶଙ୍କ ଭିତରେ ଏକ ତଥାକଥିତ ବୃହତ୍‌ଶକ୍ତି ହୋଇ ରହିବାର ଜିଦ୍‍ଗୁଡ଼ାକ ବଢ଼ିବା ସଙ୍ଗେ ସଙ୍ଗେ ଯେଉଁସବୁ ଦୁର୍ବଳତା ଏବଂ ହାସ୍ୟାସ୍ପଦତାଗୁଡ଼ାକୁ ବହନ କରି ବଞ୍ଚିବାକୁ ହୁଏ, ଏଗୁଡ଼ାକ ତାହାରି ରାଜନୀତି । ଏକଚାଟିଆର ଯୁଗଟା ସିଦ୍ଧାନ୍ତତଃ ବିଲୁପ୍ତ ହୋଇ ଯାଉଥିଲେ ମଧ୍ୟ ତଥାପି ଯେଉଁ କେତୋଟି ରାଷ୍ଟ୍ର ପୃଥିବୀକୁ ଭାଗ ଭାଗ କରି ବାଣ୍ଟି ସେହି ଭାଗଗୁଡ଼ିକ ଉପରେ ଆପଣାର ଦୃଶ୍ୟ ଓ ଅଦୃଶ୍ୟ ନାନା ଏକଚାଟିଆ ଜମାଇ ରଖିବାକୁ ଚାହାଁନ୍ତି, ଏଇଟା ହେଉଛି ଧର୍ମତଃ ସେଇମାନଙ୍କର ରାଜନୀତି । ଗୋଟିଏ କଥାରେ କହିଲେ, ଏଗୁଡ଼ାକ ରାଷ୍ଟ୍ର-ରାଷ୍ଟ୍ର ଭିତରେ ରହୁଥିବା ସମ୍ବନ୍ଧଗୁଡ଼ିକର କ୍ଷେତ୍ରରେ ପ୍ରାୟ ଏକ ଅନ୍ତଃମାନସିକ ସ୍ତରର ସାମ୍ରାଜ୍ୟବାଦରହିଁ ରାଜନୀତି ।

 

ଏହି ରାଜନୀତିରୁହିଁ ସାମରିକ ମେଣ୍ଟଗୁଡ଼ାକର ଜନ୍ମ ହୋଇଛି । ଏଇଥିରୁ ଏକ ରାକ୍ଷସୀ ଉତ୍ସାହ ଜନ୍ମଲାଭ କରି ତଦ୍ଦ୍ୱାରା ଆନ୍ତର୍ଜାତିକ ଭାରସାମ୍ୟ ରକ୍ଷାକରିବା ନାମରେ ସାରା ପୃଥିବୀକୁ ଏକ ଅସ୍ତ୍ରାଗାର ଓ ସୈନ୍ୟଛାଉଣୀ କରି ସଜାଇ ଦିଆଯାଇଛି । ଏହି ସାମରିକ ମେଣ୍ଟଗୁଡ଼ାକ ଆମ ଆଧୁନିକ ପୃଥିବୀରେ ଗୋଟିଏ ଗୋଟିଏ ପ୍ରଗତିକାମୀ ସହଯୋଗଧର୍ମୀ ଜନସମୂହ ଭାବରେ ରହିବା ଲାଗି ଯେ ଆଦୌ ଆବଶ୍ୟକ ନୁହେଁ, ଏହି କଥାଟିକୁ ବିଶ୍ୱ ସାରା ଅଧିକରୁ ଅଧିକ ଗୋଷ୍ଠୀ ହୃଦୟଙ୍ଗମ କରିବା ସଙ୍ଗେ ସଙ୍ଗେ ଓ ସହାବସ୍ଥାନ, ଗୋଷ୍ଠୀ ନିରପେକ୍ଷତା ପ୍ରଭୃତି ଅନ୍ୟ ମାର୍ଗ ଓ ଅନ୍ୟଦୃଷ୍ଟିଗୁଡ଼ିକ କ୍ରମେ ଅଧିକ ଅନୁକୂଳ ଓ ଉପାଦେୟ ବୋଲି ପ୍ରମାଣିତ ହେବା ସଙ୍ଗେ ସଙ୍ଗେ ଅନ୍ତଃରାଷ୍ଟ୍ରୀୟ ମନୋବିଜ୍ଞାନରେ ମଧ୍ୟ ଏକ ପରିବର୍ତ୍ତନ ପରିଦୃଷ୍ଟ ହେବାରେ ଲାଗିଛି । ପୃଥିବୀର ବଡ଼ ରାଷ୍ଟ୍ରଗୁଡ଼ିକ ସହିତ ତଥାକଥିତ ସାନ ଓ ନୂତନ ରାଷ୍ଟ୍ରମାନେ ଆଗଠାରୁ ଅଧିକ ସାବାଳକ ଭାବରେ ଭାବିବା ଲାଗି ବି ଆରମ୍ଭ କଲେଣି ।

 

ପାକିସ୍ଥାନ ଯେ ଆମେରିକାକୁ ଧମକ ଦେବାରେ ପ୍ରଥମ ଦୃଷ୍ଟାନ୍ତ, ସେକଥା ଆଦୌ ନୁହେଁ । ଏହା ପୂବର୍ରୁ କେତେ ମାସ ତଳେ ତୁର୍କୀ ମଧ୍ୟ ଆମେରିକାକୁ ଧମକ ଦେଇଥିଲା । ଦିନେ ଥାଇଲାଣ୍ଡ ମଧ୍ୟ ସେହିପରି ଧମକ ଦେଇଥିଲା । ଆସନ୍ତା ବେଶ୍ କେତେ ବର୍ଷ ପାଇଁ ଆମେରିକା ଠାରୁ ସୁବିଧାମାନ ଆଦାୟ କରିବା ଲାଗି ଏମାନେ ଏହିପରି ଧମକମାନ ଦେବାରେ ଲାଗିଥିବେ ଏବଂ ଏକ ବଡ଼ ଶକ୍ତି ହୋଇ ନିଜର ତଥାକଥିତ ପ୍ରଭାବମଣ୍ଡଳଗୁଡ଼ାକୁ ମୁଣ୍ଡରେ ବୋହି ରହିବାକୁ ଇଚ୍ଛା କରୁଥିବା ପର୍ଯ୍ୟନ୍ତ ଆମେରିକାକୁ ମଧ୍ୟ ସାନ ସାନ ଅନୁଗାମୀ ରାଷ୍ଟ୍ରଗୁଡ଼ିକୁ ସନ୍ତୁଷ୍ଟ ଓ ପ୍ରସନ୍ନ କରି ରଖିବାକୁ ପଡ଼ୁଥିବ । ଆମେରିକାର ଫୁସୁଲା ଭିତରେ ପଡ଼ି ଯେ ଏମାନେ ଦିନେ ତଥାକଥିତ ସାମରିକ ମେଣ୍ଟଗୁଡ଼ାକ ଭିତରେ ପଶି ବେକରେ ଫାଶ ଗଳାଇ ରହିବାକୁ ଆଗଭର ହୋଇ ଆସିଥିଲେ, ସେହି ଅସଲ ଗୁମରଟି ମଧ୍ୟ କ୍ରମେ ଅଧିକରୁ ଅଧିକ ପରିମାଣରେ ପଦାରେ ପଡ଼ିଯାଉଥିବ ।

ତା ୧୯.୧୧.୧୯୭୬ ରିଖ

Image

 

ଏକ ନିଶ୍ଚିତ ଅଗ୍ରଗତି

 

ଏଥର ମିଳିତ ଜାତିସଂଘର ସାଧାରଣ ଅଧିବେଶନରେ ଦୀର୍ଘ ଦୁଇ ସପ୍ତାହ ବ୍ୟାପୀ ତର୍କ ଓ ଆଲୋଚନା ପରେ ଦକ୍ଷିଣ ଆଫ୍ରିକା ବିଷୟରେ ମିଳିତ ଜାତିସଂଘର ନୀତି ଉପରେ ଯେଉଁ ଦଶଦଫା ସମ୍ବଳିତ ପ୍ରସ୍ତାବ ଗୃହୀତ ହୋଇଗଲା, ସେଥିରେ ପ୍ରସ୍ତାବଟିର ସପକ୍ଷରେ ୧୦୮ଟି ରାଷ୍ଟ୍ର ଭୋଟ ଦେଇଥିଲେ ଏବଂ ମୋଟେ ଏଗାରଟି ରାଷ୍ଟ୍ର ପ୍ରସ୍ତାବର ବିରୋଧ କରିଥିଲେ । ପ୍ରସ୍ତାବଟିର ବିଭିନ୍ନ ଦଫାରେ ବିଭିନ୍ନ ପ୍ରକାର କଥା ରହିଛି । ଦକ୍ଷିଣ ଆଫ୍ରିକାର ବର୍ଣ୍ଣବିଦ୍ୱେଷ ନୀତିଟିକୁ କେନ୍ଦ୍ରକରି ଯେଉଁସବୁ ବିଭିନ୍ନ ସମସ୍ୟା କ୍ରମେ ପୃଥିବୀରେ ଆମ ସମସ୍ତଙ୍କ ଲାଗି ମଧ୍ୟ ଗୋଟିଏ ଗୋଟିଏ ଉତ୍କଟ ସମସ୍ୟାରେ ପରିଣତ ହୋଇଛି, ବିଭିନ୍ନ ଦଫାରେ ସେହିସବୁ ସମସ୍ୟାର ପ୍ରତିକାର ଲୋଡ଼ାଯାଇଛି । ଏଗୁଡ଼ିକୁ ମିଳିତ ରାଷ୍ଟ୍ରସଂଘର ସଦସ୍ୟମାନେ ଆନ୍ତରିକତା ସହିତ କାର୍ଯ୍ୟକାରୀ କଲେ ଦକ୍ଷିଣ ଆଫ୍ରିକା ଯେ ହୁଏତ କ୍ରମେ ବଶ୍ୟ ହୋଇ ଆସିବ ଓ ନିଜର ବର୍ବର ବ୍ୟବସ୍ଥାଗୁଡ଼ିକୁ ବଦଳାଇବାକୁ ପରିସ୍ଥିତିଦ୍ୱାରା ବାଧ୍ୟ ହେବ, ପ୍ରସ୍ତାବଟିକୁ ଗୃହୀତ କରାଇନେବା ପଛରେ ଏହିପରି ଏକ ଆଶା ନିହିତ ହୋଇ ରହିଛି ।

 

ଦକ୍ଷିଣ ଆଫ୍ରିକା ସରକାରଙ୍କୁ ନିନ୍ଦା କରି ଓ ତାଙ୍କଦ୍ୱାରା ଅନୁସୃତ ହୋଇ ଆସିଥିବା କୃଷ୍ଣକାୟ ବିରୋଧୀ ନୀତି ବିରୁଦ୍ଧରେ ଆବଶ୍ୟକ ପ୍ରତିକାର ବ୍ୟବସ୍ଥାମାନ ଗ୍ରହଣ କରିବା ଦିଗରେ ଉତ୍ସୁକତା ପ୍ରକାଶ କରି ମିଳିତ ଜାତିସଂଘରେ ଏହି ପ୍ରଥମଥର ସକାଶେ ଯେ ଏଭଳି ପ୍ରସ୍ତାବଟିଏ ବହୁମତରେ ଗୃହୀତ ହେଲା, ସେ କଥା ଆଦୌ ନୁହେଁ । ଏଭଳି ନାନା ପ୍ରସ୍ତାବ ଜାତିସଂଘର ଇତିହାସରେ ସମ୍ଭବତଃ ଶତାଧିକବାର ଗୃହୀତ ହୋଇ ସାରିବଣି । ମାତ୍ର ସେଥିରୁ ଅଭିଳଷିତ ଫଳମାନ ତଥାପି ମିଳିପାରି ନାହିଁ । ପୃଥିବୀର ଅନେକ ଦେଶ ବାଣିଜ୍ୟ ଓ ଅସ୍ତ୍ରସାହାଯ୍ୟର କ୍ଷେତ୍ରରେ ଦକ୍ଷିଣ ଆଫ୍ରିକାର ଗୋଟାସୁଦ୍ଧା ମଦତକାରୀ ହୋଇ ରହି ଆସିଛନ୍ତି ଓ ଏବେ ମଧ୍ୟ ରହିଛନ୍ତି । ଆମେରିକା, ବ୍ରିଟେନ ଓ ଫ୍ରାନ୍‍ସ ପ୍ରଭୃତି ଦେଶ ଉପରେ ଦକ୍ଷିଣ ଆଫ୍ରିକାର ବର୍ଣ୍ଣବାଦୀ ନୀତିର ନିନ୍ଦାବାଦ କରୁଥିଲେ ମଧ୍ୟ ତେଣେ ସେହି ସରକାରକୁ ତାର ଦର୍ପିତ ଅସ୍ତିତ୍ୱରେ ଦୃଢ଼ ଓ ଆହୁରି ଦୃଢ଼ କରି ରଖିବା ଲାଗି ସବୁ ପ୍ରକାରର ଦୁଇମୁହାଁ ନୀତି ଅବଲମ୍ବନ କରିଛନ୍ତି । ଅନେକ ସମୟରେ ସେମାନେ ନିରାପତ୍ତା ପରିଷଦରେ ଆପଣାର ଭେଟୋ ଅର୍ଥାତ୍ ବିଶେଷ କ୍ଷମତାର ପ୍ରୟୋଗ କରି ବହୁମତର ନିଷ୍ପତ୍ତିଗୁଡ଼ାକୁ ନାକଚ କରି ଦେଇଛନ୍ତି । ତେଣୁ ପ୍ରସ୍ତାବ ପରେ ପ୍ରସ୍ତାବ ଗୃହୀତ ହୋଇଥିଲେ ମଧ୍ୟ ତେଣେ ଦକ୍ଷିଣ ଆଫ୍ରିକାରେ ଅନ୍ୟାୟଗୁଡ଼ାକ ମଧ୍ୟ ଅଧିକରୁ ଅଧିକ ନିରଙ୍କୁଶ ଭାବରେ ଜାରି ରହିଛି ।

 

ଦକ୍ଷିଣ ଆଫ୍ରିକାର ବର୍ଣ୍ଣବିଦ୍ୱେଷୀ ସରକାରକୁ ରକ୍ଷା କରିବାପାଇଁ ଆମେରିକା, ବ୍ରିଟେନ ଏବଂ ଫ୍ରାନ୍‍ସ ବିଶ୍ୱ ନିରାପତ୍ତା ପରିଷଦରେ ଏଥର ମଧ୍ୟ ଯେପରି ନିଜ ନିଜର ଭେଟୋ କ୍ଷମତାର ଅପପ୍ରୟୋଗ ନକରନ୍ତି, ପ୍ରସ୍ତାବଟିରେ ସେଥିଲାଗି ଅନୁରୋଧ କରାଯାଇଛି । ଏହା ହେଉଛି ଏକ ନୂତନ ପଦକ୍ଷେପ, ଏକ ନିଶ୍ଚିତ ପଦକ୍ଷେପ । ଏହିପରି ଏକ ପଦକ୍ଷେପ ଆଗରୁ କେବେହେଲେ ନିଆହୋଇ ନଥିଲା । ଅବଶ୍ୟ ଏତିକିରୁ କେହି କଦାପି କହିବାକୁ ଯିବନାହିଁ ଯେ ଆମେରିକା, ବ୍ରିଟେନ ଏବଂ ଫ୍ରାନ୍‍ସ ବିଶ୍ୱସଭାର ଏହି ଅନୁରୋଧ ଅନୁସାରେ କାର୍ଯ୍ୟ କରିବାକୁ ବାଧ୍ୟ ହେବେ ଏବଂ ଦକ୍ଷିଣ ଆଫ୍ରିକାର ସପକ୍ଷରେ ଭେଟୋ କ୍ଷମତାର ପ୍ରୟୋଗ କରିବାରୁ ନିରସ୍ତ ହେବେ । ଏକଥା ଆଗରୁ କେବେହେଲେ ଘଟିନାହିଁ । ସମ୍ଭବତଃ ଏଥର ମଧ୍ୟ ତାହା ଘଟିବ ନାହିଁ । ତଥାପି ସାଧାରଣ ଅଧିବେଶନର ଏହି ଔପଚାରିକ ପଦକ୍ଷେପକୁ ବଡ଼ ସୁନିଶ୍ଚିତ ଭାବରେ ଏକ ଅଗ୍ରଗତି ବୋଲି କହିବାକୁ ପଡ଼ିବ । ନିଶ୍ଚିତ ଭାବରେ କୁହାଯାଇ ପାରିବ ଯେ, ଭେଟୋ କ୍ଷମତା ପ୍ରୟୋଗ କରିବାର ପରମ୍ପରାଟିଦ୍ୱାରା ବାର ବାର ବିଶ୍ୱ ସଭାର ବହୁମତକୁ କାଟି ପକାଇବାଦ୍ୱାରା ମନୁଷ୍ୟଭବିଷ୍ୟ ଲାଗି ଯେ ଆଦୌ କୌଣସି ମଙ୍ଗଳ କରାଯାଉ ନାହିଁ, ମିଳିତ ଜାତିସଂଘର ଏକ ସମ୍ପୂର୍ଣ୍ଣ ଅଧିବେଶନରେ ସର୍ବପ୍ରଥମ ଥରପାଇଁ ସେହି କଥାଟିକୁ ଜାହିର କରି ଦିଆଗଲା । ଏହାଦ୍ୱାରା ସମ୍ପୃକ୍ତ ଭେଟୋ ଅଧିକାରୀମାନଙ୍କ ବିବେକରେ ଯେ ଆଦୌ କୌଣସି ଦଂଶନ ଅନୁଭୂତ ହେବ, ସେକଥା ନିଶ୍ଚିତ କରି କେହି କହି ପାରିବନାହିଁ । ମାତ୍ର ମିଳିତ ଜାତିସଂଘରେ ନାନାପ୍ରକାର ବିଶେଷାଧିକାରର ଆଳ ଦେଖାଇ ଯେଉଁ ଏକାଚାଟିଆ ଦୁର୍ବୃର୍ତ୍ତତା ଗୁଡ଼ାକୁ ଆଜିଯାଏ ପ୍ରଶ୍ରୟ ଦିଆହୋଇ ଆସିଥିଲା, ସେଗୁଡ଼ାକୁ ଯେ କଦାପି ସବୁଦିନ ଲାଗି ସୁରୁଖୁରୁରେ ଚଳାଇ ହେବନାହିଁ, ଏଥର ଆନୁଷ୍ଠାନିକ ଭାବରେ ସର୍ବପ୍ରଥମ ଥରପାଇଁ ବିଶ୍ୱସଭାରେ ତାହାରି ଏକ ସ୍ପଷ୍ଟ ପ୍ରମାଣ ମିଳିଗଲା ।

 

ଭେଟୋ କ୍ଷମତାର ପ୍ରୟୋଗ କେବଳ ଦକ୍ଷିଣ ଆଫ୍ରିକାର ବର୍ଣ୍ଣବିଦ୍ୱେଷ ନୀତିର ପ୍ରତିକାର କରିବାକୁ ଯିବାବେଳେ ମିଳିତ ଜାତିସଂଘର ବହୁମତର ସମ୍ମୁଖରେ ପ୍ରତିବନ୍ଧକ ହୋଇ ଠିଆ ହେଉଥିବା ଏକ ବିଶେଷ ସମସ୍ୟା ନୁହେଁ । ଏଇଟି ରାଷ୍ଟ୍ରସଂଘର ଏକ ସାଧାରଣ ସମସ୍ୟା । ଜାତିସଂଘରେ ୧୫୦ଟି ସଦସ୍ୟ ରାଷ୍ଟ୍ର ମଧ୍ୟରୁ ମୋଟେ ପାଞ୍ଚୋଟି ରାଷ୍ଟ୍ର ହାତରେ ନିଜର ଇଚ୍ଛା ଅନୁସାରେ ଏହି ବିଶେଷ କ୍ଷମତାଟିକୁ ପ୍ରୟୋଗ କରିବାର ଅଧିକାର ରହିଛି । ଭେଟୋ କ୍ଷମତାକୁ ଯେତେବେଳେ ସମ୍ବିଧାନଭୁକ୍ତ କରି ରଖାଯାଇଥିଲା, ସେତେବେଳେ ଜାତିସଂଘରେ ସର୍ବମୋଟ ପଚାଶଟି ସଦସ୍ୟରାଷ୍ଟ୍ର ରହିଥିଲେ । ଦ୍ୱିତୀୟ ମହାଯୁଦ୍ଧରେ ଜିତିଥିବା ଦେଶଗୁଡ଼ିକର ଉତ୍ସାହରେ ସେତେବେଳେ ମିଳିତ ଜାତିସଂଘକୁ ଜନ୍ମ ଦିଆଯାଇଥିଲା । ଯେଉଁ ପାଞ୍ଚୋଟି ରାଷ୍ଟ୍ର ଆପଣାକୁ ପ୍ରକୃତ ବିଜୟୀ ବୋଲି ଗଣୁଥିଲେ, ସେମାନେ ନିଜପାଇଁ ଏହି ଭେଟୋ ଅଧିକାରର ଏକଚାଟିଆକୁ ଏକ ସୁରକ୍ଷାକବଚ ପରି କରି ରଖିବାକୁ ଚାହୁଁଥିଲେ । ସେତେବେଳେ ସେମାନେ ଗୋଟାଏ ପକ୍ଷରେ ଥିଲେ । ପାରସ୍ପରିକ ନାନା ସନ୍ଦେହ ରହିଥିଲେ ମଧ୍ୟ ସେମାନେ ଏକାଠି ଗୋଟିଏ ପକ୍ଷ ହିସାବରେ ମହାଯୁଦ୍ଧଟିରେ ଜୟଲାଭ କରିଥିଲେ ଏବଂ ଯୁଦ୍ଧ ପରେ ବିଶ୍ୱର ଯାବତୀୟ ମୀମାଂସାଗୁଡ଼ିକୁ ସମ୍ମିଳିତ ଭାବରେହିଁ କରୁଥିଲେ । ବର୍ତ୍ତମାନ ସେହି ଗୋଟିଏ ଶିବିର ତିନି ଭାଗରେ ବିଭକ୍ତ ହୋଇଗଲାଣି । ତିନିଟା ବିବଦମାନ ଆତ୍ମ-ସଚେତନ ସ୍ୱାର୍ଥ ଏବେ ତିନିଟା ରାଜନୀତିରେ ବିଭକ୍ତ ହୋଇଗଲାଣି । ଗୋଷ୍ଠୀ ନିରପେକ୍ଷ ଦେଶଗୁଡ଼ିକୁ ଛାଡ଼ି ଦେଲେ ସମଗ୍ର ପୃଥିବୀକୁ ଏମାନେ ଆପଣାର ତିନୋଟି ପ୍ରଭାବମଣ୍ଡଳରୂପେ ବିଭକ୍ତ କରି ରଖିଛନ୍ତି । ପୃଥିବୀରେ ନିରପେକ୍ଷ ନୀତିହିଁ ଆନ୍ତର୍ଜାତିକ ସମ୍ବନ୍ଧ ଓ ସହାବସ୍ଥାନର ସୁସ୍ଥତମ ନୀତିରୂପେ ସ୍ୱୀକୃତ ହୋଇ ଆସୁଥିବା ସଙ୍ଗେ ସଙ୍ଗେ ସେହି ସାଆନ୍ତ ଅମଳର ଭେଟୋ ବ୍ୟବସ୍ଥାଟା କ୍ରମେ ଗୋଟାଏ ତୁଚ୍ଛା ଅବ୍ୟବସ୍ଥା ପରି ମନେ ହେବାକୁ ଲାଗିଲାଣି । ଯେଉଁ ପରିବେଶରେ ଭେଟୋର ଜନ୍ମ ହୋଇଥିଲା, ସେହି ପରିବେଶବି କୁଆଡ଼େ ବଦଳି ଗଲାଣି । ବିଶ୍ୱସ୍ତରର ଆକାଂକ୍ଷା ଗୁଡ଼ାକ ମଧ୍ୟ ବଦଳିଯିବାରେ ଲାଗିଛି । ତେବେ ପୁରୁଣା ରାଜନୀତିର ଏକ ଦୁଷ୍ଟ ସଙ୍କେତରୂପେ ରହି ଆସିଥିବା ଭେଟୋ ବ୍ୟବସ୍ଥାଟା ତଥାପି ଗୋଡ଼ରେ ପଥର ପରି ବନ୍ଧା ହୋଇ ରହିଥିବ କାହିଁକି ?

ତା ୨୦.୧୧.୧୯୭୬ ରିଖ

Image

 

ସାଧାରଣ ସମ୍ପର୍କ

 

ଯୁକ୍ତରାଜ୍ୟ ଆମେରିକା ଏବଂ ଭିଏଟନାମର ସରକାରୀ ପ୍ରତିନିଧିଙ୍କ ମଧ୍ୟରେ ପ୍ୟାରିସ୍‍ଠାରେ କଥାବାର୍ତ୍ତା ଆରମ୍ଭ ହୋଇଛି । ଦୁଇ ରାଷ୍ଟ୍ର ମଧ୍ୟରେ ପୁନର୍ବାର ସ୍ୱାଭାବିକ ସମ୍ପର୍କ ସ୍ଥାପନ କରିବାର ଦୂର ଉଦ୍ଦେଶ୍ୟ ରଖି ଏହି କଥାବାର୍ତ୍ତା ଆରମ୍ଭ ହୋଇଥିଲା ।

 

ଆମେରିକା ଓ ଭିଏଟ୍‍ନାମ ଭିତରେ ପ୍ରାୟ କୋଡ଼ିଏ ବର୍ଷ ଧରି ଯେଉଁ ଯୁଦ୍ଧ ଲାଗିଆସିଥିଲା ଓ ଯେଉଁ ଯୁଦ୍ଧ ଶୀତଳ ସମରର ଏକ ରାଜନୀତିକ ପୃଥିବୀ ଭିତରେ ଏକଦା ଏକମାତ୍ର ଅଶୀତଳ କ୍ଷେତ୍ର ହୋଇ ରହିଥିଲା, ସେହି ଯୁଦ୍ଧର ଅବସାନ ଘଟିବା ବର୍ତ୍ତମାନ ପ୍ରାୟ ଦେଢ଼ବର୍ଷରୁ ଉର୍ଦ୍ଧ୍ୱ ହୋଇଗଲାଣି । ଏହା ଭିତରେ ଯୁଦ୍ଧକାଳୀନ ଉତ୍ତର ଭିଏଟ୍‌ନାମ ଓ ଦକ୍ଷିଣ ଭିଏଟ୍‌ନାମ ମିଶି ଗୋଟିଏ ଭିଏଟ୍‌ନାମରେ ପରିଣତ ହୋଇଛି । ଯୁଦ୍ଧ ସମୟରେ ଉତ୍ତର ଭିଏଟ୍‌ନାମରେ ଅର୍ଥାତ୍ ହାନୋଇଠାରେ ଯେଉଁ ରାଷ୍ଟ୍ର ପ୍ରତିଷ୍ଠିତ ହୋଇ ରହିଥିଲା, ତାହାହିଁ ଉତ୍ତର ଓ ଦକ୍ଷିଣ ଦୁଇ ଭିଏଟ୍‌ନାମର ଜନଗଣଙ୍କର ପ୍ରକୃତ ପ୍ରତିନିଧିତ୍ୱ କରୁଥିଲା । ହୋ-ଚି-ମିନ୍ ସେହି ପ୍ରତିନିଧିତ୍ୱର ସର୍ବଶୀର୍ଷ ସ୍ଥାନରେ ରହିଥିଲେ । ପ୍ରଧାନତଃ ତାଙ୍କରି ନେତୃତ୍ୱରେହିଁ ଆମେରିକା ସହିତ ଭିଏଟ୍‌ନାମର ଯୁଦ୍ଧଟି ପରିଚାଳିତ ହେଉଥିଲା ଏବଂ ସେତେବେଳେ ଦକ୍ଷିଣ ଭିଏଟ୍‍ନାମ ବୋଲି ଯେଉଁ ରାଷ୍ଟ୍ରଟି ବାହାର ପୃଥିବୀର ବୁଝିବାକୁ ଉତ୍ତର ଭିଏଟ୍‌ନାମ ସହିତ ଯୁଦ୍ଧରେ ବ୍ୟାପୃତ ହୋଇ ରହିଥିଲା, ସେଠାରେ ଆମେରିକା ତରଫରୁ କେତୋଟି ସଖୀକଣ୍ଢେଇ ପ୍ରସ୍ଥାପିତ ହୋଇ ରହିଥିଲେ । ସେହିମାନଙ୍କୁହିଁ ଆମେରିକା ସର୍ବତ୍ର ଭିଏଟ୍‌ନାମର ପ୍ରକୃତ ପ୍ରତିନିଧି ବୋଲି ଦର୍ଶାଉଥିଲା ଓ ସେହିମାନଙ୍କୁ ନିମିତ୍ତ କରି ଆପଣାର ପଇସା, ଅସ୍ତ୍ରଶସ୍ତ୍ର ଏବଂ ସୈନ୍ୟବଳ ଖଟାଇ ଉତ୍ତର ଭିଏଟ୍‌ନାମ ଅର୍ଥାତ୍ ଅସଲ ଭିଏଟ୍‌ନାମ ସହିତ ଯୁଦ୍ଧ ଲଢ଼ୁଥିଲା । ଆମେରିକାର ସେହି ରାଜନୀତି ଅର୍ଥାତ୍ ସମରନୀତି ଜନ୍ ଫଷ୍ଟର ଡଲେସ୍‌ଙ୍କଠାରୁ ଆରମ୍ଭ ହୋଇଥିଲା ଓ ନାନା ଉତ୍‍ଥାନପତନ ମଧ୍ୟଦେଇ ରାଷ୍ଟ୍ରପତି ରିଚାର୍ଡ଼ ନିକ୍‌ସନଙ୍କ ଅମଳରେ ତାହାର ଅବସାନ ଘଟିଲା ।

 

ପ୍ରାୟ ତିନିବର୍ଷ ତଳେ ୧୯୭୩ ମସିହାରେ ସେହି ପ୍ୟାରିସ୍‍ଠାରେ ଆମେରିକା ଓ ଭିଏଟ୍‌ନାମ ମଧ୍ୟରେ ଯେଉଁ କଥାବାର୍ତ୍ତା ବସିଥିଲା, ସେଥିରେ ଉତ୍ତର ଭିଏଟ୍‌ନାମ ଯୋଗଦେଇଥିଲା, ଦକ୍ଷିଣ ଭିଏଟ୍‌ନାମରେ ସେତେବେଳେ ସଂଗ୍ରାମ ଲଢ଼ୁଥିବା ବିପ୍ଳବକାଳୀନ ଅସ୍ଥାୟୀ ସରକାରର ପ୍ରତିନିଧି ଯୋଗଦେଇଥିଲେ ଓ ଆପଣାକୁ ଦକ୍ଷିଣ ଭିଏଟ୍‌ନାମ ବା ଅସଲ ଭିଏଟ୍‍ନାମ ବୋଲି କହୁଥିବା ସଖୀକଣ୍ଢେଇମାନେ ବି ଯୋଗଦେଇଥିଲେ । ସେତେବେଳେକୁ ଆମେରିକା ଭିଏଟ୍‍ନାମ କ୍ଷେତ୍ରରୁ କ୍ରମଶଃ ଓହରି ବାହାରିଯିବ ବୋଲି ନିଷ୍ପତ୍ତି ନେଇସାରିଥିଲା । ଭିଏଟ୍‍ନାମରୁ ଆମେରିକାର ସୈନ୍ୟ ଅପସାରଣ ଆରମ୍ଭ ବି ହୋଇଯାଇଥିଲା । କିନ୍ତୁ ଭିଏଟ୍‍ନାମର ଏକତ୍ରୀକରଣ ହୋଇନଥିଲା ।

 

ବର୍ତ୍ତମାନ ପ୍ୟାରିସ୍‍ଠାରେ ଯେଉଁ କଥାବାର୍ତ୍ତା ଆରମ୍ଭ ହୋଇଛି, ସେଥିରେ ମୁଖ୍ୟତଃ ତିନୋଟି ପ୍ରସଙ୍ଗ ପଡ଼ିବ । ପ୍ରଥମ କଥାଟି ହେଉଛି ନୂତନ ସଂଯୁକ୍ତ ଭିଏଟ୍‌ନାମକୁ ଆମେରିକା ସରକାର ସ୍ୱୀକୃତି ଦେବେ ଓ ଭିଏଟ୍‌ନାମ୍‌ ମିଳିତ ଜାତିସଂଘରେ ଏକ ସଦସ୍ୟରୂପେ ଗୃହୀତ ହେବାରେ ଆଉ କୌଣସି ପ୍ରତିବନ୍ଧକ ସୃଷ୍ଟି କରିବେ ନାହିଁ । ସ୍ମରଣ ଥାଇପାରେ ଯେ ନିରାପତ୍ତା ପରିଷଦ ଭିଏଟ୍‌ନାମର ସଦସ୍ୟତାକୁ ବହୁମତରେ ଅନୁମୋଦନ କରି ସାରିଥିଲେ ମଧ୍ୟ ଆମେରିକା ସରକାର ନିଜ ଭେଟୋ କ୍ଷମତାର ପ୍ରୟୋଗ କରି ପ୍ରସ୍ତାବଟିକୁ ପଣ୍ଡକରି ଦେଇଛନ୍ତି । ଆମେରିକା ପକ୍ଷରୁ ଦାବୀ ହେଉଛି ଯେ ଭିଏଟ୍‌ନାମ୍‌ ରଣକ୍ଷେତ୍ରରେ ଏ ପର୍ଯ୍ୟନ୍ତ ନିଖୋଜ ତାଲିକାରେ ରହିଥିବା ଆମେରିକାର ଆଠଶହ ସୈନିକଙ୍କ ବିଷୟରେ ଭିଏଟ୍‌ନାମ୍‌ ତରଫରୁ ଆଗ ସନ୍ତୋଷଜନକ ବିବରଣୀମାନ ଯୋଗାଇ ଦିଆଗଲେ ଯାଇ ଆମେରିକା ଭିଏଟ୍‌ନାମର ଜାତିସଂଘ ସଦସ୍ୟତା ବିଷୟରେ ଭେଟୋ ପ୍ରୟୋଗର ନୀତିକୁ ପରିହାର କରିବ । ଭିଏଟ୍‌ନାମ୍‌ ଏ ପର୍ଯ୍ୟନ୍ତ କହିଆସିଛି ଯେ ଉକ୍ତ ସୈନ୍ୟମାନଙ୍କ ବିଷୟରେ ଯାହା ବିବରଣୀ ଯୋଗାଇବା କଥା ତାହା ଯୋଗାଇ ଦିଆଯାଇ ସାରିଛି ଓ ଆଉ ଯୋଗାଇ ଦେବା ସକାଶେ ଆଦୌ କୌଣସି ଅଧିକ ବିବରଣୀ ସେମାନଙ୍କ ପାଖରେ ନାହିଁ । ଏଇଟି ହେଉଛି ଦ୍ୱିତୀୟ ପ୍ରସଙ୍ଗ । ଅତୀତରେ କୂଟନୀତିର ଟଣାଓଟରା କ୍ଷେତ୍ରରେ ଯାହା ହୋଇଥାଉ ପଛକେ, ତଥାପି ଆଶା କରାଯାଉଛି ଯେ ପାରିସ୍ କଥାବାର୍ତ୍ତାରେ ଏଥର ଏହି ଦୁଇଟିଯାକ କଥା ପଡ଼ିବ । ଦୁଇପକ୍ଷ ଅଧିକ ବୁଝାମଣା ସହିତ ତାହା ଉପରେ ବିଚାର କରିବେ ଏବଂ ତାଦ୍ୱାରା ନିଶ୍ଚୟ ଏକ ରାଜିନାମା ସମ୍ଭବ ହୋଇଯିବ ।

 

ତୃତୀୟ ପ୍ରସଙ୍ଗଟି ହେଉଛି ଭିଏଟ୍‌ନାମର ପୁନର୍ନିମାଣର ପ୍ରସଙ୍ଗ । ଏକଦା ଭିଏଟ୍‌ନାମକୁ ଏସିଆ ମହାଦେଶରେ ଧାନର ଭଣ୍ଡାର ବୋଲି କୁହା ଯାଉଥିଲା । ଗତ ଅନେକ ବର୍ଷର ଯୁଦ୍ଧ ଓ ପ୍ରତିହିଂସାମୂଳକ ଧ୍ୱଂସସାଧନ ଫଳରେ ଭିଏଟ୍‌ନାମର କୃଷି ତଥା ଅର୍ଥନୀତି ସମ୍ପୂର୍ଣ୍ଣ ଭାବରେ ଧ୍ୱସ୍ତବିଧ୍ୱସ୍ତ ହୋଇଯାଇଛି । ରାସାୟନିକ ବିଷ ପକାହୋଇ କେତେ କେତେ ଯୋଜନ ଅରଣ୍ୟକୁ ପତ୍ରହୀନ କରିଦିଆ ଯାଇଛି । ତେଣେ ନାପାମ୍ ଓ ଅନ୍ୟାନ୍ୟ ବିଷାକ୍ତ ବୋମାର ପ୍ରୟୋଗ ହୋଇ ଅସାମରିକ କେତେ କେତେ ଭିଏଟ୍‌ନାମବାସୀଙ୍କର ପ୍ରାଣ ନାଶ କରାଯାଇଛି । ଭିଏଟ୍‌ନାମର ଅର୍ଥନୀତି ଓ ସମାଜବ୍ୟବସ୍ଥା ପୁଣି ନିଜ ମେରୁଦଣ୍ଡ ଉପରେ ଠିଆହୋଇ ପାରିବାକୁ ହେଲେ ପୁନର୍ନିର୍ମାଣର ଏକ ବୃହତ୍ ଓ ବିସ୍ତୃତ ଯୋଜନା ଦରକାର । ଭିଏଟ୍‌ନାମ ଏହି କ୍ଷେତ୍ରରେ ଆମେରିକା ସରକାରଙ୍କଠାରୁ ଆବଶ୍ୟକ ସହଯୋଗ ଓ ସାହାଯ୍ୟ ପ୍ରତ୍ୟାଶା କରୁଛନ୍ତି । ଯେଉଁ ଆମେରିକା ସକାଶେ ଏସବୁ ଘଟିଛି, ଏହି କ୍ଷେତ୍ରରେ ତାହାର ଏକ ନୈତିକ କର୍ତ୍ତବ୍ୟ ଅବଶ୍ୟ ରହିଛି । ନାତ୍‌ସୀ ଜର୍ମାନୀ ଏକଦା ଇହୁଦୀ ଜାତିପ୍ରତି ଯେଉଁ ଧର୍ଷଣ କରିଥିଲା, ଯୁଦ୍ଧପରେ ପଶ୍ଚିମ ଜର୍ମାନୀ ସରକାର ତାହାର ଏକ ନୈତିକ କ୍ଷତିପୂରଣ ହିସାବରେ ଏ ପର୍ଯ୍ୟନ୍ତ ବି ଇସ୍ରାଏଲର ଜାତୀୟ ନିର୍ମାଣରେ ଅର୍ଥ ସାହାଯ୍ୟ କରି ଆସୁଛନ୍ତି । ପାରିସ୍ କଥାବାର୍ତ୍ତାରେ ଆମେରିକା ସରକାର ମଧ୍ୟ ଆପଣାର ସେହି ନୈତିକ କର୍ତ୍ତବ୍ୟଟି ବିଷୟରେ ଯଥେଷ୍ଟ ପରିମାଣରେ ଆପଣାକୁ ଅବହିତ କରିବେ ବୋଲି ଆଶା କରାଯିବା ଉଚିତ ।

ତା ୨୨.୧୧.୧୯୭୬ ରିଖ

Image

 

Unknown

ମୌଲାନା ଭାସାନୀ

 

ବାଲାଂଦେଶର ବୟୋବୃଦ୍ଧ ନେତା ମୌଲାନା ଅବଦୁଲ ହମିଦ ଭାସାନୀଙ୍କର ଗତ ସପ୍ତାହରେ ଢାକାର ଏକ ଡାକ୍ତରଖାନାରେ ପରଲୋକ ହୋଇଯାଇଛି । ମୃତ୍ୟୁବେଳକୁ ମୌଲାନାଙ୍କର ବୟସ ପ୍ରାୟ ଛୟାନବେ ବର୍ଷ ହୋଇଥିଲା । ଅନ୍ତତଃ ବୟସ ଦୃଷ୍ଟିରୁ ତାଙ୍କୁ ବାଂଲାଦେଶର ସବୁଠାରୁ ଅଧିକ ବୟସ୍କ ନେତା ବୋଲି କୁହାଯାଇ ପାରିବ ।

 

ସମ୍ବାଦ ପ୍ରକାଶ ପାଇଛି ଯେ ଏଥର ଅସୁସ୍ଥ ହୋଇ ଡାକ୍ତରଖାନା ଗଲାବେଳକୁ ଶ୍ରୀଯୁକ୍ତ ଭାସାନୀ କୁଆଡ଼େ କହିଥିଲେ ଯେ ଆରୋଗ୍ୟଲାଭ କରି ଚିକିତ୍ସାଳୟରୁ ଘରକୁ ଫେରିବା ପରେ ସିଏ ଆଉ ସକ୍ରିୟ ରାଜନୀତିରେ ଆଦୌ କୌଣସି ଅଂଶଗ୍ରହଣ କରିବେ ନାହିଁ । ଏପରି କଥା ମୌଲାନା ଭାସାନୀ ପୂର୍ବରୁ ଏକାଧିକ ଥର କହିଛନ୍ତି । ଏହା ପୂର୍ବରୁ ମଧ୍ୟ ଏକାଧିକ ବାର ଆରୋଗ୍ୟଲାଭ କରିବା ପାଇଁ ସେ ଡାକ୍ତରଖାନା ଯାଇଛନ୍ତି ଓ ଡାକ୍ତରଖାନାରୁ ଆରୋଗ୍ୟଲାଭ କରି ଫେରିବା ପରେ ପୂର୍ବର ସମସ୍ତ ବିପରୀତ ପ୍ରତିଶ୍ରୁତି ସତ୍ତ୍ୱେ ସେ ଆପଣା ଦେଶର ରାଜନୀତିରେ ପୁନର୍ବାର ସକ୍ରିୟ ହୋଇ ପଡ଼ିଛନ୍ତି । ଜଣେ ନେତା ହିସାବରେ ମୌଲାନା ଭାସାନୀଙ୍କର ନେତୃତ୍ୱକୁ ସମୀକ୍ଷା କରି ବସିଲେ ଆମେ ତା’ ମଧ୍ୟରେ ସବା ଆଗ ଏହି ସତତ ସକ୍ରିୟ ହେବାର ଲକ୍ଷଣଟିକୁହିଁ ଦେଖିବାକୁ ପାଇବା । ବୃଦ୍ଧ ହେଉଥିଲେ ମଧ୍ୟ ମୌଲାନା ସାହେବ କଦାପି ରାଜନୀତି ଭିତରେ ଆପଣାକୁ ଅସକ୍ରିୟ ଦେଖିବାକୁ ଇଚ୍ଛା କରିନଥିଲେ । ବାଂଲାଦେଶ ଜନ୍ମଲାଭ କରିବାପରେ ଓ ତାହାର ବହୁ ପୂର୍ବରୁ ସେ ସର୍ବଦା ସବୁପ୍ରକାର ଶାସନର ଅମଳରେ ଆପଣା ସକ୍ରିୟତାର ପରିଚୟ ଦେଇ ଆସିଥିଲେ ।

 

ଫରାକ୍‌କା ଜଳବନ୍ଧ ବିଷୟ ନେଇ ଭାରତ ଓ ବାଂଲାଦେଶ ଉଭୟ ସରକାରଙ୍କ ମଧ୍ୟରେ ଗତ କେତେମାସ ହେଲା ଯେଉଁ ବିବାଦ ଲାଗିଛି ଓ ଯେଉଁ ବିବାଦକୁ ଏବେ ବାଂଲାଦେଶ ସରକାର ମିଳିତ ଜାତିସଂଘ ପର୍ଯ୍ୟନ୍ତ ବହନ କରି ନେଇଥିଲେ, ସେହି ବିବାଦରେ ମୌଲାନା ଭାସାନୀ ଗ୍ରହଣ କରିଥିବା ଭୂମିକା ହେଉଛି ତାଙ୍କ ରାଜନୀତିକ ସକ୍ରିୟତାର ସମ୍ଭବତଃ ଏକ ସଦ୍ୟତମ ନିଦର୍ଶନ । ରାଜନୀତିରେ ମତ ପ୍ରକାଶ କରାଯାଏ, ମାତ୍ର ମୌଲାନା ଭାସାନୀ ଅଧିକାଂଶ ସ୍ଥଳରେ କୌଣସି କାର୍ଯ୍ୟାନୁଷ୍ଠାନଦ୍ୱାରାହିଁ ଆପଣାର ମତ ଅଥବା ବିରୋଧଟିକୁ ପ୍ରକଟ କରିବାକୁ ଚେଷ୍ଟା କରୁଥିଲେ । ଫରାକ୍‌କା ବନ୍ଧ ବିଷୟରେ ଭାରତ ସରକାର ଯେଉଁ ନୀତି ଗ୍ରହଣ କରୁଛନ୍ତି ସେହି ବିଷୟରେ ବାଂଲାଦେଶ ଲୋକମାନଙ୍କର ବିରୋଧକୁ ବ୍ୟକ୍ତ କରିବା ଲାଗି ମୌଲାନା ଭାସାନୀ ପ୍ରାୟ କେତେ ହଜାର ଲୋକଙ୍କୁ ସୀମା ଟପି ଭାରତ ଭିତରକୁ ମଡ଼ାଇ ଆଣିବାର ଏକ ଅଭିଯାନର ଆୟୋଜନ କରିଥିଲେ । ସେମାନେ ସୀମା ଯାଏ ଆସିବା ପରେ ବାଂଲାଦେଶ ସରକାର ସେମାନଙ୍କୁ ସେଇଠାରେ ଅଟକାଇ ରଖିଥିଲେ ସତ, ମାତ୍ର ଏହି ଲୋକାଭିଯାନ ଏବଂ ତାହାର ଆୟୋଜନ କରାଇଥିବା ମୌଲାନା ଭାସାନୀଙ୍କର ନେତୃତ୍ୱ ପଛରେ ଯେ ବାଂଲାଦେଶ ସରକାରଙ୍କର ମଧ୍ୟ ସମର୍ଥନ ରହିଥିଲା, ସେଥିରେ ଆଦୌ କୌଣସି ସନ୍ଦେହ ନାହିଁ । ବାଂଲାଦେଶ ରେଡ଼ିଓରେ ସେହି ଜନଅଭିଯାନର ସମ୍ବାଦଗୁଡ଼ାକୁ ବଡ଼ ଉଚ୍ଛ୍ୱସିତ ଉତ୍ତେଜନାର ସହିତ ପ୍ରଚାର କରାଯାଉଥିଲା ।

 

ମୌଲାନା ଭାସାନୀ ଭାରତବର୍ଷ ରାଜନୀତିକ ସ୍ୱାଧୀନତା ଲାଭ କରିବା ପୂର୍ବରୁ ମଧ୍ୟ ଏହି ଉପମହାଦେଶର ତତ୍କାଳୀନ ରାଜନୀତିରେ କମ୍ ସକ୍ରିୟ ନଥିଲେ । ସିଏ ମୁସଲିମ ଲିଗ୍ ଏବଂ ମହମ୍ମଦ ଅଲ୍ଲୀ ଜିନ୍ନାଙ୍କର ପୂର୍ଣ୍ଣ ଆନୁଗତ୍ୟ ସ୍ୱୀକାର କରୁ ନଥିଲେ ସତ, ମାତ୍ର ତଥାପି ସିଏ ଯେ ସମ୍ପୂର୍ଣ୍ଣ ଭାବରେ ଏକ ଜାତୀୟତାବାଦୀ ଦୃଷ୍ଟିକୋଣ ପୋଷଣ କରୁଥିଲେ, ସେ କଥା ମଧ୍ୟ କଦାପି କୁହାଯାଇ ପାରିବ ନାହିଁ । ଭାରତ ସ୍ୱାଧୀନ ହେଲା ପରେ, ବର୍ତ୍ତମାନ ଯାହାକୁ ବାଂଲାଦେଶ ବୋଲି କୁହାଯାଉଛି, ତାହାକୁ ପୂର୍ବ ପାକିସ୍ଥାନ ବୋଲି କୁହାଯାଉଥିଲା । ସେତେବେଳେ ଭାସାନୀଙ୍କର ରାଜନୀତିକ ନେତୃତ୍ୱ ସତତ ନାନା ଅସ୍ପଷ୍ଟତାରେ ପୂର୍ଣ୍ଣ ହୋଇ ରହିଥିଲା । ସେହି ନେତୃତ୍ୱ ଭିତରେ କୌଣସି ରାଜନୀତିକ ସ୍ପଷ୍ଟ ସମାଜଗାଠନିକ ବିଚାର ଅପେକ୍ଷା ଏକ ଧର୍ମଭିତ୍ତିକ ଭାବପ୍ରବଣ ଉତ୍ତେଜନା ଲାଗିହିଁ ଅଧିକତର ସ୍ଥାନ ରହି ଆସିଥିଲା । ପୂର୍ବ ପାକିସ୍ଥାନର ଭାଷା ଆନ୍ଦୋଳନରେ ଅବଶ୍ୟ ସେ ପ୍ରାୟ ସବୁବେଳେ ଅଗ୍ରଭାଗରେ ରହିଥିଲେ ଏବଂ ଶେଖ ମୁଜିବୁର ରହମନ ପ୍ରଭୃତି ତରୁଣମାନଙ୍କୁ ମଧ୍ୟ ଏହି କ୍ଷେତ୍ରରେ କମ୍ ପ୍ରେରଣା ଦେଇ ନ ଥିଲେ । ବାଂଲାଦେଶର ପ୍ରତିଷ୍ଠା ପରେ ଭାସାନୀ ଶେଖ ମୁଜିବଙ୍କୁ କେତେବେଳେ ସମର୍ଥନ କରୁଥିଲେ, କେତେବେଳେ ସମର୍ଥନ କରୁ ବି ନ ଥିଲେ । ମୁଜିବଙ୍କର ଭାରତ ସହିତ ବନ୍ଧୁତା ତାଙ୍କ ଆଖିରେ ଭାରତ ଲାଗି ଏକ ଆନୁଗତ୍ୟ ପରି ଦେଖାଯାଉଥିଲା ଓ ସେ ତାହାର ତୀବ୍ର ନିନ୍ଦାବାଦ କରୁଥିଲେ । ନାନା ସ୍ଥାନୀୟ ସମସ୍ୟାକୁ ଗଣ୍ଠି କରି ସେ ଏକାଧିକବାର ଅନଶନ ବି କରିଥିଲେ । ଚୀନ ସରକାରଙ୍କ ପ୍ରତି ଓ ଚୀନା କମ୍ୟୁନିଷ୍ଟ ନେତୃତ୍ୱ ପ୍ରତି ଭାସାନୀଙ୍କ ମନରେ ଯେ ବେଶ୍ ଏକ ଦୁର୍ବଳତା ରହିଥିଲା, ପର୍ଯ୍ୟବେକ୍ଷକମାନଙ୍କୁ ଏହି କଥାଟି ମଧ୍ୟ ଏକାଧିକ ବାର ସ୍ପଷ୍ଟ ହୋଇ ଯାଉଥିଲା । ମୁଜିବଙ୍କ ବିରୁଦ୍ଧରେ ତାଙ୍କ ଶାସନର ଶେଷ ପର୍ଯ୍ୟାୟରେ ଯେଉଁ ଘାତକ ଷଡ଼ଯନ୍ତ୍ର କ୍ରମଶଃ କୁହୁଳି ଉଠିଲା, ଆପଣାର ସକଳ ସଦିଚ୍ଛା ସତ୍ତ୍ୱେ ମୌଲାନା ଭାସାନୀ ମଧ୍ୟ ସେଥିରେ ପ୍ରାୟ ଜଣେ ସହଯୋଗୀ ପରି କାର୍ଯ୍ୟ କରିଥିଲେ । ମୁଜିବଙ୍କ ପରେ ସାମରିକ କର୍ତ୍ତାମାନଙ୍କର ଅନୁମୋଦନକ୍ରମେ ସେହି ଦେଶରେ ଯେଉଁ ନୂଆ ଶାସନଛତ୍ର ଆପଣାକୁ ଆଣି ଅବସ୍ଥାପିତ କଲା, ମୌଲାନା ଭାସାନୀ ତାହାରି ପକ୍ଷରେ ରହି ଅନେକ ସମୟରେ ଜଣେ କୁଳସ୍ଥବିରରୂପେ କାର୍ଯ୍ୟ କରୁଥିଲେ ।

 

ବାଂଲାଦେଶ ସୃଷ୍ଟି ହେବା ପରେ ସେଠାରେ ଯେଉଁ ସାଧାରଣ ନିର୍ବାଚନ ହୋଇଥିଲା, ସେଥିରେ ଭାସାନୀ ସାହେବଙ୍କ ଦଳର ଗୋଟିଏ ହେଲେ ପ୍ରାର୍ଥୀ ନିର୍ବାଚିତ ହୋଇ ନ ଥିଲେ । ତଥାପି, ବାଂଲା ଦେଶର ବିଚିତ୍ର ଇତିହାସରେ ମୌଲାନା ହମିଦ ଭାସାନୀଙ୍କ ନେତୃତ୍ୱର ଯେ ଏକ ସ୍ୱତନ୍ତ୍ର ବୈଚିତ୍ର୍ୟ ଅବଶ୍ୟ ରହିଛି, ଆମକୁ ଯେକୌଣସି ପରିସ୍ଥିତିରେ ମଧ୍ୟ ତାହା ସ୍ୱୀକାର କରିବାକୁହିଁ ପଡ଼ିବ ।

ତା ୨୭.୧୧.୧୯୭୬ ରିଖ

Image

 

ଚୀନରେ ବିସ୍ଫୋରଣ

 

ଚୀନ ସରକାରଙ୍କ ତରଫରୁ ଏବେ ଗୋଟାଏ ହାଇଡ଼୍ରୋଜେନ ବୋମାର ବିସ୍ଫୋରଣ କରାଯାଇଛି । ଚୀନର ପାରମାଣବିକ ପରୀକ୍ଷାକ୍ଷେତ୍ର ଲବ୍‌ନେର ଅଞ୍ଚଳରେ ଏହି ବିସ୍ଫୋରଣ କରାଯାଇଛି । ଯୁକ୍ତରାଜ୍ୟ ଆମେରିକାର ବିଶେଷଜ୍ଞମାନେ ଏହି ଘଟଣାଟି ଘଟିଛି ବୋଲି ଆପଣାର ଆଣବିକ ପ୍ରତିକ୍ରିୟାଗୁଡ଼ିକର ଲିପିବଦ୍ଧକାରୀ ଯନ୍ତ୍ରଗୁଡ଼ିକରୁ ଜାଣି ପାରିଛନ୍ତି । ସେମାନଙ୍କର କହିବା ଅନୁସାରେ, ଆଣବିକ ଅସ୍ତ୍ରାଦିର ପ୍ରୟୋଗ କ୍ଷେତ୍ରରେ ଚୀନ ଏଥର ଯେଉଁ ହାଇଡ଼୍ରୋଜେନ ବୋମାଟିକୁ ଫୁଟାଇଲା, ସେଭଳି ଏକ ବଡ଼ ବୋମା ତାହା ଏଥିପୂର୍ବରୁ ଆଉ କେବେହେଲେ ଫୁଟାଇ ନ ଥିଲା ।

 

ବିଗତ ଗୋଟାଏ ବର୍ଷ ଭିତରେ ଚୀନରେ କେତେ କେତେ ଘଟଣା ଘଟିଗଲାଣି । ସେହି ଦେଶରେ ଯାହାସବୁ ଘଟେ, ସାଧାରଣତଃ ବାହାର ପୃଥିବୀ ଲାଗି ସେସବୁକୁ ଠିକ୍ ଭାବରେ ଜାଣିବାର କୌଣସି ଉପାୟ ନ ଥାଏ । ମାତ୍ର ଏଥର ସେଠାରେ ଏପରି କେତେଗୋଟି ଘଟଣା ଘଟିଲା, ଯାହାକୁ କୌଣସି ପ୍ରକାରେ ଲୁଚାଇ ରଖି ହୋଇ ନ ଥାନ୍ତା । ଚୀନ ପ୍ରାୟ ଗୋଟାଏ ବର୍ଷର ଅବଧି ମଧ୍ୟରେ ପ୍ରଧାନମନ୍ତ୍ରୀ ଚାଉଙ୍କୁ ହରାଇଲା, ଚେୟାରମ୍ୟାନ ମାଓଙ୍କୁ ମଧ୍ୟ ହରାଇଲା । ନୂତନ ଚୀନ କହିଲେ ଗତ ପଚିଶ ବା ତିରିଶବର୍ଷ ହେଲା ଯାହାକିଛିକୁ ବୁଝାଇଚି, ନିଜର ବାହୁବଳ, ବିଚାର ଓ ଏପରିକି ନିହଣ ଏବଂ ବଟାଳି ଦେଇ ମଧ୍ୟ ଚାଉ ଏବଂ ମାଓ ତାହା ତିଆରି କରି ଆସିଥିଲେ । ଏହି ଦୀର୍ଘ ସମୟଟି ମଧ୍ୟରେ ଯେତେ ଯାହା ଅନ୍ୟମତର ଉଦୟ ହୋଇ ସେଠି ସ୍ୱୀକୃତ ଏବଂ ଅନୁସୃତ ବାଟଗୁଡ଼ିକ ଲାଗି ହୁଏତ କେତେ ଭଳି ପ୍ରତିକ୍ରିୟା ସୃଷ୍ଟି କରିବାର ଚକ୍ରାନ୍ତ କରିବାକୁ ବସୁଥିଲା, ପ୍ରଧାନମନ୍ତ୍ରୀ ଚାଉ ଏବଂ ଚେୟାରମ୍ୟାନ ମାଓଙ୍କ ବିଚକ୍ଷଣ ସଚେତନତା ଏବଂ କଠୋରତା ଫଳରେ ସେଗୁଡ଼ାକୁ ମୂଳରୁ ମାରି ଦିଆ ଯାଉଥିଲା । ଯେଉଁ ଦେଶରେ ଜଣେ ବ୍ୟକ୍ତି ବା ଗୋଟିଏ ଦଳ ଆପଣାକୁ ସବୁକିଛିରୂପେ ପ୍ରତିଷ୍ଠିତ କରି ବିପ୍ଳବଗୁଡ଼ାକର ସାଧନ କରୁଥାଏ; ସେଠାରେ ଦେଶ, ଜାତି, ଆର୍ଦଶ ଅଥବା ଜନତା କହିଲେ ନିୟମତଃ ଜଣେ ଲୋକକୁ ବୁଝାଏ ବା ସର୍ବୋଚ୍ଚ କ୍ଷମତାରେ ରହିଥିବା କେତେଜଣଙ୍କୁ ବୁଝାଏ । ସେହି ଦୃଷ୍ଟିରୁ ଚୀନରେ ଗତ ତିରିଶ ବର୍ଷର ଚଳନ୍ତି ଇତିହାସରେ ଚାଉ-ଏନ-ଲାଇ ଏବଂ ମାଓ-ସେ-ତୁଙ୍ଗଙ୍କର ଯେ କେତେ ମହତ୍ତ୍ୱ ରହିଥିବ, ତାହା ଆମେ ସମସ୍ତେ ଉପଲବ୍‍ଧି କରି ପାରୁଥିବା ।

 

ଚାଉ-ଏନ-ଲାଇ ଆଗରୁ ଯାଇଥିଲେ, ଏବଂ ମାଓ-ସେ-ତୁଙ୍ଗ ଗଲେ । ଯେଉଁ ଦୁଇଟି ସ୍ତମ୍ଭ ଚୀନରେ ବିପ୍ଳବର ଚନ୍ଦ୍ରାତପଟିକୁ ଧରି ରଖିଥିଲା, ସେହି ଦୁଇଟିଯାକ ଉପୁଡ଼ି ପଡ଼ିଲା । ତା’ପରେ ଦେଶର ଭାଗ୍ୟକ୍ଷେତ୍ରରେ ଯେ ହଠାତ୍ ଏକ ଅତି ଅସ୍ଥିର ଆଲୋଡ଼ନମୟ ଅନିଶ୍ଚୟତା ଆସି ଦେଖାଦେବ, ସେକଥା ଯେ କେହି ଅତ୍ୟନ୍ତ ସହଜରେ ବୁଝି ପାରିବେ । ଚାଉ ଓ ମାଓ କ୍ଷମତାରେ ବସିଥିଲା ସମୟରେ ମଧ୍ୟ ପ୍ରତିକ୍ରିୟା ବେଶ୍ ମସ୍ତକ ଉତ୍ତୋଳନ କରୁଥିଲା ଓ ତାହାକୁ ପ୍ରତିରୋଧୀ ଅନ୍ୟ ଶକ୍ତିପରି ମନେ କରି ଯଥାସତ୍ୱର ଦବାଇ ଦବାକୁ ପଡ଼ିଥିଲା । ସେତେବେଳର ଉପରାଷ୍ଟ୍ରପତି ଲିଉ-ସାଓ-ଚି ଯେପରି ଅନ୍ୟ ମତ ପୋଷଣ କରିଥିଲେ ଓ ତାଙ୍କୁ ପ୍ରତିକ୍ରିୟାବାଦୀ ଓ ସୋଭିଏଟ ରୁଷିଆ ସହିତ ସହାନୁଭୂତି ରଖୁଥିବା ଜଣେ ସଂସ୍କାରବାଦୀ ବୋଲି ଘୋଷଣା କରାଯାଇ ଯେପରି ନିପାତ କରାଯାଇଥିଲା, ସେସବୁ ମଧ୍ୟ ସାଂପ୍ରତିକ ରାଜନୀତିକ ଶତ୍ରୁତା ଏବଂ ଶକ୍ତିଶାଳିତାର ଇତିହାସରେ ଏକ ସ୍ମରଣୀୟ ଘଟଣା ହୋଇରହିଛି । ଲିଉ-ସାଓ-ଚିଙ୍କ ପରି ଏକଦା ମାଉଙ୍କର ଅତିପ୍ରିୟ ଲିନ ପିଆଓଙ୍କୁ ମଧ୍ୟ ସେହିପରି ବିଲୁପ୍ତ କରି ଦିଆଗଲା । ତା’ପରେ ଚୀନର ସରକାରୀ ସ୍ତମ୍ଭଗୁଡ଼ାକ ଆପାତତଃ ଯେପରି ଦୃଢ଼ ହୋଇ ରହି ଆସିଥିଲା, ଦୁଇ ତୁଙ୍ଗ ନେତାଙ୍କର ନିଧନ ଫଳରେ ସେହି ସ୍ତମ୍ଭଗୁଡ଼ାକ ଏକାବେଳେକେ ଦୋହଲିଯିବା ଏକାନ୍ତ ସ୍ୱାଭାବିକ ।

 

ମାଓ ସେ ତୁଙ୍ଗଙ୍କ ପରେ ବର୍ତ୍ତମାନ ଚୀନରେ ଏକାଧିକ ଶିବିର ମାଓ-ବିଚାରର ପ୍ରକୃତ ପ୍ରତିନିଧି ବୋଲି ଦାବୀ କରି ଯେ ଦଣ୍ଡାୟମାନ ହେବାକୁ ଚେଷ୍ଟା କରିବେ, .... ସେଥିରେ କୌଣସି ସନ୍ଦେହ ନାହିଁ । ସେଇଥିଲାଗି ଆଦର୍ଶବାଦ ଅର୍ଥାତ୍‌ କ୍ଷମତା—ହସ୍ତାନ୍ତରର ଅନ୍ତଃପୁରରେ ଦୁଇ ନେତାଙ୍କର ମୃତ୍ୟୁ ପରେ ବେଶ୍ ଏକ ଅତି ଅସ୍ଥିର ପରସ୍ପର ଉଚ୍ଛେଦକାର ଅବସ୍ଥା ଆବିର୍ଭୂତ ହୋଇଛି । ଘଟଣାକ୍ରମେ ଯେଉଁମାନେ ଶାସନକ୍ଷମତା ଅଧିକାର କରି ପାରିଛନ୍ତି, ଅପର ପକ୍ଷଠାରୁ ଆପଣାକୁ ଯଥାସମ୍ଭବ ଅଧିକ ନିରାପଦ ରଖିବା ଉଦ୍ଦେଶ୍ୟରେ ସେମାନେ ହୁଏତ ଚରମବାଦର ଦୁଆ ଉଠାଇଛନ୍ତି । ଅପର ପକ୍ଷକୁ ସେମାନେ ଚରମବାଦୀ ବୋଲି କହୁଛନ୍ତି ଓ ସେମାନଙ୍କୁ ନିଷ୍କ୍ରିୟ କରିଦେବା କମ୍ୟୁନିଜମ୍‍ର ଅସଲ କର୍ତ୍ତବ୍ୟ ବୋଲି ବିଚାର କରୁଛନ୍ତି । ଗୃହ ସମ୍ମୁଖରେ ଏ ପ୍ରକାର ପରିସ୍ଥିତିକୁ ଯଥାସମ୍ଭବ ଲୋକମାନଙ୍କ ଧ୍ୟାନର ଅଗୋଚରରେ ରଖିବା ଲାଗି ସେମାନେ ସବୁଠାରୁ ବଡ଼ ହାଇଡ଼୍ରୋଜେନ ବୋମାର ବିସ୍ଫୋରଣ ଘଟାଇ ପାରିଥାନ୍ତି ବୋଲି କେହି କେହି ମତ ଦେଉଛନ୍ତି-। ସେମାନଙ୍କ ଭାଷାରେ ଏହାଦ୍ୱାରା ଚୀନ ଦେଶର ଅଧିବାସୀମାନଙ୍କର ଧ୍ୟାନକୁ ବାହାରକୁ ଅର୍ଥାତ୍‌ ବୋମା ଆଡ଼କୁ ଆକର୍ଷିତ କରି ନେବାର ପ୍ରଥମ ଉଦ୍ଦେଶ୍ୟଟି ସାଧିତ ହୋଇଛି, ବୃହତ୍ତର ବହିଃବିଶ୍ୱର ଧ୍ୟାନକୁ ମଧ୍ୟ ଅନ୍ତଃପୁର ଭିତରୁ ଲବ୍‍ନରକୁ ହୁଡ଼ାଇ ନେଇଯିବାର ଏକ ଦ୍ୱିତୀୟ ପ୍ରଚେଷ୍ଟା ଏହା ପଛରେ ରହିଛି । ଚୀନର ନୂଆ ସରକାର ଆଗ ଅପେକ୍ଷା ଅଧିକ ନରମପନ୍ଥୀ ହେବେ ଏବଂ ତଦ୍ଦ୍ୱାରା ବିଶ୍ୱରାଜନୀତିରେ ହୁଏତ କିଛି ପରିର୍ବତ୍ତନ ଘଟିବ ବୋଲି ପୃଥିବୀଯାକ ରାଜନୀତିକ ମହଲରେ ଯେଉଁସବୁ କଳ୍ପନାଜଳ୍ପନା ୟା’ ଭିତରେ ହେଉଥିଲା, ବୋଧହୁଏ ତାହା ସତ ନୁହେଁ ବୋଲି ନିଜର ଚିରାଚରିତ ଦୃଢ଼ତା ସାବ୍ୟସ୍ତ କରି ଦେଖାଇ ଦେବା ଲାଗି ଚୀନ ସରକାର ଏହି ପାରମାଣବିକ ବିସ୍ଫୋରଣକୁ ଏକ ଉପାୟରୂପେ ଅବଲମ୍ବନ କରିଛନ୍ତି । ଏସବୁ କଥା କେତେଦୂର ସତ୍ୟ ଓ ଯଥାର୍ଥ, ତାହା ଖୋଦ୍ ଚୀନ ସରକାର ଓ ଚୀନର ସଂଗ୍ରାମୀ ଜନସାଧାରଣହିଁ କହି ପାରିବେ ।

ତା ୨୮.୧୧.୧୯୭୬ ରିଖ

Image

 

ସମ୍ମିଳନୀ ବ୍ୟର୍ଥ ହେଲେ

 

ଜେନେଭା ସମ୍ମିଳନୀ ବ୍ୟର୍ଥ ହେଲେ କ’ଣ ହେବ ବା କ’ଣ ନ ହେବ, ବର୍ତ୍ତମାନଠାରୁ ସେହି ବିଷୟରେ ପ୍ରକାଶ୍ୟ ମନ୍ତବ୍ୟ ଦେବା ଆରମ୍ଭ ହୋଇଗଲାଣି । ରୋଡ଼େସିଆର ଭବିଷ୍ୟତ ଶାସନନୀତି ବିଷୟରେ ବିବଦମାନ ବିଭିନ୍ନ ଶିବିରକୁ ଏକାଠି ବସାଇ ଏକ ସ୍ଥାୟୀ ନିଷ୍ପତ୍ତିରେ ଆସି ପହଂଚିବାକୁ ବ୍ରିଟେନ୍‍ର ତତ୍ତ୍ୱାବଧାନରେ ଜେନେଭାଠାରେ ଗତ ପ୍ରାୟ ଗୋଟିଏ ମାସ ହେଲା ଯେଉଁ ସମ୍ମିଳନୀ ବସିଛି, ସେହି ସମ୍ମିଳନୀ କୌଣସି ନିର୍ଦ୍ଦିଷ୍ଟ ସିଦ୍ଧାନ୍ତରେ ଏ ପର୍ଯ୍ୟନ୍ତ ବି ଆସି ପହଂଚି ନାହିଁ, ମାତ୍ର ତେଣେ, ଜେନେଭା ସମ୍ମିଳନୀ ବ୍ୟର୍ଥ ହୋଇଗଲେ କ’ଣହେବ ବା ନ ହେବ, ରୋଡ଼େସିଆରେ ପ୍ରତିଷ୍ଠିତ ଶ୍ୱେତ ଅବୈଧ ସରକାରଙ୍କର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ଇଆନ୍ ସ୍ମିଥ୍ ସେହି ବିଷୟରେ କେତେ ପ୍ରକାରର କଳ୍ପନାଜଳ୍ପନା ଆରମ୍ଭ କରି ଦେଲେଣି । ସମ୍ମିଳନୀର ଆରମ୍ଭରେ ଶ୍ରୀଯୁକ୍ତ ସ୍ମିଥ୍ ସ୍ୱୟଂ ସେଥିରେ ଯୋଗ ଦେବାକୁ ଜେନେଭା ଯାଇଥିଲେ ସତ, ମାତ୍ର ପ୍ରାୟ ସପ୍ତାହକ ପରେ ପୁଣି ରୋଡ଼େସିଆ ଫେରି ଆସିଲେ ଏବଂ ସେହି ଦିନଠାରୁ ସେ ରୋଡ଼େସିଆରେହିଁ ଅଛନ୍ତି । ଜେନେଭା ସମ୍ମିଳନୀ ବିଫଳ ହେବବୋଲି ସିଏ ସତେ ଯେପରି ଆଗରୁ ଧରି ନେଇଛନ୍ତି । ଏବଂ ସେହି ସମ୍ମିଳନୀ ବିଫଳ ହେଲେ ସିଏ ପ୍ରତିନିଧିତ୍ୱ କରୁଥିବା ନ୍ୟସ୍ତସ୍ୱାର୍ଥଗୁଡ଼ିକର ଆଦୌ କୌଣସି କ୍ଷତି ହେବନାହିଁ ବୋଲି ସେ ଅତି ସ୍ପଷ୍ଟ ଭାବରେ ମତ ବ୍ୟକ୍ତ କରି ସାରିଲେଣି ।

 

ସ୍ମରଣ କରାଯାଇପାରେ ଯେ ଆମେରିକା ଯୁକ୍ତରାଜ୍ୟର ଫୋର୍ଡ଼ ସରକାରଙ୍କର ବୈଦେଶିକ ବ୍ୟାପାର ସଂକ୍ରାନ୍ତୀୟ ମୁଖ୍ୟ ଶ୍ରୀ ହେନ୍‌ରି କିସିଞ୍ଜରଙ୍କର ଉଦ୍ୟମରେହିଁ ଏହି ଜେନେଭା ସମ୍ମିଳନୀର ପ୍ରଥମ ପ୍ରସ୍ତାବଟି ଉଠିଥିଲା । ସମ୍ଭବତଃ ଏହିପରି ଏକ ସମ୍ମିଳନୀ ଡକାଇବାର ଉଦ୍ଦେଶ୍ୟକୁ ମନ ଭିତରେ ରଖି କିସିଞ୍ଜର ଦକ୍ଷିଣ ଆଫ୍ରିକାରେ ଏକଦା ସମ୍ପୃକ୍ତ ବିଭିନ୍ନ ଶିବିର ସହିତ ସାକ୍ଷାତ୍‍ ଓ କଥାବାର୍ତ୍ତା କରିଥିଲେ । ରୋଡ଼େସିଆର ପ୍ରଧାନମନ୍ତ୍ରୀ ଇଆନ୍ ସ୍ମିଥ୍‍ଙ୍କ ସହିତ ମଧ୍ୟ ପ୍ରିଟୋରିଆରେ ତାଙ୍କର ସାକ୍ଷାତ୍‍ ହୋଇଥିଲା । ସେହି ସାକ୍ଷାତ୍‍ ପରେ ସମ୍ବାଦପତ୍ରରେ ପ୍ରକାଶ ପାଇଲା ଯେ ଇଆନ୍‌ ସ୍ମିଥ୍ ରୋଡ଼େସିଆରେ ସଂଖ୍ୟାଗରିଷ୍ଠ ମତର ଭିତ୍ତି ଉପରେ ପ୍ରତିନିଧିମୂଳକ ଶାସନର ପ୍ରତିଷ୍ଠା ଦିଗରେ ଆପଣାର ସମ୍ମତି ଦେଇଛନ୍ତି ଓ ସେହି ଲକ୍ଷ୍ୟଟିକୁ ହାସଲ କରିବା ଦିଗରେ ଜେନେଭାଠାରେ ଗୋଟିଏ ସମ୍ମିଳନୀ ଡକାଇବାର ସ୍ଥିର ହୋଇଛି । ଶ୍ରୀ ଇଆନ୍ ସ୍ମିଥ୍ କିପରି ଯେ ଏତେଶୀଘ୍ର କଥାଗୁଡ଼ାକୁ ବୁଝିଗଲେ ଓ ବିବେକର ବଶ୍ୟ ହୋଇପାରିଲେ, ସେତେବେଳେ ସେହି କଥାରେ ପୃଥିବୀରେ ଅନେକ ମହଲରେ ନିଶ୍ଚୟ ବିସ୍ମୟ ପ୍ରକାଶ ପାଇଥିବ । ବର୍ଣ୍ଣବାଦ ଉପରେ ଯେଉଁ ସରକାରଙ୍କର ରାଜନୀତିକ ଚାଲଗୁଡ଼ାକ ପୂରାପୂରି ପ୍ରତିଷ୍ଠିତ ହୋଇ ରହିଆସିଛି, ତାହାର ଶାସନମୁଖ୍ୟ ପ୍ରାୟ ରାତାରାତି କିପରି ମଣିଷ ମାତ୍ରକେ ସମସ୍ତଙ୍କର ଗଣତାନ୍ତ୍ରିକ ଅଧିକାର ବିଷୟରେ ସବୁକଥା ବୁଝିଗଲେ, ସେକଥା ବୁଝିବା ଅନେକଙ୍କ ଲାଗି ପ୍ରକୃତରେ ଭାରି କଷ୍ଟକର ହୋଇଥିବ । ତଥାପି ଇଆନ୍ ସ୍ମିଥ୍ ଯେ କିସିଞ୍ଜରଙ୍କ କଥାରେ ମଙ୍ଗିଲେ,ତାହାକୁହିଁ ସେତେବେଳେ ଏକ ଶୁଭସୂଚନା ବୋଲି ଗ୍ରହଣ କରାଯାଇଥିଲା । ପୃଥିବୀବାସୀଙ୍କର ଅନେକ ଆଶାକୁ ବହନ କରି ଜେନେଭାଠାରେ ସମ୍ମିଳନୀ ବସିଲା । ଶ୍ୱେତ ଓ କୃଷ୍ଣ ମୁହାଁମୁହିଁ ବସି କଥାବାର୍ତ୍ତା ହେଲେ । ବର୍ଣ୍ଣଭେଦର ଆଧୁନିକ ଇତିହାସରେ ତାହାକୁହିଁ ଆଦୌ କମ୍ ମହତ୍ତ୍ୱପୂର୍ଣ୍ଣ କଥାବୋଲି କୁହାଯିବ ନାହିଁ ।

 

ଅତି ନିକଟରେ ରୋଡ଼େସିଆର ରାଜଧାନୀ ସାଲିସବରିଠାରେ ଗୋଟିଏ ବିବୃତି ଦେଇ ଶ୍ରୀ ଇଆନ୍ ସ୍ମିଥ୍‌ କହିଛନ୍ତି ଯେ, ଗତ ସେପ୍‍ଟେମ୍ବର ମାସରେ ହେନ୍‌ରି କିସିଞ୍ଜରଙ୍କ ସହିତ ପ୍ରିଟୋରିଆଠାରେ ତାଙ୍କର ଯେଉଁ କଥାବାର୍ତ୍ତା ହୋଇଥିଲା, ସେଥିରେ କିସିଞ୍ଜର ତାଙ୍କୁ ନିର୍ଭର ପ୍ରତିଶ୍ରୁତି ଦେଇ କହିଛନ୍ତି ଯେ, ଜେନେଭା ସମ୍ମିଳନୀ ଯଦି ବ୍ୟର୍ଥ ହୋଇଯାଏ, ତେବେ ଯୁକ୍ତରାଜ୍ୟ ଆମେରିକା ତରଫରୁ ତାଙ୍କୁ ପ୍ରଭୂତ ପରିମାଣରେ ଆର୍ଥିକ ଓ ସାମରିକ ଉଭୟ ସାହାଯ୍ୟ ମିଳିବ । ଆମେରିକା ତରଫରୁ କିସିଞ୍ଜରଙ୍କ ଜରିଆରେ ଏପରି କୌଣସି ପ୍ରତିଶ୍ରୁତି ଦିଆଯାଇନାହିଁ ବୋଲି ଆମେରିକା ସରକାରୀ ମୁଖପାତ୍ର ପ୍ରକାଶ କରିଛନ୍ତି ଓ ଇଆନ ସ୍ମିଥ୍‍ଙ୍କର ବିବୃତିଟିକୁ ଖଣ୍ଡନ କରିଛନ୍ତି-। ପ୍ରତିଶ୍ରୁତି ପ୍ରକୃତରେ କ’ଣ ଥିଲା ବା ନଥିଲା, ସେକଥା କିସିଞ୍ଜର ଜାଣିଥିବେ ଏବଂ ଇଆନ ସ୍ମିଥ୍‌ ଜାଣିଥିବେ । ତଥାପି ଏହି କ୍ଷେତ୍ରରେ ଜେନେଭା ସମ୍ମିଳନୀର ପୂର୍ବ ନାଟକଗୁଡ଼ିକ ବିଷୟରେ ବେଶ୍ କେତେକ ଅନୁମାନ ନିଶ୍ଚୟ କରାଯାଇ ପାରିବ । ଏକ ସମ୍ମିଳନୀ ପାଇଁ ଇଆନ ସ୍ମିଥ୍‌ଙ୍କୁ ରାଜି କରାଇବା ସକାଶେ ଏକ ପ୍ରଲୋଭନରୂପେ କିସିଞ୍ଜର ହୁଏତ ଆମେରିକା ତରଫରୁ ସାହାଯ୍ୟ ପ୍ରତିଶ୍ରୁତିକୁ ବେଶ୍‌ ସଫଳ ଭାବରେ ବ୍ୟବହାର କରିଛନ୍ତି ଓ ଇଆନ ସ୍ମିଥ୍ ମଧ୍ୟ ସେହି ଲୋଭରେ ପଡ଼ି ସମ୍ମିଳନୀ ଲାଗି ରାଜି ହୋଇ ଯାଇଛନ୍ତି । ସେପ୍‍ଟେମ୍ବର ମାସରେ ରୋଡ଼େସିଆ ଓ ଦକ୍ଷିଣ ଆଫ୍ରିକାରେ ପରିସ୍ଥିତି ଯେପରି କ୍ରମୋତ୍ତେଜିତ ହୋଇ ଆସୁଥିଲା, ତାହାକୁ ଅନ୍ତତଃ କିଞ୍ଚିତ୍ ପରିମାଣରେ ଶୀତଳ କରିଦେବା ସକାଶେ ବା କିଛି ନହେଲେ, ପୃଥିବୀଯାକର ଧ୍ୟାନକୁ ଅନ୍ୟଆଡ଼େ ବିଚଳିତ କରାଇନେବା ସକାଶେ ଏପରି ଏକ ଅସ୍ଥାୟୀ ସୁଆଙ୍ଗର ଆବଶ୍ୟକତା ରହିଛି ବୋଲି ଆମେରିକା ସରକାର ଓ ହେନ୍‌ରି କିସିଞ୍ଜର ହୁଏତ ଅନୁଭବ କରିଥିଲେ । ବ୍ରିଟେନ୍ ମଧ୍ୟ ସେଥିରେ ମୌନ ସମ୍ମତି ଦେଲା ଓ ସମ୍ମେଳନଟିର ଅଧ୍ୟକ୍ଷତା କରିବାକୁ ପ୍ରସ୍ତୁତ ହୋଇଗଲା ।

 

ଜେନେଭା ସମ୍ମିଳନୀ ହୁଏତ ବିଫଳ ହୋଇଯିବ । ମାତ୍ର ସମସ୍ୟାଗୁଡ଼ିକ ତଥାପି ସେହିଠାରେହିଁ କଦାପି ସରିଯିବ ନାହିଁ, ନିଆଁଗୁଡ଼ିକ ବି କଦାପି ଲିଭିଯିବ ନାହିଁ । ଆମେରିକାରୁ ଆହୁରି ଅଧିକ ସାହାଯ୍ୟ ଆସିଲେ ମଧ୍ୟ ନ୍ୟାୟ ଲାଗି ଚାଲିଥିବା ସଂଗ୍ରାମ ଅଧିକରୁ ଅଧିକ ଶକ୍ତିଶାଳୀ ହେବାରେ ଲାଗିଥିବ । ଜେନେଭା ସମ୍ମିଳନୀ ପୂର୍ବରୁ ମଧ୍ୟ ଏହି କଥାଟିକୁ ହୃଦୟଙ୍ଗମ କରି ଜାତୀୟତାବାଦୀ ନେତାମାନେ ଜେନେଭା ସମ୍ମିଳନୀକୁ ଯାଇଛନ୍ତି । ଇଆନ ସ୍ମିଥ୍‌ଙ୍କ ପରି ସେମାନେ କଦାପି ପ୍ରଲୁବ୍ଧ ହେବେନାହିଁ, ସେମାନେ କୌଣସି ପ୍ରକାରେ ପ୍ରତାରିତ ବି ହେବେନାହିଁ ।

ତା ୨୯.୧୧.୧୯୭୬ ରିଖ

Image

 

ସ୍ପେନର ନୂଆ ଗଢ଼ଣ

 

ସ୍ପେନ ଦେଶରେ ଏକଦା ଜେନେରାଲିସିମୋ ଫ୍ରାଙ୍କୋ ବୋଲାଉଥିବା ଏକାଧିନାୟକ ଶାସକଙ୍କର ତିରୋଧାନ ହେବାର ହୁଏତ ଗୋଟିଏ ବର୍ଷ ବି ପୂରି ନାହିଁ । ମାତ୍ର ସେହି ଦେଶର ରାଜନୀତିକ ଭଲ ପଟଟା ଯେପରି କେଡ଼େ ସତ୍ତ୍ୱର ଗତିରେ ବଦଳିଯିବାରେ ଲାଗିଛି । ସ୍ପେନରେ ଯେ ମଣିଷ ଅଛନ୍ତି, ସେମାନଙ୍କର ଯେ ଏକ ସମ୍ମୁଖଦୃଷ୍ଟି ରହିଛି ଓ ସାଂପ୍ରତିକ ପୃଥିବୀ ବିଷୟରେ ଏକ ସଚେତନତା ରହିଛି, ଏହି ଗୋଟାଏ ବର୍ଷ ଭିତରେ ଆମକୁ ତାହାର ଭୂରି ଭୂରି ପ୍ରମାଣ ମିଳି ସାରିଲାଣି ।

 

ଗତ କେତେମାସ ତଳେ ସ୍ପେନରେ ଯେଉଁ ସଂବିଧାନ ପ୍ରଣୟନକାରୀ ପ୍ରତିନିଧିସଭା ଗଠିତ ହୋଇଥିଲା, ସେଥିରେ ଏବେ ସେହି ଦେଶରେ ପୂର୍ଣ୍ଣ ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥା ପ୍ରବର୍ତ୍ତିତ ହେବାର ସପକ୍ଷରେ ବହୁ ମତରେ ଏକ ପ୍ରସ୍ତାବ ଗୃହୀତ ହୋଇଯାଇଛି । ଏହି ନୂତନ ପ୍ରସ୍ତାବଟି ଅନୁସାରେ ସ୍ପେନରେ ଏଣିକି ଗୋଟିଏ ନିର୍ବାଚିତ ପାର୍ଲାମେଣ୍ଟ ରହିବ । ସେଥିରେ ଦୁଇଟି ସଦନ ରହିବ । ସାବାଳକ ସାର୍ବଜନିକ ଭୋଟ୍‌ର ଭିତ୍ତିରେ ପ୍ରତିନିଧିମାନେ ନିର୍ବାଚିତ ହୋଇ ଆସିବେ । ଏହି ପ୍ରାଥମିକ କାର୍ଯ୍ୟାନୁଷ୍ଠାନଗୁଡ଼ିକ ପକ୍‌କା ହୋଇଗଲେ ବର୍ତ୍ତମାନର ପ୍ରତିନିଧି ସଭାଟିକୁ ଭାଙ୍ଗି ଦିଆଯିବ ।

 

ସାଂପ୍ରତିକ ରାଜନୀତିକ ଇତିହାସର ହିସାବ ରଖୁଥିବା ପର୍ଯ୍ୟବେକ୍ଷକମାନେ କହୁଛନ୍ତି ଯେ ଚାଳିଶି ବର୍ଷ ପରେ ଏଥର ସ୍ପେନରେ ପ୍ରଥମ କରି ଏକ ସାଧାରଣ ନିର୍ବାଚନ ହେବ । ୧୯୩୬ ମସିହାରୁ ୧୯୭୫ ପର୍ଯ୍ୟନ୍ତ ସେଠି ଜେନେରାଲିସିମୋ ଫ୍ରାଙ୍କୋଙ୍କର ରାଜତ୍ୱହିଁ ଚଳି ଆସୁଥିଲା । ଏହି ଅବଧିଟି ମଧ୍ୟରେ ଫ୍ରାଙ୍କୋ କହିଲେହିଁ ସମଗ୍ର ସ୍ପେନକୁ ବୁଝାଉଥିଲା; ଫ୍ରାଙ୍କୋଙ୍କ ବ୍ୟତୀତ ସ୍ପେନବାସୀଙ୍କର ଆଉ କୌଣସି ଆଖିକାନ ନଥିଲା, କୌଣସି ବିବେକ ମଧ୍ୟ ନଥିଲା । ଏହାରି ଭିତରେ ଆମ ପୃଥିବୀରୁ ହିଟଲର ଗଲେ, ମୁସୋଲନୀ ବି ଗଲେ, ମାତ୍ର ଫ୍ରାଙ୍କୋ ତଥାପି ଅକ୍ଷତ ହୋଇ ରହିଥିଲେ । ଇଉରୋପ ଉପରେ ଏଡ଼େ ବଡ଼ ଏକ ମହାଯୁଦ୍ଧର ଝଞ୍ଜା ବୋହିଗଲା, ତଥାପି ସିଏ ଅଟକ ରହିଗଲେ, ସ୍ପେନର ରାତି ସତେ ଅବା ଗୋଟାଏ କାଲୁଆ ରାତି ପରି ଅପରିବର୍ତ୍ତନୀୟ ହୋଇ ରହିଗଲା । ୧୯୩୬ ବେଳକୁ ସ୍ପେନର ସାଧାରଣତନ୍ତ୍ରକୁ ଉତ୍ପାଟିତ କରି ଦେବା ପାଇଁ ସ୍ପେନରେ ଫ୍ରାଙ୍କୋ ଯେଉଁ ଯୁଦ୍ଧଟିକୁ ଲଢ଼ିଥିଲେ ଓ ଯାହାକୁ ସ୍ପେନର ଏକ ଗୃହଯୁଦ୍ଧ ବୋଲି କୁହାଯାଉଥିଲା, ସେହି ଯୁଦ୍ଧରେ ପଶ୍ଚିମ ଇଉରୋପର ପ୍ରାୟ ସବୁଯାକ ସରକାର ରାଷ୍ଟ୍ରପତି ଫ୍ରାଙ୍କୋଙ୍କୁ ସମର୍ଥନ କରିଥିଲେ । ଇଉରୋପର ଜନସାଧାରଣ ସ୍ପେନର ସାଧାରଣତନ୍ତ୍ରକୁ ସମର୍ଥନ କରୁଥିଲା ସତ, ମାତ୍ର ତା’ ଭିତରେ କେଉଁଠି ଗୋଟାଏ କମ୍ୟୁନିଜମର ଭୂତକୁ ଦେଖୁଥିବାରୁ ଇଉରୋପୀୟ ରାଷ୍ଟ୍ରଶକ୍ତିମାନେ ତାହାର ବିନାଶସାଧନ କରିବାପାଇଁ ଫ୍ରାଙ୍କୋଙ୍କରହିଁ ସହାୟତା କରିଥିଲେ । ଅର୍ଥାତ୍ ସେତେବେଳର ସାମ୍ରାଜ୍ୟବାଦୀ ଗଣତାନ୍ତ୍ରିକ ଇଉରୋପର ପ୍ରାୟ ଆଶୀର୍ବାଦ ପାଇ ଫ୍ରାଙ୍କୋହିଁ ଜିତାପଟ ହାସଲ କଲେ ଏବଂ କ୍ଷମତାରେ ଦୃଢ଼ାସନ ହୋଇ ରହିଲେ ।

 

୧୯୭୫ ମସିହାରେ ଆପଣାର ମୃତ୍ୟୁ ପର୍ଯ୍ୟନ୍ତ ମଧ୍ୟ ଏକାଧିନାୟକ ଫ୍ରାଙ୍କୋଙ୍କଦ୍ୱାରା ଶାସିତ ସ୍ପେନ ଆମେରିକା ସମେତ ଇଉରୋପୀୟ ଗଣତନ୍ତ୍ରଗୁଡ଼ିକର ପୃଷ୍ଠପୋଷକତା ଲାଭକରି ଆସିଥିଲା । କମ୍ୟୁନିଜମ୍ ବିରୁଦ୍ଧରେ ଆମେରିକାର ତତ୍ତ୍ୱାବଧାନ ଓ ପୁଞ୍ଜିରେ ଗଢ଼ା ହୋଇଥିବା ଆଟଲାଣ୍ଟିକ୍ ମେଣ୍ଟ ଭିତରେ ଅନ୍ୟମାନଙ୍କ ସହିତ ସ୍ପେନ୍ ମଧ୍ୟ ଗୋଟାଏ ଭାଗୀଦାର ହୋଇ ରହିଥିଲା । ଆମେରିକା ସରକାରଙ୍କର ବୈଦେଶିକ ବ୍ୟାପାର ବିଭାଗ ମୁଖ୍ୟମାନେ ଏକାଧିକ ଅବସରରେ ସ୍ପେନକୁ ଆମେରିକାର ଏକ ବିଶେଷ ବନ୍ଧୁରାଷ୍ଟ୍ର ବୋଲି ଘୋଷଣା କରି ଆସିଥିଲେ ଏବଂ ଏକାଧିନାୟକତ୍ୱ ସମୟରେ ସାଧାରଣ ଜୀବନର କ୍ଷେତ୍ରରେ ସେଠି ଯେଉଁ ପ୍ରଚଣ୍ଡ ଦମନଲୀଳା ଚାଲିଥିଲା, ଫ୍ରାଙ୍କୋଙ୍କର ବନ୍ଧୁମାନେ ତାହାକୁ ସ୍ପେନର ଆଭ୍ୟନ୍ତରୀଣ ବ୍ୟାପାର ବୋଲି କହି ନୀରବ ରହି ଯାଉଥିଲେ । ଫ୍ରାଙ୍କୋ ମଲେ; ତେବେ ଯାଇ ରାତି ପାହିଲା, ତେବେ ଯାଇ ନୂତନ ପରିବର୍ତ୍ତନ ଲାଗି ଅବକାଶ ଆସିଲା । ଇଉରୋପୀୟ ରାଜନୀତିରେ ଏକ ଚରମ ସ୍ଥବିରତାକୁ ଜାରି ରଖିଥିବା ଏହି ପର୍ଯ୍ୟାୟଟି ଚାହୁଁ ଚାହୁଁ ଦୀର୍ଘ ଚାଳିଶି ବର୍ଷ ଗାଦିମାଡ଼ି ରହିବାର ସୁଯୋଗ ପାଇଲା । ବର୍ତ୍ତମାନ ସ୍ପେନରେ ଯେଉଁ ପରିବର୍ତ୍ତନ ଲାଗି ବାଟ ଫିଟିଗଲା, ତାହାକୁ ପର୍ଯ୍ୟବେକ୍ଷକମାନେ କେବଳ ସ୍ପେନ ଲାଗି ନୁହେଁ; ସମଗ୍ର ଇଉରୋପ ମହାଦେଶଟି ଲାଗି ମଧ୍ୟ ଏକ ନୂତନ ପର୍ଯ୍ୟାୟର ଆରମ୍ଭ ବୋଲି କହୁଛନ୍ତି ।

 

ସ୍ପେନ୍‌ର ଜାତୀୟ ଭାଗ୍ୟରେ ଗତ ଚାଳିଶି ବର୍ଷର ଅବଧିକୁ ଆମେ କେତେଦୂର ଏକ ଅନାବଶ୍ୟକ ରିକ୍ତ ସ୍ଥାନ ବୋଲି କହିପାରିବା ? ୧୯୩୬ ମସିହାରେ ସେହି ଦେଶରେ ଫ୍ରାଙ୍କୋ ଓ ତାଙ୍କ ପ୍ରତିକ୍ରିୟାବାଦୀମାନଙ୍କର ବିଜୟ ନହୋଇ ଯଦି ସାଧାରଣତନ୍ତ୍ରରହିଁ ବିଜୟ ହୋଇଥାନ୍ତା, ତେବେ ସେହି ସାଧାରଣତନ୍ତ୍ର ଚାଳିଶି ବର୍ଷକାଳ ପ୍ରତିଷ୍ଠିତ ହୋଇସାରିବା ପରେ ତଦ୍ଦ୍ୱାରା ସ୍ପେନ୍‌ର ରାଜନୀତିକ, ସାମାଜିକ ଏବଂ ମାନବିକ ବିକାଶ ଅଧିକ ହୋଇଥାନ୍ତା ନା ଫ୍ରାଙ୍କୋ ଏହି ପର୍ଯ୍ୟାୟଟିର ଅଧିପତି ହୋଇ ରହିବାଦ୍ୱାରା ସେହିସବୁ କ୍ଷେତ୍ରରେ ଅଧିକ ବିକାଶ ସମ୍ଭବ ହୋଇପାରିଲା ? ପାଶ୍ଚାତ୍ୟ ଗଣତାନ୍ତ୍ରିକ ରାଷ୍ଟ୍ରମାନେ ସେତେବେଳେ ଯେଉଁ ସାଧାରଣତନ୍ତ୍ରଟିକୁ ଭୟ କରୁଥିଲେ ଓ ଯାହା ବିରୁଦ୍ଧରେ ସେମାନେ ଫ୍ରାଙ୍କୋଙ୍କରହିଁ ପକ୍ଷ ସମର୍ଥନ କଲେ, ଫ୍ରାଙ୍କୋ ଶାସନର ଅମଳରେ ସ୍ପେନ୍‌ ଯେତେ ପରିମାଣରେ ଅନଗ୍ରସର ଓ ଅବରୁଦ୍ଧ ହୋଇ ରହିଲା, ସେହି ସାଧାରଣତନ୍ତ୍ରର ଶାସନରେ କ’ଣ ତାହା ତଦପେଷା ଅଧିକ ଅନଗ୍ରସର ଓ ଅବରୁଦ୍ଧ ହୋଇ ରହିଥାନ୍ତା ? ରାଷ୍ଟ୍ରଗୁଡ଼ାକର ଏସବୁ କଥାର ବିଚାର କରିବା ଲାଗି ଅବଶ୍ୟ କେବେ ହେଲେ ସମୟ ନ ଥାଏ ସତ, ମାତ୍ର ଯେଉଁମାନେ ରାଜନୀତିକ ଇତିହାସ ନେଇ ଆଲୋଚନା କରିବେ, ସେମାନେ ଦିନେ ନା ଦିନେ ତାହାର ମୂଲ୍ୟାଙ୍କନ ଅବଶ୍ୟ କରିବେ ।

 

ଆମ ସମସ୍ତଙ୍କର ଆଶ୍ୱସ୍ତ ହେବା କଥା ଯେ ପିରିନିଜ୍‌ ପର୍ବତର ଦକ୍ଷିଣକୁ ଇଉରୋପ ବୋଲି କୌଣସି ଭୂଖଣ୍ଡ ଅଛି ବୋଲି ଆମର ଆଜିଯାଏ ଅନେକ ସମୟରେ ହୁଏତ ଯେଉଁ ସନ୍ଦେହ ହେଉଥିଲା, ଏବେ ସେହି ସନ୍ଦେହଟି କ୍ରମଶଃ ନିରାକୃତ ହୋଇଯିବ ।

ତା ୩୦.୧୧.୧୯୭୬ ରିଖ

Image

 

ଆଙ୍ଗୋଲାକୁ ସ୍ୱୀକୃତି

 

ଏଥର ଘାଟିରେ ’ଆଙ୍ଗୋଲା’ ପାର ହୋଇଗଲା । ମିଳିତ ଜାତିସଂଘରେ ଏକ ସଦସ୍ୟ ହୋଇ ରହିବାଲାଗି ତାକୁ ପୂର୍ଣ୍ଣ ସ୍ୱୀକୃତି ମିଳିଗଲା । ଏହା ପୂର୍ବରୁ ଜାତିସଂଘର ନିରାପତ୍ତା କାଉନ୍‌ସିଲରେ ଯେତେବେଳେ ସେହି ବିଶ୍ୱସଂସ୍ଥାରେ ଏକ ସଦସ୍ୟରୂପେ ଗୃହୀତ ହେବା ସକାଶେ ଆଙ୍ଗୋଲାର ଆବେଦନ-ପତ୍ରଟି ଉପରେ ବିଚାର କରାଯାଇଥିଲା, ସେତେବେଳେ ସମ୍ପୃକ୍ତ ସମସ୍ତେ ଆବେଦନଟିକୁ ଗ୍ରହଣ କରିବାର ସପକ୍ଷରେ ରହିଥିଲେ ସତ, ମାତ୍ର ଗୋଟାଏ ଦେଶ ଆମେରିକାର ଭେଟୋ ପ୍ରୟୋଗ ଫଳରେ ସେହି ପ୍ରସ୍ତାବଟି ନାକଚ ହୋଇଯାଇଥିଲା ଏବଂ ତା’ପରେ, ସଂଯୁକ୍ତ ରାଷ୍ଟ୍ରସଂଘର ସେହି ପୁରୁଣା ନିୟମଟି ଅନୁସାରେ, ଆଉ କାହାରି କିଛିହେଲେ କରିବାକୁ ନଥିଲା ।

 

ଏବେ ଆବେଦନ-ପତ୍ରଟିର ପୁନଃବିଚାର ହେଲା । ଏଥର କୌଣସି କାରଣରୁ ଆମେରିକା ସରକାର ଭେଟୋ କ୍ଷମତାର ପ୍ରୟୋଗ କଲେ ନାହିଁ ଏବଂ ସେହି କାରଣରୁ ଆଙ୍ଗୋଲାକୁ ସଦସ୍ୟପଦର ସ୍ୱୀକୃତି ମିଳିବା ଲାଗି ଆଉ କୌଣସି ପ୍ରତିବନ୍ଧକ ରହିଲା ନାହିଁ ଓ ଆଙ୍ଗୋଲା ମିଳିତ ଜାତିସଂଘର ସଦସ୍ୟ ହୋଇପାରିଲା । ଏଥିରେ ସମସ୍ତଙ୍କର ନିଶ୍ଚୟ ଖୁସୀ ହେବାର କଥା । ବିଶେଷ କରି, ଯେଉଁ ଦେଶମାନେ ଏକତ୍ରିତ ଭାବେ ଆପଣାକୁ ତୃତୀୟ ପୃଥିବୀ ବୋଲି କହୁଛନ୍ତି, ଯେଉଁମାନେ ଏକ ସ୍ୱାଧୀନ ରାଷ୍ଟ୍ର ହିସାବରେ ନୂଆ କରି ଜନ୍ମଲାଭ କରିଛନ୍ତି, ସାମରିକ ମେଣ୍ଟଗୁଡ଼ାକ ଭିତରେ ପଶି ଘାଣ୍ଟିଚକଟି ହେବା ଅପେକ୍ଷା ସ୍ୱଚ୍ଛନ୍ଦ ଭାବରେ ଆପଣାର ବିକାଶ ସାଧନ କରିବାକୁହିଁ ଯେଉଁ ଦେଶମାନେ ଆପଣା ଲାଗି ଅଧିକ ଜରୁରୀ ବୋଲି ଅନୁଭବ କରୁଛନ୍ତି, ସେମାନଙ୍କର ବିଶେଷ ଭାବରେହିଁ ଖୁସୀ ହେବାର କଥା, ଆଶ୍ୱସ୍ତ ବି ହେବାର କଥା ।

 

ସଂଯୁକ୍ତ ରାଷ୍ଟ୍ରସଂଘର ଗତ ଥର ବୈଠକରେ ଆଙ୍ଗୋଲାକୁ ବିଶ୍ୱସଂସ୍ଥାର ଏକ ସଦସ୍ୟରୂପେ ଗ୍ରହଣ କରିନେବାର ପ୍ରସ୍ତାବ ବିରୁଦ୍ଧରେ ଆମେରିକା କାହିଁକି ଭେଟୋ କ୍ଷମତା ପ୍ରୟୋଗ କରିଥିଲା, ସେତେବେଳେ ଆମେରିକା ପକ୍ଷରୁ ଏଥିପାଇଁ ଏକ କାରଣ ମଧ୍ୟ ଦର୍ଶାଯାଇଥିଲା । ମାତ୍ର ଠିକ୍ ସେହି ପ୍ରସ୍ତାବଟି ପୁନର୍ବାର ଗୃହୀତ ହୋଇଗଲାବେଳେ ଆମେରିକା ସେଥିରେ କାହିଁକି ଏକତରଫା ହସ୍ତକ୍ଷେପ କଲା ନାହିଁ ଏବଂ ଭେଟୋ ପ୍ରୟୋଗ କଲା ନାହିଁ, ସେଥିପାଇଁ ଆମେରିକା ସରକାରଙ୍କ ତରଫରୁ ଏଥର କୌଣସି କାରଣ ଦର୍ଶାଗଲା ନାହିଁ । ଆମେରିକାର ରାଷ୍ଟ୍ରପତି ଜେରାଲଡ଼ ଫୋର୍ଡ଼ ସେହି ଦେଶର ସାଧାରଣ ନିର୍ବାଚନରେ ଅଳ୍ପସଂଖ୍ୟକ ଭୋଟ ପାଇ ପରାସ୍ତ ହୋଇ ଯାଇଛନ୍ତି, ଅର୍ଥାତ୍ ଆଗାମୀ ଚାରିବର୍ଷ ସକାସେ ସିଏ ଆଉ କ୍ଷମତାରେ ରହୁନାହାନ୍ତି ବୋଲି ସ୍ଥିରୀକୃତ ହୋଇଯାଇଛି । ମଧ୍ୟବର୍ତ୍ତୀ ଅବଧିଟି ମଧ୍ୟରେ ଆମେରିକାର ବୈଦେଶିକ ନୀତି ତଥା ଭେଟୋ-ନୀତିରେ ପରିବର୍ତ୍ତନ ଘଟାଇଲା ଭଳି କେବଳ ଏତିକି ବ୍ୟତୀତ ଖୁବ୍ ସମ୍ଭବ ଆଉ କିଛିହେଲେ ଘଟଣା ଘଟିନାହିଁ । ଖାସ୍ ସେହି ପରିବର୍ତ୍ତନଟି ସକାଶେ କ’ଣ ଆମେରିକାର ଆଙ୍ଗୋଲା-ନୀତିରେ ଓ ଭେଟୋ କ୍ଷମତା ପ୍ରୟୋଗ କରିବାର ନୀତିରେ ପରିବର୍ତ୍ତନ ବି ଘଟିଛି ? ବିଶ୍ୱ ରାଜନୀତିର ପର୍ଯ୍ୟବେକ୍ଷକମାନେ ଏହି ବିଷୟଟିର ମଧ୍ୟ ଏକ ବୋଧ୍ୟ ସମାଧାନ ବାହାର କରିବାକୁ ନିଶ୍ଚୟ ଚେଷ୍ଟା କରିବେ ।

 

ପୃଥିବୀର ବିଭିନ୍ନ ଦେଶ ସଂଯୁକ୍ତ ରାଷ୍ଟ୍ରସଂଘର ଅନ୍ତର୍ଭୁକ୍ତ ହେବେ କି ନାହିଁ, ଏହି ସଂକ୍ରାନ୍ତରେ ଆମେରିକା ସରକାର ଅତୀତରେ ଏକାଧିକ ବାର ତାଙ୍କର ଭେଟୋ କ୍ଷମତାକୁ ପ୍ରୟୋଗ କରି ଆସିଛନ୍ତି । ବିଶେଷ ଭାବେ ନୂଆକରି ସ୍ୱାଧୀନତା ଅର୍ଜନ କରିଥିବା ଓ ତେଣୁ ନୂଆ ଆଖିରେ ଭବିଷ୍ୟତ ଉପରେ ଦୃଷ୍ଟିପାତ କରୁଥିବା ଦେଶମାନେ ଆପଣାର ଏକ ଅବଶ୍ୟମ୍ଭାବୀ ପରବର୍ତ୍ତୀ ପଦକ୍ଷେପରୂପେ ମିଳିତ ରାଷ୍ଟ୍ରସଂଘର ସଦସ୍ୟ ହେବାକୁ ଗଲାବେଳେ ଆମେରିକା ସରକାର ସେମାନଙ୍କ ଉପରେ ଢିଙ୍କି ପାହାର ବସାଇବାକୁହିଁ ସମୁଚିତ ନୀତି ବୋଲି ବିଚାର କରିଛନ୍ତି । ଏହି ସ୍ୱାଭାବିକ ପ୍ରଶ୍ନଟି ମଧ୍ୟରେ ସିଏ ପୁରୁଣା ରାଜନୀତିକୁ ଆଣି ପୂରାଇ ଦେଇଛନ୍ତି ଏବଂ ସର୍ବବିଧ ସ୍ଥିତିକୁ ଭାରି ଜଟିଳ କରି ପକାଇଛନ୍ତି । ସାନ ସାନ ଅଥଚ ସମ୍ମୁଖଦୃଷ୍ଟି ଦେଶ ଓ ଲୋକସମୂହକୁ ପ୍ରାୟ ଏକ ଅଭିସନ୍ଧିମୂଳକ, ଭାବରେ ପଶ୍ଚାତ୍‍ଦୃଷ୍ଟି କରି ରଖିଛନ୍ତି ଓ ପୁରୁଣା ଗୋଷ୍ଠୀ-ରାଜନୀତିର କାଦୁଅ ଭିତରେ ସେମାନଙ୍କୁ ଆଣି ପକାଇ ଦେବାର ଚେଷ୍ଟା କରିଛନ୍ତି । ଏହାଦ୍ୱାରା ଆମେରିକା ସରକାରଙ୍କର କେଉଁ ଲାଭ କେତେଦୂର ହୋଇଛି କି ନାହିଁ, ସେ କଥା ସେହି ଆମେରିକା ସରକାର ଖୋଦ୍ କହିପାରିବେ; ମାତ୍ର ଏଥିରେ ଆଦୌ କୌଣସି ସନ୍ଦେହ ନାହିଁ ଯେ ଏହାଦ୍ୱାରା ପୃଥିବୀ ସମାଜଟିର ଆଦୌ କୌଣସି ଲାଭ ହୋଇ ନାହିଁ । ବିଶ୍ୱର ନୂତନ ଆକାଙ୍‌କ୍ଷାମାନ ଏହାଦ୍ୱାରା ଅତ୍ୟନ୍ତ ବାଧାପ୍ରାପ୍ତ ହୋଇଛି ଏବଂ ବିବର୍ତ୍ତନର ସ୍ୱାଭାବିକ ପ୍ରତିକ୍ରିୟାକୁ ସତେ ଅବା ବଳପ୍ରୟୋଗ କରି ଅଟକାଇ ରଖି ଦିଆଯାଇଛି ।

 

ଏଠାରେ ଆଉ ଗୋଟିଏ କଥାକୁ ବି ବିଚାରକୁ ଆଣିବା ନିଶ୍ଚୟ ସମୀଚୀନ ହେବ । ଆମେରିକା ସମେତ ଯୁଦ୍ଧବିଜେତା ଯେଉଁ କେତେକ ଦେଶ ୧୯୪୫ ମସିହାରେ ସ୍ୱୟଂ ଉତ୍ସାହିତ ହୋଇ ସଂଯୁକ୍ତ ରାଷ୍ଟ୍ରସଂଘ ବୋଲି ଏକ ଅନୁଷ୍ଠାନ ଗଠନ କରିଥିଲେ, ସେମାନେ ପ୍ରଧାନତଃ ଆପଣାର ସ୍ୱାର୍ଥଗୁଡ଼ିକୁ ନିରାପଦ ରଖିବା ଉଦ୍ଦେଶ୍ୟରେହିଁ ତାହା କରିଥିଲେ । ଏହି ରାଷ୍ଟ୍ରସଂଘଟି ଜରିଆରେ ସେମାନେ ସମଗ୍ର ପୃଥିବୀକୁ ଆପଣାର ବାଜା ଅନୁସାରେ ନଚାଇ ପାରିବେ ଓ ସମଗ୍ର ପୃଥିବୀକୁ ଯଥାସମ୍ଭବ ଆପଣାର ଏକ ପ୍ରଭାବମଣ୍ଡଳରେ ପରିଣତ କରି ରଖି ପାରିବେ ବୋଲି ହୁଏତ ବହୁତ ସ୍ୱପ୍ନ ଦେଖିଥିଲେ । ମାତ୍ର ତା’ପରେ ପୃଥିବୀର ସେହି ସ୍ଥିତିହିଁ ବଦଳିଗଲା । ପୃଥିବୀରେ ଏକ ତୃତୀୟ ବିଶ୍ୱ ଜନ୍ମଲାଭ କଲା । ବିଶ୍ୱଭବିଷ୍ୟର ନାନା ସହଯୋଗମୂଳକ ସ୍ୱପ୍ନ ସମ୍ମୁଖରେ ବୃହତ୍-ଶକ୍ତି-ବିବାଦ ରୂପକ ଫମ୍ପା ମାଲଗୁଡ଼ାକ ପ୍ରକୃତରେ ଭାରି ଫମ୍ପା ବୋଲି ଧରା ପଡ଼ିଗଲା । ଆମେରକାର ନିଜସ୍ୱ ସ୍ୱାର୍ଥଗୁଡ଼ାକ ଯେ ଏଥିରେ ଅନେକ ପ୍ରକାରେ କ୍ଷୁଣ୍ଣ ହେବାକୁ ବାଧ୍ୟହେଲା, ଏଥିରେ କୌଣସି ସନ୍ଦେହ ନାହିଁ । ତେଣୁ, ସେହି ତୃତୀୟ ବିଶ୍ୱଟାରହିଁ ବଳ ଓ କଳେବର ବୃଦ୍ଧି କରିବାକୁ ଯାଉଥିବା ଆହୁରି ଅଧିକସଂଖ୍ୟକ ଦେଶ ରାଷ୍ଟ୍ରସଂଘ ଭିତରେ ସାମିଲ ହେବାଲାଗି ଆସୁଥିବାବେଳକୁ ଆମେରିକା ଯେ ପ୍ରକୃତରେ ଭାରି ଅରୁଚି ଅନୁଭବ କରୁଥିବ, ସେହି କଥାଟିର ବେଶ୍ ଏକ ସମ୍ଭାବନା ରହିଛି । ରାଷ୍ଟ୍ରସଂଘରେ ସଦସ୍ୟ ଦେଶଗୁଡ଼ିକର ସଂଖ୍ୟାବୃଦ୍ଧି ଯେ କ୍ରମେ ବୃହତ୍ ଶକ୍ତିମାନଙ୍କର ବିଶେଷ ଦାନ୍ତଗୁଡ଼ାକୁ ଭାଙ୍ଗିଦେବାରେ ଲାଗିଛନ୍ତି, ଆମେରିକା ସେହି କଥାଟିକୁ ନିଶ୍ଚୟ ହୃଦୟଙ୍ଗମ କରୁଥିବ ।

ତା ୧.୧୨.୧୯୭୬ ରିଖ

Image

 

ଭୁଟ୍ଟୋ ଓ ନିରପେକ୍ଷ ନୀତି

 

ପାକିସ୍ତାନର ପ୍ରଧାନମନ୍ତ୍ରୀ ଜନାବ ଜୁଲଫିକର ଅଲ୍ଲି ଭୁଟ୍ଟୋ ଆପଣାର ଏକ ଲେଖାରେ ଗୋଷ୍ଠୀ-ନିରପେକ୍ଷତାର ପୁନର୍ବାର ଚର୍ଚ୍ଚା ଉଠାଇଛନ୍ତି । କଲମ୍ବୋଠାରେ ଗୋଷ୍ଠୀ-ନିରପେକ୍ଷ ଦେଶଗୁଡ଼ିକର ଶିଖର ସମ୍ମିଳନୀ ବସିବା ଦିନଠାରୁ ଶ୍ରୀଯୁକ୍ତ ଭୁଟ୍ଟୋ ଏହି ବିଷୟରେ ଏକାଧିକବାର ଚର୍ଚ୍ଚା କରି ସାରିଲେଣି । କଲମ୍ବୋ ସମ୍ମିଳନୀ ବସିଥିବା ସମୟରେ ମଧ୍ୟ ସିଏ ଏହି ବିଷୟରେ କମ୍ ଆଗ୍ରହ ପ୍ରକାଶ କରିନଥିଲେ । ଆମ ସମସ୍ତଙ୍କର ମନେଥିବ ଯେ କଲମ୍ବୋ ସମ୍ମିଳନୀରେ ଯୋଗ ଦେଇଥିବା ପ୍ରତିନିଧିମାନଙ୍କର ଅନ୍ନଭୋଜନ ସକାଶେ ଭୁଟ୍ଟୋ ପାକିସ୍ଥାନ ତରଫରୁ ଭଲ ସରୁଚାଉଳ ପଠାଇଥିଲେ । ପାକିସ୍ଥାନକୁ ମଧ୍ୟ ଗୋଷ୍ଠୀ-ନିରପେକ୍ଷ ଶିଖର ସମ୍ମିଳନୀରେ ଯୋଗ ଦେବାଲାଗି ଅବସର ଦିଆଯାଉ ବୋଲି ସେତେବେଳେ ଶ୍ରୀଯୁକ୍ତ ଭୁଟ୍ଟୋ କମ୍ ପ୍ରୟାସ କରି ନଥିଲେ । ପାକିସ୍ଥାନ ସହିତ ଆଉ ଯେତେ ଦେଶ ଏହି ସମ୍ମିଳନୀରେ ଯୋଗ ଦେବାଲାଗି ଇଚ୍ଛା ପ୍ରକାଶ କରୁଥିଲେ ଓ ସେଥିଲାଗି ପ୍ରାର୍ଥୀ ହୋଇଥିଲେ, ସମ୍ମିଳନୀରେ ସେମାନଙ୍କର କଥା ବିଚାର କରାହୋଇଥିଲା ଏବଂ ସେହି ପ୍ରସ୍ତାବଟିକୁ ଅଗ୍ରାହ୍ୟ କରାଯାଇଥିଲା ।

 

ଯେଉଁ ଦେଶମାନେ କୌଣସି ନା କୌଣସି ସାମରିକ ମେଣ୍ଟରେ ସଦସ୍ୟ ରାଷ୍ଟ୍ରରୂପେ ଅଛନ୍ତି, ଗୋଷ୍ଠୀନିରପେକ୍ଷ ଦେଶଗୁଡ଼ିକର ସମ୍ମିଳନୀରେ ସେମାନଙ୍କର ପ୍ରତିନିଧିତ୍ୱକୁ ସ୍ୱୀକାର କରିନେଲେ, ତାହା ଗୋଷ୍ଠୀ-ନିରପେକ୍ଷତାକୁ ଏକ ହାସ୍ୟାସ୍ପଦତାରେ ପରିଣତ କରିଦେବ ବୋଲି ସମ୍ମିଳନୀରେ ଅନୁଭବ କରାଯାଇଥିଲା । ଭୁଟ୍ଟୋ ଏବେ ପୁନର୍ବାର ଠିକ୍ ସେହି ହାସ୍ୟାସ୍ପଦ କଥାଟିର ଉତ୍‌ଥାପନ କରିଛନ୍ତି । ଆପଣାର ଏକ ଦୀର୍ଘ ପ୍ରବନ୍ଧରେ ସେ ଲେଖିଛନ୍ତି ଯେ ତାଙ୍କର ଦେଶ ପାକିସ୍ଥାନ ଯୁକ୍ତରାଜ୍ୟ ଆମେରିକାଦ୍ୱାରା ସମର୍ଥିତ ସାମରିକ ମେଣ୍ଟ ଭିତରେ ଏକ ସଦସ୍ୟ ରାଷ୍ଟ୍ରରୂପେ ରହିଥିଲେ ମଧ୍ୟ ତାହାକୁ ତଥାପି ନିରପେକ୍ଷ ରାଷ୍ଟ୍ର-ଗୋଷ୍ଠୀର ସଭ୍ୟ ଭାବରେ ଗ୍ରହଣ କରାଯିବା ଉଚିତ । ଲେଖାଟିରେ ଶ୍ରୀଯୁକ୍ତ ଭୁଟ୍ଟୋ ମତ ପ୍ରକାଶ କରି କହିଛନ୍ତି ଯେ, ଯଦି ଗୋଷ୍ଠୀ-ନିରପେକ୍ଷତାବାଦକୁ ପ୍ରକୃତରେ ଏକ ବୃହତ୍ ଆନ୍ଦୋଳନରେ ପରିଣତ କରିବାର ଉଦ୍ଦେଶ୍ୟ ରହିଥାଏ, ତେବେ ସେହି ଆନ୍ଦୋଳନରୁ ବିକାଶଶୀଳ ଦେଶମାନଙ୍କୁ ବାହାରେ ରଖିବା ଆଦୌ ଉଚିତ ହେବନାହିଁ ।

 

ଭୁଟ୍ଟୋଙ୍କ ସହିତ ଆମେ ସମସ୍ତେ ନିଶ୍ଚୟ ଏକମତ ହେବା ଯେ, ପୃଥିବୀର ବିକାଶଶୀଳ ପ୍ରତ୍ୟେକ ରାଷ୍ଟ୍ର ଗୋଷ୍ଠୀ-ନିରପେକ୍ଷତାର ସିଦ୍ଧାନ୍ତଟି ଉପରେ ବିଶ୍ୱାସ ରଖିବା ଉଚିତ ଏବଂ ଆପଣାକୁ ଯାବତୀୟ ସାମରିକ ମେଣ୍ଟ ଭିତରୁ ବାହାରେ ରଖିବା ଉଚିତ । ଯେଉଁସବୁ ତାତ୍କାଳିକ ମତଲବ ଏବଂ ସ୍ୱାର୍ଥକୁ ମୂଳ କରି ପୃଥିବୀରେ ଦ୍ୱିତୀୟ ମହାଯୁଦ୍ଧର ପ୍ରାୟ ଅବ୍ୟବହିତ ପରେ ଏକାଧିକ ସାମରିକ ମେଣ୍ଟର କଳ୍ପନା ଏବଂ ସ୍ଥାପନା ହୋଇଥିଲା, ସେହି ମତଲବଗୁଡ଼ାକୁ ଜାଣି ମଧ୍ୟ ଯେଉଁସବୁ ବିକାଶଶୀଳ ରାଷ୍ଟ୍ର ତଥାପି ସେହିସବୁ ମେଣ୍ଟ ଭିତରେ ଯାଇ ଯୋଗ ଦେଇଥିଲେ, ସେମାନେ ଯେ ନାନା କାରଣରୁ ସେତେବେଳେ ଗୋଷ୍ଠୀ-ନିରପେକ୍ଷତାର ଦର୍ଶନ ଉପରେ ଆଦୌ ଆସ୍ଥା ସ୍ଥାପନ କରିପାରୁ ନଥିଲେ, ସେହି କଥାଟି ଅତ୍ୟନ୍ତ ସ୍ପଷ୍ଟ ଭାବରେ ପ୍ରମାଣିତ ହୋଇଯାଉଛି; ନାନା ପ୍ରଲୋଭନ ଏବଂ ଅନ୍ୟ ଇଷ୍ଟଦ୍ୱାରା ପ୍ରେରିତ ହୋଇ ଯେଉଁସବୁ ନବସ୍ୱାଧୀନ ବିକାଶଶୀଳ ରାଷ୍ଟ୍ର ସାମରିକ ମେଣ୍ଟଗୁଡ଼ିକ ଭିତରେ ଯାଇ ଯୋଗ ଦେଇଥିଲେ, ସେମାନେ ଯେ ତଦ୍ଦ୍ୱାରା ଆପଣାର ଜାତୀୟ ବିକାଶକ୍ଷେତ୍ରରେ ନାନାଭାବେ କ୍ଷତିଗ୍ରସ୍ତ ହେଲେ, ସେମାନେ ପ୍ରତ୍ୟେକେ ସେହି କଥାଟିକୁ କ୍ରମଶଃ ନିଶ୍ଚୟ ହୃଦୟଙ୍ଗମ କରୁଥିବେ । ସୁସ୍ଥ ଭାବରେ ବିକାଶ ଲାଭ କରିବାକୁ ହେଲେ ଏବଂ ବିକାଶକୁ ପ୍ରକୃତରେ ଜାତୀୟ ଜୀବନର ଅସଲ ମୂଳଗୁଡ଼ାକରୁହିଁ ସମ୍ଭବ କରି ଆଣିବାକୁ ହେଲେ ପୃଥିବୀରେ ଯେଉଁ ସ୍ୱାଭାବିକ ପାରସ୍ପରିକତାର ବାତାବରଣଟି ଅବିଚ୍ଛିନ୍ନ ହୋଇ ରହିବା ଏକାନ୍ତ ଆବଶ୍ୟକ, ପୃଥିବୀର ସାମରିକ ମେଣ୍ଟଗୁଡ଼ାକ ଏପର୍ଯ୍ୟନ୍ତ ସେହି ଦିଗରେ କେବଳ ବାଧକରୂପେହିଁ କାର୍ଯ୍ୟ କରି ଆସିଛନ୍ତି । ଦ୍ୱିତୀୟ ମହାଯୁଦ୍ଧ ପରେ ବିକାଶଶୀଳ ଦେଶଗୁଡ଼ିକର ସତ୍ୱର ବିକାଶରେ ସେଗୁଡ଼ାକ ଅଧିକାଂଶ ସମୟରେ ଅନ୍ତରାୟ ହୋଇ ରହିଛନ୍ତି । ବିକାଶଶୀଳ ଦେଶଗୁଡ଼ିକ ମଧ୍ୟରୁ ଯେଉଁମାନେ ଅଧିକ ସବଳ ହେବାର ଆଶାରେ ବୃହତ୍ ଶକ୍ତିମାନଙ୍କର ଛତ୍ରଛାୟା ତଳେ ଗଠିତ ହୋଇଥିବା ମେଣ୍ଟଗୁଡ଼ାକ ଭିତରେ ଯାଇ ରହିଥିଲେ, ଆମେ ବର୍ତ୍ତମାନ ସେମାନଙ୍କର ଅର୍ଥନୈତିକ, ସାମାଜିକ ତଥା ରାଜନୀତିକ ବିକାଶର ଏକ ଅଧ୍ୟୟନରୁ ସେମାନଙ୍କର ସେହି ସ୍ଥିତିଟିର ଏକ ମୂଲ୍ୟାଙ୍କନ କରିପାରିବା । ସେମାନେ ନିଃସନ୍ଦେହ ଭାବରେ ଅଧିକ ପଇସା ପାଇଛନ୍ତି, ପ୍ରୟୋଜନ ନଥିଲେ ମଧ୍ୟ ସେମାନଙ୍କର ଭଣ୍ଡାର ଭିତରେ କେତେ କେତେ ଅସ୍ତ୍ର ଆଣି ଜମା କରି ଦିଆଯାଇଛି । ମାତ୍ର ସେମାନେ ବଡ଼ ଶୋଚନୀୟ ଭାବରେ ନିର୍ଭରଶୀଳ ହୋଇ ରହିଛନ୍ତି; ସମଗ୍ର ଭାବରେ ଗୋଟାଏ ଦେଶର ବିକାଶକୁ ସମ୍ଭବ କରିବାକୁ ହେଲେ ସେହି ଦେଶର ଜନଗଣଙ୍କ ମଧ୍ୟରେ ଯେଉଁ ଉଦ୍ୟମ ଓ ଯେଉଁ ରାଜନୀତିକ ସଚେତନତା ବିକଶିତ ହୋଇ ଆସିବା ଉଚିତ, ଭାରି ଜଘନ୍ୟ ଭାବରେ ତାହାର ଉପେକ୍ଷା କରାଯାଇଛି । ଦେଶର ସୁରକ୍ଷା ନାମରେ ସେମାନେ ଏକ ନୂଆ ପ୍ରକାରର ଉପନିବେଶବାଦ ଭିତରେ ବାନ୍ଧିହୋଇ ପଡ଼ିଛନ୍ତି ।

 

ଜନାବ ଭୁଟ୍ଟୋ ପାକିସ୍ଥାନର ଗତ ତିରିଶ ବର୍ଷର ଇତିହାସରୁ ଏହାର ନାନାବିଧି ପ୍ରମାଣ ଅବଶ୍ୟ ପାଉଥିବେ । ସିଏ ସାମରିକ ମେଣ୍ଟ ଛାଡ଼ିଲେ ତାଙ୍କର ଦେଶ ଯେ ଅଧିକ ସୁସ୍ଥ ଓ ସମୃଦ୍ଧ ହେବ, ଯେଉଁଦିନ ସେ ଏକଥା ବୁଝିବେ, ସେଦିନ ଗୋଷ୍ଠୀନିରପେକ୍ଷ ମଣ୍ଡଳୀଟି ଭିତରେ ପାକିସ୍ଥାନ ଲାଗି ମଧ୍ୟ ଆପେ ଆପେ ସ୍ଥାନର ଯୋଗାଡ଼ ହୋଇଯାଇ ପାରିବ ।

ତା ୩.୧୨.୧୯୭୬ ରିଖ

Image

 

ରୋଡ଼େସିଆ ସମସ୍ୟାର ଜାଲ

 

ତେଣେ ଅନେକ ହଜାର କିଲୋମିଟର ଦୂରରେ ବ୍ରିଟେନର ମଧ୍ୟସ୍ଥତାରେ କିସିଞ୍ଜରଙ୍କର ବରାଦ ଅନୁସାରେ ଜେନେଭାଠାରେ ରୋଡ଼େସିଆର ଏକତରଫା ଗୋରାଶାସକ ଏବଂ ଆଫ୍ରିକାର କୃଷ୍ଣ ଜାତୀୟତାବାଦୀ ନେତାମାନଙ୍କ ମଧ୍ୟରେ କଥାବାର୍ତ୍ତା ଚାଲିଛି ସତ, ମାତ୍ର ଏଣେ ଅନ୍ୟ ପାଖରେ ରୋଡ଼େସିଆ ସରକାର ଉତ୍ତରରେ ଥିବା ମୋଜାମ୍ବିକ୍ ଉପରେ ପ୍ରାୟ ଏକ ରୀତିମତ ଯୁଦ୍ଧକାଳୀନ ଆକ୍ରମଣ ଆରମ୍ଭ କରି ଦେଇଛନ୍ତି । ସେହି ଆକ୍ରମଣଟିକୁ ସୁଚିନ୍ତିତ ଓ ସୁନିଶ୍ଚିତ ଭାବରେ ପରିଚାଳନା କରିପାରିବାକୁ ରୋଡ଼େସିଆର ପ୍ରଧାନମନ୍ତ୍ରୀ ଇଆନ ସ୍ମିଥ୍ ମଧ୍ୟ ଜେନେଭାଠାରେ କଥାବାର୍ତ୍ତା କରି କାଳକ୍ଷେପଣ କରିବା ଅପେକ୍ଷା ଅଧିକ ଆବଶ୍ୟକ ମଣି ସର୍‌ଜମିନକୁ ଫେରିଆସିଛନ୍ତି । ଖାସ୍ ଜେନେଭା ସମ୍ମିଳନୀ ଚାଲିଥିବା ସମୟରେ କାହିଁକି ଯେ ଏପରି ଏକ ଯୁଦ୍ଧର ଅଭିନୟ କରାଯାଉଛି ଏବଂ ଶକ୍ତି ପ୍ରଦର୍ଶନ କରାଯାଉଛି, ଇଆନ ସ୍ମିଥ୍‌ଙ୍କୁହିଁ ସେହି କଥାଟି ସବୁଠାରୁ ଅଧିକ ଭଲ ଭାବରେ ଜଣାଥିବ ।

 

ଇଆନ ସ୍ମିଥ୍‌ଙ୍କର ଅଭିଯୋଗ ଯେ ଉତ୍ତରପଟେ ମୋଜାମ୍ବିକ୍ ଦେଶରେ ରୋଡ଼େସିଆ ଉପରେ ଆକ୍ରମଣ କରିବା ଲାଗି ଏକ ଗରିଲା ବାହିନୀକୁ ତାଲିମ ଦିଆଯାଉଛି । ରୋଡ଼େସିଆ ସମେତ ସମଗ୍ର ଦକ୍ଷିଣ ଆଫ୍ରିକାରେ ମାନବିକ ଅଧିକାରର ନ୍ୟାୟପ୍ରତିଷ୍ଠା କରିବା ଲାଗି ସେହି ମହାଦେଶର କୃଷ୍ଣକାୟ ଜାତୀୟତାବାଦୀମାନେ ଯେଉଁ ସମୂହ ସଂଗ୍ରାମଟି ଲାଗି ପ୍ରସ୍ତୁତ ହେଉଛନ୍ତି, ଗରିଲାବାହିନୀକୁ ତାଲିମ ଦେବା ହେଉଛି ସେହି ପ୍ରସ୍ତୁତିର ଏକ ଅଂଶ ମାତ୍ର । ଥୋକେ ଏହି କଥାଟିକୁ ଆଦୌ ଲୁଚାଇ ଛପାଇ କରୁନାହାନ୍ତି । ରୋଡ଼େସିଆକୁ ଉତ୍ତରରେ ଘେରି ରହିଥିବା ପାଞ୍ଚୋଟିଯାକ ଦେଶର ପ୍ରତିନିଧିମୂଳକ ରାଷ୍ଟ୍ରଶକ୍ତିର ସମ୍ମିଳିତ ନିଷ୍ପତ୍ତି ବଳରେ ଏକଥା ହେଉଛି । ଗରିଲାମାନଙ୍କୁ ତାଲିମ ଦେବା ଯେ ଏହି କେତେମାସ ହେଲା ଆରମ୍ଭ ହୋଇଛି, ସେ କଥା ଆଦୌ ନୁହେଁ । ଏହା ଦୀର୍ଘ କେତେବର୍ଷ ହେଲା ଚାଲିଛି । ତେଣୁ ଗୋଟାଏ ପାଖରେ ଶ୍ରୀଯୁକ୍ତ କିସିଞ୍ଜରଙ୍କ ପାଖରେ ଜେନେଭା କଥାବାର୍ତ୍ତା ପାଇଁ ରାଜିହୋଇ ଅନ୍ୟ ପାଖରେ ଆଉ ଏକ ଦେଶର ସୀମା ଭିତରେ ଆପଣା ଶକ୍ତିଶାଳିତା ପ୍ରଦର୍ଶନ କରିବା ପଛରେ କେଉଁ କାରଣଟି ପ୍ରଚ୍ଛନ୍ନ ହୋଇ ରହିଛି, ଆମକୁ ତାହାର ସୁରାକ ପାଇବା ଲାଗି ହୁଏତ ଅନ୍ୟତ୍ର ଅନୁସନ୍ଧାନ କରିବାକୁ ପଡ଼ିବ ।

 

ରୋଡ଼େସିଆର ଉଡ଼ାଜାହାଜମାନେ ମୋଜାମ୍ବିକ ଭିତରକୁ ପ୍ରବେଶ କରି ବୋମାବର୍ଷଣ କରିଆସୁଛନ୍ତି । ସେମାନେ କେବଳ ଗରିଲାମାନଙ୍କର ଶିବିରକୁ ଆପଣାର ଲକ୍ଷ୍ୟସ୍ଥଳ କରି ରଖିଛନ୍ତି ବୋଲି କହୁଛନ୍ତି ସତ, ମାତ୍ର ଏହି ଆକ୍ରମଣଦ୍ୱାରା ସେହି ଦେଶରେ ଯେ ବିସ୍ତର ଭାବରେ ସାଧାରଣ ଜୀବନକ୍ଷୟ ମଧ୍ୟ ହେଉଛି, ସେଥିରେ ଆଦୌ କୌଣସି ସନ୍ଦେହ ନାହିଁ । ରୋଡ଼େସିଆର ଏହି ଆଚରଣ ବିଷୟରେ ଚିନ୍ତା କଲାବେଳକୁ ଇସ୍ରାଏଲ ଗତ ଅନେକ ବର୍ଷ ହେଲା କରି ଆସିଥିବା ବହିରାକ୍ରମଣଗୁଡ଼ିକର କଥା ମନେ ପଡ଼ିଯାଉଛି । ପାଲେଷ୍ଟାଇନ ମୁକ୍ତି ସାମ୍ମୁଖ୍ୟରେ ସଂଗ୍ରାମୀ ଗରିଲାମନଙ୍କ ଉପରେ ପ୍ରତିଶୋଧ ନେବା ଲାଗି ଇସ୍ରାଏଲ ତରଫରୁ ପ୍ରାୟ ଏକ ଚିରାଚରିତ ନିୟମ ହିସାବରେ ଲେବାନନ୍‌ ଉପରେ ଆକ୍ରମଣମାନ ହୋଇ ଆସିଛି । ଯେଉଁସବୁ ଅଞ୍ଚଳରେ ପାଲେଷ୍ଟାଇନ ଶରଣାର୍ଥୀମାନଙ୍କର ଶିବିର ରହିଛି, ଇସ୍ରାଏଲ ଲେବାନନ୍‌ର ସେହିସବୁ ସ୍ଥାନ ଉପରେ ଆକ୍ରମଣ କରିଛି । ଅଳ୍ପ କେତେ ବର୍ଷ ପୂର୍ବେ ଠିକ୍‌ ସେହି କାରଣ ଦର୍ଶାଇ ଇସ୍ରାଏଲ ତରଫରୁ ସିରିଆ ଏବଂ ଜର୍ଡ଼ାନ ଉପରେ ମଧ୍ୟ ଆକ୍ରମଣ ହେଉଥିଲା । ଏହିପରି ଏକ ଅବସରର ପରିପୂର୍ଣ୍ଣ ସଦୁପଯୋଗ କରି ଇସ୍ରାଏଲ ପଡ଼ୋଶୀ ଆରବ ଦେଶଗୁଡ଼ିକ ଆଗରେ ଆପଣା ଶକ୍ତିଶାଳିତା ପ୍ରଦର୍ଶନ କରୁଥିଲା । ଏହି ଆକ୍ରମଣଗୁଡ଼ିକୁ ଇସ୍ରାଏଲ ପ୍ରତିଶୋଧାତ୍ମକ ଆକ୍ରମଣ ବୋଲି କହିବାରେ ଲାଗିଥିଲା ।

 

ରୋଡ଼େସିଆର ଇଆନ ସ୍ମିଥ୍‌ ଇସ୍ରାଏଲ ପଦ୍ଧତି ଅନୁସରଣ କରି ମୋଜାମ୍ବିକ ଉପରେ ଆପଣାର ଆକ୍ରମଣଦ୍ୱାରା ସେହିପରି ଆପଣା ଶକ୍ତିଶାଳିତାର ପ୍ରଦର୍ଶନ କରୁଥିବା ଜଣାଯାଏ । ଏହି ଶକ୍ତିପ୍ରଦର୍ଶନଦ୍ୱାରା ସିଏ ଜେନେଭା ସମ୍ମିଳନୀର କଥାବାର୍ତ୍ତା ତଥା ମୀମୀଂସାଗୁଡ଼ାକୁ କୌଣସି ପ୍ରକାରେ ପ୍ରଭାବିତ କରିବା ପାଇଁ ଆଉ ଇଚ୍ଛା କରୁଛନ୍ତି କି ? ଯେଉଁ ବ୍ୟାପାରଟିକୁ ସିଏ ରୋଡ଼େସିଆର ଏକ ଆଭ୍ୟନ୍ତରୀଣ ସମସ୍ୟା ବୋଲି ଭାବୁଛନ୍ତି, ମୋଜାମ୍ବିକ, ଜାମ୍ବିଆ ଓ ଟାଞ୍ଜାନିଆ ପ୍ରଭୃତି ପଡ଼ୋଶୀ କୃଷ୍ଣରାଷ୍ଟ୍ରମାନେ ସେଇଟି ଉପରେ ହସ୍ତକ୍ଷେପ କରିବାର ଜିଦ୍‌ଗୁଡ଼ାକୁ ନ ଛାଡ଼ିଲେ ରୋଡ଼େସିଆ ଯେ କିପରି କଠୋର ଭାବରେ ପ୍ରତିଶୋଧ ନେବ, ସମ୍ପୃକ୍ତ ଦେଶଗୁଡ଼ିକୁ ଇଆନ୍‌ ସ୍ମିଥ୍‌ କ’ଣ ସେହି କଥାଟି ଦେଖାଇ ଦେବାକୁ ଚାହାଁନ୍ତି ? ଏହିପରି ଭାବରେ ଏହି କଥାଟିକୁ ନେଇ ଆମେ ନାନା ଅନୁମାନ କରିପାରିବା ସତ, ତଥାପି ଗୋଟିଏ କଥା ଆମ ଆଗରେ ଅତ୍ୟନ୍ତ ନିଶ୍ଚିତ ଭାବରେ ସ୍ପଷ୍ଟ ହୋଇଯିବା ଉଚିତ । ମୋଜାମ୍ବିକ୍‌ ଉପରେ ବିଧିବଦ୍ଧ ଆକ୍ରମଣ ଆରମ୍ଭ କରି ଇଆନ୍‌ ସ୍ମିଥ୍‌ ହୁଏତ ସ୍ୱୟଂ ପ୍ରମାଣ କରି ଦେଉଛନ୍ତି ଯେ ଦକ୍ଷିଣ ଆଫ୍ରିକାର ବର୍ଣ୍ଣଭେଦ ଏବଂ ବର୍ଣ୍ଣଦ୍ୱେଷର ସମସ୍ୟାଟି କେବେହେଲେ ସମ୍ପୃକ୍ତ ମାତ୍ର କେତୋଟି ଦେଶର ସମସ୍ୟା ନୁହେଁ, ତାହା ହେଉଛି ସମଗ୍ର ଆଫ୍ରିକା ମହାଦେଶର ସମସ୍ୟା । ପୃଥିବୀ ସାରା ଯେଉଁମାନେ ମଣିଷକୁ ମୂଳତଃ ମଣିଷ ବୋଲି ଗ୍ରହଣ କରନ୍ତି, ମଣିଷକୁ ତା’ର ଦେହର ରଙ୍ଗଟା ଅନୁସାରେ ବଡ଼ ଅଥବା ସାନ ବୋଲି ବିଚାର କରୁଥିବା ଅନ୍ୟମାନଙ୍କ ବିରୁଦ୍ଧରେ ସେମାନଙ୍କ ଯେଉଁ ଯୁଦ୍ଧଟି ଯୁକ୍ତରାଜ୍ୟ ଆମେରିକାର ପ୍ରାୟ ଆବ୍ରାହାମ୍‌ ଲିଙ୍କନ୍‌ଙ୍କ ଅମଳରୁ ଘୋଷିତ ହୋଇ ଆସିଛି, ଏହା ହେଉଛି ସେହି ଯୁଦ୍ଧଟିର ସମସ୍ୟା । ଏବେ ମଧ୍ୟ ସେହି ସମସ୍ୟାର ପୂର୍ଣ୍ଣ ସମାଧାନ ହୋଇନାହିଁ । ଲିଙ୍କନ୍‌ଙ୍କ ଅମଳ ତୁଳନାରେ ଯେ ବର୍ତ୍ତମାନ ହୁଏତ ଅଧିକ ଜଟିଳ ହୋଇ ପଡ଼ିଛି । ପୃଥିବୀରୁ ଫାଇଦା ଉଠାଉଥିବା ନାନାବିଧ ଅର୍ଥନୈତିକ, ବାଣିଜ୍ୟିକ ଏବଂ ରାଜନୀତିକ ସ୍ୱାର୍ଥ ଏକାଠି ମିଶି ତାହାକୁ ଅଧିକ ଜଟିଳ କରିପକାଇଛନ୍ତି । ଇଆନ୍‌ ସ୍ମିଥ୍‌ ସେହି ସମସ୍ୟାଟିର କେବଳ ଏକ ସ୍ଥାନୀୟ ପ୍ରତିନିଧିତ୍ୱହିଁ କରିବାରେ ଲାଗିଛନ୍ତି ।

ତା ୪.୧୨.୧୯୭୬ ରିଖ

Image

 

ମୁକ୍ତ ବିଶ୍ୱବିଦ୍ୟାଳୟ

 

ଗ୍ରେଟ୍‌ବ୍ରିଟେନର ରାଜଧାନୀ ଲଣ୍ଡନ ସହରର ଉପକଣ୍ଠରେ ଏବେ ଏପରି ଗୋଟିଏ ବିଶ୍ୱବିଦ୍ୟାଳୟ କାର୍ଯ୍ୟ କରୁଛି, ଯାହାକୁ କି ସେମାନେ ମୁକ୍ତ ବିଶ୍ୱବିଦ୍ୟାଳୟ ବୋଲି କହୁଛନ୍ତି । ଏପର୍ଯ୍ୟନ୍ତ ସର୍ବମୋଟ ପ୍ରାୟ ଏକଲକ୍ଷ ତିରିଶି ହଜାର ଛାତ୍ର ଏହି ବିଶ୍ୱବିଦ୍ୟାଳୟରୁ ଶିକ୍ଷାଲାଭ କରିଛନ୍ତି । ଏକୋଇଶି ବର୍ଷ ବୟସ ଅତିକ୍ରମ କରିଥିବା ଯେ କୌଣସି ଯୁବକ ବା ଯୁବତୀ ଏହି ବିଶ୍ୱବିଦ୍ୟାଳୟରେ ବିଦ୍ୟାର୍ଥୀରୂପେ ଯୋଗଦେଇ ପାରିବେ ବୋଲି ବ୍ୟବସ୍ଥା ରହିଛି । ଏବର୍ଷ ଏଥିରେ ଯୋଗଦେବା ଲାଗି ବିଭିନ୍ନ ସ୍ଥାନରୁ ପ୍ରାୟ ୫୭ ହଜାର ଦରଖାସ୍ତ ଆସି ପହଞ୍ଚିଥିଲା ଏବଂ ସେଥିରୁ ପ୍ରାୟ ସତର ହଜାର ଜଣକୁ ଛାତ୍ରରୂପେ ଗ୍ରହଣ କରାଗଲା । ଉଲ୍ଲେଖ ରହିବା ଉଚିତ ଯେ, ବ୍ରିଟେନ୍‌ର ସରକାରହିଁ ଏହି ବିଶ୍ୱବିଦ୍ୟାଳୟର ଅଧିକାଂଶ ଖର୍ଚ୍ଚ ବହନ କରୁଛନ୍ତି ।

 

ଏହି ବିଶ୍ୱବିଦ୍ୟାଳୟରେ ପ୍ରବେଶ କରିବା ସକାଶେ କୌଣସି ଶିକ୍ଷାଗତ ଯୋଗ୍ୟତାକୁ ଅନିବାର୍ଯ୍ୟ କରି ରଖାଯାଇନାହିଁ । ଅମୁକ ପରୀକ୍ଷାରେ ଏତେ ବାଟ ଉତ୍ତୀର୍ଣ୍ଣ ହୋଇଥିଲେ ଯାଇ ଯେ ଜଣେ ବିଶ୍ୱବିଦ୍ୟାଳୟ ସ୍ତରରେ ଶିକ୍ଷାର ଅଧିକାରୀ ହୋଇପାରିବ, ଏ କ୍ଷେତ୍ରରେ ସେଭଳି କୌଣସି ପ୍ରତିବନ୍ଧକ ରଖାଯାଇ ନାହିଁ । ପୃଥିବୀର ଅନ୍ୟାନ୍ୟ ବିଶ୍ୱବିଦ୍ୟାଳୟରେ ସାଧାରଣତଃ ଏପରି ହୁଏନାହିଁ । ଅମୁକ ପାସ୍‌ କରିପାରିଲେ ଯାଇ ଅମୁକଠାରେ ପଢ଼ିପାରିବ, ସର୍ବତ୍ର ପ୍ରାୟ ଏହିପରି ବ୍ୟବସ୍ଥା ରହିଥାଏ । ନାନାବିଧ କାରଣରୁ ସମସ୍ତେ ସେହି ବିଧିବଦ୍ଧ ମାର୍ଗଟିରେ ଯାଇପାରନ୍ତି ନାହିଁ । ତେଣୁ, ଯେତେ ଆଗ୍ରହ ଥିଲେ ମଧ୍ୟ ସେମାନେ ବିଶ୍ୱବିଦ୍ୟାଳୟ ମଧ୍ୟରେ ପ୍ରବେଶ କରିପାରନ୍ତି ନାହିଁ-

 

ଆମ ଦେଶରେ ମଧ୍ୟ ବିଶ୍ୱବିଦ୍ୟାଳୟମାନ ରହିଛି । ଏଗୁଡ଼ିକୁ ଉଚ୍ଚଶିକ୍ଷାର ଆସ୍ଥାନ ବୋଲି କୁହାଯାଇଥାଏ । ଏଠାରେ ଆଧୁନିକ ଜଗତର ନାନା ଜ୍ଞାନ ଓ ବିଜ୍ଞାନ ବିଷୟରେ ଅଧ୍ୟାପନା କରାଯିବାର ବ୍ୟବସ୍ଥା ଥାଏ । ଆମ ଦେଶରେ ସବୁ ଯୁବକ ଓ ଯୁବତୀ ଏହିସବୁ ବିଶ୍ୱବିଦ୍ୟାଳୟ ମଧ୍ୟରେ ପ୍ରବେଶ କରି ପାରନ୍ତି ନାହିଁ । ଆଗ୍ରହ ରହିଥିବା ପ୍ରତ୍ୟେକ ବ୍ୟକ୍ତି ଅର୍ଥାତ୍‌ ଜିଜ୍ଞାସୁମାତ୍ରେ ସମସ୍ତେ ଯେ ବିଶ୍ୱବିଦ୍ୟାଳୟରେ ଦିଆ ଯାଉଥିବା ଶିକ୍ଷାଦ୍ୱାରା ଉପକୃତ ହୋଇ ପାରିବେ, ସେକଥା ଆଦୌ ନୁହେଁ । ଅଥବା, କଥାଟିକୁ ଅନ୍ୟପ୍ରକାରେ କହିଲେ, ବିଶ୍ୱବିଦ୍ୟାଳୟ ମଧ୍ୟରେ ଅଧ୍ୟୟନ କରୁଥିବା ସମସ୍ତଙ୍କ ମଧ୍ୟରେ ଯେ ଅଧୀତ ବିଷୟ ବା ବିଷୟଗୁଡ଼ିକ ପ୍ରତି ଆବଶ୍ୟକ ଆଗ୍ରହ ରହିଥାଏ, ସେକଥା ମଧ୍ୟ ଆଦୌ ନୁହେଁ । ପ୍ରଧାନତଃ ଶିକ୍ଷାରୁ ବଞ୍ଚିତ ହୋଇ ରହିଥିବା ଗୋଟାଏ ବଡ଼ ସମାଜ ଭିତରେ ନାନା କୌଶଳ କରି ମୁଷ୍ଟିମେୟ କେତେକ ଲୋକଙ୍କୁ ଉଚ୍ଚଶିକ୍ଷାର ସୁଯୋଗ ଦିଆ ଯାଉଥିଲେ ଗୋଟାଏ ଦେଶକୁ ଯେଉଁ ଦୁରବସ୍ଥାଗୁଡ଼ାକ ଭୋଗିବାକୁ ହୁଏ ଏବଂ ଯେଉଁ ବର୍ବରତାଗୁଡ଼ାକୁ ଆଦରି ନେବାକୁ ହୁଏ, ଆମ ଦେଶରେ ଅଧିକାଂଶତଃ ତାହାହିଁ ହୋଇଥାଏ ।

 

ଆମ ଦେଶର ଅଧିକରୁ ଅଧିକ ମଣିଷ ଯେପରି ଯାବତୀୟ ଉଚ୍ଚଶିକ୍ଷା ଏବଂ ଉଚ୍ଚସ୍ତରୀୟ ଜ୍ଞାନ ଓ ବିଜ୍ଞାନଦ୍ୱାରା ଉପକୃତ ହେବାରୁ ବଞ୍ଚିତ ହୋଇ ରହିବେ, ଆମ ଦେଶର ବିଶ୍ୱବିଦ୍ୟାଳୟ ସ୍ତରର ଶିକ୍ଷାକ୍ଷେତ୍ର ଗୁଡ଼ାକରେ ସତେଅବା ସେହିଭଳି ଗୋଟାଏ ଷଡ଼ଯନ୍ତ୍ର ଚାଲିଥିବାପରିହିଁ ମନେ ହୋଇଥାଏ । ଯେଉଁଭଳି ଏକ ସମାଜ-ବ୍ୟବସ୍ଥାରେ ଅଧିକାଂଶ ମଣିଷ ଯାବତୀୟ ସୁଯୋଗରୁ ବଞ୍ଚିତ ହୋଇ ରହିବେ, ସେହିଭଳି ଏକ ଅବ୍ୟବସ୍ଥାକୁ ଦୃଢ଼ ସ୍ୱୀକୃତି ଦେଇ ରଖିବା ସକାଶେ ଆମର ଉଚ୍ଚଶିକ୍ଷିତ ଅଳ୍ପସଂଖ୍ୟକମାନଙ୍କୁ ତାଲିମ ଦେବାଲାଗିହିଁ ସତେଅବା ଆମଦେଶରେ ଏହି ବିଶ୍ୱବିଦ୍ୟାଳୟ ଗୁଡ଼ାକର ଭିଆଣ ହୋଇଥିବା ପରି ମନେହୁଏ । ଏପରିକି, ଆମ ଦେଶରେ ଶହେରେ ଅଠାନବେ ଜଣ ମଣିଷ ଯେଉଁ ଭାଷାକୁ ବୁଝନ୍ତି ନାହିଁ, ଆମ ବିଶ୍ୱବିଦ୍ୟାଳୟମାନଙ୍କରେ ସେହି ଭାଷାକୁହିଁ ଶିକ୍ଷାର ମାଧ୍ୟମରୂପେ ଗ୍ରହଣ କରାଯାଇଥାଏ । ସେହି ମାଧ୍ୟମଟାକୁହିଁ ଆମର ଶିକ୍ଷିତମାନେ କାଳକ୍ରମେ ନିଜକୁ ଶିକ୍ଷିତ ବୋଲି ଚିହ୍ନାଦେଇ ପାରିବାର ସତେଅବା ଏକ ସନ୍ତକରୂପେ ଗ୍ରହଣ କରିନିଅନ୍ତି । ଦେଶରେ ଶତକଡ଼ା ଅଠାନବେ ଜଣ ମଣିଷ ଯେଉଁ ଭାଷାକୁ ବୁଝନ୍ତି, ସେମାନେ ଆପଣାର ଅଧୀତ ବିଷୟଗୁଡ଼ିକ ସେହି ଭାଷାରେ ପରିବେଷଣ ଓ ବିତରଣକରି ପାରିବା କ୍ଷେତ୍ରରେ ଏକାନ୍ତ ଅସମର୍ଥ ହୋଇରହିଥାନ୍ତି, ସେହି ଅସମର୍ଥତାକୁ ଏକ ସ୍ୱାଭାବିକ କଥା ବୋଲି ଧରିନିଅନ୍ତି ଓ ଏଭଳି ଏକ ସ୍ଥିତିଦ୍ୱାରା ଗୋଟାଏ ଦେଶରେ ମଣିଷ ମଣିଷ ଭିତରେ ଯେଉଁସବୁ ଦୂରତା ଅତ୍ୟନ୍ତ ନିର୍ମମ ଭାବରେ ଆପଣାକୁ ପ୍ରତିଷ୍ଠିତ କରି ରଖିଥାଏ, ସେମାନେ ସେଗୁଡ଼ାକୁ ମଧ୍ୟ ଅତ୍ୟନ୍ତ ସ୍ୱାଭାବିକ ବୋଲି ଗ୍ରହଣ କରି ନେଇଥାନ୍ତି । ଏହିସବୁ କାରଣରୁ ଆମ ବିଶ୍ୱବିଦ୍ୟାଳୟ ଓ ସେଠାରୁ ଉଚ୍ଚଶିକ୍ଷା ଲାଭ କରୁଥିବା ଭାଗ୍ୟବାନ୍‌ମାନେ ଏହି ଦେଶରେ ଥାଇ ମଧ୍ୟ ତଥାପି ଗୋଟିଏ ଗୋଟିଏ ବିଚ୍ଛିନ୍ନ ଦ୍ୱୀପ ପରି ହୋଇ ରହିଯାଆନ୍ତି ।

 

ଆମ ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ାକୁ ମୁକ୍ତ ବିଶ୍ୱବିଦ୍ୟାଳୟ ବୋଲି ନକହି ବରଂ ଗୋଟିଏ ଗୋଟିଏ ଅତି ସୁରକ୍ଷିତ ଦୁର୍ଗ ବୋଲି କୁହାଯାଇ ପାରିବ । ଆମେ ତଥାକଥିତ ଉଚ୍ଚଶିକ୍ଷିତମାନେହିଁ ଏକ ମୁକ୍ତ ଘରକୁ ବସ୍ତୁତଃ ଏକ ଦୁର୍ଗରେ ପରିଣତ କରି ରଖିଛୁ । ଆମ ଦେଶର ଯଥାସମ୍ଭବ ଅଧିକ ମଣିଷଙ୍କୁ ସେହି ଦୁର୍ଗଟି ଭିତରୁ ବହିଷ୍କୃତ ହୋଇ ରଖିବାର ବ୍ୟବସ୍ଥା କରିଛୁ । ଆମରି ଚକ୍ରାନ୍ତଗୁଡ଼ାକୁ ଅମର କରି ରଖିବା ମତଲବରେ ଆମେ ଯାବତୀୟ ଜ୍ଞାନ ତଥା ବିଜ୍ଞାନକୁ କେବଳ କେତେ ଜଣଙ୍କର ସିନ୍ଦୂକଧନ କରି ରଖିଛୁ । ବିଦ୍ୟାକୁ ଯଥାର୍ଥ ଆଗ୍ରହ ସହିତ ନଯୋଡ଼ି ଆମେ ତାକୁ ଧନ ସହିତ ଏବଂ କ୍ଷମତା ସହିତ ଏବଂ ପ୍ରାୟ ସଚରାଚର ନାନା ନ୍ୟସ୍ତସ୍ୱାର୍ଥ ସହିତ ଯୋଡ଼ିକରି ରଖିଛୁ ।

 

ମୁକ୍ତ ବିଶ୍ୱବିଦ୍ୟାଳୟ ସ୍ତରକୁ ଆସିବାଲାଗି ଆମକୁ ବେଶ୍ କିଛି ସମୟ ଲାଗିବ । ମାତ୍ର ଏଥିଲାଗି ଯେଉଁ ଅନ୍ୟପ୍ରକାର ଦୃଷ୍ଟିକୋଣଟି ସବାଆଗ ଦରକାର, ସେହି ଦୃଷ୍ଟିକୋଣଟି ଆମ ସମସ୍ତଙ୍କଠାରେ ସମ୍ଭବ ହୋଇପାରିଲେ ଯାଇ ଏହି କ୍ଷେତ୍ରରେ ଆଉ ସବୁକିଛି ସମ୍ଭବ ହୋଇ ପାରିବ-

ତା ୬.୧୨.୧୯୭୬ ରିଖ

Image

 

ଗ୍ରାମାଞ୍ଚଳର ଗରିବ

 

ଭାରତବର୍ଷ ହେଉଛି ଗୋଟିଏ ଗ୍ରାମପ୍ରଧାନ ଦେଶ । ଅସଲ ଭାରତବର୍ଷ ତା’ର ଗ୍ରାମଗୁଡ଼ିକରେ ରହିଛି ବୋଲି ମହାତ୍ମା ଗାନ୍ଧୀ ଅନେକ ସମୟରେ କହୁଥିଲେ । ଭାରତବର୍ଷର ଗ୍ରାମଗୁଡ଼ିକୁ ସୁଗଠିତ, ସୁନ୍ଦର ଓ ସୁଦୀପ୍ତ କରି ସମଗ୍ର ଭାରତବର୍ଷକୁ ଏକ ନୂତନ ଅନୁପ୍ରେରଣାରେ ଗଠନ କରିବା ସକାଶେ ଗାନ୍ଧିଜୀଙ୍କର ଏକ ସୁନିର୍ଦ୍ଦିଷ୍ଟ କଳ୍ପନା ସର୍ବଦା ରହି ଆସିଥିଲା । ଭାରତବର୍ଷ ଗାନ୍ଧିଜୀଙ୍କର ସେନାପତିତ୍ୱରେ ସ୍ୱାଧୀନତା ହାସଲ କଲା । ଏହାକୁ ଆମେ ରାଜନୀତିକ ସ୍ୱାଧୀନତା ବୋଲି କହିବା । ରାଜନୀତିକ ବିପ୍ଳବଟି ସମ୍ପୂର୍ଣ୍ଣ ହେବା ପରେ ଆମ ଦେଶରେ ଅସଲ ବିପ୍ଳବଟି ଅର୍ଥାତ୍‌ ସାମାଜିକ ବିପ୍ଳବଟି ଆରମ୍ଭ ହେବ ବୋଲି ଗାନ୍ଧିଜୀ ଆମକୁ ସୂଚନା ଦେଇ ଯାଇଥିଲେ । ମାତ୍ର ଅତ୍ୟନ୍ତ ସତ କଥା ଯେ ସ୍ୱାଧୀନତାର ତିରିଶ ବର୍ଷ ପରେ ଆଜି ମଧ୍ୟ ଭାରତବର୍ଷରେ ସେହି ସାମାଜିକ ବିପ୍ଳବର କୌଣସି ସମଗ୍ର କାର୍ଯ୍ୟକ୍ରମ ନିର୍ଦ୍ଦିଷ୍ଟ ଭାବରେ କାର୍ଯ୍ୟାନ୍ୱିତ ହୋଇନାହିଁ । ଗ୍ରାମାଞ୍ଚଳଗୁଡ଼ିକୁ ପ୍ରଧାନତଃ ଅବହେଳିତ କରି ରଖାଯାଇଛି । ଯେଉଁମାନେ ଦେଶକୁ ଆହାର ଯୋଗାଇ ଦେଉଛନ୍ତି ଓ ଯେଉଁମାନେ ଜାତୀୟ ସମଗ୍ର ଜନସଂଖ୍ୟାର ଶତକଡ଼ା ଅଶୀଭାଗ ହୋଇ ରହିଛନ୍ତି, ସେମାନଙ୍କୁ ନାନାପ୍ରକାରେ ଓ ପ୍ରାଚୀନ, ପାରମ୍ପରିକ ତଥା ଆଧୁନିକ ନାନା କୌଶଳରେ ଶୋଷଣହିଁ କରାଯିବାରେ ଲାଗିଛି ।

 

ପାରମ୍ପରିକ ଏକ ସାମନ୍ତବାଦୀ ସମାଜର ନାନା କ୍ରୂରତା ଓ କୁସଂସ୍କାରଠାରୁ ଆରମ୍ଭ କରି ଆଧୁନିକ ଶିକ୍ଷିତତା ଓ ଅର୍ଥକାରିତା ପର୍ଯ୍ୟନ୍ତ ସବୁକିଛି ଭାରତବର୍ଷର ଗ୍ରାମଗୁଡ଼ିକୁ ପ୍ରଧାନତଃ ଶୋଷଣହିଁ କରିବାରେ ଲାଗିଛନ୍ତି । ଭାରତ ସରକାରଙ୍କଦ୍ୱାରା ଗତ ଦଶନ୍ଧିରେ ନିଯୁକ୍ତ ହୋଇଥିବା ଏକ ଅନୁସନ୍ଧାନକାରୀ କମିଟିର ସଂଗୃହୀତ ତଥ୍ୟଗୁଡ଼ିକ ଅନୁସାରେ ଭାରତବର୍ଷର ମୋଟ ଜନସଂଖ୍ୟାର ଛଅଭାଗରୁ ଭାଗେ ମଣିଷ ଜାତୀୟ ଉନ୍ନୟନମୂଳକ କୌଣସି କାର୍ଯ୍ୟଦ୍ୱାରା ମୋଟେ ଉପକୃତ ହୋଇପାରି ନାହାନ୍ତି । କହିବା ବାହୁଲ୍ୟ ଯେ, ଏହି ଜନଭାଗର ଶତକଡ଼ା ପ୍ରାୟ ଅନେଶ୍ୱତ ଅଂଶ ଗ୍ରାମାଞ୍ଚଳରେହିଁ ବାସ କରୁଛନ୍ତି । ଭାରତବର୍ଷ ତା’ର ଗ୍ରାମଗୁଡ଼ିକୁ ଉପେକ୍ଷା କରି ପ୍ରକୃତରେ ଆଦୌ କୌଣସି ଅଗ୍ରଗତି କରି ପାରିବ କି ? ଦେଶର ଯାବତୀୟ ନିର୍ବାହ ବିଷୟରେ ମୁଣ୍ଡ ଖେଳାଉଥିବା ଚିନ୍ତାଶୀଳ ବ୍ୟକ୍ତିମାନେ ବର୍ତ୍ତମାନ ସେହି ବିଷୟରେ ଚିନ୍ତା କରିବାକୁ ଲାଗିଲେଣି ।

 

ଭାରତବର୍ଷର ଅନେକ ଗ୍ରାମକୁ ରାସ୍ତା ନାହିଁ । ଅନେକ ଗାଆଁରେ ସ୍କୁଲ ନାହିଁ ଏବଂ ସ୍କୁଲ ବୋଲି ଯାହା କିଛି ଯେଉଁଠି ରହିଛି, ସେଠାରେ ତାହାକୁ ସ୍କୁଲ ବୋଲି ମୋଟେ କୁହାଯାଇ ପାରିବ ନାହିଁ । ନାନା ମାନବିକ ଅସହାୟତାର ଏକ ଗୁହାଳ ବୋଲି ସମ୍ଭବତଃ ଅଧିକ ଯୁକ୍ତିର ସହିତ କୁହାଯାଇ ପାରିବ । ଭାରତବର୍ଷରେ ମନୁଷ୍ୟ-ସଭ୍ୟତାର ଏହି ପର୍ଯ୍ୟାୟରେ ଏପରି ଅନେକ ଗ୍ରାମ ରହିଛି, ଯେଉଁଠାରେ କି ଅଧିକସଂଖ୍ୟକ ମଣିଷଙ୍କୁ ପାନୀୟ ଜଳ ମଧ୍ୟ ଉପଲବ୍‌ଧ ହୋଇ ପାରିନାହିଁ-। ଆମ ଦେଶର ଗାଆଁରେ ରୋଗ ଅଛି, ମାତ୍ର ଡାକ୍ତରଖାନା ନାହିଁ । ଦେଶର ପ୍ରଶିକ୍ଷିତ ଅଧିକାଂଶ ଡାକ୍ତର ସାଧାରଣତଃ ସହରଗୁଡ଼ାକରେହିଁ ରହିବାକୁ ଇଚ୍ଛା କରୁଛନ୍ତି । ଗ୍ରାମ-ପ୍ରଶାସନ ଏବଂ ଗ୍ରାମ-ଉନ୍ନୟନରେ ରାଷ୍ଟ୍ର ତରଫରୁ ଯେଉଁମାନଙ୍କୁ ନାନା ବିଭାଗରେ ଓ ନାନା ସୋପାନରେ ନିଯୁକ୍ତ କରି ରଖାଯାଇଛି, ସେମାନେ ମଜ୍ଜାଗତ ଏବଂ ଶ୍ରଦ୍ଧାଗତ ଭାବରେ ଏପରି ଗ୍ରାମବିମୁଖ ହୋଇ ରହିଥାନ୍ତି ଯେ, ଅଧିକାଂଶ ସ୍ଥଳରେ ଗାଆଁ ଗୁଡ଼ାକର ପ୍ରାୟ କିଛିହେଲେ କରିପାରନ୍ତି ନାହିଁ । ଏବଂ, ଶିକ୍ଷା ନାମରେ ଆମେ ଆମ ଦେଶରେ ମଣିଷ ପ୍ରତି ମୂଳତଃ ଅଶ୍ରଦ୍ଧା ପ୍ରଦର୍ଶନ କରି କେତେଗୁଡ଼ାଏ ଆତ୍ମସ୍ୱାର୍ଥୀ ଆଗ୍ରହ ଆଡ଼କୁ ଅତିରିକ୍ତ ଲୋଲୁପତା ବଢ଼ାଇ ଯାହା କିଛି ଚଳାଉଛୁ, ସେଇଟା ମଧ୍ୟ ଗ୍ରାମର ତରୁଣମାନଙ୍କୁ ଗ୍ରାମରୁ ବାହାର କରାଇ ଆଣିବାରେହିଁ ଅଧିକ ସମର୍ଥ ହୋଇଛି । ଫଳତଃ ଗ୍ରାମ ଗୁଡ଼ାକୁ ଆମ ଦେଶରେ ଅତ୍ୟନ୍ତ ଅସ୍ୱାଭାବିକ ଏବଂ ବିକୃତିଯୁକ୍ତ ଭାବରେ ବୃଦ୍ଧିପାଉଥିବା ସହରଗୁଡ଼ାକର ସମସ୍ୟାରହିଁ ଅଗତ୍ୟା ଶିକାର ହୋଇ ରହିବାକୁ ପଡ଼ୁଛି ।

 

ଗୋତି-ଶ୍ରମିକ ପ୍ରଥାର ଉଚ୍ଛେଦ କରିବା ଲାଗି ଆମ ଦେଶରେ ଏବେ ଏକ ନୂତନ ସାହସିକ ପଦକ୍ଷେପରୂପେ ଯେଉଁସବୁ ଆଇନ ପ୍ରଣୟନ କରାଯାଇଛି, ତାହାର କାର୍ଯ୍ୟକାରିତା ସମ୍ବନ୍ଧରେ ଆୟୋଜିତ ଏକ ଆଲୋଚନାଚକ୍ରରେ ରାଜଧାନୀ ଦିଲ୍ଲୀଠାରେ ଗ୍ରାମାଞ୍ଚଳର ଗରିବ ଲୋକଙ୍କ ମଧ୍ୟରେ ଉପଯୁକ୍ତ ନେତୃତ୍ୱଭାବର ସୃଷ୍ଟି କରିବା ଲାଗି ବ୍ଲକ୍ ସ୍ତରରେ ଗ୍ରାମ୍ୟ ଶିବିରମାନ ଆୟୋଜନ କରାଯିବା ଉଚିତ ବୋଲି ମତ ପ୍ରକାଶ କରାଯାଇଛି । ଏହା ଗୋଟିଏ ସ୍ୱାଗତଯୋଗ୍ୟ କଥା ଏବଂ ଏହାକୁ କାର୍ଯ୍ୟକାରୀ କରାଗଲେ ଗ୍ରାମାଞ୍ଚଳର ଜନଗଣଙ୍କୁ ଏକ ନୂତନ ପୁରୋଦୃଷ୍ଟି ଯୋଗାଇ ଦେବାରେ ତାହା ଯେ ପ୍ରାୟ ଏକ ବୈପ୍ଳବିକ ଆଭିମୁଖ୍ୟ ସୃଷ୍ଟି କରିବାରେ ସହାୟତା କରିବ, ସେଥିରେ କୌଣସି ସନ୍ଦେହ ନାହିଁ । କିନ୍ତୁ ଗ୍ରାମାଞ୍ଚଳ ଲାଗି କରାଯାଇଥିବା ଅନେକ ସାହସିକ ଯୋଜନା ଯଥାର୍ଥ ନେତୃତ୍ୱର ଅଭାବ ହେତୁ ଯେପରି ପ୍ରାୟ ଫୁସ୍‌କି ଯାଇଛି ଓ ଗ୍ରାମାଞ୍ଚଳର ଅଧିକ ସେବାହିଁ କରିଛି, ସେହି ଦୃଷ୍ଟିରୁ ଅନେକ ସାବଧାନତା ସହିତ ଏହି ଦିଗରେ ଅଗ୍ରସର ହେବାକୁ ପଡ଼ିବ । ତେଣୁ କଳ୍ପିତ ଉକ୍ତ ଶିବିରଗୁଡ଼ିକର ବ୍ୟବସ୍ଥା କରାଇବା ସମୟରେ ଖୁବ୍ ସାବଧାନତା ସହିତ ଲୋକ ବଛାଯିବା ଉଚିତ ବୋଲି ଆଲୋଚନାଚକ୍ରରେ ଯେଉଁ ସତର୍କତା ପ୍ରକଟ କରାଯାଇଛି, ତାହାକୁ ଅବଶ୍ୟ ଯଥାର୍ଥ ବୋଲି କୁହାଯିବ ।

 

ଏହିସବୁ ନେତୃତ୍ୱ କିଏ ଦେବ ? ଏହିସବୁ ଶିବିରର ପରିଚାଳନା କିଏ କରିବ ? ଯିଏ ଜଣେ ଚାକିରିଆ ହିସାବରେ ଏସବୁ କାମ କରିବାକୁ ଯିବ, ସିଏ ଯେଡ଼େ ବଡ଼ ହାକିମ ଅଥବା ଯେଡ଼େ ତଳସ୍ତରର ଆଜ୍ଞାକାରୀ ହୋଇଥାଉ ପଛକେ, ତା’ଦ୍ୱାରା ଏହି କାର୍ଯ୍ୟଟି ଉଚିତ ବିଧାନରେ ସମ୍ଭବ ହୋଇ ପାରିବ କି ? ଯିଏ ଗାଆଁକୁ ଘୃଣା କରୁଥିବ, ଗାଆଁ ଗୁଡ଼ାକରେ ପ୍ରକୃତରେ କିଛି ସମ୍ଭବ ବୋଲି ଯାହାଠାରେ କୌଣସି ଅନ୍ତର୍ଗତ ବିଶ୍ୱାସ ନଥିବ, ସିଏ ଏକଥା କରିପାରିବ କି ? ସର୍ବୋପରି, ଯିଏ ସ୍ୱୟଂ ଗ୍ରାମବାସୀଙ୍କୁ ଘୃଣା କରୁଥିବ, ଗ୍ରାମରେ କଥିତ ଲୋକଭାଷାରେ କଥା ନ କହିବାକୁ ଯିଏ ଉଚ୍ଚତର ସମ୍ମାନ ବୋଲି ଭ୍ରମ କରୁଥିବ ଓ ମଣିଷ ମଣିଷର ସମ୍ବନ୍ଧଗତ ଯାବତୀୟ କ୍ଷେତ୍ରରେ ଯାହାର ପାଦ ଭୂଇଁରେ ଲାଗିବାକୁ ମୋଟେ ଇଚ୍ଛା କରୁ ନଥିବ, ସିଏ ଗ୍ରାମ-ନେତୃତ୍ୱର କୌଣସି କାର୍ଯ୍ୟକ୍ରମକୁ ଆଦୌ ପ୍ରେରିତ କରି ଆଣିପାରିବ କି ? ଏବଂ ଗ୍ରାମକୁ ଶୋଷଣ କରିବାରେ ଯାହାର ପ୍ରତ୍ୟକ୍ଷ ଅଥବା ପରୋକ୍ଷ କୌଣସି ଭାଗ ରହିଥିବ, ସିଏ ଯେତେ ଶୁଭାକାଙ୍‌କ୍ଷୀ ହେଲେ ମଧ୍ୟ ଏପରି କୌଣସି କ୍ଷେତ୍ରରେ ଉଚିତ ଭୂମିକାଟିକୁ ଗ୍ରହଣ କରିପାରିବ କି-? ଗ୍ରାମାଞ୍ଚଳର ଗରିବଙ୍କ ପାଇଁ କୌଣସି ନେତୃତ୍ୱ ସୃଷ୍ଟି କରିବା ବିଷୟରେ ଚିନ୍ତା କରିବାବେଳେ ଆମକୁ ନିସ୍ପକ୍ଷ ଓ ସୁସ୍ପଷ୍ଟ ଭାବରେ ଏଗୁଡ଼ିକର ଚିନ୍ତା ବି କରିବାକୁ ପଡ଼ିବ ।

ତା ୧୦.୧୨.୧୯୭୬ ରିଖ

Image

 

ଆହ୍ୱାନ କାହାକୁ ?

 

ମହାରାଷ୍ଟ୍ର ରାଜ୍ୟର ପୁନା ସହରରେ ଅବସ୍ଥିତ ଭାରତୀୟ ଶିକ୍ଷା ପ୍ରତିଷ୍ଠାନର ନୂତନ ପରିବର୍ତ୍ତିତ କାର୍ଯ୍ୟକ୍ରମ ଉଦ୍‌ଘାଟନ କରି ଉପରାଷ୍ଟ୍ରପତି ଶ୍ରୀଯୁକ୍ତ ଜତ୍ତି ଆମ ଦେଶରେ ଶିକ୍ଷାର ପ୍ରଚଳିତ ସ୍ଥିତି ଓ ଅଭିଳଷିତ ଅଭିକ୍ରମଗୁଡ଼ିକ ବିଷୟରେ କେତେକ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ କଥା କହିଛନ୍ତି । ଦେଶରେ ବର୍ତ୍ତମାନ ଶିକ୍ଷା ନାମରେ ଯାହା ଚାଲୁଛି, ଅର୍ଥାତ୍ ଭାରତବର୍ଷ ସ୍ୱାଧିନତା ହାସଲ କରିବା ପରେ ଆମର ଏଠି ଯେଉଁ ଶିକ୍ଷା ବ୍ୟବସ୍ଥାଟି କାର୍ଯ୍ୟକାରି ହୋଇ ଆସୁଛି, ତାହା ଅଜ୍ଞାନତା ଅସ୍ୱାସ୍ଥ୍ୟ ଓ ଦାରିଦ୍ର୍ୟ ବିରୁଦ୍ଧରେ ଚାଲିଥିଲା ସଂଗ୍ରାମରେ ବିଜୟ ଲାଭ ପାଇଁ କୌଣସି ସାହାଯ୍ୟ କରିପାରି ନ ଥିବାରୁ ଏହାର ପରିବର୍ତ୍ତନ ଅତ୍ୟାବଶ୍ୟକ ବୋଲି ଉପରାଷ୍ଟ୍ରପତି ଆହ୍ୱାନ ଜଣାଇଛନ୍ତି ।

 

ସେ ଯଥାର୍ଥରେ କହିଛନ୍ତି ଯେ ଆମ ଦେଶର ଶିକ୍ଷା ସ୍ୱାଧୀନ ନୀତି, ସାମ୍ୟ, ନ୍ୟାୟ ଏବଂ ବ୍ୟକ୍ତିତ୍ୱବିକାଶ ଲାଗି ଗୁରୁତ୍ୱ ଦେବା ଉପରେ ପ୍ରତିଷ୍ଠିତ ହେବା ସଙ୍ଗେ ସଙ୍ଗେ ସମାଜକୁ ଧର୍ମନିରପେକ୍ଷତା ଓ ସମାଜବାଦର ଚିନ୍ତାଧାରାରେ ଦୀକ୍ଷିତ କରାଇବା ପାଇଁ ଆଭିମୁଖ୍ୟ ଗ୍ରହଣ କରିବା ଉଚିତ । ଉପରାଷ୍ଟ୍ରପତି ପରାମର୍ଶ ଦେଇ କହିଛନ୍ତି ଯେ ଆମକୁ ଆନୁଷ୍ଠାନିକ ଏବଂ ଅଣଆନୁଷ୍ଠାନିକ ଉଭୟ କ୍ଷେତ୍ରର ଶିକ୍ଷାରେ ଏପରି ଏକ ପରସ୍ପର ସମ୍ବନ୍ଧୀକୃତ ଶିକ୍ଷା ବ୍ୟବସ୍ଥା ଗ୍ରହଣ କରିବାକୁ ପଡ଼ିବ, ଯେପରି କି ଦୁଇଟିଯାକ ବ୍ୟବସ୍ଥା ପରସ୍ପରର ସହାୟକ ଓ ଅନୁପୂରକ ହୋଇ ରହିପାରିବେ । ସିଏ ଦୁଃଖ ପ୍ରକାଶ କରି କହିଛନ୍ତି ଯେ ପ୍ରଚଳିତ ଆନୁଷ୍ଠାନିକ ଶିକ୍ଷା ଏ ପର୍ଯ୍ୟନ୍ତ ଦେଶର ସବୁ ପିଲାଙ୍କୁ ନିମ୍ନତମ ଚାରିବର୍ଷ ପାଇଁ ମଧ୍ୟ ସମାନ ପ୍ରକାରର ଶିକ୍ଷା ବ୍ୟବସ୍ଥା ଯୋଗାଇ ପାରିନାହିଁ । ଅର୍ଥନୈତିକ ଅଭିବୃଦ୍ଧି ଏବଂ ଶିକ୍ଷାର ପ୍ରସାର କ୍ଷେତ୍ରରେ ରହି ଆସିଥିବା ଏବଂ ବର୍ତ୍ତମାନ ମଧ୍ୟ ରହିଥିବା ନାନା ବିଷମତା ହେତୁହିଁ ଏପରି ହୋଇଛି ବୋଲି ଉପରାଷ୍ଟ୍ରପତି ସୂଚାଇ ଦେଇଛନ୍ତି । ଆନୁଷ୍ଠାନିକ ବିଦ୍ୟାଳୟଗୁଡ଼ିକ ଜାତୀୟ ଜନସଂଖ୍ୟାର ଅତି ଅଳ୍ପ ଅଶଂ ମଧ୍ୟରେ ସୀମାବଦ୍ଧ ହୋଇ ରହୁଥିବାରୁ ବହୁସଂଖ୍ୟକ ଶିଶୁ ସେମାନଙ୍କର ଉପଯୁକ୍ତ ବୟସରେ ଶିକ୍ଷାଲାଭ କରିବା ଲାଗି ସମର୍ଥ ହେଉନାହାନ୍ତି । ଦେଶରେ ପ୍ରଚଳିତ ଶିକ୍ଷାପ୍ରଣାଳୀ କାମ ଓ ଶିକ୍ଷା ଦୁହିଁକୁ ଯେ ପରସ୍ପରଠାରୁ ବିଚ୍ଛିନ୍ନ କରି ରଖିଛି, ଶ୍ରୀଯୁକ୍ତ ଜତ୍ତି ତାହାକୁହିଁ ଏହି ପ୍ରଣାଳୀର ସବୁଠାରୁ ବଡ଼ ବିଫଳତା ବୋଲି ଉଲ୍ଲେଖ କରିଛନ୍ତି । କାରଣ ସେହି ପ୍ରଚଳିତ ପ୍ରଣାଳୀଟି ଅନୁସାରେ ଆମର ଏଠି ଯେଉଁମାନେ କାମ କରୁଛନ୍ତି, ସେମାନେ ଶିକ୍ଷା ଗ୍ରହଣ କରିପାରୁ ନାହାନ୍ତି ଏବଂ ଯେଉଁମାନେ ଶିକ୍ଷାଗ୍ରହଣ କରୁଛନ୍ତି, ସେମାନେ କର୍ମ ପ୍ରତି ଯାବତୀୟ ବିମୁଖତା ପ୍ରକାଶ କରୁଛନ୍ତି । ବର୍ତ୍ତମାନ ଆନୁଷ୍ଠାନିକ ଶିକ୍ଷାରେ ଯେଉଁସବୁ କାର୍ଯ୍ୟକ୍ରମ ରହିଛି, ସେଗୁଡ଼ିକ ଅଣଆନୁଷ୍ଠାନିକ ଶିକ୍ଷାରେ ମଧ୍ୟ ପ୍ରୟୋଗ କରିପାରିଲେହିଁ ଆମ ଶିକ୍ଷାକ୍ଷେତ୍ରରେ ଯଥାର୍ଥ ସମତାରକ୍ଷା ସମ୍ଭବ ହୋଇପାରିବ ବୋଲି ଉପରାଷ୍ଟ୍ରପତି ମତ ଦେଇଛନ୍ତି ।

 

ଉପରାଷ୍ଟ୍ରପତିଙ୍କର ଏହି ଭାଷଣଟିକୁ ଆମେ ଅନେକ ପରିମାଣରେ ଗୋଟିଏ ସ୍ୱୀକାରୋକ୍ତି ବୋଲି କହିପାରିବା । ଶ୍ରୀଯୁକ୍ତ ଜତ୍ତି କେବଳ ଜଣେ ବ୍ୟକ୍ତି ଭାବରେ ଏସବୁ କଥା କହିନାହାନ୍ତି; ସିଏ ଆମ ରାଷ୍ଟ୍ରରେ ଯେଉଁ ପଦଟିରେ ପ୍ରତିଷ୍ଠିତ ହୋଇ ରହିଛନ୍ତି, ଏକଥା ଅତ୍ୟନ୍ତ ସତ୍ୟ ଯେ ଦେଶର ଅଧିବାସୀମାନେ ତାଙ୍କର ପ୍ରତ୍ୟେକ କଥାକୁ ସେ ଅଧିକାର କରିଥିବା ସେହି ଆସନଟିର ପରିପ୍ରେକ୍ଷୀରେହିଁ ବିଚାର କରିବାକୁ ଇଚ୍ଛା କରିବେ । ଏହି ଦୃଷ୍ଟିରୁ ତାଙ୍କର ଉକ୍ତ ସ୍ୱୀକାରୋକ୍ତିରୁ ଆମ ସମକ୍ଷରେ ବିବିଧ ଅନେକ ପ୍ରଶ୍ନ ସ୍ୱତଃ ଉତ୍‌ଥାପିତ ହୋଇ ଆସିବ ଏବଂ ଆମେ ସେହି ପ୍ରଶ୍ନଗୁଡ଼ିକର ଉତ୍ତର ପାଇବା ଲାଗି ମଧ୍ୟ ଅବଶ୍ୟ ଏକ ଅପେକ୍ଷା ରଖିବା । ଶ୍ରୀଯୁକ୍ତ ଜତ୍ତି, ଆମ ଦେଶର ଶିକ୍ଷାକ୍ଷେତ୍ରରେ ଅମୁକ ହୋଇ ନାହିଁ ଓ ଅମୁକ ବିଫଳତା ଘଟିଛି ବୋଲି ଯେତେବେଳେ ସ୍ୱୀକାରୋକ୍ତିମାନ କରୁଛନ୍ତି, ଏସବୁ କଥା କାହିଁକି ହୋଇନାହିଁ ଓ କେଉଁସବୁ କାରଣରୁ ବିଫଳତାମାନ ଘଟିଛି, ସିଏ ସେଗୁଡ଼ିକ ମଧ୍ୟ ଆମକୁ କହି ଦେଇ ପାରୁଥାନ୍ତେ ।

 

କାରଣ ଉପରାଷ୍ଟ୍ରପତି ଯେଉଁସବୁ ପ୍ରଶ୍ନର ଉତ୍‌ଥାପନ କରିଛନ୍ତି, ଶିକ୍ଷା ଯଥାର୍ଥରେ କିପରି ହେବା ଉଚିତ, ଏହି ପ୍ରଶ୍ନଗୁଡ଼ିକ ସେହିସବୁ ସଂକ୍ରାନ୍ତରେ ଆଦୌ ନୁହେଁ । ସେଗୁଡ଼ିକ ହେଉଛି, ଯଥାର୍ଥ ଶିକ୍ଷା ବୋଲି ଆମେ ଯାହାକୁ ଜାଣୁଛୁ ଓ ଯାହାକୁ ମାନୁଛୁ, ତାହାକୁ କାର୍ଯ୍ୟକାରୀ କରିବାରେହିଁ ପ୍ରଶ୍ନ । ଆମେ ଯେଉଁଗୁଡ଼ିକୁ ନୀତି ଓ ପଦ୍ଧତି ବୋଲି ଗ୍ରହଣ କରିବା, ସେଗୁଡ଼ିକୁ ପ୍ରକୃତରେ କାର୍ଯ୍ୟକାରୀ କରିବାକୁ ହେଲେ ସେସବୁ ବିଷୟରେ ଆମର ଏକ ଆନ୍ତରିକ ନିର୍ମଳ ବିଶ୍ୱାସ ରହିଥିବା ଦରକାର । ସେହି ବିଶ୍ୱାସଟି ପ୍ରତି ଆମ ଭିତରେ ସକ୍ରିୟ ନିଷ୍ଠା ମଧ୍ୟ ରହିଥିବା ଦରକାର । ତେଣୁ ଉପରାଷ୍ଟ୍ରପତି ଏହିସବୁ ନାନା ଅସମର୍ଥତା ଏବଂ ବିଫଳତାର କଥା ଉଠାଇ ଯେଉଁସବୁ ଆହ୍ୱାନ ଦେଲେ, ଏ ଗୁଡ଼ିକୁ ସେ ପ୍ରକୃତରେ କାହାକୁ ଯେ ଦେଲେ, ଆମ ଆଗରେ ସେହି ପ୍ରଶ୍ନଟି ସ୍ୱତଃ ଉତ୍‌ଥାପିତ ହୋଇ ଯାଉଛି । ଆପଣାର ଭାଷଣରେ ଉପରାଷ୍ଟ୍ରପତି ଯଥାର୍ଥରେ କହିଛନ୍ତି ଯେ ଗତ ପ୍ରାୟ ଦୁଇଶହ ବର୍ଷ ମଧ୍ୟରେ ଶିକ୍ଷାପ୍ରଣାଳୀ କ୍ଷେତ୍ରରେ ବହୁ ପରିବର୍ତ୍ତନ ସାଧିତ ହୋଇଛି । ଏହି ପରିବର୍ତ୍ତନ ବିଶ୍ୱ ସାରା ସାଧିତ ହୋଇଛି । ମାତ୍ର ଶିକ୍ଷାକୁ କାର୍ଯ୍ୟକାରୀ କରିବା କ୍ଷେତ୍ରରେ, ଅର୍ଥାତ୍‌ ଆମର ଯନ୍ତ୍ରଗୁଡ଼ାକରେ ଓ ବିତରଣ-ବ୍ୟବସ୍ଥାଟିରେ ଏପରି ନାନା ଗଲତି ରହିଯାଇଛି ଓ ତାହାର କର୍ଣ୍ଣଧାରମାନଙ୍କ ମଧ୍ୟରେ ଏପରି ଏକ ଅନିଚ୍ଛା ଅତ୍ୟନ୍ତ ଅନମନୀୟ ଓ ଏକାନ୍ତ ବଦ୍ଧମୂଳ ହୋଇ ରହିଛି ଯେ ଆମେ ଏହିସବୁ ପରିବର୍ତ୍ତନରୁ ଲାଭ ଉଠାଇବା ଦିଗରେ ଭାରି ଅନଗ୍ରସର ହୋଇ ରହିଛୁ । ଆମେ ଏଗୁଡ଼ିକୁ ପ୍ରାୟ ଜାଣିଶୁଣି ଉପେକ୍ଷିତ କରି ରଖି ମର୍ମତଃ ଯେପରି ରହିଥିଲୁ, ପ୍ରାୟ ଗୋଟାସୁଦ୍ଧା ସେହିଭଳି ହୋଇ ରହିଛୁ ।

 

ଆମର ଯନ୍ତ୍ରଟା ହୁଏତ ଏବେ ମଧ୍ୟ ଠିକ୍‌ ଆଗ ପରି ସମାନ ଭାବରେ ସ୍ପର୍ଶକାତର ହୋଇ ରହିଛି, ପରିବର୍ତ୍ତନକାତର ହୋଇ ରହିଛି । ଯେକୌଣସି ସାମନ୍ତବାଦୀ ଦୃଷ୍ଟିକୋଣ ଓ ଉଗ୍ରତା ମଧ୍ୟରେ ସାଧାରଣତଃ ଯେଉଁସବୁ ପରିବର୍ତ୍ତନକାତରତା ଦେଖାଯାଏ, ଆମ ରାଷ୍ଟ୍ରୀୟ ଶିକ୍ଷା ପରିଚାଳନାର କ୍ଷେତ୍ରରେ ଠିକ୍‌ ସେହିସବୁ କାତରତା ଓ ଅନିଚ୍ଛା ଆମ ଶିକ୍ଷା ନେତୃତ୍ୱର ଗୋଡ଼ରେ କେତେ କେତେ ପଥର ବାନ୍ଧିକରି ରଖିଛି । ସେହି ପଥରଗୁଡ଼ାକୁ ଆମେ ପରମ୍ପରା ବୋଲି କହୁଛୁ ସତ, ମାତ୍ର ସେସବୁ କେବଳ କେତେକ ନ୍ୟସ୍ତସ୍ୱାର୍ଥରହିଁ ପ୍ରତିନିଧିତ୍ୱ କରିବାରେ ଲାଗିଛି । ଅନ୍ତତଃ ଶିକ୍ଷାକ୍ଷେତ୍ରରେ ନ୍ୟସ୍ତସ୍ୱାର୍ଥର ଅଭୀଷ୍ଟ ସାଧନ ଲାଗି ଜାତୀୟ ସ୍ୱାର୍ଥଗୁଡ଼ିକୁ ଉପେକ୍ଷା ପ୍ରଦର୍ଶନ କରାହୋଇଛି ।

ତା ୧୧.୧୨.୧୯୭୬ ରିଖ

Image

 

ଆମେରିକା ଏକୁଟିଆ

 

ପୃଥିବୀଯାକରେ ଯିଏ ସମସ୍ତଙ୍କଠାରୁ ବଡ଼ ହୋଇ ରହିବାକୁ ଇଚ୍ଛା କରୁଥାଏ, ତାକୁ ଅନେକ ସମୟରେ ବଡ଼ ଏକୁଟିଆ ହୋଇ ରହିବାକୁ ପଡ଼େ । ପୃଥିବୀ ଗୋଟାକରେ ଯେଉଁ ଦେଶ ସବୁଠାରୁ ଅଧିକ ଶକ୍ତିଶାଳୀହୋଇ ରହିବବୋଲି ଇଚ୍ଛା କରୁଥାଏ, ତାକୁ ମଧ୍ୟ ଅସଲ ସମ୍ପର୍କ ଓ ଅସଲ ସଦ୍‌ଭାବର କ୍ଷେତ୍ରରେ ଭାରି ଏକାକୀ ହୋଇ ରହିବାକୁ ପଡ଼େ । ପୃଥିବୀରେ ସବୁଠାରୁ ଅଧିକ ଧନସମ୍ପତ୍ତି ହୁଏତ ସେହି ଦେଶର ଥାଏ, ସବୁଠାରୁ ଅଧିକ ଅସ୍ତ୍ରଶସ୍ତ୍ର ବି ଥାଏ । ପୃଥିବୀରେ ଧୁରନ୍ଧରପଣ ଓ ଦାତାପଣ ଦେଖାଇବା ଲାଗି ସେହି ଦେଶର ରାଷ୍ଟ୍ରାଧୀଶମାନେ ସର୍ବଦା ଅତି ତତ୍ପର ହୋଇ ରହିଥାନ୍ତି, ସେହି ଦେଶର ଗୋଇନ୍ଦାମାନେ ପୃଥିବୀଯାକ ଖେଦି ଯାଇଥାନ୍ତି ଓ ସମଗ୍ର ପୃଥିବୀର ରାଜନୀତିକ ମଙ୍ଗଗୁଡ଼ାକୁ କେବଳ ଆପଣାର ଅନୁକୂଳ କରି ମୋଡ଼ିଆଣିବା ପାଇଁ ଅତ୍ୟନ୍ତ ଜଘନ୍ୟ ଭାବରେ ଅତିସତର୍କ ହୋଇ ଲାଗିଥାନ୍ତି । ତଥାପି ସେହି ଦେଶ ଅଧିକାଂଶ ସମୟରେ ଭାରି ଏକୁଟିଆ ପଡ଼ିଯାଏ, ଯେଉଁସବୁ କ୍ଷେତ୍ରରେ ସାରାପୃଥିବୀର ବିବେକଗୁଡ଼ାକର ନିଷ୍ପତ୍ତି ହୁଏ, ସେଠାରେ ସେହି ଦେଶର ପ୍ରକୃତରେ କେହି ସଙ୍ଗୀ ନାହାନ୍ତି ବୋଲି ବଡ଼ ମର୍ମନ୍ତୁଦ ଭାବରେ ଧରାପଡ଼ିଯାଏ ।

 

ପ୍ରାୟ ଗୋଟାଏ ମହାଦେଶ ପରି ଗୋଟାଏ ଦେଶ ଆମେରିକା କ୍ରମେ ସେହିପରି ଏକୁଟିଆ ହୋଇଯିବାରେ ଲାଗିଛି । ଆପଣାର ଅନନ୍ୟ ଶକ୍ତି ଓ ଅତୁଳ ଐଶ୍ୱର୍ଯ୍ୟର ଅଧିକାରୀ ହୋଇଥିଲେ ସୁଦ୍ଧା, ପୃଥିବୀ ମହାସଭାରେ ତା’ର ଅବିବେକଗୁଡ଼ାକ ପ୍ରତି ସମର୍ଥନ ଜଣାଇବା ଲାଗି ଯେ ପ୍ରକୃତରେ କୋଉଠି କେହି ନାହାନ୍ତି, ସେହି କଥାଟି ଏବେ ପ୍ରମାଣିତ ହୋଇଯାଇଛି । ସଂଯୁକ୍ତ ଭିଏତନାମ ଜାତିସଂଘରେ ସଦସ୍ୟ ହେବା ଲାଗି ଯେଉଁ ଆବେଦନ-ପତ୍ର ଦେଇଛି, ପ୍ରଥମଥର ବିଶ୍ୱନିରାପତ୍ତା ପରିଷଦରେ ଆମେରିକାର ଭେଟୋ ମାଡ଼ ଖାଇ ତାହା ନାକଚ ହୋଇ ଯାଇଛି । ଏବେ ସାଧାରଣ ପରିଷଦରେ ସଭ୍ୟରାଷ୍ଟ୍ରମାନେ ସେହି ବିଷୟଟି ଉପରେ ଆଲୋଚନା କରିଛନ୍ତି ଏବଂ ଭିଏତନାମର ପ୍ରାର୍ଥୀତ୍ୱର ପୁନର୍ବିଚାର କରାଯାଉ ବୋଲି ପ୍ରାୟ ସର୍ବସମ୍ମତିକ୍ରମେ ଏକ ପ୍ରସ୍ତାବ ମଧ୍ୟ ଗୃହୀତ କରାଇ ନେଇଛନ୍ତି । ଏହି ପ୍ରସ୍ତାବଟିର ସପକ୍ଷରେ ୧୨୪ଟି ରାଷ୍ଟ୍ର ଭୋଟ ଦେଇଛନ୍ତି । ଏକୁଟିଆ ଆମେରିକା ପ୍ରସ୍ତାବର ବିରୁଦ୍ଧରେ ଭୋଟ ଦେଇଛି । ଆମେରିକାର ନେତୃତ୍ୱରେ ଯେଉଁ ଦେଶମାନେ ଗତ ଅନେକ ବର୍ଷ ହେଲା ନାନା ସାମରିକ ମେଣ୍ଟ ଭିତରେ ଛନ୍ଦିହୋଇ ରହିଥିଲେ, ସେମାନଙ୍କ ଭିତରୁ ଅଧିକସଂଖ୍ୟକ ଦେଶ ପ୍ରସ୍ତାବଟିର ସପକ୍ଷରେ ଭୋଟ ଦେଇଛନ୍ତି; ଅର୍ଥାତ ଭେଟୋଶକ୍ତିଦ୍ୱାରା ଭିଏତନାମକୁ ଜାତିସଂଘର ବାହାରେ ରଖିବାଦ୍ୱାରା ଆମେରିକା ଯେ ଆଦୌ ଉଚିତ କାର୍ଯ୍ୟ କରୁନାହିଁ, ଆପଣାର ଭୋଟଦ୍ୱାରା ସେହିସବୁ ଦେଶ ତାହାହିଁ ପ୍ରକଟ କରି ଦେଇଛନ୍ତି ଏବଂ ଆମେରିକାର ଅତ୍ୟନ୍ତ ଘନିଷ୍ଠ ଭାବରେ ଯେଉଁ କେତୋଟି ଦେଶ ଆମେରିକାର ସାଥୁଆ ହୋଇ ଚିରଦିନ ରହି ଆସିଥିଲେ, ସେମାନେ ମଧ୍ୟ ଏଥର କିଞ୍ଚିତ୍‌ ସାହସ ଓ ସ୍ୱାଧୀନ ଚିନ୍ତନର ପରିଚୟ ଦେଇଛନ୍ତି ଓ ଆମେରିକା ପକ୍ଷରେ ଭୋଟ ନ ଦେଇ ଏକ ବିଶେଷ କୌଶଳର ଅବଲମ୍ବନ କରି ନିରପେକ୍ଷ ରହି ଯାଇଛନ୍ତି, ଏପଟ ବା ସେପଟ କୌଣସି ପଟକୁ ନ ଯାଇ ସେମାନେ ମଝି ବାଡ଼ରେ ରହି ଯାଇଛନ୍ତି । ମିଳିତ ଜାତିସଂଘର ଇତିହାସରେ ଆମେ ଏତିକିକୁ ମଧ୍ୟ ଗୋଟିଏ ସ୍ୱାଗତଯୋଗ୍ୟ ଏବଂ ଆଶାପ୍ରଦ ଘଟଣା ବୋଲି କହିପାରିବା ।

 

ଆମେରିକାର ସମସ୍ୟା ହେଉଛି ଆପଣା ପରାଭବର ଜ୍ୱାଳାଗୁଡ଼ାକୁ ଭୁଲି ନ ପାରିବାର ସମସ୍ୟା । ଭିଏତନାମରେ ପ୍ରାୟ ନିଜେ ଭିଆଇଥିବା ଯୁଦ୍ଧରେ ଗୋଟାଏ ସ୍ଥାନୀୟ ସମସ୍ୟାକୁ ଏକ ବିଶ୍ୱସମସ୍ୟାରେ ପରିଣତ କରାଯାଇଥିବାର ଏକ କ୍ଷେତ୍ରରେ ବଡ଼ ଦେଶ ଆମେରିକା ପରିଶେଷରେ ଯେଉଁ ହାସ୍ୟାସ୍ପଦତା ଲାଗି ବାଧ୍ୟ ହେଲା, ଆପଣାର ବିବେକଗୁଡ଼ାକରେ ଆବଶ୍ୟକ ସଂଶୋଧନ ଘଟାଇ ଆମେରିକା ତାହାକୁ ହୁଏତ ଅତ୍ୟନ୍ତ ସହଜରେ ଭୁଲିଯାଇ ପାରିଥାନ୍ତା । ବିଶ୍ୱ-ରାଜନୀତିର ଅସଲ ପ୍ରବୃତ୍ତି ଓ ଆକାଙ୍‌କ୍ଷାଗୁଡ଼ାକୁ ବୁଝିପାରିବା ଲାଗି ଓ ସେଥିରୁ ଆବଶ୍ୟକ ଶିକ୍ଷାଲାଭ କରିବା ଲାଗି ଆପଣାକୁ ଆବଶ୍ୟକ ପରିମାଣରେ ଉନ୍ମୁକ୍ତ ରଖି ଆମେରିକା ଅନେକ ସହଜରେ ଏକ ଅପରାଧମୟ ଅତୀତ ଭିତରୁ ଉଠିଆସି ପାରିଥାନ୍ତା । ମାତ୍ର ସେ କଥା ଆଦୌ ସମ୍ଭବ ହେଲା ନାହିଁ-। ଆପେ ସବୁଠାରୁ ବଡ଼ ହୋଇ ବସିବାକୁ ଇଚ୍ଛା କରୁଥିଲେ କୌଣସି ଦେଶର ଜୀବନରେ ଯେଉଁ ମିଛ ଦମ୍ଭ ଓ ମିଛ ସମ୍ମାନବୋଧଗୁଡ଼ାକ ତାକୁ ପ୍ରାୟ ମଞ୍ଜରୁ କାମୁଡ଼ି ଧରିଥାଏ ଓ ତା’ର ଆଖିକୁ ଗୋଟାସୁଦ୍ଧା ବାଉଳା କରି ରଖିଥାଏ, ଆମେରିକାକୁ ସେହି ଦମ୍ଭ ଓ ଅଭିମାନଗୁଡ଼ାକରହିଁ ଶିକାର ହେବାକୁ ପଡ଼ିଲା । ଏବେ ମଧ୍ୟ ଆମେରିକା ଅତିରିକ୍ତ ମାତ୍ରାରେ ସେହି ଗୁଡ଼ାକର ଶିକାର ହୋଇ ରହିଛି ।

 

ଭିଏତନାମ ଯୁଦ୍ଧରେ ଆମେରିକାର ଯେଉଁ ଆଠଶହ ସୈନିକ ନିଖୋଜ ହୋଇ ରହିଛନ୍ତି, ଭିଏତନାମ ସରକାରଙ୍କ ତରଫରୁ ଆମେରିକାକୁ ସେମାନଙ୍କ ବିଷୟରେ ଏକ ସନ୍ତୋଷଜନକ ବିବରଣୀ ଏ ପର୍ଯ୍ୟନ୍ତ ଦିଆଯାଇ ନାହିଁ ବୋଲି ତାହାର ପ୍ରତିବାଦସ୍ୱରୂପ ଆମେରିକା କୁଆଡ଼େ ଏହିଭଳି ଆଚରଣ କରୁଛି ବୋଲି କୈଫିୟତ ଦିଆଯାଉଛି । ପ୍ରଦତ୍ତ ବିବରଣୀ ଆମେରିକା ମନକୁ ନ ପାଇଲା ପର୍ଯ୍ୟନ୍ତ ଆମେରିକା ଭେଟୋ ବାଣ ପ୍ରୟୋଗ କରି ନୂତନ ଭିଏତନାମକୁ ସେହି ପୁରୁଣା କ୍ରୋଧର କବଳ ଭିତରୁ କଦାପି ମୁକ୍ତହେବାକୁ ଦେବ ନାହିଁ ବୋଲି ଆମେରିକା ଜାତିସଂଘ ପ୍ରତିନିଧି ସ୍କ୍ରାଣ୍ଟନ ତାଙ୍କ ଏକୁଟିଆ ବକ୍ତୃତାରେ ସ୍ପଷ୍ଟ କହି ସାରିଛନ୍ତି । ଏଥିରେ କୌଣସି ସନ୍ଦେହ ନାହିଁ ଯେ, ଏପରି ଏକ ହଠକାରୀ ବୁଦ୍ଧି ଆମେରିକାକୁ ରାଜନୀତିକ ବିଶ୍ୱକ୍ଷେତ୍ରରେ କ୍ରମଶଃ ଅଧିକରୁ ଅଧିକ ଗୋଠଖଣ୍ଡିଆ ଅର୍ଥାତ୍‌ ଏକୁଟିଆ କରି ଆଣୁଥିବ । ଅର୍ଥ ଏବଂ ଅସ୍ତ୍ରର ଅସରନ୍ତି ଲଗାଣ ଦେଇ ଆମେରିକା ତରଫରୁ ଯେତେ ଗୋଠ ବାନ୍ଧିବାର ପ୍ରୟାସ ହେଉଥିଲେ ମଧ୍ୟ ଆମେରିକା ତଥାପି ଗୋଠଖଣ୍ଡିଆ ହୋଇ ଯାଉଥିବ ।

 

ମିଳିତ ଜାତିସଂଘର ଏହି ଅଧିବେଶନରେ ସବୁଠାରୁ ଅଧିକ ଉଲ୍ଲେଖଯୋଗ୍ୟ ଘଟଣା ହେଉଛି ଯେ, ଏଥର ଭେଟୋର ଅନିଷ୍ଟକାରୀ (ବାଧକ) ଶକ୍ତି ବିଷୟରେ ପ୍ରାୟ ଏକ ସାର୍ବଜନୀନ ମତ ଆପଣାକୁ ଅତ୍ୟନ୍ତ ସ୍ପଷ୍ଟଭାବରେ ବ୍ୟକ୍ତ କରି ଆଣିପାରିଛି । ଭେଟୋର ଫାଇଦା ଉଠାଇ ଅର୍ଥାତ୍‌ ତା’ର ଅପବ୍ୟବହାର କରି କେହି ଯେପରି ଅନ୍ୟାୟଗୁଡ଼ାକୁ ନ୍ୟାୟରୂପେ ସାବ୍ୟସ୍ତ କରି ରଖିବାର ଦୁର୍ଜନତା ନ କରନ୍ତି, ଏଥର ବିଶ୍ୱସଭାରେ ଏହିପରି ଏକ ପ୍ରତିକ୍ରିୟା ସ୍ପଷ୍ଟ ଅନୁଭୂତ ହୋଇପାରିଛି । ଆମେରିକା ସରକାରଙ୍କୁ ଧନ୍ୟବାଦ ଯେ ତାଙ୍କରି ଅନମନୀୟତା ସକାଶେ ଜାତିସଂଘରେ ଏହି ନୂତନ ଅଗ୍ରଗତିଟି ସମ୍ଭବ ହୋଇ ପାରିଛି ।

ତା ୧୨.୧୨.୧୯୭୬ ରିଖ

Image

 

ସଂଖ୍ୟାଗରିଷ୍ଠର ଭୟ

 

ଯେକୌଣସି ଦେଶରେ ସଂଖ୍ୟାଗରିଷ୍ଠ ପକ୍ଷ ଯେ ସଂଖ୍ୟାଲଘୁ ପକ୍ଷକୁ ଭୟ କରୁଥାଏ, ଏବେ ଇସ୍ରାଏଲ୍‍ର ଗୋଟିଏ ବିବରଣୀରୁ ତାହାର ଆଉ ଏକ ଅଧିକ ପ୍ରମାଣ ମିଳିଛି । ସଂଖ୍ୟାଗରିଷ୍ଠ ହାତରେ ରାଜନୀତିକ କ୍ଷମତା ଥାଏ, ପୋଲିସ କ୍ଷମତା ଥାଏ, ଅର୍ଥନୈତିକ ଯାବତୀୟ ରଜ୍ଜୁ ତାହାରି ହାତରେ ଥାଏ, ଗଣତନ୍ତ୍ର ଶାସନର ଫାଇଦାଗୁଡ଼ାକ ପ୍ରଧାନତଃ ତାହାରି ଏକଚାଟିଆ ହୋଇ ରହିଥାଏ; ତଥାପି ସଂଖ୍ୟାଗରିଷ୍ଠ ପକ୍ଷ ସଂଖ୍ୟାଲଘୁ ପକ୍ଷକୁ ଭୟ କରୁଥାନ୍ତି । ଜର୍ମାନୀ ଦେଶରେ ହିଟ୍‌ଲର ଏକଦା ଇହୁଦୀମାନଙ୍କୁ ଭୟ କରୁଥିଲା; ଲାଟିନ ଆମେରିକାର ଅଣକମ୍ୟୁନିଷ୍ଟ ସରକାରମାନେ ସେଠାରେ କମ୍ୟୁନିଷ୍ଟମାନଙ୍କୁ ପ୍ରାୟ ସେହିପରି ଭୟ କରୁଛନ୍ତି ଏବଂ ଇସ୍ରାଏଲ୍‌ରେ ପ୍ରବଳ ସଂଖ୍ୟାଗରିଷ୍ଠ ଇହୁଦୀ ସ୍ୱାର୍ଥଗୁଡ଼ାକ ସଂଖ୍ୟାଲଘୁ ଆରବ ବାସିନ୍ଦାମାନଙ୍କୁ ଭୟ କରୁଛି । ଇସ୍ରାଏଲ୍‌ର ଉତ୍ତର ଭାଗରେ ଅବସ୍ଥିତ ଗାଲିଲି ଅଞ୍ଚଳରେ ଆଭ୍ୟନ୍ତରୀଣ ଶାସନ ବିଭାଗର ଜଣେ ଜିଲ୍ଲାସ୍ତରୀୟ ଅଫିସର କ୍ୟୁନିଗ୍ ଇସ୍ରାଏଲ୍ ସରକାରଙ୍କୁ ସେହି ଅଞ୍ଚଳରେ ବାସ କରୁଥିବା ଆରବ ନାଗରିକମାନଙ୍କ ବିଷୟରେ ଯେଉଁ ବିବରଣୀଟି ଦେଇଛନ୍ତି, ସେଥିରୁ ତାହାର ସ୍ପଷ୍ଟ ପ୍ରମାଣ ମିଳୁଛି । ସରକାର ବାହାରେ ଥିବା ବାମପନ୍ଥୀ ମାପାମ୍ ପାର୍ଟି କୌଣସି ସୂତ୍ରରୁ ସେହି ବିବରଣୀଟିକୁ ହସ୍ତଗତ କରି ଏବେ ସାଧାରଣରେ ଛପାଇ ଦେଇଛନ୍ତି ।

 

ବିବରଣୀରେ କୁହାଯାଇଛି ଯେ ସେହି ନିର୍ଦ୍ଦିଷ୍ଟ ଅଞ୍ଚଳରେ ଆରବମାନଙ୍କର ସଂଖ୍ୟା ଅତିରିକ୍ତ ଭାବରେ ବୃଦ୍ଧି ପାଇବାରେ ଲାଗିଛି । ଏଠାରେ ଜାଣି ରଖିବା ଉଚିତ ଯେ ଇସ୍ରାଏଲ୍‌ର ଜାତୀୟ ସୀମା ଭିତରେ ବର୍ତ୍ତମାନ ପ୍ରାୟ ସାଢେ ଚାରିଲକ୍ଷ ଆରବ ବାସ କରୁଛନ୍ତି । ଇସ୍ରାଏଲ୍‌ର ସମଗ୍ର ଜନସଂଖ୍ୟାର ଅନୁପାତରେ ଏମାନଙ୍କର ସଂଖ୍ୟା ଶତକଡ଼ା ପ୍ରାୟ ୧୨ ବୋଲି ହିସାବ କରାଯାଇଛି । ମାତ୍ର ଗାଲିଲିର ଉତ୍ତରକୁ ଇସ୍ରାଏଲ୍‌ର ଏହି ନିର୍ଦ୍ଦିଷ୍ଟ ଅଞ୍ଚଳରେ ଆରବ ବାସିନ୍ଦାମାନଙ୍କର ସଂଖ୍ୟା ବର୍ତ୍ତମାନ ଶତକଡ଼ା ୪୩ ହୋଇଯାଇଛି । ଆରବମାନଙ୍କର ସଂଖ୍ୟା ଇହୁଦୀମାନଙ୍କର ସଂଖ୍ୟା ତୁଳନାରେ ଯେପରି ଅଧିକ ପ୍ରଖର ଭାବରେ ବୃଦ୍ଧି ପାଇବାରେ ଲାଗିଛି, ୧୯୭୮ ମସିହା ବେଳକୁ ସେମାନେ ସେହି ଅଞ୍ଚଳଟିରେ ସମଗ୍ର ଜନସଂଖ୍ୟାର ଶତକଡ଼ା ୫୧ ଭାଗ ହୋଇ ଯାଇଥିବେ ବୋଲି କ୍ୟୁନିଗ୍ ତାଙ୍କ ବିବରଣୀଟିରେ ଆଶଙ୍କା ପ୍ରକାଶ କରିଛନ୍ତି । ତେଣେ ଇସ୍ରାଏଲର ଚତୁର୍ଦ୍ଦିଗରେ ଆରବ ଜାତୀୟତା ମଧ୍ୟ କ୍ରମଶଃ ଅଧିକରୁ ଅଧିକ ଓଜସ୍ୱୀ ହେବାରେ ଲାଗିଛି । ଏହା ଫଳରେ ସେହି ଅଞ୍ଚଳରେ ଇସ୍ରାଏଲ୍‌ର ନିୟନ୍ତ୍ରଣକୁ କାଏମ୍ ରଖିବା କ୍ରମେ ଅସମ୍ଭବ ପ୍ରାୟ ହୋଇ ପଡ଼ିବ ବୋଲି ରିପୋର୍ଟରେ କୁହାଯାଇଛି ।

 

ଶ୍ରୀଯୁକ୍ତ କ୍ୟୁନିଗ୍ ଆରବ ଜନବୃଦ୍ଧିକୁ ନିୟନ୍ତ୍ରଣ ମଧ୍ୟରେ ରଖିବା ଲାଗି ଇସ୍ରାଏଲ୍‌ ସରକାରଙ୍କୁ କଠୋର ଓ ଅତି କଠୋର ଉପାୟ ଏବଂ ପ୍ରତିକାର-ପନ୍ଥା ଗ୍ରହଣ କରିବାକୁ ପରାମର୍ଶ ଦେଇଛନ୍ତି । ଆରବ ନାଗରିକମାନଙ୍କର ସଂଖ୍ୟା ତଥା ଶକ୍ତିକୁ ନିର୍ଦ୍ଦିଷ୍ଟ ସୀମା ମଧ୍ୟରେ ଆୟତ୍ତ କରି ନ ରଖିଲେ ଓ ସେହି ଦିଗରେ ନିର୍ଦ୍ଦିଷ୍ଟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ପ୍ରାୟ ଏକହଜାର ବର୍ଗମାଇଲର ବର୍ତ୍ତମାନର ଏହି ସ୍ଥାନୀୟ ସମସ୍ୟାଟି ଦିନେ ସମଗ୍ର ଦେଶପ୍ରତି ଏକ ଦୁରୂହ ସମସ୍ୟାରେ ପରିଣତ ହେବାକୁ ବସିବ ବୋଲି ସୂଚାଇ ଦିଆଯାଇଛି । ଇସ୍ରାଏଲର ସେହି ଅଞ୍ଚଳଟି ଲେବାନନ୍ ଓ ସିରିୟା ଉଭୟ ଦେଶର ସୀମାକୁ ଲାଗିଛି । ଏପରି କହି କ୍ୟୁନିଗ୍ ସମସ୍ୟାଟିର ଗୁରୁତ୍ୱ ବିଷୟରେ ତାଙ୍କ ସରକାରଙ୍କୁ ଯଥେଷ୍ଟ ପରିମାଣରେ ସଚେତନ କରି ଦେବାକୁ ଚେଷ୍ଟା କରିଛନ୍ତି ।

 

ଆରବ ସଂଖ୍ୟା ଓ ଆରବ ଶକ୍ତିବୃଦ୍ଧିକୁ ରୋକିବାଲାଗି କ୍ୟୁନିଗ୍ କେତୋଟି ଉପାୟ ମଧ୍ୟ ନିର୍ଦ୍ଦିଷ୍ଟ କରି ଦେଇଛନ୍ତି । ସିଏ କହିଛନ୍ତି ଯେ ସେହି ଅଞ୍ଚଳର ଶିଳ୍ପୋଦ୍ୟୋଗଗୁଡ଼ିକରେ ନିଯୁକ୍ତ ଆରବ ଶ୍ରମିକମାନଙ୍କର ସଂଖ୍ୟାକୁ ସର୍ବାଧିକ ଶତକଡ଼ା କୋଡ଼ିଏ କରି ରଖିବା ଉଚିତ । ଆରବମାନଙ୍କ ପ୍ରତି ରାଷ୍ଟ୍ରୀୟ ଶିକ୍ଷାନୀତିରେ ଯେଉଁ ବିଶେଷ ସୁବିଧାମାନ ଦିଆଯାଉଛି, ସେଗୁଡ଼ିକୁ ମଧ୍ୟ ବନ୍ଦ କରି ଦିଆଯିବା ଉଚିତ । ଆରବବାସୀମାନଙ୍କର ପ୍ରତିନିଧିତ୍ୱ କରିବାଲାଗି ଇସ୍ରାଏଲରେ ବର୍ତ୍ତମାନ ଯେଉଁ ମୁଖ୍ୟ ରାଜନୀତିକ ଦଳଟି ରହିଛି, ତାର ବିକଳ୍ପରୂପେ କ୍ୟୁନିଗ୍ ଆଉଗୋଟିଏ ଆରବ ରାଜନୀତିକ ଦଳ ଗଢ଼ାହେବାରେ ପ୍ରୋତ୍ସାହନ ଦିଆଯାଉ ଏବଂ ତାହାର ଉପଯୁକ୍ତ ନେତୃତ୍ୱ ଦେଇପାରିବା ଲାଗି ଇସ୍ରାଏଲ ଗୁପ୍ତଚରମାନେ ସେହି ଦଳ ଭିତରେ ଯାଇ ରହନ୍ତୁ ବୋଲି ପ୍ରସ୍ତାବ ମଧ୍ୟ ଦେଇଛନ୍ତି ।

 

ଏକଥା ସତ ଯେ ଜଣେ ଜିଲ୍ଲାସ୍ତରୀୟ ଅଫିସର କେବଳ ଏକ ବିବରଣୀ ଆକାରରେ ସରକାରଙ୍କ ଗୋଚର ଲାଗି ଏହିସବୁ କଥା କହିଛନ୍ତି ଓ ଏହିସବୁ ପ୍ରସ୍ତାବ ଦେଇଛନ୍ତି । ସରକାର ଯେ ସେହି ବିବରଣୀଟିକୁ ଗ୍ରହଣ ବା ଅନୁମୋଦନ କରିବେ, ତାହାର ଆଦୌ କୌଣସି କାରଣ ନାହିଁ । ଏପରି କୌଣସି ବିବରଣ ତାଙ୍କ ଆଖିକୁ ଆସିନାହିଁ ବୋଲି ଇସ୍ରାଏଲର ରାଷ୍ଟ୍ରମୁଖ୍ୟ ଶ୍ରୀ ଇଜ୍‌ଖାନ୍‌ ରାବିନ ଏବେ ଗୋଟିଏ ବିବୃତିରେ ପ୍ରକାଶ କରିଛନ୍ତି । ସରକାରଙ୍କର ସମ୍ପୃକ୍ତ ପ୍ରଶାସକ ମହଲ ବି ଘୋଷଣା କରି କହି ସାରିଲେଣି ଯେ ବିବରଣୀଟି ଇସ୍ରାଏଲଦ୍ୱାରା ଅନୁସୃତ ଗଣତାନ୍ତ୍ରିକ ମୂଳନୀତିଗୁଡ଼ିକର ବିରୁଦ୍ଧାଚରଣ କରୁଥିବାରୁ ସେଇଟିକୁ ଆଦୌ କୌଣସି ବିଚାରକୁ ନେବା ପୂର୍ବରୁ ବର୍ଜନ କରାଯାଇ ସାରିଛି । ମାତ୍ର ସେହି ରିପୋର୍ଟର ବିଷୟବସ୍ତୁଟି ସମ୍ବାଦପତ୍ରରେ ପ୍ରକାଶିତ ହୋଇଯିବା ପରେ ଆରବ ଓ ଇହୁଦୀ ଉଭୟ ମହଲରେ ତାହା ଅତ୍ୟନ୍ତ ଉତ୍ତେଜନା ସୃଷ୍ଟିର କାରଣ ହୋଇଛି, ଅନେକ ଭୟ ବି ସଞ୍ଚାରିତ କରିଛି । ଶ୍ରୀଯୁକ୍ତ କ୍ୟୁନିଗ୍‌ଙ୍କୁ ସଙ୍ଗେ ସଙ୍ଗେ ଚାକିରିରୁ ବରଖାସ୍ତ କରି ବନ୍ଦୀଶାଳାରେ ରଖାଯିବା ଉଚିତ ବୋଲି ମଧ୍ୟ କେତେକ ମତ ପ୍ରକାଶ ପାଇଛି । ଆରବମାନେ ଅତ୍ୟନ୍ତ ଭୟଭୀତ ହୋଇ ପଡ଼ିଛନ୍ତି ।

 

ରାଷ୍ଟ୍ରୀୟ ଉପଚାର ଅନୁସାରେ ଇସ୍ରାଏଲର ଆରବମାନେ ଇହୁଦୀମାନଙ୍କ ପରି ସମକକ୍ଷ ନାଗରିକ ବୋଲି ସ୍ୱୀକୃତ ହୋଇ ଆସୁଥିଲେ ମଧ୍ୟ ସେମାନେ କେତେକ ଦୃଷ୍ଟିରୁ ଦେଖିଲେ ସେଠାରେ ଇହୁଦୀମାନଙ୍କ ତୁଳନାରେ କେବଳ ଏକ ଦ୍ୱିତୀୟ ଶ୍ରେଣୀର ମର୍ଯ୍ୟାଦାହିଁ ପାଇପାରୁଛନ୍ତି । ଇହୁଦୀରାଷ୍ଟ୍ର ଇସ୍ରାଏଲ ତାର ଆରବ ନାଗରିକମାନଙ୍କୁ ଯେପରି ବ୍ୟବହାର ଦେଖାଇବ, ସମସ୍ତ ବିଶ୍ୱ ସେଇଥିରୁହିଁ ଇସ୍ରାଏଲର ବିଚାର କରିବେ ବୋଲି ଇସ୍ରାଏଲର ପ୍ରଥମ ପ୍ରେସିଡ଼େଣ୍ଟ୍‌ ଖାଇମ୍‌ ଭାଇତ୍‌ଜ୍‌ମାନ୍‌ ଏକଦା ଘୋଷଣା କରିଥିଲେ ମଧ୍ୟ ଇସ୍ରାଏଲରେ ବର୍ତ୍ତମାନ ସେହିପରି ଏକ ସ୍ଥିତି ବିଦ୍ୟମାନ ରହିଛି । ସମଗ୍ର ମଧ୍ୟପ୍ରାଚ୍ୟର ଅସ୍ୱାଭାବିକ ଓ ଉତ୍ତେଜନାମୟ ରାଷ୍ଟ୍ରୀୟ ସମ୍ବନ୍ଧଗୁଡ଼ାକହିଁ ହୁଏତ ଇସ୍ରାଏଲକୁ ମଧ୍ୟ ବଡ଼ ଅସ୍ୱାଭାବିକ ଭାବରେ ତା’ର ସଂଖ୍ୟାଲଘୁ ଆରବମାନଙ୍କୁ ସନ୍ଦେହ-ଦୃଷ୍ଟିରେ ଦେଖିବାକୁ ଓ ସେମାନଙ୍କୁ କେତେକ କ୍ଷେତ୍ରରେ ବଞ୍ଚିତ କରି ରଖିବାକୁ ବାଧ୍ୟ କରୁଛି । ଏହିପରି ଏକ ପରିସ୍ଥିତି ମଧ୍ୟରେ ଇସ୍ରାଏଲ ନାନା ଅସ୍ୱାଭାବିକତାକୁ ଗ୍ରହଣୀୟ ବୋଲି ସ୍ୱୀକାର କରିନେବାକୁ ବାଧ୍ୟ ହେଉଛି ଏବଂ ଉତ୍ତେଜନାଗୁଡ଼ାକ ଜଟିଳ ହେବାରେ ଲାଗିଛି ।

ତା ୧୩.୧୨.୧୯୭୬ ରିଖ

Image

 

ନମୁନା ବିଶ୍ୱବିଦ୍ୟାଳୟ

 

ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟର ନାମଟିରୁ ’ହିନ୍ଦୁ’ ଶବ୍ଦଟିକୁ ଉଠାଇ ଦିଆଯିବ କି ନାହିଁ, ଏହି ବିଷୟରେ ଭାରତୀୟ ପାର୍ଲିଆମେଣ୍ଟ ସଦନରେ କେତେବର୍ଷ ତଳେ ବେଶ୍‌ ବଚସା ଓ ଆଲୋଚନା ଚାଲିଥିଲା । ଶେଷକୁ ସୁଧୀମାନେ ସମସ୍ତେ ଏକମତ ହେଲେ ଯେ, ଏହି ବିଶ୍ୱବିଦ୍ୟାଳୟର ନାମଟି ତାହାର ପ୍ରତିଷ୍ଠାତା ଶ୍ରୀଯୁକ୍ତ ମଦନମୋହନ ମାଲବ୍ୟଙ୍କଦ୍ୱାରା ଦିଆହୋଇ ଥିବାରୁ ତାହା ସେହିପରି ଅପରିବର୍ତ୍ତିତ ହୋଇ ରହିବା ଉଚିତ । ସ୍ୱର୍ଗତ ପ୍ରତିଷ୍ଠାତାଙ୍କ ପ୍ରତି ସମ୍ମାନ ଦେଖାଇ ସେତେବେଳେ ସେହି ନାମଟିକୁ ଅପରିବର୍ତ୍ତିତ ରଖା ଯାଇଥିଲା ।

 

ଏବେ କିଛି ଦିନ ପୂର୍ବେ ବନାରସ ବିଶ୍ୱବିଦ୍ୟାଳୟର ବର୍ତ୍ତମାନ କୁଳପତି ସେହି ସଂସ୍ଥାଟିର ପଞ୍ଚବର୍ଷୀୟ ବିବରଣୀଟିକୁ ଉପସ୍ଥାପିତ କରିବାକୁ ଯାଇ କହିଛନ୍ତି ଯେ ବିଶ୍ୱବିଦ୍ୟାଳୟରେ ଯାବତୀୟ ସୁବିଧା ବୃଦ୍ଧି ପାଇଛି, ବିଶ୍ୱବିଦ୍ୟାଳୟରେ ପୂର୍ବାପେକ୍ଷା ଅଧିକ ଲୋକ ନିଯୁକ୍ତ ହୋଇଛନ୍ତି ଓ ଅଧିକ ଅର୍ଥର ଲଗାଣ ହୋଇଛି ସତ, ମାତ୍ର ବିଶ୍ୱବିଦ୍ୟାଳୟ କ୍ରମଶଃ ତା’ର ପ୍ରତିଷ୍ଠାତାଙ୍କର ଉଚ୍ଚ ଆଦର୍ଶଗୁଡ଼ିକଠାରୁ ଅଧିକ ଦୂରବର୍ତ୍ତୀ ହୋଇଯିବାରେ ଲାଗିଛି । ବିଶ୍ୱବିଦ୍ୟାଳୟରେ ଯେତେ ଅର୍ଥଲଗାଣ ହୋଇଛି, ସେହି ଅନୁପାତରେ ଅଧ୍ୟୟନ ଏବଂ ଗବେଷଣା ଗୁଣାତ୍ମକ ଏବଂ ପରିମାଣାତ୍ମକ ଉଭୟ କ୍ଷେତ୍ରରେ କମ୍‌ ହୋଇଛି ।

 

ବନାରସ ବିଶ୍ୱବିଦ୍ୟାଳୟ ହେଉଛି ଏକ କେନ୍ଦ୍ର ପରିଶାସିତ ବିଶ୍ୱବିଦ୍ୟାଳୟ, ଆମ ଦେଶର ସୁପୋଷିତ ବିଶ୍ୱବିଦ୍ୟାଳୟଗୁଡ଼ିକ ମଧ୍ୟରୁ ଗୋଟିଏ । ଏହି ବିଶ୍ୱବିଦ୍ୟାଳୟର ବଜେଟ ଅନୁସାରେ ଏଥିରେ ବର୍ଷକୁ ଦଶକୋଟି ଟଙ୍କା ଖର୍ଚ୍ଚ କରାଯାଏ । ପ୍ରାୟ ୧୩ ଶହ ଏକରର ଏକ ବୃହତ ଭୂମି ଉପରେ ଏହି ବିଶ୍ୱବିଦ୍ୟାଳୟର ବିପଣିଟିକୁ ସ୍ଥାପନା କରାଯାଇଛି । ଏଠାରେ ଥିବା ଏଗାରଗୋଟି ବିଭିନ୍ନ ବିଭାଗରେ ପ୍ରାୟ ନବେଟି ବିଷୟରେ ଉଚ୍ଚତମ ଅଧ୍ୟାପନା ଦିଆଯିବାର ଆୟୋଜନ ହୋଇଛି । ବିଶ୍ୱବିଦ୍ୟାଳୟର ପ୍ରକାଣ୍ଡ ଗ୍ରନ୍ଥାଗାରରେ ଛଅଲକ୍ଷ ବହି ଓ ବାରହଜାର ଦୁଷ୍ପ୍ରାପ୍ୟ ପାଣ୍ଡୁଲିପି ସଂରକ୍ଷିତ ହୋଇ ରହିଛି । ଏବଂ ତଥାପି ବିଶ୍ୱବିଦ୍ୟାଳୟ ଯେପରି ଚାଲିବା କଥା, ସେପରି ଚାଲିପାରୁନାହିଁ । କଳକୁ ବଢ଼ିଆରୁ ଆହୁରି ବଢ଼ିଆ କରି ରଖିବାକୁ ଆୟୋଜନରେ ଆଦୌ କୌଣସି ତ୍ରୁଟି କରାଯାଇନାହିଁ, ତଥାପି କଳଟା ଯେଭଳି ଚାଲିବା କଥା, ମୋଟେ ଚାଲି ପାରୁନାହିଁ । ଏପରି କାହିଁକି ହେଉଛି ?

 

କୁଳପତି ଶ୍ରୀଯୁକ୍ତ ଶ୍ରୀମାଳୀ ତାଙ୍କର ପଞ୍ଚବର୍ଷୀୟ ବିବରଣୀଟିରେ ମଝିରେ ମଝିରେ ସେହି ବିଷୟରେ କେତୋଟି ସଂକେତ ଦେଇଛନ୍ତି । ସିଏ କହିଛନ୍ତି, ବିଶ୍ୱବିଦ୍ୟାଳୟର ଅଧ୍ୟାପକମାନେ ଏବେ ଅଧ୍ୟୟନ ଏବଂ ଅଧ୍ୟାପନାରେ ଯେତେ ମନ ନଦେଉଛନ୍ତି ଓ ଯେତେ ଆଗ୍ରହ ପ୍ରକାଶ ନ କରୁଛନ୍ତି, ବିଭାଗୀୟ ପଶ୍ଚାତ୍ - ଷଡ଼ଯନ୍ତ୍ର ଏବଂ ଖୋସାମଦିରେ ତାହାଠାରୁ ଅନେକ ଅଧିକ ସମୟ ଦେଉଛନ୍ତି ଓ ଅଧିକ ଆଗ୍ରହ ପ୍ରକାଶ କରୁଛନ୍ତି । ଅଧ୍ୟାପକମାନେ କୁଆଡ଼େ ନିଜେ ଏପରି କହିଛନ୍ତି ଯେ, ଅଧ୍ୟୟନ ଏବଂ ଅଧ୍ୟାପନାଗତ କାର୍ଯ୍ୟ ଅପେକ୍ଷା କଳା ଏସବୁର ବାହାରେଥିବା ଅନ୍ୟାନ୍ୟ କାର୍ଯ୍ୟପରେ ସମୟ ଦେବାଦ୍ୱାରା ସେମାନଙ୍କର ଅଧିକ ଲାଭ ହେଉଛି । ଅର୍ଥାତ୍ ଖୋସାମତିଦ୍ୱାରା ଅଧିକ ଲାଭ ହେଉଛି, ବିଭାଗୀୟ ଅନ୍ୟମାନଙ୍କ ପଛରେ ଲାଗି ସେମାନଙ୍କୁ ଅନ୍ୟାୟ ଭାବରେ କ୍ଷତିଗ୍ରସ୍ତ କରାଇବାରେହିଁ ଅଧିକ ଲାଭ ହେଉଛି । ହୁଏତ ଏହି କାରଣରୁହିଁ ଉଚ୍ଚ ଆକାଙ୍‌କ୍ଷା ନେଇ ବିଶ୍ୱବିଦ୍ୟାଳୟରେ ପ୍ରବେଶ କରିଥିବା ବୟୋଜ୍ୟେଷ୍ଠ ଅଧ୍ୟାପକମାନେ ଏବେ ପ୍ରାୟ କିଛିହେଲେ ଗବେଷଣା କରୁନାହାନ୍ତି, ଅଧିକ ଅଧ୍ୟୟନ ବି କରୁନାହାନ୍ତି । ଯେତିକି ଗବେଷଣା କରିବା ସେମାନଙ୍କର ପଦୋନ୍ନତି ପାଇଁ ଆବଶ୍ୟକ ହୋଇଛି, ସେମାନେ ହୁଏତ ଗରଜରେ ପଡ଼ି ସେତିକି ଗବେଷଣା କରିଛନ୍ତି ଏବଂ ପୁଙ୍ଗବ ବୋଲି ଘୋଷିତ ହୋଇ ସାରିବା ପରେ ସେମାନେ ସବୁ ଛାଡ଼ି ଗୋଟାସୁଦ୍ଧା କଳ ହୁଗାଳି ବସି ଯାଇଛନ୍ତି । ତା’ପରେ କେବଳ ସିଡ଼ି ଉଠିବାର ଧନ୍ଦାଟା ବାକି ରହିଯାଉଛି । ଯଥାସମ୍ଭବ ଅଧିକରୁ ଅଧିକଙ୍କୁ ପଛକୁ ଟାଣିରଖି ସ୍ୱୟଂ ଅବସ୍ଥାପିତ ହୋଇ ରହିବାର ଧନ୍ଦାଟା ବାକି ରହି ଯାଉଛି । ଉପରିସ୍ଥମାନଙ୍କୁ ପ୍ରସନ୍ନ କରି ରଖିବା ବାକି ରହି ଯାଉଛି । ନିଜର ଗୁଣରେ ନୁହେଁ, ଅର୍ଥାତ୍ ଜ୍ଞାନରେ ନୁହେଁ, ମାତ୍ର ଖୋସାମତି କରି ତୋଷଣ କରାଇ ପ୍ରସନ୍ନ କରି ରଖିବା ବାକି ରହିଯାଉଛି । ଏହି ଲଜ୍ଜାହୀନତାଗୁଡ଼ାକ ବିଶ୍ୱବିଦ୍ୟାଳୟର ପ୍ରାୟ ଯାବତୀୟ ସ୍ୱଧର୍ମଗତ ଅନୁଧାବନକୁ ବଡ଼ ଦାରୁଣ ଅଥଚ ଉଗ୍ର ଭାବରେ ଆକ୍ରାନ୍ତ କରି ରଖିଛି । ଅଧ୍ୟାପକମାନଙ୍କ ମଧ୍ୟରେ ବ୍ୟତିକ୍ରମମାନେ ଅବଶ୍ୟ ରହିଛନ୍ତି, ମାତ୍ର ପ୍ରାୟ ଏକ ନିୟମ ପରି ଏହି ତାମସାଗୁଡ଼ାକ ଚାଲିଛି ।

 

ଏବଂ ଅଧ୍ୟୟନ ତଥା ଅଧ୍ୟାପନା କ୍ଷେତ୍ରରେ ଏସବୁ ଚାଲିଥିବା ସମୟରେ ତେଣେ ଗୋଟା ଗୋଟା କରି ଚାରିଟା ଛାତ୍ରବାସରେ ନାଲି ଟାଇଲ ପଥରକୁ ଉଠାଇ ଦିଆହୋଇ ମୋଜେଇକ୍ କରିବା ଲାଗି ଅଧିକ ପଇସାର ବରାଦ କରାଯାଇ ପାରୁଛି । ନାଲି ଟାଇଲ ପଥରକୁ ମୋଜେଇକ୍ କଲେ ଅଧ୍ୟୟନ ଓ ଗବେଷଣାର ମାନରେ ଯେ ତଦନୁରୂପ ଏକ ଅଭିବୃଦ୍ଧି ହୋଇଥାଏ, ସେକଥାକୁ ସତ୍ୟରୂପେ ଗ୍ରହଣ କରିନେବାକୁ କେଉଁଠି ଆଦୌ କୌଣସି ପ୍ରମାଣ ନାହିଁ-। ତଥାପି ଏହି ଦରିଦ୍ର ଦେଶରେ କଥାକଥିତ ଉଚ୍ଚ ଶିକ୍ଷାକ୍ଷେତ୍ରରେ ଅଧ୍ୟୟନର ମାନବୃଦ୍ଧି ଦିଗରେ ବାହାର ଚିକ୍‌କଣ ଗୁଡ଼ାକୁ ଆହୁରି ଅଧିକ ପରିମାଣରେ ଚିତ୍ରବିଚିତ୍ର କରି ରଖିବାରେହିଁ ଅଧିକ ପଇସା ଖର୍ଚ୍ଚ ହେଉଛି, ଅଧିକ ବଳ ଓ ବହପ ସରୁଛି ।

 

ଭାରତବର୍ଷର ସବୁଯାକ ବିଶ୍ୱବିଦ୍ୟାଳୟରେ ଯାହା ହେଉଛି, ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ ସମଗ୍ରତଃ ତାହାର ଗୋଟିଏ ନମୁନା । ବନାରସ ତୁଳନାରେ ଭାରତର ଅନ୍ୟାନ୍ୟ ବିଶ୍ୱବିଦ୍ୟାଳୟଗୁଡ଼ିକରେ ଏହି ଶୋଚନୀୟତାଗୁଡ଼ିକ ହୁଏତ ଆହୁରି ଅଧିକ ଶୋଚନୀୟ ଭାବରେ ଚାଲିଛି । ଏହି ହାସ୍ୟାସ୍ପଦତାଗୁଡ଼ିକ ଆହୁରି ଅଧିକ ହାସ୍ୟାସ୍ପଦ ଭାବରେ ଚାଲିଛି ଏବଂ ସମ୍ପୃକ୍ତ ଆମେ ସମସ୍ତେ ଏଗୁଡ଼ିକୁ ଯେପରି ପରମ ଧୃତିର ସହିତ ସହି ସହି ଚାଲିଛୁ, ତାହା ପରିବେଶଟିର ଶୋଚନୀୟତାକୁ ପ୍ରକୃତରେ ଏକ ଅତ୍ୟନ୍ତ ହାସ୍ୟାସ୍ପଦ ବ୍ୟାପାରରେ ପରିଣତ କରି ରଖିଛି । ଏସବୁ ଆହୁରି ଅନେକ ଦିନ ପର୍ଯ୍ୟନ୍ତ ଚାଲିବ । ସ୍ମରଣ ରଖାଯାଇ ପାରେ ଯେ, ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ ଏବର୍ଷ ହୀରକ ଜୟନ୍ତୀ ପାଳନ କରିବାକୁ ଯାଉଛି ଓ ଏହି ଉତ୍ସବପାଳନ ସକାଶେ ବିଶ୍ୱବିଦ୍ୟାଳୟ ଅନୁଦାନ କମିଶନ୍ ତା’ ପାଇଁ ଖାସ୍ ଦଶଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି ।

ତା ୨୦.୧୨.୧୯୭୬ ରିଖ

Image

 

Unknown

ମାନବଜାତିର ଅଧିକାର

 

ସମୁଦ୍ର-ଜଳଭାଗ ସମ୍ପର୍କରେ ଆମ ପୃଥିବୀରେ ଯେଉଁ ଆନ୍ତର୍ଜାତିକ ଆଇନମାନ ରହିଆସିଛି, ସେ ସମ୍ପର୍କରେ ଆୟୋଜିତ ଗୋଟିଏ ଆଲୋଚନାଚକ୍ର ଉଦ୍‌ଘାଟନ କରି, ସମୁଦ୍ରଶଯ୍ୟା ଏବଂ ସମୁଦ୍ରସ୍ଥିତ ଯାବତୀୟ ସମ୍ପଦ ଉପରେ ସମଗ୍ର ମାନବଜାତିର ପୂର୍ଣ୍ଣ ଅଧିକାର ରହିବା ଉଚିତ ବୋଲି ଭାରତର କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଶ୍ରୀଯୁକ୍ତ ଗୋଖଲେ ଏବେ ନୂଆଦିଲ୍ଲୀଠାରେ ଆହ୍ୱାନ ଜଣାଇଛନ୍ତି ।

 

ସଂସାରରେ ତିନିଭାଗ ଜଳ ଓ ଭାଗେ ସ୍ଥଳ । ଜଳଭାଗ କହିଲେ ପ୍ରଧାନତଃ ପୃଥିବୀପୃଷ୍ଠରେ ରହିଥିବା ସମୁଦ୍ରଭାଗଗୁଡ଼ିକୁହିଁ ବୁଝାଇଥାଏ । ପ୍ରାୟ ଶହେବର୍ଷ ତଳେ, ଯେତେବେଳେ ଇଉରୋପ ମହାଦେଶରେ ନୂଆକରି ଗଠିତ ହୋଇ ଆସୁଥିବା ସାମ୍ରାଜ୍ୟଗୁଡ଼ିକ ମଧ୍ୟରେ କନ୍ଦଳ ଲାଗୁଥିଲା, ସେତେବେଳେ ସମୁଦ୍ର ଭିତରେହିଁ ତାହାର ମୀମାଂସା ହେଉଥିଲା, ନୌବାହିନୀଗୁଡ଼ାକହିଁ ରାଜ୍ୟ ରାଜ୍ୟ ମଧ୍ୟରେ ବଳକଷାକଷିର ସର୍ବପ୍ରଧାନ ପରିମାପକ ହୋଇ ରହିଥିଲେ । ସେତିକିବେଳେ ସାମ୍ରାଜ୍ୟମାନେ ପୃଥିବୀର ସମୁଦ୍ରଭାଗଗୁଡ଼ାକୁ ସତେଅବା ଆପଣାର ଏକ ଯୌଥସମ୍ପତ୍ତି ପରି ଦଖଲ କରି ନେଇଥିଲେ । ଇଉରୋପରେ ପ୍ରସ୍ତୁତ କରାଯାଇଥିବା କେତେଟା କଥାକଥିତ ଆଇନ ବଳରେ ସେମାନେ ଯେପରି ସମଗ୍ର ପୃଥିବୀର ଜନଗଣଙ୍କୁ ଆପଣା ଆପଣାର ପ୍ରଜାରୂପେ ବାଣ୍ଟି ନେଇଥିଲେ, ସମୁଦ୍ରଗୁଡ଼ାକୁ ଏକଚାଟିଆ କରିନେବାରେ ପ୍ରାୟ ସେହିପରି ଏକ ଦୁର୍ମଦ ମନୋଭାବକୁ କାର୍ଯ୍ୟକାରୀ କରାଯାଇଥିଲା । ସଂସାରରେ ଯେ ଇଉରୋପ ଓ ଆମେରିକା ବ୍ୟତୀତ ଅନ୍ୟାନ୍ୟ ବହୁ ଦେଶ ଅଛନ୍ତି, ସେଠି ଯେ କୋଟି କୋଟି ମଣିଷ ବାସ କରୁଛନ୍ତି ଓ ସେମାନଙ୍କର ଯେ ଅଧିକାର ମଧ୍ୟ ରହିଛି, ଏସବୁ କଥା ବିବେକକୁ ନେବାଲାଗି ସେତେବେଳେ ଆଉ କାହାରି ହେଲେ ମନେ ନ ଥିଲା । ପୃଥିବୀର ଇତିହାସକୁ ବୁଝିଲେ ଆମେ ଏହି କଥାଟିକୁ ଅବଶ୍ୟ ବୁଝି ପାରିବା; ମାତ୍ର ପୃଥିବୀର ସଂଜ୍ଞା ଆମର ଏହି ଦଶକଗୁଡ଼ାକରେ ଏତେ ବେଶି ପ୍ରସାରିତ ହୋଇଯିବା ପରେ ଯେତେବେଳେ ଇଉରୋପୀୟ କେତେଟା ଦେଶ ଆପଣାକୁ ସତେଅବା ପୂର୍ବର ସେହି ସାମ୍ରାଜ୍ୟଶକ୍ତି ବୋଲି ଭାବି ସେହି ପୁରୁଣା ସମୁଦ୍ର ଆଇନଗୁଡ଼ାକୁହିଁ ଆନ୍ତର୍ଜାତିକ ଆଇନ ବୋଲି କହୁଛନ୍ତି ଏବଂ ବର୍ତ୍ତମାନ ମଧ୍ୟ ପୃଥିବୀସାରା ସମସ୍ତେ ସେହି ପୁରୁଣା ଏକଚାଟିଆ କାରବାରଗୁଡ଼ାକୁ ଆଇନ ବୋଲି ସ୍ୱୀକାର କରି ନିଅନ୍ତୁ ବୋଲି ଜିଦ୍‌ଧରି ବସୁଛନ୍ତି, ସେହି କଥାଟି ଆଦୌ ବୁଝି ହେଉନାହିଁ ।

 

ପୃଥିବୀର ସମୁଦ୍ରଭାଗ ଅର୍ଥାତ୍ ସମୁଦ୍ରଶଯ୍ୟା ଏବଂ ସମୁଦ୍ରସ୍ଥିତ ସମ୍ପଦ ଉପରେ ସମୁଦାୟ ମାନବଜାତିରହିଁ ଅଧିକାର ରହିଛି । ସମୁଦ୍ର ଉପକୂଳକୁ ଲାଗି ୨୦ ମାଇଲ ପର୍ଯ୍ୟନ୍ତ ସମୁଦ୍ରକୁ କୌଣସି ଏକ ନିର୍ଦ୍ଧିଷ୍ଟ ଦେଶର ବୋଲି କୁହାଯିବ, ସେଥିରେ କେହି କେବେହେଲେ କୌଣସି ହସ୍ତକ୍ଷେପ କରିବାକୁ ଆସିବେ ନାହିଁ । ଏବଂ, ସେହି କୋଡ଼ିଏ ମାଇଲ ଆକ୍ରାନ୍ତଟିର ବାହାରେ ପୁରୁଣା ସାମ୍ରାଜ୍ୟବାଦୀ ଦୌରାତ୍ମ୍ୟଗୁଡ଼ାକ ଚାଲିଥିବ, ଏ କଥାକୁ ଯେ ସମ୍ପୃକ୍ତ ସମସ୍ତେ ଶାନ୍ତ ଭାବରେ ମାନିନେବେ, ସେ କଥା କଦାପି ହୋଇ ପାରିବ ନାହିଁ । ଗୋଟାଏ ବା କେତେଟା ଦେଶକୁ ପରିବେଷ୍ଟନ କରି ଯେଉଁ ସାଗର ଅଥବା ଉପସାଗରମାନ ରହିଛି, ସେଥରୁ ଉପକୂଳସ୍ଥ କୋଡ଼ିଏ ମାଇଲ ପରିଧିକୁ ଛାଡ଼ି ଦେଇ ଅବଶିଷ୍ଟ ଆୟତନଟି ମଧ୍ୟରେ ପୃଥିବୀର ବୃହତ୍‌ ଶକ୍ତିମାନେ ନୌବାହିନୀ ଜରିଆରେ ସମରାଡ଼ମ୍ବର କରିବାରେ ଲାଗିଥିବେ, ସେକଥା ମଧ୍ୟ କଦାପି ହୋଇପାରିବ ନାହିଁ । ବର୍ତ୍ତମାନ ପୃଥିବୀରେ ଆମେ ଯେଉଁସବୁ ସମ୍ପଦ ଅଥବା ଆୟତନ ଉପରେ ସମଗ୍ର ମାନବଜାତିର ଅଧିକାର ରହିଛି ବୋଲି ମାନିବା, ସେଠାରେ ଅଧିକ ସାମରିକ ବଳକୁ ଦୌରାତ୍ମ୍ୟ ବିସ୍ତାର କରି ରଖିବା ଲାଗି ଆଦୌ କୌଣସି ପ୍ରଶ୍ରୟ ଦିଆଯିବନାହିଁ । ସମସ୍ତ ବିଶ୍ୱ ଓ ବିଶ୍ୱବାସୀ ଯେପରି ନିରାପଦ ହୋଇ ରହିପାରିବେ, ସେହି ଉଦ୍ଦେଶ୍ୟରେହିଁ ପୃଥିବୀର ସମୁଦ୍ରଭାଗକୁ ସମଗ୍ର ମାନବଜାତିର ସମ୍ପଦ ବୋଲି ସ୍ୱୀକୃତି ଦିଆଯିବ ।

 

ଏକ ସାମ୍ରାଜ୍ୟବାଦୀ ଏବଂ ସମରାଭିଳାଷୀ ପ୍ରବୃତ୍ତିଦ୍ୱାରା ପ୍ରେରିତ ହୋଇହିଁ ପୃଥିବୀର ଅନେକ ଦେଶ ପୃଥିବୀର ମହାସାଗରଗୁଡ଼ାକୁ ପ୍ରଧାନତଃ ସମର-ପରାକ୍ରମ ଦେଖାଇବାର ଗୋଟାଏ ଗୋଟାଏ ଆଖଡ଼ା ବୋଲି ମନେକରୁଛନ୍ତି । ଜାହାଜଭେଳା ଉପରେ ବୋମା ଓ ବୋମାବର୍ଷୀ ଉଡ଼ାଜାହାଜକୁ ବୋଝାଇକରି ଏଠୁ ସେଠିକୁ ପଇଁତରା ମାରିବାର ସ୍ଥାନ ବ୍ୟତୀତ ସମୁଦ୍ରର ଯେ ପ୍ରକୃତରେ ଆଉ କୌଣସି ମାନବିକ ବିନିଯୋଗ ହୋଇପାରିବାର ସମ୍ଭାବନା ରହିଛି, ସେ କଥା ସେମାନେ ସ୍ୱୀକାର କରିବାର ଆବଶ୍ୟକ ନମନୀୟତା ଦେଖାଇବାକୁ ଆଦୌ ପ୍ରସ୍ତୁତ ହେଉନାହାନ୍ତି ।

 

ସମୁଦ୍ର ଏଣିକି ସମରବିଳାସୀ ଏକଚାଟିଆଗୁଡ଼ାକର ଆଉ ଗୋଟିଏ ଚରାଭୂଇଁ ହୋଇ କଦାପି ରହିପାରିବ ନାହିଁ । ଭୂଇଁରେ ଆକଟ ଜାରି କରି ଏବଂ ସମଗ୍ର ପୃଥିବୀର ଭାଗ୍ୟକୁ ବିପନ୍ନ କରି ସମୁଦ୍ରଗର୍ଭରେ ଏଥିକି ଆଣବିକ ବିସ୍ଫୋରଣର ପରୀକ୍ଷା ମଧ୍ୟ ହୋଇପାରିବ ନାହିଁ । ସମୁଦ୍ର ମାନବଜାତି ଲାଗି ଯେଉଁ ଅନେକସଂଖ୍ୟକ ସମୃଦ୍ଧ ସମ୍ଭାବନାକୁ ଲୁକ୍‌କାୟିତ କରି ରଖିଛି, ସମୁଦ୍ର ଉପରେ ସମଗ୍ର ମାନବଜାତିର ଅଧିକାରକୁ ସ୍ୱୀକାର କରିନେବା ସଙ୍ଗେ ସଙ୍ଗେ ସେହି ସମ୍ଭାବନାଗୁଡ଼ିକୁହିଁ ବାସ୍ତବତାରେ ପରିଣତ କରିବାର ସହଯୋଗଭିତ୍ତିକ ନାନା ଆନ୍ତର୍ଜାତିକ ପ୍ରୟାସ କରିବାକୁ ପଡ଼ିବ । ସମୁଦ୍ରରେ ମନୁଷ୍ୟଜାତି ଲାଗି ଖାଦ୍ୟ ରହିଛି, ମନୁଷ୍ୟ ଜାତି ଲାଗି ଖଣିଜ ରହିଛି, ସମୁଦ୍ରହିଁ ଗୋଟାଏ ଦେଶକୁ ପୃଥିବୀର ଦୂରଦୁରାନ୍ତ ଅନେକାନେକ ଦେଶ ସହିତ ସମ୍ମିଳିତ କରି ରଖିଛି । ମାନବିକ କଲ୍ୟାଣ ଲାଗି ଏହିସବୁ ସମ୍ପଦର ବିନିଯୋଗ କରାଯିବ । କୌଣସି ରାଜନୀତିକ ଊନବିଂଶ ଶତାବ୍ଦୀୟ ଚାଲାଖିଦ୍ୱାରା ନୁହେଁ, ବୈଜ୍ଞାନିକ ବୁଦ୍ଧି ଏବଂ ଦୂରଦୃଷ୍ଟି ସହିତ ଏଗୁଡ଼ିକର ବିନିଯୋଗ ହେବ । ତେବେ ଯାଇ ଆମ ଭୂମଣ୍ଡଳର ସମୁଦ୍ରଭାଗ ଉପରେ ସମଗ୍ର ମାନବଜାତିର ଅଧିକାର ରହିଛି ବୋଲି ସାବ୍ୟସ୍ତ କରାଯାଇ ପାରିବ ।

ତା ୨୧.୧୨. ୧୯୭୬ ରିଖ

Image

 

ସାଢ଼େ ତିନିକୋଟି ଡଲାର

 

ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଶ୍ରୀଯୁକ୍ତ ଜିମି କାର୍ଟର ନିଜର ନିର୍ବାଚନ ବାବଦରେ ଏଥର ସାଢ଼େ ତିନିକୋଟି ଡଲାର ଖର୍ଚ୍ଚ କରିଛନ୍ତି ବୋଲି ଖବର ବାହାରିଛି । ସାଢ଼େ ତିନିକୋଟି ଡଲାର ଅର୍ଥାତ୍ ଆମ ଟଙ୍କା ମୂଲ୍ୟରେ ପ୍ରାୟ ପଚିଶିକୋଟି ଟଙ୍କା । ଗୋଟାଏ ନିର୍ବାଚନରେ ଜଣେ ପ୍ରାର୍ଥୀ ସାଢ଼େ ତିନିକୋଟି ଡଲାର ଯେ ଖର୍ଚ୍ଚ କଲେ, ରାଜନୀତିରେ ମାତିଥିବା ’ବଡ଼’ମାନଙ୍କୁ ଏହି କଥାଟି ହୁଏତ ଆଦୌ ବିଚିତ୍ର ବୋଲି ମନେ ହେଉନଥିବ । କାର୍ଟରଙ୍କର ପ୍ରତିଦ୍ୱନ୍ଦୀ ଫୋର୍ଡ଼ ଯେ ଅପେକ୍ଷାକୃତ କମ୍‌ ଖର୍ଚ୍ଚକରି ନିର୍ବାଚନରେ ହାରିଛନ୍ତି, ସେ କଥା କହିବା ଲାଗି ମଧ୍ୟ ଆଦୌ କୌଣସି କାରଣ ନାହିଁ । ଫୋର୍ଡ଼ ରାଷ୍ଟ୍ରପତିର ଆସନରେ ରହିଥିଲେ; ତାଙ୍କର ହିସାବ ଅନୁସାରେ ସିଏ ଆପଣାର ନିର୍ବାଚନରେ ଏତେଗୁଡ଼ାଏ ପଇସା ଖର୍ଚ୍ଚ କରିଛନ୍ତି ବୋଲି କଦାପି ପ୍ରକାଶ ପାଇନଥିବ ସତ, ମାତ୍ର ଏ କଥାରେ ଆଦୌ କିଛି ସନ୍ଦେହ ନାହିଁ ଯେ ଫୋର୍ଡ଼ଙ୍କ ହିସାବରେ ତଥାକଥିତ ପ୍ରତ୍ୟକ୍ଷ ଖର୍ଚ୍ଚ ଅପେକ୍ଷା ପରୋକ୍ଷ ଖର୍ଚ୍ଚଗୁଡ଼ାକହିଁ ଅଧିକ ପରିମାଣରେ ରହିଥିବ, ଯାହାର କି କୌଣସି ହିସାବ ଦିଆଯାଇ ପାରିବନାହିଁ । କାରଣ, ଯେଉଁମାନେ କ୍ଷମତାରେ ଥାଇ ନିର୍ବାଚନ ଲଢ଼ନ୍ତି, ଯେତେ ସଦିଚ୍ଛା ଓ ସାଧୁତା ରହିଥିଲେ ମଧ୍ୟ ସେମାନେ ଏହି କ୍ଷେତ୍ରରେ କରୁଥିବା ଅନେକ ପ୍ରକୃତ ଖର୍ଚ୍ଚର ଆଦୌ କୌଣସି ହିସାବ ରଖାଯାଇ ପାରେନାହିଁ ।

 

ଆମେରିକାର ନିର୍ବାଚନରେ କାର୍ଟର ଜିତନ୍ତୁ ବା ଫୋର୍ଡ଼ ଜିତନ୍ତୁ, ତଦ୍ଦ୍ୱାରା ପୃଥିବୀର ରାଜନୀତି ଏବଂ ଅନ୍ତଃରାଷ୍ଟ୍ରୀୟ ସ୍ଥିତିରେ ଆଦୌ ଖୁବ୍‌ଗୁଡ଼ାଏ ପ୍ରଭେଦ କଦାପି ହୋଇଯାଇ ନଥାନ୍ତା-। ତାଙ୍କ ଭିତରୁ ଇଏ ଅଥବା ସିଏ ଜିତିବାଦ୍ୱାରା ସେହି ଗୋଟାଏ ଦେଶ ଯୁକ୍ତରାଜ୍ୟ ଆମେରିକାର ଭାଗ୍ୟରେ ଯେ ଉଲ୍ଲେଖଯୋଗ୍ୟ କୌଣସି ଫରକ ଦେଖିବାକୁ ମିଳିଥାନ୍ତା, ସେ କଥା ମଧ୍ୟ ଆଦୌ ନୁହେଁ । କାରଣ, ଆମେରିକାର ରାଜନୀତି ଏବଂ ରାଷ୍ଟ୍ରନୀତି କହିଲେ ସାଧାରଣତଃ ଯେଉଁସବୁ ସ୍ୱାର୍ଥଗତ ପ୍ରତିଷ୍ଠାକୁ ବୁଝାଏ, କାର୍ଟର ଓ ଫୋର୍ଡ଼ ଉଭୟେ ପ୍ରାୟ ସମାନ ଭାବରେହିଁ ସେହି ପ୍ରତିଷ୍ଠାଟିର ପ୍ରତିନିଧିତ୍ୱ କରୁଥିଲେ । ଆନ୍ତର୍ଜାତିକ ରାଜନୀତି ଏବଂ ରାଷ୍ଟ୍ରୀୟ ସମ୍ବନ୍ଧର କ୍ଷେତ୍ରରେ ମଧ୍ୟ ଆମେରିକାର ଆଭିମୁଖ୍ୟ ଯାହା ହୋଇଆସିଛି, ଫୋର୍ଡ଼ ଅଥବା କାର୍ଟର କେହି ଜଣେ ଜିତିଲେ ସେଥିରେ ଯେ କୌଣସି ବିପ୍ଳବାତ୍ମକ ହେରଫେର ହୋଇଯାଇଥାନ୍ତା, ସେକଥା ଆଦୌ ନୁହେଁ । ତେଣୁ ପୃଥିବୀର ଏପରି ଏକ ମାମୁଲି ନିର୍ବାଚନରେ ଠିଆ ହୋଇଥିବା ଜଣେ ପ୍ରାର୍ଥୀ ଜଦି ସାଢ଼େ ତିନିକୋଟି ଡଲାର ଖର୍ଚ୍ଚ କଲେ, ତେବେ ସାଧାରଣ ଜଣେ ଜଣେ ପର୍ଯ୍ୟବେକ୍ଷକ ଭାବରେ ଆମେ ସେଥିରୁ ନିଶ୍ଚୟ କେତୋଟି ବିଷୟରେ ସଙ୍କେତ ପାଇପାରିବା । ପୃଥିବୀରେ ତଥାକଥିତ ନିର୍ବାଚନକେନ୍ଦ୍ରିତ ଗଣତନ୍ତ୍ରର ପ୍ରବୃତ୍ତି ବିଷୟରେ ମଧ୍ୟ ଆମକୁ ସେଥିରୁ ନିଶ୍ଚୟ କେତୋଟି ସୂଚନା ମିଳିପାରିବ ।

 

ଆମେରିକାରେ ପୁଞ୍ଜିବାଦ ଓ ଗଣତନ୍ତ୍ର ପ୍ରାୟ ସହାବସ୍ଥିତ ଭାବରେ ବେଶ୍‌ ସୁରୁଖୁରୁରେ ଚାଲିପାରିବେ ବୋଲି ସତେ ଅବା ସ୍ୱୀକାର କରି ନିଆଯାଇଛି । ଆମେରିକା ଆମ ସାଂପ୍ରତିକ ପୃଥିବୀରେ ଯେପରି ବହୁଅଧିକାରୀ ଏବଂ ବହୁଭୋଗୀ ହୋଇ ରହିଛି, ପୃଥିବୀରେ ଅନେକାନେକ ପୁରାତନ ସ୍ୱାର୍ଥଗୁଡ଼ିକର ଯେପରି ତତ୍ତ୍ୱାବଧାରକ ଓ ସୂତ୍ରଧର ହୋଇ ରହିଛି, ଆମେରିକାରେ ଗଣତନ୍ତ୍ର ତାହାର ସମ୍ପୂର୍ଣ୍ଣ ସମର୍ଥନ କରି ଆସିଛି । ସମଗ୍ର ପୃଥିବୀର ସମ୍ବନ୍ଧ-କ୍ଷେତ୍ରରେ ନ୍ୟସ୍ତସ୍ୱାର୍ଥର ପ୍ରତିନିଧିତ୍ୱ କରି ଆପଣା ଦେଶରେ ଗଣତନ୍ତ୍ରକୁ ଦାସରୂପେ ଗ୍ରହଣ କରି କିପରି ଚମତ୍କାର ଭାବରେ ବାସ କରି ହେବ, ଆମେରିକା ତାହାକୁ ପ୍ରମାଣ ଦେଇ ପ୍ରତିଷ୍ଠିତ କରିପାରିଛି । ମାତ୍ର, ତାହା ସହିତ ଆମକୁ ଏହି କଥାଟିକୁ ମଧ୍ୟ ମାନିନେବାକୁ ପଡ଼ିବ ଯେ ପୁଞ୍ଜିବାଦ ଓ ଗଣତନ୍ତ୍ର ପରସ୍ପରକୁ ଅବଲମ୍ବନରୂପେ ଗ୍ରହଣ କରିନେଲେ ପ୍ରାର୍ଥୀମାନଙ୍କର ନିର୍ବାଚନରେ ଲକ୍ଷପତି ଓ କୋଟିପତିଙ୍କ ପରି ଖର୍ଚ୍ଚ କରିବାକୁହିଁ ପଡ଼ିବ । ଅର୍ଥାତ୍‌ ସଚରାଚର ଏପରି ହେବ ଯେ, ଯେଉଁମାନେ କୋଟିପତିଙ୍କ ପରି ଅର୍ଥସଂଗ୍ରହ କରିପାରିବେ, ପ୍ରାୟ ସେହିମାନେହିଁ ନିର୍ବାଚନମାନଙ୍କରେ ପ୍ରାର୍ଥୀ ହେବାକୁ ହିମ୍ମତ କରିପାରିବେ । ଦେଶର ପୁଞ୍ଜିବାଦ ଦେଶର ଗଣତନ୍ତ୍ରକୁ କ୍ରମେ ଅଧିକରୁ ଅଧିକ ପରିମାଣରେ ପ୍ରଭାବିତ କରିବାରେ ଲାଗିଥିବ ଏବଂ ଅର୍ଥଆଶ୍ରିତ ଗଣତନ୍ତ୍ରରେ ପ୍ରାୟ ଅନିବାର୍ଯ୍ୟତଃ ଯାହା ହୁଏ, ଭିତରେ କୌଣସି ଅସଲ ନ ଥାଇ ମଧ୍ୟ ରାଜନୀତିରେ ଉପରେ କେତେପ୍ରକାର ବୋଲିର କୀର୍ତ୍ତନ ହେବାରେ ଲାଗିଥିବ । ବର୍ତ୍ତମାନ ଏସବୁ ଯେତିକି ପରିମାଣରେ ହେଉଛି, କ୍ରମଶଃ ଅଧିକ ପରିମାଣରେ ହେବାରେ ଲାଗିଥିବ ।

 

ମାତ୍ର ପୃଥିବୀର ଯେଉଁ ଦେଶଗୁଡ଼ିକ ନିଜକୁ ଗୋଟିଏ ଗୋଟିଏ ବିକାଶଶୀଳ ଦେଶ ବୋଲି କହୁଛନ୍ତି ଓ ଯେଉଁମାନେ ଗଣତନ୍ତ୍ରକୁ ଶାସନର ଛାଞ୍ଚରୂପେ ଗ୍ରହଣ କରିଛନ୍ତି, ସେମାନେ ବି କ’ଣ ଫେଶନରେ ପଡ଼ି ସେହି ପୁଞ୍ଜିବାଦୀ ଗଣତନ୍ତ୍ର ପ୍ରମାଦଗୁଡ଼ାକୁ ଆଦରି ନେବାକୁ ବାଧ୍ୟ ହେବେ ? ଯେଉଁସବୁ ଦେଶରେ ଦାରିଦ୍ର୍ୟହିଁ ଏକମାତ୍ର ଅର୍ଥନୀତି, ରାଜନୀତି, ଆଚରଣ ଓ ଧର୍ମ ହୋଇ ରହିଛି, ସେସବୁ ଦେଶରେ ବି କ’ଣ ପ୍ରାର୍ଥୀମାନେ ହଜାର ମୂଲରେ ନିର୍ବାଚନ ଲଢ଼ିବେ ? ଲୋକପ୍ରତିନିଧି ହେବାକୁ ହେଲେ ସେମାନଙ୍କୁ ବି କ’ଣ ଆବଶ୍ୟକ ବହୁ ପରିମାଣ ପୁଞ୍ଜି ସଂଗ୍ରହ କରିବାକୁ ପଡ଼ିବ ? ଅର୍ଥାତ୍‌ ସ୍ୱୟଂ ଧନୀ ହେବାକୁ ପଡ଼ିବ ଅଥବା ଧନୀମାନଙ୍କର ବଦାନ୍ୟତା ଉପରେ ନିର୍ଭର କରିବାକୁ ପଡ଼ିବ ? ଏବଂ ଏପରି ହେଲେ, ନିର୍ବାଚିତ ହେବା ପରେ ମଧ୍ୟ ସେମାନଙ୍କୁ ଆପଣା ପ୍ରତିନିଧିତ୍ୱର ସମସ୍ତ ଯଥାର୍ଥତା ହରାଇ ସେହି ଧନୀମାନଙ୍କ ହାତରେ ଓ କେତେକ ନିର୍ଦ୍ଦିଷ୍ଟ ପରିବର୍ତ୍ତନକାତର ନ୍ୟସ୍ତସ୍ୱାର୍ଥ ହାତରେ କ୍ରୀଡ଼ନକ ହୋଇ ରହିଯିବାକୁ ପଡ଼ିବନାହିଁ ତ ? ଏହି ପ୍ରଶ୍ନଗୁଡ଼ିକୁ ଯିଏ ଯେତେ ଏଡ଼ି ରହିବାକୁ ପ୍ରୟାସ କରୁଥାଉ ପଛକେ, ଦିନେ ନା ଦିନେ ତାକୁ ସବୁର ସମ୍ମୁଖୀନ ହେବାକୁ ପଡ଼ିବ । ଆମେ ପୁଞ୍ଜିବାଦୀ ଗଣତନ୍ତ୍ରର ଏକ ସ୍ଥାନୀୟ ବ୍ୟୂହ ଭିତରେ ରହିବା ନା ଆମ ଗଣତନ୍ତ୍ର ଏକ ବିଶ୍ୱଗଣତନ୍ତ୍ର ଆଡ଼କୁ ବାଟ କଢ଼ାଇନେବ, ଆମ ଉତ୍ତର ଉପରେହିଁ ତାହା ନିର୍ଭରଶୀଳ ହୋଇ ରହିଥିବ ।

ତା ୨୨.୧୨.୧୯୭୬ ରିଖ

Image

 

ଅଙ୍ଗାଙ୍ଗୀ ଭାବେ ଜଡ଼ିତ

 

ରାଜଧାନୀ ଦିଲ୍ଲୀରେ ଅନୁଷ୍ଠିତ ସର୍ବଭାରତୀୟ ନଗର-ପ୍ରଶାସନ ସମ୍ପର୍କୀୟ ଗୋଟିଏ ପାଠ୍ୟକ୍ରମ ଉଦ୍‌ଘାଟନ କରି କେନ୍ଦ୍ର ପୂର୍ତ୍ତ ଓ ଗୃହ ନିର୍ମାଣ ମନ୍ତ୍ରୀ ଶ୍ରୀଯୁକ୍ତ ଭଗତ ଭାରତରେ ଗ୍ରାମ ଓ ନଗରର ଉନ୍ନୟନ ପରସ୍ପର ସହିତ ଅଙ୍ଗାଙ୍ଗୀଭାବେ ଜଡ଼ିତ ବୋଲି ମତ ଦେଇଛନ୍ତି । ଗ୍ରାମ ଓ ସହରର ଜୀବନକୁ ଗ୍ରାସକରି ରହିଥିବା ସମସ୍ୟାଗୁଡ଼ିକ ମଧ୍ୟ ପରସ୍ପର ସହିତ ଅତ୍ୟନ୍ତ ନିବିଡ଼ ଭାବରେ ଜଡ଼ିତ ବୋଲି ସେ କହିଛନ୍ତି । ସମାଧାନର ସଙ୍କେତ ଦେବାକୁ ଯାଇ ସିଏ ମତ ପ୍ରକାଶ କରିଛନ୍ତି ଯେ ନଗରଗୁଡ଼ିକୁ ଗ୍ରାମ୍ୟ ପରିବେଶରୁ ମୁକ୍ତ କରିବା ସଙ୍ଗେ ସଙ୍ଗେ ଗ୍ରାମଗୁଡ଼ିକୁ ମଧ୍ୟ ଆମକୁ ନଗରର ସ୍ତରକୁ ଉନ୍ନୀତ କରି ଆଣିବାକୁ ପଡ଼ିବ ଏବଂ ସେହି ଦୃଷ୍ଟିରୁ ଅନୁକୂଳ ଯୋଜନାମାନ ବି ପ୍ରସ୍ତୁତ କରିବାକୁ ପଡ଼ିବ । ଏଭଳି ଯୋଜନାଗୁଡ଼ିକୁ କେବଳ ଏକ ଆଦର୍ଶଭାବେ ଗ୍ରହଣ ନକରି ଏହାର ଯଥାର୍ଥ କାର୍ଯ୍ୟକାରିତା ଉପରେ ମଧ୍ୟ ଯଥେଷ୍ଟ ଧ୍ୟାନ ଦେବାଲାଗି ସେ ସମ୍ପୃକ୍ତ ସମସ୍ତଙ୍କୁ ସତର୍କ କରି ଦେଇଛନ୍ତି ।

 

ଆଧୁନିକ ସଭ୍ୟତାକୁ ଅନେକେ ନଗରର ସଭ୍ୟତା ବୋଲିହିଁ କହିଥାନ୍ତି । ଭାରତବର୍ଷ ସ୍ୱାଧୀନ ହେବା ପରେ ଆମ ଦେଶରେ ଆର୍ଥିକ ଓ ସାମାଜିକ କ୍ଷେତ୍ରରେ ଆଧୁନିକୀକରଣର ଯେଉଁ ପ୍ରକ୍ରିୟାଟି ଆରମ୍ଭ ହୋଇଛି, ଅନେକେ ସେଇଟିକୁ ମଧ୍ୟ ସତେଅବା ଶତକଡ଼ା ଶହେଭାଗ ନଗରୀକରଣର ଏକ ପ୍ରକ୍ରିୟା ବୋଲି କହିଥାନ୍ତି । ଏପରିକି ଆମ ଦେଶରେ ଯେଉଁମାନେ ସମାଜବିଜ୍ଞାନର ଅନୁଶୀଳନ କରନ୍ତି; ସେମାନଙ୍କ ଭିତରୁ ମଧ୍ୟ ଅନେକେ ପ୍ରାୟ ଏହିପରି ବିଚାର କରିଥାନ୍ତି । ତାହାର ସର୍ବମୂଳ କାରଣ ହେଉଛି ଯେ ଏମାନେ ଆମେରିକା ବା ବିଲାତରୁହିଁ ସମାଜବିଜ୍ଞାନର ଉପନୟନ ଗ୍ରହଣ କରିଥାନ୍ତି । ଆମେରିକା ଓ ବିଲାତକୁ ମଡ଼େଲ ଓ ନମୁନାରୂପେ ଗ୍ରହଣ କରିହିଁ ସେମାନେ ଭାରତବର୍ଷରେ ସାମାଜିକ ସ୍ଥିତିର ଅଧ୍ୟୟନ କରିବାକୁ ଯାଇଥାନ୍ତି । ଭାରତବର୍ଷର ସମାଜ ସହିତ ସେମାନଙ୍କର ପ୍ରାୟ କୌଣସି ନାଡ଼ ଲାଗିନଥାଏ । ଅଧ୍ୟୟନର ସବୁଯାକ ପଦ୍ଧତି ମଧ୍ୟ ସେମାନେ ସେହି ବିଦେଶରୁ ସଙ୍ଗରେ ନେଇ ଆସିଥାନ୍ତି । ତେଣୁ ଏଠି ଏହି ଦେଶରେ ଯେ ଏକ ସ୍ୱତନ୍ତ୍ର ପରିପ୍ରେକ୍ଷୀ ଉପରେ ଓ ସ୍ୱତନ୍ତ୍ର ଭବିଷ୍ୟ ଦୃଷ୍ଟିରୁ ସମ୍ମୁଖରେ ରଖି ସମାଜ ତଥା ସାମାଜିକ ଜୀବନର ବିଚାର କରାଯାଇ ପାରିବ, ସମାଜ ପରିବର୍ତ୍ତନର ଭୂମିଭିତ୍ତିକ ଯୋଜନାମାନ ବି ସମ୍ଭବ ହେବ, ଆମ ଦେଶର ଅନେକ ସମାଜବିଜ୍ଞାନୀ ସେହି କଥାଟିକୁ କଳ୍ପନା ବି କରି ପାରନ୍ତିନାହିଁ । ଏହି ପୃଷ୍ଠଭୂମିଟି ଉପରେ ଏକଥାଟିକୁ ମଧ୍ୟ ଅତ୍ୟନ୍ତ ସହଜରେ ବୁଝିହେବ ଯେ ସ୍ୱାଧୀନ ଭାରତର ସାମାଜିକ ପୁନନିର୍ମାଣ ଓ ପୁନର୍ବିନ୍ୟାସ କ୍ଷେତ୍ରରେ ଭାରତୀୟ ସମାଜବିଜ୍ଞାନୀମାନେ ଯେତେ ବେଶୀ ରଚନାତ୍ମକ ଅବଦାନ ଦେଇ ପାରିଥାନ୍ତେ, ତାହା ପ୍ରକୃତରେ ସମ୍ଭବ ହୋଇ ପାରିନାହିଁ ।

 

ନଗର ଓ ଗ୍ରାମର ଉନ୍ନୟନ ପରସ୍ପର ସହିତ ଅଙ୍ଗାଙ୍ଗୀ ଭାବେ ଜଡ଼ିତ, ଗ୍ରାମ ଓ ସହରର ଉନ୍ନୟନଗତ ସମସ୍ୟାଗୁଡ଼ିକ ମଧ୍ୟ ପରସ୍ପର ସହିତ ଜଡ଼ିତ, ଏହା ପୃଥିବୀସାରା ସର୍ବଜନସମ୍ମତ ହୋଇ ରହିଥିଲେ ମଧ୍ୟ ଓ ପୃଥିବୀଯାକ ପ୍ରାୟ ସବୁ ସମାଜବିଜ୍ଞାନୀ ଏହି ସତ୍ୟଟିକୁ ସର୍ବଦା ସ୍ୱୀକାର କରି ଆସିଥିଲେ ମଧ୍ୟ, ଭାରତବର୍ଷରେ ତାହାକୁ ବାରବାର କହିବାର ଏକ ଆବଶ୍ୟକତା ରହିଛି । କାରଣ ଭାରତବର୍ଷରେ ଏହି ସତ୍ୟଟିକୁ ଏକାନ୍ତ ଅବହେଳା ପ୍ରଦର୍ଶନ କରାଯାଇ ଆସିଛି । ଆମର ଯାବତୀୟ ଯୋଜନାରେ ସହରକୁହିଁ ସର୍ବାଗ୍ରାଧିକାର ଦିଆଯାଇ ଆସିଛି । ସହରଗୁଡ଼ାକ ଯେପରି ଆମ ଗ୍ରାମଜୀବନ ଏବଂ ଗ୍ରାମ ଅର୍ଥନୀତିର ଉତ୍ତରୋତ୍ତର ଅବକ୍ଷୟରୁ ଉପକୃତ ହୋଇ ପାରିବେ, ଆମ ଯୋଜନାଗୁଡ଼ାକ ସତେଅବା ଭାରି ଉତ୍ସାହ ସହିତ ଆପଣାକୁ ସେହି ଦିଗରେ ଅଭିମୁଖୀ କରି ରଖିଛନ୍ତି । କୃଷି ଅପେକ୍ଷା ସ୍ୱାଧୀନତାର ଅନେକ ବର୍ଷ ପର୍ଯ୍ୟନ୍ତ ବୃହତ୍‌ଶିଳ୍ପ ଓ ଯନ୍ତ୍ରୀକରଣ ଉପରେ ଏକତରଫା ଗୁରୁତ୍ୱ ଦିଆହୋଇ ଆସିଛି । ଆମ ଦେଶରେ ଉଚ୍ଚଶିକ୍ଷା ବୋଲି ଯାହାକିଛିର ବ୍ୟବସ୍ଥା ହୋଇଛି, ତାହା ପ୍ରାୟ କେବଳ ନଗରକୁହିଁ ଆଖି ଆଗରେ ରଖି ହୋଇଛି । ବିଶ୍ୱବିଦ୍ୟାଳୟଗୁଡ଼ାକ ସହରକୁ ଗଣ୍ଠି କରି ସ୍ଥାପିତ ହୋଇଛି । ଏପରିକି କୃଷି ଗବେଷଣାର ସର୍ବଭାରତୀୟ ବୃହତ୍ତମ ଅନୁଷ୍ଠାନ ମଧ୍ୟ କେବଳ ରାଜଧାନୀ ଦିଲ୍ଲୀ ବ୍ୟତୀତ ଦେଶର ଆଉ କେଉଁଠି ହେଲେ ଆପଣା ଲାଗି ଥଳିଟିଏ ଖୋଜି ପାଇ ପାରିନାହିଁ । ଆମ ଦେଶର ସବୁ ବୈଜ୍ଞାନିକ, ସବୁ ବିଶେଷଜ୍ଞ ସହର ଭିତରେହିଁ ଖୁନ୍ଦାଖୁନ୍ଦି ହୋଇ ରହିଛନ୍ତି । ଏକ ଆକସ୍ମିକ ଭାବରେ ଏପରି କଦାପି ହୋଇନାହିଁ । ଆମର ଜ୍ଞାନ ଓ ବିଜ୍ଞାନକ୍ଷେତ୍ରର ବଡ଼ମାନେ ସହର ବ୍ୟତୀତ ସ୍ୱଚ୍ଛନ୍ଦ ଜୀବନର ଆଦୌ କୌଣସି କଳ୍ପନା କରି ପାରିନାହାନ୍ତି ବୋଲି ସେହିମାନଙ୍କର ଆରାମ ବିଧାନ ଏବଂ ଆନନ୍ଦବର୍ଦ୍ଧନ ଲାଗି ଗବେଷଣାଗାରଗୁଡ଼ାକ ସବୁ ସହରରେହିଁ ବସିଛି । ଜ୍ଞାନ ଓ ବିଜ୍ଞାନଗୁଡ଼ାକ ସହରର ନଳା ଦେଇହିଁ ଗାଆଁଯାଏ ଆସିବା ସମ୍ଭବ ହେଲେ ଯାଇ ସେଠାକୁ ଆସି ପାରୁଛି । ଆମ ଇଞ୍ଜିନିୟର ଓ ଆମ ଡାକ୍ତରମାନେ କେବଳ ସହରରେହିଁ ବସତି କରି ରହିବାକୁ ଭଲ ପାଉଛନ୍ତି । ସହର ନହେଲେ ଚିକଣ ରାସ୍ତାରେ ଗାଡ଼ି ନଚାଲିଲେ ଯେ କୌଣସି ଇଞ୍ଜିନିୟରିଂ ବା ଡାକ୍ତରୀ କେବେ ସମ୍ଭବବି ହେବ, ଏକଥା ହୁଏତ ସେମାନଙ୍କର ଅକଲଗୁଡ଼ାକ ଭିତରେ ଆଦୌ ପ୍ରବେଶ କରି ପାରୁନାହିଁ ।

 

ଗ୍ରାମାଞ୍ଚଳ ଏହି ପକ୍ଷପାତର ତୀବ୍ର ପ୍ରତିବାଦ କରିଛି । ହଜାର ହଜାର ସଂଖ୍ୟାରେ ଗ୍ରାମବାସୀ ଗ୍ରାମ ଛାଡ଼ି ସହରକୁ ବାହାରି ଆସିଛନ୍ତି, ସହରକୁ ପ୍ରାୟ ଏକ ମଇଳାକୁଣ୍ଡରେ ପରିଣତ କରିଛନ୍ତି, ନଗର ବିଷୟରେ ଆଧୁନିକ ମଣିଷର ଯାବତୀୟ ସ୍ୱପ୍ନକୁ ଅସ୍ତବ୍ୟସ୍ତ ଓ ନଷ୍ଟ କରି ଦେଇଛନ୍ତି । ଏହି ଅସୁସ୍ଥ ପ୍ରବୃତ୍ତିରେ ପରିବର୍ତ୍ତନ ନହେଲେ ଭାରତବର୍ଷରେ ଗ୍ରାମ ଓ ସହର କୌଣସିଟିକୁ ବି ସଜାଡ଼ି ହେବ ନାହିଁ, କୌଣସିଟିକୁ ଉନ୍ନୟନମୁଖୀ କରାଯାଇ ପାରିବନାହିଁ । ମାତ୍ର ଏଥିଲାଗି ଅନେକ କୋଟି ଖରଚ ହୋଇ କୌଣସି ଉତ୍ସାହିତ ଯୋଜନା ତିଆରି କରିବା ପୂର୍ବରୁ ଆଗ ଆମ ଦେଶର ବିଜ୍ଞାନ ଓ ସର୍ବୋପରି ସମାଜବିଜ୍ଞାନକୁ ଲୋକଭିତ୍ତିକ କରିବାକୁ ହେବ, ଜୀବନଭିତ୍ତିକ କରିବାକୁ ହେବ । ଅର୍ଥାତ୍‌ ଯେଉଁଠି ଜ୍ଞାନ ଓ ବିଜ୍ଞାନର ସର୍ବାଧିକ ଆବଶ୍ୟକତା ରହିଛି, ଆମ ବିଶେଷଜ୍ଞ ଓ ବୈଜ୍ଞାନିକମାନଙ୍କୁ ଆଗ ତାହାରି ଖବର ନେବାକୁହିଁ ପଡ଼ିବ ।

ତା ୨୪.୧୨.୧୯୭୬ ରିଖ

Image

 

ସୀମାନ୍ତ ଗାନ୍ଧୀ ଭାରତ ଆସନ୍ତୁ

 

ଏବେ ଅଳ୍ପଦିନ ହେଲା ସୀମାନ୍ତ ଗାନ୍ଧୀଙ୍କୁ ପାକିସ୍ଥାନ ସରକାର କାରାମୁକ୍ତ କରି ଦେଇଛନ୍ତି ଏବଂ କାରାମୁକ୍ତିର ଅବ୍ୟବହିତ ପରେ ସିଏ ଏକ ବିବୃତି ଦେଇ କହିଛନ୍ତି ଯେ ସେ ଆଉ ପାକିସ୍ଥାନରେ ରହିବାକୁ ଚାହାନ୍ତି ନାହିଁ । ସେ ପାକିସ୍ଥାନ ଛାଡ଼ିବାକୁ ଚାହାନ୍ତି । ତାଙ୍କର ମତରେ ପାକିସ୍ଥାନ ହିଂସାରେ ପରିପୂର୍ଣ୍ଣ ହୋଇ ରହିଛି ଏବଂ ସେହି ଦେଶରେ ଅସ୍ଥିରତା ଓ ଅଶିଷ୍ଟତା ବୃଦ୍ଧି ପାଇଛି । ସିଏ ଆଉ ସେଭଳି ଏକ ଦେଶରେ ଅର୍ଥାତ୍‌ ସେଭଳି ଗୋଟିଏ ପରିବେଶ ଭିତରେ ରହିବାକୁ ଇଚ୍ଛା କରୁନାହାନ୍ତି ।

 

ଗୋଟିଏ ଦେଶ ହିସାବରେ ପାକିସ୍ଥାନକୁ ଯେତିକି ବର୍ଷ ହେଲା, ସୀମାନ୍ତ ଗାନ୍ଧୀ ଖାଁ ଅବଦୁଲ ଗଫୁର ଖାଁ ତାହାର ପ୍ରାୟ ଦୁଇ ତୃତୀୟାଂଶ ଅବଧି ପାକିସ୍ଥାନର ଜେଲରେ କଟାଇଛନ୍ତି । ଅବଶ୍ୟ ଏକଥା ସତ ଯେ ଜଣେ ସତ୍ୟାଗ୍ରହୀ ଜେଲରେ ଅଛି ବା ଜେଲ ବାହାରେ ଅଛି, ତା’ନିଜ ପକ୍ଷରେ ତାହାର ବେଶୀ କିଛି ପାର୍ଥକ୍ୟ କେବେହେଲେ ନଥାଏ । ଏକ ବୃହତ୍ତର ଜେଲ ଭିତରୁ ଏକ କ୍ଷୁଦ୍ରତର ଜେଲକୁ ଆସିବା ଏବଂ ସେହି କ୍ଷୁଦ୍ରତର ଜେଲ ଭିତରୁ ପୁନରାୟ ବୃହତ୍ତର ଜେଲକୁ ଆସିବା ତାକୁ କୌଣସି ଆଘାତ ଦେଇପାରେ ନାହିଁ । କାରଣ ସିଏ ଯେଉଁ ସ୍ଥାନରେ ଥାଉ ପଛକେ, ସତ୍ୟର ପକ୍ଷରେହିଁ ରହିଥାଏ, ସତ୍ୟର ପ୍ରତିନିଧି ହୋଇ ରହିଥାଏ ଓ ଆବଶ୍ୟକ ହେଲେ ସତ୍ୟ ପଟରେ ରହି ମିଥ୍ୟା ସହିତ ସଂଗ୍ରାମ କରେ । ଜଣେ ସତ୍ୟାଗ୍ରହୀ ପ୍ରଚଣ୍ଡରୁ ପ୍ରଚଣ୍ଡ ଡିକ୍‌ଟେଟର ପାଖରେ ମଧ୍ୟ ମୁଣ୍ଡ ନୁଆଁଇବାକୁ ଯାଏ ନାହିଁ, ମିଥ୍ୟା ଅର୍ଥାତ୍ ଅନ୍ୟାୟ ସହିତ ସେ କୌଣସି ପ୍ରକାର ସାଲିସ କରେନାହିଁ । ଗଫୁର ଖାଁ ଠିକ ସେହି କଥା କରି ଆସିଛନ୍ତି; ଡିକ୍‌ଟେଟର ପାଖରେ ମୁଣ୍ଡ ନୁଆଇଁ ନାହାନ୍ତି କିମ୍ବା ଅନ୍ୟାୟ ସହିତ ସାଲିସ ବି କରିନାହାନ୍ତି ଏବଂ ପାକିସ୍ଥାନର ଶାସନକର୍ତ୍ତାମାନେ ଖାସ୍ ଏହି କଥାଟାକୁହିଁ ଏକ ଅକ୍ଷମଣୀୟ ଅପରାଧ ବୋଲି ଦେଖିଛନ୍ତି ଓ ସୀମାନ୍ତ ଗାନ୍ଧୀଙ୍କୁ ଜେଲ ଭିତରେ ଭର୍ତ୍ତି କରିସାରିବା ପରେ ଯାଇ ସବୁକିଛି ନିରାପଦ ରହିଲା ବୋଲି ବିଚାର କରିଛନ୍ତି ।

 

ପ୍ରାୟ ଦଶବର୍ଷରୁ ଉର୍ଦ୍ଧ୍ୱକାଳ ଜେଲ ଭିତରେ ରହିବା ପରେ ବେଶ୍ କେତେବର୍ଷ ତଳେ ସୀମାନ୍ତ ଗାନ୍ଧୀ ଅତୀତରେ ଆଉଥରେ ବି ଏହିପରି ବାହାରକୁ ଆସିଥିଲେ । ସେଥିରେ ତାଙ୍କ ସ୍ୱାସ୍ଥ୍ୟ ଖରାପ ଥିବାରୁ ତାଙ୍କୁ ଖଲାସ କରାଯାଇଥିଲା । ଆପଣାର ଚିକିତ୍ସାପାଇଁ ସେ ଇଂଲଣ୍ଡ ଗଲେ, ମାତ୍ର ସେଠୁ ପାକିସ୍ଥାନ ଫେରି ନ ଆସି ଆଫଗାନିସ୍ଥାନ ଫେରିଲେ ଏବଂ ସେହି ଦେଶର ରାଜଧାନୀ କାବୁଲଠାରେ ଅବସ୍ଥାନ କଲେ । ଏବେ ପାକିସ୍ଥାନ ଦୁଇ ଭାଗ ହୋଇଯିବା ପରେ ଓ ସୈନିକଶାସକ ୟ୍ୟାହ୍ୟା ଖାଁଙ୍କର ପତନ ଘଟିବା ପରେ ଯେତେବେଳେ ପାକିସ୍ଥାନରେ ସାଧାରଣ ନିର୍ବାଚନ ହେଲା ଏବଂ ଜୁଲଫିକର ଅଲି ଭୁଟ୍ଟୋ ପାକିସ୍ଥାନରେ ପ୍ରଧାନମନ୍ତ୍ରୀ ପଦରେ ବସିଲେ, ସେତେବେଳେ ଏହାକୁ ଏକ ସ୍ଥାୟୀ ରାଜନୀତିକ ପରିବର୍ତ୍ତନ ଏବଂ ଗଣତନ୍ତ୍ର ଶାସନ ଆଡ଼କୁ ଏକ ନିଶ୍ଚିତ ପଦକ୍ଷେପ ବୋଲି ମନେ କରି ସୀମାନ୍ତ ଗାନ୍ଧୀ ପାକିସ୍ଥାନକୁ ପ୍ରତ୍ୟାବର୍ତ୍ତନ କଲେ । କିନ୍ତୁ ପାକିସ୍ଥାନର ପରିସ୍ଥିତି ତାଙ୍କ ଲାଗି ଅସହ୍ୟ ହେବାକୁ ଆଦୌ ବେଶି ଡେରି ଲାଗିଲା ନାହିଁ ଏବଂ ଅପର ପକ୍ଷରେ ସିଏ ମଧ୍ୟ ପାକିସ୍ଥାନ ସରକାରଙ୍କ ପକ୍ଷରେ ଅସହ୍ୟ ହୋଇପଡ଼ିଲେ । ତାଙ୍କୁ ପୁନର୍ବାର ଜେଲ ଭିତରକୁ ଯିବାକୁ ପଡ଼ିଲା । ପ୍ରାୟ ଗୋଟାଏ ବର୍ଷ ଜେଲ ଭିତରେ ରହିବା ପରେ ସିଏ ଏବେ ପୁଣି ମୁକୁଳି ଆସିଛନ୍ତି ।

 

ଆମେ ଭାରତବର୍ଷରେ ଗାନ୍ଧୀ ଶତବାର୍ଷିକୀ ପାଳନ କରୁଥିବା ସମୟରେ ସୀମାନ୍ତ ଗାନ୍ଧୀ ଭାରତ ସରକାରଙ୍କର ନିମନ୍ତ୍ରଣକ୍ରମେ ଏଠାକୁ ଆସିଥିଲେ । ସେହିବର୍ଷ ଭାରତ ସରକାରଙ୍କ ତରଫରୁ ତାଙ୍କୁ ନେହେରୁ ଶାନ୍ତି ପୁରସ୍କାର ପ୍ରଦତ୍ତ ହୋଇଥିଲା । ସେହି ଅବସରରେ ସେ ଭାରତବର୍ଷର ବିଭିନ୍ନ ରାଜ୍ୟ ପରିଭ୍ରମଣ କରିଥିଲେ । ଆମ ଓଡ଼ିଶାକୁ ମଧ୍ୟ ଆସିଥିଲେ । ସବୁଆଡ଼େ ଜନଗଣଙ୍କ ପକ୍ଷରୁ ତାଙ୍କୁ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା ମିଳିଥିଲା । ମହାତ୍ମାଗାନ୍ଧୀଙ୍କ ପରେ ସୀମାନ୍ତ ଗାନ୍ଧୀ ଯେ ଭାରତବାସୀଙ୍କ ହୃଦୟରେ ଏକ ପରମ ବାନ୍ଧବର ସ୍ଥାନ ଅଧିକାର କରି ରହିଛନ୍ତି; ସେତେବେଳେ ଦେଶସାରା ତାହାରି ପ୍ରମାଣ ମିଳିଥିଲା । ସୀମାନ୍ତର ପଠାଣମାନଙ୍କୁ ଓ ଖୁଦା-ଇ-ଖିଦ୍‍ମତ୍‌ଗାର୍‌ମାନଙ୍କୁ ଆମେ ହେଟାଙ୍କ ହାତରେ ଛାଡ଼ିଦେଇ ଆସିଲୁ ବୋଲି ସୀମାନ୍ତ ଗାନ୍ଧୀ ସେତେବେଳେ ଅଭିଯୋଗ କରି କହିଥିଲେ । ସ୍ମରଣ ରହିବା ଉଚିତ ଯେ ସୀମାନ୍ତ ଗାନ୍ଧୀ ଓ ତାଙ୍କଦ୍ୱାରା ଅନୁପ୍ରେରିତ ଖୁଦା-ଇ-ଖିଦ୍‌ମତ୍‌ଗାର୍ ସେନା ଭାରତକୁ ଭାଗ ଭାଗ କରିବାର ବିରୁଦ୍ଧରେ ଥିଲେ ସେମାନେ ସ୍ୱାଧୀନତା ସଂଗ୍ରାମରେ ଅଗ୍ରଣୀ ହୋଇ ଲଢ଼ିଥିଲେ, ଏକ ଅଖଣ୍ଡ ଭୂମି ଲାଗିହିଁ ଲଢ଼ିଥିଲେ । ବିଭାଜନକାରୀମାନଙ୍କ ସହିତ ସେମାନେ କେବେହେଲେ କୌଣସି ସହଯୋଗ କରି ନଥିଲେ । ହିନ୍ଦୁ-ମୁସଲମାନ ଦୁଇଟି ଅଲଗା ଜାତି ବୋଲି ମାନି ନେଇ ଭାରତରେ ସ୍ୱାଧୀନତା ଆସିବା ସଙ୍ଗେ ସଙ୍ଗେ ଯେଉଁ ବିଭାଜନ ଘଟିଲା, ପଠାଣମାନେହିଁ ତଦ୍ଦ୍ୱାରା ସବୁଠାରୁ ଅଧିକ କ୍ଷତି ସହିଲେ । ଯେଉଁ ଆତ୍ମ-ନିୟନ୍ତ୍ରଣର ଅଧିକାର ମୁସଲିମ୍‌ ଲିଗ୍‌କୁ ଦିଆଗଲା, ସୀମାନ୍ତ ରାଜ୍ୟର ପଠାଣମାନଙ୍କୁ ସେଥିରୁ ବଞ୍ଚିତ କରି ରଖାଗଲା ।

 

ସୀମାନ୍ତ ଗାନ୍ଧୀ ଯଦି ପ୍ରକୃତରେ ପାକିସ୍ଥାନ ଛାଡ଼ି ଅନ୍ୟତ୍ର ଚାଲିଯିବାକୁ ଇଚ୍ଛା କରୁଛନ୍ତି; ତେବେ ସେ ଭାରତ ଆସନ୍ତୁ । ଭାରତବର୍ଷ ତାଙ୍କୁ ନିମନ୍ତ୍ରଣ କରି ଆଣୁ । ଜାତୀୟ ମୁକ୍ତିସଂଗ୍ରାମର ଜଣେ ଅନନ୍ୟ ବୀରରୂପେ ଓ ସ୍ୱାଧୀନ ଜନ ସମୂହର କୁଳବୃଦ୍ଧ ଦ୍ରଷ୍ଟାରୂପେ ସେ ଭାରତବର୍ଷରେ ଆସି ରହନ୍ତୁ । ଆମ ଦେଶକୁ ନୂତନ କରି, ପ୍ରଗତିମୁଖୀ କରି ଗଢ଼ିବାରେ ଯେଉଁ ଉଦ୍ୟମ ଏଠାରେ ଲାଗିରହିଛି, ସେହି ଯାବତୀୟ ଉଦ୍ୟମରେ ସୀମାନ୍ତ ଗାନ୍ଧୀ ଆମରି ଲାଗି ଏଠାରେ ପ୍ରେରଣା ହୋଇ ରହନ୍ତୁ । ଆମର ଯାବତୀୟ ଆଳସ୍ୟ ଓ ଜଡ଼ତାକୁ ଭାଙ୍ଗିଦେବାକୁ ସେ ଆମରି ପାଖରେ ଏକ ସଚେତକ ପରି ହୋଇ ରହିଥାନ୍ତୁ । ସ୍ୱାଧୀନତା ପୂର୍ବରୁ ଆକାଙ୍‌କ୍ଷା ଏବଂ ସ୍ୱାଧୀନତାର ପରବର୍ତ୍ତୀ କାଳରେ କରାଯାଇଥିବା ଆମର ଯାବତୀୟ ପ୍ରଚେଷ୍ଟା ମଧ୍ୟରେ ସିଏ ପ୍ରକୃତରେ ଏକ ସଂଯୋଜକ ହୋଇ ରହିଥାନ୍ତୁ । ଆମର ସଂକଳ୍ପଗୁଡ଼ାକୁ ପୁନରୁଜ୍ଜୀବିତ କରିବା ଲାଗି ସେ ଏଇଠି ଆମର ସାଥୀ ହୋଇ ରହନ୍ତୁ, ବୀର ହୋଇ ରହନ୍ତୁ । ସୀମାନ୍ତ ଗାନ୍ଧୀ ଭାରତବର୍ଷ ଆସିଲେ, ତଦ୍ଦ୍ୱାରା ସ୍ୱୟଂ ଭାରତବର୍ଷ ଯେ ସମ୍ମାନିତ ହେବ, ଭାରତବାସୀ ସମସ୍ତେ ତାହା ନିଶ୍ଚୟ ସ୍ୱୀକାର କରିବେ ।

ତା ୨୫.୧୨.୧୯୭୬ ରିଖ

Image

 

ଚୀନର ଜନସମସ୍ୟା

 

ଆୟତନ ଦୃଷ୍ଟିରୁ ବିଚାର କଲେ ଚୀନ ସାଧାରଣତନ୍ତ୍ର ହେଉଛି ଏସିଆର ବୃହତ୍ତମ ଦେଶ । ଚୀନଦେଶରେ ପ୍ରକୃତରେ କେତେ ସଂଖ୍ୟାରେ ଲୋକ ବାସ କରୁଛନ୍ତି, ତାହା କହିପାରିବା ଆଦୌ ସମ୍ଭବ ନୁହେଁ । ଚୀନ ସରକାରୀ ଦପ୍ତରମାନଙ୍କରୁ ସାଧାରଣତଃ ଏ ସମ୍ବନ୍ଧୀୟ ନିର୍ଭୁଲ କୌଣସି ବିବରଣୀ ପ୍ରାୟ ପ୍ରକାଶିତ ହୁଏ ନାହିଁ । ତଥାପି ସମୀକ୍ଷକ ଏବଂ ପର୍ଯ୍ୟବେକ୍ଷକମାନେ ଅନୁମାନ କରି କହୁଛନ୍ତି ଯେ ସେ ଦେଶରେ ଲୋକସଂଖ୍ୟା ବର୍ତ୍ତମାନ ୮୫ ରୁ ୯୩ କୋଟି ଭିତରେ ଏବଂ ଏହି ସଂଖ୍ୟା ପୃଥିବୀର ଯେ କୌଣସି ଦେଶ ଅପେକ୍ଷା ବୃହତ୍ତର । ସାଇବିରିଆ ଓ ଏସୀୟ ଅଞ୍ଚଳକୁ ମିଶାଇ ସୋଭିଏତ ରୁଷିଆର ଭୂମି- ଆୟତନ ଚୀନ ଦେଶ ତୁଳନାରେ ଅଧିକ ବଡ଼ ହୋଇଥିଲେ ମଧ୍ୟ ଲୋକସଂଖ୍ୟା କ୍ଷେତ୍ରରେ ଚୀନଦେଶ ହେଉଛି ସବୁଠାରୁ ଅଧିକ ଜନବହୁଳ ।

 

୧୯୫୩ ମସିହା ପର୍ଯ୍ୟନ୍ତ ଚୀନଦେଶରେ ଲୋକସଂଖ୍ୟା ବିଷୟରେ ଯେଉଁ ରାଷ୍ଟ୍ରୀୟ ନୀତି ଅନୁସରଣ କରାଯାଉଥିଲା, ବର୍ତ୍ତମାନ ତାହାକୁ ଏକ ଜାତିବିରୋଧୀ ନୀତି ବୋଲି କୁହାଯାଉଛି-। ପ୍ରକୃତ କଥା କହିବାକୁ ଗଲେ ଏ କ୍ଷେତ୍ରରେ ହୁଏତ ଆଦୌ କୌଣସି ନୀତି ଅନୁସରଣ କରାଯାଉ ନ ଥିଲା । ଲୋକସଂଖ୍ୟାକୁ ତା’ର ଆପଣା ଇଚ୍ଛାରେ ବଢ଼ିବା ଲାଗି ଛାଡ଼ି ଦିଆଯାଇଥିଲା । ଲୋକସଂଖ୍ୟା କ୍ଷେତ୍ରରେ ରାଷ୍ଟ୍ର ତରଫରୁ ଅଥବା ସାଧାରଣଙ୍କ ତରଫରୁ ଉଲ୍ଲେଖଯୋଗ୍ୟ କୌଣସି ଯୋଜନା ନ ଥିଲା । ୧୯୬୪ ମସିହାରେ ଯାଇ ଚୀନର ତତ୍କାଳୀନ ପ୍ରଧାନମନ୍ତ୍ରୀ ଚାଉ-ଏନ-ଲାଇ ଘୋଷଣା କଲେ ଯେ ଦେଶର ବାର୍ଷିକ ଜନସଂଖ୍ୟା- ବୃଦ୍ଧିର ପରିମାଣକୁ ଶତକଡ଼ା ଦୁଇଭାଗରୁ ତଳକୁ ଆଣିବାକୁ ହେବ । ତା’ ହେଲେ ଯାଇ ଦେଶର ଖାଦ୍ୟ-ଉତ୍ପାଦନ ଏବଂ ସମ୍ପନ୍ନତା ବୃଦ୍ଧି ସହିତ ଜାତୀୟ ଲୋକସଂଖ୍ୟା ବୃଦ୍ଧିର ମଧ୍ୟ ଏକ ସାମଞ୍ଜସ୍ୟ ରହିପାରିବ ଓ ଦେଶକୁ ଆଉ କୌଣସି ଉତ୍କଟ ବିକାଶଗତ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ ।

 

ସେହି ବର୍ଷଠାରୁ ଚୀନର ସରକାର ଓ ଚୀନ କମ୍ୟୁନିଷ୍ଟପାର୍ଟି ଲୋକସଂଖ୍ୟାର ବୃଦ୍ଧି ପରିମାଣକୁ ଯୋଜନାନୁଗତ ଏକ ସୀମା ଭିତରେ ରଖିବା ଲାଗି ଯାହାକିଛି ଉପାୟ ଅବଲମ୍ବନ କରି ଆସିଛନ୍ତି, ଚୀନର ରାଜନୀତିକ ପରିସ୍ଥିତିରେ ଘଟିଥିବା ଯାବତୀୟ ହେରଫେରଦ୍ୱାରା ତାହା କେବେହେଲେ ବ୍ୟାହତ ହୋଇନାହିଁ । ଚୀନଦେଶରେ ଗତ ଦଶକରେ ତୁମୁଳ ସାଂସ୍କୃତିକ ବିପ୍ଳବର ବାତ୍ୟା ବୋହୁଥିଲେ ମଧ୍ୟ ପରିବାର ନିୟୋଜନ ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିବାରେ କୌଣସି ତ୍ରୁଟି କରାଯାଇ ନ ଥିଲା ଏବଂ ତାହାରି ଫଳରେ ସେହିସବୁ ବ୍ୟବସ୍ଥା ଚୀନଦେଶରେ ଯେଉଁ ସଫଳ ପରିଣାମଗୁଡ଼ିକୁ ସମ୍ଭବ କରିଛି, ତାହା ପୃଥିବୀର ପ୍ରାୟ ଅନ୍ୟ କୌଣସି ବୃହତ୍‌ ବିକାଶଶୀଳ ଦେଶରେ ସମ୍ଭବ ହୋଇ ପାରିନାହିଁ । ଚୀନଦେଶରେ ବର୍ତ୍ତମାନ ସମଗ୍ର ପୃଥିବୀର ଏକ ପଞ୍ଚମାଂଶ ମନୁଷ୍ୟ ବାସ କରୁଛନ୍ତି । ଚୀନଦେଶରେ ମୃତ୍ୟୁସଂଖ୍ୟା ଖୁବ୍ କ୍ଷିପ୍ରଭାବରେ କମିଆସୁଛି । ନୂତନ ଜନ୍ମର ହାର ମଧ୍ୟ ଏପରି ଏକ ସ୍ତରକୁ କମି ଆସିପାରିଛି, ଯାହାକୁ କି ବ୍ରାଜିଲ୍, ଭାରତବର୍ଷ, ପାକିସ୍ଥାନ ଓ ଇଣ୍ଡୋନେସିଆ ପ୍ରଭୃତି ଅନ୍ୟ ବୃହତ୍ ବିକାଶଶୀଳ ଦେଶଗୁଡ଼ିକ ତୁଳନାରେ ଯଥେଷ୍ଟ ଅଧିକ କମ୍ ବୋଲି କୁହାଯାଇ ପାରିବ । ଗ୍ରାମାଞ୍ଚଳର ଆବଶ୍ୟକତାରୁ ଅଧିକ ଲୋକ ଯେପରି ସହର ଅଞ୍ଚଳକୁ ଉଠି ନ ଯିବେ, ସେହି ଦିଗରେ ସଫଳ ନିୟନ୍ତ୍ରଣ ବ୍ୟବସ୍ଥାମାନ ଗ୍ରହଣ କରାଯାଇଛି-। ଚୀନରେ ଅଧିକାଂଶ ଲୋକ ଗ୍ରାମରେହିଁ ବାସ କରୁଛନ୍ତି । ବିବାହର ସର୍ବନିମ୍ନ ବୟସକୁ ଆହୁରି ଘୁଞ୍ଚାଇ ଦିଆଯାଇଛି ଏବଂ ଚୀନ ଦେଶରେ ଆଗେ ଶିଶୁ ମୃତ୍ୟୁସଂଖ୍ୟା ଯେଉଁ ସ୍ତରରେ ଥିଲା, ବର୍ତ୍ତମାନ ତାହା ସେହି ସ୍ତରରୁ ଅନେକ ତଳକୁ ଚାଲିଆସି ପାରିଛି । ହିସାବ କରି ଦେଖାଯାଉଛି ଯେ ଚଳିତ ଶତାବ୍ଦୀର ଶେଷଭାଗ ବେଳକୁ ଚୀନ ଦେଶର ଲୋକସଂଖ୍ୟା ମୋଟ ଶତକଡ଼ା ପ୍ରାୟ ତିରିଶ ଭାଗ ବୃଦ୍ଧି ପାଇଥିବ । ପୃଥିବୀର ଅନ୍ୟ ବିକାଶଶୀଳ ଦେଶଗୁଡ଼ିକ ସହିତ ତୁଳନା କଲେ ଏହାକୁ ପ୍ରକୃତରେ ଅତ୍ୟନ୍ତ ସନ୍ତୋଷଜନକ ଓ ଆଶାପ୍ରଦ ବୋଲି କୁହାଯାଇ ପାରିବ-

 

ଚୀନଦେଶର ଆଇନ ଅନୁସାରେ ବିବାହର ସର୍ବନିମ୍ନ ବୟସ ସେହି ଦେଶରେ ଝିଅମାନଙ୍କ ସକାଶେ ଅଠର ବର୍ଷ ଓ ପୁଅମାନଙ୍କ ସକାଶେ ବାଇଶି ବର୍ଷ ରହିଛି । ମାତ୍ର ପରିବାର ନିୟୋଜନର ପ୍ରଚାରସଂସ୍ଥାମାନ ସେହି ବୟସକୁ ଆହୁରି ଅଧିକ ଗଡ଼ାଇଦେବା ଲାଗି ଲୋକମାନଙ୍କୁ ପ୍ରବର୍ତ୍ତାଇ ପାରୁଛି । ଚୀନଦେଶରେ ବୟସ ଅନୁସାରେ ମଜୁରି ବୃଦ୍ଧି କରାଯିବାର ବ୍ୟବସ୍ଥା ରହିଛି । ଅର୍ଥାତ୍‌ ଅଳ୍ପ ବୟସରେ ବିବାହ କରି ପକାଇଲେ ଗୋଟିଏ ପରିବାର ଚଳାଇ ପାରିବା ଲାଗି ଯଥେଷ୍ଟ ମଜୁରି ନ ପାଇବାରହିଁ ଅଧିକ ଆଶଙ୍କା ରହିଛି । କେବଳ ଅବିବାହିତମାନଙ୍କ ସକାଶେହିଁ ବିଶ୍ୱବିଦ୍ୟାଳୟ ଶିକ୍ଷା ପାଇଁ ଅନୁମତି ମିଳିପାରୁଛି । ପରିବାର ନିୟୋଜନ କାର୍ଯ୍ୟକ୍ରମକୁ ପ୍ରାୟ ସର୍ବନିମ୍ନ ସ୍ତରରୁହିଁ ଆରମ୍ଭ କରାଯାଇଛି । ପ୍ରାୟ କୋଡ଼ିଏ କୋଡ଼ିଏଟି ପରିବାରକୁ ଏକାଠି ମିଶାଇ ଗୋଟିଏ ଗୋଟିଏ ଏକକ ବା ବ୍ଲକ ଗଠନ କରାଯାଇଛି ଏବଂ ସେଥିରେ ଜଣେ ମହିଳାଙ୍କୁ ପରିବାର ନିୟୋଜନ ସମ୍ପର୍କୀୟ ଯାବତୀୟ କାର୍ଯ୍ୟକାରିତାର ଦାୟିତ୍ୱ ଦେଇ ନିଯୁକ୍ତ କରାଯାଇଛି । ଏକକଟି ମଧ୍ୟରେ ସମ୍ପୃକ୍ତ ସବୁ ସ୍ତ୍ରୀଲୋକ ଜନ୍ମନିରୋଧ ସମ୍ବନ୍ଧରେ ଉପଲବ୍‌ଧ ଉପାୟଗୁଡ଼ିକୁ ଜାଣିଛନ୍ତି ଏବଂ ସେହିସବୁ ଉପାୟକୁ ଯେ ପ୍ରକୃତରେ ଗ୍ରହଣ କରୁଛନ୍ତି, ଏହି କଥାଟିକୁ ଦେଖିବା ସେହି ମହିଳାଙ୍କ କାର୍ଯ୍ୟ ହୋଇ ରହିଛି । ସ୍ଥାନୀୟ ସ୍ୱାସ୍ଥ୍ୟକେନ୍ଦ୍ରଗୁଡ଼ିକରେ ପ୍ରତ୍ୟେକ ସ୍ତ୍ରୀ ଲୋକର ବା ଗୃହିଣୀର ଜନ୍ମନିୟନ୍ତ୍ରଣ ସମ୍ପର୍କୀୟ ବିସ୍ତୃତ ରେକର୍ଡ଼ମାନ ରଖାଯାଉଛି ।

 

ଚୀନ ସରକାରୀ କର୍ତ୍ତୃପକ୍ଷ ଏବଂ ଦାୟିତ୍ୱବାନ୍‌ ରାଜନୀତିକ ଦଳ ତରଫରୁ ଏହି ସଫଳତାର କାରଣ ଦର୍ଶାଇ କୁହାଉଛି ଯେ ଚୀନଦେଶର ଜନଗଣଙ୍କୁ ଏକ ସାମାଜିକ ପୂର୍ଣ୍ଣ ବିପ୍ଳବକୁ ପରିପୂର୍ଣ୍ଣ କରିବାରେ ଏତେଦୂର ଉଦ୍‌ବୁଦ୍ଧ କରି ରଖାଯାଇଛି ଯେ ଲୋକେ ସର୍ବୋପରି ସେହିସବୁ କାର୍ଯ୍ୟକ୍ରମ ସହିତହିଁ ଆପଣାକୁ ଅନୁପ୍ରାଣିତ କରି ରଖିଛନ୍ତି । ନାରୀ ସ୍ୱାଧୀନତା ଓ ଆର୍ଥିକ କ୍ଷେତ୍ରରେ ନାରୀର ସ୍ୱାବଲମ୍ବନ ଓ ସମକକ୍ଷତା ମଧ୍ୟ ସେମାନଙ୍କୁ ଆପଣାକୁ ସାମାଜିକ ଉଚ୍ଚ ସମ୍ମାନ ସ୍ଥାନରେ ରଖିବା ଲାଗି ଆଉ ମାଆ ହେବାକୁ ବାଧ୍ୟ କରୁନାହିଁ । ଚୀନରେ କାର୍ଯ୍ୟରୁ ଅବସର ପାଇବା ପରେ ମିଳୁଥିବା ଭତ୍ତା ପରିମାଣ ମଧ୍ୟ ବଢ଼ାଇ ଦିଆଯାଇଛି । ତେଣୁ ପୁତ୍ର ସନ୍ତାନ ବଡ଼ ହୋଇ ବୁଢ଼ାଦିନେ ପୋଷିବ ବୋଲି ଆଗରୁ ରହି ଆସିଥିବା ନିର୍ଭରଶୀଳତା ମଧ୍ୟ ପ୍ରାୟ ଅନ୍ତର୍ହିତ ହୋଇଯାଇଛି । ସେଠାରେ ଅବସର ପରେ ସର୍ବଶେଷ ବେତନର ଶତକଡ଼ା ୭୦ ଭାଗ ଅବସର ଭତ୍ତା ବାବଦରେ ଦିଆଯିବାର ବ୍ୟବସ୍ଥା ରହିଛି ।

 

ଭାରତବର୍ଷ ମଧ୍ୟ ଚୀନ ପରି ଏକ ବୃହତ୍ ଦେଶ । ଭାରତରେ ମଧ୍ୟ ଜନସଂଖ୍ୟାବୃଦ୍ଧି ସମସ୍ୟା ରହିଛି । ଆମେ ଚୀନଦେଶର ଦୃଷ୍ଟାନ୍ତରୁ ଏହି କ୍ଷେତ୍ରରେ ନିଶ୍ଚୟ ଅନେକ କିଛି ଶିକ୍ଷା କରିପାରିବା ।

ତା. ୨୬.୧୨.୧୯୭୬ ରିଖ

Image

 

ମୃତ ବୋଲି ଧରିନେବା ଉଚିତ

 

ଭିଏଟ୍‌ନାମ, ଲାଓସ୍‌ ଓ କାମ୍ବୋଡ଼ିଆରେ ଯେଉଁ କେତେଶହ ଆମେରିକା ସୈନ୍ୟ ନିଖୋଜ ହୋଇ ଯାଇଛନ୍ତି ବୋଲି ସନ୍ଦେହ କରାଯାଉଥିଲା, ସେମାନଙ୍କୁ ବର୍ତ୍ତମାନ ମୃତ ବୋଲି ଧରିନେବା ଉଚିତ ବୋଲି ଆମେରିକାର ଜଣେ ସରକାରୀ ମୁଖପାତ୍ର ମନ୍ତବ୍ୟ ପ୍ରକାଶ କରିଛନ୍ତି । ଏହି ନିଖୋଜ ସୈନିକମାନଙ୍କୁ କେନ୍ଦ୍ର କରି ଆମେରିକା ମିଳିତ ଜାତିସଂଘ ଓ ବିଶ୍ୱ ନିରାପତ୍ତା ପରିଷଦର ବୈଠକ ପର୍ଯ୍ୟନ୍ତ କେତେ କୃତ୍ରିମ ଝଡ଼ ସୃଷ୍ଟି କରିବାରେ ଲାଗିଥିଲା । ନିଖୋଜ ସୈନିକମାନଙ୍କ ବିଷୟରେ ସମ୍ପୃକ୍ତ ସରକାରମାନେ ଯେଉଁ ବିବରଣୀ ଆମେରିକାକୁ ଦେଇଛନ୍ତି, ତାହା ମୋଟେ ସନ୍ତୋଷଜନକ ନୁହେଁ ବୋଲି ଆମେରିକା ବିଗତ ଅନେକ ଦିନ ଧରି ପ୍ରାୟ ଏକ ପ୍ରତିହିଂସାମୂଳକ ପ୍ରତିବାଦ ମଧ୍ୟ କରି ଆସୁଥିଲା । ମିଳିତ ଜାତିସଂଘର ସଦସ୍ୟ ହେବା ଲାଗି ଭିଏଟ୍‌ନାମର ପ୍ରାର୍ଥନାପତ୍ର ଯେତେବେଳେ ଜାତିସଂଘ ଓ ନିରାପତ୍ତା ପରିଷଦରେ ଆଲୋଚିତ ହେଇଥିଲା, ଆମେରିକା ଖାସ୍‌ ଏହି ଆଳଟି ଦେଖାଇ ସେଇଟିକୁ ଟାଳି ଦେବା ଲାଗି କମ୍‌ ପ୍ରଚେଷ୍ଟା କରିନାହିଁ । ପୁନଶ୍ଚ, ଯେତେବେଳେ ଭିଏଟ୍‌ନାମର ଏହି ସଦସ୍ୟତା ସପକ୍ଷରେ ମିଳିତ ଜାତିସଂଘର ସାଧାରଣ ଅଧିବେଶନ ଏବଂ ନିରାପତ୍ତା ପରିଷଦରେ ନିଶ୍ଚିତ ବହୁମତ ପ୍ରକାଶ ପାଇଥିଲା, ସେତେବେଳେ ମଧ୍ୟ ଆମେରିକା ତା’ର ସର୍ବଶେଷ ଅସ୍ତ୍ରଟିକୁ ପ୍ରୟୋଗ କରିବାକୁ ଆଦୌ କୁଣ୍ଠାବୋଧ କରିନାହିଁ ଏବଂ ଭେଟୋ କ୍ଷମତାର ପ୍ରୟୋଗ କରି ବହୁମତର ନିଷ୍ପତ୍ତିକୁ ଏକାଧିକବାର ପଣ୍ଡ ବି କରିଦେଇଛି । ବର୍ତ୍ତମାନ ମଧ୍ୟ ସେହି ପ୍ରଶ୍ନଟି ସେହି ପୂର୍ବପରି ଏକ ଅନିଶ୍ଚିତ ଅବସ୍ଥାରେହିଁ ରହିଛି ।

 

ଆମେରିକା ଯେ ନିଖୋଜ ସୈନିକମାନଙ୍କୁ ମୃତ ବୋଲି ଧରିନେବା ଲାଗି ବିଚାର କରୁଛି, ପୃଥିବୀର ଅନେକ ଶିବିରରେ ଏହା ନିଶ୍ଚୟ ଅନେକ ଆଶ୍ୱାସନାର କାରଣ ହେବ । ସ୍ମରଣ ଥାଇପାରେ ଯେ ଗତମାସରେ ଯେତେବେଳେ ମିଳିତ ଜାତିସଂଘର ସାଧାରଣ ଅଧିବେଶନରେ ଭିଏଟ୍‌ନାମର ସଦସ୍ୟତା ବିଷୟରେ ଆଲୋଚନା ହେଉଥିଲା, ସେତେବେଳେ ଜାତିସଂଘରେ ଅବସ୍ଥାପିତ ଆମେରିକା ସରକାରଙ୍କର ପ୍ରତିନିଧି ଶ୍ରୀଯୁକ୍ତ ସ୍କ୍ରାଣ୍ଟନ୍‌ ପ୍ରାୟ ଧମକ ଦେଲା ପରି କହିଥିଲେ ଯେ, ଆମେରିକାର ସନ୍ତୋଷଭାଜନ ହେଲା ଭଳି ଭିଏଟ୍‌ନାମ ସରକାରଙ୍କଠାରୁ ନିଖୋଜ ସୈନିକମାନଙ୍କ ବିଷୟରେ ବିବରଣୀ ମିଳି ନଥିବା ପର୍ଯ୍ୟନ୍ତ ଜାତିସଂଘରେ ଭିଏଟ୍‌ନାମ ସଦସ୍ୟ ହେଉ ବୋଲି ପ୍ରସ୍ତାବକୁ ଆମେରିକା ଆପଣାର ଭେଟୋ ପ୍ରୟୋଗଦ୍ୱାରା ପଣ୍ଡ କରିଦେବାରେ ଲାଗିଥିବ । ବର୍ତ୍ତମାନ ଆଶା କରାଯାଇପାରେ ଯେ ଆମେରିକା ଏଣିକି ଏହି ପ୍ରଶ୍ନଟି ବିଷୟରେ ଆଉ ଏତେଦୂର ପ୍ରଚଣ୍ଡ ଓ ଅନମନୀୟ ହେବନାହିଁ । ନିଖୋଜ ସୈନିକମାନଙ୍କୁ ମୃତ ବୋଲି ଧରିନେବାକୁ ଆମେରିକା ସରକାର ଯଦି ପ୍ରକୃତରେ ଚିନ୍ତା କରୁଥାନ୍ତି, ତେବେ ଆମେରିକା ଭିଏଟ୍‌ନାମ ଭୂମିରୁ ହଟିଆସିବା ପରେ ଏକାଧିକ କ୍ଷେତ୍ରରେ ସେହି ଦେଶ ପ୍ରତି ଯେଉଁଭଳି ରୋଷପୂର୍ଣ୍ଣ ପ୍ରତିହିଂସାତ୍ମାକ ମନୋଭାବ ଦେଖାଇ ଆସିଛି, ଏଣିକି ସେଥିରେ ମଧ୍ୟ ଅବଶ୍ୟ ଏକ ପରିବର୍ତ୍ତନ ଘଟିବ । କହିବା ବାହୁଲ୍ୟ, ଏକଥା ସାଂପ୍ରତିକ ବିଶ୍ୱରାଜନୀତିକୁ ମଧ୍ୟ ଅନେକ ପ୍ରକାରେ ନିଶ୍ଚୟ ପ୍ରଭାବିତ କରିବ ।

 

ଯେତେବେଳେ ଉଦାର ହେବାର ପ୍ରତ୍ୟାଶା କରା ଯାଉଥାଏ, ସେତେବେଳେ ଅତ୍ୟନ୍ତ ପ୍ରତିହିଂସାପୂର୍ଣ୍ଣ ଆଚରଣ କରିବା ଅନେକ ସମୟରେ ସତେଅବା ଆମେରିକା ସରକାରଙ୍କର ଏକ ବିଶେଷ ରୀତି ବୋଲି ପ୍ରତୀତ ହୋଇଥାଏ । ଯେତେବେଳେ ଭୁଲରୁ ଶିଖିବା ଉଚିତ, ଠିକ୍‌ ସେତିକିବେଳେ ଅଧିକ ଅନମନୀୟତା ଦେଖାଇ ଆହୁରି ଅଧିକ ଭୁଲ କରି ବସିବା ଓ ସଂପୃକ୍ତ ସମଗ୍ର କ୍ଷେତ୍ରଟିକୁ ଅଧିକ ଜଟିଳତା ଭିତରକୁ ଟାଣିନେବା ସତେଯେପରି ଆମେରିକା ସରକାରଙ୍କର ଏକ ଅଭ୍ୟାସରେ ପରିଣତ ହୋଇ ଯାଇଥିବା ପରି ମନେହୁଏ । ଚୀନ ସାଧାରଣତନ୍ତ୍ରକୁ ଆନୁଷ୍ଠାନିକ ସ୍ୱୀକୃତି ଦେଇ ଜାତିସଂଘରେ ତାହାକୁ ସଦସ୍ୟ କରିନେବା ସମୟରେ ମଧ୍ୟ ଆମେରିକା ଏକଦା ଠିକ୍‌ ଏହିପରି ଏକ ନିଷ୍ଫଳ ଅନମନୀୟତା ଦେଖାଇଥିଲା । କୋ ମିନ୍‌ ଟାଙ୍ଗ୍ ସରକାରଙ୍କୁ ସମର୍ଥନ କରି ଆମେରିକା ଯେଉଁ ଭୁଲ କରି ଆସିଥିଲା, ପରିସ୍ଥିତି ଓ ତଜ୍ଜନିତ ବାସ୍ତବ ବିପର୍ଯ୍ୟୟରୁ ଶିକ୍ଷା କରି ଆମେରିକା ଚୀନ୍‌ ସାଧାରଣତନ୍ତ୍ରକୁ ସ୍ୱୀକାର କରିନେଇ ଅନ୍ତଃରାଷ୍ଟ୍ରୀୟ ଶିଷ୍ଟତାର ପରିଚୟ ଦେଇ ପାରିଥାନ୍ତା । କିନ୍ତୁ ସେକଥା ସମ୍ଭବ ହେଲାନାହିଁ । ଆମେରିକା ଚୀନ ସାଧାରଣତନ୍ତ୍ର ପ୍ରତି ପ୍ରାୟ ଏକ ପ୍ରତିହିଂସାମୂଳକ ଆଚରଣ କଲା, ଆନ୍ତର୍ଜାତିକ ପରିସ୍ଥିତିକୁ ଅନେକ ଜଟିଳ ଓ ପଙ୍କିଳ କରିବାରେ ମଧ୍ୟ ସାହାଯ୍ୟ କଲା । ଏପରିକି ସେହି ଆଚରଣ କେତେକ କ୍ଷେତ୍ରରେ ନୂଆ ହୋଇ ସ୍ୱାଧୀନତା ଲାଭ କରୁଥିବା ତୃତୀୟ ପୃଥିବୀକୁ ମଧ୍ୟ କେତେପ୍ରକାରେ ଅନାବଶ୍ୟକ ଅଡ଼ୁଆ ଭିତରେ ଆଣି ପକାଇଦେଲା । ଏହିପରି ବେଶ୍‌ କେତେବର୍ଷ କାଳ ଏକ ଅନିଷ୍ଟକାରୀ ସଂଶୟ ମଧ୍ୟଦେଇ ଗତି କରିବାପରେ ଆମେରିକା ଚୀନ ସାଧାରଣତନ୍ତ୍ରକୁ ସ୍ୱୀକାର କଲା, ଚୀନ ସାଧାରଣତନ୍ତ୍ର ଜାତିସଂଘର ସଦସ୍ୟ ହେବାରେ ଆଉ ଭେଟୋପ୍ରୟୋଗ ବି କଲାନାହିଁ । ଏହା ଫଳରେ ଅନ୍ତଃରାଷ୍ଟ୍ରୀୟ ସମ୍ବନ୍ଧର କ୍ଷେତ୍ରରେ ଯେଉଁ ପରିବର୍ତ୍ତନ ଘଟିଲା, ସାମ୍ପ୍ରତିକ ଇତିହାସର ସବୁ ଛାତ୍ର ସେକଥାଗୁଡ଼ିକୁ ନିଶ୍ଚୟ ମନେ ରଖିଥିବେ ।

 

ଭିଏଟ୍‌ନାମ୍‌ ଯୁଦ୍ଧରେ ଆପଣାକୁ ଆଣି ଲିପ୍ତ କରିଦବା ସମୟରେ ମଧ୍ୟ ଆମେରିକା ସରକାର ଆହୁରି ଅଧିକ ସଂଯମ ଅବଲମ୍ବନ କରି ପାରିଥାନ୍ତେ । ମାତ୍ର ବାସ୍ତବ କ୍ଷେତ୍ରରେ ଠିକ୍‌ ଓଲଟାହିଁ ଘଟିଲା । ଯାହାକୁ ବାହାରକୁ ପ୍ରାୟ ହାସ୍ୟାସ୍ପଦ ଭାବରେ ଏକ ଗୃହଯୁଦ୍ଧ ବୋଲି କୁହାଯାଉଥିଲା, ତାହା କ୍ରମଶଃ ସମଗ୍ର ଭିଏଟ୍‌ନାମର ଜନଗଣଙ୍କ ବିରୁଦ୍ଧରେ ପ୍ରାୟ ଏକା ଆମେରିକାର ଏକ ସମ୍ପୂର୍ଣ୍ଣ ଯୁଦ୍ଧରେହିଁ ପରିଣତ ହୋଇଗଲା । ସମଗ୍ର ଦକ୍ଷିଣପୂର୍ବ ଏସିଆ ଉପରେ ସେହି ଯୁଦ୍ଧର ଆଘାତ ବାଜିଲା, ଏହି ଅଞ୍ଚଳଟିର ସ୍ୱାଭାବିକ ରାଜନୀତିକ ତଥା ଆର୍ଥିକ ବିବର୍ତ୍ତନରେ ମଧ୍ୟ ଏହି ଯୁଦ୍ଧସ୍ଥିତି ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ନାନା ପ୍ରକାରେ ହସ୍ତକ୍ଷେପ କଲା । ଶେଷରେ ଯେତେବେଳେ ଭିଏଟ୍‌ନାମ ଭୂମିରୁ ଆମେରିକାକୁ ନିରସ୍ତ୍ର ହୋଇ ବାହାରିଯିବାକୁ ପଡ଼ିଲା, ସେତେବେଳେ ଆପେ ଭିଆଇଥିବା ସମସ୍ୟାଗୁଡ଼ିକୁ ଆମେରିକାର ଅନ୍ତତଃ ଏକ ମୃତ ଅତୀତ ବୋଲି ଧରିନେବା ଏକାନ୍ତ ଉଚିତ ଏବଂ ଏହି ଅଞ୍ଚଳର ଦ୍ରୂତ ବିକାଶରେ ତାର ଯଥାସାଧ୍ୟ ସହଯୋଗ ମଧ୍ୟ କରିବା ଉଚିତ । ଦୁର୍ଭାଗ୍ୟର କଥା, ଆମେରିକା ଏପର୍ଯ୍ୟନ୍ତ ତାହା କରିନାହିଁ ଓ ଆମେରିକା ସରକାରଙ୍କର ସେହି ବୁଦ୍ଧି ଏପର୍ଯ୍ୟନ୍ତ ହୋଇନାହିଁ । ମାତ୍ର ଆମେରିକା ସରକାର ଯଦି ଭଲ ବୁଦ୍ଧି କରି ନିଖୋଜ ସୈନିକମାନଙ୍କୁ ମୃତ ବୋଲି ଧରି ନିଅନ୍ତି, ତେବେ ତାହାରିଦ୍ୱାରାହିଁ ଅନେକ ରାସ୍ତା ପରିଷ୍କାର ହୋଇଯିବ ବୋଲି ନିଶ୍ଚୟ କୁହାଯାଇ ପାରିବ । ତା’ପରେ ଆମେରିକା ଦକ୍ଷିଣପୂର୍ବ ଏସିଆରେ ଏକ ବନ୍ଧୁର ଭୂମିକାରେ ଅବତୀର୍ଣ୍ଣ ହେବାର ବେଳ ମଧ୍ୟ ଆସି ପହଞ୍ଚିଯିବ ।

ତା ୨୭.୧୨.୧୯୭୬ ରିଖ

Image

 

ଇସ୍ରାଏଲରେ ଅସ୍ଥିରତା

 

ଇସ୍ରାଏଲର ପ୍ରଧାନମନ୍ତ୍ରୀ ଇଜ୍‌ଖାକ୍‌ ରାବିନ୍‌ ଇସ୍ତଫା ଦେଇଛନ୍ତି । ରାବିନ୍‌ ହେଉଛନ୍ତି ଇସ୍ରାଏଲରେ ଥିବା ମାପାଇ ଦଳର ନେତା । ମାପାଇ ଦଳକୁ ଆମେ ଏକ ଦକ୍ଷିଣପନ୍ଥୀ ସମାଜତାନ୍ତ୍ରିକ ଦଳ ବୋଲି କହି ପାରିବା । ମାପାଇ ଦଳ ଇସ୍ରାଏଲର କ୍ନେସେଥ୍‌ ଅର୍ଥାତ୍‌ ରାଷ୍ଟ୍ରୀୟ ପ୍ରତିନିଧି-ସଭାରେ ଏକକ ବହୁମତ ହାସଲ କରି ନ ଥିବାରୁ ଶାସନ-କ୍ଷମତାରେ ରହି ପାରିବାଲାଗି ତାକୁ ଉଗ୍ର ଧର୍ମବାଦୀ ଆଉ ଗୋଟିଏ ରାଜନୀତିକଦଳ ସହିତ ସାଲିସ କରି ଏକାଠି ହେବାକୁ ପଡ଼ିଥିଲା । ସେହି ଦଳ ପକ୍ଷରୁ ମନ୍ତ୍ରୀମଣ୍ଡଳରେ ତିନିଜଣ ମନ୍ତ୍ରୀ ରହିଥିଲେ । ସେମାନଙ୍କୁ କୌଣସି କାରଣରୁ ଅପସାରିତ କରିଦେବା ହେତୁ ସେହି ଦଳ ମଧ୍ୟ ସମଗ୍ର ଭାବରେ ମାପାଇ ଦଳଠାରୁ ଆପଣାର ସମର୍ଥନକୁ ପ୍ରତ୍ୟାହାର କରିନେଲେ । ଫଳରେ ପ୍ରତିନିଧିସଭାର ମୋଟ ୧୨୦ଟି ସ୍ଥାନ ମଧ୍ୟରୁ ମାପାଇ ଦଳ ଲାଗି ମୋଟେ ୫୭ଟି ସ୍ଥାନ ବାକୀ ରହିଗଲା । ସଂଖ୍ୟାଗରିଷ୍ଠତା ହରାଇ ବସିବାରୁ ଶ୍ରୀଯୁକ୍ତ ରାବିନ ଆପଣା ମନ୍ତ୍ରିମଣ୍ଡଳର ଇସ୍ତଫାପତ୍ର ଦାଖଲ କରିବାକୁ ବାଧ୍ୟ ହେଲେ ।

 

ଇସ୍ରାଏଲ ଗୋଟିଏ ଅତି ସାନ ଦେଶ, ମାତ୍ର ଗୋଟିଏ ସମସ୍ୟାବହୁଳ ଦେଶ । ରାଜନୀତିକ ମତବାଦ କ୍ଷେତ୍ରରେ ଏହା ଏକ ବହୁବିଧ ପାର୍ଥକ୍ୟ ଓ ନାନା ଅତିଶୟତାର ଦେଶ । ସମଗ୍ର ଦେଶରେ ଅଧିକାଂଶ ସମୟରେ ସାନ ବଡ଼ ହୋଇ ପ୍ରାୟ କୋଡ଼ିଏଟି ରାଜନୀତିକ ଦଳ ସକ୍ରିୟ ହୋଇ ରହି ଆସିଛନ୍ତି । ରାଜନୀତିକ ଦଳଗୁଡ଼ିକୁ ଆଧାର କରି ବିଭିନ୍ନ ମତାଦର୍ଶର ଆଧାର ଅନୁସାରେ ଇସ୍ରାଏଲରେ କିବୁତ୍‌ଜ୍‌ ବା ସାମୂହିକ ଗ୍ରାମବସତିଗୁଡ଼ିକର ସ୍ଥାପନା ହୋଇଛି । ଅବଶ୍ୟ ଏକଥା ସତ ଯେ ବୈଦେଶିକ ବ୍ୟାପାର କ୍ଷେତ୍ରରେ ଇସ୍ରାଏଲର ଭିନ୍ନ ଭିନ୍ନ ରାଜନୀତିକ ଦଳଗୁଡ଼ିକ ମଧ୍ୟରେ ପ୍ରାୟ ଆଦୌ କୌଣସି ଉଲ୍ଲେଖଯୋଗ୍ୟ ପାର୍ଥକ୍ୟ ନାହିଁ । ଆରବ ଦେଶଗୁଡ଼ିକ ସହିତ ଇସ୍ରାଏଲର କିପରି ସମ୍ପର୍କ ରହିବା ଉଚିତ, ସେହି ବିଷୟରେ ମଧ୍ୟ ଦଳ ଦଳ ମଧ୍ୟରେ ବିଶେଷ କୌଣସି ମତଭେଦ ନାହିଁ । ମାତ୍ର ଆଭ୍ୟନ୍ତରୀଣ ବ୍ୟାପାରଗୁଡ଼ିକ ବିଷୟରେ ଏତେ ଏତେ ମତଭେଦ ରହିଛି ଯେ ସେଗୁଡ଼ିକୁ କେନ୍ଦ୍ରକରି ଦଳ ଦଳ ଭିତରେ ଉତ୍କଟ ଶତ୍ରୁତା ପ୍ରାୟ ସବୁବେଳେ ଲାଗି ରହିଥାଏ । ଦେଶରେ ଏକାବେଳେକେ ଏତେଗୁଡ଼ାଏ ରାଜନୀତିକ ଦଳ ରହିଥିବାରୁ ସେଠି ପ୍ରାୟ କେତେବେଳେ ହେଲେ ରାଜନୀତିକ ସ୍ଥିରତା ନଥାଏ । ମାପାଇ ଏବଂ ମାପାମ୍‌–ଏହି ଦୁଇ ପ୍ରଧାନ ରାଜନୀତିକ ଦଳକୁ ଛାଡ଼ିଦେଲେ ବାକୀ ଦଳଗୁଡ଼ିକର ପ୍ରାୟ କୌଣସି ରାଜନୀତିକ ଆଧାର ନଥାଏ ସତ, ମାତ୍ର ସେମାନେ ଯେକୌଣସି ମିଳିତ ମନ୍ତ୍ରିମଣ୍ଡଳକୁ କ୍ଷମତାରେ ରଖିବାର ବ୍ୟାପାରରେ ଭାରି ଶକ୍ତିଶାଳୀ ସହାୟକ ଭୂମିକାମାନ ଗ୍ରହଣ କରିବାରେ ଲାଗିଥାନ୍ତି । ଶାସନ ଭାଙ୍ଗୁଥାନ୍ତି ଓ ଶାସନ ଗଢ଼ୁଥାନ୍ତି । ପୁନଶ୍ଚ, କେତେ ଦଳର ଆଭିମୁଖ୍ୟଗୁଡ଼ିକରେ ରାଜନୀତି ସହିତ ଉଗ୍ର ଧର୍ମବାଦିତା ମିଶିକରି ରହିଥିବାରୁ ଜାତୀୟ ପରିସ୍ଥିତିକୁ ତାହା ଅନେକ ସମୟରେ ଆହୁରି ଉତ୍କଟ କରାଇ ଦେବାରେ ସାହାଯ୍ୟ କରିଥାଏ । ତେଣୁ ଇସ୍ରାଏଲ ରାଜନୀତିରେ ଉତ୍କଟତା ଓ ଉତ୍ତେଜନା ଲାଗି ରହିଥାଏ, ସାନ ସାନ ତିଳକୁ ନେଇ ତାଳ କରାଯିବାର ଉତ୍ସାହିତ ଧନ୍ଦା ଲାଗି ରହିଥାଏ ।

 

ଆଗରୁ କୁହାଯାଇଛି, ଇସ୍ରାଏଲ ଭିତରେ ଦଳ ଦଳ ମଧ୍ୟରେ ଯେଉଁ ଉତ୍ତେଜନା ସତତ ଲାଗି ରହିଥାଏ, ତାହା ଇସ୍ରାଏଲ ସହିତ ଆରବ ଜଗତର ସମ୍ବନ୍ଧକ୍ଷେତ୍ରରେ କୌଣସି ପ୍ରକାର ମତପାର୍ଥକ୍ୟ ସୃଷ୍ଟି କରି ପାରେନାହିଁ । ଇସ୍ରାଏଲରେ ବାସ କରୁଥିବା ଆରବମାନଙ୍କୁ ଇହୁଦୀମାନଙ୍କ ସହିତ ସମାନ ନାଗରିକ ଅଧିକାରମାନ ଯେ ଆଦୌ ଦିଆଯିବା ଉଚିତ ନୁହେଁ, ଏ ବିଷୟରେ ବିଭିନ୍ନ ରାଜନୀତିକ ଦଳଭିତରେ କେବେହେଲେ କୌଣସି ମତଭେଦ ନଥାଏ । ବାମପନ୍ଥୀ ସମାଜବାଦୀ ମାପାମ୍‌ ପାର୍ଟି ଏବଂ ଉଗ୍ର ଧର୍ମବାଦୀ ଦକ୍ଷିଣପନ୍ଥୀ ଇଖୁଦ୍‌ ମଧ୍ୟରେ ମଧ୍ୟ ଏହି ବିଷୟରେ ଆଦୌ କୌଣସି ପାର୍ଥକ୍ୟ ନଥାଏ । ଆରବମାନଙ୍କୁ ସମାନ ନାଗରିକ ଅଧିକାର ଦିଆଯାଉ ବୋଲି ଇସ୍ରାଏଲରେ ଅବଶ୍ୟ ଏକ ମତ ରହିଛି; ମାତ୍ର ଏହି ମତରେ କୌଣସି ରାଜନୀତିକ ଗୁରୁତ୍ୱ ନାହିଁ । ବିଖ୍ୟାତ ଦାର୍ଶନିକ ମାର୍ଟିନ ବୁବର୍‌ ବଞ୍ଚିଥିଲା ବେଳେ ସିଏ ଓ ତାଙ୍କର କେତେଜଣ ବୁଦ୍ଧିଜୀବୀ ସାଥୀ ଏହି ମତର ଦୃଢ଼ ସମର୍ଥନ କରୁଥିଲେ, ମାତ୍ର ରାଜନୀତିରେ ସକ୍ରିୟ ହୋଇ ରହିଥିବା ପ୍ରାୟ ସବୁ ଦଳର କର୍ତ୍ତାମାନେ ସେମାନଙ୍କର ସେହି ମତକୁ କେବଳ ଏକ ଆଦର୍ଶବାଦୀ କଳ୍ପନାବିଳାସ ବୋଲି କହି ଉଡ଼ାଇ ଦେଉଥିଲେ । ଇସ୍ରାଏଲ ଆରବ ଜଗତ ସହିତ ନିଜର ସମ୍ବନ୍ଧକ୍ଷେତ୍ରରେ ଯେଉଁ ନୀତି ଅବଲମ୍ବନ କରୁଛି, ସେହି ମତର ସମଗ୍ର ଶିବିରଟି ମଧ୍ୟରେ ଉଗ୍ରପନ୍ଥୀ ଓ ନରମପନ୍ଥୀ ଅବଶ୍ୟ ମୂଳରୁହିଁ ରହି ଆସିଛନ୍ତି, ମାତ୍ର ସେହି ଗୋଟିଏ ଶିବିର ମଧ୍ୟରେହିଁ ସେମାନେ ପରସ୍ପର ତୁଳନାରେ ଅଧିକ ଉଗ୍ର ଅଥବା ଅଧିକ ନରମହୋଇ ରହିଛନ୍ତି । ସେହି ଗୋଟିଏ ଶିବିର ଭିତରେହିଁ ପରସ୍ପର ସହିତ କଳହ କରୁଛନ୍ତି, ମାତ୍ର ଆରବମାନଙ୍କର ସମ୍ମୁଖୀନ ହେଲାବେଳେ ଗୋଟାଏ ହୋଇ ଯାଉଛନ୍ତି ।

 

ତଥାପି, ଇସ୍ରାଏଲର ଆଭ୍ୟନ୍ତରୀଣ ଦଳଗତ ଅସ୍ଥିରତା ଆରବ ରାଷ୍ଟ୍ରଗୁଡ଼ିକ ସହିତ ଇସ୍ରାଏଲର ସମ୍ବନ୍ଧଗତ ନୀତିକୁ ମଧ୍ୟ ଅସ୍ଥିର କରିବାରେ ସାହାଯ୍ୟ କରୁଛି । ଇସ୍ରାଏଲରେ ଯଦି ଦୁଇଟି ପ୍ରଧାନ ରାଜନୀତିକ ଦଳ ଥାଆନ୍ତେ, ସେହି ଦୁହିଁଙ୍କର ନୀତି ଯଦି ପରସ୍ପର ପାଖରେ ସ୍ପଷ୍ଟ ହୋଇ ରହିଥାନ୍ତା, ତେବେ ଇସ୍ରାଏଲ ହୁଏତ ଅଧିକ ସୁଷ୍ଠୁ ଓ ସୁସ୍ଥ ଭାବରେ ଆପଣାର ପଡ଼ୋଶୀମାନଙ୍କ ସହିତ ନିଜର ସମ୍ବନ୍ଧ ଗୁଡ଼ିକର ବିଚାର କରିପାରନ୍ତା, ସେଗୁଡ଼ିକର ନିର୍ଣ୍ଣୟ ବି କରିପାରନ୍ତା । ପଞ୍ଚମ ଓ ଷଷ୍ଠ ଦଶକର ଇସ୍ରାଏଲି ନେତା ବେନ୍‌ ଗୁରିଅନ୍‌ ଓ ମୋଶେ ସାରେତ୍‌ଙ୍କ ଅମଳଠାରୁ ଇସ୍ରାଏଲର ରାଜନୀତିରେ ଯେଉଁ ଅସ୍ଥିରତା ଲାଗି ରହିଛି, ତାହା ବାହାରକୁ ପ୍ରକ୍ଷେପିତ ହୋଇ ସେହି ଦେଶର ବହିଃସମ୍ବନ୍ଧଗୁଡ଼ିକୁ ମଧ୍ୟ ପ୍ରଭାବିତ କରୁଛି । ଏପରି ମଧ୍ୟ କୁହାଯାଇପାରେ ଯେ ଇସ୍ରାଏଲର ଚତୁର୍ଦ୍ଦିଗରେ ମଧ୍ୟପ୍ରାଚ୍ୟର ସମଗ୍ର ପରିସ୍ଥିତିଟି ଯେପରି ଭାବରେ ସତ ଭାରି ତରଳ, ଅସ୍ଥିର ଏବଂ ବହିରାକ୍ରାନ୍ତ ହୋଇ ରହିଛି, ତାହା ଏଣେ ଇସ୍ରାଏଲର ଆଭ୍ୟନ୍ତରୀଣ ପରିସ୍ଥିତି ଓ ରାଜନୀତିକୁ ମଧ୍ୟ ଅସ୍ଥିର କରି ପକାଇବାରେ ବହୁତ ସାହାଯ୍ୟ କରୁଛି ।

ତା ୨୯.୧୨.୧୯୭୬ ରିଖ

Image

 

ଥାଇଲାଣ୍ଡରେ ସାମରିକ ଶାସନ

 

ଥାଇଲାଣ୍ଡରେ ସାମରିକ ଶାସନର ପୁନଃପ୍ରତିଷ୍ଠା ହେଲା । ଆହୁରି ଅଧିକ ଯଥାର୍ଥ ଭାବରେ କହିଲେ, ଥାଇଲାଣ୍ଡର ସାମରିକ କର୍ତ୍ତାମାନେ ସେହି ଦେଶରେ ଗତ ତିନିବର୍ଷ ହେଲା କାର୍ଯ୍ୟକାରୀ ହୋଇରହିଥିବା ପ୍ରଜାତାନ୍ତ୍ରିକ ସରକାରଙ୍କୁ ଆସନଚ୍ୟୁତ କରି ଆପେ ପୁନର୍ବାର କ୍ଷମତାକୁ ଆସିଲେ । ସେହି ଦେଶରେ ଗତ ପ୍ରାୟ ଅର୍ଦ୍ଧଶତାବ୍ଦୀ ଧରି ସାମରିକ କର୍ତ୍ତାମାନେହିଁ ରାଜତ୍ୱ ଏବଂ ଆଧିପତ୍ୟ କରି ଆସିଛନ୍ତି । ଥାଇଲାଣ୍ଡର ରାଜା ସେହି ଦେଶର ସର୍ବୋଚ୍ଚ କର୍ତ୍ତାହୋଇ ରହି ଆସିଛନ୍ତି ଏବଂ ସାମରିକ କର୍ତ୍ତାମାନଙ୍କ ସମେତ ଆଉ ସମସ୍ତେ ତାଙ୍କର ପ୍ରଭୂତ୍ୱକୁ ସ୍ୱୀକାର କରି ଆସିଛନ୍ତି ସତ, ମାତ୍ର ରାଜାଙ୍କ ନାମରେ ସାମରିକ କର୍ତ୍ତାମାନେହିଁ ଦେଶରେ ଶାସନ କରି ଆସିଛନ୍ତି । ମଝିରେ, ଅର୍ଥାତ୍ ୧୯୭୩ ମସିହାରୁ ୧୯୭୬ ପର୍ଯ୍ୟନ୍ତ ଗଣତାନ୍ତ୍ରିକ ସରକାରର ଏହି ଯେଉଁ ତିନିବର୍ଷ କଟିଗଲା, ଥାଇଲାଣ୍ଡର ଶାସନ ଇତିହାସରେ ତାହାକୁ ଏକ ବ୍ୟତିକ୍ରମ ବୋଲି କୁହାଯାଇ ପାରିବ ।

 

ଥାଇଲାଣ୍ଡରେ ସାମରିକ କର୍ତ୍ତମାନଙ୍କର ଶାସନ ପ୍ରାୟ ସ୍ୱାଭାବିକ ଭାବରେ ଏତେ ଦୀର୍ଘକାଳ ସ୍ଥାୟୀ ହୋଇ ଚାଲିଛି, ଏହା ଯେ କେବଳ ସାମରିକ ବାହିନୀର ଅସ୍ତ୍ରବଳରେ ଚାଲିପାରିଛି, ସେ କଥା ଆଦୌ ନୁହେଁ । ସେହି ଦେଶର ପୋଲିସ, ଉଚ୍ଚ ବେତନଭୋଗୀ ଅମଲା ଏବଂ ବଡ଼ ବ୍ୟବସାୟୀମାନେ ସାମରିକ ଶାସନ ପ୍ରବର୍ତ୍ତିତ ହୋଇ ରହିବାଦ୍ୱାରା ଅତ୍ୟନ୍ତ ଲାଭବାନ ହୋଇ ପାରୁଛନ୍ତି ବୋଲି ସେହିମାନଙ୍କର ସମର୍ଥନରେହିଁ ସାମରିକ କର୍ତ୍ତାମାନେ ସେଠି ସାଧାରଣ ଜନଗଣଙ୍କ ଉପରେ ପ୍ରାୟ ନିରଙ୍କୁଶ ଭାବରେ ଆପଣାର ରାଜତ୍ୱକୁ ବଜାୟ ରଖି ପାରିଛନ୍ତି । ସାମରିକ ଶାସନର ଆଶ୍ରୟଛାୟାତଳେ ଏମାନେ ସମସ୍ତେ ଆପଣାର ସମ୍ପତ୍ତିକୁ ବହୁଗୁଣିତ କରିଛନ୍ତି ଓ ତେଣୁ ତାହାହିଁ ସେମାନଙ୍କୁ ସବୁଠାରୁ ଅଧିକ ଅନୁକୂଳ ବ୍ୟବସ୍ଥା ବୋଲି ମନେ ହୋଇଛି ।

 

୧୯୭୩ ମସିହା ଅକ୍ଟୋବର ମାସରେ ଥାଇଲାଣ୍ଡର ଛାତ୍ରମାନେହିଁ ସର୍ବପ୍ରଥମେ ଦୀର୍ଘ- ପ୍ରତିଷ୍ଠିତ ସାମରିକ ଶାସନ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିଥିଲେ । ସେମାନଙ୍କର ବିରୋଧ କ୍ରମେ ଅଧିକ ସକ୍ରିୟ ହେବାକୁ ଆରମ୍ଭ କଲା । ସମରକର୍ତ୍ତାମାନେ ଗୁଳିରେ ତାହାର ଜବାବ ଦେଲେ-। ଏହା ଫଳରେ ରକ୍ତପାତ ହେଲା, ଛାତ୍ରହତ୍ୟା ହେଲା, ଦେଶରେ ସାମରିକ କର୍ତ୍ତାମାନଙ୍କର ବିରୁଦ୍ଧରେ ଲୋକମତ ଘନୀଭୂତ ହୋଇଆସିଲା । ସ୍ୱୟଂ ରାଜା ଏହି ପରିସ୍ଥିତିରେ ପରିବର୍ତ୍ତନ ଲୋଡ଼ିଲେ, ସାମରିକ ଶାସନର ଅନ୍ତ ହୋଇ ପ୍ରଜାତାନ୍ତ୍ରିକ ଶାସନର ଏକ ପ୍ରୟୋଗ ହେଉ ବୋଲି ଇଚ୍ଛାପ୍ରକାଶ କଲେ ଏବଂ ତାଙ୍କରି ଇଚ୍ଛା କାର୍ଯ୍ୟକାରୀ ହେଲା । ଶ୍ରୀଯୁକ୍ତ ସେନି ପ୍ରମୋଜ ଥାଇଲାଣ୍ଡର ପ୍ରଧାନମନ୍ତ୍ରୀ ହୋଇ ରହିଲେ ।

 

ପ୍ରମୋଜଙ୍କର ଦାୟିତ୍ୱକାଳରେ ଥାଇଲାଣ୍ଡର ରାଜନୀତିକ ଇତିହାସରେ ଆଗରୁ ଅସମ୍ଭବ ବୋଲି ମନେ ହେଉଥିବା ପରିବର୍ତ୍ତନମାନ ଘଟିଲା । ଆମେରିକାର ସୈନ୍ୟବାହିନୀ ଓ ସୈନିକ- ଘାଟିଗୁଡ଼ାକୁ ଦେଶରୁ ଅପସାରିତ କରି ଦିଆଗଲା । ସିଆଟୋ ବା ଦକ୍ଷିଣ ପୂର୍ବ ଏସିଆର କେତୋଟି ଦେଶକୁ ଏକାଠି କରାଇ ଆମେରିକାର ପ୍ରବର୍ତ୍ତନାଦ୍ୱାରା ଗଢ଼ା ହୋଇଥିବା ମେଣ୍ଟଟି ଭାଙ୍ଗିବା ଉପରେ ବସିଲା ଏବଂ ଏଥିରେ ଶ୍ରୀଯୁକ୍ତ ପ୍ରମୋଜହିଁ ସର୍ବପ୍ରଧାନ ନେତୃତ୍ୱ ନେଲେ । ସେତିକିବେଳେ ଭିଏତନାମ ଓ କାମ୍ବୋଡ଼ିଆରେ ଯୁଦ୍ଧର ଅବସାନ ଘଟିବାଦ୍ୱାରା ସେହି ଦୁଇ ଦେଶର ନୂତନ ସରକାରଙ୍କ ସହିତ ପ୍ରମୋଜ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ସ୍ଥାପନ କରିବା ଲାଗି ଅଗ୍ରସର ହେଲେ । ଏଗୁଡ଼ାକ ସୈନିକ କର୍ତ୍ତାମାନଙ୍କୁ କଦାପି ଭଲ ଲାଗି ନଥିବ ଓ ସେମାନେ ପୁନର୍ବାର ଆପଣାର ଭାଗ୍ୟପରୀକ୍ଷା କରିବା ଲାଗି କ୍ରମଶଃ ଉତ୍ତେଜିତ ହୋଇ ଉଠିଥିବେ ।

 

ଏତିକିବେଳେ ପୂର୍ବତନ ସାମରିକ ସରକାରଙ୍କର ବିତାଡ଼ିତ ମୁଖ୍ୟ ମାର୍ଶାଲ ଥାନମ୍ କୀର୍ତ୍ତିକେତନ ଥାଇଲାଣ୍ଡକୁ ଫେରିଆସିଲେ । ପର୍ଯ୍ୟବେକ୍ଷକମାନେ ଅନୁମାନ କରୁଛନ୍ତି ଯେ ଆମେରିକା ଗୋଇନ୍ଦା ସଂସ୍ଥାର ପରୋକ୍ଷ ପ୍ରୋତ୍ସାହନଦ୍ୱାରାହିଁ ଏ କଥା ସମ୍ଭବ ହୋଇପାରିଲା । ଥାନମ୍ ବୌଦ୍ଧଭିକ୍ଷୁର ଛଦ୍ମବେଶ ଧାରଣ କରି ଦେଶକୁ ଫେରିଲେ । ସେହି ପ୍ରତ୍ୟାବର୍ତ୍ତନ ବିଶ୍ୱବିଦ୍ୟାଳୟର ଛାତ୍ରମାନଙ୍କ ମଧ୍ୟରେ ପୁନର୍ବାର ଅସନ୍ତୋଷର ଅଗ୍ନି କୁହୁଳାଇ ଦେଲା । ସେମାନଙ୍କର ପ୍ରତିବାଦ ପୁନର୍ବାର ସକ୍ରିୟ ହୋଇ ଉଠିଲା ଏବଂ ଅର୍ଦ୍ଧସାମରିକ ପୋଲିସବାହିନୀ ସହିତ ସେମାନଙ୍କର ସଂଘର୍ଷମାନ ମଧ୍ୟ ଲାଗିଲା । ଏହି ଆଳରେ ସାମରିକ କର୍ତ୍ତାମାନେ ପୁନର୍ବାର ଶାସନର ଡୋରକୁ ନିଜ ହାତରେ ଗ୍ରହଣ କଲେ ଓ ପ୍ରମୋଜଙ୍କୁ ଅପସରି ଯିବାକୁ ପଡ଼ିଲା । ସେମାନେ କୈଫିୟତ ଦେବାକୁ ଯାଇ କହିଲେ ଯେ, ଛାତ୍ରମାନଙ୍କ ପଛରେ ଭିଏତ୍‌ନାମର କମ୍ୟୁନିଷ୍ଟମାନଙ୍କର ଏକ ନିଶ୍ଚିତ ଷଡ଼ଯନ୍ତ୍ର ରହିଛି ଓ ଛାତ୍ରମାନଙ୍କର ଏହି ଅରାଜକତା ଥାଇଲାଣ୍ଡର ରାଜାଙ୍କ ବିରୁଦ୍ଧରେ ଏକ ବିଦ୍ରୋହ ଘୋଷଣା କରି ଦେଶକୁ କମ୍ୟୁନିଷ୍ଟମାନଙ୍କ ହାତରେ ସମର୍ପିଦେବା ଲାଗିହିଁ ସୃଷ୍ଟି କରାଯାଇଛି ।

 

ଥାଇଲାଣ୍ଡରେ ସାମରିକ ଶାସନର ଏହି ପୁନଃପ୍ରତିଷ୍ଠା ମଧ୍ୟ ଦେଇ ଯୁକ୍ତରାଜ୍ୟ ଆମେରିକା ଦକ୍ଷିଣପୂର୍ବ ଏସିଆରେ ପୁନର୍ବାର ଆପଣାର ପ୍ରଭାବ ବିସ୍ତାର କରିବାକୁ ଇଚ୍ଛା କରୁନାହିଁ ତ ? ଭିଏତ୍‌ନାମର ପରାଭବ ପରେ ଆମେରିକାର ପ୍ରଭାବବିସ୍ତାର ନୀତି ଥାଇଲାଣ୍ଡରେ ନିଜ ଲାଗି ଏକ ଦ୍ୱିତୀୟ ଅଙ୍କୁରୋଦ୍‌ଗମର ପ୍ରୟାସ କରୁନାହିଁ ତ ? ଏ ପର୍ଯ୍ୟନ୍ତ ଏହି ବିଷୟରେ ନିଷ୍ପତ୍ତିମୂଳକ ଭାବରେ କୌଣସି କଥା କହି ପାରିବା ଲାଗି ପ୍ରକାଶ୍ୟରେ କିଛି ଘଟିନାହିଁ । କିନ୍ତୁ ଯେତେବେଳେ ଥାଇ ସାମରିକ କର୍ତ୍ତାମାନେ ଆମେରିକା ସରକାରଙ୍କ ସହିତ ପୂର୍ବ ସାମରିକ ସମ୍ପର୍କମାନ ସ୍ଥାପନ କରିବାକୁ ବାହାରିବେ ଓ ଛଅମାସ ତଳେ ବିଦା ହୋଇଥିବା ଆମେରିକା ସୈନ୍ୟ ପୁନର୍ବାର ଥାଇଲାଣ୍ଡରେ ଅବସ୍ଥାପିତ ହେବେ, ସେତେବେଳେ ଏହି କ୍ଷେତ୍ରରେ ଆଉ ସନ୍ଦେହର କୌଣସି ଅବକାଶ ରହିବ ନାହିଁ ।

ତା ୪.୦୧.୧୯୭୭ ରିଖ

Image

 

ଜିବ୍ରାଲ୍‌ଟର ଓ ସ୍ପେନ୍

 

ଇଉରୋପର ଦକ୍ଷିଣ-ପଶ୍ଚିମ ଆଗକୁ ଓ ସ୍ପେନର ଦକ୍ଷିଣ ଶିଖରେ ଜିବ୍ରାଲ୍‌ଟର ହେଉଛି ଗୋଟିଏ କ୍ଷୁଦ୍ର ଅନ୍ତରୀପ । ଗୋଟିଏ ସାନ ପ୍ରଣାଳୀଦ୍ୱାରା ଏଇଠି ଆଫ୍ରିକା ମହାଦେଶ ଇଉରୋପଠାରୁ ବିଚ୍ଛିନ୍ନ ହୋଇ ରହିଛି । ଦୁଇ ମହାଦେଶ ମଧ୍ୟରେ ଦୂରତା ମୋଟେ କୋଡ଼ିଏ ମାଇଲ । ଅନ୍ତରୀପର ଦୈର୍ଘ୍ୟ ଚାରିମାଇଲ, ସେଥିରୁ ପ୍ରାୟ ତିନିମାଇଲ ହେଉଛି ତୀଖ ଓ ପ୍ରାୟ ଉଲଗ୍ନ ହୋଇ ଠିଆ ହୋଇଥିବା ଏକ ପର୍ବତ ମୁଣ୍ଡିଆ ଏବଂ ସେହି ମୁଣ୍ଡିଆଟିର ପାଦଦେଶରେ ଜିବ୍ରାଲ୍‌ଟରର ବସତି । ଲୋକସଂଖ୍ୟା ମୋଟ ତିରିଶ ହଜାର । ଗତ ପ୍ରାୟ ଅଢ଼େଇ ଶହ ବର୍ଷ ହେଲା ତାହା ଇଂରେଜମାନଙ୍କର ଅଧୀନରେ ରହିଛି । ସ୍ପେନ ସରକାର ତାହାକୁ ସ୍ପେନର ଅଞ୍ଚଳ ବୋଲି ଦାବୀ କରୁଛି । ଇଂରେଜମାନେ ମଧ୍ୟ ଜିବ୍ରାଲ୍‌ଟରର ଦାୟିତ୍ୱରୁ ଆପଣାକୁ ମୁକ୍ତ କରିବାକୁ ଇଚ୍ଛା କରୁଛନ୍ତି । ମାତ୍ର ଜିବ୍ରାଲଟରର ଅଣବ୍ରିଟିଶ୍ ବାସିନ୍ଦାମାନେ ସେପରି ଇଚ୍ଛା କରୁନାହାନ୍ତି । ସେମାନେ ପ୍ରକୃତରେ କ’ଣ ଇଚ୍ଛା କରୁଛନ୍ତି, ସେ କଥା ନିର୍ଦ୍ଦିଷ୍ଟ ଭାବରେ ଜଣାପଡ଼ିନଥିଲେ ମଧ୍ୟ ଏଥିରେ କୌଣସି ସନ୍ଦେହ ନାହିଁ ଯେ ସେମାନେ ସ୍ପେନ ସହିତ ମିଶିବାକୁ ଆଦୌ ସମ୍ମତ ନୁହନ୍ତି ।

 

ଜିବ୍ରାଲ୍‌ଟରର ଅଧିବାସୀମାନେ ସ୍ୱୟଂ ସେହିପରି ଇଚ୍ଛା କଲେ ବ୍ରିଟେନ ଜିବ୍ରାଲଟରକୁ ସ୍ପେନ ହାତରେ ସମର୍ପି ଦେବ ବୋଲି ପ୍ରାୟ ଦଶ ବର୍ଷ ତଳେ ଘୋଷଣା କରିଥିଲା । ସେତେବେଳେ ସ୍ପେନ ତରଫରୁ ଜିବ୍ରାଲଟରବାସୀଙ୍କ ଲାଗି ବେଶ୍ କେତେକ ପ୍ରଲୋଭନ ବି ଦେଖା ହୋଇଥିଲା । ସ୍ପେନ ସହିତ ମିଶ୍ରଣ ହୋଇଯିବା ପରେ ମଧ୍ୟ ଜିବ୍ରାଲଟରର ଅଧିବାସୀମାନଙ୍କୁ କେତେକ ପରିମାଣରେ ସ୍ଥାନୀୟ ଶାସନଗତ ସ୍ୱାତନ୍ତ୍ର୍ୟ ଦିଆଯିବ । ସେମାନଙ୍କର ସାମାଜିକ, ସଂସ୍କୃତିଗତ ଏବଂ ଆର୍ଥିକ ସ୍ୱାର୍ଥଗୁଡ଼ିକ ଲାଗି ବିଶେଷ ସୁରକ୍ଷା ରହିବ, ଇତ୍ୟାଦି କେତେ ପ୍ରତିଶ୍ରୁତି ଦିଆଯାଇଥିଲା । ଏହିପରି ଏକ ପୃଷ୍ଠଭୂମି ଉପରେ ୧୯୬୭ ମସିହାରେ ସେଠାରେ ଯେଉଁ ଗଣଭୋଟ ନିଆଗଲା, ସେଥିରେ ବାର ହଜାରରୁ ଅଧିକ ଲୋକ ବ୍ରିଟେନ ସହିତ ଏକତ୍ର ରହିବା ସପକ୍ଷରେ ଭୋଟ ଦେଇଥିଲେ ଓ ମାତ୍ର ୪୪ ଜଣ ସ୍ପେନ ସହିତ ମିଶ୍ରଣ ପକ୍ଷରେ ମତ ପ୍ରକାଶ କରିଥିଲେ ।

 

ଜିବ୍ରାଲଟରରେ ଏବେ ଯେଉଁ ପୌର ନିର୍ବାଚନ ହୋଇଗଲା, ସେଥିରୁ ମଧ୍ୟ ତଦନୁରୂପ ଜନମତ ପ୍ରକାଶ ପାଇଲା । ସ୍ପେନ ସହିତ କୌଣସି ଏକ ସମ୍ପର୍କ ସ୍ଥାପନ କରି ରହିବା ଉଦ୍ଦେଶ୍ୟରେ ଲକ୍ଷ୍ୟ ରଖି କଥାବାର୍ତ୍ତା ଆରମ୍ଭ କରାଯିବା ଉଚିତ ବୋଲି ନିର୍ବାଚନ ଲଢ଼ୁଥିବା ଯେଉଁ ତିନୋଟି ଦଳ କହୁଥିଲେ, ସେମାନଙ୍କ ପକ୍ଷରେ ମୋଟେ ଶତକଡ଼ା ପନ୍ଦର ଭାଗ ମତଦାତା ଭୋଟ ଦେଇଥିଲେ । ଅତିରିକ୍ତ ମତାଧିକ୍ୟରେ ସେମାନେ ଜିବ୍ରାଲଟରର ମୁଖ୍ୟମନ୍ତ୍ରୀ ସାର୍ ଜୋଶୁଆ ହାସାନଙ୍କୁହିଁ ଜୟଯୁକ୍ତ କରାଇ ପୁନର୍ବାର କ୍ଷମତାରେ ରଖିଲେ । ସାର୍ ହାସାନ ଶତକଡ଼ା ୬୨ଭାଗ ଭୋଟ ପାଇ ଗାଦିରେ ରହିଲେ । ଲୋକମାନଙ୍କର ପୂର୍ଣ୍ଣ ବିଶ୍ୱାସ ରହିଛି ଯେ ହାସାନ ସେମାନଙ୍କର ଭବିଷ୍ୟକୁ କେବେହେଲେ ସ୍ପେନ ସରକାରଙ୍କ ହାତରେ ସମର୍ପି ଦେବେ ନାହିଁ ।

 

ଜିବ୍ରାଲଟର ଭୌଗୋଳିକ ସ୍ଥିତି ଦୃଷ୍ଟିରୁ ସ୍ପେନରହିଁ ଏକ ଅଂଶ । ୧୭୦୪ ଖ୍ରୀଷ୍ଟାବ୍ଦରେ ଇଂରେଜମାନଙ୍କ ହାତରେ ପଡ଼ିବା ପୂର୍ବରୁ ତାହା ସ୍ପେନ ଅଧୀନରେହିଁ ରହିଥିଲା । ଜିବ୍ରାଲଟରରେ ଯେ ଅଧିକ ସଂଖ୍ୟାରେ ଇଂରେଜମାନେ ବାସ କରୁଛନ୍ତି, ସେ କଥା ମଧ୍ୟ ନୁହେଁ । ଭୂମଧ୍ୟସାଗର ମୁହଁରେ ଅବସ୍ଥିତ ହୋଇ ରହିଥିବାରୁ ଗତ କେତୋଟି ଶତାବ୍ଦୀ ମଧ୍ୟରେ ତାହା ପ୍ରାୟ ଏକ ଆନ୍ତର୍ଜାତିକ ବନ୍ଦରର ସ୍ୱଭାବ ଧାରଣ କରି ରହି ଆସିଛି । ଏଠାରେ ଇତାଲୀୟ ବାସ କରୁଛନ୍ତି, ଇହୁଦୀ ବାସ କରୁଛନ୍ତି, ଉପକୂଳବର୍ତ୍ତୀ ଅଞ୍ଚଳରୁ ସ୍ପେନୀୟମାନେ ଆସିଛନ୍ତି, ପର୍ତ୍ତୁଗାଲ ଏବଂ ମାଲଟାରୁ ମଧ୍ୟ କେତେ ଲୋକ ଆସି ଏଠାରେ ସ୍ଥାୟୀଭାବରେ ରହି ଯାଇଛନ୍ତି । ଅନ୍ତରୀପଟିର ସରକାରୀ ଭାଷା ଇଂରାଜୀ ହେଲେ ମଧ୍ୟ ଏଠି ଲୋକମାନେ ପରସ୍ପର ମଧ୍ୟରେ ସ୍ପେନିଶ ଭାଷାରେହିଁ କଥାବାର୍ତ୍ତା କରନ୍ତି । ଅଫିସରମାନେ ସରକାରୀ କାମ ଇଂରାଜୀରେ କରନ୍ତି, ମାତ୍ର ବାହାରେ ନିଜ ନିଜ ଭିତରେ ମଧ୍ୟ ସ୍ପେନିଶରେ ଚଳପ୍ରଚଳ ହୁଅନ୍ତି ।

 

ତେବେ ସ୍ପେନ ସହିତ ଗୁନ୍ଥା ହେବା ବିଷୟରେ ଜିବ୍ରାଲଟରର ଅଧିବାସୀମାନଙ୍କର ଏତେ ଅନିଚ୍ଛା କାହିଁକି ? ଏହି ଅନଚ୍ଛା ପଛରେ ପ୍ରାୟ ପ୍ରକାଶ୍ୟ ଭାବରେ ଏକ ଭୟ ନିହିତ ହୋଇ ରହିଛି । ଇଂରେଜମାନଙ୍କର ପରମ୍ପରା ସହିତ ଅଭ୍ୟସ୍ତ ରହି ସେମାନେ ଯେଉଁ ରାଜନୀତିକ ଚଳଣି ସହିତ ଅଭ୍ୟସ୍ତ ହୋଇ ଆସିଛନ୍ତି, ସ୍ପେନ ସହିତ ମିଶିଲେ ସେମାନଙ୍କୁ ପ୍ରାୟ ତାହାର ବିପରୀତ ଏକ ସ୍ଥିତି ଭିତରେ ଆସି ପଡ଼ିଯିବାକୁ ହେବ ବୋଲି ସେମାନେ ଆଶଙ୍କା କରୁଛନ୍ତି । ଜିବ୍ରାଲ୍‌ଟରରେ ମୁକ୍ତ ନିର୍ବାଚନ ହେଉଛି, ଲୋକମାନଙ୍କର ସ୍ୱମତ ବ୍ୟକ୍ତ କରିବାର ସ୍ୱାଧୀନତା ରହିଛି, ସମ୍ବାଦପତ୍ରର ମଧ୍ୟ ସ୍ୱାଧୀନତା ରହିଛି । କିନ୍ତୁ ଗତ ଚାଳିଶି ବର୍ଷ ହେଲା ଜେନେରାଲିସିମୋ ଫ୍ରାଙ୍କୋଙ୍କ ଅମଳରେ ସ୍ପେନରେ ଯେଉଁ ଶୀତଋତୁ ରାଜତ୍ୱ କରୁଥିଲା, ସେଥିରେ ଏଗୁଡ଼ାକ ସମ୍ପୂର୍ଣ୍ଣ ଭାବରେ ନିଷିଦ୍ଧ ହୋଇ ରହିଥିଲା । ଫ୍ରାଙ୍କୋ ଡିକ୍‌ଟେଟର ଥିଲେ, ସ୍ପେନ୍ ସାଧାରଣତନ୍ତ୍ରକୁ ବିଲୁପ୍ତ କରି ସେ କ୍ଷମତାକୁ ଆସିଥିଲେ । ଯୁଦ୍ଧ ସମୟରେ ହିଟଲର ଓ ମୁସୋଲିନିଙ୍କ ସହିତହିଁ ତାଙ୍କର ହୃଦ୍‌ଗତ ଅଧିକ ନୈକଟ୍ୟ ରହିଥିଲା । ଏଗୁଡ଼ାକର ଅତି ପାଖରେ ଥାଇ ଜିବ୍ରାଲଟରବାସୀ ଭଲକରି ଦେଖିଛନ୍ତି ଓ ସ୍ପେନ ସହିତ ମିଶ୍ରଣର ପ୍ରଶ୍ନ ଆସି ପହଞ୍ଚିବାକ୍ଷଣି ସେମାନେ ଆଗ ସେହି ଭୂତଗୁଡ଼ାକୁହିଁ ଦେଖୁଛନ୍ତି-। ଏବେ ଫ୍ରାଙ୍କୋ ଗଲେଣି, ସ୍ପେନ୍‌ରେ ବି ରାଜନୀତିକ ସିନ୍ଦୂରା ଫାଟିବାପରି ମନେ ହେଉଛି । ସ୍ପେନ୍‍ରେ ଏକ ସାଧାରଣ ନିବାର୍ଚନ ହେବାକୁ ଯାଉଛି । ତଥାପି ଏତେ ଶୀଘ୍ର ଯେ ଚଳଣିଗୁଡ଼ାକ ବଦଳିଯିବ ଓ ସ୍ପେନ୍‌ର କର୍ତ୍ତାମାନେ ପ୍ରକୃତ ଆନ୍ତରିକତା ସହିତ ପ୍ରଜାସ୍ୱାତନ୍ତ୍ର୍ୟରେ ବିଶ୍ୱାସ କରିବେ, ଜିବ୍ରାଲଟରବାସୀଙ୍କର ଏ କଥାଟି ବିଷୟରେ ସହଜରେ ପ୍ରତ୍ୟୟ ହୋଇପାରୁନାହିଁ-

ତା ୦୭.୦୧.୧୯୭୭ ରିଖ

Image

 

ଜାତୀୟ ଉନ୍ନୟନ ଓ ଶିକ୍ଷା

 

ଆମ ଦେଶର ଶିକ୍ଷା ଆମ ଜାତୀୟ ଉନ୍ନୟନର ସହଯୋଗୀ ଏବଂ ସହାୟକ ହୋଇପାରିବା ଉଚିତ ବୋଲି ଏବେ ଆମର ରାଷ୍ଟ୍ରୀୟ ସ୍ତରର ନେତାମାନେ ବାରମ୍ବାର କହିବାରେ ଲାଗିଛନ୍ତି । ଆମ ଦେଶରେ ବର୍ତ୍ତମାନ ଯେଉଁ ଅର୍ଥନୈତିକ ତଥା ସାମାଜିକ ବିପ୍ଳବ ସଂଘଟିତ ହେବାକୁ ଯାଉଛି, ଆମର ଶିକ୍ଷାବ୍ୟବସ୍ଥା ଆମର ପିଲାମାନଙ୍କୁ ତାହାରି ସକାଶେ ପ୍ରସ୍ତୁତ କରିପାରିବା ଉଚିତ । ଯେଉଁଭଳି ଏକ ପ୍ରଗତିମୂଳକ ଦୃଷ୍ଟି ରହିଥିଲେ ଜଣେ ବ୍ୟକ୍ତି ସାମୂହିକ ଜୀବନର ପ୍ରଗତିମୂଳକ ଉନ୍ନୟନର ନାନା କାର୍ଯ୍ୟ ଲାଗି ଆପଣାକୁ ଅତ୍ୟନ୍ତ ସ୍ୱାଭାବିକ ଭାବରେ ପ୍ରେରିତ କରି ଆଣେ, ଆମ ଦେଶରେ ଦିଆଯାଉଥିବା ଶିକ୍ଷା ଆମର ପିଲାମାନଙ୍କୁ ସେହିପରି ଏକ ଦୃଷ୍ଟି ଅର୍ଜନ କରିବା ଦିଗରେ ସାହାଯ୍ୟ କରିପାରିବା ଉଚିତ । ଯେଉଁଭଳି ନିଷ୍ଠା, କର୍ମଠତା ଏବଂ ନିରଳସ ବୁଦ୍ଧି ରହିଥିଲେ ଜଣେ ବ୍ୟକ୍ତି ସାମୂହିକ ଜୀବନର ନାନା ଉନ୍ନୟନ କାର୍ଯ୍ୟରେ ନେଇ ଆପଣାକୁ ସମ୍ମିଳିତ କରି ଦେଇପାରେ, ଆପଣାକୁ ସାମୂହିକ ଭାଗ୍ୟ ସକାଶେ ଦାୟୀ ବୋଲି ଅନୁଭବ କରିପାରେ, ଆମର ଜାତୀୟ ଶିକ୍ଷା ପିଲାମାନଙ୍କୁ ସେହିସବୁ ସକାଶେ ଅନୁପ୍ରାଣିତ କରିପାରିବା ଉଚିତ ।

 

ବିଗତ ତିରିଶବର୍ଷ ହେଲା ସ୍ୱାଧୀନ ଭାରତର ଶିକ୍ଷା ଠିକ୍‌ ଏହିପରି ହେବା ଉଚିତ ଥିଲା-। ଆମ ଶିକ୍ଷା ଏହିପରି ହେବାଉଚିତ ବୋଲି ସ୍ୱାଧୀନତା ପୂର୍ବରୁ ମଧ୍ୟ ଆମର ଜାତୀୟ ନେତାମାନେ ଯେପରି ଭାବରେ କହି ଆସିଥିଲେ, ଦେଶ ସ୍ୱାଧୀନତା ଲାଭକରିବା ପରେ ଏ ଯାବତୀୟ ରାଷ୍ଟ୍ରୀୟ ନେତାମାନେ ନାନା ଉପଲକ୍ଷ୍ୟରେ ଏବଂ ଅବସରରେ ଠିକ୍‌ ସେହିସବୁ କଥାକୁ ଦୋହରାଇ ଆସିଛନ୍ତି । କିନ୍ତୁ ସେହି ଦିଗରେ ଆମ ଶିକ୍ଷାର ଆଭିମୁଖ୍ୟରେ ଯେ ପ୍ରକୃତରେ କେଉଁଠି କିଛି ଉଲ୍ଲେଖଯୋଗ୍ୟ ପରିବର୍ତ୍ତନ ଘଟୁନାହିଁ, ସେକଥା ଆମେ ସମସ୍ତେ ହୃଦୟଙ୍ଗମ କରୁଛୁ । ଚକ୍ରଟା ଭିତରେ ପ୍ରଧାନତଃ ବିଷ ରହିଛି ବୋଲି ତାହାକୁ ଘ୍ରାଣ କରୁଥିବା ସମସ୍ତେ ପାଟି କରୁଛନ୍ତି, ମାତ୍ର ବିଷଚକ୍ର ଭିତରେ ପଶି ତାହାର ରୀତିଗୁଡ଼ାକୁ ଭାଙ୍ଗିଦେବା ଲାଗି ସତେ ଅବା କାହାରି ବଳ ନାହିଁ କି ସାହସ ନାହିଁ । ଯେଉଁମାନେ ତା ଭିତରେ ପଶିଛନ୍ତି, ଶିକ୍ଷା ନାମରେ ଯେଉଁମାନେ ସେହି ଚକ୍ରଟାକୁ ଅଥବା ସେହି ଯନ୍ତ୍ରଟାକୁ ଚଳାଇବାରେ ଲାଗିଛନ୍ତି, ସେମାନେ ତାହାରି ଭିତରେହିଁ ସତେ ଅବା ଗୋଟାଏ ଗୋଟାଏ ଯନ୍ତ୍ର ପାଲଟି ଯାଉଛନ୍ତି, ଅଥବା ଖୁବ୍‌ ବେଶି ହେଲେ ଗୋଟାଏ ଗୋଟାଏ ବାବୁ ହାକିମ ପାଲଟି ଯାଉଛନ୍ତି । ଯେଉଁ ଅସୁରକୁ ମାରିବେ ବୋଲି ସେମାନେ ଆଣ୍ଟକରି ଅସୁରଚକ୍ରଟା ଭିତରେ ଯାଇ ପଶୁଛନ୍ତି, ଶିକ୍ଷାବିତ୍‌ ନାମରେ ଖ୍ୟାତ ହେଉଛନ୍ତି, କେଉଁ ଯାଦୁରେ ପଡ଼ିଯାଇ ସେମାନେ ସ୍ୱୟଂ ଗୋଟାଏ ଗୋଟାଏ ଅସୁରରେ ପରିଣତ ହୋଇ ଯାଉଛନ୍ତି । ଅସୁରମାନେ ଭୀରୁ ହେଲେ ଅଧିକ ମାରାତ୍ମକ ଓ ଅଧିକ ଜିଦ୍‌ଖୋର ହୋଇ ପଡ଼ନ୍ତି । ଆମର ଶିକ୍ଷାକ୍ଷେତ୍ରମାନଙ୍କରେ ଗତ ତିନୋଟି ଦଶକ ହେଲା ଆମକୁ ପ୍ରାୟ ସେହି ମାରାତ୍ମକ ଅସୁରଗଣର ପରିଣାମମାନ ଭୋଗିବାକୁ ପଡ଼ିଛି ଏବଂ ଆମ ଶିକ୍ଷାରୁ ଯେଉଁମାନେ ଉଚ୍ଚରୁ ଉଚ୍ଚତର ତାଲିମ ପାଇ ବିଚକ୍ଷଣ ଓ ପ୍ରବୀଣ ହୋଇ ବାହାରିଛନ୍ତି, ସେମାନେ ଜାତୀୟ ଉନ୍ନୟନର ଯୋଗ୍ୟ ହେବା ଅପେକ୍ଷା ସେହି ପୁରୁଣା ଚକଟାକୁ ଚଳାଇବାରେହିଁ ସତେ ଅବା ଅଧିକ ଦକ୍ଷ ଓ ଅଧିକ ଚତୁର ହୋଇ ବାହାରିଛନ୍ତି । ତେଣୁ ଦୁଃଖଭୋଗ ଲାଗି ରହିଛି । ଶିକ୍ଷାରେ ହାକିମ ଓ କୁଶଳୀମାନଙ୍କର ସଂଖ୍ୟା ବଢ଼ୁଥିବା ସଙ୍ଗେ ସଙ୍ଗେ ଦୁଃଖଭୋଗ ବଢ଼ିବାରେ ଲାଗିଛି, ଆମର ଶିକ୍ଷାଳୟଗୁଡ଼ାକ ସତେ ଅବା ଆହୁରି ଫମ୍ପା ହୋଇଯାଉଛି ।

 

ତେବେ ଏ ଶିକ୍ଷାକୁ ବଦଳାଇବ କିଏ ? ବାବୁମାନେ ଏହାକୁ ବଦଳାଇ ପାରିବେ ନାହିଁ ଏବଂ ହାକିମମାନେ ବି ବଦଳାଇ ପାରିବେ ନାହିଁ । ଏଠି ଆମ ଦେଶରେ ଶିକ୍ଷକମାନଙ୍କର ଚୁଟିଗୁଡ଼ାକୁ ନେଇ ଯେପରି ଅଶିକ୍ଷକ ପ୍ରଶାସକ ଅର୍ଥାତ୍‌ ହାକିମମାନଙ୍କର ହାତରେ ଧରାଇ ଦିଆଯାଇଛି, ଏହିପରି ଏକ ଅସୁସ୍ଥ ବ୍ୟବସ୍ଥାକୁ ଶିକ୍ଷାବିଭାଗ ବୋଲି କହୁଥିବା ପର୍ଯ୍ୟନ୍ତ ତାହା ଫଳରେ ଅସୁରଯନ୍ତ୍ରଗୁଡ଼ାକ ବଢ଼ୁଥିବେ ସିନା, ଜାତୀୟ ଉନ୍ନୟନ ଲାଗି ଯୋଗ୍ୟ ଓ ସମର୍ପିତ ମଣିଷ କଦାପି ତିଆରି ହୋଇପାରିବେ ନାହିଁ । ହଁ, ଚତୁର ମଣିଷ ତିଆରି ହେବେ, ଜାତିର ସେବା କରିବା ନାଆଁରେ କେବଳ ଆପଣାରହିଁ ବୃଦ୍ଧି ଇଚ୍ଛା କରୁଥିବା ବିଶେଷଜ୍ଞମାନେ ତିଆରି ହେବେ । ସେମାନେ ଅଧିକରୁ ଅଧିକ ପଇସା ପାଉଥିବେ, ଅଧିକରୁ ଅଧିକ ପଇସା ଖରଚ କରିବାକୁହିଁ ଯୋଜନା ବୋଲି କହୁଥିବେ, ମାତ୍ର ଜାତୀୟ ଉନ୍ନୟନର ପ୍ରାୟ ଯାବତୀୟ ବାଟକୁ ବଣା କରି ରଖିଥିବେ । ସେମାନେ ଭୁବନେଶ୍ୱର ବା ଦିଲ୍ଲୀରୁହିଁ ଲଗାମ ଧରି ବଢ଼ିଆ ଶାସନ କରିପାରିବେ ସତ, ମାତ୍ର ଆମର ପରିବେଶଗୁଡ଼ାକୁ ଜାତୀୟ ଉନ୍ନୟନର ଅନୁକୂଳ କରିବା ଲାଗି ଆଦୌ ତିଆରି କରିପାରିବେ ନାହିଁ ।

 

ପୃଥିବୀରେ ଯେତେ ଯେଉଁଠି ଶିକ୍ଷାରେ ପରିବର୍ତ୍ତନ ହୋଇଛି, କେବଳ ଶିକ୍ଷାକ୍ଷେତ୍ରରେ ନୂତନ ନେତୃତ୍ୱଦ୍ୱାରାହିଁ ତାହା ସମ୍ଭବ ହୋଇଛି । ଅଧିକାଂଶ ସ୍ଥଳରେ ଶିକ୍ଷକମାନେହିଁ ଏହି ନୂଆ ନେତୃତ୍ୱଟିକୁ ଆଣି ଯୋଗାଇ ଦେଇଛନ୍ତି । ସେହିମାନଙ୍କର ନୂତନ ପ୍ରୟୋଗ ଓ ନୂତନ ଦୃଷ୍ଟିଯୋଗୁଁ ସେହିସବୁ ପରିବର୍ତ୍ତନ ସମ୍ଭବ ହୋଇଛି । ମାତ୍ର ପରିବର୍ତ୍ତନର ସବୁଯାକ ଦାୟିତ୍ୱକୁ ଯେଉଁଠି ତୁଚ୍ଛା ଅମଲାମାନଙ୍କ ହାତରେ ଛାଡ଼ି ଦିଆଯାଇଛି, ସେଠାରେ ଯନ୍ତ୍ରଗୁଡ଼ାକୁହିଁ ପ୍ରବଳରୁ ଆହୁରି ପ୍ରବଳ କରି ରଖିବାଟା ସାର ହୋଇଛି, ଗୋଟାଏ ପୁରୁଣା ସୂତ୍ରକୁ ଟିକିଏ ହେରଫେର କରିଦେଇ ତାହାକୁହିଁ ନୂଆ ବୈପ୍ଳବିକ ସୂତ୍ର ବୋଲି କହି କେତେ ତାଳି ବଜାଯାଇଛି । ମାତ୍ର ପୁରାତନ ଅନିଚ୍ଛା ଓ ଭୀରୁତାଗୁଡ଼ାକୁ ଚଉକଷ କରି ରଖାଯାଇଛି । ଯୁଗକୁ ପ୍ରବଞ୍ଚିତ କରି ରଖାଯାଇଛି, ଅସଲ ମୁହୂର୍ତ୍ତଗୁଡ଼ାକୁ ଭାରି ନିର୍ମମ ଭାବରେ ଗଡ଼ାଇ ଦିଆଯାଇଛି ।

 

ତେଣୁ ଶିକ୍ଷାକୁ ଜାତୀୟ ଉନ୍ନୟନର ଅନୁକୂଳ କରିପାରିବା ଲାଗି ଆମ ଦେଶକୁ ଶିକ୍ଷକ ଦରକାର, ଯନ୍ତ୍ର ଦରକାର ନୁହେଁ । ଶିକ୍ଷକ ସକାଶେ ଏକ ସହଯୋଗମୂଳକ ବାତାବରଣ ଦରକାର; ହାକିମମାନଙ୍କ ଉପରେ ଯେତିକି ବିଶ୍ୱାସ ରଖାଯାଇ ଆସିଛି, ଶିକ୍ଷକମାନଙ୍କ ଉପରେ ତା’ଠାରୁ ଅଧିକ ବିଶ୍ୱାସ ସ୍ଥାପନ କରିପାରିବା ଦରକାର । ରାଷ୍ଟ୍ରୀୟ ନେତୃତ୍ୱ ଏବଂ ଶିକ୍ଷାକ୍ଷେତ୍ରୀୟ ନେତୃତ୍ୱ ମଧ୍ୟରେ ସିଧା ସମ୍ପର୍କ ପ୍ରତିଷ୍ଠା ହୋଇପାରିବା ଦରକାର, ମଧ୍ୟବର୍ତ୍ତୀ ଯାବତୀୟ ପ୍ରଚଣ୍ଡତା ଓ ଯାବତୀୟ ହସ୍ତକ୍ଷେପକୁ ଯଥାସମ୍ଭବ କମ୍‌ କରି ରଖିପାରିବା ଦରକାର ।

ତା ୦୮.୦୧.୧୯୭୭ ରିଖ

Image

 

ପୃଥିବୀ ଲାଗି ଜଳ

 

ଆମର ଏହି ଐଶ୍ୱର୍ଯ୍ୟମୟ ଆଧୁନିକ ପୃଥିବୀରେ ତଥାପି ଅନେକ ଅତ୍ୟାବଶ୍ୟକ ପଦାର୍ଥର ଅଭାବ ରହିଛି । ପିଇବା ପାଣି ହେଉଛି ସେଥିମଧ୍ୟରୁ ଗୋଟିଏ । ପୃଥିବୀରେ ସବୁ ମଣିଷ ପିଇବା ପାଣି ମୁନ୍ଦାଏ ପାଆନ୍ତି ନାହିଁ । ସବୁ ମଣିଷଙ୍କ ସକାଶେ ସୁସ୍ଥ ପାନୀୟ ଜଳର ବ୍ୟବସ୍ଥା ଏ ପର୍ଯ୍ୟନ୍ତ ହୋଇ ପାରିନାହିଁ । କେଉଁଠି ବର୍ଷର କେବଳ କେତେମାସ ଭଲ କରି ମୁନ୍ଦାଏ ପିଇବା ପାଣି ମିଳେ ଏବଂ ଅବଶିଷ୍ଟ ମାସଗୁଡ଼ିକରେ ଜଳର ଉତ୍କଟ ଅଭାବ ସହ୍ୟ କରିବାକୁ ପଡେ । ବଡ଼ ବଡ଼ ସହରମାନଙ୍କରେ ଯେଉଁଠି ପାନୀୟଜଳ ଯୋଗାଇ ଦେବା ସକାଶେ ବଡ଼ ବଡ଼ ଜଳଭଣ୍ଡାର ତିଆରି ହୋଇଛି ଓ ପାଇପଦ୍ୱାରା ଜଳର ବିତରଣ କରାଯାଉଛି, ସେଠାରେ ମଧ୍ୟ ସବୁଠି ସବୁ ମଣିଷଙ୍କ ପାଇଁ ଯୋଗାଇ ଦିଆଯାଇ ପାରେ ନାହିଁ । ଆମ ପୃଥିବୀର ଅଧିକାଂଶ ସ୍ଥାନରେ ଅଧିକାଂଶ ମଣିଷକୁ ପିଇବାପାଣି ଲାଗି ବେଶ୍ ଅନେକ ବାଟ ଯିବାକୁ ପଡ଼େ । ଘର ପାଖରେ କୂଅ ନଥାଏ, ଅଥବା ଆଉଗୋଟାଏ ଗାଆଁରେ ଯାଇ କୂଅ ରହିଥାଏ । ସାଧାରଣତଃ ସ୍ତ୍ରୀଲୋକମାନଙ୍କୁ ପାଣି ଆଣିବାର ଏହି କାର୍ଯ୍ୟଟି କରିବାକୁ ପଡ଼େ । ଏଥିରେ ଯେଉଁ ସମୟ ଏବଂ ଯେଉଁ ଶକ୍ତିର ଖରଚ ହୁଏ, ବିଶେଷଜ୍ଞମାନେ ଏବେସୁଦ୍ଧା ତାହାର ହିସାବ କରିନାହାନ୍ତି ।

 

ଅନେକ ସମୟରେ ପିଇବା ପାଣି ଆଣିବା ଲାଗି ଘରପାଖରୁ ପ୍ରତିଦିନ ମାଇଲ ମାଇଲ ବାଟ ଯିବାକୁ ହୁଏ । ଅନୁମାନ କରାଯାଉଛି, ଆଫ୍ରିକାରେ ଶତକଡ଼ା ଅଶୀଭାଗ ମଣିଷଙ୍କୁ ଏହିପରି ଭାବେ ନିଜ ପିଇବାପାଣି ମୁନ୍ଦାକ ଯୋଗାଡ଼ କରି ଆଣିବାକୁ ପଡ଼େ । ପୃଥିବୀର ସହର ମାନଙ୍କରେ ମୋଟ ଯେତେ ମଣିଷ ବାସ କରୁଛନ୍ତି, ସେମାନଙ୍କର ପାଞ୍ଚ ଭାଗରୁ ଭାଗେ ମଣିଷଙ୍କୁ ବି ବର୍ତ୍ତମାନ ଭଲ ପିଇବା ପାଣି ମିଳିବାର କୌଣସି ବ୍ୟବସ୍ଥା ନାହିଁ ଏବଂ ଗ୍ରାମାଞ୍ଚଳମାନଙ୍କରେ ପୃଥିବୀରେ ଚାରି ଭାଗରୁ ତିନିଭାଗ ଲୋକଙ୍କୁ ବର୍ତ୍ତମାନ ମଧ୍ୟ ଏହି ଅସୁବିଧା ମଧ୍ୟରେ ରହିବାକୁହିଁ ପଡ଼ୁଛି ।

 

ମିଳିତ ଜାତିସଂଘ ସ୍ତରରେ ବୈଜ୍ଞାନିକ ଓ ବିଶେଷଜ୍ଞମାନେ କ୍ରମେ ଏହି ସାନ ବିଷୟଟି ଉପରେ ମଧ୍ୟ ଭାବିବାକୁ ଆରମ୍ଭ କଲେଣି । ଏବେ କେତେ ମାସ ତଳେ କାନାଡ଼ାର ଭାଙ୍କୋଭର ସହରରେ ପୃଥିବୀସାରା ବସତିର ନାନା ସମସ୍ୟାର ଆଲୋଚନା କରି ସେଗୁଡ଼ିକର ସମାଧାନ ବାହାର କରିବା ଲାଗି ଯେଉଁ ବିଶ୍ୱସମ୍ମିଳନୀ ବସିଥିଲା, ସେଥିରେ ମଧ୍ୟ ଏହି ପିଇବା ପାଣି ସମସ୍ୟାଟିର ଆଲୋଚନା ହୋଇଯାଇଛି । ସେହି ସମ୍ମିଳନୀରେ ସ୍ଥିର କରାଯାଇଛି ଯେ, ୧୯୯୦ ମସିହା ସୁଦ୍ଧା ପୃଥିବୀର ସବୁ ଦେଶରେ ସବୁ ମଣିଷ ଯେପରି ଯଥେଷ୍ଟ ପରିମାଣରେ ଆବଶ୍ୟକ ପିଇବା ପାଣି ପାଇ ପାରିବେ, ମିଳିତ ଜାତିସଂଘ ତରଫରୁ ତାହାର ଯଥାସାଧ୍ୟ ବ୍ୟବସ୍ଥା କରାଯିବ । ତାହାର ଅର୍ଥ ହେଉଛି, ପୃଥିବୀର ପ୍ରତ୍ୟେକ ଗାଆଁରେ ଯେପରି ଅନ୍ତତଃ ଗୋଟିଏ ନଳକୂପ ବସାଯାଇ ପାରିବ, ତାହାର ବ୍ୟବସ୍ଥା କରାଯିବ । ଏତିକି ଯୋଗାଇ ଦେବାକୁହିଁ ବର୍ତ୍ତମାନ ପର୍ଯ୍ୟାୟରେ ଏକ ସର୍ବନିମ୍ନ ପଦକ୍ଷେପରୂପେ ଗ୍ରହଣ କରାଯାଇଛି । ଏଥିରେ କୋଟି କୋଟି ଟଙ୍କା ଖରଚ ହେବ । ବିଶେଷଜ୍ଞମାନେ ଯାହା ହିସାବ କରିଛନ୍ତି, ସେଥିରୁ ଜଣାଯାଉଛି ଯେ, କେବଳ ଗୋଟିଏ ମହାଦେଶ ଲାଟିନ ଆମେରିକାରେ ଏହି ସର୍ବନିମ୍ନ ବ୍ୟବସ୍ଥାଟି ସମ୍ଭବ କରିପାରିବା ଲାଗି ପ୍ରାୟ ସାଢ଼େ ଏଗାର ହଜାର କୋଟି ଟଙ୍କା ଖରଚ କରିବାକୁ ପଡ଼ିବ ।

 

ଏହାଦ୍ୱାରା ସବୁ ଗାଆଁରେ ପିଇବାପାଣି ମିଳିପାରିବ ଓ ଦୂଷିତ ଜଳର ନିଷ୍କାସନ ସକାଶେ ମଧ୍ୟ ଆବଶ୍ୟକ ବ୍ୟବସ୍ଥା ଗ୍ରହଣ କରାଯାଇ ପାରିବ । ଆଗାମୀ ମାର୍ଚ୍ଚ ମାସରେ ଖାସ୍ ଏହି ପିଇବା ପାଣି ଯୋଗାଇ ଦେବାର ସମସ୍ୟାଟିର ସମାଧାନମାନ ଖୋଜି ସେହି ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାଲାଗି ଆର୍ଜେଣ୍ଟାଇନାର ମାର୍ ଡେଲ୍ ପ୍ଲାଟାଠାରେ ଏକ ବିଶ୍ୱସ୍ତରୀୟ ସମ୍ମିଳନୀ ବସିବାକୁ ଯାଉଛି । ମିଳିତ ଜାତିସଂଘ ତରଫରୁ ଏହି ସମ୍ମିଳନୀ ଡକାଯାଇଛି ଏବଂ ଏଥିରେ ପୃଥିବୀର ଦେଢ଼ଶହ ଦେଶର ପ୍ରତିନିଧି ଅଂଶ ଗ୍ରହଣ କରିବାକୁ ଯାଉଛନ୍ତି । ଏହି ସମ୍ମିଳନୀକୁ ବିଶ୍ୱ ଜଳ ସମ୍ମିଳନୀ କୁହାଯାଉଛି ଓ ଇତିହାସରେ ସର୍ବପ୍ରଥମ ଥରପାଇଁ ଏହିପରି ଗୋଟିଏ ସମ୍ମିଳନୀ ବସିବାକୁ ଯାଉଛି ।

 

ପୃଥିବୀରେ ସବୁ ମଣିଷଙ୍କ ସକାଶେ ପିଇବା ପାଣିର ବ୍ୟବସ୍ଥା ହୋଇପାରିବ, ଏହା ମଧ୍ୟ କେବଳ ସାଧାରଣ ଜନସମୂହର ସହଯୋଗଦ୍ୱାରା ସମ୍ଭବ ହେବ । ଗ୍ରାମବାସୀମାନେ ଏକାଠି ମିଶି ପାଣି ପାଇପ୍ ଯିବାଲାଗି ଯେପରି ଆବଶ୍ୟକ ମାର୍ଗମାନ ନିଜ ପରିଶ୍ରମରେ ଖୋଳିଦେଇ ପାରିବେ, ସେହି ଦିଗରେ କାର୍ଯ୍ୟାନୁଷ୍ଠାନ ଲାଗି ମଧ୍ୟ ବିଚାର କରାଯାଉଛି । ଏପରି ହେବା ଯେ ଆଦୌ ସମ୍ଭବ ନୁହେଁ, ସେକଥା ଭାବିବା ଭୁଲ ହେବ । ଆଫ୍ରିକା ମହାଦେଶର କେନିଆ ଏବଂ ସୁଡ଼ାନ ଦେଶରେ ସାଧାରଣ ଲୋକମାନଙ୍କ ତରଫରୁ ଏହିପରି ସହଯୋଗମାନ ମିଳିଛି । ଲୋକମାନଙ୍କ ମଧ୍ୟରେ ଅଧିକ ସହଯୋଗମୂଳକ ମନୋଭାବ ରହିଲେ ମଧ୍ୟ, ବର୍ତ୍ତମାନ କ୍ଷିପ୍ର ଉଦ୍ୟୋଗୀକରଣ ଫଳରେ ଯେପରି ଅତିରିକ୍ତ ଜଳ ନଷ୍ଟ ହୋଇ ଯାଉଛି ଏବଂ ଜଳକୁ ନାନା ପ୍ରକାରେ ଦୂଷିତ ବି କରି ଦିଆଯାଉଛି, ସେଦିଗରେ ମଧ୍ୟ ଅନେକ ପ୍ରତିକାର ସମ୍ଭବ ହୋଇ ପାରିବ-। ନଦୀ ଜଳର ବ୍ୟବହାରରେ ମଧ୍ୟ କୌଣସି ନଦୀ ବହି ଯାଉଥିବା ବିଭିନ୍ନ ଦେଶର ଲୋକେ ପରସ୍ପର ସହିତ ଅନେକ ସହଯୋଗ କରିପାରିବେ । ପଶ୍ଚିମ ସାହାରା ଅଞ୍ଚଳରେ ଏକାଧିକ ଦେଶ ଏକାଠି ହୋଇ ସେନିଗାଲ ନଦୀର ଜଳକୁ ଯେପରି ଏକତ୍ର ବ୍ୟବହାର କରୁଛନ୍ତି, ତାହାକୁ ଏହି କ୍ଷେତ୍ରରେ ଏକ ଦୃଷ୍ଟାନ୍ତରୂପେ ଗ୍ରହଣ କରାଯାଇ ପାରେ ।

 

ପୃଥିବୀ ହାତରେ ଆପଣାର ଲକ୍ଷ୍ୟ ପୂରଣ ପାଇଁ ଏହି କ୍ଷେତ୍ରରେ ମୋଟେ ଚଉଦ ବର୍ଷ ଅଛି । ଅର୍ଥାତ୍ ପୃଥିବୀର ସବୁ ମଣିଷଙ୍କ ଲାଗି ଭଲ ପିଇବା ପାଣି ଉପଲବ୍‌ଧ କରାଇ ପାରିବା ଲାଗି ଆମକୁ ଆହୁରି ଚଉଦ ବର୍ଷ ସମୟ ଲାଗିବ ।

ତା ୯.୧.୧୯୭୭ ରିଖ

Image

 

ତେଲୁଗୁ ଏକାଡେମୀ

 

ଏହି ବର୍ଷର ପ୍ରଥମ ଦିବସରେ ଆମ ପଡ଼ୋଶୀ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଶ୍ରୀ ବେଙ୍ଗଲ ରାଓ ରାଜଧାନୀ ହାଇଦ୍ରାବାଦଠାରେ ତେଲୁଗୁ ଏକାଡେମୀର ନୂତନ ଭବନଟିର ଉଦ୍‌ଘାଟନ କରିଛନ୍ତି । ତେଲୁଗୁ ଏକାଡେମୀ ଅର୍ଥାତ୍ ରାଜ୍ୟ ତେଲୁଗୁ ପ୍ରତିଷ୍ଠାନ । ଗତ ୧୯୬୮ ମସିହା ଜୁନ ମାସରୁ କେନ୍ଦ୍ର ସରକାର ଭାରତୀୟ ଭାଷାଗୁଡ଼ିକର ବିକାଶ ଏବଂ ସମୃଦ୍ଧିକଳ୍ପେ ଯେଉଁ ଯୋଜନାଟି ଅନୁସାରେ ରାଜ୍ୟ ସରକାରଙ୍କ ହାତକୁ ଏକ ବୃହତ୍ ପରିମାଣର ଅର୍ଥଦାନ କରିଛନ୍ତି, ତେଲୁଗୁ ଏକାଡେମୀ ସେହି ଯୋଜନାର ଏକ ସାକାର ପରିଣତି । ଭାରତୀୟ ଭାଷାଗୁଡ଼ିକର ବିକାଶ ଏବଂ ସମୃଦ୍ଧି ଦିଗରେ ସୁଯୋଜିତ ଭାବରେ ଏପରି ପ୍ରଚେଷ୍ଟାମାନ କରାଯିବ, ଯାହା ଫଳରେ କି ଅଳ୍ପ କେତେବର୍ଷ ମଧ୍ୟରେ ସେଗୁଡ଼ିକ ସମ୍ପୃକ୍ତ ଆପଣା ଆପଣାର ରାଜ୍ୟରେ ଶିକ୍ଷା ତଥା ପ୍ରଶାସନର ମାଧ୍ୟମରୂପେ ବ୍ୟବହୃତ ହୋଇପାରିବେ, ସେହି ଦୂର ଲକ୍ଷ୍ୟଟିର ସାଧନ ନିମିତ୍ତ କେନ୍ଦ୍ର ସରକାର ପ୍ରତ୍ୟେକ ଭାଷା ଲାଗି ଉକ୍ତ ଅର୍ଥର ବ୍ୟବସ୍ଥା କରିଥିଲେ । ପ୍ରାରମ୍ଭକାଳୀନ ଅନୁଦାନ ସ୍ୱରୂପ ପ୍ରତ୍ୟେକ ଭାଷାଲାଗି କୋଟିଏ ଲେଖାଏଁ ଟଙ୍କାର ବରାଦ ହୋଇଥିଲା ।

 

ଭାରତର କେତୋଟି ରାଜ୍ୟର ସରକାର ଏହି ଯୋଜନା କାର୍ଯ୍ୟକାରୀ ହେବାର ଆଠ ବର୍ଷ ମଧ୍ୟରେ ସେହି ଅର୍ଥ ପରିମାଣର ସମ୍ପୂର୍ଣ୍ଣ ବିନିଯୋଗ କରି ସାରିଛନ୍ତି । ଏହା ଫଳରେ ପୃଥିବୀର ବିଖ୍ୟାତ ଗ୍ରନ୍ଥମାନ ସେହି ଭାଷାଗୁଡ଼ିକୁ ଅନୁବାଦ କରାଯାଇଛି । କୌଣସି ଭାରତୀୟ ଭାଷା ଗୋଟିଏ ରାଜ୍ୟରେ ଉଚ୍ଚଶିକ୍ଷା ସମେତ ଯାବତୀୟ ଶିକ୍ଷାର ମାଧ୍ୟମରୂପେ ପ୍ରଚଳିତ ହେବାକୁ ହେଲେ ଜ୍ଞାନର ବିଭିନ୍ନ ବିଭାଗରେ ସେହି ଭାଷାରେ ପ୍ରସ୍ତୁତ ସାହିତ୍ୟର ଯେପରି ପ୍ରାଚୁର୍ଯ୍ୟ ରହିବା ଦରକାର, ପ୍ରତ୍ୟେକ ଭାଷାକୁ ସେହି ପ୍ରାଚୁର୍ଯ୍ୟର ସ୍ତରକୁ କ୍ରମଶଃ ଉନ୍ନୀତ କରି ଆଣିବା ଲାଗି ଉକ୍ତ ଯୋଜନାଟିକୁ କାର୍ଯ୍ୟକାରୀ କରାଯାଇଥିଲା । କହିବା ବାହୁଲ୍ୟ, ଆମ ଓଡ଼ିଆ ଭାଷାକୁ ମଧ୍ୟ ଏହି ଉଦ୍ଦେଶ୍ୟରେ କୋଟିଏ ଟଙ୍କାର ବରାଦ କରାଯାଇଥିଲା ଓ ଏହି ଦିଗରେ କ୍ରମଶଃ ଯଥାର୍ଥ ପଦକ୍ଷେପମାନ ଗ୍ରହଣ କରିବା ଲାଗି ଏକ ପ୍ରଶସ୍ତ ଅବସର ପ୍ରଦାନ କରାଯାଇଥିଲା ।

 

ଗତ ଆଠ ବର୍ଷର ଫଳାଫଳରୁ ଯାହା ଜାଣିବାକୁ ମିଳୁଛି, ଓଡ଼ିଶାରେ ସେହି ଯୋଜନାଟି ଆବଶ୍ୟକ ଭାବରେ ଅଗ୍ରଗତି କରିପାରିନାହିଁ । ଅଥବା, ଅନ୍ୟପ୍ରକାରେ କହିଲେ, ଯୋଜନାଟିକୁ ପରିପୂର୍ଣ୍ଣ ବେଗ ଏବଂ ସମୃଦ୍ଧି ଦେବା ଲାଗି ଆମର ଏଠି ଯେତିକି ଆଗ୍ରହ ଓ ଯେତିକି ତତ୍ପରତା ପ୍ରକାଶ ପାଇବା ଉଚିତ ଥିଲା, ତାହା ପ୍ରକାଶ ପାଇପାରି ନାହିଁ । ଜ୍ଞାନର ବିଭିନ୍ନ କ୍ଷେତ୍ରରେ ପୁସ୍ତକ ପ୍ରଣୟନ କରିବା ଦିଗରେ ଓଡ଼ିଆଭାଷା ଆଗରୁ ଯେପରି ଭାବରେ ଦରିଦ୍ର ହୋଇ ରହି ଆସିଥିଲା, ସେହି ଦୃଷ୍ଟିରୁ ଏଠାରେ ଏହି କ୍ଷେତ୍ରରେ ଯେ ପ୍ରାୟ ଅସୀମ ଅନେକ ପରିସର ରହିଥିଲା, ଯେ କେହି ଅତି ନିଃସନ୍ଦେହ ଭାବରେ ସେ କଥା କହିପାରିବ । ଦୁର୍ଭାଗ୍ୟର ବିଷୟ, ସେହି ପରିସରକୁ କେବଳ ନମୁନା ଭଳି କେତେଖଣ୍ଡ ପାଠ୍ୟପୁସ୍ତକ ପ୍ରସ୍ତୁତ କରିବାର କ୍ଷୁଦ୍ର ଲକ୍ଷ୍ୟଟି ମଧ୍ୟରେ ଆବଦ୍ଧ କରି ରଖାଗଲା । ଆମ ଅଧ୍ୟାପକମାନେ ଅନ୍ୟମାନେ ପ୍ରସ୍ତୁତ କରିଥିବା ସିଲାବସ୍ ଅନୁସାରେ କଲେଜର ଛାତ୍ରମାନଙ୍କ ଲାଗି ପାଠ୍ୟପୁସ୍ତକ ଲେଖିଲେ । ପାଠ୍ୟପୁସ୍ତକଗୁଡ଼ାକ ସବୁ ଭାଷା ଓ ସବୁ ସାହିତ୍ୟର କ୍ଷେତ୍ରରେ ସଚରାଚର ଯେପରି ଏକ ନିକୃଷ୍ଟତର ସ୍ଥାନରହିଁ ଭାଜନ ହୋଇ ରହେ, ଏଠାରେ ମଧ୍ୟ ଠିକ୍ ତାହାହିଁ ଘଟିଲା । କଲେଜରେ ପିଲାମାନଙ୍କୁ ଇଂରାଜୀରେ ପାଠପଢ଼ା ହେଉଥିଲେ ମଧ୍ୟ ସେମାନଙ୍କୁ ଅଧୀତ ବିଷୟଗୁଡ଼ିକରେ ହୁଏତ କିଞ୍ଚିତ ପରିମାଣରେ ସାହାଯ୍ୟ କରିବା ଲାଗି ଓଡ଼ିଆଭାଷାରେ ପ୍ରସ୍ତୁତ ସିଲାବସ୍ ଅନୁସାରେ ବହିମାନ ପ୍ରସ୍ତୁତ କରାଗଲା । କୌଣସି ବିଷୟରେ ଉଚ୍ଚମାନସମ୍ପନ୍ନ କୌଣସି ଗ୍ରନ୍ଥ ଲେଖା ଗଲାନାହିଁ । କେବଳ ପାଠ୍ୟପୁସ୍ତକମାନ ଲେଖାଗଲା । ଇଂରାଜୀ ଭାଷାର ଅଧ୍ୟାପନାଗୁଡ଼ାକୁ ଭଲ କରି ବୁଝି ପାରୁ ନ ଥିବା ପିଲାମାନଙ୍କୁ ପରୀକ୍ଷା ଲାଗି ପ୍ରସ୍ତୁତ ହେବା ଲାଗି ସାହାଯ୍ୟ କରିବା ଉଦ୍ଦେଶ୍ୟରେ ଓଡ଼ିଆରେ ଏହି ବହିସବୁ ତିଆରି ହେଲା । ଓଡ଼ିଆ ସାହିତ୍ୟ ଅଥବା ଓଡ଼ିଆଭାଷାର ଭଣ୍ଡାରକୁ ସମୃଦ୍ଧ କରିବା ଲାଗି ଏହି ପରିକଳ୍ପନାଗୁଡ଼ାକ ଯେ ଆଦୌ କୌଣସି ସାହାଯ୍ୟ କଲାନାହିଁ, ସେହି କଥାଟିକୁ ଆମେ ସମସ୍ତେ ନିଶ୍ଚୟ ଭାରି ସହଜରେ ବୁଝି ପାରିବା ।

 

ଓଡ଼ିଶାରେ ଅଧ୍ୟାପକମାନେହିଁ ଏହିସବୁ ଓଡ଼ିଆ ପାଠ୍ୟପୁସ୍ତକ ପ୍ରସ୍ତୁତ କରିବା ଲାଗି ଭାରପ୍ରାପ୍ତ ଅଧିକାରୀ ହୋଇ ରହିଲେ । ସେମାନେ ହୁଏତ ଜୀବନଯାକ ଇଂରାଜୀରେହିଁ ପାଠ ପଢ଼ାଇ ଆସିଥିଲେ । ନିଜେ ବି ଛାତ୍ରାବସ୍ଥାରେ ଇଂରାଜୀରେ ପାଠ ପଢ଼ିଥିଲେ । ଏହିସବୁ ବିଦ୍ୟାକୁ ଓଡ଼ିଆରେ ପ୍ରକାଶ କରାଯାଇ ପାରିବ କି ନାହିଁ, ହୁଏତ ସ୍ୱୟଂ ଲେଖକମାନଙ୍କଠାରେ ମଧ୍ୟ ଏ ବିଷୟରେ ଆଦୌ ଯଥେଷ୍ଟ ବିଶ୍ୱାସ ନ ଥିଲା । ଓଡ଼ିଶାରେ ଓଡ଼ିଆଭାଷା ଯେ ଆଦୌ କେବେହେଲେ ଉଚ୍ଚଶିକ୍ଷାର ମାଧ୍ୟମରୂପେ ବ୍ୟବହୃତ ହୋଇପାରିବ, ସେହି ବିଷୟରେ ସେମାନଙ୍କର ହୁଏତ ଆହୁରି କମ୍ ବିଶ୍ୱାସ ରହିଥିଲା । ବିଶ୍ୱବିଦ୍ୟାଳୟ ଶିକ୍ଷାର ମାଧ୍ୟମରୂପେ ସେମାନେ ହୁଏତ ଇଂରାଜୀ ଭାଷାକୁହିଁ ଏକମାତ୍ର ଯୋଗ୍ୟ ଭାଷାରୂପେ ମାନୁଥିଲେ । ଏହିସବୁ ନ୍ୟୂନତା ଭିତରେ ପଶି ଓଡ଼ିଆଭାଷାରେ ବୈଷୟିକ ସମୃଦ୍ଧ ସାହିତ୍ୟ ପ୍ରଣୟନ କରିବାର ଯୋଜନାଟି ପ୍ରକୃତରେ ଭାରି ସଙ୍କୁଚିତ ହୋଇପଡ଼ିଲା । ଯୋଜନାଟି ଅନେକ ଦୃଷ୍ଟିରୁ ଭାରି ବିଡ଼ମ୍ବିତ ହୋଇ ରହିଲା ।

 

ପୁନଶ୍ଚ, ଯେଉଁମାନେ ଏହି ଯୋଜନାଟିକୁ କାର୍ଯ୍ୟକାରୀ କରିବା ଲାଗି ପ୍ରଶାସକସ୍ତରରେ ରହିଲେ, ସେମାନଙ୍କର ବି ଯୋଜନାଟି ବିଷୟରେ କେତେଦୂର ଅନ୍ତର୍ଗତ ଆଗ୍ରହ ରହିଛି, ସେ କଥାଟିକୁ ଜାଣିବା ଲାଗି ମଧ୍ୟ କୌଣସି ବାଟ ନ ଥିଲା । ଅନେକେ ହୁଏତ ଏଇଟାକୁ ବି ଗୋଟାଏ ଚାକିରୀ ମନେକରି ଏହା ଭିତରକୁ ଆସିଲେ; ବିଶ୍ୱାସ ନ ଥାଇ ମଧ୍ୟ ଏହା ଭିତରେ ରହିଲେ । ତେଣୁ ଯାହା ଆମର ଏଠି ଏକ ଜାତୀୟ ଉଦ୍ୟମରେ ପରିଣତ ହୋଇପାରିଥାନ୍ତା, ତାହା କେବଳ ଗୋଟାଏ ଅଫିସ ହୋଇ ରହିଲା । ଆଠବର୍ଷ ପରେ ମଧ୍ୟ ଓଡ଼ିଆଭାଷା ଆଗରୁ ଯେଉଁଠି ଥିଲା, ପ୍ରାୟ ସେହିଠାରେ ରହିଲା, କେତୋଟି ନିକୃଷ୍ଟ ପାଠ୍ୟପୁସ୍ତକ ଛପାଇ ବାହାର କରିବା ବ୍ୟତୀତ ଆମେ ଏହି କ୍ଷେତ୍ରରେ ଆଉ ଅଧିକ କିଛିହେଲେ କରିପାରିଲୁ ନାହିଁ ।

 

ଯୋଜନାଟିକୁ ସାର୍ଥକ ଭାବରେ କାର୍ଯ୍ୟକାରୀ କରିବା ଲାଗି ଆହୁରି ଅନେକ ଅଧିକ ଦୂରଦୃଷ୍ଟି ଲୋଡ଼ା ଥିଲା, ହାକିମମାନଙ୍କ ଅପେକ୍ଷା ଆଗ୍ରହୀମାନଙ୍କ ଅଧିକ ପ୍ରୟୋଜନ ଥିଲା । ସର୍ବାଦୌ, ଓଡ଼ିଆଭାଷାରେ ଯେ ଏସବୁ ପ୍ରକୃତରେ ସମ୍ଭବ ହୋଇପାରିବ, ସେହିପରି ଏକ ବିଶ୍ୱାସର ପ୍ରୟୋଜନ ରହିଥିଲା । ଅନେକ ଅଧିକ ସଂକଳ୍ପବୁଦ୍ଧିର ପ୍ରୟୋଜନ ରହିଥିଲା ।

ତା ୧୨.୦୧.୧୯୭୭ ରିଖ

Image

 

Unknown

ଶିକ୍ଷାରେ ମାନବୃଦ୍ଧି ପାଇଁ

 

ଅନ୍ୟପ୍ରକାର ଯାବତୀୟ ଆନ୍ଦୋଳନକୁ ପରିତ୍ୟାଗ କରି ଶିକ୍ଷାରେ ମାନବୃଦ୍ଧି ପାଇଁହିଁ ଛାତ୍ରମାନେ ଆନ୍ଦୋଳନ କରିବା ଉଚିତ ବୋଲି ଦିଲ୍ଲୀ ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟର କୁଳପତି ଏବେ ଭୁବନେଶ୍ୱରଠାରେ ମତବ୍ୟକ୍ତ କରିଛନ୍ତି ।

 

ଛାତ୍ରମାନଙ୍କର ଗୋଟିଏ ସଭାରେ ଛାତ୍ରମାନଙ୍କୁ ଉଦ୍‌ବୋଧନ ଦେବାର ଉପଲକ୍ଷରେହିଁ ସେ ଏହି ମତଟିକୁ ବ୍ୟକ୍ତ କରିଛନ୍ତି । ଏକ ବିଶ୍ୱବିଦ୍ୟାଳୟର କୁଳପତି ଏହି ମତବ୍ୟକ୍ତ କରିଛନ୍ତି । ତେଣୁ ମନ୍ତବ୍ୟଟିକୁ ଏକାବେଳକେ ହାଲୁକା ଭାବରେ ଉଡ଼ାଇ ନ ଦେଇ ସେଇ ବିଷୟରେ ନିଜେ କିଛି ବିଚାର କରିବା ଲାଗି ମଧ୍ୟ ଆମ ସମସ୍ତଙ୍କର ନିଶ୍ଚୟ ଏକ ଅବସର ରହିଛି ।

 

ଆଗେ, ଅର୍ଥାତ୍ ଦେଶର ଜରୁରୀ ପରିସ୍ଥିତି ଘୋଷଣା କରାଯିବାର ପୂର୍ବ ପର୍ଯ୍ୟନ୍ତ ଆମ ଦେଶରେ ବିଶ୍ୱବିଦ୍ୟାଳୟର ଛାତ୍ରମାନେ ପ୍ରାୟ ନିୟମିତରୂପେ ନାନାପ୍ରକାର ଆନ୍ଦୋଳନ କରୁଥିଲେ-। ସେତେବେଳେ ଅଧ୍ୟୟନ ଅପେକ୍ଷା ଏହି ଆନ୍ଦୋଳନଗୁଡ଼ାକ ଲାଗିହିଁ ସେମାନଙ୍କର ଅଧିକତର ସମୟ ଓ ଶକ୍ତି ନିୟୋଜିତ ହେଉଥିଲା । ପାଠପଢ଼ା ହେଉଥିଲା କି ନାହିଁ ସମ୍ପୃକ୍ତ କାହାରିଙ୍କୁ ସେକଥା ଭାବିବାକୁ ବେଳ ନ ଥିଲା । ପରୀକ୍ଷାଗୁଡ଼ାକ କେତେବେଳେ ଯେ ହେଉଥିଲା, ତାହାର ଆଦୌ କୌଣସି ସ୍ଥିରତା ନ ଥିଲା । ଏ ବର୍ଷର ପରୀକ୍ଷା ହୁଏ ତ ଆରବର୍ଷକୁ ହେଉଥିଲା । ଜରୁରୀ ଅବସ୍ଥା ଘୋଷଣା କରାଯିବା ପରେ ଏବେ ସେପରି ପରିସ୍ଥିତି ଆଉ ପ୍ରାୟ ସୃଷ୍ଟି ହେଉନାହିଁ । ବିଶ୍ୱବିଦ୍ୟାଳୟମାନଙ୍କରେ ଧର୍ମଘଟ ହେଉନାହିଁ, ଭଙ୍ଗାରୁଜା ହେଉନାହିଁ; ଛାତ୍ର ୟୁନିୟନ ଏବଂ ସେଥିଲାଗି ହେଉଥିବା ନିର୍ବାଚନଗୁଡ଼ାକୁ କେନ୍ଦ୍ର କରି ବାହାର ସହଯୋଗ ସହିତ ବିଶ୍ୱବିଦ୍ୟାଳୟ ଭିତରେ ରାଜନୀତି ହେଉଥିଲା ଓ କାଳ ଅକାଳରେ କେତେ କେତେ ଉତ୍ତେଜନା ସୃଷ୍ଟି କରିରଖୁଥିଲା, ସେଗୁଡ଼ାକ ଆଉ ଏବେ ଦେଖିବାକୁ ମିଳୁନାହିଁ । ବିଶ୍ୱବିଦ୍ୟାଳୟମାନଙ୍କରେ ଆଉ ନିର୍ବାଚନ ହେଉ ନାହିଁ । ତେଣୁ କୁହାଯାଇ ପାରିବ ଯେ, ସେହିସବୁ କ୍ଷେତ୍ରରେ ଆଉ କୌଣସି ପ୍ରକାରର ଅଶାନ୍ତି ନାହିଁ । ତଥାପି ଶିକ୍ଷାର ମାନ ବୃଦ୍ଧିପାଇଛି କି ?

 

ପରୀକ୍ଷାଗୁଡ଼ାକ ଯଦି ଠିକ୍‌ ସମୟରେ ହୁଏ, ପିଲାମାନେ ଯଦି ଠିକ୍‌ ସମୟରେ ପରୀକ୍ଷା ଦେଇ ପାଶ କରନ୍ତି ବା ଫେଲ ହୁଅନ୍ତି, ତେବେ ତାହାଦ୍ୱାରା ବିଶ୍ୱବିଦ୍ୟାଳୟରେ ଶିକ୍ଷାର ମାନ ଅବଶ୍ୟ ବୃଦ୍ଧିପାଇବ ବୋଲି କଦାପି କୁହାଯାଇ ପାରିବ ନାହିଁ । ଯଦି ଅଧ୍ୟାପକମାନଙ୍କୁ ଦୁଇ ଗୁଣ ଅଧିକ ବେତନ ମିଳେ, ତାହାଦ୍ୱାରା ବି ସେମାନଙ୍କର ଅଧ୍ୟାପନାରେ ଯେ ନିଶ୍ଚୟ ଏକ ମାନବୃଦ୍ଧି ହେବ, ଏପରି କହିବାରେ ଆଦୌ କୌଣସି କାରଣ ମଧ୍ୟ ନାହିଁ । ଆମ ସରକାର ପ୍ରତ୍ୟେକ ବିଶ୍ୱବିଦ୍ୟାଳୟକୁ ବର୍ତ୍ତମାନ ତୁଳନାରେ ଦୁଇଗୁଣ ପଇସା ମଞ୍ଜୁର କଲେ ମଧ୍ୟ ତାହାରିଦ୍ୱାରାହିଁ କଦାପି ଶିକ୍ଷାର ମାନବୃଦ୍ଧି ହୋଇଯିବ ନାହିଁ । ଆମ ଦେଶରେ ପାଠପଢ଼ି ଉଚ୍ଚଶିକ୍ଷିତ ହୋଇ ସମସ୍ତଙ୍କୁ ନିଶ୍ଚୟ ଚାକିରୀ ମିଳିଯିବାର ସୁଯୋଜିତ ବ୍ୟବସ୍ଥାଟିଏ ଚାଲୁ କରାଗଲେ ମଧ୍ୟ ଶିକ୍ଷାର ମାନବୃଦ୍ଧି ପ୍ରାପ୍ତ ହୋଇଯିବ ନାହିଁ । ଆମ ଦେଶର ବିଶ୍ୱବିଦ୍ୟାଳୟଗୁଡ଼ିକ ବର୍ତ୍ତମାନ ଆମ ଦେଶରେ ଅଜ୍ଞାନ ସମୁଦ୍ର ଭିତରେ ଯେପରି ଗୋଟିଏ ଗୋଟିଏ ଆଡ଼ମ୍ବରପୂର୍ଣ୍ଣ ଓ ଆତ୍ମପ୍ରଶଂସାମୟ ଦ୍ୱୀପ ହୋଇ ରହିଛନ୍ତି, ସେହି ଦ୍ୱୀପାବସ୍ଥାନଟିକୁ ଏକ ପବିତ୍ର ବ୍ୟାପାର ପରି ମାନି ରହିଥିଲା ପର୍ଯ୍ୟନ୍ତ ହୁଏତ ଶିକ୍ଷାରେ ଆଦୌ କୌଣସି ମାନବୃଦ୍ଧି ହେବ ନାହିଁ । କୁଳପତିମାନେ କହିଲେ ହେବ ନାହିଁ କିମ୍ବା ଛାତ୍ରମାନେ ସେଥିଲାଗି ଆନ୍ଦୋଳନ କଲେ ମଧ୍ୟ ତାହା ସମ୍ଭବ ହେବ ନାହିଁ ।

 

ପ୍ରତ୍ୟେକ କାରଖାନା ସକାଶେ ଯେପରି ଏକ ଅନୁକୂଳ ପୃଷ୍ଠଭୂମି ରହିବା ଦରକାର, ବିଶ୍ୱବିଦ୍ୟାଳୟ ଶିକ୍ଷାର ମାନବୃଦ୍ଧି ନିମନ୍ତେ ବି ସେହିପରି ଏକ ଅନୁରୂପ କ୍ଷେତ୍ରପ୍ରସ୍ତୁତି ଦରକାର । ଭାରତବର୍ଷରେ ଏକ ଅତି ବିଚିତ୍ର ଶିକ୍ଷାନୀତି ଅନୁସରଣ କରାଯିବା ଫଳରେ ଦେଶର ପ୍ରାଥମିକ ଶିକ୍ଷାକ୍ଷେତ୍ରକୁ ଅବହେଳା କରି ବିଶ୍ୱବିଦ୍ୟାଳୟ ଶିକ୍ଷାର ଉତ୍କର୍ଷ ସାଧନ ଏବଂ ସଂପ୍ରସାରଣ କରାହୋଇ ଆସିଛି । ଯେଉଁସବୁ ଦେଶରେ ଶିକ୍ଷାର ମାନ ସନ୍ତୋଷଜନକ ଭାବରେ ଉଚ୍ଚରେ ରହିଛି, ସେଠାରେ ଯାହା ନ ହୋଇଛି, ଏଠି ଆମ ଦେଶରେ ଠିକ୍ ତାହାହିଁ ହୋଇଛି । ଦେଶର ସବୁପିଲା ଯେଉଁଠି ସେମାନଙ୍କର ନିମ୍ନତମ ଅଧିକାର ସ୍ୱରୂପ ଅତି କମ୍‌ ରେ ପ୍ରାଥମିକ ସ୍ତରର ଶିକ୍ଷାଲାଭ କରିବାକୁ ଆସୁଥାନ୍ତି, ସେହି ବିଦ୍ୟାଳୟଗୁଡ଼ିକୁ ଏକାନ୍ତ ଅବହେଳା ପ୍ରଦର୍ଶନ କରି ଆମ ଦେଶରେ ଏ ପର୍ଯ୍ୟନ୍ତ ବିଶ୍ୱବିଦ୍ୟାଳୟ ନାମରେ କେତୋଟି ବିଳାସବିହାର ସ୍ଥାପନ କରିବା ଦିଗରେ ଅଧିକ ଆଗ୍ରହ ପ୍ରକାଶ କରାଯାଇଛି । ସେଠାକୁ ଯେଉଁମାନେ ପଢ଼ିବାକୁ ଆସୁଛନ୍ତି, ସବୁଠାରୁ ଅଧିକ ଯୋଗ୍ୟତାସମ୍ପନ୍ନ ବୋଲି ଯେ ସେମାନେ ସେଠାକୁ ଆସୁଛନ୍ତି, ସେ କଥା ଆଦୌ ନୁହେଁ । ଯଥାର୍ଥ ଯୋଗ୍ୟତା ଅନୁସାରେ ଆମ ଦେଶରେ ଉଚ୍ଚଶିକ୍ଷାର ଅଧିକାର ହାସଲ କରିପାରିବା ଲାଗି ଏ ପର୍ଯ୍ୟନ୍ତ କୌଣସି ସାର୍ବଜନୀନ ବ୍ୟବସ୍ଥା ହୋଇପାରି ନାହିଁ । ଯେଉଁମାନଙ୍କର ପାଠ ପଢ଼ିବା ଲାଗି ପ୍ରକୃତ ଆଗ୍ରହ ଅଛି, ସେଇମାନେ ଯେ ବିଶ୍ୱବିଦ୍ୟାଳୟମାନଙ୍କୁ ପାଠ ପଢ଼ିବାକୁ ଆସୁଛନ୍ତି, ସେକଥା ମଧ୍ୟ ଆଦୌ ସତ ନୁହେଁ । କୌଣସି ଏକ ନିର୍ଦ୍ଦିଷ୍ଟ ବିଷୟରେ ଉଚ୍ଚଶିକ୍ଷା ଲାଭ କରିବାକୁ ଆଗ୍ରହ ରହିଥିବା ପିଲାମାନେ ଯେ ପ୍ରକୃତରେ ସେହି ବିଷୟଟିର ଅଧ୍ୟୟନ କରିବାକୁ ଆସୁଛନ୍ତି, ସେକଥା ବି କଦାପି କୁହାଯାଇ ପାରିବ ନାହିଁ । ସର୍ବୋପରି ବିଶ୍ୱବିଦ୍ୟାଳୟମାନଙ୍କରେ ଯେଉଁମାନେ ଅଧ୍ୟାପକ ପଦରେ ପ୍ରତିଷ୍ଠିତ ହୋଇ ରହିଛନ୍ତି, ପ୍ରକୃତ ଆଗ୍ରହ ରହିଥିବାରୁ ଯେ ସେମାନେ ସମସ୍ତେ ଅଧ୍ୟାପନା କରିବାକୁ ଆସିଛନ୍ତି, ସେ କଥା ମଧ୍ୟ କଦାପି ଠିକ୍ ନୁହେଁ । ତେବେ, ଏହିସବୁ ପ୍ରମୋଦ ଭର୍ତ୍ତିହୋଇ ରହିଥିବା ପର୍ଯ୍ୟନ୍ତ ଶିକ୍ଷାର ମାନବୃଦ୍ଧି ହେବାକୁ ଯିବ ବା କାହିଁକି ?

 

ପୁନଶ୍ଚ, ବିଶ୍ୱବିଦ୍ୟାଳୟରୁ ଲାଭ କରାଯାଉଥିବା ଡିଗ୍ରୀ ସହିତ ବାହାରର ଚାକିରିଗୁଡ଼ାକ ଗୁନ୍ଥା ହୋଇ ରହିଥିବା ପର୍ଯ୍ୟନ୍ତ ମାନବୃଦ୍ଧି କ୍ଷେତ୍ରରେ ଆଶାନୁରୂପ କୌଣସି ଅଗ୍ରଗତି ହୋଇପାରିବାର ସମ୍ଭାବନା ଅତ୍ୟନ୍ତ କମ୍ ହୋଇ ରହିଥିବ । ଯେଉଁମାନେ ପାଠର ଆଗ୍ରହ ଅପେକ୍ଷା ଚାକିରୀ ପାଇବାର ଏକ ଅନୁମତିପତ୍ର ହାସଲ କରିବା ସକାଶେ ବିଶ୍ୱବିଦ୍ୟାଳୟମାନଙ୍କୁ ପାଠ ପଢ଼ିବାପାଇଁ ଆସିଛନ୍ତି, ସେମାନେ ବା ଶିକ୍ଷାରେ ମାନବୃଦ୍ଧି ଲାଗି କାହିଁକି କୌଣସି ଆନ୍ଦୋଳନ କରିବାକୁ ଯିବେ ? ତେଣୁ, ଆମର ଅସଲ ଆଗ୍ରହଗୁଡ଼ାକ ପ୍ରକୃତରେ ଶିକ୍ଷିତ ଆଗ୍ରହରେ ପରିଣତ ନ ହେବା ପର୍ଯ୍ୟନ୍ତ ଆମେ ଯେ ଶିକ୍ଷାର ମାନବୃଦ୍ଧି ଲାଗି ଆଦୌ କୌଣସି ଆଗ୍ରହ ପ୍ରକାଶ କରିବା ନାହିଁ, ସେ କଥାଟିକୁ ଆମର ଆଗ ହୃଦୟଙ୍ଗମ କରିପାରିବା ଉଚିତ । ପରୀକ୍ଷାରେ ପାଶ୍ କରିବା ଲାଗି ଆମର ଯେତିକି ପାଠ ଦରକାର, ଆମେ ସେତିକି ପାଠକୁ ବାଧ୍ୟ ହୋଇ ପଢ଼ୁଥିବା ପର୍ଯ୍ୟନ୍ତ ଶିକ୍ଷାରେ ମାନବୃଦ୍ଧି ସକାଶେ ଆମେ କାହିଁକି ବା କୌଣସି ଆନ୍ଦୋଳନ କରିବା ଲାଗି ମନ ବଳାଇବା ? ଆମ ଅଧ୍ୟାପକମାନେ ବି ପ୍ରଧାନତଃ ଚାକିରି କରୁଥିବା ପର୍ଯ୍ୟନ୍ତ ଆପଣାର ମାନବୃଦ୍ଧି ଲାଗି କାହିଁକି କୌଣସି ପ୍ରକାର ଆଗ୍ରହ ପ୍ରକାଶ କରିବେ ?

ତା ୧୪.୧.୧୯୭୭ ରିଖ

Image

 

ସ୍ୱାୟତ୍ତଶାସନର ଦାବୀ

 

ପୁରୁଣା ସ୍ପେନ ଦେଶରେ ଆଜି ଅନେକ ସମସ୍ୟା । ନୂତନ ହୋଇ ଜନ୍ମଗ୍ରହଣ କରିବାର ସମସ୍ୟା । ଜେନେରାଲିସିମୋ ଫ୍ରାଙ୍କୋଙ୍କ ଅଧୀନ ହୋଇରହିଥିବା ସମୟରେ ସ୍ପେନ ଦେଶ ଇଉରୋପ ମହାଦେଶର ଏକ ଅଂଶ ହୋଇଥିଲେ ମଧ୍ୟ ତଥାପି ଲୋକଚେତନା ଓ ଲୋକଶାସନର ଦୃଷ୍ଟିରୁ ଇଉରୋପର ବାହାରେ କେଉଁ ଅତୀତର ଅନ୍ଧାର ଭିତରେ ବାସ କରୁଥିଲା । ଫ୍ରାଙ୍କୋଙ୍କ ମୃତ୍ୟୁ ପରେ ଯାଇ ସ୍ପେନବାସୀ ନିର୍ଭୟ ହୋଇ ଆପଣା ବିଷୟରେ ଚିନ୍ତା କରିବାକୁ ଆରମ୍ଭ କଲେ । ଅସ୍ତ୍ର ଓ ଦମନର ଭୟ ଦେଖାଯାଇ ସ୍ୱାଧୀନ ଏବଂ ସ୍ୱାୟତ୍ତଶାସିତ ହେବାର ଭୋକଗୁଡ଼ାକୁ ମାରି ଦିଆଯାଇଥିଲା । ଏଥର ସେଗୁଡ଼ାକ ପୁନର୍ବାର ଜୀବିତ ହୋଇ ଉଠିବାର ସୁଯୋଗ ପାଇଲା । ସ୍ପେନର ଦୁଇଟି ଅଞ୍ଚଳ ବାସ୍କ ଏବଂ କାଟାଲେନିଆରେ ଏବେ ସ୍ୱାୟତ୍ତଶାସନର ଦାବୀ ପୁଣି ଆପଣାକୁ ସଜୀବ କରାଇବାକୁ ଆରମ୍ଭ କରୁଛି, ଆମେ ତାହାକୁ ମଧ୍ୟ ସ୍ପେନର ସେହି ପୁନର୍ଜୀବନର ଦୁଇଟି ଦୃଷ୍ଟାନ୍ତ ବୋଲି କହିପାରିବା ।

 

ବାସ୍କ ଏବଂ କାଟାଲୋନିଆ ହେଉଛନ୍ତି ସ୍ପେନର ଦୁଇଟି ସମୃଦ୍ଧତମ ଅଞ୍ଚଳ । ସାଂସ୍କୃତିକ ଚେତନାର କ୍ଷେତ୍ରରେ ମଧ୍ୟ ଆମେ ଏହି ଦୁଇଟି ଅଞ୍ଚଳକୁ ସବୁଠାରୁ ଅଧିକ ବିକଶିତ ବୋଲି କହିପାରିବା । ଫ୍ରାଙ୍କୋ ସ୍ପେନର ଗାଦୀକୁ ମାଡ଼ିବସିବା ପୂର୍ବରୁ ସେଠାରେ ଯେଉଁ ଲୋକତନ୍ତ୍ରର ସ୍ଥାପନା ହୋଇଥିଲା, ସେତେବେଳେ ଏହି ଦୁଇଟି ଅଞ୍ଚଳ ଦୁଇଟି ସ୍ୱାୟତ୍ତଶାସିତ ଅଞ୍ଚଳରୂପେ ଘୋଷିତ ହୋଇଥିଲେ । ପ୍ରାୟ ତାହାରି ବିରୁଦ୍ଧରେ ଏକ ପ୍ରତିକ୍ରିୟାରୂପେ ଫ୍ରାଙ୍କୋଙ୍କର ଏକଛତ୍ରବାଦୀ ଆନ୍ଦୋଳନ ମୁଣ୍ଡ ଟେକିଲା ଏବଂ ଶେଷକୁ ସମଗ୍ର ସ୍ପେନକୁ ଗ୍ରାସକରି ପକାଇଲା । ଫ୍ରାଙ୍କୋ କ୍ଷମତାରେ ପ୍ରତିଷ୍ଠିତ ହେବା ସଙ୍ଗେ ସଙ୍ଗେ ସ୍ୱାୟତ୍ତଶାସନର ସେହି ଘୋଷଣାକୁ ରଦ୍ଦକରି ଦିଆଗଲା । ଏକାଧିନାୟକତାର ଦୌରାତ୍ମ୍ୟ ଖଟାଇ ଲୋକମାନଙ୍କର ଅସନ୍ତୋଷକୁ ଦବାଇ ରଖାଗଲା ।

 

ଫ୍ରାଙ୍କୋଙ୍କ ପରେ ସ୍ପେନର ବର୍ତ୍ତମାନ ଶାସକ ରାଜା ଜୁଆନ କାର୍ଲୋସ୍ ଏବଂ ତାଙ୍କର ନବନିର୍ବାଚିତ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ଆଡ଼ଲଫୋ ସୁଆରେଜ୍ କ୍ଷମତାକୁ ଆସିବା ପରେ ବାସ୍କ ଓ କାଟାଲୋନିଆ ପ୍ରଦେଶ ଦୁଇଟିରେ ସ୍ୱାୟତ୍ତଶାସନର ଆନ୍ଦୋଳନ ପୁନର୍ବାର ସକ୍ରିୟ ହେବାକୁ ଆରମ୍ଭ କରିଛି ଏବଂ ଆନ୍ଦୋଳନଟିକୁ ଅସ୍ତ୍ରବଳଦ୍ୱାରା ଦବାଇ ଦେବାଲାଗି କାର୍ଲୋସ ଅଥବା ସୁଆରେଜ କେହିହେଲେ ଇଚ୍ଛା କରୁନାହାନ୍ତି । ସେମାନେ ସମସ୍ୟାଟିର ଯଥାସମ୍ଭବ ଏକ ରାଜନୀତିକ ସମାଧାନ ଚାହୁଁଛନ୍ତି ଓ ଆନ୍ଦୋଳନର ନାୟକମାନଙ୍କ ଦାବୀକୁ ଯଥାସମ୍ଭବ ଅଧିକ ପରିମାଣରେ ସ୍ୱୀକାର କରିବାଲାଗି ମଧ୍ୟ ମନେ ମନେ ପ୍ରାୟ ପ୍ରସ୍ତୁତ ହୋଇ ଗଲେଣି । ଯେପର୍ଯ୍ୟନ୍ତ ଏକ ଦେଶ ହିସାବରେ ସ୍ପେନର ସଂହତି ପ୍ରତି କୌଣସି ବିପଦ ଆସି ନ ପହଞ୍ଚିଛି, ସେପର୍ଯ୍ୟନ୍ତ ବାସ୍କ ଏବଂ କାଟାଲୋନିଆର ଅଧିବାସୀମାନଙ୍କୁ ସଂସ୍କୃତିଗତ ଯାବତୀୟ କ୍ଷେତ୍ରରେ ଅଧିକରୁ ଅଧିକ ପରିମାଣରେ ସ୍ୱାତନ୍ତ୍ର୍ୟ ଦେବାଲାଗି ସେମାନେ ପ୍ରସ୍ତୁତ ହୋଇଗଲେଣି ।

 

କାରଣ, ଜୁଆନ କାର୍ଲୋସ୍ ଏବଂ ପ୍ରଧାନମନ୍ତ୍ରୀ ସୁଆରେଜ ଭଲକରି ଜାଣିଛନ୍ତି ଯେ ବାସ୍କ ଓ କାଟାଲୋନିଆ ଦୁଇ ପ୍ରଦେଶର ସ୍ୱାୟତ୍ତଶାସନ ଲାଗି ଆନ୍ଦୋଳନକୁ ଯଦି ଅଧିକ ଉତ୍ତେଜିତ ହେବାର ସୁଯୋଗ ମିଳେ, ତେବେ ଫ୍ରାଙ୍କୋଙ୍କର ଏକାଧିନାୟକତ୍ତ୍ୱର ଚାଳିଶି ବର୍ଷ ପରେ ଏବେ ସ୍ପେନରେ ଗଣତନ୍ତ୍ର ଓ ଲୋକଚେତନାର ବିକାଶ ଲାଗି ଯେଉଁ ଉଦ୍ୟମ ଆରମ୍ଭ ହୋଇଛି, ତାହା ଅତ୍ୟନ୍ତ ବାଧାପ୍ରାପ୍ତ ହେବ । ଆସନ୍ତା ଜୁନ ମାସରେ ସ୍ପେନ ଦେଶର ଅଧିବାସୀମାନେ ସାବାଳକ ମତଦାନଦ୍ୱାରା ଏକ ପାର୍ଲାମେଣ୍ଟର ସ୍ଥାପନା କରିବାକୁ ଯାଉଛନ୍ତି । ଗତ ଚାଳିଶି ବର୍ଷକାଳ ଯେଉଁ ଏକଛତ୍ର ଶାସନ ସ୍ପେନର ଗୋଡ଼ହାତକୁ ବାନ୍ଧି ରଖିଥିଲା, ତାହାର ଅବସାନ ପରେ ଏହାହିଁ ସେହି ଦେଶରେ ସର୍ବପ୍ରଥମ ନିର୍ବାଚନ ହେବ । ସେଥିଲାଗି ଏକ ଅନୁକୂଳ ଉତ୍ତେଜନାମୁକ୍ତ ବାୟୁମଣ୍ଡଳ ପ୍ରସ୍ତୁତ କରି ରଖିବା ଉଦ୍ଦେଶ୍ୟରେ ବାସ୍କ ଓ କାଟାଲୋନିଆରେ ସ୍ୱାୟତ୍ତଶାସନ ଲାଗି ଆନ୍ଦୋଳନକୁ ଅଧିକ ତିକ୍ତ ଏବଂ ପ୍ରଜ୍ଜ୍ୱଳିତ ହୋଇ ଉଠିବାକୁ ସୁଯୋଗ ଦେବା ଯେ ଆଦୌ ଉଚିତ୍ ହେବନାହିଁ, ସେକଥା ସ୍ପେନର ରାଷ୍ଟ୍ରୀୟ ଶାସନର ସ୍ତରରେ ସମ୍ପୃକ୍ତ ସମସ୍ତେ ଅନୁଭବ କରୁଛନ୍ତି ।

 

ବାସ୍କ ଅଞ୍ଚଳରେ ଚାରୋଟି ପ୍ରଦେଶ ଓ କାଟାଲୋନିଆ ଅଞ୍ଚଳରେ ଚାରୋଟି ପ୍ରଦେଶ । ସ୍ପେନଦେଶର ମୋଟ ଲୋକସଂଖ୍ୟା ସାଢ଼େ ତିନିକୋଟି ମଧ୍ୟରୁ ଏହି ଆଠୋଟି ପ୍ରଦେଶର ଲୋକସଂଖ୍ୟା ହେଉଛି ପ୍ରାୟ ପଞ୍ଚାଅଶୀ ଲକ୍ଷ । ଆର୍ଥିକ ଦୃଷ୍ଟିରୁ ବିଚାର କରି ଦେଖିଲେ ଲୋକମାନଙ୍କର ମୁଣ୍ଡପିଛା ବାର୍ଷିକ ଆୟ ଏହି ଅଞ୍ଚଳରେହିଁ ସର୍ବୋଚ୍ଚ ହୋଇ ରହିଛି । ମୋଟ ଜାତୀୟ ଉତ୍ପାଦନର ଶତକଡ଼ା ୩୩ଭାଗ ଏହି ଅଞ୍ଚଳରୁ ଉତ୍ପନ୍ନ ହେଉଛି ଓ ଏହି ଅଞ୍ଚଳର ଅଧିବାସୀମାନେ ଦେଶର ମୋଟ ଖଜଣାର ଶତକଡ଼ା ସତୁରିଭାଗ ଦେଉଛନ୍ତି । ବାସ୍କ ଏବଂ କାଟାଲୋନିଆ ଅଞ୍ଚଳରେ ଯେଉଁ ଶିଳ୍ପ କାରଖାନାମାନ ରହିଛି, ସେଥିରେ ସ୍ପେନର ଅନ୍ୟାନ୍ୟ ଅପେକ୍ଷାକୃତ ଅଳ୍ପବିକଶିତ ଅଞ୍ଚଳରୁ ହଜାର ହଜାର ଶ୍ରମିକ ଆସି କାମ କରୁଛନ୍ତି । ଏମାନେ ଆପଣାର ଅନ୍ନସଂସ୍ଥାନ କରିବା ସଙ୍ଗେ ସଙ୍ଗେ ବାସ୍କ ଓ କାଟାଲୋନିଆ ଅଞ୍ଚଳରୁ ସ୍ୱାୟତ୍ତଶାସନର ବିଚାରଗୁଡ଼ିକୁ ମଧ୍ୟ ସାଙ୍ଗରେ ନେଇ ଆପଣାର ଅଞ୍ଚଳଗୁଡ଼ିକରେ ସଂକ୍ରାମିତ କରି ଦେଉଛନ୍ତି । ଏହା ଫଳରେ ସ୍ପେନର ଅନ୍ୟ ଅଞ୍ଚଳଗୁଡ଼ିକରେ ମଧ୍ୟ ସ୍ୱାୟତ୍ତଶାସନ ଲାଗି ଦାବୀ କରିବାରେ ଆନ୍ଦୋଳନ କ୍ରମଶଃ ଦାନା ବାନ୍ଧିବାକୁ ଆରମ୍ଭ କରୁଛି ।

 

ବାସ୍କ ଓ କାଟାଲୋନିଆରେ ଯେଉଁମାନେ ସ୍ୱାୟତ୍ତଶାସନର ଦାବୀ କରୁଛନ୍ତି, ସେମାନେ ଏବେ ପରସ୍ପର ଭିତରେ ଯୋଗସୂତ୍ର ସ୍ଥାପନ କରି ସାରିଲେଣି ଓ ଦୁଇ ଆନ୍ଦୋଳନକୁ ଗୋଟିଏ ଆନ୍ଦୋଳନରୂପେ ଚଳାଇବା ଲାଗି କ୍ଷେତ୍ର ପ୍ରସ୍ତୁତ ବି କଲେଣି । ସେମାନେ ଆପଣାର ଯାବତୀୟ ପ୍ରଚାରରେ ଆପଣାର ଆଞ୍ଚଳିକ ଭାଷାରହିଁ ବ୍ୟବହାର କରୁଛନ୍ତି । ଆପଣା ଆପଣାର ସ୍ୱତନ୍ତ୍ର ପତାକାମାନ ମଧ୍ୟ ବ୍ୟବହାର କରୁଛନ୍ତି । ସେମାନେ ସ୍ପେନଠାରୁ ଅଲଗା ହୋଇ ଯିବାକୁ ଚାହୁଛନ୍ତି । ଅତି କମ୍‌ରେ ଆଞ୍ଚଳିକ ଶାସନର ସ୍ୱାତନ୍ତ୍ର ଚାହୁଛନ୍ତି । ତେଣୁ କାର୍ଲୋସ ଓ ସୁଆରେଜ ସେମାନଙ୍କୁ ସଂସ୍କୃତିଗତ କ୍ଷେତ୍ରରେହିଁ କେତେକ ପରିମାଣରେ ସ୍ୱତନ୍ତ୍ରତା ଦେଇ ସେମାନଙ୍କ ଆକାଙ୍‌କ୍ଷା ଗୁଡ଼ାକର କେତେଦୂର ତୁଷ୍ଟିବିଧାନ କରିପାରିବେ, ବର୍ତ୍ତମାନ ତାହାହିଁ ଦେଖିବାକୁ ବାକୀ ରହିଛି ।

ତା ୧୬.୧.୧୯୭୭ ରିଖ

Image

 

କର୍କଟ ରୋଗର ଗବେଷଣା

 

ଲିନୁସ୍ ପାଉଲିଙ୍ଗ୍ ହେଉଛନ୍ତି ବର୍ତ୍ତମାନ ଆମେରିକା ଯୁକ୍ତରାଜ୍ୟରେ ରହି ଗବେଷଣା କରୁଥିବା ଜଣେ ବିଶ୍ୱବିଶ୍ରୁତ ବୈଜ୍ଞାନିକ । ସିଏ ଦୁଇଥର ନୋବେଲ ପୁରସ୍କାର ଲାଭ କରିଛନ୍ତି । ଥରେ ବିଜ୍ଞାନରେ, ଅର୍ଥାତ୍ ପଦାର୍ଥ ବିଜ୍ଞାନରେ ଏବଂ ଆଉଥରେ ଶାନ୍ତିପାଇଁ । ବିଜ୍ଞାନକୁ କିପରି ଯଥାସମ୍ଭବ ଅଧିକ ପରିମାଣରେ ବିଶ୍ୱଶାନ୍ତି ପାଇଁ ଅର୍ଥାତ୍ ମାନବଜାତିର କଲ୍ୟାଣପାଇଁ ବ୍ୟବହାର କରାଯାଇ ପାରିବ, ସେହି କ୍ଷେତ୍ରରେ ଶ୍ରୀଯୁକ୍ତ ପାଉଲିଙ୍ଗ୍‍ଙ୍କର ଅବଦାନ ଅନେକ ।

 

ଏବେ କେତେବର୍ଷ ଧରି ବୈଜ୍ଞାନିକ ପାଉଲିଙ୍ଗ୍ ଆସ୍କରବିକ୍ ଏସିଡ଼୍ ନେଇ ଗବେଷଣା କରିଛନ୍ତି । ଆସ୍କର୍‌ବିକ୍ ଏସିଡ଼୍ ଅର୍ଥାତ୍ ଭିଟାମିନ୍ ସି । ଆମ ଶରୀରର ପୋଷକମାନଙ୍କ ମଧ୍ୟରୁ ଭିଟାମିନ୍ ସି ମଧ୍ୟ ଗୋଟିଏ ପୋଷକ । ଲିନୁସ୍ ପାଉଲିଙ୍ଗ୍ ଏହି କ୍ଷେତ୍ରରେ ଆପଣାର ଗବେଷଣାରେ ଅଧିକରୁ ଅଧିକ ଅଗ୍ରସର ହେବା ସଙ୍ଗେ ସଙ୍ଗେ ଅଧିକରୁ ଅଧିକ ଜୋର ଦେଇ କହିବାକୁ ଲାଗିଛନ୍ତି ଯେ, କର୍କଟ ରୋଗ ବିରୁଦ୍ଧରେ ମନୁଷ୍ୟର ବା ବିଜ୍ଞାନରେ ଯେଉଁ ସଂଗ୍ରାମ ଚାଲିଛି, ସେଥିରେ ଶରୀରର ଏକ ସର୍ବୋତ୍ତମ ପୋଷକରୂପେ ଭିଟାମିନ୍ ସି କୁ ବ୍ୟବହାର କରାଯାଇ ପାରିବ । ବର୍ତ୍ତମାନ ଏହି କ୍ଷେତ୍ରରେ କରାଯାଉଥିବା ଅଧିକତର ଚିକିତ୍ସା ଔଷଧ ବ୍ୟବହାର ଏବଂ ବିକୀରଣପଦ୍ଧତିଦ୍ୱାରା କରାଯାଉଛି । କାଲିଫର୍ଣ୍ଣିଆରେ ଅବସ୍ଥିତ ଆପଣାର ଗବେଷଣା କେନ୍ଦ୍ରରେ ବୈଜ୍ଞାନିକମାନେ ଆସ୍କର୍ବିକ୍ ଏସିଡ଼୍ଦ୍ୱାରା କର୍କଟ ରୋଗର ଆକ୍ରମଣରୁ ରକ୍ଷା ପାଇବାର ପ୍ରାୟ ଏକ ନୂତନ ମାର୍ଗରେ ଏକ ସାହସିକ ଗବେଷଣା ଆରମ୍ଭ କରିଛନ୍ତି ଓ ଅନ୍ୟାନ୍ୟ ପ୍ରତିଷ୍ଠିତ ଗବେଷକ ଓ ଗବେଷଣା ଅନୁଷ୍ଠାନଗୁଡ଼ିକୁ ତାହାର ସପକ୍ଷରେ ଅନୁପ୍ରାଣିତ କରି ଆଣିବାଲାଗି ଚେଷ୍ଟା କରୁଛନ୍ତି ।

 

ଏକ ପୋଷକରୂପେ ଆସ୍କର୍ବିକ୍ ଏସିଡ଼୍‌କୁ କର୍କଟରୋଗ ଆରୋଗ୍ୟ କରିବାର କ୍ଷେତ୍ରରେ ବ୍ୟବହାର କଲେ ଯୁକ୍ତରାଜ୍ୟ ଆମେରିକାରେ ବର୍ତ୍ତମାନ କର୍କଟରୋଗଦ୍ୱାରା ଘଟୁଥିବା ମୃତ୍ୟୁର ସଂଖ୍ୟା ଅନେକଗୁଣରେ କମ୍ ହୋଇଯାଇ ପାରିବ ବୋଲି ଡକ୍ଟର ପାଉଲିଙ୍ଗ୍ ଘୋଷଣା କରିଛନ୍ତି । ଏହାର ସହାୟକ ପ୍ରମାଣ ସ୍ୱରୂପ ପାଉଲିଙ୍ଗ୍ ସିଦ୍ଧ କରି ଦେଇଛନ୍ତି ଯେ ନିଶ୍ଚିତ ମରଣରେ ସମାପ୍ତି ଲାଭ କରୁଥିବା ରୋଗର କ୍ଷେତ୍ରରେ ଆସ୍କର୍ବିକ୍ ଏସିଡ଼୍‌ର ନିୟମିତ ସେବନଦ୍ୱାରା ସମ୍ପୃକ୍ତ ରୋଗୀମାନଙ୍କର ପ୍ରତ୍ୟାଶିତ ଜୀବନକାଳକୁ ବେଶ୍ ଅନେକ ପରିମାଣରେ ବଢ଼ାଇ ଦିଆଯାଇ ପାରିବ । ସ୍କଟ୍‌ଲାଣ୍ଡ୍‍ରେ ପ୍ରାୟ ୧୧୦୦ କର୍କଟରୋଗଦ୍ୱାରା ଆକ୍ରାନ୍ତ ରୋଗୀଙ୍କୁ ନେଇ ଏହି ସମ୍ବନ୍ଧରେ ଯେଉଁ ଗବେଷଣାଟି କରାଯାଇଛି, ସେଥିରୁ ଜଣାପଡ଼ିଛି ଯେ ଏମାନଙ୍କ ମଧ୍ୟରୁ ଯେଉଁ ରୋଗୀମାନଙ୍କୁ ଦିନକୁ ଦଶଗ୍ରାମ୍ କରି ଆସ୍କର୍ବିକ୍ ଏସିଡ଼୍ ସେବନ କରିବାକୁ ଦିଆଯାଉଥିଲା, ସେମାନେ କୌଣସି ଆସ୍କର୍ବିକ୍ ଏସିଡ଼୍ ସେବନ କରିବାକୁ ଦିଆଯାଇନଥିବା ରୋଗୀମାନଙ୍କ ତୁଳନାରେ ଚାରିଗୁଣରୁ ଅଧିକ କାଳ ବଞ୍ଚି ରହିବାକୁ ସମର୍ଥ ହୋଇଛନ୍ତି । ଏବଂ ଯେଉଁମାନେ ଆସ୍କର୍ବିକ୍ ଏସିଡ଼୍ ସେବନ କରିଛନ୍ତି, ସେମାନେ ଯେ କେବଳ ଅଧିକଦିନ ବଞ୍ଚିଛନ୍ତି ସେତିକି ନୁହେଁ, ସେମାନେ ଆପଣାର ସ୍ୱାଭାବିକ କ୍ଷୁଧା ଫେରି ପାଇଛନ୍ତି ଏବଂ ସେମାନଙ୍କର ସ୍ୱାସ୍ଥ୍ୟ କ୍ରମଶଃ ଭଲହୋଇ ଆସୁଥିବାର ଅନୁଭବ ବି କରିଛନ୍ତି । କାଲିଫର୍ଣ୍ଣିଆର ଗବେଷଣାକେନ୍ଦ୍ର ଏକଥା ମଧ୍ୟ ପ୍ରମାଣ କରି ଦେଖାଇ ଦେଇଛି ଯେ, ଯେଉଁ ମୂଷାମାନେ ଚର୍ମରେ କର୍କଟରୋଗଦ୍ୱାରା ପୀଡ଼ିତ ହୋଇଛନ୍ତି, ଭିଟାମିନ୍ ସି ଏବଂ ଅନ୍ୟାନ୍ୟ କେତେଗୁଡ଼ିଏ ପୋଷକ ସେମାନଙ୍କର ଶରୀରକୁ ଯିବାଦ୍ୱାରା ସେମାନେ ଅନେକ ପରିମାଣରେ ଉପକୃତ ହୋଇପାରିଛନ୍ତି ।

 

ଏହି ଗବେଷଣାରେ ଅଧିକ ସଫଳତାଲାଭ କରିବା ଉଦ୍ଦେଶ୍ୟରେ ଯେଉଁ ପ୍ରଭୂତ ଅର୍ଥର ଆବଶ୍ୟକତା ରହିଛି, ଶ୍ରୀଯୁକ୍ତ ପାଉଲିଙ୍ଗ୍ ଆମେରିକା ସରକାରଙ୍କଠାରୁ ସେହି ପରିମାଣରେ ଅର୍ଥ ଏ ପର୍ଯ୍ୟନ୍ତ ପାଇ ପାରିନାହାନ୍ତି । କର୍କଟରୋଗର ସଂଗ୍ରାମ ଏବଂ ପ୍ରତିକାର ବାହାର କରିବାର କ୍ଷେତ୍ରରେ ଯୁକ୍ତରାଜ୍ୟ ଆମେରିକାର ସରକାର ଏବେ ବର୍ଷକୁ ବିଭିନ୍ନ ଗବେଷଣା ଅନୁଷ୍ଠାନ ଲାଗି ପ୍ରାୟ ୪୩୨ କୋଟି ଟଙ୍କା ଦାନ କରୁଛନ୍ତି । ମାତ୍ର ବୈଜ୍ଞାନିକ ପାଉଲିଙ୍ଗ୍ ତାଙ୍କର ଗବେଷଣାଗାରରେ ଯେଉଁ ମାର୍ଗରେ ଗବେଷଣା କରୁଛନ୍ତି ଓ ଯେଉଁ ଅନୁମାନଗୁଡ଼ିକର ପ୍ରୟୋଗ କରୁଛନ୍ତି, ସେ ବିଷୟରେ ଆପଣାର ଅନୁରୂପ ହୃଦ୍‌ବୋଧ ହେଉନଥିବାରୁ ପାଉଲିଙ୍ଗ୍‍ଙ୍କର ଅର୍ଥଲାଗି ଯାବତୀୟ ନିବେଦନ ସରକାରଙ୍କର ଶ୍ରୁତିଗୋଚର ହୋଇ ପାରୁନାହିଁ । ସରକାରୀ ସାହାଯ୍ୟନିଧିର ବିତରଣ କରୁଥିବା କର୍ତ୍ତାମାନେ ପାରମ୍ପରିକ ରୀତିରେ କରାହୋଇ ଆସିଥିବା ଗବେଷଣା ଉପରେହିଁ ଅଧିକ ଆସ୍ଥା ରଖିଛନ୍ତି, ହୁଏତ ସବୁଯାକ ଆସ୍ଥା ରଖିଛନ୍ତି । ଭିଟାମିନ୍ ସି କିମ୍ବା ତଦନୁରୂପ କୌଣସି ପୋଷକ ପଦାର୍ଥଦ୍ୱାରା କର୍କଟରୋଗ ବିରୁଦ୍ଧରେ ବିଜ୍ଞାନର ସଂଗ୍ରାମକୁ ପ୍ରକୃତରେ ଯେ କୌଣସି ପୋଷଣ ମିଳିବ, ଜାତୀୟ ଅର୍ଥାତ୍ ସରକାରୀ କର୍କଟରୋଗ ଅନୁଷ୍ଠାନରେ କାର୍ଯ୍ୟ କରୁଥିବା ବୈଜ୍ଞାନିକମାନେ ଏପର୍ଯ୍ୟନ୍ତ ସେ ବିଷୟରେ ଭାରି ସନ୍ଦିହାନ ରହିଛନ୍ତି । ସେମାନେ ପାରମ୍ପରିକ ମାର୍ଗଗୁଡ଼ିକ ଉପରେହିଁ ବିଶ୍ୱାସ ରଖିଛନ୍ତି, ପାରମ୍ପରିକ ମାର୍ଗରେ ଅଗ୍ରସର ହୋଇହିଁ ଏହି ଦିଗରେ କୌଣସି ସଫଳତା ମିଳିପାରିବ ବୋଲି ବିଶ୍ୱାସ ରଖିଛନ୍ତି ଓ ତେଣୁ ସେହି ପାରମ୍ପରିକ ମାର୍ଗକୁହିଁ ଆର୍ଥିକ ସହାୟତା ଦେଉଛନ୍ତି । ଆଉ କେହି ପରମ୍ପରାରୁ ବାହାରି ଆଉ କିଛି କରୁ ବୋଲି ସେମାନେ ହୁଏତ ଖୁବବେଶୀ ପସନ୍ଦ କରୁନାହାନ୍ତି । କିନ୍ତୁ ଲିନୁସ୍ ପାଉଲିଙ୍ଗ୍ ଓ ତାଙ୍କ ଅନୁଷ୍ଠାନର ଅନ୍ୟ ବୈଜ୍ଞାନିକ ସହକର୍ମୀମାନେ ଦୃଢ଼ ବିଶ୍ୱାସ କରୁଛନ୍ତି ଯେ, ଆଗାମୀ ଦଶ ପନ୍ଦର ବର୍ଷ ଭିତରେହିଁ ଆସ୍କର୍ବିକ୍ ଏସିଡ଼୍ଦ୍ୱାରା କର୍କଟରୋଗର ଚିକିତ୍ସା ଏକ ସର୍ବମାନ୍ୟ ଚିକିତ୍ସାରୂପେ ଗୃହୀତ ହେବ । ତେଣୁ ସରକାରୀ ସାହାଯ୍ୟ ନପାଇଲେ ମଧ୍ୟ ସେମାନେ ନିଜ ନୂତନ ଗବେଷଣାମାର୍ଗରେ ଅଗ୍ରସର ହୋଇ ଯିବାକୁ ବଦ୍ଧପରିକର ହୋଇ ରହିଛନ୍ତି ।

ତା ୧୭.୧.୧୯୭୭ ରିଖ

Image

 

ସୋଭେଟୋର ବିଦ୍ରୋହୀ ଛାତ୍ର

 

ଦକ୍ଷିଣ ଆଫ୍ରିକାର ସୋଭେଟୋ ସହରରେ ଗତ ଜୁନମାସଠାରୁ ବର୍ଣ୍ଣବାଦୀ ସରକାରଙ୍କର ପୋଲିସବଳ ତରଫରୁ ଯେଉଁ ଦମନଲୀଳା ଆରମ୍ଭ ହୋଇଛି, ତଦ୍ଦ୍ୱାରା ମାନବିକ ଅଧିକାରଲାଭ ପାଇଁ ଦକ୍ଷିଣ ଆଫ୍ରିକାରେ ଦୀର୍ଘ ଅନେକ ବର୍ଷଧରି ହୋଇଆସୁଥିବା କଳା ଲୋକଙ୍କର ସଂଗ୍ରାମକୁ ଅନେକ ବଳ ମିଳିଛି ଓ ସେହି ସଂଗ୍ରାମ ରାଜ୍ୟର ବିଭିନ୍ନ ଅନେକ ଅଞ୍ଚଳକୁ ବ୍ୟାପି ଶେଷକୁ ଖାସ୍ ରାଜଧାନୀ କେପଟାଉନର ମଧ୍ୟ ଶାନ୍ତିଭଙ୍ଗ କଲାଣି ସତ, ମାତ୍ର ତାହା ସଙ୍ଗେ ସଙ୍ଗେ ସେହି ଦମନଲୀଳା ସୋଭେଟୋ ସହରର ଛାତ୍ରମାନଙ୍କୁ ବି ସେମାନେ ଆରମ୍ଭ କରିଥିବା ସଂଗ୍ରାମଟିକୁ ଚାଲୁ ରଖିବା ପାଇଁ ଆହୁରି ଅନେକ ବ୍ୟାପକତର ବାଟ ଖୋଜିବା ଲାଗି ମଧ୍ୟ ପ୍ରେରଣା ଦେଇଛି । ସୋଭେଟୋର ଅନେକ ଛାତ୍ର ଏବେ ଦକ୍ଷିଣ ଆଫ୍ରିକା ଛାଡ଼ି ବାହାରର ବିଭିନ୍ନ ରାଜ୍ୟକୁ ପଳାଉଛନ୍ତି । ଦେଶ ଭିତରେ ରହିବା ବା ଦେଶରୁ ଅନ୍ୟତ୍ର ପଳାଇଯିବା, ସେଠି ଛାତ୍ରମାନଙ୍କ ଆଗରେ ଏହିପରି ଏକ ସମସ୍ୟାର ନିଷ୍ପତ୍ତି କରିବାର ଆହ୍ୱାନ ଆସି ପହଞ୍ଚିଛି ।

 

ପରିସ୍ଥିତିଦ୍ୱାରା ଭୟଭୀତ ହୋଇ ଏହି ଛାତ୍ରମାନେ କଦାପି ବାହାରକୁ ଖସି ପଳାଇ ଯିବାକୁ ଇଚ୍ଛା କରୁନାହାନ୍ତି । ସେହିମାନଙ୍କଦ୍ୱାରା ଛଅମାସ ହେଲା ସୋଭେଟୋ ଏବଂ ଦକ୍ଷିଣ ଆଫ୍ରିକାର ବୃହତ୍ତର ଅଞ୍ଚଳରେ ବର୍ଣ୍ଣବିଦ୍ୱେଷ ବିରୁଦ୍ଧରେ ଯେଉଁ ବିଦ୍ରୋହର ଅଗ୍ନି ଜଳିବାକୁ ଆରମ୍ଭ କରିଛି, ସୋଭେଟୋର ଛାତ୍ରମାନେ ତାହାକୁହିଁ ଅଧିକ ପ୍ରଜ୍ୱଳିତ କରି ରଖିବାକୁ ଅଭିଳାଷ କରୁଛନ୍ତି ଏବଂ ସେହି ଉଦ୍ଦେଶ୍ୟରେ ନୂତନ ନୂତନ କୌଶଳମାନ ଅବଲମ୍ବନ କରିବାକୁ ଚାହୁଛନ୍ତି । ବର୍ଣ୍ଣବାଦ ବିରୁଦ୍ଧରେ ଛାତ୍ରବିଦ୍ରୋହଟିକୁ ଅଧିକ ଶକ୍ତିଶାଳୀ ଭାବରେ ଚଳାଇ ପାରିବାକୁ ସେମାନେ ଆପଣାକୁ ଅନୁରୂପ ଭାବରେ ପ୍ରଶିକ୍ଷିତ ଏବଂ ପ୍ରସ୍ତୁତ କରିବାଲାଗି ଇଚ୍ଛା କରୁଚନ୍ତି ଏବଂ ସେହି ଉଦ୍ଦେଶ୍ୟରେ ସେମାନେ ଅଧିକାଂଶତଃ ପଡ଼ୋଶୀ ଦେଶମାନଙ୍କୁ ଚାଲି ଯାଉଛନ୍ତି । ପ୍ରଥମେ ସ୍ୱାଜିଲାଣ୍ଡ ଏବଂ ବୋତ୍‌ସ୍ୱାନାକୁ ଚାଲି ଯାଉଛନ୍ତି ଏବଂ ତା’ପରେ ତାଞ୍ଜାନିଆକୁ । ଏହି ସଂଗ୍ରାମକୁ ଆଉ ଅନ୍ୟ ପ୍ରକାରେ ସାହାଯ୍ୟ କରିବା ଲାଗି କେତେକ ଇଂଲଣ୍ଡ ଏବଂ ଆମେରିକା ବି ଯାଉଛନ୍ତି ।

 

ସେମାନେ ପଡ଼ୋଶୀ ଦେଶମାନଙ୍କୁ ସାମରିକ ପ୍ରଶିକ୍ଷଣ ଲାଗି ଚାଲି ଯାଉଛନ୍ତି । ସେଠାରେ ସେମାନଙ୍କ ସକାଶେ ବିଧିବଦ୍ଧ ତାଲିମ ଶିବିରମାନ ଆରମ୍ଭ କରାଯାଇଛି । ନିଶ୍ଚିତ ଭାବରେ ଜାଣିବାକୁ ମିଳିଛି ଯେ, ଏବେ ସୋଭେଟୋ ସହରର ପ୍ରାୟ ତିନିଶହରୁ ଅଧିକ ଛାତ୍ର ସ୍ୱାଜିଲାଣ୍ଡ ଯାଇଛନ୍ତି ଓ ସେଠାରେ ଥିବା ଶିବିରମାନଙ୍କରେ ପ୍ରଶିକ୍ଷିତ ହେଉଛନ୍ତି । ଏହିସବୁ ପ୍ରଶିକ୍ଷଣମାନଙ୍କରେ କଡ଼ା ପହରା ରହିଛି । ଦକ୍ଷିଣ ଆଫ୍ରିକା ସରକାର ଛଦ୍ମବେଶୀ ଚର ପଠାଇ ଛାତ୍ରମାନଙ୍କୁ କାଳେ ଅପହରଣ କରି ଜବରଦସ୍ତି ଦେଶ ଭିତରକୁ ନେଇ ଆସିବାର ଚେଷ୍ଟା କରିବେ, ସେହି ଆଶଙ୍କା ସର୍ବଦା ରହିଥିବାରୁ ଏହିଭଳି କଠୋର ପହରା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

 

ଛାତ୍ରମାନେ ପ୍ରଥମେ ଭାରି ଇଚ୍ଛା କରିଥିଲେ ଯେ, ସେମାନଙ୍କର ଏହିପରି ଦେଶ ଛାଡ଼ି ଚାଲିଯିବା ବ୍ୟାପାରଟିକୁ ଏକାନ୍ତ ଗୋପନୀୟ କରି ରଖାଯିବ । ସେମାନେ କେଉଁ ବାଟରେ ଗଲେ ଏବଂ କେଉଁସବୁ ଦେଶକୁ ଗଲେ, ଏହି ବିଷୟରେ ଦକ୍ଷିଣ ଆଫ୍ରିକାର ସରକାରଙ୍କୁ ପ୍ରକାଶ୍ୟ ଭାବେ କିଛି ଜାଣିବାକୁ ଦିଆଯିବ ନାହିଁ । ମାତ୍ର କୌଣସି ଏକ କାରଣରୁ ସ୍ୱାଜିଲାଣ୍ଡ ସରକାର ରେଡ଼ିଓ ସାହାଯ୍ୟରେ ଛାତ୍ରମାନଙ୍କର ଏହିପରି ଶିବିରମାନ ବସାଇ ପ୍ରଶିକ୍ଷଣ ନେଉଥିବା ବିଷୟଟିରେ ଘୋଷଣା କରି ଦେଲେ । ତାହା ଫଳରେ ଦକ୍ଷିଣ ଆଫ୍ରିକା ସରାକରଙ୍କଠାରୁ ଛାତ୍ରମାନଙ୍କୁ ଆହୁରି ଅନେକ ଦୌରାତ୍ମ୍ୟ ସହ୍ୟ କରିବାକୁ ପଡ଼ିଲା । ଦକ୍ଷିଣ ଆଫ୍ରିକା ସରକାର ସ୍ୱାଜିଲାଣ୍ଡକୁ ଯାଇଥିବା ରାସ୍ତା ଉପରେ ଅବରୋଧକାରୀ କେତେ କ’ଣ ଆଣି ପକାଇଦେଲେ । ସେହି ବାଟରେ ଦେଶ ଛାଡ଼ି ପଳାଇ ଯାଉଥିବା ସତରଜଣ ଛାତ୍ରଙ୍କୁ ଏବେ ଅଳ୍ପଦିନ ତଳେ ବିନା ଅନୁମତିରେ ଯାତ୍ରା କରୁଥିବାର ଅପରାଧରେ ଗିରଫ କରାଯାଇଛି । ଏହା ଫଳରେ ଛାତ୍ରମାନେ ସ୍ୱାଜିଲାଣ୍ଡ ବାଟ ଦେଇ ନଯାଇ ବୋତସ୍ୱାନା ବାଟେ ଯିବାକୁ ଆରମ୍ଭ କରିଛନ୍ତି । ପୋଲିସ ଧରପଗଡ଼ ଏବଂ ଧର୍ଷଣରୁ ଆତ୍ମରକ୍ଷା କରିପାରିଲେ ବୋଲି ଅନେକ ଛାତ୍ର ସୋଭେଟୋଠାରୁ ଦୂରରେଥିବା ଆତ୍ମୀୟସ୍ୱଜନଙ୍କର ଘରେ ଆତ୍ମଗୋପନ କରି ମଧ୍ୟ ରହିଛନ୍ତି ।

 

ଏହି ଛାତ୍ରମାନେ କେହିହେଲେ ଦେଶ ଛାଡ଼ି ଭୟରେ ପଳାଇ ଯାଇନାହାନ୍ତି । ଏମାନେ ଦିନେ ସମସ୍ତେ ଦେଶକୁ ଫେରି ଆସିବେ । ଦକ୍ଷିଣ ଆଫ୍ରିକାର ଗୋରା ସରକାର ପୋଲିସ ଖଟାଇ ବହୁମତ କଳାମାନଙ୍କ ବିରୁଦ୍ଧରେ ଯେଉଁ ଯୁଦ୍ଧ ଘୋଷଣା ମୂଳରୁହିଁ କରି ଆସିଛନ୍ତି, ସେମାନେ ଆଉ ତାହାର ମୂକସାକ୍ଷୀ ହୋଇ ରହିବେ ନାହିଁ ଓ ସେହିସବୁ ଧର୍ଷଣକୁ ନୀରବରେ ମାନି ନେବେ ନାହିଁ ବୋଲି ମନସ୍ଥ କରିଛନ୍ତି । ସେମାନେ ଧର୍ଷଣର ଜବାବ ଦେବେ । ଯୁଦ୍ଧଦ୍ୱାରା ଯୁଦ୍ଧର ଜବାବ ଦେବେ । ସେହି ଛାତ୍ରମାନଙ୍କର ଅନେକ ସହପାଠୀ ବନ୍ଧୁ ଗତ ଛଅମାସ ଭିତରେ ପୋଲିସର ଗୁଳିରେ ପ୍ରାଣ ହରାଇଛନ୍ତି । ଆହୁରି ଅନେକେ ଜେଲ ଭିତରେ ନିର୍ଯାତିତ ହେଉଛନ୍ତି । ଏହିସବୁ ଅତ୍ୟାଚାର ପ୍ରତିଶୋଧ ନେଇ ଦକ୍ଷିଣ ଆଫ୍ରିକାରେ ବର୍ଣ୍ଣନିର୍ବିଶେଷରେ ସବୁ ନାଗରିକଙ୍କ ସକାଶେ ଏକ ନୂତନ ସକାଳ ସମ୍ଭବ କରିବା ଲାଗି ଛାତ୍ରମାନଙ୍କର ଯେ ଏକ ଭୂମିକା ଅବଶ୍ୟ ରହିଛି, ସେହି କଥାଟିକୁ ଉପଲବ୍‌ଧି କରି ସଂଗ୍ରାମ ଲାଗି ଆପଣାକୁ ବିଧିବଦ୍ଧ ଭାବରେ ପ୍ରସ୍ତୁତ କରାଇ ପୁନର୍ବାର ଦେଶକୁ ଫେରି ଆସିବେ ବୋଲି ସୋଭେଟୋର ଛାତ୍ରମାନେ ଏବେ ଦେଶ ଛାଡ଼ି ବାହାରକୁ ଚାଲି ଯାଉଛନ୍ତି । ଅଧିକାଂଶ ସ୍ଥଳରେ ବାପମାଆଙ୍କୁ ଓ ଘନିଷ୍ଠ ବନ୍ଧୁମାନଙ୍କୁ କୌଣସି ସଙ୍କେତ ନଦେଇ ମଧ୍ୟ ଏମାନେ ଦେଶ ଛାଡ଼ି ବାହାରକୁ ବିଦ୍ରୋହୀ ଶିବିରଗୁଡ଼ିକୁ ଚାଲି ଯାଇଛନ୍ତି । ଏମାନେ ଯଥେଷ୍ଟ ସଂଖ୍ୟାରେ ତାଲିମ ପାଇ ପୁଣି ଦେଶକୁ ଫେରି ଆସିବା ସଙ୍ଗେ ସଙ୍ଗେ ଦକ୍ଷିଣ ଆଫ୍ରିକାରେ ମାନବିକ ଅଧିକାର ଲାଗି ସଂଗ୍ରାମ ନିଃସନ୍ଦେହ ଭାବରେ ଅଧିକ ତୀବ୍ର ହେବାକୁ ଯାଉଛି ।

ତା ୧୮.୧.୧୯୭୭ ରିଖ

Image

 

ଇଂଲଣ୍ଡ ଓ ସ୍କଟ୍‌ଲାଣ୍ଡ୍‌

 

ଆଧୁନିକ ବିଶ୍ୱ ରାଜନୀତିରେ ଯାହାକୁ ଗ୍ରେଟବ୍ରିଟେନ ବୋଲି କୁହାଯାଏ, ତାହା ପ୍ରକୃତରେ ଗୋଟିଏ ସାଂସ୍କୃତିକ ଏକକ ନୁହେଁ, ତାହା ଏକ ସଙ୍ଗରେ ଏକାଧିକ ଏକକର ଏକ ସମ୍ମିଶ୍ରଣ । ବ୍ରିଟେନର ରାଜନୀତିରେ ମଧ୍ୟ କ୍ରମେ ଏହି ସତ ଟି ଅଧିକରୁ ଅଧିକ ପରିମାଣରେ ଅନୁଭୂତ ହେବାରେ ଲାଗିଛି । ୧୬୦୩ ଖ୍ରୀଷ୍ଟାବ୍ଦରେ, ଯେତେବେଳେ ଇଂଲଣ୍ଡ ଏବଂ ସ୍କଟ୍‌ଲାଣ୍ଡ ଜଣେ ରାଜାଙ୍କ ଅଧୀନରେ ଗୋଟିଏ ରାଜ୍ୟରୂପେ ଶାସିତ ହେବାକୁ ଆରମ୍ଭ କଲା ଏବଂ ୧୭୦୭ ଖ୍ରୀଷ୍ଟାବ୍ଦରେ, ଯେତେବେଳେ ଇଂଲଣ୍ଡ ଏବଂ ସ୍କଟଲାଣ୍ଡ ଗୋଟିଏ ପାର୍ଲାମେଣ୍ଟର ଅଧିକାର-ସୀମା ଭିତରେ ରହିଲା, ସେହିଦିନଠାରୁ ସ୍କଟଲାଣ୍ଡର ଅନେକଙ୍କ ମନରେ ଏକ ସ୍ଥାନୀୟ ଜାତୀୟତାବାଦୀ ପ୍ରବୃତ୍ତି କୌଣସି ନା କୌଣସି ପ୍ରକାରେ ରହି ଆସିଛି ଓ କୌଣସି ନା କୌଣସି ଆକାରରେ ଦାନା ବାନ୍ଧି କୁହୁଳି ଉଠିବା ଲାଗି ପ୍ରୟାସ ମଧ୍ୟ କରିଛି । ଏବେ ଅର୍ଥାତ୍‌ ଠିକ ଏହି ଦଶକରେ ସେହି ପ୍ରବୃତ୍ତି କ୍ରମଶଃ ଅଧିକରୁ ଅଧିକ ପରିମାଣରେ ଏକ ପ୍ରକାଶ୍ୟ ଆନ୍ଦୋଳନ ଅର୍ଥାତ୍‌ ରାଜନୀତିକ ଶକ୍ତିରୂପେ ଜନ୍ମଗ୍ରହଣ କରିବାକୁ ଆରମ୍ଭ କଲାଣି ।

 

ସ୍କଟଲାଣ୍ଡର ପୂର୍ବପଟରେ ରହିଥିବା ଉତ୍ତର ସାଗର ମଧ୍ୟରେ ପେଟ୍ରୋଲର ଖଣି ଆବିଷ୍କୃତ ହେଲାଣି । ସେହି ଖଣି ଗୁଡ଼ିକ ବର୍ତ୍ତମାନ ସମଗ୍ର ବ୍ରିଟେନର ସରକାରଙ୍କଦ୍ୱାରା କାର୍ଯ୍ୟକାରୀ ହେଉଛି ଏବଂ ସମଗ୍ର ବ୍ରିଟେନର ସରକାରହିଁ ସେହି ତୈଳସମ୍ପଦରୁ ଲବ୍‌ଧ ଆୟଦ୍ୱାରା ଉପକୃତ ହେଉଛନ୍ତି । ସ୍କଟଲାଣ୍ଡର ସ୍ଥାନୀୟ ସ୍ୱାର୍ଥ ଏବଂ ସ୍ଥାନୀୟ ସ୍ୱାତନ୍ତ୍ର୍ୟକୁ ସର୍ବପ୍ରଧାନ ଆଧାର କରି ଆପଣାକୁ ପ୍ରତିଷ୍ଠିତ କରି ଆଣୁଥିବା ରାଜନୀତିକ ଦଳ ସ୍କଟଲାଣ୍ଡ ଜାତୀୟ ପାର୍ଟି ଏବେ ବେଶ୍‌ ଉଚ୍ଚସ୍ୱରରେ କହିବାରେ ଲାଗିଲାଣି ଯେ, ସ୍କଟଲାଣ୍ଡର ଉପକୂଳସ୍ଥ ଉତ୍ତର ସାଗରରେ ବର୍ତ୍ତମାନ ଉପଲବ୍‌ଧ ହେଉଥିବା ତୈଳସମ୍ପଦ ଉପରେ ଯଦି ବ୍ରିଟେନ ପରିବର୍ତ୍ତରେ କେବଳ ସ୍କଟଲାଣ୍ଡର ଅଧିକାର ରହିପାରନ୍ତା, ତେବେ ସ୍କଟଲାଣ୍ଡବାସୀ ଅଧିକ ସମର୍ଥ ଭାବରେ ଓ ସମ୍ପନ୍ନତା ସହିତ ଆର୍ଥିକ ବଳଟି ସାହାଯ୍ୟରେ ଆପଣା ଆର୍ଥିକ ଭାଗ୍ୟର ମୂଳଦୁଆଟିକୁ ଗଢ଼ିବା ଲାଗି ମଧ୍ୟ ସମର୍ଥ ହୋଇପାରନ୍ତେ । ସେହି ପାର୍ଟିର ମତ ଅନୁସାରେ ଏ ପର୍ଯ୍ୟନ୍ତ ସମଗ୍ର ବ୍ରିଟେନ ନାଆଁରେ ଇଂଲଣ୍ଡହିଁ ସ୍କଟଲାଣ୍ଡର ସ୍ୱାର୍ଥକୁ ପଛରେ ରଖି ଆପଣାର ଅଭିବୃଦ୍ଧି ସାଧିତ କରି ଆସିଛି; ସ୍କଟଲାଣ୍ଡର ସମସ୍ୟାଗୁଡ଼ିକୁ ପ୍ରାୟ ଅବହେଳା ପ୍ରଦର୍ଶନ କରି ଆସିଛି । ଏହିପରି ଏକ ଦୀର୍ଘସ୍ୱୀକୃତ ଦୁର୍ଦ୍ଦଶାରୁ ମୁକ୍ତିଲାଭ କରିବାକୁ ହେଲେ ସ୍କଟଲାଣ୍ଡ ବ୍ରିଟେନରୁ ଅଲଗା ହୋଇଯିବା ଉଚିତ ବୋଲି ସ୍କଟଲାଣ୍ଡ ଜାତୀୟ ପାର୍ଟି ବିଶ୍ୱାସ କରୁଛି । ଯେଉଁମାନେ ଏତେ ଉଗ୍ର ଓ ବିଚ୍ଛିନ୍ନତାବୋଧୀ ଭାବରେ ଏ ପର୍ଯ୍ୟନ୍ତ ଭାବି ନାହାନ୍ତି, ସେମାନେ ବି ସ୍କଟଲାଣ୍ଡ ଲାଗି ସ୍ୱତନ୍ତ୍ର ସ୍ୱାୟତ୍ତଶାସନର କ୍ଷମତା–ଲାଭର ସପକ୍ଷରେ ସ୍ୱର ଉତ୍ତୋଳନ କଲେଣି ।

 

ଏବଂ ଏହି ସ୍କଟିସ୍‌ ଜାତୀୟତା କ୍ରମେ ସମଗ୍ର ବ୍ରିଟେନ୍‌ର ରାଜନୀତି ଏବଂ ଜାତୀୟ ନିର୍ବାଚନରେ ମଧ୍ୟ ନିଜର ପ୍ରଭାବ ବିସ୍ତାର କରିବାକୁ ଆରମ୍ଭ କଲାଣି । ଏହି ସ୍ଥାନୀୟ ଜାତୀୟତା ଏବଂ ସମଗ୍ରଟି ମଧ୍ୟରୁ ଅଲଗା ହୋଇଯିବା ସପକ୍ଷରେ ଉତ୍ତରୋତ୍ତର ଭାବରେ ବୃଦ୍ଧି ପାଉଥିବା ଏହି ମନୋଭାବ ବ୍ରିଟେନ୍‌ର ମୁଖ୍ୟ ଦୁଇଟିଯାକ ଦଳ–ଶ୍ରମିକ ଦଳ ଏବଂ କନ୍‌ଜରଭେଟିଭ୍‌ ଦଳରେ ନାନା ବିଭକ୍ତତା ସୃଷ୍ଟି କରିବାରେ ସାହାଯ୍ୟ ମଧ୍ୟ କଲାଣି । ବର୍ତ୍ତମାନ ବ୍ରିଟେନ୍‌ର ଶାସନରଜ୍ଜୁକୁ ସମ୍ଭାଳିଥିବା ଶ୍ରମିକ ଦଳ ଯଦି ସ୍କଟିସ୍‌ମାନଙ୍କୁ ଅଧିକରୁ ଅଧିକ ସ୍ୱାୟତ୍ତ ଶାସନ ଏବଂ ସ୍ୱତନ୍ତ୍ର ଦେବାର ସପକ୍ଷରେ ସକ୍ରିୟ ଏବଂ ସହାନୁଭୂତିଶୀଳ ଭାବରେ ବିଚାର ନ କରେ, ତେବେ ସ୍କଟଲାଣ୍ଡରେ ସେହି ଦଳର ପରାକ୍ରମ ଏବଂ ଶକ୍ତି କ୍ରମଶଃ ହ୍ରାସ ପାଇଯିବାର ଅନେକ ସମ୍ଭାବନା ରହିଛି । ବର୍ତ୍ତମାନ ସ୍କଟଲାଣ୍ଡର ଶ୍ରମିକ ଦଳର ୪୧ ଜଣ ପ୍ରତିନିଧି ରହିଛନ୍ତି । ଏମାନଙ୍କ ସହିତ ସ୍ଥାନୀୟ ସ୍କଟିସ୍‌ ସ୍ୱାର୍ଥ ଏବଂ ସ୍ୱାତନ୍ତ୍ର୍ୟକୁ ଆଳକରି ସ୍କଟିସ୍‌ ଜାତୀୟ ପାର୍ଟିର ବିରୋଧ କ୍ରମଶଃ ଅଧିକ ଉତ୍ତେଜିତ ହେବାରେ ଲାଗିଛି । ଏହି ବିରୋଧ ଆହୁରି ଉତ୍କଟ ହେବାରେ ଲାଗିଥିଲେ ଏବଂ ବ୍ରିଟେନ୍‌ର ଶ୍ରମିକ ଦଳ ସରକାର ଏହି ଉତ୍କଟତାକୁ ଉପଶମ କରାଇବା ଦିଗରେ ଯଥେଷ୍ଟ ଭାବରେ କିଛି କାର୍ଯ୍ୟାନୁଷ୍ଠାନ ନ କଲେ ଶ୍ରମିକଦଳକୁ ଆଗାମୀ ନିର୍ବାଚନରେ ଆପାଣାର ପ୍ରତିନିଧି ସ୍ଥାନଗୁଡ଼ିକ ମଧ୍ୟରୁ ଅନ୍ତତଃ କେତୋଟି ହରାଇବାକୁ ପଡ଼ିବ ବୋଲି ନିଶ୍ଚିନ୍ତ ଆଶଙ୍କା ରହିଛି ।

 

ବର୍ତ୍ତମାନ୍‌ ବ୍ରିଟିଶ୍‌ ପାର୍ଲିଆମେଣ୍ଟର ଗ୍ରୀଷ୍ମକାଳୀନ ଅବକାଶ ରହିଛି । ଅବକାଶ ପରେ ଯେତେବେଳେ ଆଗାମୀ ଅଧିବେଶନଟି ବସିବ, ସେତେବେଳେ ସ୍କଟଲାଣ୍ଡକୁ ଅଧିକ ସ୍ୱାତନ୍ତ୍ର୍ୟ ଦେବାର ପ୍ରଶ୍ନଟି ଉପରେ ସରଗରମ ଆଲୋଚନା ହେବ ବୋଲି ସମ୍ପୃକ୍ତ ସମସ୍ତେ ଆଶା କରୁଛନ୍ତି । ସ୍କଟଲାଣ୍ଡକୁ କେତେ ପରିମାଣରେ ସ୍ୱାତନ୍ତ୍ୟ ଦିଆଯିବ ବା ନ ଯିବ, ସେହି ବିଷୟ ନେଇ ବିଭିନ୍ନ ମହଲରେ ନାନା ମତଭେଦ ରହିଛି । ବ୍ରିଟେନ୍‌ରୁ ଅଲଗା ହୋଇଯିବା ଲାଗି ସ୍କଟଲାଣ୍ଡର କେତେକ ମହଲରେ ଯେଉଁ ଉତ୍ତେଜିତ ଇଚ୍ଛା ରହିଛି, ତାହାକୁ ଠିକ୍‌ ସେହିପରି ଭାବରେ ମାନିନେଲେ ହୁଏତ କାଳକ୍ରମେ ଓ୍ୱେଲ୍‌ସ୍‌କୁ ମଧ୍ୟ ସେହିପରି ଭାବରେ ହରାଇବାକୁ ପଡ଼ିବ ବୋଲି ଅନେକେ ଭୟ କରୁଛନ୍ତି । ତେବେ ବ୍ରିଟେନ୍ ତିନି ଭାଗରେ ଅଲଗା ହୋଇଯିବାର କଥାଟିକୁ କ’ଣ ନ୍ୟାୟତଃ ମାନିନେବାକୁ ପଡ଼ିବ ? ବର୍ତ୍ତମାନ ସ୍କୁଲଶିକ୍ଷା ଏବଂ ବିଚାର ବିଭାଗର କ୍ଷେତ୍ରରେ ସ୍କଟଲାଣ୍ଡ ପରିପୂର୍ଣ୍ଣ ସ୍ୱାତନ୍ତ୍ର୍ୟ ପାଇସାରିଛି । ସ୍କଟଲାଣ୍ଡ୍‌ ଆପଣାର ଅଲଗା ନୋଟ୍‌ ଚଳାଇ ପାରୁଛି । ବ୍ରିଟିଶ୍‌ ସରକାର ଖାସ୍‌ ସ୍କଟଲାଣ୍ଡର ମାମଲାମାନ ବୁଝିବା ସକାଶେ ସ୍ୱତନ୍ତ୍ର କ୍ଷମତାଯୁକ୍ତ ଜଣେ ରାଷ୍ଟ୍ରୀୟ ସଚିବ ମଧ୍ୟ ନିଯୁକ୍ତି କରିଛନ୍ତି । ମାତ୍ର ଏହି ସ୍ୱାତନ୍ତ୍ର୍ୟଦାନରେ ଆହୁରି କେତେ ଆଗକୁ ଅଗ୍ରସର ହେବା ସମ୍ଭବ ହେବ ? ଯେଉଁମାନେ ଜାତୀୟ ସଂହତି କହିଲେ ଇଂଲଣ୍ଡ ସ୍କଟଲାଣ୍ଡ ଓ ଓ୍ୱେଲ୍‌ସ୍‌କୁ ଗୋଟିଏ ରାଜ୍ୟକରି ରଖିବା ବୋଲି ବୁଝୁଛନ୍ତି, ସେମାନେ ବର୍ତ୍ତମାନ ଏହି ପ୍ରଶ୍ନଟି ଉପରେହିଁ ଭାରି ଗମ୍ଭୀର ଭାବରେ ଚିନ୍ତା କରୁଛନ୍ତି ।

ତା ୧୯.୧.୧୯୭୭ ରିଖ

Image

 

ହଜାର ହଜାରର କ୍ଷତି

 

ଜାତିସଂଘର ଅର୍ଥନୈତିକ ଓ ସାମାଜିକ ପରିଷଦର ଗୋଟିଏ ବିବରଣୀରୁ ଜଣାଯାଇଛି ଯେ ଭାରତରୁ ବହୁ ସଂଖ୍ୟାରେ ବୈଜ୍ଞାନିକ, ଇଞ୍ଜିନିୟର ଏବଂ ଡାକ୍ତରମାନେ ଆମେରିକା ଚାଲିଯିବା ଫଳରେ ମାତ୍ର ଗୋଟିଏ ବର୍ଷ ୧୯୭୦ ମସିହାରେ ଭାରତବର୍ଷକୁ ୮୭ କୋଟି ୫୦ ଲକ୍ଷ ଡଲାର କ୍ଷତି ସହିବାକୁ ପଡ଼ିଥିଲା । ଆପଣାର ଉଚ୍ଚପ୍ରଶିକ୍ଷିତ ମହାର୍ଘ ବିଶେଷଜ୍ଞମାନଙ୍କୁ ହରାଇବାର ଓ ତଜ୍ଜନିତ କ୍ଷତି ସହିବା କ୍ଷେତ୍ରରେ ସେହି ବର୍ଷ ଫିଲିପାଇନ୍‌ରହିଁ ସବୁଠାରୁ ଅଧିକ କ୍ଷତି ହୋଇଥିଲା ଏବଂ ବିଦେଶୀ ବିଶେଷଜ୍ଞମାନଙ୍କୁ ଆପଣା ଦେଶର କାର୍ଯ୍ୟକ୍ଷେତ୍ରମାନଙ୍କରେ ପାଇବା ଫଳରେ ଆମେରିକା ସେହି ଗୋଟିଏ ବର୍ଷ ୧୯୭୦ ମସିହାରେ ମୋଟ ୩୭୦ କୋଟି ଡଲାର ଲାଭକରି ପାରିଛି । ଅନ୍ୟ ଦୁଇଟି ମହାଦେଶ, ଆଫ୍ରିକା ଏବଂ ଲାଟିନ୍‌ ଆମେରିକା ଏହି କ୍ଷେତ୍ରରେ ସେ ବର୍ଷ ଯଥାକ୍ରମେ ୩୭ କୋଟି ୪୦ ଲକ୍ଷ ଡଲାର ଏବଂ ୩୮ କୋଟି ୭୦ ଲକ୍ଷ ଡଲାର କ୍ଷତି ସହିଛନ୍ତି । ବିବରଣୀଟିରୁ ପୁଣି ଜାଣିବାକୁ ମିଳୁଛି ଯେ ମୁଖ୍ୟତଃ ଏସିଆ ମହାଦେଶରୁ ପ୍ରାୟ ତିନି ଲକ୍ଷ ବୈଜ୍ଞାନିକ, ଇଞ୍ଜିନିୟର ଏବଂ ଡାକ୍ତର ବିଦେଶକୁ ଯାଇଛନ୍ତି । ସେମାନଙ୍କ ମଧ୍ୟରୁ ପ୍ରାୟ ଦୁଇ ଲକ୍ଷ ୩୦ ହଜାର କେବଳ ଆମେରିକା ଏବଂ ବ୍ରିଟେନକୁ ଯାଇଛନ୍ତି ।

 

ଏହିସବୁ ହିସାବ ହେଉଛି ଲକ୍ଷ ଲକ୍ଷ ଓ ହଜାର ହଜାରର ହିସାବ । କେବଳ ଗୋଟିଏ ବର୍ଷ ୧୯୭୦ର ହିସାବ । ୧୯୭୦ ମସିହା ପରେ ହିସାବର ସଂଖ୍ୟାରେ ଯେ କୌଣସି ହ୍ରାସ ଘଟିଛି, ସେପରି ଅନୁମାନ କରିବା ଲାଗି ଆମ ପାଖରେ ଆଦୌ କୌଣସି କାରଣ ନାହିଁ । ସେହି ସଂଖ୍ୟାରେ ଖୁବ୍‌ ସମ୍ଭବ କିଞ୍ଚିତ ଅଭିବୃଦ୍ଧିହିଁ ଘଟିଛି । ମାତ୍ର ଗୋଟିଏ ବିଷୟରେ ବ୍ୟାପାରଟି ଅପରିବର୍ତ୍ତନୀୟ ରହିଛି । ସେହି ଆମେରିକା, କାନାଡ଼ା ଏବଂ ବ୍ରିଟେନକୁହିଁ ସର୍ବୋଚ୍ଚ ସଂଖ୍ୟାରେ ଉଚ୍ଚପ୍ରଶିକ୍ଷିତ ବୈଜ୍ଞାନିକ, ଇଞ୍ଜିନିୟର ଏବଂ ଡାକ୍ତରମାନେ ଯାଇଛନ୍ତି । ସେହିସବୁ ଦେଶରେ ବିଜ୍ଞାନ, ଇଞ୍ଜିନିୟରିଂ ବିଦ୍ୟା ଏବଂ ଡାକ୍ତରମାନଙ୍କର କୌଣସି ଅଭାବ ରହିଛି ଅଥବା କୌଣସି ବିଶେଷ ଆବଶ୍ୟକତା ରହିଛି ବୋଲି ଏଭଳି ହୋଇଛି, ସେ କଥା ଆଦୌ ନୁହେଁ । ପୃଥିବୀରେ ଏହିସବୁ ଅଭାବ ଅଳ୍ପବିକଶିତ ଅର୍ଥାତ୍‌ ବିକାଶଶୀଳ ଦେଶମାନଙ୍କରେ ଅଧିକ ରହିଛି । ତେଣୁ ସବୁଠାରୁ ଅଧିକ ଆବଶ୍ୟକତା ମଧ୍ୟ ଖାସ୍‌ ଏହିସବୁ ଦେଶରେହିଁ ରହିଛି । ତଥାପି, ଯେଉଁଠାରେ ଅଭାବ ଅପେକ୍ଷାକୃତ କମ୍‌ ରହିଛି, ଆବଶ୍ୟକତା ମଧ୍ୟ କମ୍‌ ରହିଛି, ଆମ ବିଜ୍ଞାନୀ, କାରିଗର ଏବଂ ବିଶେଷଜ୍ଞମାନେ ଖାସ୍‌ ସେହିସବୁ ଦେଶକୁ ଯିବା ଲାଗି ଅଧିକ ଆଗ୍ରହ ପ୍ରକାଶ କରୁଛନ୍ତି । ଟିକିଏ ସୁଯୋଗ ପାଇବା ମାତ୍ରକେ ସେମାନେ ସେହିସବୁ ଦେଶକୁ ଚାଲିଯାଉଛନ୍ତି । କଥାଟିର ମୂଳରେ ମୁଖ୍ୟତଃ ଗୋଟିଏ କାରଣ ରହିଛି । ଅନେକ ପ୍ରଶଂସନୀୟ ବ୍ୟତିକ୍ରମ ରହିଥିଲେ ମଧ୍ୟ ନିୟମତଃ ସେହି କାରଣଟିହିଁ ଆମର ବୈଜ୍ଞାନିକ, ଇଞ୍ଜିନିୟର ଏବଂ ଡାକ୍ତରମାନଙ୍କୁ ଆପଣାର ଦେଶ ଛାଡ଼ି ଅନ୍ୟତ୍ର ଚାଲିଯିବା ସକାଶେ ସର୍ବାଧିକ ପ୍ରେରଣା ଯୋଗାଇ ଆସିଛି, ଏବେ ମଧ୍ୟ ଯୋଗାଉଛି । ଆମେରିକା, କାନାଡ଼ା ଏବଂ ବ୍ରିଟେନରେ ବିଶେଷଜ୍ଞ ମାନଙ୍କୁ ଅଧିକ ସ୍ୱାଚ୍ଛନ୍ଦ୍ୟ ମିଳୁଛି, ଅର୍ଥାତ୍‌ ଅଧିକ ବେତନ ମିଳୁଛି । ବିକାଶଶୀଳ ତୃତୀୟ ପୃଥିବୀର ଇଞ୍ଜିନିୟର, ଡାକ୍ତର ଏବଂ ବିଶେଷଜ୍ଞ ବୈଜ୍ଞାନିକମାନେ ଶିଳ୍ପୋନ୍ନତ ଧନୀ ଦେଶମାନଙ୍କୁ ଚାଲିଯାଉଛନ୍ତି । ସେମାନେ ମୁଖ୍ୟତଃ ବ୍ରିଟେନ ଓ ପଶ୍ଚିମ ଜର୍ମାନୀ ଯାଉଛନ୍ତି । ବ୍ରିଟେନ ଓ ପଶ୍ଚିମ ଜର୍ମାନୀର ବିଶେଷଜ୍ଞମାନେ ଅଧିକ ସ୍ୱର୍ଣ୍ଣଲାଭର ଆଶାରେ କାନାଡ଼ା ଯିବାକୁ ମନ କରୁଥିବାରୁହିଁ ସେହିସବୁ ଦେଶରେ ତୃତୀୟ ପୃଥିବୀରୁ ସ୍ୱର୍ଣ୍ଣ ଆଶା କରି ଆସୁଥିବା ବିଶେଷଜ୍ଞମାନଙ୍କ ଲାଗି ଖାଲି ସ୍ଥାନ ମିଳିପାରୁଛି । କାନାଡ଼ାରୁ ବୈଜ୍ଞାନିକ ଓ ବିଶେଷଜ୍ଞମାନେ ସୁଯୋଗ ପାଇଲେ ଯୁକ୍ତରାଜ୍ୟ ଆମେରିକାକୁ ଚାଲିଯାଉଛନ୍ତି ଓ ଏହିପରି କରି କାନାଡ଼ାକୁ ବାହାରୁ ଆସୁଥିବା ବିଶେଷଜ୍ଞମାନଙ୍କ ଲାଗି ସ୍ଥାନଲାଭର ସମ୍ଭାବନାକୁ ଅଧିକ ସୁଲଭ କରି ଦେଉଛନ୍ତି । କିନ୍ତୁ କାନାଡ଼ା ସମେତ ବାହାରୁ ଆସୁଥିବା ବିଶେଷଜ୍ଞ ଓ ବିଶେଷ ପ୍ରଶିକ୍ଷିତଙ୍କ ଲାଗି ଯୁକ୍ତରାଜ୍ୟ ଆମେରିକାରେ ସ୍ଥାନ ମିଳିବା ସମ୍ଭବ ହେଉଛି କିପରି ? ଆମେରିକାର ଅଧିକ ବିଚକ୍ଷଣ ବୈଜ୍ଞାନିକମାନେ ଅନ୍ୟାନ୍ୟ ସ୍ଥାନ ଅପେକ୍ଷା ସାମରିକ ବିଭାଗମାନଙ୍କରେ କୌଶଳଗତ ଗବେଷଣାର ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରିବାକୁ ଅଧିକ ପସନ୍ଦ କରୁଛନ୍ତି । କାରଣ ସେସବୁ ସ୍ଥାନରେ ବେତନ ବହୁଗୁଣ ଅଧିକ ମିଳୁଛି ଓ ପାହାଚକୁ ପାହାଚ ଉପରକୁ ଉଠି ଅଧିକ ଖ୍ୟାତି ଓ ସ୍ୱୀକୃତି ପାଇବାର ଅଧିକ ସମ୍ଭାବନା ରହିଛି । ଉତ୍ସାହ ଏବଂ ଉତ୍ସୁକତାର ପାହାଚଟି ଏହିପରି ଭାବରେ ସବାତଳୁ ସବା ଉପରଯାଏ ଲାଗିଛି ।

 

ଯେଉଁ ବୈଜ୍ଞାନିକ ଓ ବିଶେଷଜ୍ଞମାନେ ମୁଖ୍ୟତଃ ଅଧିକ ପ୍ରାପ୍ତିର ଲୋଭରେ ଏଠା ଛାଡ଼ି ଅନ୍ୟତ୍ର ଯାଇଛନ୍ତି, ଅଧିକ ବେତନ ଓ ସ୍ୱାଚ୍ଛନ୍ଦ୍ୟର ଆକର୍ଷଣ ସୃଷ୍ଟି କରି ସେମାନଙ୍କୁ ପୁଣି ଘରକୁ ଡାକିଆଣିଲେ ସେମାନେ ଏହି ଘରଟିକୁ ଘର ବୋଲି ସ୍ୱୀକାର କରିନେଇ ପାରିବେ ତ ? ସେମାନେ ବିଦେଶକୁ ନ ଯାଇ ଏଇଠି ରହିଥିଲେ ପ୍ରକୃତରେ ଆମର ଯଥାର୍ଥ କାର୍ଯ୍ୟରେ ନିଜକୁ ଲଗାଇ ପାରୁଥାନ୍ତେ ତ ? ଅର୍ଥମୁହାଁ ବୈଜ୍ଞାନିକମାନଙ୍କର ଆଦୌ କୌଣସି ‘ଘର’ ଅଛି କି ନାହିଁ, ଆମ ଦେଶର ଶିକ୍ଷାବିତ୍‌ମାନେହିଁ କଥାଟିକୁ ଅଧିକ ଠିକ୍‌ ଭାବରେ କହିପାରିବେ ।

ତା ୨୨.୧.୧୯୭୭ ରିଖ

Image

 

ହରିହର ଭେଟ

 

ହରି ଆଉ ହର ଦୁହେଁ ହେଉଛନ୍ତି ପୁରାଣରେ ପ୍ରତିଷ୍ଠିତ ଓ ପରାକ୍ରମଶାଳୀ ଦୁଇ ଦେବତା । କେହି କାହାରିଠାରୁ ଆଦୌ କମ୍‌ ନୁହନ୍ତି । ହରଙ୍କର ଯେପରି ଗଣ ରହିଛନ୍ତି, ହରିଙ୍କର ମଧ୍ୟ ସେହିପରି ଗଣ ଅଛନ୍ତି । ହର ଓ ହରିଙ୍କ ମଧ୍ୟରେ କିଏ ପ୍ରକୃତରେ ଅଧିକ ପ୍ରତାପଶାଳୀ, ତାହାର ପ୍ରମାଣ ଖୋଜିବାକୁ ଯାଇ ଶିବଗଣ ଓ ବିଷ୍ଣୁଗଣଙ୍କ ମଧ୍ୟରେ ପୁରାଣର କଥାଇତିହାସ ଅନୁସାରେ ବେଶ୍‌ କେତେ ଥର ଯୁଦ୍ଧ ମଧ୍ୟ ଲାଗିଛି । ହର ଆଉ ହରି ଏକାଠି ମିଳି ଏହି ପୃଥିବୀକୁ କେତେ କେତେ ଥର ସମ୍ଭାଳିଛନ୍ତି, ହର ଆଉ ହରି ଏକାଠି ମିଶି କ୍ରୋଧ କଲେ ଆମର ଏହି ମେଦିନୀ ଭୟରେ କମ୍ପିଛି ।

 

ଆମ ଆଧୁନିକ ପୃଥିବୀ ଦୁଇଟି ବୃହତ୍‌ଶକ୍ତିଙ୍କଦ୍ୱାରା ସେହିପରି ଗତ ପ୍ରାୟ ତିରିଶ ବର୍ଷ ହେଲା ଉଠୁଛି ପଡ଼ୁଛି । ଭାଗ୍ୟକୁ ଅଧିକାଂଶ ସମୟରେ ଦୁହିଁଙ୍କ ମଧ୍ୟରେ ଏକ ପ୍ରତିଦ୍ୱନ୍ଦ୍ୱିତା ଲାଗିଛି ବୋଲି ଆମ ପୃଥିବୀରେ ସାନମାନେ ଆପଣା ବୁଦ୍ଧି ଖଟାଇ ତାହାରି ମଧ୍ୟରେ ଆପଣାକୁ ଯେକୌଣସି ପ୍ରକାରେ ଚଳାଇ ଆସିଛନ୍ତି । ଦୁହେଁଯାକ ନାନା କାରଣରୁ ଅନ୍ତତଃ ରାଜନୀତିର ଦୃଷ୍ଟିରୁ ପୃଥିବୀଯାକକୁ ନିଜର ସତେଅବା ଏକ ସାମ୍ରାଜ୍ୟ ପରି ଦେଖିବାରେ ଲାଗିଛନ୍ତି । ରାଜ୍ୟ ଅଧିକାର କରି ଆଗେ ସାମ୍ରାଜ୍ୟର ପ୍ରତିଷ୍ଠା ହେଉଥିଲା, ଏବେ ନିଜ ପ୍ରଭାବମଣ୍ଡଳଗୁଡ଼ାକୁ ଅଧିକରୁ ଅଧିକ ବିସ୍ତାରକରି ଏହି ସାମ୍ରାଜ୍ୟାଧିକାରକୁ ବଜାୟ ରଖାଯାଉଛି । ଦୁଇ ବୃହତ୍‌ଶକ୍ତିଙ୍କ ପାଖରେ ପ୍ରଭୂତ ଅର୍ଥବଳ ରହିଛି, ତାହାରି ଫଳରେ ପ୍ରଭୂତ ଅସ୍ତ୍ରବଳ ମଧ୍ୟ ରହିଛି । ଅସ୍ତ୍ରବଳ ସହିତ ବିଜ୍ଞାନ ଓ ବୈଜ୍ଞାନିକ କୌଶଳର ବଳମାନ ମଧ୍ୟ ଗୋଟିଏ ଗୋଟିଏ ସହାୟକ ହୋଇ ବ୍ୟବହୃତ ହେଉଛନ୍ତି-। ଗତ ମହାଯୁଦ୍ଧରେ ଏହି ଦୁଇ ବୃହତ୍‌ଶକ୍ତି ଏକାଠି ଗୋଟିଏ ପଟରେ ରହି ଯୁଦ୍ଧ ଲଢ଼ିଥିବାରୁ ପରସ୍ପରକୁ କିଞ୍ଚିତ୍‌ ପରିମାଣରେ ଚିହ୍ନିବାର ବି ସୁଯୋଗ ପାଇଛନ୍ତି । ଏହି ଚିହ୍ନିଥିବା ହେତୁ ସେମାନଙ୍କ ମଧ୍ୟରେ ରହିଥିବା ବିଦ୍ୱେଷ ଓ ବାଦଗୁଡ଼ାକ ବେଳେ ବେଳେ ଭାରି ଉତ୍କଟ ହୋଇ ଉଠୁଛି-। ପରସ୍ପରର କୂଟନୈତିକ ପାଶଗୁଡ଼ାକୁ ପଣ୍ଡ କରିବାର ମତଲବରେ ଦୁହେଁ ପୃଥିବୀ ସାରା ଗୋଇନ୍ଦା ଜାଲ ବିଛାଇ ରଖିଛନ୍ତି । ଏହି ଜାଲଟାଦ୍ୱାରା କେତେ ପ୍ରକାରେ କେତେ କେତେ ଦେଶର ଗତିରୋଧ କରାଯାଉଛି, କେତେ ସ୍ଥାନର କୃତ୍ରିମ ଓଲଟପାଲଟ ଓ ଉତ୍ତେଜନାମାନସୃଷ୍ଟି କରାଯାଉଛି, ଏହି ଉତ୍ତେଜନାସୃଷ୍ଟିହିଁ ଏବେ ବିଶ୍ୱରାଜନୀତିର ଏକ ପ୍ରଧାନ ଅଙ୍ଗ ହୋଇ ରହିଛି । ସମଗ୍ର ପୃଥିବୀକୁ ଗୋଟିଏ ସଂସ୍ଥା ଭିତରେ ଭରତି କରି ସବୁଯାକ ଦେଶକୁ ପରସ୍ପରର ଅଧିକ ସହଯୋଗୀ କରି ରଖିବା ଲାଗି ତଥା ପରସ୍ପର ଉପରେ ଅଧିକ ନିର୍ଭରଶୀଳ କରି ରଖିବା ଲାଗି ଆଧୁନିକ ଜଗତରେ ଯେଉଁ ଚେତନାଶୀଳ ପ୍ରୟାସ ହେଉଛି, ସେଥିରେ ବିଶ୍ୱର ବୃହତ୍ ଶକ୍ତିଦ୍ୱୟ ସହାୟକ ହେବା ତୁଳନାରେ ସମ୍ଭବତଃ ଅନ୍ତରାୟ ହୋଇ ରହିବାର ଏକ ନକାରାତ୍ମକ ଭୂମିକା ଗ୍ରହଣ କରୁଛନ୍ତି । ବିଶ୍ୱ ନିରାପତ୍ତା ପରିଷଦରେ ଦୁହିଁକ ହାତରେ ଭେଟୋକ୍ଷମତା ରହିଛି । ଏହି କ୍ଷମତାକୁ ଆମ ପୃଥିବୀର ଅସଲ ପ୍ରୟାସଗୁଡ଼ିକୁ ପଣ୍ଡ ଓ ବ୍ୟର୍ଥ କରିବା ଦିଗରେହିଁ ଅଧିକତର ପରିମାଣରେ ବ୍ୟବହାର କରାଯାଉଛି ।

 

ବିଶ୍ୱ-ଜାତିସଂଘରେ ପ୍ରତ୍ୟେକ ଦେଶର ସ୍ୱକୀୟ ସ୍ୱାଧୀନତା ରହିବ, ବିଶ୍ୱବ୍ୟବସ୍ଥା ସମ୍ବନ୍ଧରେ ଆପଣାର ସ୍ୱକୀୟ ନିର୍ଭୀକ ମତ ରହିବ ଏବଂ ପ୍ରତ୍ୟେକ ଦେଶ ଭୟଶୂନ୍ୟ ଭାବରେ ପରସ୍ପର ସହିତ ସହଯୋଗ କରିପାରିବେ, ସମ୍ଭବତଃ ଏହିପରି ଗୋଟିଏ ପରିବେଶ ସମ୍ଭବ କରିପାରିଲେ ପୃଥିବୀର ରାଜନୀତିକ ବିବର୍ତ୍ତନଗୁଡ଼ିକ ଯଥାସମ୍ଭବ ସୁସ୍ଥ ଭାବରେ ଗତି କରିପାରିବ । ବିଶ୍ୱସ୍ୱାର୍ଥ କହିଲେ ପ୍ରକୃତରେ ସବୁରି ସ୍ୱାର୍ଥକୁ ବୁଝାଇବ, ଅଧିକ ପଇସା ଓ ଅଧିକ ଅସ୍ତ୍ରର ଅଧିକାରୀ ହୋଇ ବସିଥିବା କେବଳ ଦୁଇଟି ରାଷ୍ଟ୍ରଶକ୍ତିକୁହିଁ ବୁଝାଇବ ନାହିଁ । ଏହି ଦୁଇ ବୃହତ୍‌ଶକ୍ତି ନାନାବିଧ ପରୋକ୍ଷ ଓ ପ୍ରତ୍ୟକ୍ଷ ବାଧ୍ୟବାଧକତାଦ୍ୱାରା ଆପଣାର ସ୍ୱାର୍ଥକାମୀ ମତଗୁଡ଼ାକୁ ଆଦର୍ଶ ବୋଲି କହି ଅନ୍ୟ ଦେଶଗୁଡ଼ିକ ଉପରେ କଦାପି ଲଦି ଦେବାକୁ ଯିବେ ନାହିଁ । ସେହିମାନଙ୍କ ଅନୁଗ୍ରହ ଉପରେ ବିଶ୍ୱଶାନ୍ତିର ଦୁର୍ବଳ ବନ୍ଧୁକଟିକୁ କଦାପି ଛାଡ଼ି ଦିଆଯିବ ନାହିଁ ।

 

ଆମେରିକା ଯୁକ୍ତରାଷ୍ଟ୍ରର ରାଷ୍ଟ୍ରମୁଖ୍ୟ ଶ୍ରୀଯୁକ୍ତ ଜିମି କାର୍ଟର ଅଭିଷିକ୍ତ ହେବା ପୂର୍ବରୁ ପ୍ରକାଶ କରିଥିଲ ଯେ ଏହି ବର୍ଷ ସେ ତାଙ୍କର ପ୍ରତିପକ୍ଷୀ ରାଷ୍ଟ୍ରମୁଖ୍ୟ ଶ୍ରୀଯୁକ୍ତ ବ୍ରେଜନେଭଙ୍କ ସହିତ ନିଶ୍ଚୟ ସାକ୍ଷାତ୍‍ କରିବେ । ପୃଥିବୀର ଦୁଇ ବୃହତ୍‌ଶକ୍ତିର ଦୁଇ ମୁଖ୍ୟ ଏକାଠି ବସି ପୃଥିବୀରେ ପ୍ରାୟ ଅସମାହିତ ହୋଇ ରହିଥିବା ବିକଟ ସମସ୍ୟାଗୁଡ଼ିକର ସମାଧାନ ଦିଗରେ ପୃଥିବୀକୁ ଅନେକ ଦୂର ଅଗ୍ରସର କରାଇ ନେଇଯାଇ ପାରିବେ ବୋଲି କାର୍ଟରଙ୍କର ଉକ୍ତ ବିବୃତି ପରେ ଅନେକେ ହୁଏ ତ ଭାରି ଆଶାନ୍ୱିତ ହୋଇଯାଇଥିବେ । ପୃଥିବୀର ସମ୍ବାଦପତ୍ର ମାନଙ୍କରେ ତେଣୁ ସେହି ସମ୍ବାଦଟା ସବୁଠି ଭାରି ବଡ଼ ବଡ଼ ଅକ୍ଷରରେ ବାହାରିଛି । ଦୁଇ ବୃହତ୍‌ଶକ୍ତିଙ୍କର ରାଷ୍ଟ୍ରମୁଖ୍ୟ ଏକାଠି ହେଲେ ପୃଥିବୀର ସମସ୍ୟା-ସମାଧାନ ଗୁଡ଼ିକର ଦାୟିତ୍ୱକୁ ଆହୁରି କେତେଦିନ ଗଡ଼ାଇ ନେଇଯାଇ ପାରିବେ ସିନା, ମାତ୍ର ସେମାନେ ସେଗୁଡ଼ିକର କଦାପି କୌଣସି ସମାଧାନ କରିପାରିବେନାହିଁ । ସେମାନେ ପୃଥିବୀକୁ ଆହୁରି ଅଧିକ ପରିମାଣରେ ନିର୍ଭରଶୀଳ ଓ ଦୁର୍ବଳ ହୋଇ ପଡ଼ିବାରେହିଁ ସାହାଯ୍ୟ କରିବେ । ପୃଥିବୀର ସମ୍ପୃକ୍ତ ଦେଶଗୁଡ଼ିକହିଁ ଆବଶ୍ୟକ ସ୍ୱାତନ୍ତ୍ର୍ୟ ଓ ଦାୟିତ୍ୱବୋଧ ଅର୍ଜନ କଲେ ନିଜ ନିଜର ସମସ୍ୟାଗୁଡ଼ିକର ଅଧିକ ଯୋଗ୍ୟ ଭାବରେ ସମ୍ମୁଖୀନ ହୋଇପାରିବେ ଓ ଆଗାମୀ ଶାନ୍ତି ଲାଗି ଏକ ଦୃଢ଼ତର ମୂଳଦୁଆ ମଧ୍ୟ ସମ୍ଭବ କରିପାରିବେ ।

ତା. ୨୩.୧.୧୯୭୭ ରିଖ

Image

 

ସୋଭେଟୋରେ ପରୀକ୍ଷା ବାସନ୍ଦ

 

ଦକ୍ଷିଣଆଫ୍ରିକାର ଜୋହାନ୍‌ସ୍‌ ବଗ୍ ସହରଠାରୁ ଦକ୍ଷିଣପଶ୍ଚିମ ଆଡ଼କୁ ପ୍ରାୟ ପନ୍ଦର ମାଇଲ ଦୂରରେ ସୋଭେଟୋ ସହର ଅବସ୍ଥିତ । ଗତ ଜୁନମାସଠାରୁ ସୋଭେଟୋ ପ୍ରାୟ ଏକ ରଣକ୍ଷେତ୍ରରେ ପରିଣତ ହୋଇରହିଛି । ସହରର ରାସ୍ତାରେ ଗୋରା ସରକାରୀ ସୈନ୍ୟମାନେ ପଇଁତରା ମାରୁଛନ୍ତି ଏବଂ ସୋଭେଟୋର ସ୍କୁଲଛାତ୍ରମାନେ ଗୋରାଶାସନ ବିରୁଦ୍ଧରେ ସେମାନଙ୍କର ସକ୍ରିୟ ଆନ୍ଦୋଳନଟିକୁ ତଥାପି ବଳବତ୍ତର ରଖିଛନ୍ତି । ଦଶଲକ୍ଷ ବାସିନ୍ଦା ବାସକରୁଥିବା ଏହି ସହରର ସ୍କୁଲମାନ ପ୍ରାୟ ଛଅମାସ ହେଲା ଖାଲିପଡ଼ିଛି ।

 

ଏବେ ଡିସେମ୍ବର ମାସରେ ସ୍କୁଲରେ ବାର୍ଷିକ ପରୀକ୍ଷାମାନ ହେବାରଥିଲା । ବାର୍ଷିକ ପରୀକ୍ଷାଟି ନଦେବାର ଅର୍ଥ ହେଉଛି ଶିକ୍ଷାକାଳରେ ଗୋଟିଏ ବର୍ଷ ନଷ୍ଟ ହେବା । ତଥାପି ସୋଭେଟୋର ସ୍କୁଲପିଲାମାନେ ପରୀକ୍ଷାବର୍ଜନ କରିଛନ୍ତି । ଗୋଟିଏ ହାଇସ୍କୁଲରେ ଯେଉଁଠି ଏକହଜାର ପରୀକ୍ଷାର୍ଥୀଙ୍କର ପରୀକ୍ଷା ଦେବାର ଥିଲା, ସେଠାକୁ ଜଣେ ହେଲେ ଛାତ୍ର ପରୀକ୍ଷା ଦେବା ଲାଗି ଆସିନାହାନ୍ତି । ଆଉ ଗୋଟିଏ ସ୍କୁଲରେ ୩୬୦ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ମୋଟେ ୧୯ଜଣ ପରୀକ୍ଷା ଦେବା ପାଇଁ ଆସିଥିଲେ । ମାତ୍ର ବିକ୍ଷୋଭକାରୀ ଜଣେ ଯୁବକର ନିର୍ଦ୍ଦେଶ ମାନି ସେମାନେ ବି ପରୀକ୍ଷା ବର୍ଜନକରି ଚାଲିଗଲେ ବୋଲି ଖବର ମିଳିଛି । ଆପଣାର ଶିକ୍ଷାକାଳରେ ଗୋଟିଏ ବର୍ଷ ମାରା ହେବ ପଛକେ, ମାତ୍ର ସେମାନେ କଦାପି ଦକ୍ଷିଣଆଫ୍ରିକା ସରକାରଙ୍କର ବାଣ୍ଟୁଶିକ୍ଷାର ନୂତନ ଦୁର୍ନୀତିକୁ ମାନି ନେବେନାହିଁ ବୋଲି ସୋଭେଟୋ ସହରର ଛାତ୍ରମାନଙ୍କ ସମେତ ସହରବାସୀ ସମସ୍ତେ ନିଷ୍ପତ୍ତି କରିଛନ୍ତି ।

 

ଦକ୍ଷିଣଆଫ୍ରିକା ସରକାରଙ୍କର ବହିରେ ଯାହାକୁ ବାଣ୍ଟୁ ଶିକ୍ଷାବ୍ୟବସ୍ଥା ବୋଲି କୁହାଯାଇଛି, ତାହାର ଅସଲ ମର୍ମ ହେଲା ଯେ ସେହି ଦେଶରେ କଳା ଓ ଗୋରାଛାତ୍ରମାନଙ୍କୁ ବର୍ଣ୍ଣନିର୍ବିଶେଷରେ ଗୋଟିଏ ପ୍ରକାରର ଶିକ୍ଷା ଦିଆଯିବ ନାହିଁ । କଳାପିଲାମାନଙ୍କୁ ଅଲଗା ଶିକ୍ଷା ଦିଆଯିବ । ସେମାନଙ୍କ ସକାଶେ ସ୍ୱତନ୍ତ୍ର ପାଠ୍ୟକ୍ରମ ଚାଲୁହେବ । ଦେଶରେ ସର୍ବମୋଟ ଯେଉଁ ଶତକଡ଼ା ୭୬ଭାଗ କଳାଲୋକ ବାସ କରୁଛନ୍ତି, ସେମାନଙ୍କ ଲାଗି ଗୋରାଲୋକଙ୍କଠାରୁ ଏକ ଭିନ୍ନ ପ୍ରକାରର ଶିକ୍ଷାର ବ୍ୟବସ୍ଥା ରହିବ, ଯେପରି କି ଗୋରାମାନେ ନିଜକୁ ସର୍ବଦା ଆପଣାକୁ ଶାସକ ବୋଲି ଅନୁଭବ କରିବାରେ ତାଲିମ ପାଇବେ ଓ କଳାମାନେ ମଧ୍ୟ ସେହିପରି ଭାବରେ ଗୋରାମାନଙ୍କର ଅସଭ୍ୟ ଜୁଲମଗୁଡ଼ିକୁ ମାନିନେବାକୁହିଁ ପିଲାଦିନରୁ ମଣ ହୋଇଥିବେ ଓ ତାକୁ ନ୍ୟାୟ ବୋଲି ବିଶ୍ୱାସ କରିବେ । ଏହି ଶିକ୍ଷାବ୍ୟବସ୍ଥାଟିର ପ୍ରଚଳନ ବିରୁଦ୍ଧରେ ସୋଭେଟୋର ଛାତ୍ରମାନେ ପ୍ରଥମେ ପ୍ରତିବାଦ କରିଥିଲେ । ବାଣ୍ଟୁ ଶିକ୍ଷାବ୍ୟବସ୍ଥାଟିକୁ ସରକାର ପ୍ରତ୍ୟାହାର କରିନିଅନ୍ତୁ ବୋଲି ସେମାନେ ଦାବୀ ଓ ବିକ୍ଷୋଭମାନ କଲେ । ତା’ପରେ ସରକାରଙ୍କ ପକ୍ଷରୁ ଗୁଳି ଚାଲିଲା । ଅନେକ ଛାତ୍ରଙ୍କୁ ଧରିନିଆଗଲା । ବର୍ତ୍ତମାନ ଯେଉଁ ଛାତ୍ରମାନେ ବନ୍ଦୀଶାଳାରେ ରହିଛନ୍ତି, ସେମାନଙ୍କୁ ସରକାର ତୁରନ୍ତ ମୁକ୍ତି ଦିଅନ୍ତୁ ବୋଲି କରାଯାଉଥିବା ଦାବୀ ମଧ୍ୟ ସୋଭେଟୋ ଛାତ୍ର ଆନ୍ଦୋଳନର ଆଉ ଏକ ଆଭିମୁଖ୍ୟର ପରିଣତ ହୋଇଛି ।

 

ଏବଂ ପୋଲିସ ତରଫରୁ ଏବେ ମଧ୍ୟ ଧରପଗଡ଼ ଚାଲିଛି । ଏପରି ଗୋଟିଏ ଗୋଟିଏ ଦୃଷ୍ଟାନ୍ତ ରହିଛି ଯେ କୌଣସି ସ୍କୁଲରେ ପାଠପଢ଼ା ଚାଲୁଥିବା ସମୟରେ ସଶସ୍ତ୍ର ପୋଲିସ ସ୍କୁଲ ଭିତରକୁ ପ୍ରବେଶ କରିଛନ୍ତି ଏବଂ ସବୁ ଶିକ୍ଷକ ଓ ସବୁ ଛାତ୍ରଙ୍କୁ ଗିରଫ କରି ଜେଲଖାନାକୁ ଧରି ନେଇଛନ୍ତି । ଘର ଘର ବୁଲି ସେମାନେ ସହରଯାକ ଖାନତଲାସ କରିଛନ୍ତି । ଏପରି କି ରାସ୍ତା ଉପରେ ମଧ୍ୟ କୌଣସି ସ୍କୁଲଛାତ୍ରକୁ ଦେଖିବା ମାତ୍ରକେ ତାକୁ ସେଇଠାରୁ ଉଠାଇ ନେଇଛନ୍ତି । କେତେକ ବାପମାଆଙ୍କର କହିବା ଅନୁସାରେ ଆଠ ଦଶ ବର୍ଷର ପିଲାମାନଙ୍କୁ ମଧ୍ୟ ରାସ୍ତା ଉପରୁ ଉଠାଇ ନିଆଯାଇଛି । ସୋଭେଟୋ ସହରରେ ଏବେ ମଧ୍ୟ ଅନେକ ପିଲା ନିଖୋଜ ହୋଇ ରହିଛନ୍ତି । ସେମାନଙ୍କୁ ହୁଏତ ପୋଲିସ ରାସ୍ତା ଉପରୁ ଧରି ନେଇଯାଇଛି ଓ ସେମାନେ ବର୍ତ୍ତମାନ ବନ୍ଦୀଶାଳାରେ ରହିଛନ୍ତି ବୋଲି ଅନୁମାନ କରିବା ବ୍ୟତୀତ ବାପମାଆଙ୍କ ଲାଗି ଆଉ ଅନ୍ୟ କୌଣସି ଉପାୟ ନାହିଁ ।

 

ଅଧିକାଂଶ ଛାତ୍ର ଏହି ଧରପଗଡ଼ ଭୟରେ ରାତିରେ ନିଜ ଘରେ ଶୋଇବାକୁ ଆଉ ମୋଟେ ନିରାପଦ ମନେକରୁ ନାହାନ୍ତି । ପୋଲିସର ହାବୁଡ଼ରୁ ନିଜକୁ ଯଥାଶକ୍ତି ଏଡ଼ାଇବାର ଚେଷ୍ଟାରେ ସେମାନେ ଅନ୍ୟ ସହରମାନଙ୍କରେ ଯାଇ ରହୁଛନ୍ତି । ଅନେକ ଛାତ୍ର ଦେଶ ଛାଡ଼ି ବାହାରକୁ ବି ପଳାଇଛନ୍ତି । କଳାଲୋକମାନେ ବାସକରୁଥିବା ଅଞ୍ଚଳ ଭିତରକୁ ପ୍ରଥମେ କେତେ ମାସ ଲାଗି କୌଣସି ସାମ୍ବାଦିକଙ୍କୁ ପ୍ରବେଶ କରିବା ଲାଗି ଅନୁମତି ଦିଆଯାଉନଥିଲା । କଳାଅଞ୍ଚଳରେ ଗୋରାଲୋକେ ପ୍ରବେଶ କରିବାକୁ ମଧ୍ୟ ବିପଦ ବୋଲି ମଣୁଛନ୍ତି । ପୋଲିସ ଗୁଳିରେ କେତେ ଶହ ଲୋକ ପ୍ରାଣହରାଇବା ପରେ କଳାମାନେ ମଧ୍ୟ ଗୋରାଶାସନର ଯାବତୀୟ ଚିହ୍ନ ଓ ସଙ୍କେତମାନ ଭାଙ୍ଗି ନଷ୍ଟ କରିଦେବା ଲାଗି ବଦ୍ଧପରିକର ହୋଇ ବାହାରିଛନ୍ତି । ସରକାରୀ ମଦଦୋକାନୀମାନ ବନ୍ଦ ରହିଛି । କଳାବିକ୍ଷୋଭକାରୀମାନେ ସେଠାରେଥିବା ଆସବାବପତ୍ର ଭାଙ୍ଗିରୁଜି ଦେଇଛନ୍ତି ଓ କେହି ସେସବୁକୁ ବ୍ୟବହାର କରୁନାହାନ୍ତି । ‘‘ଏହି ମଦ ରୂପକ ଅସ୍ତ୍ରକୁ ଆମ ବିରୁଦ୍ଧରେ ପ୍ରୟୋଗ କରି ଗୋରାମାନେ ଆମ କଳାଲୋକଙ୍କର ପ୍ରାଣନାଶ କରିବାର ମସୁଧା କରି ଆସିଛନ୍ତି’’ ବୋଲି ବିକ୍ଷୋଭକାରୀ ସ୍ୱେଚ୍ଛାସେବକମାନେ ପ୍ରଚାର କରୁଛନ୍ତି ।

 

ସୋଭେଟୋରେ ଯେଉଁ ନିଆଁ ଜଳିବାକୁ ଆରମ୍ଭ କରିଛି ଓ ଯାହା କ୍ରମେ ବିଗତ ଛଅ ମାସ ଭିତରେ ଏକ ଜାତୀୟ ଆନ୍ଦୋଳନର ଆକାର ଧାରଣ କଲାଣି, ଦକ୍ଷିଣଆଫ୍ରିକାର ସରକାର ଏବେ ମଧ୍ୟ ତାହାକୁ ବନ୍ଧୁକଦ୍ୱାରା ପ୍ରତିହତ କରିଦେଇ ପାରିବେ ବୋଲି ବିଶ୍ୱାସ କରୁଛନ୍ତି । ସାମ୍ରାଜ୍ୟବାଦର ଯୁଗରେ ଉପନିବେଶଗୁଡ଼ିକୁ ଏହିପରି ଭାବରେ ଦବାଇ ରଖାଯାଇ ପାରିବ ବୋଲି ଶାସକମାନେ ବିଶ୍ୱାସ କରୁଥିଲେ । ଇତିହାସ ସେମାନଙ୍କର ସେହି ବିଶ୍ୱାସକୁ ମିଥ୍ୟା ବୋଲି ପ୍ରମାଣିତ କଲା । ଦକ୍ଷିଣଆଫ୍ରିକାରେ ମଧ୍ୟ ତାହାହିଁ ହେବ । ସେହି ସତ୍ୟଟି ବର୍ତ୍ତମାନ ସମଗ୍ର ଆଫ୍ରିକା ମହାଦେଶକୁ ଅଧିକରୁ ଅଧିକ ସଚଳ କରିବାରେ ଆରମ୍ଭ କଲାଣି । ଅନ୍ଧାର କଟି ଆସୁଛି ।

ତା ୨୪.୧.୧୯୭୭ ରିଖ

Image

 

ତିନିଶହ ବର୍ଷର ଦୌରାତ୍ମ୍ୟ

 

ଗତବର୍ଷ ଜୁନ୍‌ ମାସରେ ଦକ୍ଷିଣଆଫ୍ରିକାର ସୋଭେଟୋ ସହରରେ ପୋଲିସ ପକ୍ଷରୁ ଗୁଳି ଚାଲି ଯେଉଁ କଳା ଲୋକମାନେ ମଲେ ଏବଂ ସେହିଦିନଠାରୁ ପୃଥିବୀର ସେହି ଅଞ୍ଚଳଟିରେ ଯେଉଁ ଦମନ ଏବଂ ଅତ୍ୟାଚାରର ଲୀଳା ରହିଛି, ତା’ ପଛରେ ପ୍ରକୃତରେ ତିନିଶହ ବର୍ଷର ଦୌରାତ୍ମ୍ୟର ଏକ କାହାଣୀ ନିହିତ ହୋଇ ରହିଛି । ତିନିଶହବର୍ଷ ତଳେ ଆଫ୍ରିକାର ସେହି ଖଣ୍ଡରେ କୌଣସି ଗୋରାଲୋକ ବାସ କରୁ ନ ଥିଲେ । ଅନ୍ଧକାରମୟ ମହାଦେଶକୁ ଆବିଷ୍କାର କରିବାର ସେହି ଔପନିବେଶିକ ପର୍ଯ୍ୟାୟରେ ୧୬୫୨ ଖ୍ରୀଷ୍ଟାବ୍ଦରେ ଇଉରୋପୀୟମାନେ ପ୍ରଥମେ ଆଫ୍ରିକାର ଦକ୍ଷିଣଭାଗରେ କେପ୍‌ଟାଉନ ଅଞ୍ଚଳରେ ଆସି ପହଞ୍ଚିଥିଲେ । ସେମାନେ ବଳଦଗାଡ଼ିରେ ସ୍ଥଳଭାଗର ଆହୁରି ଭିତରକୁ ଯିବା ଲାଗି ଚେଷ୍ଟା କରିଥିଲେ । ବର୍ତ୍ତମାନ ସେହି ଦକ୍ଷିଣଆଫ୍ରିକାରେ ଚାଳିଶି ଲକ୍ଷ ଗୋରାଲୋକ ବାସ କରୁଛନ୍ତି । ସେମାନେ ପ୍ରାୟ ଦୁଇକୋଟି କଳାଙ୍କ ସମେତ କୋଡ଼ିଏ ଲକ୍ଷ ଅନ୍ୟ ମିଶ୍ର ଜାତି ଏବଂ ଆଠଲକ୍ଷ ଏସିଆବାସୀଙ୍କ ଉପରେ ଶାସନ କରୁଛନ୍ତି । ତାହାକୁହିଁ ସଭ୍ୟତା ବୋଲି କହୁଛନ୍ତି । ଏହିପରି ଶାସନ ଓ ଦୌରାତ୍ମ୍ୟକୁ ଅବିଚ୍ଛିନ୍ନ ଭାବରେ ଜାରିକରି ରଖିବାକୁ ସେମାନେ ଗୋରାଲୋକଙ୍କର ଦାୟିତ୍ୱ ବୋଲି କହୁଛନ୍ତି ।

 

ତିନିଶହବର୍ଷ ତଳେ ଗୋରାଲୋକମାନେ ଯେତେବେଳେ ପ୍ରଥମେ ଆସି ଦକ୍ଷିଣଆଫ୍ରିକାର ଭୂଭାଗ ଭିତରକୁ ପଶିବାକୁ ଆରମ୍ଭ କଲେ, କଳାମାନେ ସେତେବେଳେ ମଧ୍ୟ ସେମାନଙ୍କର ବିରୋଧ କରିଥିଲେ । ସେହି ବିରୋଧ ଆଜିଯାଏ ବି ସେହିପରି ଅବିଚ୍ଛିନ୍ନ ଭାବରେ ଲାଗି ରହିଛି । ଗତ ଶତାବ୍ଦୀରେ ଜୁଲୁମାନଙ୍କ ସହିତ ସେଠାରେ ଗୋରାଲୋକମାନଙ୍କର ଯେଉଁସବୁ ଯୁଦ୍ଧ ହୋଇଥିଲା, ସେଗୁଡ଼ିକୁ ଉପନିବେଶୀ ଇତିହାସକାରମାନେ ଯେତେ ଯାହା ଭାବରେ ଚିତ୍ରଣକଲେ ମଧ୍ୟ ସେଗୁଡ଼ିକୁ ମଧ୍ୟ ଗୋରାମାନଙ୍କର ଜବରଦଖଲ ବିରୁଦ୍ଧରେ କଳାମାନଙ୍କର ପ୍ରତିବାଦ ବୋଲି କୁହାଯିବ । ୧୯୬୦ ମସିହାରେ ଗୋରା ବର୍ଣ୍ଣବିଦ୍ୱେଷ ବିରୁଦ୍ଧରେ ସକ୍ରିୟ ସ୍ୱରୋତ୍ତୋଳନ କରି ସାର୍ପାଭିଲେଠାରେ ଯେଉଁ ପ୍ରତିରୋଧ ହେଲା ଏବଂ ତାହା ଫଳରେ ଯେଉଁ ଜଘନ୍ୟ ହତ୍ୟାକାଣ୍ଡ ଆଚରିତ ହେଲା, ତାହାକୁ ମଧ୍ୟ ଆମକୁ ଏହି ପ୍ରତିରୋଧର ପରିପ୍ରେକ୍ଷୀରେ ଦେଖିବାକୁ ପଡ଼ିବ । ଗତ ଜୁନ ମାସରୁ ସେହି ଦୀର୍ଘ ସମରରହିଁ ଆଦ୍ୟତମ ପର୍ଯ୍ୟାୟଟି ଆରମ୍ଭ ହୋଇଛି । ସୋଭେଟୋ ସହରର ଛାତ୍ରମାନଙ୍କଠାରୁ ଆରମ୍ଭ ହୋଇ ତାହା କେପ୍‌ଟାଉନ ପର୍ଯ୍ୟନ୍ତ ବି ପରିବ୍ୟାପ୍ତ ହୋଇ ଆସିଛି । ଗତ ଛଅମାସ ଭିତରେ ଏଥିରେ ୩୭୦ ଜଣ କଳାଲୋକଙ୍କୁ ପ୍ରାଣବଳି ଦେବାକୁ ପଡ଼ିଛି । କେତେ କେତେ କଳା ନେତାଙ୍କୁ ଜେଲ ଭିତରେ ନେଇ ବନ୍ଦୀ କରି ରଖାଯାଇଛି ।

 

ଅଳ୍ପଦିନ ତଳେ ଶ୍ୱେତକାୟମାନଙ୍କର ସ୍ୱାର୍ଥକୁ ସମର୍ଥନ କରୁଥିବା ଏକ ପ୍ରଧାନ ସମ୍ବାଦପତ୍ରର ସମ୍ପାଦକ ଲେଖିଥିଲେ, ‘ଏହି ବିଷୟରେ କାହାରି କୌଣସି ସନ୍ଦେହ କରିବା ଉଚିତ୍ ନୁହେଁ ଯେ ଦକ୍ଷିଣଆଫ୍ରିକାର ଆଇନ ବଳରେ ଦକ୍ଷିଣଆଫ୍ରିକାରେ ବାସ କରୁଥିବା ଗୋରାମାନେ ଯେଉଁମାନେ ଐଶ୍ୱର୍ଯ୍ୟ ଓ ସମ୍ପତ୍ତିର ଅଧିକାରୀ ହୋଇ ରହିଛନ୍ତି, ଶେଷ ରକ୍ତବିନ୍ଦୁ ଦେବା ପର୍ଯ୍ୟନ୍ତ ସେମାନେ ତାହାକୁ ଅବଶ୍ୟ ରକ୍ଷା କରିବେ ।’ ଏଠାରେ ସ୍ମରଣ ରହିବା ଉଚିତ ଯେ ଦକ୍ଷିଣଆଫ୍ରିକାରେ ଆଇନ ବୋଲି ଯାହା କିଛି ଚଳୁଛି, ତାହା ଗୋରାମାନେହିଁ ତିଆରି କରିଛନ୍ତି । କଳାମଣିଷର ସେଥିରେ କୌଣସି ଭାଗ ନାହିଁ, କାରଣ ଦେଶର ଶାସନରେ ତାକୁ ଏ ପର୍ଯ୍ୟନ୍ତ ଆଦୌ କୌଣସି ଭାଗ ଦିଆଯାଇ ନାହିଁ ।

 

ଗୋରା ସମ୍ବାଦପତ୍ରର ଉକ୍ତ ସମ୍ପାଦଙ୍କର ମନ୍ତବ୍ୟଟି ଉତ୍ତର ଦେଇ କଳାମାନଙ୍କର ସ୍ୱାର୍ଥର ପ୍ରତିନିଧିତ୍ୱ କରୁଥିବା ଆଉ ଗୋଟିଏ ସମ୍ବାଦପତ୍ରର ସମ୍ପାଦକ ମନ୍ତବ୍ୟ ପ୍ରକାଶ କରି କହିଛନ୍ତି ଯେ, ଯଦି ଗୋରା ଲୋକମାନଙ୍କର ମନୋଦୃଷ୍ଟି ଠିକ୍ ଏହିପରି ହୋଇଥାଏ, ତେବେ ସିଏ ମଧ୍ୟ ନିଶ୍ଚିତ ଭାବରେ ଏହି କଥାଟିକୁ କହିଦେବାକୁ ଚାହାନ୍ତି ଯେ, ଆଇନ ଅନୁସାରେ ଅର୍ଥାତ୍ ନ୍ୟାୟତଃ ଯାହାକିଛି କଳାମାନଙ୍କର ଭାଗରେ ପଡ଼ିବା ଉଚିତ, ତାହାକୁ ହାସଲ କରିବା ଲାଗି କଳାମାନେ ଶେଷ ରକ୍ତବିନ୍ଦୁ ଦେବା ଲାଗି ପ୍ରସ୍ତୁତ ହେଲେଣି ।

 

ତେବେ ଏହାର ପରିଣତି ପ୍ରକୃତରେ କ’ଣ ହେବ ? କଳା ଉଗ୍ରବାଦୀମାନେ ଆତଙ୍କବାଦର ଆଲୋଚନା କରୁଛନ୍ତି, ଗରିଲା ଯୁଦ୍ଧ ପାଇଁ ମସୁଧା କରୁଛନ୍ତି । ଅନ୍ୟ ପକ୍ଷରେ ଦକ୍ଷିଣଆଫ୍ରିକାର ଗୋରାପ୍ରଧାନମନ୍ତ୍ରୀ ଜନ ଫର୍ଷ୍ଟର କୌଣସି ପ୍ରକାର ମୌଳିକ ପରିବର୍ତ୍ତନ ଲାଗି କଦାପି ବାଟ ଛାଡ଼ିଦେବେ ନାହିଁ ବୋଲି ଅଡ଼ି ବସିଛନ୍ତି । ସିଏ କହୁଛନ୍ତି, ଦକ୍ଷିଣ ଆଫ୍ରିକାର ଗୋରାମାନେ ଦେଶକୁ ଛାଡ଼ି ଆଉ କଦାପି କୁଆଡ଼େ ହେଲେ ଯିବେ ନାହିଁ । ସେମାନେ ଦକ୍ଷିଣଆଫ୍ରିକାରେହିଁ ରହିବେ ଏବଂ ଶାସକଜାତି ହୋଇ ରହିବେ । ସଂଖ୍ୟାଧିକ କଳାମାନଙ୍କ ହାତରେ ଶାସନଭାର ରହିଲେ ଏକ ଗୋଷ୍ଠୀ ହିସାବରେ ସଂଖ୍ୟାଲଘୁ ଗୋରାମାନଙ୍କର ଯେ ସେଠାରେ କୌଣସି ଚିହ୍ନ ରହିବ ନାହିଁ, ଫର୍ଷ୍ଟର ସେହି ଆଶଙ୍କା କରୁଛନ୍ତି । ତେଣୁ ବର୍ତ୍ତମାନର ବର୍ଣ୍ଣବିଦ୍ୱେଷ ନୀତିକୁ ସେ ଯକୌଣସି ପ୍ରକାରେ ଜାରି ରଖିବାକୁ ଚାହାନ୍ତି । ଖୁବ ବେଶି ହେଲେ, ସିଏ ଦକ୍ଷିଣଆଫ୍ରିକାରେ ଦୁଇଟି ସ୍ୱାଧୀନ ଏକକ ସ୍ଥାପନ କରିବାକୁ ଚାହାନ୍ତି । ଗୋଟିଏ ଗୋରା ଅଞ୍ଚଳ, ଯେଉଁଠାରେ କି ଗୋରାମାନେ ରହିବେ; ଆଉ ଗୋଟିଏ କଳା ଅଞ୍ଚଳ, ଯେଉଁଠି କଳାମାନେ ରହିବେ । ଏବେ ଟ୍ରାନ୍‌ସ୍‌କାଇ ବୋଲି ଯେଉଁ କଳା ଆଞ୍ଚଳିକ ରାଜ୍ୟଟିକୁ ଦକ୍ଷିଣ ଆଫ୍ରିକା ସ୍ୱାଧୀନ ବୋଲି ଘୋଷଣା କଲା, ସେଇଟି ପଛରେ ସେହିଭଳି ଏକ ବିଚାର ରହିଛି । ଏହି ବ୍ୟବସ୍ଥା ଅନୁସାରେ ମଧ୍ୟ ଗୋରା ସରକାରଙ୍କର ହିସାବ ମୁତାବକ ଶତକଡ଼ା ଅଶୀଭାଗରୁ ଅଧିକ କଳାମାନଙ୍କ ପାଇଁ ଶତକଡ଼ା ୧୪ ଭାଗ ଭୂମି ଛାଡ଼ିଦେବାର ବିଚାର ରଖାଯାଇଛି ।

 

ଏ ସବୁରେ ଆଦୌ କୌଣସି ସମାଧାନ ହେବ ନାହିଁ । ମନୋଭାବ ବଦଳିଲେ ଯାଇ ସମାଧାନ ହେବ । ମନୋଭାବ ବଦଳିଲେ ଦୌରାତ୍ମ୍ୟ ବନ୍ଦ ହେବ, ମନୋଭାବ ବଦଳିଲେ ଭୟଗୁଡ଼ାକ ବି କମ୍‌ ହୋଇଯିବ । ଆଜି ଯେଉଁମାନଙ୍କୁ କଳା ଓ ଗୋରା ବୋଲି କହି ଅଲଗା କରି ଦେଖାଯାଉଛି, ସେମାନଙ୍କୁ ବର୍ଣ୍ଣନିର୍ବିଶେଷରେ ମଣିଷ ବୋଲି ସ୍ୱୀକାର କରିନେଲେ ଯାଇ ଯାବତୀୟ ଦ୍ୱନ୍ଦ୍ୱର ଉପଶମ ଘଟିବ ।

ତା ୨୫.୧.୧୯୭୭ ରିଖ

Image

 

କିମ୍ଭୂତ ଆଫ୍ରିକା

 

ଆଫ୍ରିକା ମହାଦେଶ ଉପନିବେଶବାଦର ଗର୍ତ୍ତ ମଧ୍ୟରୁ ମୁକୁଳି ଆସିବା ସମୟରେ ଏକଦା ପୃଥିବୀର ରାଜନୀତିକ ପର୍ଯ୍ୟବେକ୍ଷକମାନେ ଭାରି ଜୋର ଦେଇ କହୁଥିଲେ ଯେ ଆଫ୍ରିକାହିଁ ସ୍ୱୟଂ ନବଜନ୍ମ ଲାଭ କରି ସାରିବା ପରେ ସମଗ୍ର ପୃଥିବୀକୁ ବାଟ ଦେଖାଇବ । ଆଫ୍ରିକାର କେତେ ରାଷ୍ଟ୍ରମୁଖ୍ୟ ମଧ୍ୟ ଏକଦା ଆଫ୍ରିକାର ଏକ ସ୍ୱତନ୍ତ୍ର ବ୍ୟକ୍ତିତ୍ୱ ରହିଛି ଏବଂ ସ୍ୱାଧୀନ ଆଫ୍ରିକା ଆପଣାକୁ ସେହି ସ୍ୱକୀୟ ଦିଗଟିରେ ବିକଶିତ କରାଇନେବ ବୋଲି କେତେ ବିଶ୍ୱାସର ସହିତ ଘୋଷଣା କରିବାରେ ଲାଗିଥିଲେ । ସମଗ୍ର ମହାଦେଶଟି ସେହିସବୁ ସ୍ୱପ୍ନ ଓ ହୁଏତ ସେହିସବୁ ଅଭିଳାଷକୁ ମଧ୍ୟ ସତେ ଅବା କୁଆଡ଼େ ପଛରେ ପକାଇଦେଇ ଛାଡ଼ି ଆସିଥିବା ପରି ମନେ ହେଉଛି-

 

ସ୍ୱାଧୀନତାର ପର୍ବ ମଧ୍ୟରେ ପ୍ରବେଶ କରିବାର ପ୍ରାୟ କୋଡ଼ିଏ ବର୍ଷ ପରେ ଆଫ୍ରିକା ସତେ ଅବା ବର୍ତ୍ତମାନ ମଧ୍ୟ ସେହି ପୁରାତନ ପ୍ରଜାତିବାଦ ଓ ଗୋଷ୍ଠୀସ୍ୱାର୍ଥବାଦର ସ୍ତରରେ ଛନ୍ଦିହୋଇ ରହିଛି । ଗଣତନ୍ତ୍ରକୁହିଁ ଆଫ୍ରିକା ଆପଣାର ରାଷ୍ଟ୍ରୀୟ ଶାସନଗୁଡ଼ିକର ମାର୍ଗରୂପେ ଗ୍ରହଣ କରିବ ବୋଲି ସ୍ୱାଧୀନ ଆଫ୍ରିକାର ତତ୍କାଳୀନ ନୂଆ ନେତାମାନେ କେଡ଼େ ଦୃଢ଼ ଭାବରେ କହିଥିଲେ-। ମାତ୍ର ବର୍ତ୍ତମାନ ମହାଦେଶର ଏ ପାଖରୁ ସେ ପାଖ ଯାଏ ଆଖି ବୁଲାଇ ଆସିଲେ ଆମକୁ ତାଞ୍ଜାନିଆ ଏବଂ ଲାଇବେରିଆ ପ୍ରଭୃତି ମାତ୍ର କେତୋଟି ଦେଶକୁ ବାଦ ଦେଲେ ଗଣତନ୍ତ୍ର ପ୍ରତି କୌଣସି ପୂର୍ଣ୍ଣ ସମ୍ମତି କେଉଁଠି ରହିଥିବାର ହୁଏ ତ ଦେଖିବାକୁହିଁ ମିଳିବ ନାହିଁ । ପ୍ରଥମ ପ୍ରର୍ଯ୍ୟାୟରେ ଯେଉଁ କେତୋଟି ଦେଶରେ ଗଣତନ୍ତ୍ରର ଗୋଟାଏ ଛାଞ୍ଚକୁ ଆଣି ରାଷ୍ଟ୍ରୀୟ ଶାସନର ଅଙ୍ଗମଣ୍ଡାଇ ରଖାଯାଇଥିଲା, ସେଗୁଡ଼ାକ ଇତିମଧ୍ୟରେ ଗୋଟିକ ପରେ ଗୋଟିଏ ହୋଇ ବିଦାୟ ନେଇ ଯାଇଛନ୍ତି । ସେଗୁଡ଼ିକ ସ୍ଥାନରେ ସାମରିକ ଶାସନର ପ୍ରବର୍ତ୍ତନ ହୋଇଛି । ଦେଶର ସାମରିକ କର୍ତ୍ତାମାନେ ଦେଶର ନିର୍ବାଚିତ ସରକାରଗୁଡ଼ିକୁ ପ୍ରଧାନତଃ ଅସ୍ତ୍ରବଳରେହିଁ ଭାଙ୍ଗି ପକାଇଛନ୍ତି ଓ ରାଜ୍ୟ ଶାସନର ସର୍ବମୁଖ୍ୟ ପ୍ରବକ୍ତାରୂପେ ଆବିର୍ଭୂତ ହୋଇଛନ୍ତି । ଗୋଟାଏ ଗୋଟାଏ ଦେଶରେ ହୁଏତ ଏକାଧିକବାର ସାମରିକ ବିଦ୍ରୋହ ଘଟିଛି ଏବଂ ନୂଆ ନୂଆ ଅଧିନାୟକ ଆସି ଲୋକମାନଙ୍କର ଭାଗ୍ୟ ଉପରେ ଆପଣାକୁ ଅଧିରୂଢ଼ କରି ରଖିଛନ୍ତି । ଏସବୁ ଫଳରେ ସାମରିକ ପ୍ରତିଷ୍ଠାଗୁଡ଼ାକ ଆଫ୍ରିକା ମହାଦେଶର ଅଧିକାଂଶ ଦେଶରେ ସର୍ବପ୍ରଧାନ ପ୍ରତିଷ୍ଠା ହୋଇ ରହିଛି । ସାଧାରଣ ଜନସମୂହ ପୂର୍ବର ସେହି ଆଦିମ ସ୍ତରରେ ରହିଥିଲେ ମଧ୍ୟ ରାଷ୍ଟ୍ରୀୟ କର୍ତ୍ତାମାନେ ପରସ୍ପର ସହିତ ଅସ୍ତ୍ରଶସ୍ତ୍ରରେ ପ୍ରତିଯୋଗିତା ଲଗାଇଛନ୍ତି । ଅସ୍ତ୍ରଶସ୍ତ୍ରଗତ ବରିଷ୍ଠତାକୁହିଁ ସବୁଠାରୁ ଅଧିକ ପାରଙ୍ଗମ ବରିଷ୍ଠତା ବୋଲି କୁହାଯାଉଛି ।

 

ଏବଂ ଅସ୍ତ୍ରଶସ୍ତ୍ର ଚଢ଼ାଇବା ଲାଗି ଆଫ୍ରିକାର ଅଧିକାଂଶ ରାଷ୍ଟ୍ର ବିଦେଶୀଶକ୍ତିମାନଙ୍କ ଉପରେ ନିର୍ଭର କରି ରହିଛନ୍ତି । ଫଳରେ ସେମାନେ ବିଦେଶୀ କେତୋଟି ଶକ୍ତିର ପ୍ରାୟ ଏକ ପ୍ରଭାବମଣ୍ଡଳରେହିଁ ପରସ୍ପରଠାରୁ ବିଭକ୍ତ ହୋଇ ରହିଛନ୍ତି । ଅଜାଣତରେ ହେଲେ ମଧ୍ୟ ଶୀତଳଯୁଦ୍ଧରେ ଗୋଟିଏ ଗୋଟିଏ ଯନ୍ତ୍ରରୂପେ ବ୍ୟବହୃତ ହେବାରେ ଲାଗିଛନ୍ତି । କେବଳ ଗୋଟିଏ ଦେଶ ଗାମ୍ବିୟାକୁ ଛାଡ଼ିଦେଲେ–ଗାମ୍ବିୟାର କୌଣସି ସୈନ୍ୟବାହିନୀ ନାହିଁ–ଆଫ୍ରିକାର ସବୁ ନୂତନ ରାଷ୍ଟ୍ର ଅସ୍ତ୍ର-ପ୍ରତିଯୋଗିତାର କବଳ ଭିତରେ ଆସି ପଡ଼ିଯାଇଛନ୍ତି ଓ ଆଫ୍ରିକାର ରାଜନୀତିକ ବିବର୍ତ୍ତନକୁ ବଡ଼ ଶୋଚନୀୟ ଭାବରେ ଅଧିକରୁ ଅଧିକ ପରିମାଣରେ ବୃହତ୍‌ଶକ୍ତି ରାଜନୀତିର କବଳଗ୍ରସ୍ତ କରିବାରେ ଲାଗିଛନ୍ତି ।

 

ଆଫ୍ରିକାର ଏହି ପ୍ରାୟ ସବୁଯାକ ଦେଶରେ ଆଧୁନିକ ଅସ୍ତ୍ରଶସ୍ତ୍ରଦ୍ୱାରା ସଜ୍ଜିତ ସୈନ୍ୟବାହିନୀ ରହିଛନ୍ତି । ନାଇଜେରିଆ ସରକାର ଆଫ୍ରିକାର ବୃହତ୍ତମ ରାଷ୍ଟ୍ରୀୟ ସୈନ୍ୟବାହିନୀ ପାଳୁଥିବାର ଶ୍ରେୟଃ ନେଇ ପାରିବେ । ସେହି ବାହିନୀରେ ଦୁଇ ଲକ୍ଷ ସୈନ୍ୟ ରହିଛନ୍ତି । ତା’ପରେ ଆମେ ଏହି କ୍ରମରେ ସୋମାଲିଆ, ଉଗାଣ୍ଡା, ଆଙ୍ଗୋଲା ଏବଂ ମୋଜାମ୍ବିକ୍‌ର ଉଲ୍ଲେଖ କରିପାରିବା-। ଉଗାଣ୍ଡାରେ ସ୍ୱୟଂ ରାଷ୍ଟ୍ରପତି ଇଡ଼ି ଅମିନ୍‌ ସୈନ୍ୟବାହିନୀର ସର୍ବୋଚ୍ଚ ମୁଖ୍ୟରୂପେ ଆପଣାକୁ ଅବସ୍ଥାପିତ କରି ରଖିଛନ୍ତି । ୧୯୭୫ ମସିହାର ହିସାବ ଅନୁସାରେ ସିଏ ସେ ବର୍ଷ ସାମରିକ ସାଜସଜ୍ଜା ବାବତରେ ୪୩ କୋଟି ଟଙ୍କା ଖରଚ କରିଛନ୍ତି ବୋଲି ଜଣାଯାଇଛି ।

 

ଅସ୍ତ୍ରାଗାରକୁ ଅଧିକରୁ ଅଧିକ ବରିଷ୍ଠତା ଦିଆଯିବା ସଙ୍ଗେ ସଙ୍ଗେ ଆଫ୍ରିକାରେ ତାହାରି ଉତ୍ତେଜନାରେ ରାଷ୍ଟ୍ର ରାଷ୍ଟ୍ର ମଧ୍ୟରେ ବୈମନସ୍ୟ ବି ବୃଦ୍ଧିପାଇବାରେ ଲାଗିଛି । ଉଗାଣ୍ଡା ଓ ସୋମାଲିଆ ଉଭୟେ କେନିଆରୁ ଖଣ୍ଡେ ଲେଖାଏଁ ଅଞ୍ଚଳ ଦାବୀ କରୁଛନ୍ତି । ବିବଦମାନ ରାଜ୍ୟାଞ୍ଚଳକୁ ନେଇ ସୋମାଲିଆ ଓ ଏଥିଓପିଆ ମଧ୍ୟରେ ବି ବଳ ଭିଡ଼ାଭିଡ଼ି ଚାଲିଛି । ପୃଥିବୀରେ ଏକ ବିକାଶଶୀଳ ଅଞ୍ଚଳ ହିସାବରେ ଆଫ୍ରିକା ମହାଦେଶର ଶାନ୍ତି ଲାଗି ଏକ ଅତ୍ୟନ୍ତ ପ୍ରୟୋଜନ ରହିଛି; ଯୁଦ୍ଧ ଓ ତା’ର ଆନୁଷଙ୍ଗିକ ପ୍ରଦର୍ଶନ ତଥା ପ୍ରତିଦ୍ୱନ୍ଦ୍ୱିତାମାନ ଲାଗି ରହିଥିଲେ ତାହା ଯେ ମହାଦେଶର ଆର୍ଥିକ ଏବଂ ସାମାଜିକ ବିକାଶର କ୍ଷେତ୍ରରେ ବାଧକ ହେବାରେ ଲାଗିଛି ଓ ଲାଗିଥିବ, ଆଫ୍ରିକାର ନେତାମାନେ ସେହି କଥାଟିକୁ ସତେ ଅବା ମୋଟେ ବୁଝୁ ନ ଥିଲା ପରି ମନେହେଉଛି ।

 

ଏହା ଫଳରେ ଆଫ୍ରିକାର ବିକାଶଗତ ଭାରସାମ୍ୟଟି ସତେ ଅବା ଭାରି ବିକାରଗ୍ରସ୍ତ ଭାବରେ ଦୋହଲି ଯିବାରେ ଲାଗିଛି । ଆଫ୍ରିକାର ଭବିଷ୍ୟ ରଜ୍ଜୁଗୁଡ଼ାକ ସତେଅବା କ୍ରମଶଃ ତା’ନିଜ ହାତରୁ ଛାଡ଼ି ହୋଇଗଲା ପରି ଲାଗୁଛି । ମୀମାଂସାଗୁଡ଼ିକ ବୃହତ୍‌ ଶକ୍ତିମାନଙ୍କର ପ୍ରତିଦ୍ୱନ୍ଦ୍ୱିତା ଭିତରେ ଭାରି ବ୍ୟାକୁଳ ହୋଇ ପଡ଼ୁଛି ।

ତା ୨୯.୧.୧୯୭୭ ରିଖ

Image

 

ଉନ୍ନତ ଦେଶ, ଉନ୍ନତ ମନୁଷ୍ୟ

 

ଅଳ୍ପଦିନ ତଳେ ଗୁରୁ ନାନକଙ୍କର ଜନ୍ମବାର୍ଷିକୀ ପାଳନ କରିବା ଲାଗି ରାଜଧାନୀରେ ଅନୁଷ୍ଠିତ ହୋଇଥିବା ଏକ ସଭାରେ ପ୍ରଧାନମନ୍ତ୍ରୀ ଜାତୀୟ ଚରିତ୍ର ନିର୍ମାଣ କରିବା ଦିଗରେ ଅଧିକ ଗୁରୁତ୍ୱ ଦିଆଯିବା ଉଚିତ ବୋଲି ମତ ପ୍ରକାଶ କରିଛନ୍ତି । ଆଉ ସବୁକିଛି ତୁଳନାରେ ଏହି ଚରିତ୍ରନିର୍ମାଣ କ୍ଷେତ୍ରରେହିଁ ସବୁଠାରୁ ଅଧିକ ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି । ସିଏ କହିଛନ୍ତି ଯେ, ଦେଶରେ ବିତ୍ତ ବଢ଼ାଇବା ଦିଗରେ ଓ ଦେଶରୁ ଦାରିଦ୍ର୍ୟ ଦୂର କରିବା କ୍ଷେତ୍ରରେ ଆମେ ନିଶ୍ଚୟ ଉଲ୍ଲେଖଯୋଗ୍ୟ ଅଗ୍ରଗତି କରିଛୁ, ମାତ୍ର ଜାତୀୟ ଚରିତ୍ରରେ ଅଭାବ ପରିଲକ୍ଷିତ ହେଉଥିବା ପର୍ଯ୍ୟନ୍ତ ଏହିସବୁ କୃତିତ୍ୱକୁ କଦାପି ସମ୍ପୂର୍ଣ୍ଣ ବୋଲି କୁହାଯିବ ନାହିଁ । ଶ୍ରୀଯୁକ୍ତ ସର୍ବପଲ୍ଲୀ ରାଧାକୃଷ୍ଣନ ମଧ୍ୟ ରାଷ୍ଟ୍ରପତି ଥିବା ସମୟରେ ଆମକୁ ବାରମ୍ବାର ଏହିପରି କଥାମାନ କହିଛନ୍ତି ଏବଂ ଯେକୌଣସି ସଭ୍ୟତା ଯନ୍ତ୍ର ଓ ଇଟାସିମେଣ୍ଟଦ୍ୱାରା ତିଆରି ନ ହୋଇ ଯଥାର୍ଥରେ ଏକଉନ୍ନତ ଲୋକଜୀବନ ଏବଂ ଲୋକଚରିତ୍ରଦ୍ୱାରା ତିଆରି ହୋଇଥାଏ ବୋଲି ଅନେକ ସର୍ତକବାଣୀ ଶୁଣାଇଛନ୍ତି ।

 

ଭାରତବର୍ଷ ସ୍ୱାଧୀନତା ହାସଲ କରିବା ପୂର୍ବରୁ ଆମ ସ୍ୱାଧୀନତା ସଂଗ୍ରାମର କର୍ଣ୍ଣଧାର ମହାତ୍ମା ଗାନ୍ଧୀ ଜାତୀୟ ନିର୍ମାଣର ଅନ୍ୟାନ୍ୟ ଯାବତୀୟ ଦିଗପରି ଲୋକଚରିତ୍ର ନିର୍ମାଣ ଉପରେ ମଧ୍ୟ କେତେ ଗୁରୁତ୍ୱ ଦେଉଥିଲେ । ତାଙ୍କର ଯାବତୀୟ କାର୍ଯ୍ୟକ୍ରମ କେବଳ ଅର୍ଥନୈତିକ, କେବଳ ରାଜନୀତିକ ଅଥବା କେବଳ କୌଣସି ବାହ୍ୟ ଲକ୍ଷ୍ୟ ହାସଲ କରିବାର କାର୍ଯ୍ୟକ୍ରମ ହୋଇ ରହି ନ ଥିଲା । ବାହାରର ସବୁକିଛି ବୃଦ୍ଧି ପାଇବା ସଙ୍ଗେ ସଙ୍ଗେ ଭିତରେ ଆମ ମଣିଷପଣିଆର ସ୍ତରରେ ମଧ୍ୟ କିପରି ଅଭିବୃଦ୍ଧି ସାଧିତ ହେବ, ଆମ ମୂଲ୍ୟବୋଧର ସ୍ତର ବଢ଼ିବ, ସମ୍ମାନବୋଧ ଓ ପ୍ରଚେଷ୍ଟାର ସ୍ତର ବଢ଼ିବ, ମହାତ୍ମା ଗାନ୍ଧୀ ସର୍ବଦା ତାହାରି ଉପରେ ଗୁରୁତ୍ୱ ଦେଉଥିଲେ । ସ୍ୱାଧୀନତା ପରେ ଆମ ଦେଶରେ ଆମେ ଅନେକ କିଛି ହାସଲ କରିଛୁ, ଆର୍ଥିକ ସମ୍ପନ୍ନତାର କ୍ଷେତ୍ରରେ ଅନେକ ଅଗ୍ରଗତି ମଧ୍ୟ କରିଛୁ । ମାତ୍ର ତା’ ସହିତ ଆମ ଜୀବନର ଗୁଣାତ୍ମକ ମାନରେ ଯଦି ଅଗ୍ରଗତି ନହୁଏ, ତେବେ ତଦ୍ଦ୍ୱାରା ଆମର ସାମୂହିକ ଅଭ୍ୟୁଦୟରେ ଆମକୁ ଯେ ଅନେକ ପ୍ରମାଦର ସମ୍ମୁଖୀନ ହେବାକୁ ପଡ଼ିବ, ସେଥିରେ ଆଦୌ କୌଣସି ସନ୍ଦେହ ନାହିଁ । ମନୁଷ୍ୟର ମାନବୃଦ୍ଧି କରିବା ଲାଗି ମଧ୍ୟ ଆମକୁ ଆବଶ୍ୟକ ପୁଞ୍ଜି ଖଟାଇବାକୁ ହେବ ଓ ଆବଶ୍ୟକ ପ୍ରୟାସ କରିବାକୁ ପଡ଼ିବ ବୋଲି ପ୍ରଧାନମନ୍ତ୍ରୀ ଥିଲାବେଳେ ପଣ୍ଡିତ ଜବାହରଲାଲ ନେହେରୁ ମଧ୍ୟ ଆମକୁ କେତେ ଉଦ୍‌ବୋଧନ ଦେଉଥିଲେ ।

 

୧୯୫୯ ମସିହାରେ ଶ୍ରୀ ପ୍ରକାଶଙ୍କର ଅଧ୍ୟକ୍ଷତାରେ ପଣ୍ଡିତ ନେହେରୁ ଯେଉଁ କମିଟି ଗଢ଼ାଇଥିଲେ, ଆମର ବିଦ୍ୟାଳୟମାନଙ୍କରେ ନୀତିଶିକ୍ଷା ଓ ଧର୍ମଶିକ୍ଷା ଦିଆଯିବାର ପରିସର ବିଷୟରେ ଅନୁସନ୍ଧାନ କରି ଦେଖିବା ସକାଶେ ସେହି କମିଟି ନିଯୁକ୍ତି ହୋଇଥିଲା । ପିଲାମାନଙ୍କର କଞ୍ଚା ବୟସରୁହିଁ ସେମାନଙ୍କ ଭିତରେ ନୈତିକ ତଥା ଆଧ୍ୟାତ୍ମିକ ମୂଲ୍ୟବୋଧର ସଂଚାର ଘଟିପାରିବା ଲାଗି ଆମ ବିଦ୍ୟାଳୟ ମାନଙ୍କରେ ଏହିସବୁ ବିଷୟରେ ଏକ ଅନୁରୂପ ଓ ସୁଯୋଜିତ କାର୍ଯ୍ୟକ୍ରମ ରହିବା ଉଚିତ ବୋଲି ସେହି କମିଟି ସୁପାରିଶ କରିଥିଲେ । ସେମାନେ ମତ ଦେଇ କହିଥିଲେ ଯେ ବିଦ୍ୟାଳୟମାନଙ୍କରେ ପିଲାମାନଙ୍କୁ ପ୍ରଥମେ ବିଭିନ୍ନ ଧର୍ମନେତାମାନଙ୍କର ଜୀବନକଥାଗୁଡ଼ିକଦ୍ୱାରା ଉଦ୍‌ବୁଦ୍ଧ କରାଯିବା ଉଚିତ ଏବଂ ତା’ପରେ ଏକ ଉଚ୍ଚତର ଜୀବନ ଯାପନ କରିବା ଲାଗି ସେହି ନେତାମାନେ ଯେଉଁସବୁ ଜୀବନମାର୍ଗର ସନ୍ଦେଶ ଦେଇ ଯାଇଛନ୍ତି, ଆମ ପିଲାମାନଙ୍କ ପାଖରେ ନିୟମିତ କାର୍ଯ୍ୟକ୍ରମ ଗୁଡ଼ିକଦ୍ୱାରା ସେହିସବୁ ସନ୍ଦେଶକୁ ଆଣି ପହଞ୍ଚାଇ ଦିଆଯାଇ ପାରିବା ଉଚିତ । ତା’ପରେ ଏହି ବିଷୟ ଉପରେ କେନ୍ଦ୍ର ସ୍ତରରେ ପ୍ରାୟ ପାଞ୍ଚଟି କମିଶନ ବସିଛି ଏବଂ ସମସ୍ତେ ଶ୍ରୀ ପ୍ରକାଶ କମିଟିର ସୁପାରିଶ ଗୁଡ଼ିକୁ ଅନୁମୋଦନ କରି ଯାଇଛନ୍ତି । କେନ୍ଦ୍ର ସରକାରଙ୍କର ସମ୍ପୃକ୍ତ ବିଭାଗମାନ ସେହି ସୁପାରିଶ ଗୁଡ଼ିକୁ ରାଜ୍ୟ ସରକାରମାନଙ୍କର ବିଭାଗଗୁଡ଼ିକୁ ଜଣାଇ ଦେଇଛନ୍ତି ଏବଂ ତାହା ହୁଏତ ସନ୍ତୋଷଜନକ ଅର୍ଥାତ ଫଳପ୍ରଦ ଭାବରେ ଅଧିକାଂଶ ସ୍ଥଳରେ କାର୍ଯ୍ୟକାରୀ ହୋଇ ପାରି ନାହିଁ ।

 

ସରକାରୀ ବିଦ୍ୟାଳୟଗୁଡ଼ିକର ବାହାରେ କୌଣସି ବିଶେଷ ଉଦ୍ଦେଶ୍ୟଯୁକ୍ତ ସଂସ୍ଥାଗୁଡ଼ିକଦ୍ୱାରା ପରିଚାଳିତ ଶିକ୍ଷାନୁଷ୍ଠାନମାନ ଆପଣା ଆପଣାର ମାର୍ଗରେ ଏହି ଦିଗରେ କିଛିନା କିଛି ସର୍ବଦା କରି ଆସିଛନ୍ତି । ରାମକୃଷ୍ଣ ମିଶନ ତରଫରୁ ଯେଉଁ ବିଦ୍ୟାଳୟଗୁଡ଼ିକ ସ୍ଥାପିତ ଓ ପରିଚାଳିତ ହେଉଛି; ସେଠାରେ ଆମେ ଏହାର ଏକ ଦୃଷ୍ଟାନ୍ତ ଅବଶ୍ୟ ଦେଖିବାକୁ ପାଇବା । ସେଠି କେବଳ ରାମକୃଷ୍ଣ ବା ସ୍ୱାମୀ ବିବେକାନନ୍ଦ ନୁହଁନ୍ତି, ବୁଦ୍ଧ, ଖ୍ରୀଷ୍ଟ ଓ ଗୁରୁ ନାନକ ପ୍ରଭୃତି ଆହୁରି ଅନେକ ଧର୍ମନେତାଙ୍କ ସହିତ ବି ଅତି ଅଳ୍ପ ବୟସରୁ ପିଲାମାନଙ୍କୁ ପରିଚିତ କରାଇ ଦିଆଯାଇଛି । ପୃଥିବୀର ଯାବତୀୟ ଧର୍ମ ଯେ ଗୋଟିଏ ମୂଳ ପରମ ସତ୍ୟର ପ୍ରତିନିଧିତ୍ୱ କରୁଛି, ପିଲାମାନେ ଅତ୍ୟନ୍ତ ଛୋଟବେଳରୁ ସେହି କଥାଟିକୁ ଅନୁଭବ କରୁଛନ୍ତି । ସେହିସବୁ ବିଦ୍ୟାଳୟରେ ରାମକୃଷ୍ଣ ଓ ବିବେକାନନ୍ଦଙ୍କର ଜନ୍ମଦିନ ସହିତ ବୁଦ୍ଧ ଏବଂ ଖ୍ରୀଷ୍ଟଙ୍କର ଜନ୍ମୋତ୍ସବମାନ ମଧ୍ୟ ପାଳନ କରାଯାଉଛି-

 

ଏହାକୁ ଏବଂ ଏହାରି ପରି ଆହୁରି ଅନେକ ପ୍ରଚେଷ୍ଟାକୁ ଆମେ ଅବଶ୍ୟ ଗୋଟିଏ ଗୋଟିଏ ସାଧୁ ପ୍ରଚେଷ୍ଟା ବୋଲି କହିବା । କିନ୍ତୁ ଏହି କ୍ଷେତ୍ରରେ ଆମକୁ ଗୋଟିଏ କଥା ଅବଶ୍ୟ ସ୍ମରଣ ରଖିବାକୁ ପଡ଼ିବ । କେବଳ ଶାସ୍ତ୍ରରୁ ଏବଂ କେବଳ ଏକ ରୁଟିନ୍‌କୁ ଅନୁସରଣ କଲାପରି ଯେଉଁଠି ଧର୍ମଶିକ୍ଷା କରାଯାଏ, ଏବଂ ଧର୍ମଭାବରେ ଅନୁଶୀଳନ କରାଇବା ସକାଶେ ଚେଷ୍ଟା କରାଯାଏ, ସେଠାରେ ଅନେକ ପ୍ରାୟ ବିପରୀତ ଫଳଟିହିଁ ଭୋଗ କରିବାକୁ ହୋଇଥାଏ । ଆମର ଏହି ଏତେ ଧର୍ମ ଏବଂ ଧାର୍ମିକତାର ଦେଶରେ ଆମ ତରୁଣମାନେ ଯେ ଧର୍ମର ସନ୍ଦେଶ ଓ ଚିରନ୍ତନ ସତ୍ୟଗୁଡ଼ିକ ପ୍ରତି ଆଦୌ ଆକୃଷ୍ଟ ହେଉନାହାନ୍ତି, ତାହା ପଛରେ ହୁଏତ ଏହିପରି ଗୋଟିଏ ମୁଖ୍ୟ କାରଣ ନିହିତ ରହିଛି । ଯାବତୀୟ ଶିକ୍ଷା ଆମ ଜୀବନର ଏକ ସ୍ୱାଭାବିକ ଅଙ୍ଗରୂପେହିଁ ଆମ ଭିତରେ ପ୍ରବେଶ କରିପାରିବା ଉଚିତ । ଆମ ବିଦ୍ୟାଳୟଗୁଡ଼ିକର ଜଳବାୟୁ ଭିତରେ ଅର୍ଥାତ୍‌ ଯାବତୀୟ ପରସ୍ପର-ସମ୍ବନ୍ଧର ସମଗ୍ର ପରିବେଶଟି ମଧ୍ୟରେ ଆଧ୍ୟାତ୍ମିକ ମୂଲ୍ୟର ନିଶ୍ଚିତ ନିବେଦନଟି ରହି ପାରିଲେ ନୈତିକ ଓ ଆଧ୍ୟାତ୍ମିକ ଶିକ୍ଷାର ସକଳ କାର୍ଯ୍ୟକ୍ରମ ଯେ ଭାରି ସହଜ ହୋଇଯାଇପାରିବ,ସେଥିରେ କୌଣସି ସନ୍ଦେହ ନାହିଁ ।

ତା ୩୦.୧.୧୯୭୭ ରିଖ

Image

 

ଦୂଷିତ ବାତାବରଣ

 

ଭାରତବର୍ଷରେ ସବୁଠାରୁ ଦୁଇଟି ବଡ଼ ସହର ହେଉଚି କଲିକତା ଆଉ ବମ୍ବେ । ଏଠାରେ ଯେତିକି ମଣିଷ ସୁସ୍ଥ ଭାବରେ ରହି ପାରୁଥାନ୍ତେ, ତା’ଠାରୁ ଅନେକ ଅଧିକ ମଣିଷ ବାସ କରୁଛନ୍ତି । ମଣିଷର ଭିଡ଼ ସହିତ ଏହି ଦୁଇଟି ବୃହତ୍ ନଗରୀରେ ଆବଶ୍ୟକରୁ ଅଧିକ ସଂଖ୍ୟାରେ କଳ କାରଖାନାମାନଙ୍କର ମଧ୍ୟ ଭିଡ଼ । ସେହି କାରଖାନାସବୁ କଲିକତା ଓ ବମ୍ବେଠାରୁ ଅନେକ ଦୂରରେ ଅପେକ୍ଷାକୃତ ଅଧିକ ବିକ୍ଷିପ୍ତ ଭାବରେ ନିର୍ମାଣ କରାଯାଇ ପାରିଥାନ୍ତା । କିନ୍ତୁ ଅନ୍ୟାନ୍ୟ ନାନା କାରଣରୁ ଏବଂ ନାନା ସ୍ୱାର୍ଥଦୃଷ୍ଟିରୁ ଯଥାସମ୍ଭବ ଅଧିକରୁ ଅଧିକ କାରଖାନା ସେହି ଅତିବଡ଼ ଦୁଇଟିଯାକ ସହରରେହିଁ ସ୍ଥାପିତ ହୋଇଛି ଏବଂ ତାହା ଫଳରେ ଏହି ଦୁଇଟିଯାକ ସହରରେ ମଣିଷର ଭିଡ଼ ମଧ୍ୟ ଅତ୍ୟଧିକ ହୋଇ ରହିଛି । ପରସ୍ପରର ପରିପୂରକ ଭାବରେ ଏହି ଦୁଇଟି କାରଣ ହେତୁ ସହର ଦୁଇଟିର ବାତାବରଣ ଅଧିକରୁ ଅଧିକ ଦୂଷିତ ଓ ଅସୁସ୍ଥ ହେବାରେ ଲାଗିଛି ।

 

କେତୋଟି ହିସାବଦ୍ୱାରା ଆମେ ବମ୍ବେ ଓ କଲିକତାର ବାତାବରଣ ବିଷୟରେ ଏକ ସ୍ପଷ୍ଟ ଧାରଣା କରିପାରିବା । କଲିକତା ସହର ଓ କଲିକତାକୁ ବେଷ୍ଟନକରି ମାଇଲ ମାଇଲ ଧରି ଯେଉଁ ଶିଳ୍ପାଞ୍ଚଳ ପଶ୍ଚିମବଙ୍ଗରେ ବିସ୍ତୃତ ହୋଇରହିଛି, ସେହି ଅଞ୍ଚଳରେ ବର୍ତ୍ତମାନ ସର୍ବମୋଟ ପ୍ରାୟ ୨୫୦ଲକ୍ଷ ମଣିଷ ବାସ କରୁଛନ୍ତି । ଏବଂ ସେହି ଅଞ୍ଚଳରେ ଯେଉଁସବୁ ନଈ, ନାଳ ଓ ନାଳିସବୁ ରହିଛି, ସେଗୁଡ଼ାକ ଭିତରକୁ ମଧ୍ୟ ପ୍ରତିଦିନ ପ୍ରାୟ ୨୫୦ ଲକ୍ଷ କିଲୋ ମନୁଷ୍ୟମଳ ପକାଯିବାରେ ଲାଗିଛି । ବମ୍ବେରେ ମଧ୍ୟ ଠିକ୍ ସେହିପରି ଏକ ଅବସ୍ଥା ଦେଖିବାକୁ ମିଳିବ । ସେଠାରେ ମଳନିଷ୍କାଶନ କରିବାଲାଗି ଯେଉଁ ନାଳିସବୁ ରହିଛି, ସମୁଦ୍ରରେ ଯାଇ ପଡ଼ିଥିବାରୁ ସେଗୁଡ଼ାକ ମଧ୍ୟ ଅଧିକାଂଶ ସମୟରେ ଜାମ୍ ହୋଇ ରହିଯାଉଛି । ସେହି ଅଞ୍ଚଳରେ ଯେତେ ସମୁଦ୍ର ଓ ନଦୀ ରହିଛନ୍ତି, ସେଗୁଡ଼ାକରେ ପ୍ରତିଦିନ କେତେ ଯେ ମଇଳାପାଣି ଆସି ପଶିବାରେ ଲାଗିଛି, ତାହାର କୌଣସି ସୀମା ନାହିଁ । କେବଳ ପଶ୍ଚିମବଙ୍ଗ ଅଞ୍ଚଳରେହିଁ ପ୍ରତ୍ୟହ ସାଢ଼େ ବାଉନ କୋଟି ଗ୍ୟାଲନ ଦୂଷିତ ଜଳ ଗଙ୍ଗାନଦୀ, ଦାମୋଦର ନଦୀ ଓ ସେଗୁଡ଼ିକର ଶାଖାନଦୀଗୁଡ଼ିକ ମଧ୍ୟରେ ଆସି ପ୍ରବେଶ କରୁଛି । ସେହିସବୁ ନଦୀର ଜଳ ଫିଲ୍‍ଟର କରିବା ପରେ ମଧ୍ୟ ସ୍ୱାସ୍ଥ୍ୟ ଅନୁକୂଳ ନୁହେଁ ବୋଲି ପରୀକ୍ଷାକରି ଦେଖାଯାଇଛି । ବମ୍ବେ ପାଖରେ ଅବସ୍ଥିତ ସମୁଦ୍ରର ଜଳ ସର୍ବଦା ତୈଳ ଏବଂ କାରଖାନାଗୁଡ଼ିକରୁ ସମୁଦ୍ର ଭିତରକୁ ଛାଡ଼ିଦିଆ ଯାଉଥିବା ମଇଳାପାଣିଦ୍ୱାରା ଦୂଷିତ ହୋଇ ରହିଛି-। ଏହି ଅଞ୍ଚଳଟିରେ ସମ୍ପ୍ରତି ଅନେକ ସଂଖ୍ୟାରେ ମାଛ ମରିଯାଉଛନ୍ତି ବୋଲି ଅନୁସନ୍ଧାନଦ୍ୱାରା ଜଣାପଡ଼ିଛି । କଲିକତା ସହରରେ ପ୍ରତିଦିନ ବିଭିନ୍ନ ପ୍ରୟୋଜନରେ ଯେତେ ନିଆଁ ଜଳୁଛି ଏବଂ କାରଖାନାମାନଙ୍କରୁ ଯେତେ ଧୂଆଁ ବାହାରି ଆକାଶକୁ ଆଚ୍ଛନ କରୁଛି, ତାହାଦ୍ୱାରା ୨୫୦ଟନ ଧୂଳିକଣା ଏବଂ ୭୫ଟନ ସଲଫର ଡାୟୋକ୍‍ସାଇଡ଼୍ ତଥା ନାଇଟ୍ରୋଜେନ୍‌ ଅକ୍‌ସାଇଡ଼୍‌ ସେହି ସହରରେ ବାସ କରୁଥିବା ମଣିଷମାନଙ୍କ ଦେହରେ ଆସି ପଡ଼ୁଛି ବୋଲି ହିସାବ ବାହାର କରାଯାଇଛି ।

 

ପରିଦେଶ ଦୂଷିତ ହୋଇ ପଡ଼ିବାର ଏହି ପ୍ରକ୍ରିୟାଟି ଏହି କେତୋଟି ଦଶକ ହେଲା ପ୍ରକୃତରେ ଏକ ଭୟଙ୍କର ସମସ୍ୟାରେ ଆସି ପରିଣତ ହୋଇଛି । ଗତ କେତୋଟି ଦଶକ ମଧ୍ୟରେ ଭାରତବର୍ଷରେ ଲୋକସଂଖ୍ୟା ବୃଦ୍ଧିପାଇଛି ଏବଂ ତେଣେ ଶିଳ୍ପକାରଖାନାମାନଙ୍କର ସଂଖ୍ୟା ମଧ୍ୟ ଅତିରିକ୍ତ ପରିମାଣରେ ବୃଦ୍ଧିପାଇଛି । ସୁଚିନ୍ତିତ ସମଗ୍ର ଦୃଷ୍ଟି ଓ ଉତ୍ତମ ଯୋଜନାର ଅଭାବରୁ ଉଦ୍ୟୋଗୀକରଣ ବଢ଼ିବା ସଙ୍ଗେ ସଙ୍ଗେ ଆମର ପରିବେଶର ଅସ୍ୱାସ୍ଥ୍ୟକରତା ମଧ୍ୟ ପ୍ରାୟ ଅନିୟନ୍ତ୍ରିତ ଭାବରେ ବଢ଼ି ବଢ଼ି ଯିବାରେ ଲାଗିଛି । ଶିଳ୍ପ ଓ ଯନ୍ତ୍ରକୌଶଳରେ ପ୍ରଗତି ଓ ସତ୍ୱର ଅଗ୍ରଗତି ହାସଲ କରିବାକୁ ହେଲେ ଯେ ଆମକୁ ଅସ୍ୱାସ୍ଥ୍ୟକର ପରିବେଶରେ ରହିବାକୁହିଁ ପଡ଼ିବ, ସେପରି ଭାବିବାର ଆଦୌ କୌଣସି କାରଣ ନାହିଁ । କାରଖାନାର ମାଲିକମାନେ କାରଖାନା ବସାଇବା ପଛରେ ସର୍ବଦା ପ୍ରାୟ ଆନୁଷଙ୍ଗିକ ଭାବରେ ରହିଥିବା ମାନବିକ ସମସ୍ୟାଗୁଡ଼ିକ ପ୍ରତି ଦୃଷ୍ଟିଦେଲେ ଏବଂ ଏହିସବୁ କ୍ଷେତ୍ରରେ ରାଷ୍ଟ୍ରସ୍ତରରେ ଆବଶ୍ୟକ ଆଇନମାନ କାର୍ଯ୍ୟକାରୀ ହୋଇପାରିଲେ ଆମର ପରିବେଶ ଆମର ଜୀବନଧାରଣ ଲାଗି ଅନେକ ପରିମାଣରେ ସୁସ୍ଥ ହୋଇପାରନ୍ତା । ଆମ ଦେଶରେ ପରିବେଶକୁ ଦୂଷିତ ନ କରିବା ବିଷୟରେ ଏକାଧିକ ଆଇନ ପାସ ହୋଇଛି ସତ, ମାତ୍ର ସେଗୁଡ଼ିକୁ ମାନିବା ଅପେକ୍ଷା ଅଧିକତର ଅମାନ୍ୟହିଁ କରାଯାଉଛି । ବର୍ତ୍ତମାନ ଯେଉଁ ଆବର୍ଜନା ଆମ ପରିବେଶକୁ ଦୂଷିତ କରିବାରେ ଲାଗିଛି, ଆମେ ସେଥିରୁ ଆମ କୃଷିକ୍ଷେତ୍ରଗୁଡ଼ିକ ଲାଗି ଜୈବ ଉର୍ବରକ ତିଆରି କରିପାରନ୍ତେ । ସେଥିରୁ ଈନ୍ଧନଶକ୍ତି ମଧ୍ୟ ବାହାର କରାଯାଇ ପାରନ୍ତା । ଏହା ଫଳରେ ବର୍ତ୍ତମାନ ଆମ ଦେଶ ଉର୍ବରକ ଆମଦାନୀର କ୍ଷେତ୍ରରେ ଯେପରି ବିଦେଶ ଉପରେ ନିର୍ଭରଶୀଳ ହୋଇରହିଛି, ତାହାର ସେହି ନିର୍ଭରଶୀଳତା ମଧ୍ୟ କମିଯାଇ ପାରନ୍ତା ।

 

ପରିବେଶ ଦୂଷିତ ହୋଇଯିବା କ୍ରମେ ଏକ ଆନ୍ତର୍ଜାତିକ ସମସ୍ୟାରୂପେ ପୃଥିବୀରେ ସମ୍ପୃକ୍ତ ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କଲାଣି । ୧୯୭୨ ମସିହାରେ ମିଳିତ ଜାତିସଂଘର ଆନୁକୂଲ୍ୟରେ ସୁଇଡ଼େନ୍‌ର ରାଜଧାନୀ ଷ୍ଟକ୍‌ହୋମ୍‌ ସହରରେ ଏହି ବିଷୟରେ ଏକ ଆନ୍ତର୍ଜାତିକ ସମ୍ମିଳନୀ ବି ଅନୁଷ୍ଠିତ ହୋଇଯାଇଛି । ସେଥିରେ ପୃଥିବୀର ୧୧୨ଟି ଦେଶରୁ ପ୍ରାୟ ୧୨୦୦ ପ୍ରତିନିଧି ଯୋଗଦେବାକୁ ଆସିଥିଲେ । ସେମାନଙ୍କ ଭିତରେ ଅନେକ ବୈଜ୍ଞାନିକ ମଧ୍ୟ ଥିଲେ । ପୃଥିବୀର ପରିବେଶକୁ ଅଧିକ ପରିମାଣରେ ସ୍ୱାସ୍ଥ୍ୟ ଅନୁକୂଳ କରିବା ଲାଗି ସେହି ସମ୍ମିଳନୀରେ ଯାହାସବୁ ସୁପାରିଶ କରାଯାଇଥିଲା, ୧୯୭୨ ମସିହାର ମିଳିତ ଜାତିସଂଘର ସାଧାରଣ ଅଧିବେଶନ ଔପଚାରିକ ଭାବରେ ସେହିସବୁ ସୁପାରିଶକୁ ଗ୍ରହଣ କରିନେଇଛି । ଆପଣାର ପରିବେଶକୁ ଯାବତୀୟ ଦୂଷିତତାରୁ ମୁକ୍ତ ରଖିବାକୁ ପ୍ରତ୍ୟେକ ରାଷ୍ଟ୍ର ଓ ପ୍ରତ୍ୟେକ ଦେଶର ଅଧିବାସୀ ଯେତିକି ଅଧିକ ସଚେତନ ହେଉଥିବେ, ସେମାନେ ସେତିକି ଅଧିକ ସଫଳ ଭାବରେ ସମସ୍ୟାଟିର ସମ୍ମୁଖୀନ ହୋଇପାରୁଥିବେ ।

 

ଏହି କାରଣରୁ ଆମ ଦେଶର ଅନ୍ୟାନ୍ୟ ସହରର ସ୍ଥିତି ଓ ଅଗ୍ରଗତି ପ୍ରତି ମଧ୍ୟ ଯଥେଷ୍ଟ ଧ୍ୟାନ ଦେବା ଆବଶ୍ୟକ । ଆଗରୁ ସାବଧାନ ହେଲେ ନୂଆକରି ଗଢ଼ି ଉଠୁଥିବା ସହରଗୁଡ଼ିକୁ ଏପରି ଦୁଃସ୍ଥିତିରୁ ଅବଶ୍ୟ ରକ୍ଷା କରାଯାଇ ପାରିବ ଓ ସହରବାସୀମାନଙ୍କର ପ୍ରକୃତ ମଙ୍ଗଳ ସାଧିତ ହୋଇପାରିବ ।

ତା ୩୧.୧.୧୯୭୭ ରିଖ

Image

 

ନାଟୋ ପଛକୁ ସାଟୋ

 

ନାଟୋ ହେଉଛି ଉତ୍ତର ଆଟଲାଣ୍ଟିକ ସାମରିକ ମେଣ୍ଟର ସଙ୍ଗଠନ ଏବଂ ସାଟୋର ଅର୍ଥ ହେଉଛି ଦକ୍ଷିଣ ଆଟଲାଣ୍ଟିକସାମରିକ ମେଣ୍ଟର ସଙ୍ଗଠନ । ଆଟଲାଣ୍ଟିକ ମହାସାଗରର ଉତ୍ତରଭାଗକୁ ଦୁଇପଟରେ ଯେଉଁସବୁ ଦେଶ ରହିଛନ୍ତି, ପରସ୍ପରର ସୁରକ୍ଷାକୁ ଅଧିକ ଦୃଢ଼ୀଭୂତ କରି ରଖିବାକୁ ସେମାନେ ଏକଦା ଗୋଟିଏ ସାମରିକ ମେଣ୍ଟ ଭିତରେ ଏକତ୍ର ସମ୍ମିଳିତ ହୋଇଥିଲେ । ସେହି ଆଟଲାଣ୍ଟିକ ମହାସାଗରର ଦକ୍ଷିଣଭାଗରେ ଦୁଇପଟକୁ ଯେଉଁସବୁ ଦେଶ ରହିଛନ୍ତି, ପରସ୍ପରର ସୁରକ୍ଷାକୁ ଅଧିକ ଦୃଢ଼ୀଭୂତ କରି ରଖିବାକୁ ସେମାନେ ଏବେ ତତ୍ତୁଲ୍ୟ ଆଉ ଗୋଟିଏ ସାମରିକ ମେଣ୍ଟ ଭିତରେ ଏକତ୍ର ସମ୍ମିଳିତ ହୋଇ ରହିବା ସକାଶେ ବିଚାର କରୁଛନ୍ତି । ଉତ୍ତର ଆଟଲାଣ୍ଟିକ ଚୁକ୍ତି ସଙ୍ଗଠନରେ ଯୁକ୍ତରାଷ୍ଟ୍ର ଆମେରିକା ସମେତ ପଶ୍ଚିମ ଇଉରୋପର ପ୍ରାୟ ସବୁଯାକ ଦେଶ ଏକଯୁଟ ହୋଇ ରହିଥିଲେ । ଆହୁରି ଯଥାର୍ଥ ଭାବରେ କହିବାକୁ ଗଲେ କେବଳ ସୁଇଡ଼େନ ଏବଂ ସୁଇଜରଲାଣ୍ଡକୁ ଛାଡ଼ିଦେଲେ ପଶ୍ଚିମ ଇଉରୋପର ସବୁଯାକ ଦେଶ ସେହି ମେଣ୍ଟ ଭିତରେ ଆମେରିକା ସହିତ ଗଅଁଠାଇ ହୋଇ ରହିଲେ । ବର୍ତ୍ତମାନ ଆଟଲାଣ୍ଟିକ ମହାସାଗରର ଦକ୍ଷିଣଭାଗଟି ଅନୁସାରେ ନାମକରଣ କରାଇ ଯେଉଁ ଚୁକ୍ତି ସଙ୍ଗଠନ ଅର୍ଥାତ୍‌ ସାମରିକ ମେଣ୍ଟଟିର ଗଠନ ଲାଗି ମସୁଧା କରାଯାଉଛି, ସେଥିରେ ପଶ୍ଚିମପଟେ ଲାଟିନ୍‌ ଆମେରିକାର କେତୋଟି ଦେଶ, ପୂର୍ବ ପଟେ ଆଫ୍ରିକାର ପଶ୍ଚିମ ଉପକୂଳରେ ଅବସ୍ଥିତ କେତୋଟି ଦେଶ ସହିତ ଏକାଠି ଆମେରିକାକୁ ମେରିଖୁଣ୍ଟ କରି ଗଅଁଠାଇ ହୋଇ ରହିବେ ।

 

ଏକଥାଟି ମଧ୍ୟ ପ୍ରାୟ ନିଶ୍ଚିତ ଭାବରେ ଜଣାଯାଉଛି ଯେ ପ୍ରସ୍ତାବିତ ସାଟୋ ସଙ୍ଗଠନ ବର୍ତ୍ତମାନର ନାଟୋ ସଙ୍ଗଠନର ଏକ ସହକାରୀ ବା ଖୁବ୍‌ ବେଶି ହେଲେ ଏକ ଅନୁପୂରକ ଅନୁଷ୍ଠାନ ହୋଇ ରହିବ । ନାଟୋ ଦେଶଗୁଡ଼ିକ ନାନା କାରଣରୁ ଏବେ ଅନୁଭବ କରୁଛନ୍ତି ଯେ ସେମାନଙ୍କର ସୁରକ୍ଷା ସହିତ ସଂଶ୍ଳିଷ୍ଟ ହୋଇ ରହିଥିବା ସ୍ୱାର୍ଥଗୁଡ଼ିକୁ ଯଥାର୍ଥ ଓ ଫଳପ୍ରଦ ଭାବରେ ରକ୍ଷା କରି ପାରିବାକୁ ହେଲେ ସେମାନଙ୍କୁ ଆଫ୍ରିକା ଓ ଲାଟିନ୍‌ ଆମେରିକାର ଅଞ୍ଚଳଗୁଡ଼ିକୁ ମଧ୍ୟ ଆପଣାର ପରିସର ମଧ୍ୟରେ ଅନ୍ତର୍ଭୁକ୍ତ କରି ରଖିବାକୁ ହେବ । ଯେତେବେଳେ ନାଟୋର ଆନୁଷ୍ଠାନିକ ସଙ୍ଗଠନ ହୋଇଥିଲା, ସେତେବେଳେ ପୂର୍ବ ଇଉରୋପର ଦେଶଗୁଡ଼ିକୁ ନେଇ ଗଠିତ ହୋଇଥିବା ଓ୍ୱାର୍‌ସ ମେଣ୍ଟ ବିରୁଦ୍ଧରେ ଆପଣାକୁ ସାମରିକ ଦୃଷ୍ଟିରୁ ଯଥେଷ୍ଟ ଶକ୍ତିଶାଳୀ ଭାବରେ ପ୍ରସ୍ତୁତ କରି ରଖିବାକୁହିଁ ତାହା କରାହୋଇଥିଲା । ଦ୍ୱିତୀୟ ମହାଯୁଦ୍ଧ ପରେ ପଶ୍ଚିମ ଇଉରୋପର ଦେଶଗୁଡ଼ିକ ଅତ୍ୟନ୍ତ ଦୁର୍ବଳ ହୋଇ ପଡ଼ିଥିବାରୁ ସେମାନେ ସାମରିକ ସୁରକ୍ଷାର କ୍ଷେତ୍ରରେ ଯୁକ୍ତରାଜ୍ୟ ଆମେରିକାର ପୃଷ୍ଠପୋଷକତାକୁ ଏକାନ୍ତ ଆବଶ୍ୟକ କରୁଥିଲେ । ଆମେରିକା ମଧ୍ୟ ଏକ ବୃହତ୍‌ ରାଷ୍ଟ୍ର ଏବଂ ବୃହତ୍‌ ଶକ୍ତି ହିସାବରେ ତତ୍କାଳୀନ ପୃଥିବୀର ଶକ୍ତି-ପ୍ରତିଯୋଗିତାର କ୍ଷେତ୍ରରେ ଆପଣାର ନେତୃତ୍ୱଟିକୁ ବଜାୟ ରଖିବାକୁ ଇଚ୍ଛା କରୁଥିଲା ଏବଂ ଆପଣା ପକ୍ଷରେ ଯଥାସମ୍ଭବ ଏକ ସମର୍ଥକ ଶିବିର ଠିଆ କରି ରଖିବାକୁ ଚାହୁଥିଲା । ସେହି ଇଚ୍ଛାରୁହିଁ ନାଟୋର ଜନ୍ମହେଲା ଏବଂ ଗତ ତିରିଶିବର୍ଷର ରାଜନୀତିକ ତଥା ସାମରିକ ଇତିହାସ ପଛରେ ନାଟୋ ଯେ ସର୍ବଦା ଏକ ନିର୍ଦ୍ଦିଷ୍ଟ ଭୂମିକା ଗ୍ରହଣ କରି ଆସିଛି, ସେ କଥାକୁ କଦାପି ଅସ୍ୱୀକାର କରାଯାଇ ପାରିବନାହିଁ ।

 

କିନ୍ତୁ ବର୍ତ୍ତମାନ ସାଟୋ ସଙ୍ଗଠନ ଗଢ଼ିବା ପଛରେ ପୁଣି କେଉଁ ଅଭିପ୍ରାୟ ନିହିତ ହୋଇ ରହିଛି ? ଗତ ଗୋଟିଏ ବର୍ଷ ଭିତରେ ଅନ୍ତତଃ ଆଫ୍ରିକା ମହାଦେଶର ଦକ୍ଷିଣାଞ୍ଚଳରେ ଯେଉଁ ତୁମୁଳ ପରିବର୍ତ୍ତନମାନ ଘଟିଛି, ତାହାହିଁ ଖୁବ୍‌ ସମ୍ଭବତଃ ପଶ୍ଚିମ ଇଉରୋପର ଦେଶଗୁଡ଼ିକୁ ଅର୍ଥାତ୍‌ ନାଟୋ ସଙ୍ଗଠନର ସଦସ୍ୟ ଦେଶଗୁଡ଼ିକୁ ସେମାନଙ୍କର ପାରମ୍ପରିକ ସ୍ୱାର୍ଥଗୁଡ଼ିକର ସୁରକ୍ଷା ବିଷୟରେ ଅଧିକ ସର୍ତକ ହେବାଲାଗି ପ୍ରବୃତ୍ତ କରିଥିବ । ଆଫ୍ରିକାର ଦକ୍ଷିଣାଞ୍ଚଳରେ ଯେଉଁସବୁ ଦେଶ ଏବେ ସ୍ୱାଧୀନତା ଲାଭ କରିଛନ୍ତି, ସେଗୁଡ଼ିକ ଦୀର୍ଘ କେତେ ଶତାବ୍ଦୀ ଧରି ପଶ୍ଚିମ ଇଉରୋପୀୟ ଦେଶଗୁଡ଼ିକର ଉପନିବେଶ ହୋଇ ରହିଥିଲେ । ଉପନିବେଶଗୁଡ଼ିକ ରାଜନୀତିକ ସ୍ୱାଧୀନତା ହାସଲ କରିବା ପରେ ମଧ୍ୟ ଏ ପର୍ଯ୍ୟନ୍ତ ଆର୍ଥିକ କ୍ଷେତ୍ରରେ ସେହି ସବୁ ଅଞ୍ଚଳରେ ଇଉରୋପୀୟ ଦେଶଗୁଡ଼ିକର କେତେ କେତେ ସ୍ୱାର୍ଥ ବିସ୍ତାରିତ ହୋଇ ରହିଛି । ତେଣେ ରୋଡ଼େସିଆ ଓ ଦକ୍ଷିଣଆଫ୍ରିକାରେ ମଧ୍ୟ ବହୁମତ ପ୍ରତିନିଧି ଶାସନ ସ୍ଥାପନ କରିବା ଲାଗି ସଂଗ୍ରାମ ଏବେ ଯେପରି ବଳପ୍ରାପ୍ତ ହେଲାଣି, ସେହି ଦୃଷ୍ଟିରୁ ନାଟୋର ଦେଶମାନେ ଅନେକ ସମୟରେ ହୁଏତ ଭାରି ଶଙ୍କାକୁଳ ହୋଇ ଉଠିଥିବେ । ଜିମ୍ବାଓ୍ୱେ ଓ ନାମ୍ବିୟାରେ ଯେଉଁସବୁ ଖଣିଜ ସମ୍ପଦ ରହିଛି, ପ୍ରଧାନତଃ ନାଟୋ ସଦସ୍ୟ ଦେଶର କମ୍ପାନୀମାନେ ତାହାକୁ କାର୍ଯ୍ୟକାରି କରୁଛନ୍ତି । ଏହି ଅବସ୍ଥାଟି ବଦଳିଗଲେ ସେହି ସଦସ୍ୟ ଦେଶଗୁଡ଼ିକର ଆର୍ଥିକ ସ୍ୱାର୍ଥସବୁ ଯେ ଅତ୍ୟନ୍ତ ବିପନ୍ନ ହୋଇ ପଡ଼ିବ, ସେଥିରେ ଆଦୌ କୌଣସି ସନ୍ଦେହ ନାହିଁ ।

 

ତେଣୁ ନାଟୋ ସଂଗଠନର ଦେଶମାନେ ହୁଏତ ଭାବୁଛନ୍ତି ଯେ ଯଦି ସେମାନଙ୍କ ତରଫରୁ ଆଫ୍ରିକାର ପଶ୍ଚିମପଟେ ଆଟଲାଣ୍ଟିକ ମହାସାଗରର ଦକ୍ଷିଣଭାଗରେ ସେମାନଙ୍କର ସାମରିକ ଭେଳାଟାଏ ପଇଁତରା ମାରୁଥିବ ଅଥବା ଯଦି ଦକ୍ଷିଣ ଆଫ୍ରିକାରେ ନାଟୋ ତରଫରୁ ସାମରିକ ଘାଟୀମାନ ମହଜୁଦ ରହିଥିବ, ତେବେ ଆଫ୍ରିକାରେ ସେମାନଙ୍କର ଆର୍ଥିକ ସ୍ୱାର୍ଥଗୁଡ଼ିକର ରକ୍ଷାଦିଗରେ ତାହା ସହାୟକ ହୋଇପାରିବ । ଏଥିପାଇଁ ସେମାନେ ନାଟୋ ସାଙ୍ଗକୁ ସାଟୋର ଚିନ୍ତା କରୁଛନ୍ତି । କର୍କଟକ୍ରାନ୍ତିକୁ ନାଟୋ ନିଜର ଦକ୍ଷିଣସୀମା ବୋଲି ଏ ପର୍ଯ୍ୟନ୍ତ ମାନି ଆସିଥିଲା, ବର୍ତ୍ତମାନ ତାହା ସେହି ରେଖାଟିକୁ ଡେଇଁ ଆହୁରି ଦକ୍ଷିଣକୁ ପ୍ରସାରିତ ହୋଇ ଆପଣାକୁ ସାଟୋ ନାମରେ ଅବତୀର୍ଣ୍ଣ କରାଇବାକୁ ଇଚ୍ଛା କରୁଛି । ଯଦି ଏପରି ହୁଏ, ତେବେ ଆଫ୍ରିକାର ନବସ୍ୱାଧୀନ ଦେଶଗୁଡ଼ିକ ଲାଗି ତାହା ଏକ ନୂଆ ବିପଦର କାରଣ ହୋଇ ଯେ ଠିଆହେବ, ଏଥିରେ କୌଣସି ସନ୍ଦେହ ନାହିଁ ।

ତା ୨.୨.୧୯୭୭ ରିଖ

Image

 

Unknown

ଭାରତରେ ନିର୍ବାଚନ

 

ଆଗାମୀ ମାର୍ଚ୍ଚ ମାସରେ ଭାରତବର୍ଷରେ ଲୋକସଭା ପାଇଁ ପୁନର୍ବାର ନିର୍ବାଚନ ହେଉଛି । ଭାରତବର୍ଷରେ ଯେତେ ମଣିଷ ନିର୍ବାଚନରେ ଭାଗ ନିଅନ୍ତି, ପୃଥିବୀର ଆଉ କୌଣସି ଦେଶରେ ସେତେ ମଣିଷ ନିର୍ବାଚନରେ ଭାଗନିଅନ୍ତି ନାହିଁ । ଏହି ନିର୍ବାଚନ ବିଧିରେ ଯେତେବେଳେ କୌଣସି ଦେଶର ଶାସନ ଚାଲେ, ସେତେବେଳେ ତାକୁ ଗଣତନ୍ତ୍ରର ଶାସନ ବୋଲି କୁହାଯାଏ । ତଥାପି ଗଣତନ୍ତ୍ର କହିଲେ କେବଳ ଯେ ପାଞ୍ଚବର୍ଷରେ ଅଥବା ଛଅବର୍ଷରେ ଥରେ ଭୋଟଦେବାକୁ ବୁଝାଇବ, ସେ କଥା ଆଦୌ ନୁହେଁ । ଗଣତନ୍ତ୍ର କହିଲେ ମୂଳତଃ ଏକ ବିଶ୍ୱାସକୁ ବୁଝାଏ । ଆପଣା ଉପରେ ବିଶ୍ୱାସକୁ ବୁଝାଏ, ପରସ୍ପର ଉପରେ ବିଶ୍ୱାସକୁ ବୁଝାଏ, କୌଣସି ଦେଶର ବା ଜାତିର ଭାଗ୍ୟ ଉପରେ ଦୃଢ଼ବିଶ୍ୱାସ ରଖିବାକୁ ବୁଝାଏ । ଗଣତନ୍ତ୍ର କହିଲେ ସାମୂହିକ ଜୀବନର ଏକ ନିର୍ଦ୍ଦିଷ୍ଟ ଦୃଷ୍ଟି ଏବଂ ନିର୍ଦ୍ଦିଷ୍ଟ ମାର୍ଗକୁ ବୁଝାଏ ।

 

ଭାରତବର୍ଷର ଲୋକେ ସ୍ୱାଧିନତା ପାଇବା ପରେ ପରେ କେତେଦୂର ଯୋଗ୍ୟ ଏବଂ ଦକ୍ଷ ଭାବରେ ଗଣତନ୍ତ୍ରର ବିଧିଗୁଡ଼ିକୁ ନେଇ ଆଣି ଥୋଇ ପାରିବେ, ସେମାନେ କେତେଦୂର ଯଥାର୍ଥ ଭାବରେ ଗଣତନ୍ତ୍ରର ନାନା ଆହ୍ୱାନର ସମ୍ମୁଖୀନ ହୋଇପାରିବେ, ସେ ବିଷୟରେ ଭାରତ ବାହାରେ ଅନେକେ ପ୍ରାୟ ଏକ ସନ୍ଦେହ ପ୍ରକାଶ କରୁଥିଲେ । ରାଜନୀତି ଶାସ୍ତ୍ରରେ ପ୍ରବୀଣମାନେ ବି ଭାରତ ଏହି ମାର୍ଗଟି ଲାଗି ଯୋଗ୍ୟ ହୋଇପାରିବ ବୋଲି ପୂର୍ଣ୍ଣ ପ୍ରତ୍ୟୟ ରଖିପାରୁନଥିଲେ । ଇଉରୋପର ଯେଉଁସବୁ ଦେଶରେ ଗଣତନ୍ତ୍ର ବର୍ତ୍ତମାନ ଦେଶଶାସନର ଛାଞ୍ଚରୂପେ ଗୃହୀତ ହୋଇଛି, ସେହିସବୁ ଦେଶରେ ସେଥିଲାଗି କେତେ କେତେ ଲୋକ-ସଂହାର ହୋଇଛି, କେତେ ଅରାଜକତା ଘୋଟିଛି ଓ କେତେ ରକ୍ତପାତ ତଥା ରାଷ୍ଟ୍ରବିପ୍ଳବ ସଂଘଟିତ ହୋଇଛି । ଭାରତବର୍ଷରେ ପ୍ରାୟ ଚାଳିଶି କୋଟି ମଣିଷ ନିରକ୍ଷର ରହିଛନ୍ତି, ତିରିଶ କୋଟିରୁ ଅଧିକ ମଣିଷ ଦାରିଦ୍ର୍ୟରେଖାର ତଳକୁ ରହିଛନ୍ତି । ଏବଂ ନାନାପ୍ରକାର ଧର୍ମ ରହିଛି, ମଣିଷମାନଙ୍କ ଦେହରେ ନାନାପ୍ରକାର ରକ୍ତ ରହିଛି–ମଣିଷକୁ ପରସ୍ପରଠାରୁ ଅଲଗା କରି ରଖିବା ଲାଗି ଭାରତବର୍ଷରେ ଏତେଗୁଡ଼ାଏ ଭାଷା ବି ରହିଛି । ଏପରି ଏକ ବିଭିନ୍ନତାର ଗହନ ଭିତରେ ଗଣତନ୍ତ୍ର କିପରି ଚଳିପାରିବ, ସେ ବିଷୟରେ ଭାରତବର୍ଷର ଅନେକ ଶୁଭେଛୁ ମଧ୍ୟ ସନ୍ଦେହ ପ୍ରକାଶ କରୁଥିଲେ ।

 

ତଥାପି ଭାରତବର୍ଷରେ ଗଣତନ୍ତ୍ର ଚଳିଲା । ଏଠି ଗୋଟାଏ ଧର୍ମ ଅନ୍ୟସବୁ ଧର୍ମକୁ ଖାଇ ଗଲାନାହିଁ । ଗୋଟାଏ ଭାଷା ଆଉ ଯାବତୀୟ ଭାଷାକୁ ଗ୍ରାସ କରି ପକାଇଲା ନାହିଁ । ଗୋଟାଏ ବାଦ ଆଉ ଗୋଟାଏ ବାଦକୁ ମଧ୍ୟ କଦାପି ଗିଳି ପକାଇଲା ନାହିଁ । ପାର୍ଲାମେଣ୍ଟ ଗଢ଼ିବା ଲାଗି ନିୟମିତ ନିର୍ବାଚନ ହେଲା ଓ ପାର୍ଲାମେଣ୍ଟର ନିର୍ଦ୍ଧାରଣ ଅନୁସାରେ ଦେଶର ଶାସନ ଚାଲିଲା-। ଭାରତବର୍ଷ ସହିତ ଏସିଆ ଏବଂ ଆଫ୍ରିକାର ଯେଉଁସବୁ ଦେଶ ଔପନିବେଶିକତାର ଫାଶ ଭିତରୁ ମୁକୁଳି ପ୍ରଥମ କରି ସ୍ୱାଧୀନ ହୋଇଥିଲେ, ସେଠାରେ ପ୍ରଥମେ ପ୍ରଥମେ ଗଣତନ୍ତ୍ରର ବାହାର ଛାଞ୍ଚଟାକୁ ଗ୍ରହଣ କରାଗଲା ସତ, ମାତ୍ର ନାନା କାରଣରୁ ଅଧିକାଂଶ ଦେଶରେ ସେହି ଛାଞ୍ଚଟି ଭୁଷୁଡ଼ି ପଡ଼ିବା ଲାଗି ଆଦୌ ବେଶି ଦିନ ଲାଗିଲା ନାହିଁ । ଅଧିକାଂଶ ଦେଶରେ ସାମରିକ ଶାସନ ଚାଲିଲା, ବନ୍ଧୁକ ମୁନରେ ରାଜନୀତି ଓ ରାଷ୍ଟ୍ରୀୟ କ୍ଷମତାର ମୀମାଂସା ହେଲା । ଯେଉଁଠି ତଥାକଥିତ ଅସାମରିକମାନେ ଗାଦିରେ ରହିଲେ, ସେମାନେ ମଧ୍ୟ ଆପଣାର ଅସ୍ତିତ୍ୱ ଲାଗି ସାମରିକ କର୍ତ୍ତାମାନଙ୍କ ଉପରେ ଏକାନ୍ତ ଭାବରେ ନିର୍ଭରଶୀଳ ହୋଇ ରହିଲେ । ଭାରତବର୍ଷର ପ୍ରତିବେଶୀ ଦେଶଗୁଡ଼ିକରେ ମଧ୍ୟ ସାମରିକ ଶାସନ ଅଥବା ଏକାଧିନାୟକତ୍ୱର ଛାଞ୍ଚଗୁଡ଼ାକ ଅଧିକ ଉପଯୋଗୀ ହେବା ପରି ପ୍ରମାଣିତ ହେଲା । ଭାରତବର୍ଷ ଏହି କ୍ଷେତ୍ରରେ ପ୍ରାୟ ଏକୁଟିଆ ହୋଇ ରହିଲା ସତ, ତଥାପି ଗଣତନ୍ତ୍ରକୁହିଁ ଅବଲମ୍ବନ କରି ରହିଲା । ଭାରତୀୟ ଭାଗ୍ୟର ଅସଲ ପରୀକ୍ଷାଟି ଏହିପରି ଭାବରେ ହେଲା ଏବଂ ଏହି ପରୀକ୍ଷାରେ ଭାରତବର୍ଷ ଉତ୍ତୀର୍ଣ୍ଣ ବି ହେଲା ।

 

ଏଥିପାଇଁ ଆମେ ଭାରତବର୍ଷରେ ପ୍ରକୃତରେ କାହାକୁ ପ୍ରଥମ ଶ୍ରେୟଃ ଦେଇପାରିବା ? ଦୀର୍ଘ ଅନେକ ଶତାବ୍ଦୀଧରି ଆମ ଦେଶରେ ପରମ୍ପରା ନାମରେ ଯାହା ଆମ ଜୀବନଦୃଷ୍ଟିର ଭିତ୍ତି ହୋଇ ରହିଆସିଛି, ସାମୟିକ ନାନା ଦୁର୍ବିପାକ ଏବଂ ଦୁର୍ଘଟନ ସତ୍ତ୍ୱେ ଯାହା ଏଠି ଆମ ଭୂମିଟିର ଅସଲ ଚେର ହୋଇ ରହିଆସିଛି, ପ୍ରବଳମାନଙ୍କର ଯାବତୀୟ ପ୍ରକୋପସତ୍ତ୍ୱେ ଯାହା ଆମ ସମସ୍ତଙ୍କୁ ଆପଣାର ଅସଲ ରୀତିଟି ଅନୁସାରେ ବଞ୍ଚି ରହିବା ଲାଗି ବଳ ଦେଇ ଆସିଛି, ବର୍ତ୍ତମାନ ଭାରତ ଲାଗି ଏବଂ ଆମର ଗଣତନ୍ତ୍ର ଲାଗି ଆମେ ତାହାକୁହିଁ ସବୁଠାରୁ ବଡ଼ ଶ୍ରେୟଃ ନିଶ୍ଚୟ ଦେବା । ସେହି ପରମ୍ପରା ନୂତନକୁ ଗ୍ରହଣ କରିପାରିବ ବୋଲି କଦାପି ପୁରାତନ ମାଟିଟି ମଧ୍ୟରୁ ଆପଣାର ଚେରଗୁଡ଼ାକୁ ଛିଣ୍ଡାଇ ଆଣିବା ଲାଗି ଆବଶ୍ୟକ ମନେକରି ନାହିଁ । ଭାରତର ଅଧିକାଂଶ ମଣିଷ ବର୍ତ୍ତମାନ ନିରକ୍ଷର ହୋଇ ରହିଥିଲେ ମଧ୍ୟ ସେମାନଙ୍କୁ ସେହି ଉଦାର ଓ ବୃହତ ପରମ୍ପରା କଦାପି ଛାଡ଼ିଯାଇ ନାହିଁ । ଆମେ ସେହି ପରମ୍ପରାଟି ସହିତ ଆପଣାକୁ ଯୁକ୍ତକରି ରଖିବା, ଏହି ଦେଶଟିର ଭାଗ୍ୟ ଉପରେ ବିଶ୍ୱାସ ରଖିବା, ନୂତନକୁ ସ୍ୱୀକାର କରି ନେବା ଲାଗି କଦାପି କୌଣସି ସଙ୍କୋଚ କରିବା ନାହିଁ, ତେବେ ଯାଇ ଭାରତର ଭାଗ୍ୟବିଧାତା ଆମ ଦେଶଟିକୁ ଆମର ଅସଲ ନିୟତିଟିଯାଏ ଅବଶ୍ୟ ପରିଚାଳିତ କରି ନେଇଯିବେ ।

ତା ୦୫.୦୨.୧୯୭୭ ରିଖ

Image

 

ମରୁଭୂମି ଓ ମଣିଷ

 

ପ୍ରକୃତି ବିରୁଦ୍ଧରେ ସଂଗ୍ରାମ କରି ସଭ୍ୟ ମଣିଷ ସଭ୍ୟତାର ମାର୍ଗରେ କ୍ରମାଗତ ପ୍ରଗତି କରି ଆସିଛି । ଏହି ସଂଗ୍ରାମର ଏକ ଅଂଶରୂପେ ସେ ମରୁଭୂମି ବିରୁଦ୍ଧରେ ବି ସଂଗ୍ରାମ କରି ଆସିଛି-। ମରୁଭୂମି ମାଡ଼ି ମାଡ଼ି ଯିବାରେ ଲାଗିଛି, ମଣିଷର ବସତି ଓ ସଂସ୍ଥାନଗୁଡ଼ାକ କ୍ରମେ ଅଧିକରୁ ଅଧିକ ପରିମାଣରେ ମରୁଭୂମିର ଗ୍ରାସରେ ପଡ଼ିବାରେ ଲାଗିଛି, ଏବଂ ସେହି ଗ୍ରାସରୁ ଆପଣକୁ ଯଥାସମ୍ଭବ ମୁକ୍ତ କରି ରଖିବା ଲାଗି ମଣିଷ ଚିନ୍ତା କରିବାରେ ଲାଗିଛି । ବିଜ୍ଞାନର ସବୁପ୍ରକାର ସାହାଯ୍ୟ ନେଇ ଆଧୁନିକ ମଣିଷ ମରୁଭୂମିର ଗ୍ରାସକୁ ବନ୍ଦ କରିବାକୁ ଚେଷ୍ଟା କରୁଛି ।

 

ବୈଜ୍ଞାନିକମାନେ ଅନୁସନ୍ଧାନ କରି ଜାଣି ପାରିଛନ୍ତି ଯେ ପୃଥିବୀର ମରୁଭୂମିଗୁଡ଼ାକ ବିସ୍ତାରିତ ହେବାରେ ଲାଗିଛନ୍ତି । ସମସ୍ତ ଭୂପୃଷ୍ଠର ଶତକଡ଼ା ୧୨ଭାଗ ବର୍ତ୍ତମାନ ମରୁଭୂମିର ବାଲିଦ୍ୱାରାହିଁ ଆଚ୍ଛାଦିତ ହୋଇ ରହିଛି ବୋଲି ହିସାବ କରାଯାଇଛି । ଆବାଦ କରାହେଉଥିବା ଅଞ୍ଚଳମାନ ଆୟତ୍ତନରେ କମିଯାଉଛି, ମରୁଭୂମି ମାଡ଼ି ଚାଲିଛି । ଉତ୍ତର ଆଫ୍ରିକାରେ ହଜାର ହଜାର ମାଇଲ ବିସ୍ତୃତ ହୋଇ ରହିଥିବା ଯେଉଁ ବାଲିଭୂମିକୁ ଆମେ ସାହାରା ମରୁଭୂମି ବୋଲି ଜାଣୁ, ରୋମାନ୍‌ ସାମ୍ରାଜ୍ୟର ଅମଳରେ ତାହା ଏକ ରୁଟି ଭୋଗେଇ ହୋଇ ରହିଥିଲା ବୋଲି ତତ୍କାଳୀନ ବିବରଣୀମାନଙ୍କରୁ ଜଣାପଡ଼ୁଛି । କାଳକ୍ରମେ ସେହି ଅଞ୍ଚଳଟି ମରୁଭୂମିରେ ପରିଣତ ହୋଇଯାଇଛି ଏବଂ ବର୍ତ୍ତମାନ ସେଠାରେ ବାର୍ଷିକ ଅଢ଼େଇ ଲକ୍ଷ ଏକର ଅଧିକ ଭୂମି ମରୁଭୂମିରେ ପରିଣତ ହେବାରେ ଲାଗିଛି । ପ୍ରତିବର୍ଷ ବୈଜ୍ଞାନିକମାନେ ଭୂମି ଉପରିଭାଗର ଜମି ଧୂଳି ହୋଇ ବିରାଟ ମେଘଖଣ୍ଡ ପରି ଉଡ଼ିଯାଉଛି ଏବଂ କେବଳ ବାଲିଗୁଡ଼ାକୁ ଛାଡ଼ି ଦେଇଯାଉଛି ବୋଲି ଲକ୍ଷ୍ୟ କରିଛନ୍ତି । କେନିଆ ରାଜ୍ୟର ଦକ୍ଷିଣ ପୂର୍ବ ଅଞ୍ଚଳରେ ଲୋକେ ଜଙ୍ଗଲ କାଟି କାଠ କୋଇଲା ତିଆରି କରି ବିଦେଶକୁ ପଠାଇବା ଆରମ୍ଭ କରିବା ପରଠାରୁ ସେହି ଅଞ୍ଚଳରେ ମଧ୍ୟ ଉଷର ଭୂମିରେ ଆୟତନ ବୃଦ୍ଧି ପାଇବାରେ ଲାଗିଛି । ପୃଥିବୀଯାକ ସବୁ ବୈଜ୍ଞାନିକ ଏଥିରେ ଆଦୌ ଦ୍ୱିମତ ନୁହନ୍ତି ଯେ ଏଠାରେ ମରୁଭୂମିର ଆୟତନ ବଢ଼ି ବଢ଼ି ଚାଲିଛି । ମାତ୍ର ଏହି ବୃଦ୍ଧିର କାରଣ ବିଷୟରେ ଅବଶ୍ୟ ଭିନ୍ନ ଭିନ୍ନ ମତ ରହିଛି । କେତେକ ବୈଜ୍ଞାନିକ କହୁଛନ୍ତି ଯେ ମନୁଷ୍ୟ ତା’ର ପରିବେଶର ସମୁଚିତ ବ୍ୟବହାର କରି ପାରୁନାହିଁ ବୋଲି ମରୁଭୂମି ବଢ଼ି ଚାଲିଛି । ଅନ୍ୟ ବୈଜ୍ଞାନିକମାନେ ମତ ଦେଇଛନ୍ତି, ପୃଥିବୀରେ ଜଳବାୟୁର କ୍ଷେତ୍ରରେ ଏକ ଆବର୍ତ୍ତନ ଲାଗିଥିବାରୁହିଁ ଏହାର ବିଭିନ୍ନ ଭାଗ ପର୍ଯ୍ୟାୟକ୍ରମେ ମରୁଭୂମିରେ ପରିଣତ ହୋଇଯାଉଛି । ମାତ୍ର ଏଥିରେ କୌଣସି ସନ୍ଦେହ ନାହିଁ ଯେ ପ୍ରକୃତି ତା’ର ଆପଣା ପ୍ରକ୍ରିୟାରେ ମରୁଭୂମି ସୃଷ୍ଟି ହେବାରେ ଏକ କାରଣରୂପେ କାର୍ଯ୍ୟ କରୁଥିଲେ ମଧ୍ୟ ଆମେ ମଣିଷମାନେ ମଧ୍ୟ ଆପଣାର ଅବୈଜ୍ଞାନିକ ନାନା ଦୁର୍ବୁଦ୍ଧି ହେତୁ ମରୁଭୂମି ବଢ଼ିବାର ପ୍ରକ୍ରିୟାଟିକୁ ଆହୁରି ତ୍ୱରାନିତ କରି ପକାଇଛୁ ।

 

ଭୂପୃଷ୍ଠର ଶତକଡ଼ା ମୋଟେ ପ୍ରାୟ ତିନିଭାଗ ଭୂମିରେ ବର୍ତ୍ତମାନ କୃଷି କାର୍ଯ୍ୟ କରାହେଉଛି, ସର୍ବମୋଟ ଶତକଡ଼ା ୩୦ଭାଗ ଭୂମି ଏହି ପୃଥିବୀରେ ଆବାଦଯୋଗ୍ୟ ଅବସ୍ଥାରେ ଅଛି ଏବଂ ଏଣେ କେତୋଟି ମରୁଭୂମି ବର୍ଷକୁ ପ୍ରାୟ ଦଶ ମାଇଲ ଭୂମି ଗ୍ରାସ କରି ଚାଲିଛନ୍ତି । ପୃଥିବୀର ଜଳବାୟୁ ମରୁଭୂମିର ବୃଦ୍ଧି ଲାଗି ଅନୁକୂଳ ହେବା ଲାଗି ଯେ ବଦଳି ବଦଳି ଯାଉଛି, ବୈଜ୍ଞାନିକମାନେ ତାହାର ସଙ୍କେତ ପାଇଲେଣି । ଇଂଲଣ୍ଡରେ ଫସଲ ଅମଳ କରିବାର ୠତୁ ଗତ ପଚିଶିବର୍ଷ ମଧ୍ୟରେ ପ୍ରାୟ ଦୁଇ ସପ୍ତାହ କମ୍‌ ହୋଇଗଲାଣି । ଚୀନ ଓ ଭାରତ ପ୍ରଭୃତି ଦେଶରେ ବର୍ଷାର ପରିମାଣ କ୍ରମେ କମ୍‌ ହୋଇଯାଉଛି । ପୃଥିବୀର ଉତ୍ତର ଗୋଲାର୍ଦ୍ଧ କ୍ରମଶଃ ଅଧିକ ଥଣ୍ଡା ହୋଇଯାଉଛି । ଏସବୁ ପ୍ରକ୍ରିୟାକୁ ରୋକି ପାରିବା ଆପାତତଃ ମନୁଷ୍ୟ ଶକ୍ତିର ବାହାର ହୋଇ ରହିଛି । ମାତ୍ର, ପ୍ରକୃତି ସହିତ ସଂଗ୍ରାମ କରି ପ୍ରକୃତିର ପ୍ରବୃତ୍ତିଗୁଡ଼ିକୁ ବଦଳାଇବା ଯେଉଁଠି ସମ୍ଭବ ନ ହେଉଛି, ସେହି କ୍ଷେତ୍ରରେ ପ୍ରକୃତି ସହିତ ସହଯୋଗ କରି, ଅର୍ଥାତ ପରିବେଶଟି ଅନୁସାରେ ଆପଣାକୁ ଯଥାସମ୍ଭବ ଅଧିକ ସାବଧାନତା ସହିତ ପ୍ରସ୍ତୁତ କରାଇ ଆମେ ତଥାପି ଅନେକ ପରିମାଣରେ ଉପକୃତ ହୋଇ ପାରିବା ବୋଲି ବୈଜ୍ଞାନିକମାନେ କହୁଛନ୍ତି । ଆମର ବିପର୍ଯ୍ୟୟ ସକାଶେ ପ୍ରକୃତିକୁ ଦୋଷ ଦେଇ ଚୁପ ରହିଯିବା କେବଳ ଯେ ଆତ୍ମହତ୍ୟା ସଦୃଶ ହେବ, ସେଥିରେ କୌଣସି ସନ୍ଦେହ ନାହିଁ ।

 

ପୃଥିବୀ ସ୍ତରରେ ମରୁଭୂମିର ସମସ୍ୟାଟିର କ୍ଷେତ୍ରରେ ଆବଶ୍ୟକ ପ୍ରତିବିଧାନଗୁଡ଼ିକ ବିଷୟରେ ଚିନ୍ତା କରିବା ଲାଗି ଏହି ବର୍ଷ ଅଗଷ୍ଟ ମାସରେ ସମ୍ଭବତଃ କେନିଆର ରାଜଧାନୀ ନାଇରୋବିଠାରେ ୧୦୦ଟି ବିଭିନ୍ନ ଦେଶର ବୈଜ୍ଞାନିକମାନେ ଏକତ୍ର ସମବେତ ହେଉଛନ୍ତି । ଯେଉଁସବୁ ଭୂମି ମରୁଭୂମିରେ ପରିଣତ ହୋଇ ସାରିଲାଣି, ତାହାକୁ ପୁନର୍ବାର ଆବାଦଯୋଗ୍ୟ ଭୂମିରେ ପରିଣତ କରିବା, ଅର୍ଥାତ ମରୁଭୂମିକୁ ପଛକୁ ହଟାଇବା ବିଷୟରେ ବୈଜ୍ଞାନିକମାନେ କୌଣସି ଆଲୋଚନା କରିବାକୁ ଯାଉନାହାନ୍ତି । ମରୁଭୂମି ଯେ ବର୍ଷକୁ ବର୍ଷ ଆଗକୁ ମାଡ଼ି ମାଡ଼ି ଚାଲିଛି, ତାହାରି ଗତିରୋଧ କରିବା ଲାଗି ସାଧ୍ୟ ଉପାୟମାନ ଚିନ୍ତା କରିବାଲାଗି ଓ ବିଶ୍ୱସ୍ତରରେ ତାହାକୁ କାର୍ଯ୍ୟକାରୀ କରିବାଲାଗି ଏହି ସମ୍ମିଳନୀ ଡକାଯାଇଛି । ଏଥିଲାଗି ପ୍ରତି ପାଞ୍ଚବର୍ଷରେ ପ୍ରାୟ ଅଠରଶହ କୋଟି ଟଙ୍କା ଦରକାର ହେବ ବୋଲି ବୈଜ୍ଞାନିକମାନେ ଅଟକଳ କରିଛନ୍ତି । ମରୁଭୂମିର ପ୍ରାନ୍ତ ଅଞ୍ଚଳ ଗୁଡ଼ିକରେ ଗଛଲଗାଯାଇ ପାରିଲେ ମରୁଭୂମିର ପ୍ରସାରକୁ ବ୍ୟାହତ କରି ରଖିବା ସମ୍ଭବ ହେବ ବୋଲି ଅନୁମାନ କରାଯାଉଛି ।

 

ଭାରତବର୍ଷରେ ରାଜସ୍ଥାନରେ ଏକ ବିସ୍ତୀର୍ଣ୍ଣ ମରୁ ଅଞ୍ଚଳ ରହିଛି । ଏହି ମରୁଭୂମି ମଧ୍ୟ ପ୍ରତ୍ୟେକ ବର୍ଷ ଆଗକୁ ମାଡ଼ି ମାଡ଼ି ଯାଉଛି । ତେଣୁ ନାଇରୋବି ସମ୍ମିଳନୀରେ ଭାରତୀୟ ବୈଜ୍ଞାନିକମାନେ ବି ଯୋଗଦେବେ ଓ ସେଥିରୁ ଯଥେଷ୍ଟ ପରିମାଣରେ ଉପକୃତ ହେବେ ବୋଲି ନିଶ୍ଚୟ ଆଶା କରାଯିବ ।

ତା ୬.୨.୧୯୭୭ ରିଖ

Image

 

ପ୍ରତିବିପ୍ଳବ-ପ୍ରତିରୋଧର ଭୟ

 

ଚୀନଦେଶରେ ବର୍ତ୍ତମାନ ପ୍ରତିବିପ୍ଳବୀମାନଙ୍କୁ ଦମନ କରାଯାଉଛି । ପ୍ରତିବିପ୍ଳବୀମାନଙ୍କୁ ସେଠି ଉଗ୍ରପନ୍ଥୀ ବୋଲି କୁହାଯାଉଛି । ସ୍ଥାନାନ୍ତରରେ ଅନ୍ୟ ଅବସରରେ ଓ ଅନ୍ୟ କ୍ଷେତ୍ରରେ ସେମାନଙ୍କୁ କେତେବେଳେ ପ୍ରତିକ୍ରିୟାବାଦୀ ବୋଲି କୁହାଯାଇଛି, ପୁଣି କେତେବେଳେ ସଂଶୋଧନବାଦୀ ବୋଲି ମଧ୍ୟ କୁହାଯାଇଛି । ପ୍ରଚାରପତ୍ରର ତାତ୍କାଳିକ ଅଭିଧାନମାନଙ୍କରେ ଏସବୁ ଶବ୍ଦର ଯେତେ ଯାହା ମୂଲ୍ୟ ଅଥବା ଅର୍ଥ ରହିଥାଉ ପଛକେ, ଯଥାର୍ଥ ରାଜନୀତି ଅଥବା ରାଜନୀତିକ ବିଶ୍ୱାସର କ୍ଷେତ୍ରରେ ଏସବୁର ହୁଏତ ଆଦୌ କୌଣସି ମୂଲ୍ୟ ନଥାଏ । ଚେୟାରମ୍ୟାନ ମାଓ ସେ ତୁଙ୍ଗଙ୍କର ମୃତ୍ୟୁ ପରେ ଲୋକତନ୍ତ୍ର ଚୀନରେ ନାୟକମାନଙ୍କର ସ୍ତରରେ ପ୍ରାୟ ଏକ ପାରସ୍ପରିକ ଲଢ଼େଇ ଲାଗିରହିଛି । ମାଓଙ୍କର ମୃତ୍ୟୁ ପୂର୍ବରୁ ମଧ୍ୟ ତାହା ଯେ ଆରମ୍ଭ ହୋଇ ଯାଇନଥିଲା ଏବଂ ଏପରି କି ମାଓଙ୍କର ଜ୍ଞାତସାରରେ ମଧ୍ୟ ଆରମ୍ଭ ହୋଇଯାଇ ନଥିଲା, ସେପରି ଭାବିବାର ଆଦୌ କୌଣସି କାରଣ ନାହିଁ । ଏଡ଼େବଡ଼ ଦେଶ ହୋଇଥିଲେ ମଧ୍ୟ ଚୀନ ହେଉଛି ଏକ ସୁରକ୍ଷିତ ପ୍ରାଚୀରଘେରା ଦେଶ ଏବଂ ସେହି ଦେଶରେ ଭୂମିକମ୍ପ ହେଲେ ମଧ୍ୟ ସେଠାରେ କିଛି ହେଉଛି ବୋଲି ଖୁବ୍‌ ସହଜରେ ଧରାପଡ଼େ ନାହିଁ । ସାମ୍ବାଦିକମାନଙ୍କୁ ମଧ୍ୟ ସେହି ଦେଶରେ ଅବାଧରେ ପ୍ରବେଶ କରିବାକୁ ଅନୁମତି ମିଳେ ନାହିଁ । ଚୀନଦେଶରେ ଭୂଖଣ୍ଡର ପ୍ରାନ୍ତରେ ଅବସ୍ଥିତ ହଂକଂ ଉପନିବେଶକୁ ଯେତିକି ଖବର ଉଡ଼ି ଉଡ଼ି ଆସେ ଅଥବା କାନକୁ ସାତକାନ ହୋଇ ଆସିବାକୁ ସମର୍ଥ ହୁଏ, ବାହାର ପୃଥିବୀର ସାମ୍ବାଦିକମାନେ ପ୍ରାୟ ସେତିକିମାତ୍ରହିଁ ଜାଣନ୍ତି । ସରକାର ଯାହାକୁ ପ୍ରତିବିପ୍ଳବ ବୋଲି କହୁଛନ୍ତି, ଅନ୍ୟପଟରୁ ତାହାକୁ ହୁଏତ ବେଶ୍‌ ଏକ ପ୍ରତିରୋଧ ବୋଲି କୁହାଯାଇ ପାରିବ । ଚୀନରେ ବର୍ତ୍ତମାନ ଯେଉଁମାନଙ୍କ ହାତରେ କ୍ଷମତା ରହିଛି, ସେମାନେ ଉକ୍ତ ପ୍ରତିରୋଧକୁ ଭୟହିଁ କରୁଛନ୍ତି, ତାହାକୁ ଆପଣା ହାତରେ ରହିଥିବା ଯାବତୀୟ ପ୍ରକାରର ଶକ୍ତି ଦେଇ ଦମନ କରିବା ଲାଗି ତତ୍ପର ହୋଇ ରହିଛନ୍ତି ଓ ପ୍ରଚାରପତ୍ରମାନଙ୍କରେ ତାହାକୁ ପ୍ରତିବିପ୍ଳବ ବୋଲି କହୁଛନ୍ତି । ଏକାଧିନାୟକତ୍ୱର ନୀତି ଅନୁସାରେ ଯେଉଁଠି ରାଷ୍ଟ୍ର ଓ ରାଜନୀତି ସବୁ ଚାଲେ, ସେଠି କ୍ଷମତାସୀନ ହେବାକୁହିଁ ସର୍ବପ୍ରଥମ ରାଜନୀତିକ ଆଦର୍ଶ ବୋଲି ଧରି ନିଆଯାଏ, ଅର୍ଥାତ୍‌ ପ୍ରତ୍ୟକ୍ଷ ତଥା ପରୋକ୍ଷ ଅନ୍ୟପନ୍ଥୀ ଅର୍ଥାତ୍‌ ପରିପନ୍ଥୀମାନଙ୍କୁ ନିର୍ମୂଳ କରିଦେବାକୁହିଁ ସେଠାରେ ଏକମାତ୍ର ଆଭ୍ୟନ୍ତରୀଣ କୂଟନୀତି ଓ ଆଭ୍ୟନ୍ତରୀଣ ଶାନ୍ତି ବୋଲି ବିଚାର କରାଯାଏ । ମାଓ ସେ ତୁଙ୍ଗ୍‍ଙ୍କର ମୃତ୍ୟୁ ପରେ ଚୀନରେ ସର୍ବୋଚ୍ଚ କ୍ଷମତା-ସ୍ଥାନଗୁଡ଼ିକର ଅଧିକାରୀ ହେବା ଲାଗି ହୁଏତ ଏକାଧିକ ବ୍ୟକ୍ତି ବା ଏକାଧିକ କ୍ଷୁଦ୍ରଗୋଷ୍ଠୀ ପ୍ରତ୍ୟାଶୀ ହୋଇ ରହିଥିଲେ ଏବଂ ମାଓ ଅସମର୍ଥ ହୋଇପଡ଼ିବା ସଙ୍ଗେ ସଙ୍ଗେ ସେମାନଙ୍କ ମଧ୍ୟରେ ଶୀତଳ ଖଣ୍ଡଯୁଦ୍ଧ ଆରମ୍ଭ ହୋଇଯାଇଥିଲା । ମାଓ ବିଦାୟ ନେଇଯିବା ସଙ୍ଗେ ସଙ୍ଗେ ତାହା ପ୍ରକାଶ୍ୟଯୁଦ୍ଧରେ ପରିଣତ ହେଲା । ଯେଉଁମାନେ ରାଷ୍ଟ୍ରକ୍ଷମତାର ଅଧିକାରୀ ହେଲେ, ସେମାନଙ୍କ ପକ୍ଷ ଅଧିକ ବଳଶାଳୀ ଭାବରେ ଏହି କାର୍ଯ୍ୟରେ ପ୍ରବୃତ୍ତ ହେଲା ଏବଂ ଯେଉଁମାନେ ସେହି କ୍ଷମତାରୁ ବଞ୍ଚିତ ହେଲେ, ସେମାନେ ଆପଣାର ଅନୁଚରମାନଙ୍କ ସାହାଯ୍ୟରେ ଆପଣାର ସବୁଠାରୁ ଅଧିକ ପ୍ରଭାବ ରହିଥିବା ଅଞ୍ଚଳରେ ବିକ୍ଷୋଭ, ପ୍ରତିବାଦ ଏବଂ ଅନ୍ୟ ଅନେକ ପ୍ରକାରର ଅଧିକ ସକ୍ରିୟ ଅଶାନ୍ତିମାନ ସୃଷ୍ଟି କରାଇଲେ ।

 

ଗତ ପ୍ରାୟ ଛଅମାସ ହେଲା ଚୀନରେ ଉ-ହାନ୍‌, ହୁ ପେଇ ଓ ଆହୁରି କେତୋଟି ପ୍ରଦେଶରେ ଏହିଭଳି ଅଶାନ୍ତିମାନ ଲାଗିରହିଛି । କ୍ଷମତାସ୍ଥଗୋଷ୍ଠୀ ତାହାକୁ ପ୍ରତିବିପ୍ଳବ ବୋଲି କହୁଛନ୍ତି, ପ୍ରତିକ୍ରିୟାଶୀଳ ମାନଙ୍କର ଆଦର୍ଶ ବିରୁଦ୍ଧରେ ଏବଂ ଦେଶ ବିରୁଦ୍ଧରେ ଚକ୍ରାନ୍ତ ବୋଲି କହୁଛନ୍ତି ଏବଂ ସେଗୁଡ଼ାକୁ ଦବାଇବା ସକାଶେ ବହୁଭୁଜ ଓ ବହୁଶିର ହୋଇ ବାହାରିଛନ୍ତି । ପ୍ରତିରୋଧକାରୀମାନେ ନାନା ଉପାୟରେ ଆପଣାର ପ୍ରତିବାଦ ଜଣାଇଛନ୍ତି ଏବଂ ସରକାରୀ ବଳ ସହିତ ସେମାନଙ୍କୁ ଏହି କାରଣରୁ ମୁକାବିଲା କରିବାକୁ ପଡ଼ୁଛି । ପ୍ରତିରୋଧୀ ଅନ୍ୟ ପକ୍ଷଟିର ଚାରି ନେତାଙ୍କୁ ବନ୍ଦୀ କରି ନେବାପରେ ଏହି ପ୍ରତିବାଦର ତୀବ୍ରତା ଅନେକ ପରିମାଣରେ କମ୍‌ ହୋଇଯାଇଛି । ତଥାପି ସମ୍ପୂର୍ଣ୍ଣ ଭାବରେ ନିର୍ବାପିତ ହୋଇନାହିଁ ।

 

ପରିପନ୍ଥୀ ଗୋଷ୍ଠୀଗୁଡ଼ିକ ମଧ୍ୟରେ ସଂଗ୍ରାମ ଲାଗିରହିଛି ଏବଂ ତାହା ଫଳରେ ଇତିମଧ୍ୟରେ କେତେ ଲୋକ ମଲେଣି, ପୋଲିସ ଓ ସୈନ୍ୟବାହିନୀକୁ କେତେଥର ଉତ୍ତେଜିତ ଜନତାର ସମ୍ମୁଖୀନ ହେବାକୁ ପଡ଼ିଲାଣି, ସରକାରୀ ଦପ୍ତରମାନଙ୍କ ଉପରେ କେତେ ସାନ ବଡ଼ ଆକ୍ରମଣ ହେଲାଣି ଏବଂ ସାନବଡ଼ କେତେ ଷଡ଼ଯନ୍ତ୍ର ବି ହେଲାଣି । ପ୍ରାଦେଶିକ ଶାସକମାନଙ୍କୁ ଏହା ମଧ୍ୟରେ କେତେଥର ରାଜଧାନୀ ପେକିଂକୁ ଡକାଇ ସେମାନଙ୍କଠାରୁ ପ୍ରକୃତ ଅବସ୍ଥାର ବିବରଣୀ ନିଆଗଲାଣି ଓ ସେମାନଙ୍କୁ ଆବଶ୍ୟକ ପରାମର୍ଶମାନ ବି ଦିଆଗଲାଣି ।

 

ସ୍ମରଣ ରଖିବା ଉଚିତ ଯେ, ମାଓଙ୍କ ଜୀବନକାଳରେ ସିଏ ସବୁବେଳେ ନରମପନ୍ଥୀ ସଂଶୋଧନବାଦୀଙ୍କ ବିରୁଦ୍ଧରେ ସଂଗ୍ରାମ ଚଳାଇଥିଲେ । ସିଏ ନିଜେ ଆପଣାକୁ ଉଗ୍ରବାଦୀ ବୋଲି କହୁଥିଲେ । ମାଓଙ୍କ ପରେ ସେକାଳର ନରମବାଦୀମାନେ ବର୍ତ୍ତମାନ ରାଷ୍ଟ୍ରୀୟ କ୍ଷମତାର ଅଧିକାରୀ ହୋଇଛନ୍ତି ଓ ଉଗ୍ରବାଦୀମାନଙ୍କ ବିରୁଦ୍ଧରେ ସରକାରୀ ଯୁଦ୍ଧ ଆରମ୍ଭ କରି ଦେଇଛନ୍ତି । ଏମାନେ ଆପଣାକୁ ଉଗ୍ରବାଦର ବିରୋଧୀ ବୋଲି ଘୋଷଣା କରୁଛନ୍ତି । ରାଜନୀତିର ଶିବିରରେ ଉଭୟ ପକ୍ଷର ଅନୁଗାମୀ ରହିଛନ୍ତି । ମାଓଙ୍କ ସମୟରେ ମଧ୍ୟ ଉଭୟେ ରହିଥିଲେ । ମାଓ ପକ୍ଷ ସେମାନଙ୍କୁ ଦବାଇ ରଖିଥିଲେ । ଲିଉ-ସାଓ-ଚି ଦୁର୍ଘଟଣାରେ ନିହତ ହେବା ପର୍ଯ୍ୟନ୍ତ ଏହି ଦମନ ଚାଲିଥିଲା । ବର୍ତ୍ତମାନ କ୍ଷମତା ନରମପନ୍ଥୀମାନଙ୍କ ହାତକୁ ଆସିଛି । କୁହାଯାଇ ପାରିବ, ଲିଉ-ସାଓ-ଚିଙ୍କର ପକ୍ଷ ହୁଏ ତ ବର୍ତ୍ତମାନ ସତ୍ତାରେ ଅଛନ୍ତି । ସେମାନେ ଉଗ୍ରପନ୍ଥୀମାନଙ୍କ ବିରୁଦ୍ଧରେ ସଂଗ୍ରାମ ଚଳାଇଛନ୍ତି-। ପ୍ରତିରୋଧ ଆଗରୁ ଯେପରି ଥିଲା, ବର୍ତ୍ତମାନ ମଧ୍ୟ ସେହିପରି ରହିଛି । ପ୍ରତିରୋଧର ଭୟ ଆଗରୁ ଥିଲା, ବର୍ତ୍ତମାନ ମଧ୍ୟ ରହିଛି ।

ତା ୭.୨.୧୯୭୭ ରିଖ

Image

 

ଆମର ଖାଦ୍ୟ ଓ ଖାଦ୍ୟପ୍ରାଣ

 

ଆମ ଦେଶରେ ଆମେ କ’ଣ ଖାଉ ? ଅର୍ଥାତ୍ ଆମ ଦେଶର ଅଧିକାଂଶ ମଣିଷ, ଶହେରେ ଅଶୀ ଜଣ ମଣିଷ କ’ଣ ଖାଆନ୍ତି ? ସେମାନେ ଭୋକର ଜ୍ୱାଳାକୁ ମେଣ୍ଟାଇବାକୁ ଖାଆନ୍ତି, ଖାଲି ପେଟକୁ ଭର୍ତ୍ତି କରିବାକୁ ଖାଆନ୍ତି ନା ଯଥାର୍ଥ ଭାବରେ, ଯଥାର୍ଥ ପ୍ରାଣଶକ୍ତି ସହିତ ବଞ୍ଚି ରହି ପାରିବାକୁ ଖାଆନ୍ତି ? ଆମ ସୌଖୀନ ପତ୍ରିକା ମାନଙ୍କରେ ଯେଉଁସବୁ ଅନ୍ନ ଓ ବ୍ୟଞ୍ଜନର ଥାଳି ଥାଳି ସୂତ୍ରମାନ ବାଢ଼ି ଦିଆଯାଇଥାଏ, ସେହି ସୂତ୍ର ଅନୁସାରେ ଅନ୍ନବ୍ୟଞ୍ଜନ ପ୍ରସ୍ତୁତ କରି ତଦ୍ଦ୍ୱାରା ଆପ୍ୟାୟିତ ହେବା ଲାଗି ଆବଶ୍ୟକ ସମ୍ବଳ ବା ସାମର୍ଥ୍ୟ ଆମ ଦେଶରେ ଶହେରେ ଅନେଶ୍ୱତ ଜଣଙ୍କର ବି ନ ଥାଏ । ଆମ ସ୍କୁଲମାନଙ୍କରେ ଖାଦ୍ୟପ୍ରାଣ, ପୃଷ୍ଟିକର ଖାଦ୍ୟ ଏବଂ ସୁଷମ ଖାଦ୍ୟ ବିଷୟରେ ଯେଉଁସବୁ ଭଳି ଭଳି କଥା କହି ଦିଆହୁଏ, ସେଗୁଡ଼ାକୁ ଆମେ ପରୀକ୍ଷା ଲାଗି ବେଶ୍ ମୁଖସ୍ଥ କରିପକାଉ ସତ, ମାତ୍ର ପୋଥିବାଇଗଣ ପରି ସେଗୁଡ଼ାକ ଆମ ଦେଶର ଦଶଜଣରେ ନଅଜଣଙ୍କ ଲାଗି ଅପହଞ୍ଚ ହୋଇ ରହିଥାଏ ଓ ତେଣୁ ସେମାନଙ୍କର କୌଣସି କାମରେ ଆସେ ନାହିଁ । ଖାଦ୍ୟରନ୍ଧନର ଭଳି ଭଳି କିମିଆଗୁଡ଼ାକୁ ବତାଇ ଦେବା ଲାଗି ଆମ ରାଜଧାନୀମାନଙ୍କରେ ଯେଉଁ ରାଜପ୍ରାସାଦ ପରି କୋଠାମାନ ଠିକ୍ କାଚ ପରି ଚକ୍ ଚକ୍ କରୁଥାନ୍ତି, ସେଗୁଡ଼ାକ ଶହେରେ ଜଣେ ବା ଅଧଜଣଙ୍କ ଲାଗି ବେଶ୍‌ ଗୋଟାଏ ଗୋଟାଏ ଅବସର-ବିନୋଦନର କେନ୍ଦ୍ର ହୋଇ ରହିଥାନ୍ତି ସତ, ମାତ୍ର ଆମ ଦେଶରେ ବାସ କରୁଥିବା କୋଟି କୋଟି ମଣିଷଙ୍କ ଲାଗି ସେମାନଙ୍କର କୌଣସି ଅବଦାନ କେବେ ରହିବ ବୋଲି ହୁଏ ତ ଚିନ୍ତା ବି କରାଯାଇ ନ ଥାଏ ।

 

ଖାଦ୍ୟ ଓ ଖାଦ୍ୟପ୍ରାଣ କ୍ଷେତ୍ରରେ ଆମ ଦେଶର ଅଧିକସଂଖ୍ୟକ ମଣିଷ ଯେଉଁ ସ୍ତରରେ ଅଛନ୍ତି, ସେମାନଙ୍କର ସେହି ସ୍ତରରେ ପ୍ରକୃତରେ କୌଣସି ଉନ୍ନତିବିଧାନ ସମ୍ଭବ ହୋଇ ପାରିବ କି ନାହିଁ, ଆମ ଦେଶରେ ଏ ପର୍ଯ୍ୟନ୍ତ ସେସବୁ ବିଷୟରେ କୌଣସି ଚିନ୍ତା କରାଯାଇ ନ ଥିଲା । ଆମ ଦେଶର ବିଜ୍ଞାନ ବି ସେହି ଦିଗରେ ପ୍ରାୟ କୌଣସି ମୁଣ୍ଡ ଖେଳାଇ ନଥିଲା । ଯାହାର ରୋଗ ଲାଗି ଔଷଧ କିଣିବାକୁ ବି ପଇସା ନ ଥାଏ, ତାକୁ ଡାକ୍ତର ଅଧିକ ଫଳ ଖାଇବାକୁ କହିଲା ପରି ଆମ ବିଜ୍ଞାନ ଆମ ଦେଶର ମଣିଷଙ୍କୁ ସତେ ଅବା ଉପହାସ କଲାପରି ପ୍ରାୟ ଦୂରରେ ରଖି ଆସିଥିଲା । ଅତ୍ୟନ୍ତ ଆଶାର କଥା ଯେ ଖାଦ୍ୟପ୍ରାଣ ବିଷୟରେ ଅନୁସନ୍ଧାନ କରିବା ଲାଗି ହାଇଦ୍ରାବାଦଠାରେ ଜାତୀୟ ସ୍ତରରେ ଯେଉଁ ଅନୁଷ୍ଠାନଟି ଗତ ଷାଠିଏ ବର୍ଷ ହେଲା ରହିଆସିଛି, ସେଠାରେ ବିଜ୍ଞାନୀମାନେ ଏବେ ଆମ ଦେଶର ଦରିଦ୍ର ମଣିଷମାନେ ମଧ୍ୟ କିପରି ଅଧିକ ଖାଦ୍ୟପ୍ରାଣ ଯୋଗାଇ ଦେଲା ଭଳି ଖାଦ୍ୟ ଖାଇ ପାରିବେ, ସେହି ବିଷୟରେ ଗବେଷଣା କରିବାକୁ ମନ ବଳାଇଛନ୍ତି । ସେମାନେ ଏକଥା ବୁଝି ପାରିଛନ୍ତି ଯେ ଆଗାମୀ ଦଶବର୍ଷ ଭିତରେ ଯଦି ଦେଶର ଅଧିକ ସଂଖକ ମଣିଷଙ୍କର ଖାଦ୍ୟକୁ ଅଧିକ ଖାଦ୍ୟପ୍ରାଣଯୁକ୍ତ କରିବାକୁ ହୁଏ, ତେବେ ସ୍ଥାନୀୟ ଭାବରେ ଯେଉଁଠି ଯାହା ମିଳୁଛି, ସେହିଗୁଡ଼ିକରୁହିଁ ପୌଷ୍ଟିକ ଖାଦ୍ୟ ପ୍ରସ୍ତୁତ କରାଯିବାର ଉପାୟମାନ ବାହାର କରାଯାଇ ପାରିବା ଉଚିତ । ତେଣୁ ଅଳପ ପଇସାରେ ଆମର ଗାଆଁମାନଙ୍କରେ ସାଧାରଣତଃ ଯେଉଁସବୁ ଜିନିଷ ମିଳିଥାଏ, ସେଗୁଡ଼ିକରୁ ଯଥାସମ୍ଭବ ଅଧିକ ପୌଷ୍ଟିକ ଏବଂ ଯଥାସମ୍ଭବ ଅଧିକ ସୁସ୍ୱାଦୁ ଖାଦ୍ୟପଦାର୍ଥ ପ୍ରସ୍ତୁତ କରି ଲୋକମାନେ ସେଗୁଡ଼ିକୁ କିଣିବା ଲାଗି ସମର୍ଥ ହେଲା ଭଳି ଏକ ମୂଲ୍ୟରେ ଯୋଗାଇଦେବା କେତେଦୂର କ’ଣ ସମ୍ଭବ ହୋଇପାରିବ, କେନ୍ଦ୍ରର ବୈଜ୍ଞାନିକମାନେ ବର୍ତ୍ତମାନ ସେହି ଦିଗରେ ଅଧିକ ଗବେଷଣା କରୁଛନ୍ତି । ଏହିପରି ଭାବରେ ଇତିହାସରେ ପ୍ରାୟ ପ୍ରଥମଥର ଲାଗି ବିଜ୍ଞାନ ଓ ବୈଜ୍ଞାନିକମାନେ ଆମ ଦେଶରେ ମଣିଷର ଅର୍ଥାତ୍ ସର୍ବାଧିକ ସଂଖ୍ୟାରେ ମଣିଷମାନଙ୍କର ଯଥାସମ୍ଭବ ଅଧିକ ସମୀପବର୍ତ୍ତୀ ହୋଇ ରହିବାକୁ ଓ ସେମାନଙ୍କର ମଧ୍ୟ ପ୍ରକୃତରେ କୌଣସି କାମରେ ଲାଗି ପାରିବା ପାଇଁ ମନ କରିବାକୁ ଅବଶ୍ୟ ଆମ ସମସ୍ତଙ୍କର ସୌଭାଗ୍ୟର ବିଷୟ ବୋଲି କହିବାକୁ ହେବ । ଏହା ପ୍ରକୃତରେ ଏକ ଭାଗ୍ୟର କଥା, କାରଣ ଆମ ଦେଶର ଶତକଡ଼ା ପ୍ରାୟ ପଚାଶ ଜଣ ମଣିଷ ଦାରିଦ୍ର୍ୟ-ଗାରର ତଳକୁ ବାସ କରନ୍ତି ।

 

ତେଣୁ ଅଧିକ ସମ୍ପନ୍ନ ଅନ୍ୟ ଦେଶମାନଙ୍କରେ ଏବଂ ଆମ ସୌଖୀନ ବହି ଓ ପତ୍ରିକାମାନଙ୍କରେ ସୁଷମ ଖାଦ୍ୟ ନାମରେ ଯାହା ସବୁ ପରାମର୍ଶ ଦିଆଯାଇଥାଏ, ସେ ସବୁ ସକାଶେ ସେମାନଙ୍କ ପାଖରେ ଆଦୌ କୌଣସି ସାମର୍ଥ୍ୟ ନ ଥାଏ । ଖାଦ୍ୟପ୍ରାଣ ଗବେଷଣା କେନ୍ଦ୍ର ଆବଶ୍ୟକ ତଥ୍ୟ ସଂଗ୍ରହ କରିବା ପରେ ଏକଥା ଘୋଷଣା କରିଛନ୍ତି ଯେ ପ୍ରତ୍ୟେକ ମଣିଷର ସୁସ୍ଥ ଜୀବନ ଧାରଣ ପାଇଁ ଯେତିକି କ୍ୟାଲୋରି ଦେହ ଭିତରକୁ ଯିବାର ପ୍ରୟୋଜନ ରହିଛି, ଆମ ଦେଶର ଅଧିକାଂଶ ମଣିଷ ସେଠାରୁ ଶତକଡ଼ା ପ୍ରାୟ ପନ୍ଦର ଗାର ତଳେ ଯାଇ ରହିଛନ୍ତି ।

 

ବିଭିନ୍ନ ଖାଦ୍ୟପ୍ରାଣ ମଧ୍ୟରୁ ପ୍ରଧାନତଃ ଭିଟାମିନ ‘ଏ’ ଓ ପ୍ରୋଟିନ୍‌ର ଅଭାବହିଁ ଆମ ଦେଶର ଅଧିକାଂଶ ପିଲାଙ୍କୁ ନାନାପ୍ରକାର ବ୍ୟାଧି ଓ ଦେହଦୌର୍ବଲ୍ୟ ଲାଗି ଉନ୍ମୁକ୍ତ କରି ରଖିଥାଏ । ବିଶେଷକରି ଭାରତବର୍ଷର ପୂର୍ବ ଓ ଦକ୍ଷିଣାଞ୍ଚଳର ଭାତ ଖାଇବା ଅଞ୍ଚଳମାନଙ୍କରେ ସେହି ଅଭାବ ଅଧିକ ପରିମାଣରେ ରହିଥାଏ । ଏହି ଅଭାବ ଅତ୍ୟନ୍ତ ଉତ୍କଟ ହେଲେ, ତାହାରିଦ୍ୱାରାହିଁ ପିଲା ବୟସରୁ ମଧ୍ୟ ଅନେକ ମଣିଷଙ୍କର ଦୃଷ୍ଟିଶକ୍ତି କ୍ରମଶଃ ଦୁର୍ବଳ ହୋଇଯାଏ, ନଷ୍ଟ ହୋଇଯାଏ । ଆମ ଦେଶରେ ବର୍ତ୍ତମାନ ରହିଥିବା ପ୍ରାୟ ଦେଢ଼କୋଟି ଅନ୍ଧ ମଣିଷଙ୍କ ମଧ୍ୟରୁ ଶତକଡ଼ା ଚଉଦ ଜଣ ଭିଟାମିନ ‘ଏ’ ଅଭାବରୁହିଁ ଦୃଷ୍ଟିଶକ୍ତି ହରାଇଥାନ୍ତି ।

 

ଆମରି ଆଖପାଖରୁ ଯେଉଁ ଖାଦ୍ୟ ସହଜରେ ଆମକୁ ମିଳେ, ତାହାରି ଭିତରୁ ଆମକୁ ଅଧିକ ଖାଦ୍ୟପ୍ରାଣଯୁକ୍ତ ଖାଦ୍ୟ ପାଇବାରେ ଆମ ଦେଶର ବିଜ୍ଞାନ ଯଦି ଆମକୁ ପ୍ରକୃତରେ ସାହାଯ୍ୟ କରିପାରିବ ଓ ଆମ ବୈଜ୍ଞାନିକମାନେ ଯଦି ନିଷ୍ଠାପର ଭାବରେ ସେହି ଦିଗରେ ଅଧିକ ଧ୍ୟାନ ଦେବାକୁ ମନ କରିବେ, ତେବେ ଆମ ଦେଶର ପ୍ରକୃତରେ ଏକ ନୂତନ ଅଧ୍ୟାୟ ଆରମ୍ଭ ହେଲା ବୋଲି କୁହାଯାଇପାରିବ ।

ତା. ୦୮.୦୨ . ୧୯୭୭ ରିଖ

Image

 

ସୋଭିଏଟ ରୁଷ ଓ ଚୀନ

 

ସୋଭିଏଟ କମ୍ୟୁନିଷ୍ଟ ପାର୍ଟିର ସର୍ବୋଚ୍ଚ ମୁଖ୍ୟ ଶ୍ରୀଯୁକ୍ତ ବ୍ରେଜନେଭ କିଛିଦିନ ତଳେ ଏକ ବିବୃତି ଦେଇ କହିଛନ୍ତି ଯେ, ଚୀନ କମ୍ୟୁନିଷ୍ଟ ପାର୍ଟି ଓ ଚୀନ ସାଧାରଣତନ୍ତ୍ରର ସରକାରୀ ସଂଗଠନରେ ନେତୃତ୍ୱର ଯେଉଁ ପରିବର୍ତ୍ତନ ଘଟିଲା, ରୁଷିଆ ସରକାର ଅତ୍ୟନ୍ତ ସହାନୁଭୂତି ସହିତ ଲକ୍ଷ୍ୟ କରିଛନ୍ତି । ଗୋଟାଏ ବର୍ଷରେ ଚୀନ ତା’ର ଦୁଇଜଣ ତୁଙ୍ଗନେତାଙ୍କୁ ହରାଇଲା । ପ୍ରଥମେ ଚାଉ ଏନ ଲାଇ ଯାଇଥିଲେ ଏବଂ ତା’ପରେ ଅଳ୍ପଦିନ ତଳେ ମାଓ ସେ ତୁଙ୍ଗ ମଧ୍ୟ ଗଲେ । ଗତ ଗୋଟାଏ ପୁରୁଷ ଧରି ଚୀନର ସାର୍ବଜନୀନ ଭାଗ୍ୟ ମାଓ-ସେ-ତୁଙ୍ଗଙ୍କର ସର୍ବାଧିନାୟକତ୍ୱରେହିଁ ନିୟନ୍ତ୍ରିତ ଏବଂ ସୁରକ୍ଷିତ ହୋଇ ରହି ଆସିଥିଲା । ଗତ କେତେବର୍ଷ ହେଲା ସୋଭିଏଟ ରୁଷିଆ ଏବଂ ଚୀନ ମଧ୍ୟରେ ଯେଉଁ ନାନାସ୍ତରୀୟ ବିବାଦ ଲାଗି ରହିଥିଲା ଓ ରହିଛି, ତାହା ପଛରେ ଏହି ନିର୍ଦ୍ଦିଷ୍ଟ ନେତୃତ୍ୱର ନିର୍ଦ୍ଦେଶନାଗୁଡ଼ିକହିଁ କାର୍ଯ୍ୟ କରି ଆସୁଥିଲା । ତୁଙ୍ଗ ନେତାମାନଙ୍କର ମୃତ୍ୟୁ ପରେ ସେହି ନେତୃତ୍ୱରେ ଯେ ନିଶ୍ଚୟ କିଞ୍ଚିତ୍ ଅଦଳବଦଳ ଘଟିବ, ଏ କଥା ସମସ୍ତେ ଆଗରୁହିଁ ଅନୁମାନ କରି ନେଇଥିଲେ ।

 

ଶ୍ରୀଯୁକ୍ତ ହୁଆ ଚୀନର ନୂତନ ରାଷ୍ଟ୍ରମୁଖ୍ୟରୂପେ ଘୋଷିତ ହେବା ପରେ ଶ୍ରୀଯୁକ୍ତ ବ୍ରେଜନେଭ ଆନୁଷ୍ଠାନିକ ଭାବରେ ତାଙ୍କ ଲାଗି ରୁଷ ସରକାର ଓ ରୁଷ ଦେଶବାସୀଙ୍କର ଅଭିନନ୍ଦନ ପଠାଇଥିଲେ ଏବଂ ସେହି ଉପଲକ୍ଷରେ ସିଏ ମନ୍ତବ୍ୟ ପ୍ରକାଶ କରିଥିଲେ ଯେ ଚୀନର ନୂତନ ନେତୃତ୍ୱ ପାରସ୍ପରିକ ଆଲୋଚନା ଓ ସଦ୍‌ଭାବ ଲାଗି ଯଦି ଆନ୍ତରିକତାର ସହିତ ଆବଶ୍ୟକ ଦ୍ୱାରଗୁଡ଼ିକୁ ଉନ୍ମୁକ୍ତ କରି ରଖନ୍ତି, ତେବେ ରୁଷିଆ ଏବଂ ଚୀନ ମଧ୍ୟରେ ଏକ ଶାନ୍ତିପୂର୍ଣ୍ଣ ସହାବସ୍ଥାନ ସମ୍ଭବ ହୋଇପାରିବ । ରୁଷିଆ ଓ ଚୀନ ପରସ୍ପରର ପ୍ରକୃତ ପ୍ରତିବେଶୀ ହୋଇ ରହିବା ମଧ୍ୟ ସମ୍ଭବ ହେବ ବୋଲି ସେ ଆଶାପ୍ରକାଶ କରିଥିଲେ ।

 

ଚୀନ ଏବଂ ରୁଷିଆ ଉଭୟେ ହେଉଛନ୍ତି କମ୍ୟୁନିଷ୍ଟ ରାଷ୍ଟ୍ର; ଉଭୟେ ଆପଣାକୁ ମାର୍କସବାଦୀ ରାଷ୍ଟ୍ର ବୋଲି କହନ୍ତି । ମାର୍କସବାଦକୁ କାର୍ଯ୍ୟକାରୀ କରିବାର ପ୍ରକ୍ରିୟାଗୁଡ଼ିକ ବିଷୟରେ ସେମାନଙ୍କ ମଧ୍ୟରେ କ୍ରମଶଃ ଯେଉଁ ମତଭେଦ କୁହୁଳି କୁହୁଳି ଆସିଛି, ତାହାରି ଫଳରେ ଦୁଇଦେଶ ବିଗତ କେତେବର୍ଷ ମଧ୍ୟରେ ପରସ୍ପରଠାରୁ ଅଧିକରୁ ଅଧିକ ଦୂରଛଡ଼ା ହୋଇ ଯାଇଛନ୍ତି-। ଦୃଷ୍ଟିର ପାର୍ଥକ୍ୟ ଓ ସମସ୍ତ ପୃଥିବୀରେ ଆପଣାର ବିଶେଷ ଦୃଷ୍ଟିଟିକୁ ପ୍ରତିଷ୍ଠିତ କରିବାର ବ୍ୟଗ୍ରତା, ସେମାନଙ୍କୁ ପରସ୍ପରର ଶତ୍ରୁରେ ପରିଣତ କରିପକାଇଛି । ଏହି ଶତ୍ରୁତାକୁ ଏକ ମୂର୍ତ୍ତରୂପ ଦେଇ ଗୋଟାଏ ସୀମାବିବାଦକୁ ଠିଆ କରାଯାଇଛି; ଦୁଇ ପକ୍ଷରୁ ବିରୋଧୀ ଦାବୀଗୁଡ଼ିକର ଉପସ୍ଥାପନା ମଝିରେ ରହିଥିବା ସୀମାଟି ଉପରେ ଦୁଇ ପକ୍ଷରୁ ସୈନ୍ୟଛାଉଣୀମାନ ପଡ଼ିଛି ଏବଂ ତେଣେ ପରସ୍ପର ବିରୁଦ୍ଧରେ କେତେ କେତେ ପ୍ରଚାର ଆରମ୍ଭ ହୋଇଯାଇଛି । ଏଥିରେ କୌଣସି ସନ୍ଦେହ ନାହିଁ ଯେ, ଏହାଦ୍ୱାରା ପୃଥିବୀରେ କମ୍ୟୁନିଷ୍ଟ ଆନ୍ଦୋଳନ ପ୍ରତି ଏକ ବଡ଼ ଆଘାତ ପହଞ୍ଚିଛି ଓ ଅଣକମ୍ୟୁନିଷ୍ଟ ଶିବିରଟି ଏହାଦ୍ୱାରା ବେଶ୍‌ ଅନେକ ଫାଇଦା ଉଠାଇବାକୁ ବି ଚେଷ୍ଟା କରିଛି । ରୁଷିଆ ସହିତ ଏହି ଶତ୍ରୁତା ଫଳରେ ଚୀନ ଆପଣାକୁ ଆମେରିକାର କ୍ରମଶଃ ଅଧିକ ନିକଟବର୍ତ୍ତୀ ବୋଲି ବି ଅନୁଭବ କରିଛି; ଆମେରିକାର ରାଷ୍ଟ୍ରପତି ଚୀନ ଦର୍ଶନରେ ଆସିଛନ୍ତି–ପୃଥିବୀର ରାଜନୀତି ଭବିଷ୍ୟବକ୍ତାମାନେ ଅନେକ ସମୟରେ କାବା ହୋଇ ଯାଇଛନ୍ତି । ଏହି ରୁଷବିରୋଧୀ ନୀତି ଚୀନ ରାଷ୍ଟ୍ରବାଦୀମାନଙ୍କର ପ୍ରକୃତରେ କି ଉପକାର କରିଛି, ସେ କଥା ଭବିଷ୍ୟତହିଁ ବିଚାର କରିବ ।

 

ଚୀନ ଦେଶରେ ଦୈବକ୍ରମେ ନେତୃତ୍ୱରେ ପରିବର୍ତ୍ତନ ଘଟିବା ଫଳରେ ସୋଭିଏତ ରୁଷିଆ ଏବଂ ଚୀନ ମଧ୍ୟରେ ଠିଆହୋଇ ରହି ଆସିଥିବା ଏହି ବ୍ୟବଧାନଟିରେ ମଧ୍ୟ ଏକ ପରିବର୍ତ୍ତନ ଘଟିବ ବୋଲି ସମସ୍ତେ ଆଶା କରୁଛନ୍ତି । ଖୁବ୍‌ ସମ୍ଭବ ଶ୍ରୀଯୁକ୍ତ ବ୍ରେଜନେଭ ମଧ୍ୟ ସେହିଭଳି ଆଶା କରୁଛନ୍ତି ଓ ହୁଏତ ସେହି କାରଣରୁହିଁ ଶାନ୍ତିପୂର୍ଣ୍ଣ ସହବାସ୍ଥାନ ଏବଂ ପ୍ରତିବେଶୀ ସଦ୍‌ଭାବର ପ୍ରଶ୍ନଗୁଡ଼ିକର ଉତ୍‌ଥାପନ କରିଛନ୍ତି । ଚୀନର ନୂଆ ନେତାମାନଙ୍କର ତରଫରୁ ଏହି ବିଷୟରେ କିଭଳି ପ୍ରତିକ୍ରିୟା ପ୍ରକାଶ ପାଇବ, ସେ କଥା ବର୍ତ୍ତମାନ ଆଦୌ କହି ହେବ ନାହିଁ । ହୁଏ ତ ଆଦୌ କୌଣସି ପ୍ରତିକ୍ରିୟା ପ୍ରକାଶ ପାଇବ ନାହିଁ । ନୂଆ ନେତାମାନେ ଚରମପନ୍ଥୀ ପୁରୁଣା ଗୁଡ଼ାକୁ ଆଗ ଅକ୍ତିଆର ମଧ୍ୟକୁ ଆଣିବାରେ ବର୍ତ୍ତମାନ ଏତେ ବ୍ୟସ୍ତ ରହିଛନ୍ତି ଓ ହୁଏତ ନିକଟ ଭବିଷ୍ୟତରେ ମଧ୍ୟ ଏତେବେଶି ବ୍ୟସ୍ତ ରହିବେ ଯେ ଚୀନର ପ୍ରାଚୀର ଡେଇଁ ବାହାରକୁ ଚାହିଁବା ଲାଗି ସେମାନଙ୍କୁ କୌଣସି ଅବସରହିଁ ମିଳିବ ନାହିଁ । ନାନା କାରଣରୁ ଚୀନ ମାଓଙ୍କ ସମୟରେ ମଧ୍ୟ ଅତିରିକ୍ତ ପରିମାଣରେ ଅନ୍ତର୍ମୁଖୀ ଓ ଆତ୍ମସଚେତ ହୋଇ ରହିଥିଲା ଏବଂ ବର୍ତ୍ତମାନ ନେତୃତ୍ୱର ଯାବତୀୟ ପରିବର୍ତ୍ତନ ସତ୍ତ୍ୱେ ତାହା ସମ୍ଭବତଃ ଠିକ୍ ସେହିପରି ଅନ୍ତର୍ମୁଖୀ ହୋଇ ରହିବାକୁହିଁ ସର୍ବାଧିକ ପସନ୍ଦ କରିବ । ମାତ୍ର ଚୀନର ନେତାମାନେ ଯଦି ଶ୍ରୀ ବ୍ରେଜନେଭଙ୍କର ସଂକେତ ଗୁଡ଼ିକର କୌଣସି ସହାନୁଭୂତିସୂଚକ ପ୍ରତିସଂକେତ ଦିଅନ୍ତି, ତେବେ ସେଥିରୁ ଯେ ବିଶ୍ୱ-ରାଜନୀତି ଓ କ୍ଷମତା- ଶିବିରଗୁଡ଼ାକର ଗଠନରେ ବେଶ୍ ଅନେକ ପରିବର୍ତ୍ତନର ସୂତ୍ରପାତ ହେବ, ସେଥିରେ କୌଣସି ସନ୍ଦେହ ନାହିଁ । ମାର୍କସବାଦୀ ପୃଥିବୀଟି ମଧ୍ୟରେ ଏହା ଅନେକ ନୂତନ ସଞ୍ଚାଳନ ଲାଗି ବାଟ ଫିଟାଇ ଦେବ ।

ତା ୯.୨.୧୯୭୭ ରିଖ

Image

 

ସ୍ପେନରେ ପରିବର୍ତ୍ତନ

 

୧୯୭୫ ମସିହା ନଭେମ୍ବର ୨୦ ତାରିଖରେ ଜେନେରାଲିସିମୋ ଫ୍ରାଙ୍କୋଙ୍କର ମୃତ୍ୟୁ ହେବା ପରେ ସ୍ପେନରେ ଅନେକ ପରିବର୍ତ୍ତନ ହୋଇ ସାରିଲାଣି ଓ ସେହି ଦେଶ ଆହୁରି କେତେ ପରିବର୍ତ୍ତନ ଲାଗି ଅପେକ୍ଷା କରି ରହିଛି ଏବଂ ଅନୁରୂପ ଭାବରେ ପ୍ରସ୍ତୁତ ହେବାରେ ଲାଗିଛି । ଫ୍ରାଙ୍କୋ ତାଙ୍କୁ ୮୨ ବର୍ଷ ହେବା ପର୍ଯ୍ୟନ୍ତ ସ୍ପେନର ଏକଛତ୍ର ଶାସକ ହୋଇ ରହିଥିଲେ; ୧୯୩୬ ମସିହାରୁ ଦୀର୍ଘ ଚାଳିଶ ବର୍ଷକାଳ ସିଏ ଏହିପରି ଭାବରେ ଶାସକ ହୋଇ ରହିଲେ; ସ୍ପେନରେ ସେତେବେଳେ ପ୍ରତିଷ୍ଠିତ ହୋଇ ରହିଥିବା ଗଣତନ୍ତ୍ର ଶାସନକୁ ହତ୍ୟା କରି ସିଏ ଶାସନର ଦଣ୍ଡ ଗ୍ରହଣ କରିଥିଲେ ।

 

ଫ୍ରାଙ୍କୋଙ୍କର ମୃତ୍ୟୁ ପରଠାରୁ ସେଠାରେ ରାଜା ଜୁଆନ୍ କାର୍ଲୋସ୍ ଏବଂ ପ୍ରଧାନମନ୍ତ୍ରୀ ଆଡ଼ୋଲ୍‌ଫୋ ସୁଆରେଜ ଯାହାକିଛି ନୂତନ କରି ପ୍ରତିଷ୍ଠା କରିବା ଲାଗି ଉଦ୍ୟମ କରୁଛନ୍ତି, ତାହା ଆଦୌ ଏକଛତ୍ରବାଦ ନୁହେଁ । ସେମାନେ ଦେଶରେ ଏକ ଦୃଢ଼ମୂଳ ଗଣତନ୍ତ୍ର ଶାସନ ପ୍ରବର୍ତ୍ତନ କରିବାକୁ ଇଚ୍ଛା କରୁଛନ୍ତି, ସ୍ପେନକୁ ଆଧିୁନିକ ଯୁଗ- ସଚେତନ ଇଉରୋପ ସହିତ ଯଥାର୍ଥ ଭାବରେ ସାମିଲ କରିବାକୁ ଚେଷ୍ଟା କରୁଛନ୍ତି, ସ୍ପେନ ଦେଶର ଅଧିବାସୀମାନଙ୍କୁ ପୁରାତନ ରାଜନୀତିକ ତ୍ରାସର ଗହ୍ୱର ଭିତରୁ ମୁକ୍ତ କରି ଆଣି ଏକ ଯଥାର୍ଥ ସ୍ୱୟଂଶାସନର ମୁକ୍ତ ଏବଂ ସ୍ୱାଭାବିକ ବାତାବରଣର ପ୍ରବର୍ତ୍ତନ କରିବା ଲାଗି ଚେଷ୍ଟା କରୁଛନ୍ତି । ଏକଥା ସତ ଯେ ଯେତେବେଳେ ସ୍ପେନର ଗଣତନ୍ତ୍ରକୁ ହତ୍ୟା କରି ଫ୍ରାଙ୍କୋ ଏକଛତ୍ର ଶାସନର ପ୍ରତିଷ୍ଠା କରିଥିଲେ, ସେତେବେଳେ କାର୍ଲୋସ ଏବଂ ସୁଆରେଜ୍‌ ସାମୂହିକ ରାଜନୀତିକ ଜୀବନକୁ ବୁଝିପାରିବାର ବୟସରେ ପ୍ରବେଶ କରି ନ ଥିଲେ । ସେମାନେ ଏବେ ଦେଶବାସୀଙ୍କ ଆଗରେ ପ୍ରତିଶ୍ରୁତି ଦେଇଛନ୍ତି ଯେ ଆଗାମୀ ଜୁନ ମାସରେ ସ୍ପେନରେ ଏକ ସ୍ୱାଧୀନ ନିର୍ବାଚନ ହେବ ଏବଂ ତା’ପରେ ତାହାକୁହିଁ ଭିତ୍ତିକରି ସେଠାରେ ଏକ ଯଥାର୍ଥ ପ୍ରତିନିଧିମୂଳକ ଶାସନତନ୍ତ୍ରର ପ୍ରତିଷ୍ଠା ମଧ୍ୟ ହେବ ।

 

ଫ୍ରାଙ୍କୋଙ୍କର ମୃତ୍ୟୁ ପରେ ସ୍ପେନ ଦେଶରୁ ଯେ ତାଙ୍କ ପ୍ରତି ଅନୁରକ୍ତ ରହି ଆସିଥିବା ଉପାଦାନଗୁଡ଼ିକର ଅନୁରକ୍ତି ମଧ୍ୟ ସମ୍ପୂର୍ଣ୍ଣ ଭାବରେ ବିଦାୟ ନେଇଯାଇଛି, ସେ କଥା ମୋଟେ ନୁହେଁ-। ସ୍ପେନରେ ପୂର୍ବର ସେହି ଉଗ୍ର ଦକ୍ଷିଣପନ୍ଥୀମାନେ ଏବେ ମଧ୍ୟ ଅଳ୍ପବହୁତ ସକ୍ରିୟ ହୋଇ ରହିଛନ୍ତି ଓ ସେମାନଙ୍କର ଦୃଷ୍ଟି ପ୍ରାୟ ଗୋଟାସୁଦ୍ଧା ପଶ୍ଚାତ୍‍ମୁଖୀ ହୋଇ ରହିଛି । ଅବଶ୍ୟ ଏ କଥା ସତ ଯେ ରାଜା କାର୍ଲୋସ ଗତ ଗୋଟିଏ ବର୍ଷ ଭିତରେ କୌଣସି ପ୍ରକାର ସାଧାରଣ ଅନୁଷ୍ଠାନରେ ଫ୍ରାଙ୍କୋଙ୍କ ନାମୋଲ୍ଲେଖ ବି କରିନାହାନ୍ତି । ଫ୍ରାଙ୍କୋଙ୍କ ଜୀବଦ୍ଦଶାରେ ତାଙ୍କ ପ୍ରତି କାର୍ଲୋସଙ୍କର ଯେତେଯାହା ସହାନୁଭୂତି ରହି ଆସିଥାଉ ପଛକେ, ବର୍ତ୍ତମାନ ସେ ସ୍ପେନର ସେହି ପୁରାତନ ଅଧ୍ୟୟଟିକୁ ସମ୍ପୂର୍ଣ୍ଣ ଭାବରେ ପରିସମାପ୍ତ କରି ଆଣିବାକୁ ଚାହୁଛନ୍ତି ଓ ସ୍ପେନର ସାମୂହିକ ଜୀବନକୁ ଏକ ନୂତନ ବାୟୁ ସକାଶେ ଉନ୍ମୋଚିତ କରିଦେବାକୁ ଇଚ୍ଛା କରୁଛନ୍ତି । ଫ୍ରାଙ୍କୋଙ୍କ ସମୟରେ ମଧ୍ୟ ସ୍ପେନ ଦେଶରେ ଏକ ତଥାକଥିତ ପାର୍ଲାମେଣ୍ଟ ରହିଥିଲା । ମାତ୍ର ଫ୍ରାଙ୍କୋ ମୂଳତଃ ଏକଛତ୍ରବାଦରେ ବିଶ୍ୱାସ କରୁଥିବାରୁ ଏବଂ ନିଜେ ସେହି ଏକଛତ୍ର ଶାସକର ଆସନରେ ଆସୀନ ହୋଇ ରହିଥିବାରୁ ତାଙ୍କ ଆଦେଶଦ୍ୱାରା ଗଠିତ ଓ ପ୍ରତିଷ୍ଠିତ ପାର୍ଲାମେଣ୍ଟ ମଧ୍ୟ ଠିକ୍‌ ତାଙ୍କରି ହାତବାରିସୀ ହୋଇ ରହିଥିଲା ଓ ତାଙ୍କରି ଆଦେଶଗୁଡ଼ାକୁହିଁ କାର୍ଯ୍ୟକାରୀ କରିବାରେ ଆପଣାକୁ ଏକ ଆଜ୍ଞାପାଳକ ଯନ୍ତ୍ରରୂପେ ବ୍ୟବହାର କରୁଥିଲା । ଏ କଥା ଆଦୌ ଭୁଲିଯିବା ଉଚିତ ନୁହେଁ ଯେ ପାର୍ଲାମେଣ୍ଟର ସବୁଯାକ ସଦସ୍ୟଙ୍କୁ ସ୍ୱୟଂ ଫ୍ରାଙ୍କୋହିଁ ମନୋନୀତ କରି ଆଣୁଥିଲେ । ଅର୍ଥାତ୍‌, ନିଜର ଆଜ୍ଞାବହମାନଙ୍କୁହିଁ ସିଏ ଲୋକପ୍ରତିନିଧି ବୋଲି କହୁଥିଲେ । ବର୍ତ୍ତମାନ ପ୍ରଧାନମନ୍ତ୍ରୀର ଦାୟିତ୍ୱ ତୁଲାଉଥିବା ସୁଆରେଜ ମଧ୍ୟ ଲୋକମାନଙ୍କଦ୍ୱାରା ନିର୍ବାଚିତ ହୋଇନାହାନ୍ତି, ସିଏ ରାଜା କାର୍ଲୋସଙ୍କଦ୍ୱାରା ମନୋନୀତ ହୋଇ ଆସିଛନ୍ତି ଏବଂ ଗତ ଜୁଲାଇ ମାସଠାରୁ ସେହି କାର୍ଯ୍ୟଭାରଟିକୁ ସମ୍ଭାଳିଛନ୍ତି । ସୁଆରେଜ ଏବେ ସ୍ପେନରେ ପ୍ରଚଳିତ ହୋଇ ଆସିଥିବା ସମ୍ବିଧାନରେ ପରିବର୍ତ୍ତନ ଓ ସଂଶୋଧନ କରାଯାଉ ବୋଲି ପ୍ରସ୍ତାବ ଦେଇଛନ୍ତି । ସଂଶୋଧନଟି ଫଳରେ ବର୍ତ୍ତମାନର ମିଛ ପାର୍ଲାମେଣ୍ଟକୁ ଭାଙ୍ଗିଦିଆଯିବ ଏବଂ ତା’ ବଦଳରେ ସ୍ପେନରେ ଦ୍ୱିକକ୍ଷବିଶିଷ୍ଟ ଏକ ପାର୍ଲାମେଣ୍ଟର ପ୍ରତିଷ୍ଠା ହେବ । ଏଥିରେ କେବଳ ଚାଳିଶିଜଣ ମନୋନୀତ ସିନେଟରଙ୍କୁ ଛାଡ଼ିଦେଲେ ଆଉ ସମସ୍ତେ ଏକ ମୁକ୍ତ ନିର୍ବାଚନଦ୍ୱାରା ଜନଗଣଙ୍କଦ୍ୱାରା ନିର୍ବାଚିତ ହୋଇ ଆସିବେ । ଆଗାମୀ ଜୁନ ମାସରେ ଏହି ନିର୍ବାଚନ ହେବ ବୋଲି ଏହା ମଧ୍ୟରେ ଘୋଷଣା ହୋଇ ସାରିଲାଣି । ସେହି ନୂତନ ପାର୍ଲାମେଣ୍ଟ ସ୍ପେନ ଲାଗି ଏକ ନୂତନ ଗଣତାନ୍ତ୍ରିକ ସମ୍ବିଧାନ ତିଆରି କରିବ ବୋଲି ମଧ୍ୟ ଘୋଷଣା କରାଯାଇଛି-

 

ମାତ୍ର ଦୀର୍ଘ ଚାଳିଶି ବର୍ଷ ହେଲା ଜଣେ ଡିକ୍‍ଟେଟରଙ୍କଦ୍ୱାରା ଡିକ୍‍ଟେଟରି ଶାସନରେ ମଣ ହୋଇ ଆସିଥିବା ଗୋଟିଏ ଦେଶଙ୍କୁ ଏଡ଼େ ଶୀଘ୍ର ଏକ ଗଣତନ୍ତ୍ର ନିର୍ବାଚନମୂଳକ ଲୋକଶାସନ ଲାଗି ପ୍ରସ୍ତୁତ କରିବା ଆଦୌ ସହଜ ବ୍ୟାପାର ନୁହେଁ । ଗତ ଚାଳିଶି ବର୍ଷର ଅମଲାତନ୍ତ୍ର ସ୍ପେନରେ ଯେଉଁ ମନୋଭାବଦ୍ୱାରା ଦେଶର ଶାସନକାର୍ଯ୍ୟକୁ ନେଇ ଆଣି ଥୋଇ ଆଣିଥିଲେ, ସେହି ଅମଲାତନ୍ତ୍ର ଏବେ ମଧ୍ୟ ସେହିପରି ରହିଛି ଓ ନୂତନ ଅଭୀଷ୍ଟଟି ଅନୁସାରେ କୌଣସି ଅନ୍ୟ ପ୍ରକାରର ଶିକ୍ଷାଗ୍ରହଣ କରିବାକୁ ଅଥବା ଆପଣାକୁ ଅନ୍ୟଭାବରେ କ୍ରମଶଃ ଅଭ୍ୟସ୍ତ କରି ଆଣିବାକୁ ଆଦୌ ସହଜରେ ପ୍ରସ୍ତୁତ ହୋଇପାରୁନାହିଁ । ସ୍ପେନର ପୋଲିସ ବାହିନୀ ନିୟମତଃ ଜନଗଣଙ୍କୁ ପ୍ରହାର ଓ ସାବାଡ଼ କରିବାରେହିଁ ଅଭ୍ୟସ୍ତ ରହିଆସିଥିଲେ । ଜନଗଣର ସହାୟକ ବନ୍ଧୁ ହିସାବରେ ଆପଣାର ନିର୍ଦ୍ଦିଷ୍ଟ ଭୂମିକାଗୁଡ଼ିକୁ ଗ୍ରହଣ କରିବା ସେମାନଙ୍କ ପକ୍ଷରେ ମୋଟେ ସହଜ ହେଉନାହିଁ । ବସ୍ତୁତଃ, ବର୍ତ୍ତମାନ ମଧ୍ୟ ସ୍ପେନର ପୋଲିସ୍ ବାହିନୀରେ ଏପରି ଏକ ଶକ୍ତିଯୋର ରହିଛି, ଯାହା ଉପରେ କି ଅନେକ ସମୟରେ ରାଜା କାର୍ଲୋସ ଅଥବା ପ୍ରଧାନମନ୍ତ୍ରୀ ସୁଆରେଜ ପ୍ରାୟ କାହାରିହେଲେ ଅକ୍ତିଆର ରହିପାରୁନାହିଁ ।

 

ଏଥିରୁ ଜଣାଯାଉଛି, ପରିବର୍ତ୍ତନ ସକାଶେ ସମୟ ଲାଗିବ । ବାହାର ପଟବଦଳା ସତ୍ତ୍ୱେ ଅସଲ ପରିବର୍ତ୍ତନ ଲାଗି ନିଶ୍ଚୟ ସମୟ ଲାଗିବ ।

ତା ୨୩.୨.୧୯୭୭ ରିଖ

Image

 

ଫିଲିପାଇନ୍‌ରେ ଶାନ୍ତି

 

ଫିଲିପାଇନ୍‌ ଦ୍ୱୀପପୁଞ୍ଜରେ ବାସ କରୁଥିବା ମୁସଲମାନ ଏବଂ ଖ୍ରୀଷ୍ଟିଆନ ଧର୍ମାବଲମ୍ବୀଙ୍କ ମଧ୍ୟରେ ଗତ ଦୀର୍ଘକାଳ ଧରି ଯେଉଁ ବିବାଦ ରହି ଆସିଥିଲା ଏବଂ ସଂପ୍ରତି ସମ୍ପୂର୍ଣ୍ଣ ଏକ ରାଜନୀତିକ ଆନ୍ଦୋଳନର ଆକାର ଧାରଣ କରିଥିଲା, ସେହି ବିବାଦରେ ବର୍ତ୍ତମାନ ଅନ୍ତତଃ ଆପାତ ଭାବରେ ଏକ ଶାନ୍ତି ପ୍ରତିଷ୍ଠିତ ହେବାକୁ ଯାଉଛି । ଏହି ବିବାଦଟି ଫଳରେ ବିଗତ ଚାରିବର୍ଷ ମଧ୍ୟରେ ପ୍ରାୟ ୧,୦୦,୦୦ ସାଧାରଣ ଅଧିବାସୀଙ୍କର ପ୍ରାଣ ଯାଇଛି, ସରକାରୀ ସୈନ୍ୟ ଦୁଇହଜାର ମରିଛନ୍ତି ଏବଂ ବିଦ୍ରୋହୀ ମୁସଲମାନଙ୍କ ପକ୍ଷରୁ ଚାରିହଜାର ମୃତ୍ୟୁବରଣ କରିଛନ୍ତି ଏବଂ ସର୍ବମୋଟ ପ୍ରାୟ ଦଶଲକ୍ଷ ମଣିଷ ଗୃହଶୂନ୍ୟ ହୋଇଛନ୍ତି ।

 

ଫିଲିପାଇନ୍‌ ଦ୍ୱୀପପୁଞ୍ଜର ବିଭିନ୍ନ ଦ୍ୱୀପରେ ବାସ କରୁଥିବା ମୋଟ ପ୍ରାୟ ସାଢ଼େ ଚାରିକୋଟି ମଣିଷଙ୍କ ଭିତରେ ଶତକଡ଼ା ପାଞ୍ଚଭାଗ ହେଉଛନ୍ତି ମୁସଲମାନ । ଦ୍ୱୀପପୁଞ୍ଜର ଦକ୍ଷିଣଭାଗରେ ମୋଟ ତେରଟି ପ୍ରଦେଶରେ ଏହି ମୁସଲମାନମାନେ ବାସ କରୁଛନ୍ତି । ସେଥିରୁ ପାଞ୍ଚୋଟି ପ୍ରଦେଶରେ ସେମାନଙ୍କର ସଂଖ୍ୟାଗରିଷ୍ଠତା ରହିଛି ଏବଂ ଦ୍ୱୀପପୁଞ୍ଜର ଉତ୍ତରାଞ୍ଚଳର ଦ୍ୱୀପଗୁଡ଼ିକରେ ପ୍ରଧାନତଃ ଖ୍ରୀଷ୍ଟିଆନମାନେ ବାସ କରୁଛନ୍ତି । ଏଠାରେ ସ୍ମରଣ କରାଯାଇପାରେ ଯେ ପ୍ରଥମେ ଫିଲିପାଇନ୍‌ରେ ମୁସଲମାନ କିମ୍ବା ଖ୍ରୀଷ୍ଟିଆନ କେହି ହେଲେ ନଥିଲେ । ଇସ୍‌ଲାମ ଏବଂ ଖ୍ରୀଷ୍ଟିଆନ ଉଭୟ ଧର୍ମ ଦ୍ୱୀପପୁଞ୍ଜକୁ ବାହାରୁହିଁ ଆସିଛନ୍ତି । ଏଗୁଡ଼ିକ ଆସି ପହଞ୍ଚିବା ପୂର୍ବରୁ ଅର୍ଥାତ୍‌ ଦ୍ୱୀପପୁଞ୍ଜଟିରେ ଆପଣାର ଶିବିର ବିସ୍ତାର କରିବା ପୂର୍ବରୁ ସେଠାରେ ବାସ କରୁଥିବା ଲୋକମାନଙ୍କର ଯେଉଁ ଧର୍ମ ଥିଲା, ତାହା ବର୍ତ୍ତମାନ ପ୍ରଧାନତଃ ଏକ ମିଉଜିୟମ ଧର୍ମରେ ପରିଣତ ହୋଇ ସାରିଲାଣି । ଫିଲିପାଇନ୍‌କୁ ପ୍ରଥମେ ଇସ୍‌ଲାମ ଆସିଛି ଓ ତା’ପରେ ଆଧୁନିକ ବାଣିଜ୍ୟ ଓ ସାମ୍ରାଜ୍ୟସ୍ଥାପନର ଯୁଗରେ ଖ୍ରୀଷ୍ଟିଆନ ମିଶନାରୀମାନେ ସେଠାକୁ ଖ୍ରୀଷ୍ଟିଆନ୍‌ ଧର୍ମକୁ ବହନ କରି ଆଣିଛନ୍ତି । ଇତିହାସଗତ ଏବଂ ସ୍ଥାନୀୟ ନାନା କାରଣରୁ ଫିଲିପାଇନ୍‌ର ରାଜନୀତି ଏବଂ ଅର୍ଥ ବ୍ୟବସ୍ଥାରେ ଖ୍ରୀଷ୍ଟିଆନମାନଙ୍କରହିଁ ରାଜଭାଗ ରହିଛି ଏବଂ ମୁଖ୍ୟତଃ ସେହି କାରଣରୁ ଦକ୍ଷିଣାଞ୍ଚଳର ଦ୍ୱୀପଗୁଡ଼ିକରେ ବାସକରୁଥିବା ମୁସଲମାନମାନେ ଏକାଧିକ ଦୃଷ୍ଟିରୁ ଆପଣାକୁ ଅବହେଳିତ କରି ଅନୁଭବ କରୁଛନ୍ତି ଏବଂ ଧର୍ମର ବାନା ତଳେ ଆପଣାକୁ ଏକତ୍ର କରି ଆଣିବାର ପ୍ରୟୋଜନଟିକୁ ମଧ୍ୟ ଅନୁଭବ କରିଛନ୍ତି । ସେମାନେ ଆପଣାର ଅଞ୍ଚଳଟି ଲାଗି ବହୁ ପରିମାଣରେ ଏକ ସ୍ୱାୟତ୍ତଶାସନ ଓ ଆଞ୍ଚଳିକ ସ୍ୱାତନ୍ତ୍ର୍ୟ ଦାବୀ କରି ଆସିଛନ୍ତି । କ୍ଷମତାପନ୍ନ ଖ୍ରୀଷ୍ଟିଆନ ଗୋଷ୍ଠୀର ଅନିଚ୍ଛୁକତାର ସମ୍ମୁଖୀନ ହେବା ଲାଗି ସେମାନେ ଗତ ଚାରିବର୍ଷ ହେଲା ଅସ୍ତ୍ର ବି ଧାରଣ କରିଛନ୍ତି ଓ ସେହି ଉଦ୍ଦେଶ୍ୟରେ ବାହାରୁ ମଧ୍ୟ ପରୋକ୍ଷ ତଥା ପ୍ରତ୍ୟକ୍ଷ ସାହାଯ୍ୟ ପାଇଛନ୍ତି । ଲିବିୟା ଦେଶର ଏକଚ୍ଛତ୍ର ରାଷ୍ଟ୍ରପତି ଗାଡ଼ାଫି ଦକ୍ଷିଣ ଫିଲିପାଇନ୍‌ର ମୋରୋ ମୁସଲମାନମାନଙ୍କୁ ଅସ୍ତ୍ର ଏବଂ ଅର୍ଥ ଉଭୟ ପ୍ରକାରର ସାହାଯ୍ୟ ଦେଇଆସିଛନ୍ତି । ଏହି ଗୃହଯୁଦ୍ଧରେ ନିଯୁକ୍ତ ହେଉଥିବା ଗରିଲାମାନଙ୍କୁ ଲିବିୟାରେ ତାଲିମ ଦିଆଯାଇଛି ଓ ଅନେକ ସମୟରେ ଲିବିୟାର ସେନାମୁଖ୍ୟମାନେ ଫିଲିପାଇନ୍‌ ଆସି ଗରିଲା ଆନ୍ଦୋଳନର ପ୍ରତ୍ୟକ୍ଷ ତତ୍ତ୍ୱାବଧାନ ମଧ୍ୟ କରିଛନ୍ତି । ବିଦ୍ରୋହୀମାନଙ୍କର ଶକ୍ତି କ୍ରମଶଃ ବୃଦ୍ଧିପାଇଛି, ସେମାନେ ଭିଆଉଥିବା କ୍ଷତିର ପରିମାଣ ଓ ଆୟତନରେ ମଧ୍ୟ ବୃଦ୍ଧି ଘଟିଛି ।

 

ସମସ୍ୟାଟିର ସମାଧାନ କରିବାକୁ ଯାଇ ଫିଲିପାଇନ୍‌ର ରାଷ୍ଟ୍ରପତି ମାର୍କୋସଙ୍କୁ ସିଧା ଯାବତୀୟ ସଂଘାତର ଅସଲ ମୂଳଟି ପର୍ଯ୍ୟନ୍ତ ଯିବାକୁ ପଡ଼ିଛି । ସେ ଆପଣାର ପତ୍ନୀଙ୍କୁ ଏକ ସମାଧାନର ଅନୁରୋଧ ପେଶ୍‌ କରିବାଲାଗି ସିଧା ଗାଡ଼ାଫିଙ୍କ ପାଖକୁ ଲିବିୟାର ରାଜଧାନୀ ତ୍ରିପୋଲି ପଠାଇଛନ୍ତି । ଗତ ଡିସେମ୍ବର ମାସରେ ଏହାପରେ ଏହି କ୍ଷେତ୍ରରେ ପ୍ରାଥମିକ କଥାବାର୍ତ୍ତାମାନ ହୋଇଯାଇଛି ଓ ଏହି ଫେବୃୟାରୀ ମାସରେ ଆଉ ଏକ ମୁଖ୍ୟ କଥାବାର୍ତ୍ତା ହେବାର ଅଛି । ଦକ୍ଷିଣାଞ୍ଚଳରେ ବାସ କରୁଥିବା ମୁସଲମାନମାନଙ୍କ ଲାଗି ସ୍ୱାୟତ୍ତଶାସନ ଏବଂ ଆଞ୍ଚଳିକ ସ୍ୱାତନ୍ତ୍ର୍ୟକୁ ସ୍ୱୀକାର କରି ନିଆଯାଇଛି ଏବଂ ଏହି ମର୍ମରେ ଚରମ ରାଜିନାମାଟି ଆଗାମୀ ଏପ୍ରିଲ ମାସରେ ସ୍ୱାକ୍ଷରିତ ହେବ ବୋଲି କଥା ରହିଛି । ଏହି ଅନୁଷ୍ଠାନଟି ସମୟରେ ସ୍ୱୟଂ ଉପସ୍ଥିତ ରହିବା ଲାଗି ଲିବିୟାର କର୍ଣ୍ଣେଲ ଗାଡ଼ାଫି ଏପ୍ରିଲରେ ଫିଲିଫାଇନ୍‌ର ରାଜଧାନୀ ମାନିଲା ଆସୁଛନ୍ତି-। ସମ୍ପୃକ୍ତ ଉଭୟ ପକ୍ଷ ଅନେକ ଆଶାର ସହିତ ସେହି ରାଜିନାମାଟି ପାଇଁ ଅପେକ୍ଷା କରି ରହିଛନ୍ତି ।

 

ଏହି ରାଜିନାମାଟି ସ୍ୱାକ୍ଷରିତ ହୋଇଗଲେ ଫିଲିପାଇନ୍‌ର ମୁସଲମାନମାନଙ୍କ ପାଇଁ ବାରଗୋଟି ପ୍ରଦେଶରେ ସେମାନଙ୍କର ସ୍ୱତନ୍ତ୍ର ବିଦ୍ୟାଳୟ ଓ ବିଚାରାଳୟମାନ ଖୋଲାଯିବ । ସେହି ଅଞ୍ଚଳଟି ଲାଗି ଏକ ସ୍ୱତନ୍ତ୍ର ନିରାପତ୍ତା ବାହିନୀ ମଧ୍ୟ ନିଯୁକ୍ତି ହୋଇ ରହିବ । ମୁସଲମାନମାନେ ନିଜ ଅଞ୍ଚଳଟି ପାଇଁ ଏକ ସ୍ୱତନ୍ତ୍ର ପ୍ରଶାସନଗତ ଓ ଆର୍ଥିକ ବ୍ୟବସ୍ଥାର ପ୍ରଣୟନ କରିପାରିବେ । ପ୍ରତ୍ୟକ୍ଷ ସାଧାରଣ ନିର୍ବାଚନଦ୍ୱାରା ନିର୍ବାଚିତ ପ୍ରତିନିଧିମାନେ ଅଞ୍ଚଳଟି ଲାଗି ଏକ ଅଲଗା ବିଧାନସଭା ଗଠନ କରିବେ । ଶ୍ରୀଯୁକ୍ତ ମାର୍କୋସ ଏକଥା ମଧ୍ୟ ଘୋଷଣା କରି ସାରିଲେଣି ଯେ ଦ୍ୱିତୀୟ ମୁଥର କଥାବାର୍ତ୍ତା ଶେଷ ହେବା ପରେ, ଦକ୍ଷିଣ ଫିଲିପାଇନ୍‌ର ୧୩ଟି ପ୍ରଦେଶରୁ ପ୍ରକୃତରେ କେତୋଟି ପ୍ରଦେଶର ଅଧିବାସୀ ସ୍ୱାତନ୍ତ୍ର୍ୟ ଲାଭ କରିବାକୁ ଯାଉଥିବା ଅଞ୍ଚଳଟି ସହିତ ଯୋଗ ଦେବାକୁ ଚାହୁଛନ୍ତି, ତାହାର ନିର୍ଦ୍ଧାରଣ ପାଇଁ ସେଠାରେ ଏକ ଗଣଭୋଟ ଗ୍ରହଣ କରାଯିବ-। ଏହା ସହିତ ଏକଥାଟିର ମଧ୍ୟ ଘୋଷଣା କରାଯାଇଛି ଯେ କେବଳ ମୁସଲମାନମାନେ ବାସକରୁଥିବା ଅଞ୍ଚଳଟିରେ ନୁହେଁ, ଦ୍ୱୀପପୁଞ୍ଜର ଅନ୍ୟାନ୍ୟ ଅଞ୍ଚଳରେ ମଧ୍ୟ ସ୍ୱୟଂଶାସିତ ସ୍ୱତନ୍ତ୍ର ଅଞ୍ଚଳଗୁଡ଼ିକର ସ୍ଥାପନା କରାଯିବ । ଏହା କ୍ରମଶଃ ହେବ ଏବଂ ଏହି ଯାବତୀୟ ଆଞ୍ଚଳିକ ସ୍ୱାତନ୍ତ୍ର୍ୟ ସତ୍ତ୍ୱେ ସମସ୍ତେ କେନ୍ଦ୍ର ଫିଲିପାଇନ୍‌ର ଜାତୀୟ ସରକାରଙ୍କର ଅଧିନ ହୋଇ ରହିବେ ।

 

ଏହିସବୁ ନୂତନ ପ୍ରଣୟନ ଫଳରେ ସମଗ୍ର ଦ୍ୱୀପପୁଞ୍ଜଟି ହୁଏତ ପ୍ରଶାସନଗତ ଓ ପରସ୍ପର ବିମୁଖ କେତୋଟି ଦ୍ୱୀପରେହିଁ ପରିଶେଷରେ ବିଭକ୍ତ ହୋଇ ପଡ଼ିବ ବୋଲି ଆଶଙ୍କା କରିବା ଲାଗି ଏହି କ୍ଷେତ୍ରରେ କୌଣସି କାରଣ ପ୍ରଚ୍ଛନ୍ନ ହୋଇ ରହିନାହିଁ ତ ?

ତା ୨୬.୨.୧୯୭୭ ରିଖ

Image

 

ଚିକିତ୍ସକର ଦୟା

 

ଯେଉଁମାନେ ରୋଗରେ ପଡ଼ନ୍ତି ଏବଂ ରୋଗର ଚିକିତ୍ସା କରାଇବା ସକାଶେ ଯେଉଁମାନଙ୍କର ସମ୍ବଳ ରହିଥାଏ, ସେମାନଙ୍କୁ ନିୟମିତ ଡାକ୍ତରମାନଙ୍କ ଉପରେ ଅର୍ଥାତ୍‌ ସେମାନଙ୍କର ଦୟା ଉପରେ ନିର୍ଭର କରିବାକୁ ପଡ଼ିଥାଏ । ଡାକ୍ତରୀବିଦ୍ୟା କ୍ରମଶଃ ଏକ ବିଶେଷବିଦ୍ୟା ଅର୍ଥାତ୍ କେବଳ ବିଶେଷଜ୍ଞମାନେ ହାସଲ କରୁଥିବା ଏକ ବିଦ୍ୟାରେ ପରିଣତ ହେଉଥିବା ସଙ୍ଗେ ସଙ୍ଗେ ରୋଗୀମାନଙ୍କର ଏହି ନିର୍ଭରଶୀଳତା ମଧ୍ୟ ଅତିରିକ୍ତ ପରିମାଣରେ ବୃଦ୍ଧି ପାଇବାକୁ ବାଧ୍ୟ ହୋଇଛି । ନୂଆ ନୂଆ ଔଷଧର ଆବିଷ୍କାର ମଧ୍ୟ ଆମ ଡାକ୍ତରମାନଙ୍କୁ ଆପଣାର ବିଜ୍ଞାନ ତଥା ଔଷଧଗୁଡ଼ାକ ବିଷୟରେ ପ୍ରାୟ ଅନମନୀୟ ଭାବରେ ଜଣେ ଜଣେ ଅନ୍ଧବିଶ୍ୱାସୀ ହେବା ଲାଗି ପ୍ରବର୍ତ୍ତନା ଦେବାରେ ଲାଗିଛି । ଯେଉଁଦିନଠାରୁ ଔଷଧ ଜଗତରେ ଆଣ୍ଟିବାୟୋଟିକ୍‌ ବା ପେନ୍‌ସିଲିନ ଗୋଷ୍ଠୀର ଔଷଧଗୁଡ଼ିକର ଆବିର୍ଭାବ ହେଲାଣି, ସେହି ଦିନଠାରୁ ଆମ ଡାକ୍ତରମାନେ ଏହି କ୍ଷେତ୍ରରେ ହୁଏତ ଆହୁରି ଅଧିକ ପରିମାଣରେ ଅନ୍ଧବିଶ୍ୱାସୀ ହୋଇଛନ୍ତି । ରାଜଧାନୀ ଦିଲ୍ଲୀରେ ଚିକିତ୍ସାବିଜ୍ଞାନ ଗବେଷଣାର ଯେଉଁ ଭାରତୀୟ କାଉନ୍‌ସିଲ ରହିଛି, ତାହାର ମହାସଚିବ ଏଥର ତାଙ୍କର ବାର୍ଷିକ ବିବରଣୀରେ ଭାରତବର୍ଷରେ ପ୍ରାୟ ବିବେକଶୂନ୍ୟ ଭାବରେହିଁ ଆଣ୍ଟିବାୟୋଟିକ୍‌ର ବ୍ୟବହାର କରାଯାଉଛି ବୋଲି ସ୍ୱୟଂ ସ୍ୱୀକାର କରିଛନ୍ତି ଓ ଏଥିରେ ନିହିତ ହୋଇ ରହିଥିବା ଆନୁସଙ୍ଗିକ ବିପଦଗୁଡ଼ିକ ପ୍ରତି ସମ୍ପୃକ୍ତ ସମସ୍ତଙ୍କୁ ସାବଧାନ କରାଇ ଦେଇଛନ୍ତି । ଡାକ୍ତରଖାନାମାନଙ୍କରେ ଯହିଁ ତହିଁ ଆଣ୍ଟିବାୟୋଟିକ୍‌ର ପ୍ରୟୋଗ କରାଯାଇ ପାରିବା ଫଳରେ ଡାକ୍ତରମାନଙ୍କ ମନରେ ଯେଉଁ ଏକ ଅତିନିଶ୍ଚିତତାର ମନୋଭାବ ଜନ୍ମଲାଭ କରିଛି, ତାହାରି ଫଳରେ ସେମାନେ ଅନେକ ସମୟରେ ଅସ୍ତ୍ରୋପଚାର ଏବଂ ଡ୍ରେସିଂ ପ୍ରଭୃତି କ୍ଷେତ୍ରରେ ଯଥେଷ୍ଟ ସାବଧାନ ନ ହେବା ସକାଶେ ଉତ୍ସାହିତ ହୋଇଛନ୍ତି ଓ ସେହି କାରଣରୁ ଆମ ଦେଶର ଡାକ୍ତରଖାନାମାନଙ୍କରେ ବାହ୍ୟ ସଂକ୍ରମଣ ଫଳରେ ଅନେକ ରୋଗୀ ମୃତ୍ୟୁମୁଖରେ ପଡ଼ିବାକୁ ବାଧ୍ୟ ହେଉଛନ୍ତି ।

 

ପ୍ରାୟ ଆଖିବୁଜା ଭାବରେ ଆଣ୍ଟିବାୟୋଟିକ୍‌ଗୁଡ଼ିକର ବ୍ୟବହାର ଫଳରେ ଯେ ଅନେକ ସମୟରେ ରୋଗୀ ଲାଗି ମୃତ୍ୟୁକୁ ଡାକି ଅଣାଯାଉଛି ବା ତାହାକୁ ନାନା ଦୃଷ୍ଟିରୁ ସାରା ଜୀବନ ଲାଗି ଅସମର୍ଥ ବି କରି ଦିଆଯାଉଛି, ଏ ବିଷୟରେ ସମ୍ପୃକ୍ତ କ୍ଷେତ୍ରରେ ବୈଜ୍ଞାନିକମାନେ ଆମକୁ ବାରମ୍ବାର ସାବଧାନ କରିଦେଇଛନ୍ତି । ଅବଶ୍ୟ, ଆମ ଦେଶରେ ଏହି ଅପଚାରର କୌଣସି ବିଧିବଦ୍ଧ ହିସାବ କେବେହେଲେ ରଖାଯାଇନାହିଁ । ଯୁକ୍ତରାଜ୍ୟ ଆମେରିକାରେ (ସୁମାରିଦ୍ୱାରା) ଜଣାପଡ଼ିଛି ଯେ, ସେଠାରେ ଅବିବେଚିତ ଭାବରେ ଆଣ୍ଟିବାୟୋଟିକ୍ ଜାତୀୟ ଔଷଧଗୁଡ଼ାକର ପ୍ରୟୋଗ କରିବା ଫଳରେ ପ୍ରତିବର୍ଷ ଏକଲକ୍ଷ ଲୋକଙ୍କର ମୃତ୍ୟୁ ଘଟୁଛି । କ୍ଷେତ୍ରଜ୍ଞମାନେ କହନ୍ତି ଯେ ଆମ ଦେଶରେ ଯେତେ ପରିମାଣରେ ଯେତେ ରୋଗରେ ଡାକ୍ତରମାନେ ଆଣ୍ଟିବାୟୋଟିକ୍ ବ୍ୟବହାର କରିବା ପାଇଁ ପରାମର୍ଶ ଦେଇଥାନ୍ତି, ତାହାର ଏକ ପଞ୍ଚମାଂଶରୁ ଅଧେ ପର୍ଯ୍ୟନ୍ତ କ୍ଷେତ୍ରରେ ସେପରି ପ୍ରୟୋଗର ଆଦୌ କୌଣସି ପ୍ରୟୋଜନ ନଥାଏ । ଏପରି କେତେକ ବିଶେଷ ଔଷଧ ରହିଛି, ଯାହାକୁ କି ବିଦେଶରେ ଡାକ୍ତରମାନେ କେବଳ କେତୋଟି ବିଶେଷ ରୋଗରେ ବ୍ୟବହାର କରିବା ପାଇଁ ପରାମର୍ଶ ଦେଇଥାନ୍ତି । କାରଣ ଅକ୍ଷେତ୍ରରେ ବ୍ୟବହାର କଲେ ତାହା ଅନେକ ସମୟରେ ମୃତ୍ୟୁର କାରଣ ହୋଇଥାଏ । ମାତ୍ର ଆମ ଦେଶରେ ଡାକ୍ତରମାନେ ତାହାକୁ ସାଧାରଣତଃ ସର୍ଦ୍ଦି, ଥଣ୍ଡା ଜ୍ୱର ଏବଂ ଟାଇଫଏଡ଼ ପ୍ରଭୃତି ସାମାନ୍ୟ କ୍ଷେତ୍ରରେ ବି ପ୍ରୟୋଗ କରିବାକୁ ଦେଇଥାନ୍ତି ।

 

ଡାକ୍ତରଖାନା ବାହାରେ ମଧ୍ୟ ଆମ ରୋଗୀମାନଙ୍କୁ ଡାକ୍ତରମାନଙ୍କ ଦୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ । ଆମ ଦେଶରେ ଯେଉଁମାନେ ଘରୋଇ ଚିକିତ୍ସା ସକାଶେ ଡାକ୍ତର ଅଥବା ଶଲ୍ୟଚିକିତ୍ସକଙ୍କ ପାଖକୁ ଯାଇଥାନ୍ତି, ସମ୍ପୃକ୍ତ ଚିକିତ୍ସକମାନେ ସାଧାରଣତଃ ଯେପରି ତରତର ଓ ର, ଠ ଭାବରେ ସେମାନଙ୍କର ଚିକିତ୍ସା କରିଥାନ୍ତି, ତଦ୍ଦ୍ୱାରା ରୋଗୀମାନଙ୍କର ଅପୂରଣୀୟ ନାନା କ୍ଷତି ଘଟିବାର ସର୍ବଦା ଆଶଙ୍କା ରହିଥାଏ । ଭାରତବର୍ଷର ଲୋକସଂଖ୍ୟା ଅନୁପାତରେ ଆମ ଦେଶରେ ଅତ୍ୟନ୍ତ କମ୍‌ସଂଖ୍ୟକ ଡାକ୍ତର ଅଛନ୍ତି । ହିସାବ ଅନୁସାରେ ଭାରତବର୍ଷରେ ପ୍ରତି ଅଶୀହଜାର ମଣିଷଙ୍କ ଲାଗି ଜଣେ କରି ଡାକ୍ତର ରହିଛନ୍ତି । ତେଣୁ ନିଃସନ୍ଦେହ ଭାବରେ କୁହାଯାଇପାରେ ଯେ, ଆମ ଦେଶର ଡାକ୍ତରମାନଙ୍କୁ ସେମାନଙ୍କର ସାମର୍ଥ୍ୟରୁ ବାହାର ଅନେକ ଅଧିକ ରୋଗୀଙ୍କର ତତ୍ତ୍ୱ ନେବାକୁ ପଡ଼େ ଏବଂ ରୋଗଗୁଡ଼ିକର ଯଥାର୍ଥ ନିଦାନ ନିରୂପଣ କରି ସେଗୁଡ଼ିକର ଯଥାର୍ଥ ଚିକିତ୍ସାବିଧାନ କରିବା ଲାଗି ସେମାନଙ୍କ ପାଖରେ ପ୍ରାୟ ବେଳହିଁ ନଥାଏ । ଯଥାସମ୍ଭବ ଅଧିକ ରୋଗୀଙ୍କୁ ଉପକୃତ କରି ଯଥାସମ୍ଭବ ଅଧିକ ଅର୍ଥ ଉପାର୍ଜନ କରିବାର ପ୍ରଲୋଭନଟି ମଧ୍ୟ ଏହି କ୍ଷେତ୍ରରେ ଏକ ପ୍ରୋତ୍ସାହକରୂପେ କାର୍ଯ୍ୟ କରେ ଏବଂ ଏସବୁର କ୍ଷତି ପ୍ରାୟ ସମ୍ପୂର୍ଣ୍ଣ ଭାବରେ ବିଚରା ରୋଗୀକୁହିଁ ସହ୍ୟ କରିବାକୁ ହୋଇଥାଏ । ଅନେକ ସମୟରେ ତାହାକୁ ଏଥିଲାଗି ମୃତ୍ୟୁମୁଖରେ ବି ପଡ଼ିବାକୁ ହୁଏ । ଡାକ୍ତରଖାନା ଭିତରେ ଏବଂ ଡାକ୍ତରଖାନା ବାହାରେ ଆମ ଦେଶରେ ଏସବୁର ଭୁରି ଭୁରି ଦୃଷ୍ଟାନ୍ତ ନିଶ୍ଚୟ ଦେଖିବାକୁ ମିଳିବ ।

 

ଡାକ୍ତରମାନଙ୍କ ଲାଗି ବହୁ ପୂର୍ବକାଳରୁ ଏକ ସର୍ବମାନ୍ୟ ଆଚରଣବିଧି ରହି ଆସିଥିଲେ ମଧ୍ୟ ସବୁ ଡାକ୍ତର ସବୁବେଳେ କଦାପି ସେହି ବିଧିଗୁଡ଼ିକର ପାଳନ କରନ୍ତି ନାହିଁ । ହୁଏତ ଅଧିକାଂଶ ଡାକ୍ତର ଅଧିକାଂଶ ସମୟରେ ସେଗୁଡ଼ିକର ଲଂଘନହିଁ କରିଥାନ୍ତି । ଆପଣା କର୍ତ୍ତବ୍ୟରେ ଅବହେଳା କରି ସେମାନେ ରୋଗୀମାନଙ୍କୁହିଁ କ୍ଷତିଗ୍ରସ୍ତ କରନ୍ତି । ଅବହେଳା ସହିତ ଅସଦାଚରଣ ମଧ୍ୟ ଯୋଡ଼ି ହୋଇ ରହିଥାଏ । ଯୁକ୍ତରାଜ୍ୟ ଆମେରିକା ଭଳି ଦେଶରେ ୧୯୭୪ ମସିହାରେ ପ୍ରତି ଛଅ ଜଣରେ ଜଣେ ଡାକ୍ତରଙ୍କୁ ଅବହେଳା ଏବଂ ଅସଦାଚରଣରେ ଅଭିଯୁକ୍ତ କରାଯାଇଥିଲା । ଗତ ବର୍ଷ ଏହି କ୍ଷେତ୍ରରେ ସେହି ଦେଶରେ କ୍ଷତିଗ୍ରସ୍ତ ରୋଗୀମାନଙ୍କୁ ପାଞ୍ଚକୋଟି ଡଲାର କ୍ଷତିପୂରଣ ଗଣିବାକୁ ପଡ଼ିଥିଲା ।

 

ଭାରତବର୍ଷରେ ଏହି ଅବହେଳା ଓ ଅସଦାଚରଣ ଯେ କମ୍ ହୁଏ, ସେପରି ଅନୁମାନ କରିବା ପାଇଁ କୌଣସି କାରଣ ନାହିଁ । ଏବଂ, ଏସବୁର ପ୍ରତିକାର କରିବାଲାଗି ମଧ୍ୟ ଏଠାରେ କୌଣସି ଉପାୟ ଏ ପର୍ଯ୍ୟନ୍ତ ଅବଲମ୍ବନ କରାଯାଇନାହିଁ ।

ତା ୫.୩.୧୯୭୭ ରିଖ

Image

 

ମୃତ୍ୟୁମୁଖୀ ଭୂମଧ୍ୟସାଗର

 

ବୈଜ୍ଞାନିକମାନେ ମତ ଦେଉଛନ୍ତି ଯେ ଭୂମଧ୍ୟସାଗର କ୍ରମେ ମରି ମରି ଯାଉଛି । ଆଧୁନିକ ମନୁଷ୍ୟର ଅଜ୍ଞାନତା ସକାଶେ ଏହି ସାଗର ବର୍ତ୍ତମାନ ଜୀବନହୀନ ହୋଇ ପଡ଼ିବାରେ ଲାଗିଛି ଏବଂ ମନୁଷ୍ୟ ଲାଗି ନାନା ଜୀବନଘାତୀ ସଂକ୍ରମଣର କାରଣ ହେଲାଣି । ଏହି ସାଗରକୁ ଘେରି ଇଉରୋପ, ଏସିଆ ଏବଂ ଆଫ୍ରିକା ମହାଦେଶର ଷୋହଳଟି ଦେଶ ରହିଛନ୍ତି ଓ ଭୂମଧ୍ୟସାଗରର ଏହି ଦୁର୍ଗତି ଲାଗି କୌଣସି ଯଥାର୍ଥ ପ୍ରତିକାର କରିବାକୁ ସେମାନେ ନିଜକୁ ଆଉ ସମର୍ଥ ବୋଲି ମନେକରି ପାରୁନାହାନ୍ତି । ଏପରିକି ମିଳିତ ଜାତିସଂଘ ତରଫରୁ ଏବେ ଯେଉଁ ପ୍ରତିକାର ସକାଶେ ପଦକ୍ଷେପମାନ ନିଆଯାଇଛି, ତଦ୍ଦ୍ୱାରା ବି ସମସ୍ୟାର କୌଣସି ସ୍ଥାୟୀ ସମାଧାନ ହୋଇପାରିବ ବୋଲି ମୋଟେ ଦେଖାଯାଉନାହିଁ ।

 

ବିଷାକ୍ତ ପାରଦର ସଂକ୍ରମଣ ହେଉଛି ଭୂମଧ୍ୟସାଗରର ପ୍ରଥମ ସମସ୍ୟା । ଯଦି କେହି ସପ୍ତାହକୁ ଦୁଇ କିଲୋ କରି ଭୂମଧ୍ୟସାଗରୀୟ ମାଛ ଖାଉଥାଏ, ତେବେ ପାରଦର ବିଷ ତା’ର ଶରୀର ମଧ୍ୟକୁ ଯିବାଦ୍ୱାରା ସିଏ ସାତବର୍ଷ ଭିତରେ ଗୁରୁତର ଭାବରେ ସେଥିରୁ ଅସୁସ୍ଥ ହେବାକୁ ଆରମ୍ଭ କରିବ ଏବଂ କୋଡ଼ିଏ ବର୍ଷ ଭିତରେ ତାହାରିଦ୍ୱାରାହିଁ ତା’ର ପ୍ରାଣ ଯିବ । ଏପରି କି ସେହି ମାଛରୁ ସପ୍ତାହକୁ ୩୦୦ଗ୍ରାମ ଖାଉଥିବା ଲୋକ ମଧ୍ୟ ସାଂଘାତିକ ଭାବରେ ରୋଗଗ୍ରସ୍ତ ହୋଇ ପଡ଼ିବ । ଅବଶ୍ୟ ପାରଦଜନିତ କୌଣସି ସଂକ୍ରମଣ ପ୍ରକୃତରେ ଘଟିଛି ବୋଲି ପ୍ରାୟ ଚାଳିଶି ବର୍ଷ ପର୍ଯ୍ୟନ୍ତ କିଛି ବାହ୍ୟଲକ୍ଷଣ ଦେଖିବାକୁ ମିଳିବ ନାହିଁ । ମହାସାଗରୀୟ ଫରାସୀ ସ୍ୱାସ୍ଥ୍ୟ ଗବେଷଣା କେନ୍ଦ୍ରରୁ ବିଶେଷଜ୍ଞମାନେ ଏବେ ଏହିପରି ଏକ ସାବଧାନବାଣୀ ଶୁଣାଇଛନ୍ତି ।

 

ଏହି ବିଷାକ୍ତ ପାରଦ ଭୂମଧ୍ୟସାଗର ଭିତରକୁ ଆସୁଛି ବା କେଉଁଠୁ ? ଦକ୍ଷିଣ ଇଉରୋପରେ ଥିବା କାରଖାନାମାନଙ୍କରୁ ନଈବାଟ ଦେଇ ଏହା ସାଗର ଭିତରେ ପଶୁଛି । ଭୂମଧ୍ୟସାଗରର ଉପକୂଳରେ ଯେଉଁସବୁ ରାସାୟନିକ ଶିଳ୍ପକେନ୍ଦ୍ର ରହିଛି, ସେଗୁଡ଼ିକରୁ ବି ଏହି ବିଷ ଆସି ସମୁଦ୍ର ଭିତରେ ପଶୁଛି । ଏହିପରି ଭାବରେ ବର୍ଷକୁ ୫୫ଟନ ବିଷାକ୍ତ ପାରଦ ସାଗରର ପାଣି ସହିତ ମିଶୁଛି ବୋଲି ହିସାବ କରାଯାଇଛି । ସାଗରର କୂଳରେ ଅବସ୍ଥିତ ପ୍ରାୟ ୫୦୦୦କାରଖାନା ଏହି ବିଷ ସହିତ ଆହୁରି ଅନେକ ଦୂଷିତ ପଦାର୍ଥକୁ ସାଗରରେ ନେଇ ଅଜାଡ଼ି ଦେଉଛନ୍ତି । କୃଷିଫାର୍ମ, ଶିଳ୍ପ କାରଖାନା ଓ ଅନ୍ୟାନ୍ୟ ଅଳିଆ ଓ ଆବର୍ଜନା ମିଶି ପ୍ରାୟ ଶହେକୋଟି ଟନ ଦୂଷିତ ଏବଂ ବିଷାକ୍ତ ପଦାର୍ଥ ଏହି ସାଗର ଭିତରେ ଆସି ପଶିଲାଣି । ଇତାଲୀର ଜଣେ ଅଧ୍ୟାପକ ଏବେ କହିଛନ୍ତି ଯେ ସେହି ଦେଶର ଭୂମଧ୍ୟସାଗରୀୟ ଉପକୂଳରୁ ସମୁଦ୍ରଲବ୍‌ଧ ଯାବତୀୟ ଆହାର୍ଯ୍ୟ ପଦାର୍ଥ ପ୍ରକୃତରେ ବିଲୁପ୍ତ ହୋଇ ଗଲାଣି ।

 

ପାରଦ ପଛକୁ ତୈଳ । ଭୂମଧ୍ୟସାଗରରେ ପ୍ରତିବର୍ଷ ତେଲ ବୋଝେଇ କରି ପ୍ରାୟ ଅସଂଖ୍ୟ ଟ୍ୟାଙ୍କର୍ ଜାହାଜ ଯାତାୟତ କରୁଛି । ମଧ୍ୟପ୍ରାଚ୍ୟରୁ ଇଉରୋପକୁ ରପ୍ତାନି ହେଉଥିବା ପ୍ରାୟ ସବୁଯାକ ପେଟ୍ରୋଲିଅମ ଏହିବାଟେହିଁ ଯାଉଛି ଏବଂ ତଦ୍ଦ୍ୱାରା ଭୂମଧ୍ୟସାଗର ଜଳ ଅଧିକରୁ ଅଧିକ ତୈଳାକ୍ତ ହେବାରେ ଲାଗିଛି ଓ ତୈଳ ମିଶିବାଦ୍ୱାରା ଦୂଷିତ ହେବାରେ ଲଗିଛି । ପାଣିତଳେ ଯାଇଥିବା ତେଲପାଇପ୍‌ କଣା ହୋଇଯିବାଦ୍ୱାରା ବି ତେଲ ପାଣିରେ ଯାଇ ମିଶୁଛି । ଉତ୍ତରଆଫ୍ରିକାର ଦେଶଗୁଡ଼ିକ ନିଜ ନିଜର ତୈଳଶିଳ୍ପର ବିକାଶ କଲାପରେ ଏହି ଦୁର୍ଗତି ଆହୁରି ବଢ଼ିଯାଇଛି । ତେଲ ପାଣିଠାରୁ ହାଲୁକା ହୋଇଥିବାରୁ ତାହା ପାଣି ଉପରେ ଭାସିକରି ରହୁଛି । ଫଳରେ ସମୁଦ୍ର ଭିତରେଥିବା ଉଦ୍ଭିଦ ଏବଂ ପ୍ରାଣୀମାନେ ଯେଉଁ ଅମ୍ଳଜାନ ବ୍ୟବହାର କରନ୍ତେ, ତାହା ଆଉ ପାଣି ଭିତରକୁ ଯାଇପାରୁନାହିଁ । ଏହି କାରଣରୁ ଖାଦ୍ୟ ନ ପାଇ ଉଦ୍ଭିଦ ଓ ପ୍ରାଣୀମାନେ ମଧ୍ୟ କ୍ରମେ ମରି ମରି ଯାଉଛନ୍ତି । ଆଟ୍‌ଲାଣ୍ଟିକ୍‌ ମହାସାଗରରୁ ଏକ ଜଳସ୍ରୋତ ସର୍ବଦା ଭୂମଧ୍ୟସାଗର ମଧ୍ୟରେ ପ୍ରବେଶ କରୁଥିବାରୁ ଭୂମଧ୍ୟସାଗରର ଏହି ଯାବତୀୟ ଆବର୍ଜନା ଓ ବିଷ ଆଉ ମହାସାଗର ମଧ୍ୟରେ ପ୍ରବେଶ କରିପାରୁନାହିଁ ଓ ଭୂମଧ୍ୟସାଗରର ଅସ୍ୱାସ୍ଥ୍ୟକରତାକୁ ଆହୁରି ବଢ଼ାଇ ଦେଉଛି ।

 

ଭୂମଧ୍ୟସାଗରୀୟ ଦେଶଗୁଡ଼ିକ ପକ୍ଷରୁ ଅତିରିକ୍ତ ପରିମାଣରେ ମାଛ ଧରି ନିଆଯାଉଛି । ସାନବଡ଼ କୌଣସି ବିଚାର ରହୁନାହିଁ । ଉପକୂଳସ୍ଥ ଲୋକମାନେ ଜୀବିକାନିର୍ବାହ ଓ ଆହାର ପାଇଁ ଏହି ମାଛ ଉପରେ ଅତ୍ୟନ୍ତ ନିର୍ଭରଶୀଳ ହୋଇ ରହିଥିବାରୁ ଏପରି ହୋଇଛି । ମାଛମାନଙ୍କର ସଂଖ୍ୟା କମିବାରେ ଲାଗିଛି ।

 

ପ୍ରତିବର୍ଷ ଗ୍ରୀଷ୍ମକାଳରେ ଯେଉଁ ଟୁରିଷ୍ଟ୍‍ମାନେ ସହସ୍ର ସହସ୍ର ସଂଖ୍ୟାରେ ଭୂମଧ୍ୟସାଗରୀୟ ଉପକୂଳାଞ୍ଚଳକୁ ଅବସର ବିନୋଦନ ସକାଶେ ଆସୁଛନ୍ତି, ସେମାନେ ବି ସାଗରଟିକୁ ଦୂଷିତ ଏବଂ ସଂକ୍ରମଣମୟ କରିବାରେ ମୋଟେ କମ୍‌ ସହାୟତା କରୁନାହାନ୍ତି । ସର୍ବୋପରି, ଫ୍ରାନ୍‌ସ ପ୍ରଭୃତି ଦେଶରେ ଏବେ ଯେଉଁ ଆଣବିକ ଚୂଲାମାନ ବସିଛି, ସେଥିରୁ ମଧ୍ୟ ନାନା ପ୍ରକାର ପ୍ରାଣଘାତକାରୀ ତେଜଷ୍କ୍ରିୟ ପଦାର୍ଥ ଆସି ଭୂମଧ୍ୟସାଗରରେ ପ୍ରବେଶ କରୁଛି । ଏବଂ ଏହିସବୁ ବିନାଶକୁ ରୋକିବାଲାଗି କୌଣସି ବଳ ନାହିଁ । ଏବଂ ଏହିପରି ନାନାପ୍ରକାରେ ରୋଗଗ୍ରସ୍ତ ହୋଇ ଭୂମଧ୍ୟସାଗର ମରି ମରି ଯାଉଛି । ଭୂମଧ୍ୟସାଗରୀୟ ଷୋହଳଟିଯାକ ଦେଶ ମାଛ ଧରିବା ବନ୍ଦ କରିପାରିବେ ନାହିଁ, ପର୍ଯ୍ୟଟକମାନଙ୍କ ଜନିତ ହେଉଥିବା ଆୟକୁ ମଧ୍ୟ ଛାଡ଼ି ପାରିବେ ନାହିଁ । ତେଣୁ ଭୂମଧ୍ୟସାଗରର ଦୂଷିତ ହେବା ମଧ୍ୟ ହୁଏତ ମୋଟେ ବନ୍ଦ ହୋଇ ପାରିବନାହିଁ ।

 

ଭୂମଧ୍ୟସାଗରର ଯେଉଁ ସମସ୍ୟା, ପୃଥିବୀର ସବୁଆଡ଼େ ମଧ୍ୟ ବିଭିନ୍ନ ମାତ୍ରାରେ ଠିକ୍‌ ସେହି ସମସ୍ୟା । ଆମର ପୃଥିବୀ କ୍ରମେ ଦୂଷିତ ହେବାରେ ଲାଗିଛି, ଆମର ଖାଦ୍ୟ ପଦାର୍ଥରେ ବିଷ ମିଶୁଛି, ଆମର ବାତାବରଣ ରୋଗାକ୍ରାନ୍ତ ହେବାରେ ଲାଗିଛି । ଏବଂ ଆମେ ସମସ୍ତେ ଆମର ନିର୍ଦ୍ଦିଷ୍ଟ ଗୁଳାଗୁଡ଼ିକରେ ଏପରି ଭାବରେ ଅଭ୍ୟସ୍ତ ହୋଇ ରହିଛୁ ଯେ, ସେ ବିଷୟରେ ପ୍ରାୟ କୌଣସି ପ୍ରତିକାର କରିବାଲାଗି ସମର୍ଥ ହେଉନାହୁଁ । ଆମ ବିଜ୍ଞାନ ଯୁଗରେ ଜୀବନ ପ୍ରତି ଯେଉଁ ବୈଜ୍ଞାନକ ଅର୍ଥାତ୍‍ ସ୍ୱାସ୍ଥ୍ୟକାମୀ ଦୃଷ୍ଟିଟି ଆଗ ବିକଶିତ ହେବା ଉଚିତ ଥିଲା, ଅତ୍ୟନ୍ତ ଅବୈଜ୍ଞାନିକ ଭାବରେ ଆମେ ସମସ୍ତେ ସେହି ଦୃଷ୍ଟିଟିକୁ କ୍ରମଶଃ ହରାଇ ବସିବାରେ ଲାଗିଛୁ । ମନୁଷ୍ୟ ହିସାବରେ ଆମେ ନିଜକୁ ଅଧିକ ଅସହାୟ କରି ପକାଉଛୁ, ମନୁଷ୍ୟର ଏହି ପୃଥିବୀଟିକୁ ଅତ୍ୟନ୍ତ ବିକୃତ ଓ ପ୍ରମାଦଯୁକ୍ତ କରିବାରେ ଲାଗିଛୁ । ଏଥିରୁ ଉଦ୍ଧାର ପାଇବା ଲାଗି କ’ଣ ପ୍ରକୃତରେ କୌଣସି ଉପାୟ ନାହିଁ ?

ତା ୮.୩.୧୯୭୭ ରିଖ

Image

 

ରାଜନୀତିକ ସ୍ଥିରତା

 

ରାଜନୀତିକ ସ୍ଥିରତାର ଅର୍ଥ ନୁହେଁ ଯେ କୌଣସି ଦେଶର ଗୋଟିଏ ନିର୍ଦ୍ଦିଷ୍ଟ ରାଜନୀତିକ ଦଳ ସରକାରୀ ଶାସନଗାଦିରେ ସବୁଦିନ ପାଇଁ ରହିବ । ଅବଶ୍ୟ ଏକଥା ସତ ଯେ ଯେଉଁମାନେ ଯେତେବେଳେ ଶାସନ ଗାଦିରେ ରହିଥାନ୍ତି, ସେମାନେ ଅର୍ଥାତ୍‌ ସେମାନଙ୍କର ଦଳଟି ଗାଦିଚ୍ୟୁତ ହୋଇଗଲେ ଦେଶର ସ୍ଥିରତା ନଷ୍ଟ ହୋଇଯିବ ବୋଲି ସେମାନେ ସେତେବେଳେ ସର୍ବଦା ଭୟ କରୁଥାନ୍ତି । ଏପରି ଏକ ପ୍ରତିକ୍ରିୟା ପ୍ରକାଶ କରି ସେମାନେ ଦେଶର ରାଜନୀତିକ ସ୍ଥିରତା ଅପେକ୍ଷା ସେମାନଙ୍କର ନିଜ ସ୍ଥିରତା ବିଷୟରେ ଯେଉଁ ବିପଦଟି ମୁଣ୍ଡ ଉପରେ ରହିଥାଏ, ସେହିଟିକୁହିଁ ଭାରି କରୁଣ ଭାବରେ ବ୍ୟକ୍ତ କରି ଦେଇଥାନ୍ତି ।

 

ରାଷ୍ଟ୍ରୀୟ କ୍ଷମତାରେ ଅନେକ ଦିନ ରହିବା ପରେ ଅନେକ ସମୟରେ ଏକ ରାଜନୀତିକ ଦଳ ପ୍ରାୟ ନିଷ୍ଠାପର ଭାବରେହିଁ ବିଶ୍ୱାସ କରିବାକୁ ଆରମ୍ଭ କରେ ଯେ ସେହି ଦଳଟିର ରାଷ୍ଟ୍ରୀୟ କ୍ଷମତାରେ ରହିବାହିଁ ଦେଶରେ ରାଜନୀତିକ ସ୍ଥିରତା ତିଷ୍ଠି ରହିବାକୁ ବୁଝାଏ । ମାତ୍ର ରାଜନୀତିକ ସ୍ଥିରତା କହିଲେ ସମ୍ପୂର୍ଣ୍ଣ ଏକ ଅନ୍ୟ କଥାକୁ ବୁଝାଇବା ଉଚିତ । ଯେତେବେଳେ କୌଣସି କ୍ଷମତାରୂଢ଼ ଦଳ ଆପଣାକୁ ଦେଶ, ଶାସନ ଏବଂ ଜାତୀୟ ସ୍ଥିରତାବସ୍ଥା ସହିତ ଅଭିନ୍ନ କରି ଦେଖିବାକୁ ଆରମ୍ଭ କରେ, ସେତେବେଳେ ତାହା ଅନେକ ସମୟରେ ଆପଣାର ଅସଲ ଭାରସାମ୍ୟଟିକୁ ହରାଇ ବସେ ଏବଂ ଜାତୀୟ ପରିସ୍ଥିତିରେ ଯେଉଁ ସାଧାରଣ ଚେତନାଗତ ଭାରସାମ୍ୟଟି ଅବଶ୍ୟ ରହିଥିବା ଉଚିତ, ସେଥିରେ ମଧ୍ୟ ତାହା ନାନାପ୍ରକାର ବ୍ୟାଘାତ ସୃଷ୍ଟି କରିବାକୁ ଆରମ୍ଭ କରେ । ଜାତୀୟ ରାଜନୀତିକ ଜୀବନର ଅନେକ ମୂଲ୍ୟବାନ୍ ଅର୍ଜନକୁ ତାହା ସେତେବେଳେ ବିପନ୍ନ କରିଦେବାକୁ ବସେ । ଗତ ଦ୍ୱିତୀୟ ମହାଯୁଦ୍ଧ ପରେ ଯେତେବେଳେ ବିଲାତରେ ନିର୍ବାଚନ ହେଲା, ସେତେବେଳେ ବ୍ରିଟେନର ତତ୍‌କାଳୀନ ତୁଙ୍ଗତମ ପ୍ରତିଷ୍ଠିତ ନେତା ଚର୍ଚ୍ଚିଲ ନିର୍ବାଚନରେ ପରାଜିତ ହୋଇଗଲେ ସିନା, ମାତ୍ର ତଦ୍ଦ୍ୱାରା ବ୍ରିଟେନର ରାଜନୀତିକ ସ୍ଥିରତାରେ ଆଦୌ କୌଣସି ବ୍ୟାଘାତ ଆସି ପହଞ୍ଚିନଥିଲା । ବ୍ରିଟେନରେ ସବୁ ସ୍ଥିର ରହିଲା । ସରକାର ବଦଳିଗଲା ଓ ସରକାରଙ୍କର ନୀତି ବଦଳିଗଲା ସତ, ମାତ୍ର ସରକାର ଲୁପ୍ତ ହୋଇ ଗଲାନାହିଁ ବା ଦେଶରେ ଅରାଜକତା ଘୋଟି ଗଲାନାହିଁ । ଏଠାରେ ଆମେ ସ୍ମରଣ କରି ପାରିବା ଯେ ଦ୍ୱିତୀୟ ମହାଯୁଦ୍ଧ ସମୟରେ ଶ୍ରୀଯୁକ୍ତ ଚର୍ଚ୍ଚିଲହିଁ ପ୍ରଧାନମନ୍ତ୍ରୀରୂପେ ଦେଶକୁ ଘୋର ବିପଦ ମଧ୍ୟରୁ ପାରି କରାଇ ଆଣିଥିଲେ ଓ ଯୁଦ୍ଧ ସରିଲାବେଳକୁ ଆପଣାକୁ ବ୍ରିଟେନର ତଥା ବୃହତ୍ତର ଇଉରୋପର ଜଣେ ସର୍ବସ୍ୱୀକୃତ ନାୟକରୂପେ ପ୍ରତିଷ୍ଠିତ କରିପାରିଥିଲେ । ତଥାପି ଦ୍ୱିତୀୟ ମହାଯୁଦ୍ଧ ପରେ ବ୍ରିଟେନରେ ଯେଉଁ ସାଧାରଣ ନିର୍ବାଚନ ହେଲା, ସେଥିରେ ବ୍ରିଟେନବାସୀ ଚର୍ଚ୍ଚିଲ ଓ ତାଙ୍କ ଦଳଟିକୁ ସଂଖ୍ୟାଧିକ ଭୋଟ ନଦେଇ ବିରୋଧୀ ଅନ୍ୟଦଳଟିକୁ ଜୟଯୁକ୍ତ କରାଇଲେ । ଚର୍ଚ୍ଚିଲ ସରକାରରୁ ହଟିଗଲେ, ଅନ୍ୟମାନେ ଶାସନ ଗାଦିକୁ ବି ଆସିଲେ । ମାତ୍ର ତଦ୍ଦ୍ୱାରା ବ୍ରିଟେନର ରାଜନୀତିକ ସ୍ଥିରତାରେ ଆଦୌ କୌଣସି ଆଞ୍ଚ ଆସିଲା ନାହିଁ । ଦେଶ, ରାଜନୀତି ଓ ଜାତୀୟ ପ୍ରଶ୍ନଗୁଡ଼ିକର ସମାଧାନ-କ୍ଷେତ୍ରଗୁଡ଼ିକ ପୂର୍ବପରି ରହିଲା ।

 

ଯେଉଁସବୁ ଦେଶରେ ଯେଉଁସବୁ ରାଜନୀତିକ ଦଳ ଦେଶ ଅପେକ୍ଷା ନିଜର ଭାଗ୍ୟକୁହିଁ ସର୍ବାଗ୍ର ସ୍ଥାନରେ ନେଇ ରଖିଥାନ୍ତି, ସେମାନେ କଥା କଥାକେ ରାଜନୀତିକ ସ୍ଥିରତା କଥା ଉଠାନ୍ତି । ବ୍ୟକ୍ତିଗତ ବିପଦ ବା ଅନିଶ୍ଚୟତାକୁ ସେମାନେ ଜାତୀୟ ବିପଦ ଏବଂ ଅନିଶ୍ଚୟତା ପରି ଦେଖିବାରେ ଲାଗିଥାନ୍ତି । ବ୍ୟକ୍ତିଗତ ଜରୁରୀ ଅବସ୍ଥାକୁ ସେମାନେ ଜାତୀୟ ଜରୁରୀ ଅବସ୍ଥା ବୋଲି କହି ସମସ୍ତଙ୍କ ଉପରେ ଲଦି ଦେବାକୁ ବାହାରନ୍ତି । ଜାତିକୁ ରକ୍ଷା କରିବାର ଆବରଣ ତଳେ ସେମାନେ ଆପଣାକୁହିଁ ରକ୍ଷା କରିବାକୁ ପ୍ରଧାନତର କାର୍ଯ୍ୟ ବୋଲି ଗ୍ରହଣ କରିଥାନ୍ତି । ଦେଶର ସମ୍ବିଧାନ ମଧ୍ୟରେ ରହିଥିବା ଯାବତୀୟ ଜରୁରୀକାଳୀନ ଉପାୟକୁ ସେମାନେ ଆପଣାର ମୂଳଗୁଡ଼ାକୁ ଦୃଢ଼ କରି ରଖିବାର ଉପାୟ ଓ ଆଘାତକାରୀ ଅସ୍ତ୍ରରୂପେ ବ୍ୟବହାର କରିବାକୁ ଅଗ୍ରସର ହୋଇଯାନ୍ତି ଓ ଏସବୁ କରି ସେମାନେ ସାମ୍ବିଧାନିକ ପରିସରଟି ମଧ୍ୟରୁ ଆଦୌ ବାହାରକୁ ବାହାରିଯାଇ ନାହାନ୍ତି ବୋଲି କୈଫିୟତ୍ ଦେବାରେ ଲାଗିଥାନ୍ତି । ଗୋଟାଏ ଦେଶ କହିଲେ ବା ଗୋଟାଏ ଜାତି କହିଲେ ସବାଆଗ ମଣିଷଙ୍କୁ ବୁଝାଏ । ସବାଆଗ ସେହିମାନଙ୍କର ଭାଗ୍ୟକୁ ବୁଝାଏ । ସେମାନଙ୍କର ପରାଧୀନତା ଏବଂ ନିର୍ଭରଶୀଳତା ଗୁଡ଼ାକୁ ଅଧିକରୁ ଅଧିକ ଅପରିହାର୍ଯ୍ୟ କରି ରଖି ଏହି ଆତ୍ମସ୍ୱାର୍ଥୀ ନେତାମାନେ ନିଜକୁ ଜନଗଣର ରକ୍ଷାକର୍ତ୍ତାର ଭୂମିକାରେ ଆଣି ଅବତୀର୍ଣ୍ଣ କରାନ୍ତି । ଅର୍ଥାତ୍ ରକ୍ଷାକର୍ତ୍ତାମାନେ କର୍ତ୍ତୃତ୍ୱଗୁଡ଼ାକର ସ୍ଥାନରେ ବସି ରହିଥିବା ପର୍ଯ୍ୟନ୍ତ ଲୋକମାନଙ୍କର ଆଉ କିଛି ହେଲେ ଭାବିବାକୁ ନଥିବ ବୋଲି ଏକ ବିପଜ୍ଜନକ ମିଛକଥାକୁ ପ୍ରଚାର କରିବାରେ ଲାଗିଥାନ୍ତି ।

 

ଭାରତବର୍ଷର ରାଜନୀତିକ ସ୍ଥିରତା କୌଣସି ଗୋଟାଏ ନିର୍ଦ୍ଦିଷ୍ଟ ରାଜନୀତିକ ଦଳର କ୍ଷମତାରେ ତିଷ୍ଠି ରହିବାର ସ୍ଥିରତାକୁ ବୁଝାଏ ନାହିଁ । ଗୋଟିଏ ଦଳ ଆସେ, ଗୋଟାଏ ଦଳ ଯାଏ; ଏକ ଚେତନାଶୀଳ ରାଜନୀତିକ ସମୂହ ହିସାବରେ ଜାତି ଅଗ୍ରଗତି କରିବାରେ ଲାଗିଥାଏ, ତାର ନିର୍ଭରଶୀଳତା କ୍ରମଶଃ ହ୍ରାସ ହେବାରେ ଲାଗିଥାଏ–ଆତ୍ମବିଶ୍ୱାସ ବଢ଼େ, ଭାଗ୍ୟ କହିଲେ ସେ ଆପଣା ହାତରେ ଆପଣାର ବାଟଟିକୁ ଗଢ଼ିବା ବୋଲି ଅଧିକରୁ ଅଧିକ ପରିମାଣରେ ବିଶ୍ୱାସ କରି ଶିଖେ । ଯେକୌଣସି ରାଜନୀତିକ ଦଳ ଅଥବା ନେତାର ବ୍ୟକ୍ତିଗତ ଭାଗ୍ୟଠାରୁ ଯେ ଜାତିର ଭାଗ୍ୟ ଅନେକ ବଡ଼, ଦେଶରେ ଅଧିକାଂଶ ମଣିଷ ଆପଣାର ରାଜନୀତିକ ବିଚାରକୁ ଏହି ଦିଗରେ ଅନୁପ୍ରେରିତ କରି ଶିଖନ୍ତି । ଭାରତବର୍ଷର ପରମ୍ପରା, ଭାରତବର୍ଷର ରାଜନୀତିକ ଅଭିଜ୍ଞତା ଭାରତବର୍ଷକୁ ଗତ ତିରିଶିବର୍ଷ ଭିତରେ ନିଶ୍ଚୟ ଏତିକି ଶିକ୍ଷା ଦେଇ ପାରିଛି ବୋଲି ଯେଉଁମାନେ ବିଶ୍ୱାସ କରୁନାହାନ୍ତି, ସେହିମାନେହିଁ ରାଜନୀତିକ ସ୍ଥିରତା କହିଲେ ଆପଣାର ସ୍ଥିରତା ଓ ନିରାପତ୍ତା ବିଷୟରେ ଅଧିକ ଭାବୁଛନ୍ତି । ଯାବତୀୟ ରାଜନୀତିକୁ ସେମାନେ ଏହିପରି ଏକ ମୋହଯୁକ୍ତ ଉଗ୍ର ରଙ୍ଗରେ ରଙ୍ଗାଇ ରଖିବାକୁ ଇଚ୍ଛା କରୁଛନ୍ତି ।

ତା ୧୩.୩.୧୯୭୭ ରିଖ

Image

 

ଗଣତାନ୍ତ୍ରିକ ସ୍ଥିରସ୍ଥିତି

 

ଇରାନର ଶାହାଙ୍କୁ ପଚାରିଲେ ସିଏ କହିବେ ଯେ ଇରାନର ଶାସକାସନରୁ ଯଦି ସିଏ ସ୍ୱୟଂ ପ୍ରତିନିଧିତ୍ୱ କରୁଥିବା ପହଲବୀ ଅଂଶ ଅପସରି ଯାଏ, ତେବେ ଇରାନରେ ସଙ୍ଗେ ସଙ୍ଗେ ଅସ୍ଥିରାବସ୍ଥା ଉତ୍ପନ୍ନ ହୋଇଯିବ । ଇରାନରେ ଯେପରି ସ୍ଥିରସ୍ଥିତି ଅକ୍ଷୁଣ୍ଣ ରହିବ, ସେଥିଲାଗି ଇରାନ୍‌ର ଶାହା ଆଦୌ କୌଣସି ତ୍ରୁଟି କରୁନାହାନ୍ତି । ତାଙ୍କ ଅନ୍ତେ ତାଙ୍କର ସନ୍ତାନମାନେ ଯେପରି ସାବାଳକ ବନି ରାଜଗାଦିରେ ବସିବେ ଓ ସେହିପରି ଏକ ସ୍ଥିତିକୁ ଏକମାତ୍ର ସ୍ୱାଭାବିକ ସ୍ଥିତି ବୋଲି ସ୍ୱୀକାର କରିନେବାରେ ଇରାନର ପ୍ରଜାଗଣ ଯେପରି କୌଣସି ତ୍ରୁଟି ଦେଖାଇବେ ନାହିଁ ଓ ଆଦୌ କୌଣସି ପ୍ରକାର ଅରାଜକତାକୁ ଦେଶକୁ ଡାକି ଆଣିବେ ନାହିଁ, ଇରାନର ଶାହା ସେଥିଲାଗି ଯାବତୀୟ ବ୍ୟବସ୍ଥାକୁ ଦୋରସ୍ତ କରିବାରେ ଲାଗିଛନ୍ତି । ସିଏ ବା ତାଙ୍କ ବଂଶଧରମାନେ ନ ଥାଇ ଇରାନରେ ଅନ୍ୟ କୌଣସି ବ୍ୟବସ୍ଥା ପ୍ରଚଳିତ ହେଲେ ତାହା ଯେ ତୁଚ୍ଛା ଅରାଜକତା ବ୍ୟତୀତ ଆଉ କଦାପି କିଛି ହେବନାହିଁ, ଶାହା ଆପଣାର ମଞ୍ଜ ଭିତରେ ଠିକ୍ ତାହାହିଁ ବିଶ୍ୱାସ କରୁଛନ୍ତି ।

 

ଏଥିଓପିଆ ଅଥବା ସୋମାଲିଆ ସାମରିକ କର୍ତ୍ତାମାନେ ଖୁବ୍‍ସମ୍ଭବ ଏହାହିଁ ଭାବୁଥିବେ ଓ ସେହି ଅନୁସାରେହିଁ ରାଷ୍ଟ୍ରୀୟ ଯାବତୀୟ ରାଜନୀତିର ବୁଝାମଣା କରୁଥିବେ । ଉଗାଣ୍ଡାର ଇଡ଼ି ଅମିନ ଏହି ବିଚକ୍ଷଣତାରେ ଇତିହାସରେ ପ୍ରାୟ ସବୁଠାରୁ ଅଧିକ ଧୁରନ୍ଧର ବ୍ୟକ୍ତି ବୋଲି ପରିଚୟ ଦେଇଛନ୍ତି । ସିଏ ଆପଣକୁ ତାଙ୍କ ଦେଶରେ ଆଜୀବନ ରାଷ୍ଟ୍ରପତି ବୋଲି ଘୋଷଣା କରି ସାରିଲେଣି ଏବଂ ଠିକ୍ ସେହି ମୁତାବକ ତାଙ୍କ ଦେଶର ତଥାକଥିତ ବିଧାନ ଏବଂ ଅଧ୍ୟାଦେଶଗୁଡ଼ାକୁ ସ୍ୱୀକୃତ କରାଇନେଇ ସାରିଲେଣି । ସିଏ ମରିଗଲା ପରେ ତାଙ୍କ ଦେଶର ଅର୍ଥାତ୍ ଉଗାଣ୍ଡାରେ ବାସ କରୁଥିବା ମଣିଷମାନଙ୍କର ତଥାପି ଜାତୀୟ ଜୀବନ ବୋଲି ଯେ ଆଦୌ କିଛି ରହିବ, ଆପଣା ଗାଡ଼ଟି ଭିତରେ ପଶିକରି ରହିଥିବାରୁ ଇଡ଼ି ଅମିନ ସେହି କଥା ଚିନ୍ତାହିଁ କରିପାରୁ ନାହାନ୍ତି ।

 

ଏଠାରେ ଯେଉଁ ତିନୋଟି ବା ଚାରୋଟି ଦେଶର ନଜିରକୁ ଉଲ୍ଲେଖ କରାଗଲା, ସେ ସବୁ ଦେଶ ଗଣତନ୍ତ୍ର ବିଧାନ ଅନୁସାରେ ଶାସିତ ହେଉନାହାନ୍ତି । ମନୋମୁଖୀ ଭାବରେ କ୍ଷମତାକୁ ହରଣ କରି ନେଇଥିବା ବା ଜାବୁଡ଼ି ଧରିଥିବା ଜଣେ ବା କେତେଜଣଙ୍କଦ୍ୱାରା ସେହିସବୁ ଦେଶ ଶାସିତ ହେଉଛନ୍ତି । ତେଣୁ ସ୍ଥିରାବସ୍ଥା ଅର୍ଥାତ୍ ସ୍ଥିରସ୍ଥିତି କହିଲେ ସେମାନେ ଅର୍ଥାତ୍ ସେହିସବୁ ଦେଶର ଶାସକମାନେ ଯାହା ବୁଝୁଥିବେ, ଆମ ଭାରତବର୍ଷରେ ଆମେ କଦାପି ତାହା ବୁଝିବା ନାହିଁ-। ଭାରତବର୍ଷ ଗଣତନ୍ତ୍ରଦ୍ୱାରା ଶାସିତ ହେବ ବୋଲି ମୂଳରୁ ନିଷ୍ପତ୍ତି ନେଇଛି । ତେଣୁ କୌଣସି ଜଣେ ଅଥବା ଗୋଟିଏ ଦଳର ଶାସକ ରାଜଗାଦିରେ ନ ରହିଲେ ଦେଶରେ ଯେ ସ୍ଥିରସ୍ଥିତି ନଷ୍ଟ ହୋଇଯିବ, ସେପରି ଭାବିବାର ଅର୍ଥ ହେଉଛି ଭାରତୀୟ ଜନଗଣର ଦୃଢ଼ମୂଳ ଅସଲ ମୂଲ୍ୟଗୁଡ଼ିକ ଉପରେ ଅବିଶ୍ୱାସ ପ୍ରକଟ କରିବା । ଭାରତବର୍ଷରେ ଗଣତନ୍ତ୍ରର ମୂଳଗୁଡ଼ିକ ଯେ ଦୃଢ଼ ରହିଛି, ଗତ ତିରିଶି ବର୍ଷର ରାଜନୀତିକ ଶାସନର ଇତିହାସ ଆମ ଆଗରେ ତା’ର ଦୃଷ୍ଟାନ୍ତଟିକୁ ଦେଇଯାଉଛି । କୌଣସି ନିର୍ଦ୍ଦିଷ୍ଟ ରାଜନୀତିକ ଦଳ କ୍ଷମତାରେ ରହିବେ, ଅଥବା କୌଣସି ବ୍ୟକ୍ତିବିଶେଷ କ୍ଷମତାରେ ରହିବେ, ରାଜ୍ୟରେ ପ୍ରତିନିଧି ଶାସନର ରଜ୍ଜୁଗୁଡ଼ାକୁ ସେହି ଦିଲ୍ଲୀରୁହିଁ ଅତ୍ୟନ୍ତ ଧୃଷ୍ଟତା ସହିତ ଜବର କରି ଧରାହୋଇଥିବ ଏବଂ ଆପଣାକୁ ଦିଲ୍ଲୀଶ୍ୱର ମନେକରି କିଏ ସମଗ୍ର ଦେଶଟାକୁ ଆପଣାର କଳ ଭିତରେ ରଖି ଶାସନ କରୁଥିବ, ଏହାକୁ ଯଦି ଏକ ସ୍ଥିରବସ୍ଥା କିମ୍ବା ସ୍ଥିରସ୍ଥିତି କୁହାଯାଏ ଏବଂ ବଡ଼ାଇ କରି ଯଦି ଏହାର ନାମରେ ବାହାଦୁରୀ ନିଆଯାଏ, ତେବେ ତାହାକୁ ସଂପୃକ୍ତ ନେତା ଅଥବା ସଂପୃକ୍ତ ରାଜନୀତିକ ଦଳର ବିଚାରଗତ ଶୂନ୍ୟଗର୍ଭତା ବୋଲିହିଁ କୁହାଯାଇ ପାରିବ । ଇରାନର ଶାହା କହିଲେ ତେଣେ ଇରାନରେ ସମଗ୍ର ଦେଶର ସବୁକିଛି ବୋଲି ନିଶ୍ଚୟ ବୁଝାଇପାରେ, କୌଣସି ସାମନ୍ତବାଦୀ ଦେଶରେ ଉଚ୍ଚପ୍ରତିଷ୍ଠିତ ସର୍ବୋଚ୍ଚ ସାମନ୍ତଙ୍କୁହିଁ ହୁଏତ ଦେଶ ବୋଲି ସ୍ୱୀକାର କରି ନେଇ ଜୟନାଦ ଦିଆଯାଇପାରେ, ମାତ୍ର ଭାରତବର୍ଷ ପରି ଏକ ଦେଶରେ ସେହି ବୁଦ୍ଧି ଆଦୌ ବେଶି ଦିନ ଲାଗି କୋଟି କୋଟି ଲୋକଙ୍କୁ ବଣା କରି ରଖିପାରିବ ନାହିଁ । ଗତ ଦଶୋଟି ବର୍ଷରେ ଭାରତର ପ୍ରଧାନମନ୍ତ୍ରୀ ଦେଶଟାଯାକ ପ୍ରାୟ ସେହିପରି ଗୋଟାଏ ବିକୃତ ପବନ ସୃଷ୍ଟି କରି ରଖିବାର ପ୍ରୟାସ କରି ଆସିଛନ୍ତି ଏବଂ ଆପଣାର ସେନାପତି ଓ ଉପସେନାପତିମାନଙ୍କ ମାଧ୍ୟମରେ ସେହି ବିପଜ୍ଜନକ କଥାଟାକୁହିଁ ବିଶ୍ୱାସ ବୋଲି ଜଣାଇ ରଖିବାର ସକଳ ଉପାୟ ଅବଲମ୍ବନ କରିଛନ୍ତି । ରାଜ୍ୟପରେ ରାଜ୍ୟର ଶାସନ ଉପରେ ହସ୍ତକ୍ଷେପ କରାଯାଇଛି । କଂଗ୍ରେସ ସଂଗଠନଟା ମଧ୍ୟ ତାଙ୍କର କାଠଘୋଡ଼ା ପରି ତାଙ୍କରି ବୋଲ ମାନିଛି ଏବଂ ଏହିସବୁ ଜାରି କରି ରଖିବାକୁହିଁ ଭାରତବର୍ଷରେ ଏକ ସ୍ଥିରସ୍ଥିତିକୁ ସ୍ଥାୟୀ କରି ରଖିବାର ବିଭିନ୍ନ ଉପାୟ ବୋଲି ଆମକୁ ବୁଝାଇବାର ଚେଷ୍ଟା କରାଯାଇଛି ।

 

ଗଣତନ୍ତ୍ରରେ ଯାହାକୁ ସ୍ଥିରସ୍ଥିତି ବୋଲି କୁହାଯିବା ଉଚିତ, କୌଣସି ରାଜତନ୍ତ୍ର ଅଥବା ସାମରିକ ଶାସନତନ୍ତ୍ରରେ ସ୍ଥିରାବସ୍ଥା ବୋଲି କୁହାଯାଉଥିବା ଅବସ୍ଥାଠାରୁ ତାହା ଏକାବେଳେକେ ଫରକ । ଗଣତନ୍ତ୍ର ଉପରେ ବିଶ୍ୱାସ କରିବା ହେଉଛି ଗଣତାନ୍ତ୍ରିକ ସ୍ଥିରାବସ୍ଥା ଲାଗି ପ୍ରସ୍ତୁତ ରହିବାର ସବୁଠାରୁ ଅସଲ ବାଟ । ଲୋକଶକ୍ତି ଉପରେ ବିଶ୍ୱାସ କରିବା, ପ୍ରତିନିଧିତ୍ୱମାନ ତଳୁ ଗଢ଼ି ହୋଇ ଆସିଲେ ଯେ ଯଥାର୍ଥରେ ଗଢ଼ିହୋଇ ଆସେ, ଏହି ମୂଳ କଥା ଉପରେ ବିଶ୍ୱାସ କରିବା ଏବଂ ସେହି ଅନୁସାରେ ରାଜନୀତିକୁ ଅନୁକୂଳ କରି ରଖିବା ଓ ରାଜନୀତିକ ବିବର୍ତ୍ତନ ଲାଗି ଯଥେଷ୍ଟ ମୁକ୍ତ ପରିସର ସୃଷ୍ଟି କରି ରଖିଥିବା, ଏହାହିଁ ହେଉଛି ଅସଲ ବାଟ । ତେଣୁ ଗଣତନ୍ତ୍ରରେ ଯାହାକୁ ସ୍ଥିରାବସ୍ଥା ବୋଲି କୁହାଯିବ, ତାହା ରାଜାରାଜୁଡ଼ାଙ୍କର କଳ୍ପିତ ସ୍ଥିରାବସ୍ଥା ନୁହେଁ; ନିଜକୁ ସେହିପରି କିଛି ମନେ କରୁଥିବା ଏବଂ ନିଜର ଅଧୀନସ୍ଥ ଏକ ଭୃତ୍ୟଗୋଷ୍ଠୀଙ୍କଠାରୁ ତାହାରି କୀର୍ତ୍ତନ ଶୁଣୁଥିବା ବ୍ୟକ୍ତିମାନଙ୍କ କଳ୍ପିତ ସ୍ଥିରାବସ୍ଥା ମଧ୍ୟ ନୁହେଁ ।

ତା ୧୫.୩.୧୯୭୭ ରିଖ

Image

 

ଅସଲ କଂଗ୍ରେସ

 

ଅସଲ କଂଗ୍ରେସ କେଉଁଟି ? ଅସଲ କଂଗ୍ରେସ ଏଇଟା ନା ସେଇଟା ? ୧୮୮୫ ମସିହାରେ ଯେତେବେଳେ ଆଲାନ୍ ଅକ୍‌ଟାଭିଆନ୍ ହ୍ୟୁମ୍ ଭାରତୀୟ ଜାତୀୟ କଂଗ୍ରେସ ଗଠନ କରିଥିଲେ, ସେତେବେଳର ସେହି କଂଗ୍ରେସଟାକୁ କ’ଣ ଆମେ ଆଜି ବି ଅସଲ କଂଗ୍ରେସ ବୋଲି କହିବା ? ଯେତେବେଳେ ମହାତ୍ମା ଗାନ୍ଧୀ କଂଗ୍ରେସର ନେତୃତ୍ୱ ଗ୍ରହଣ କଲେ, ଜାଲିଆନ୍‌ଓ୍ୱାଲାବାଗର ହତ୍ୟାକାଣ୍ଡ ପରେ ମଧ୍ୟ ଯେତେବେଳେ କଂଗ୍ରେସର ଦଳେ ନେତା ତଥାପି ସେହି ପୁରୁଣା ଉପାୟରେ ଇଂରେଜମାନଙ୍କର ଅନୁଗ୍ରହ ଭିକ୍ଷା କରିବାକୁ ମନ କରୁଥିଲେ, ସେତେବେଳେ ଆମେ କେଉଁ କଂଗ୍ରେସଟାକୁ ଅସଲ କଂଗ୍ରେସ ବୋଲି କହିବା ? ଯେଉଁ କଂଗ୍ରେସ ସେତେବେଳେ ଲୋପ ପାଇଗଲା, ସେଇଟା ଭିତରେ ପ୍ରତିଷ୍ଠିତ ସବୁ ନେତାଯାକ ରହିଥିଲେ ଏବଂ ମୋହନ ଦାସ କରମଚାନ୍ଦ ଗାନ୍ଧୀ ସେତେବେଳେ ନୂଆ ହୋଇ କଂଗ୍ରେସ ଭିତରକୁ ଆସିଥିଲେ, ଆହୁରି ଯଥାର୍ଥ ଭାବରେ କହିଲେ ମାତ୍ର ଅଳ୍ପ କେତେବର୍ଷ ହେଲା ସେ ଭାରତବର୍ଷକୁହିଁ ଆସିଥିଲେ-। ସେତେବେଳେ ମଧ୍ୟ ପ୍ରତିଷ୍ଠିତମାନେ ପୁରୁଣାମାନଙ୍କର ପଥ ଓ ମତକୁହିଁ ଅସଲ କଂଗ୍ରେସର ପଥ ଓ ମତ ବୋଲି କହି କେତେ ବକ୍ତୃତା ଗାଳିଥିବେ, କେତେ ତର୍ଜନ କରିଥିବେ । ମାତ୍ର ତଥାପି ସେମାନଙ୍କର ସବୁ ପରାକ୍ରମ ମ୍ଳାନ ପଡ଼ିଗଲା । ସେମାନେ ଗଲେ, ମୋହନଦାସ କରମଚାନ୍ଦ ଗାନ୍ଧୀ ଆସିଲେ । କଂଗ୍ରେସ ରହିଲା, ମାତ୍ର ପୁରୁଣା ସଂଜ୍ଞାଗୁଡ଼ାକ ବଦଳିଗଲା । ଯେଉଁ ବିଚାରଟିର ମୁହୂର୍ତ୍ତ ଆସି ପହଞ୍ଚିଥିଲା, ସେହି ବିଚାରଟି ବଞ୍ଚିରହିଲା; ଯେଉଁ ବିଚାରଟିର ବେଳ ସରି ଆସିଥିଲା, ସେହି ବିଚାର ବିଦାୟ ନେଇଗଲା । ପୁରୁଣା ସିଂହମାନେ ବି ବିଦାୟ ନେଇଗଲେ । ଇତିହାସ ହୋଇ ରହିଲେ ।

 

ତେଣୁ ଅସଲ କଂଗ୍ରେସ କୋଉଟା ? ୧୯୨୮ ମସିହାରେ ଯେତେବେଳେ ଭାରତୀୟ ଜାତୀୟ କଂଗ୍ରେସ ପୂର୍ଣ୍ଣ ସ୍ୱାଧୀନତାକୁହିଁ ନିଜର ଲକ୍ଷ୍ୟ ବୋଲି ଗ୍ରହଣ କଲା, ସେତେବେଳେ ବି କଂଗ୍ରେସର ସଭାମଞ୍ଚରେ ଏହିପରି ଏକ ପ୍ରଶ୍ନ ପଚରା ଯାଇଥିଲା । ସେତେବେଳେ ବି ପୁରୁଖାମାନେ ଅର୍ଥାତ୍ ପୁରୁଣାମାନେ ପୂର୍ଣ୍ଣ ସ୍ୱାଧୀନତାହିଁ ଭାରତୀୟ କଂଗ୍ରେସର ଘୋଷିତ ଲକ୍ଷ୍ୟ ହୋଇ ରହୁ ବୋଲି ଆଦୌ ଇଚ୍ଛା କରୁ ନ ଥିଲେ । ସେମାନେ ଅନ୍ୟ ହାଟରେ ବଣିଜ କରି ଆସିଥିଲେ ଓ ଆପଣାର ନେତୃତ୍ୱ-ସ୍ଥାନଗୁଡ଼ାକୁ ଚିରସ୍ଥାୟୀ କରି ରଖିବାର ମୋହରେ ପଡ଼ି ସେମାନେ ସେହିସବୁ ହାଟରେ ବଣିଜଗୁଡ଼ାକ ଚିରସ୍ଥାୟୀ ହୋଇ ଚାଲୁ ବୋଲି ସ୍ୱପ୍ନ ଦେଖୁଥିଲେ । ସେମାନେ ନୂତନର ବିରୋଧ କଲେ । ବାପ ପୁଅର ବିରୋଧ କଲା । ଆର ପୁରୁଷ ଏ ପୁରୁଷର ବିରୋଧ କଲା । ମାତ୍ର ସେହି ବିରୋଧ ଫସରଫାଟି ଗଲା । ଜାତୀୟ କଂଗ୍ରେସର ଇତିହାସରେ ଏକ ସଂପୂର୍ଣ୍ଣ ନୂତନ ଯୁଗର ଘୋଷଣା କରାଗଲା । ପୁରୁଣାମାନେ ବିଦାୟ ନେଇଗଲେ । ରାଜନୀତି ଛାଡ଼ିଲେ, ବୁଢ଼ା ହେଲେ । ସେମାନଙ୍କର ବିଚାରଟିର କାଳ ସରି ଯାଇଥିଲା । ଯେଉଁ ବିଚାରଟିର ବେଳ ଆସି ପହଞ୍ଚିଥିଲା, ସେହି ବିଚାରଟିହିଁ କାୟମ ରହିଲା । ଅସଲ କଂଗ୍ରେସଟିର ହାଡ଼ ଭାଙ୍ଗିଗଲା ସତ, ମାତ୍ର ଅସଲ ବିଚାରଟିର ବିଜୟ ହେଲା ।

 

ସ୍ୱାଧୀନତା ପରେ ଜାତୀୟ କଂଗ୍ରେସର ଇତିହାସରେ ବର୍ତ୍ତମାନ ମଧ୍ୟ ହୁଏ ତ ସେହିପରି ଏକ ମୁହୂର୍ତ୍ତ ଆସି ପହଞ୍ଚିଛି । ଯେଉଁମାନେ କଂଗ୍ରେସ ବୋଲି କେବଳ ଆପଣାକୁହିଁ ଭାବୁଛନ୍ତି, ଏହି ଦେଶ ବୋଲି ମଧ୍ୟ ଯେଉଁମାନେ ଆପଣାକୁହିଁ ଭାବୁଛନ୍ତି, ସେମାନଙ୍କର ଯାବତୀୟ ବିଚାରର ବେଳଟି ଯେ ସରି ଆସିଛି, ବର୍ତ୍ତମାନ କାଳ ଏକ ବିଚିତ୍ର ମାର୍ଗରେ ତାହାହିଁ ପ୍ରତିପାଦିତ କରିଦେବାକୁ ପ୍ରସ୍ତୁତ । ଯେଉଁମାନେ କ୍ଷମତାରେ ଅଛନ୍ତି, ସେମାନେ ନିଜେ କ୍ଷମତାରେ ରହିବାକୁହିଁ ଦେଶ ଓ ଜାତିର ଭାଗ୍ୟ ସହିତ ନିଜକୁ ଅଭିନ୍ନ କରି ଦେଖୁଛନ୍ତି । ଅସଲ ନେତୃତ୍ୱ ଦେଶର ଆବଶ୍ୟକତା ଅନୁସାରେ ଆପଣାକୁ ବଦଳାଏ, ମୁହୂର୍ତ୍ତଟିର ଆହ୍ୱାନ ଅନୁସାରେ ସିଏ ଆପଣାକୁ ବଦଳାଏ । ମାତ୍ର କେତେ ଦିନ ହେଲା କଂଗ୍ରେସର ନେତୃତ୍ୱ ଗୋଟାସୁଦ୍ଧା ନିଜ ସକାଶେହିଁ କଂଗ୍ରେସଟାକୁ ମଣ କରି ରଖିବାର ଅନ୍ୟ ବୁଦ୍ଧି ଓ ଅନ୍ୟ ବାଟ ଧରି ଆସିଛି । ଗତ ତିରିଶି ବର୍ଷ ହେଲା ସ୍ୱାଧୀନତା ନାମରେ ଆମର ଗାଦିମାନଙ୍କରେ ଯାହାର କଥା କୁହାହୋଇ ଆସୁଥିଲା, ବର୍ତ୍ତମାନ ତାହାର ସଂଜ୍ଞା ବଦଳି ଯାଇଛି । ନୂତନ ବିଚାରର ଯେଉଁ ମୁହୂର୍ତ୍ତ ଆସି ପହଞ୍ଚିଛି, ତାହାହିଁ ଏଠାରେ ସବୁ ବଦଳାଇ ଦେବ ବୋଲି ବାହାରିଛି । ସେହି ବିଚାର ଅନୁସାରେ ଯିଏ ଆପଣାକୁ ବଦଳାଇ ନ ପାରିଛି, ପୁରୁଣା କ୍ଷମତା ଗୁଡ଼ାକୁ ଆଣ୍ଟ କରି ଯିଏ ଯୁଗର ସ୍ୱପ୍ନଗୁଡ଼ାକୁ ଅଡ଼ୁଆ କରିବାରେ ଲାଗିଛି; ସିଏ ଅଚିରେ ନକଲି ବୋଲିହିଁ ପ୍ରମାଣିତ ହେବାକୁ ବସିଛି ।

 

ତେଣୁ କଂଗ୍ରେସ ନାମରେ ଯେଉଁମାନେ କ୍ଷମତାରେ ଅଛନ୍ତି, ଯେଉଁମାନେ କଂଗ୍ରେସର ପାଳଗଦା ଗୁଡ଼ାକ ଉପରେ ଉଚ୍ଚ ହୋଇ ବସିଛନ୍ତି, ସେମାନେ କାଗଜପତ୍ରରେ ଆପଣାକୁ ଯେତେଯାହା ବୋଲାଇଲେ ଏବଂ ସରକାରୀ ଭୃତ୍ୟତନ୍ତ୍ରର ଗହଣ ଭିତରେ ଆପଣାକୁ ଯେତେଯାହା ଭାବିଲେ ମଧ୍ୟ ସେମାନେ ତଥାପି ନକଲି ବୋଲି ପ୍ରମାଣିତ ହୋଇଯିବା ବିଳମ୍ବିତ ହେବନାହିଁ । କଂଗ୍ରେସ କହିଲେ ଦିନେ ଏକ ବିଚାରକୁ ବୁଝାଉଥିଲା, ଏବେ ସରକାରୀ, କର୍ତ୍ତାମାନେ ତାହାକୁ କେତେଟା ଗାଦି ବା ଆସନ ସହିତ ସମୀକୃତ କରି ରଖିଛନ୍ତି । ସ୍ୱାଧୀନତା କହିଲେ ଯେଉଁସବୁ ମୂଲ୍ୟାଦର୍ଶ ଗୁଡ଼ିକୁ ପ୍ରକୃତରେ ବୁଝାଏ, ସେହି ମୂଲ୍ୟାଦର୍ଶ ଗୁଡ଼ିକ ଅନୁସାରେ ଯିଏ ନିଜ ରାଜନୀତିକ ମାର୍ଗଗୁଡ଼ିକୁ ଅନୁପ୍ରେରିତ କରି ରଖିଛି ବା ରଖିଆସିଛି, ସେଇ ଅସଲ ହୋଇ ରହିବ । ଆଉ ସମସ୍ତେ ନକଲି ହୋଇ ଉଡ଼ିଯିବେ । ଯେତେ ବଡ଼ ରଥ ଚଢ଼ି ଯେତେ ବେଶୀ ବାଜା ବଜାଇ ଆସୁଥିଲେ ମଧ୍ୟ ସେମାନେ ଉଡ଼ିଯିବେ ।

 

ଗୋଟାଏ ଦେଶ ହିସାବରେ ଏ ଦେଶ ଆହୁରି ଅନେକ ବଦଳିବ, ଆହୁରି ଅନେକ ବାଟ ଯିବ । ଏଠାରେ ଆହୁରି କେତେ କେତେ ପୁରୁଣା ଭାଙ୍ଗିଯିବ । ଗଣତନ୍ତ୍ର ନାମରେ, ଦୃଢ଼ ଶାସନ ନାମରେ, ଦେଶକୁ ଶକ୍ତିଶାଳୀ କରି ଗଢ଼ିବା ନାମରେ ବର୍ତ୍ତମାନ ଚାଲୁଥିବା କେତେ ପରାକ୍ରମର ପ୍ରବଞ୍ଚନା ବିଲୁପ୍ତ ହୋଇଯିବ । ନୂତନ ଲାଗି ବାଟ ଛାଡ଼ିଦେବ । ସେହି ଅନୁସାରେ ଦଳଗୁଡ଼ାକ ବଦଳି ଯାଉଥିବେ, ପୁରୁଣା ତାଲାଗୁଡ଼ାକ ଭାଙ୍ଗି ଭାଙ୍ଗି ଯାଉଥିବେ, ପୁରୁଣା ଏକଚ୍ଛତ୍ରବାଦୀମାନେ ଅପସରି ଯାଉଥିବେ । ସେଥିଲାଗି ବାରବାର ସଂଗ୍ରାମ ହେବ, ବାରବାର ଗୋଟାଏ ଘର ଅନେକ ଭାଗ ହେବ; ଅନେକେ ଧରା ପଡ଼ିବେ, ଅନେକେ ଛତ୍ରଭଙ୍ଗ ଦେବେ । ମାତ୍ର ନୂତନ ବିଚାର ବଞ୍ଚି ରହିବ, ଆଗକୁ ଯିବ । ଯାହାର ମୁହୂର୍ତ୍ତ ପହଞ୍ଚିଛି, ସେଇହିଁ ଅସଲ ବୋଲି ପ୍ରମାଣିତ ହେବାକୁ ଯାଉଛି ।

ତା ୨୦.୩.୧୯୭୭ ରିଖ

Image

 

Unknown

ଖେଳ ଓ ଯୁଦ୍ଧ

 

ସନ୍ଥ ବିନୋବା ଭାବେ ସଂପ୍ରତି ଶେଷ ହୋଇଥିବା ନିର୍ବାଚନକୁ ଏକ ସଂଗ୍ରାମ ଭାବରେ ଗ୍ରହଣ ନ କରି ଏକ ଖେଳରୂପେ ଗ୍ରହଣ କରିବା ଲାଗି ସଂପୃକ୍ତ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ । ଏଥରର ନିର୍ବାଚନ ଯୁଦ୍ଧରେ ଯେଉଁମାନେ ପ୍ରତିଦ୍ୱନ୍ଦ୍ୱୀରୂପେ ଅବତୀର୍ଣ୍ଣ ହୋଇଛନ୍ତି, ବିଶେଷତଃ ସେହିମାନଙ୍କ ଲାଗି ସେ ଏହି ପରାମର୍ଶଟି ଦେଇଛନ୍ତି । ନିର୍ବାଚନରେ ହାତାହାତି ହେବାର ପ୍ରବୃତ୍ତି ଯେଉଁମାନଙ୍କର ଥାଏ, ତାଙ୍କ ପକ୍ଷରେ ଏହି ପରାମର୍ଶ ଅତ୍ୟନ୍ତ ଉପାଦେୟ ଓ ପ୍ରଣିଧାନଯୋଗ୍ୟ । କିନ୍ତୁ ଆମ ଦେଶ ଯେତେବେଳେ ସ୍ୱାଧୀନତା ଲାଗି ସଂଗ୍ରାମ କରୁଥିଲା, ସେତେବେଳେ ସେହି ସଂଗ୍ରାମକୁ ଖେଳ ବୋଲି କୁହାଯାଉ ନ ଥିଲା; ତାହାକୁ ଏକ ଯୁଦ୍ଧ ବୋଲିହିଁ କୁହାଯାଉଥିଲା । ସ୍ୱୟଂ ବିନୋବାଜୀ ବି ଏହି ସଂଗ୍ରାମକୁ ସେତେବେଳେ କଦାପି ଖେଳ ବୋଲି କହୁ ନ ଥିଲେ, ସିଏ ଏହାକୁ ଏକ ଯୁଦ୍ଧ ବା ସମର ବୋଲି କହୁଥିଲେ । ସ୍ୱାଧୀନତା ଆନ୍ଦୋଳନରେ ଜୀବନ ପଣ କରି ବାହାରିଥିବା ବ୍ୟକ୍ତିମାନଙ୍କୁ ସେତେବେଳେ ଖେଳୁଆଡ଼ ବୋଲି କୁହାଯାଉ ନ ଥିଲା । ସେମାନଙ୍କୁ ସଂଗ୍ରାମୀ ବୋଲି କୁହାଯାଉଥିଲା । ସେତେବେଳେ ସଂଗ୍ରାମରେ ଯିଏ ସେନାପତି ଥିଲେ, ସିଏ କେବଳ ବିଦେଶୀ ସରକାରକୁ ଦେଶରୁ ଟଳାଇ ଦେବାକୁହିଁ ସଂଗ୍ରାମର ସମଗ୍ର ଓ ସର୍ବଶେଷ ଲକ୍ଷ୍ୟ ବୋଲି କଦାପି କହୁ ନ ଥିଲେ । ରାଜନୀତିକ ସ୍ୱାଧୀନତା ଲାଗି ସଂଗ୍ରାମ କୌଣସି ଦେଶର ଓ ଜାତିର ଚରମ ସଂଗ୍ରାମ ନୁହେଁ । ଏହା ହେଉଛି ସର୍ବପ୍ରଥମ ସଂଗ୍ରାମ ଏବଂ ପରବର୍ତ୍ତୀ ଅନ୍ୟାନ୍ୟ ସଂଗ୍ରାମ ଲାଗିହିଁ ଇତିହାସରେ ସର୍ବତ୍ର ଏହି ପ୍ରଥମ ସଂଗ୍ରାମଟି ଲଢ଼ାଯାଏ । ପ୍ରଥମ ସଂଗ୍ରାମଟି ପରେ ରାଜନୀତିକ ସ୍ୱାଧୀନତା ମିଳିଗଲା ପରେ ଯେଉଁଠି ନାନା କାରଣରୁ ଅଥବା ନାନା ଆଳ ଓ ଅବହେଳା ଦେଖାଇ ଅନ୍ୟ ସଂଗ୍ରାମଗୁଡ଼ିକର ଦ୍ୱାରକୁ ଅବରୁଦ୍ଧ କରି ରଖାଯାଏ, ସେଠାରେ ସ୍ୱାଧୀନତା ପରେ ଆସନରେ ବସିଥିବା କ୍ଷମତାଧୀଶମାନେ ଅଧିକାଂଶ କ୍ଷେତ୍ରରେ ଡିକ୍‌ଟେଟର୍ ହୋଇ ବସିବାର ପ୍ରବୃତ୍ତି ଦେଖାଇଥାନ୍ତି । ସାଂପ୍ରତିକ ଇତିହାସରେ ଆମକୁ ନବସ୍ୱାଧୀନ ଏକାଧିକ ଦେଶରେ ତାହାର ପ୍ରମାଣ ମିଳିବ ।

 

ରାଜନୀତିକ ସ୍ୱାଧୀନତାର ପରବର୍ତ୍ତୀ ସ୍ୱାଧୀନତାଗୁଡ଼ିକ ହେଉଛି ଅର୍ଥନୈତିକ ସ୍ୱାଧୀନତା, ନାଗରିକ ହୋଇ ବଞ୍ଚି ରହିବାର ସ୍ୱାଧୀନତା, ନିର୍ଭୟ ହୋଇ ବ୍ୟକ୍ତିଗତ ଏବଂ ସାମୂହିକ ଭାବରେ ଆପଣାର ପରିପୂର୍ଣ୍ଣ ବିକାଶ କରିପାରିବାର ସ୍ୱାଧୀନତା । ଗୋଟିଏ ଶବ୍ଦରେ ଏହାକୁ ସାମାଜିକ ବିପ୍ଳବ ବୋଲି କୁହାଯାଏ । ଏହି ବିପ୍ଳବ ଓ ଏହି ସ୍ୱାଧୀନତା ପ୍ରଥମ ବିପ୍ଳବ ଓ ପ୍ରଥମ ଚରଣର ସେହି ରାଜନୀତିକ ସ୍ୱାଧୀନତାଠାରୁ ଅନେକ ଅଧିକ ମହତ୍ତ୍ୱପୂର୍ଣ୍ଣ, ଅନେକ ଅଧିକ ପ୍ରତିବନ୍ଧକମୟ ଏବଂ ତେଣୁ ଅନେକ ଅଧିକ ଭୟଙ୍କର । ପରବର୍ତ୍ତୀ ଏହି ବିପ୍ଳବଟି ପ୍ରଥମ ବିପ୍ଳବଠାରୁ ଅନେକ ଅଧିକ ମହତ୍ତ୍ୱପୂର୍ଣ୍ଣ ଓ ଅନେକ ଅଧିକ କଷ୍ଟସାଧ୍ୟ ବୋଲି ଆମର ସ୍ୱାଧୀନତା ସଂଗ୍ରାମର ନାୟକ ମହାତ୍ମା ଗାନ୍ଧୀ ଆମକୁ କେତେଥର କେତେ ଉପଲକ୍ଷ୍ୟରେ କହିଥିବେ । ରାଜନୀତିକ ସ୍ୱାଧୀନତା ଆସିବାପରେ ମଧ୍ୟ ଆମକୁ କେତେଥର ଚେତାଇଦେଇ ସେ ସେହି କଥା କହିଥିଲେ ।

 

ମାତ୍ର ରାଜନୀତିକ ସ୍ୱାଧୀନତା ଆସିଯିବା ପରେ ଯେତେବେଳେ ପରବର୍ତ୍ତୀ ବିପ୍ଳବଗୁଡ଼ିକ ଲାଗି ଆମ ଦେଶରେ ମାର୍ଗ ଖୋଲି ଯାଇଥାନ୍ତା, ଯେତେବେଳେ ରାଷ୍ଟ୍ରୀୟ ନେତୃତ୍ୱ ଆମକୁ ବିପ୍ଳବର ପରବର୍ତ୍ତୀ ସୋପାନଗୁଡ଼ିକରେ ପରିଚାଳିତ କରି ନେଇଥାନ୍ତା, ସେତିକିବେଳେ ଆମ ଦେଶରେ ସଂଗ୍ରାମ ବଦଳରେ ଖେଳ ଚାଲିଲା । ସଂଗ୍ରାମୀମାନେ ତମ୍ବୁ ପକାଇ ସେଠି ରାଷ୍ଟ୍ର ନାମରେ, ଜାତୀୟ ମାନବୃଦ୍ଧି ନାମରେ ମୋଗଲ ଦରବାରମାନ ଆରମ୍ଭ କରିଦେଲେ, ଜାତୀୟତା ନାମରେ ପୁରୁଣା ସାମନ୍ତବାଦଗୁଡ଼ାକୁ ଆଣି ସ୍ଥାପନା କରାଗଲା । ଏହି ଦେଶରେ ଲୋକ ସାଧାରଣଙ୍କର ଭାଗ୍ୟକୁ ନେଇ ଖେଳ ଖେଳାଗଲା, ଗୋଟାଏ ଦେଶର ଭବିଷ୍ୟକୁ ନେଇ ଖେଳ ଖେଳାଗଲା, ପ୍ରାୟ ସବୁପ୍ରକାରର ପରିବର୍ତ୍ତନ ଲାଗି ଅସଲ ଦ୍ୱାରଗୁଡ଼ିକୁ ବନ୍ଦକରି ରଖାଗଲା । ଆବଶ୍ୟକତାଗୁଡ଼ାକୁ ଏଡ଼ି ଦେବାଲାଗି ଆଡ଼ମ୍ବରଗୁଡ଼ାକୁ ପୂର୍ଣ୍ଣ ପ୍ରଶ୍ରୟ ଦିଆଗଲା । ଧନୀମାନଙ୍କର ଦେଶକୁ ଅନୁକରଣ କରାଯାଇ ଏଠି ଏକ ନବ୍ୟ ସାମନ୍ତବାଦର ସାମିଆନା ବନ୍ଧାହେଲା । ଯୋଜନାଗୁଡ଼ାକ ଉପରେ ଆକାଶରେ ଶୋଭା ପାଇଲା–ତଳକୁ ଭେଦିବା ଲାଗି ତାକୁ ଆଉ ତର ସହିଲା ନାହିଁ । ନିର୍ବାଚନ ପରେ ନିର୍ବାଚନ ହେଲା, ତଥାପି ଅସଲ ପରିବର୍ତ୍ତନ ହେଲା ନାହିଁ । ଅସଲ ବାବୁମାନଙ୍କୁ ଆସନରୁ ଟଳାଇ ହେଲା ନାହିଁ । ଏହି ଦେଶର ପ୍ରାୟ ପଣେ କି ଦୁଇପଣ ମଣିଷ ଦେଶର ଅବଶିଷ୍ଟ ଅନେକଙ୍କୁ କାବୁ କରି ରଖିଲେ,–ରାଜନୀତି ଓ ଶାସନଗୁଡ଼ାକର ଢଙ୍ଗଢ଼ାଙ୍ଗ କେବଳ ଖେଳଖେଳିବାକୁହିଁ ବୁଝାଇଲା ।

 

ତେଣୁ ଏ ନିର୍ବାଚନ ଏକ ଖେଳ ନୁହେଁ । ଏହା ଏକ ସଂଗ୍ରାମ । ଏହା ଏକ ସଂଗ୍ରାମ ପରି ମହତ୍ତ୍ୱପୂର୍ଣ୍ଣ । ଯେଉଁମାନେ ଆସନରେ ବସିଛନ୍ତି, ଯେଉଁମାନଙ୍କ ହାତରେ ସରକାରୀ ଗସ୍ତର ସବୁଯାକ ପଇସା ଏବଂ ଗଡ଼ରଥମାନ ମହଜୁଦ ରହିଛି, ସେମାନଙ୍କ ପାଇଁ ଏହି ସଂଗ୍ରାମ ହୁଏତ ପ୍ରକୃତରେ ଗୋଟାଏ ଖେଳପରି ମନେ ହୋଇପାରେ । ମାତ୍ର ଯେଉଁମାନେ ଏବେ ମଧ୍ୟ ଏହି ଦେଶକୁ ଆପଣାର ଦେଶ ବୋଲି ଅନୁଭବ କରିନାହାନ୍ତି, ଯେଉଁମାନଙ୍କର ସୂର୍ଯ୍ୟ ଏବେ ମଧ୍ୟ ଉଦୟ ହୋଇନାହାନ୍ତି, ଯେଉଁମାନଙ୍କୁ ବଞ୍ଚିତ କରି ସାମନ୍ତବାଦର ଯାବତୀୟ ପ୍ରହସନ ଏଠାରେ ସବୁପ୍ରକାର ଗାମ୍ଭୀର୍ଯ୍ୟ ସହିତ ଚାଲିଛି, ସେମାନେ ଏହାକୁ କଦାପି ଏକ ଖେଳ ବୋଲି ଗ୍ରହଣ କରିବେ ନାହିଁ । ସନ୍ଥ ବିନୋବା ହୁଏତ କ୍ଷମତାସୀନମାନଙ୍କ ଆଚରଣ ଓ ହିଂସ୍ରମନୋବୃତ୍ତି ଆଦି ବିଚାର କରି ନିର୍ବାଚନର ଏହି ସଂଗ୍ରାମକୁ ଏକ ଖେଳ ପରି ଗ୍ରହଣ କରିବା ଲାଗି ପରାମର୍ଶ ଦେଇଛନ୍ତି । ସୁତରାଂ ସେମାନେ ତାଙ୍କର ଏହି ଖେଳଟି ଖେଳୁଥାନ୍ତୁ ଓ ଅତୀତଟାକୁହିଁ ବଜାୟ ରଖିବାକୁ ସବୁପ୍ରକାର ବରାଦ କରୁଥାନ୍ତୁ ପଛକେ, ଅନେକ ମଣିଷଙ୍କର ସଂଗ୍ରାମ ଏ ପର୍ଯ୍ୟନ୍ତ ସରିନାହିଁ । ଏହି ନିର୍ବାଚନକୁ ମଧ୍ୟ ସେମାନେ ଏହି ସଂଗ୍ରାମର ଅଂଶ ବୋଲି ଗ୍ରହଣ କରୁଛନ୍ତି । ଏହି ସଂଗ୍ରାମର ଫଳ ଉପରେ ଏହି ଦେଶରେ ଅଧିକାଂଶ ମଣିଷଙ୍କର ଭାଗ୍ୟ ନିର୍ଭର କରୁଛି ଅର୍ଥାତ୍ ଗଣତନ୍ତ୍ରର ଭାଗ୍ୟ ବି ନିର୍ଭର କରୁଛି । ସଂଗ୍ରାମ ନ କରି, କୌଣସି ଖେଳ ଖେଳି କଦାପି ଯେ କାହାର ଭାଗ୍ୟ ଗଢ଼ାଯାଇ ନାହିଁ, ଏଇ କଥାଟିକୁ କେହି କେବେ ଭୁଲି ନଯାନ୍ତୁ ।

ତା ୨୧.୩.୧୯୭୭ ରିଖ

Image

 

କେବଳ ଲାଭ କମାଇବା ନୁହେଁ

 

ଦୁଇମାସ ତଳେ ମାଲୟେସିଆ ଗସ୍ତରେ ଯାଇଥିବାବେଳେ ଭାରତର ସ୍ୱର୍ଗତ ରାଷ୍ଟ୍ରପତି ଶ୍ରୀଯୁକ୍ତ ଫକରୁଦ୍ଦିନ ଅଲ୍ଲି ଅହମ୍ମଦ ରାଜଧାନୀ କୁଆଲାଲମ୍ପୁରଠାରେ ସେଠାରେ ବାସକରୁଥିବା ଭାରତୀୟମାନଙ୍କର ଗୋଟିଏ ସଭାରେ ଆହ୍ୱାନ ଦେଇ କହିଥିଲେ ଯେ, ପ୍ରବାସୀ ଭାରତୀୟମାନେ ସେଠାରେ ଏହି ଦେଶର ଦୂତ ଓ ପ୍ରତିନିଧି ବୋଲି ଆପଣାକୁ ମନେକରିବା ଉଚିତ୍ । କେବଳ ଲାଭ କମାଇବା ପାଇଁ ଯେ ସେମାନେ ସେଠାକୁ ଯାଇଛନ୍ତି ଓ ସେଠାରେ ବସବାସ କରି ରହିଛନ୍ତି ସେମାନେ ଯେପରି ଆଦୌ ଚିନ୍ତା କରିବା ଉଚିତ୍ ନୁହେଁ ।

 

ଭାରତୀୟମାନେ କେବଳ ମାଲୟେସିଆ ଦେଶରେ ନାହାନ୍ତି, ସେମାନେ ଦକ୍ଷିଣପୂର୍ବ ଏସିଆର ବ୍ରହ୍ମଦେଶରେ ଅଛନ୍ତି, ଇଣ୍ଡୋନେସିଆର ଦ୍ୱୀପମାଳାରେ ରହିଛନ୍ତି, ଫିଜି ଦ୍ୱୀପରେ ବି ରହିଛନ୍ତି, ଏପରି କି ଭିଏତନାମରେ ମଧ୍ୟ ଅଛନ୍ତି । ଭିଏତନାମରେ ଯୁଦ୍ଧ ଲାଗିଥିବା ସମୟରେ ମଧ୍ୟ ସେମାନେ ସେହି ଦେଶରେ ରହିଥିଲେ । ଏଣେ ପଶ୍ଚିମକୁ ଗଲେ ସେମାନେ ବହୁଳ ସଂଖ୍ୟାରେ ମରିସସ୍ ଦ୍ୱୀପରେ ଅଛନ୍ତି, ତା’ ସେପାଖକୁ ଆଫ୍ରିକା ମହାଦେଶର ଉତ୍ତରରେ ସୋମାଲିଆଠାରୁ ଆରମ୍ଭକରି ଦକ୍ଷିଣଆଫ୍ରିକାର ନେଟାଲ ଓ ପ୍ରିଟୋରିଆ ଆଦି ପ୍ରାୟ ପ୍ରତ୍ୟେକ ଦେଶରେ ରହିଛନ୍ତି । ଆରବ ଅଞ୍ଚଳରେ ଏଡ଼େନଠାରେ ସେମାନେ ବହୁସଂଖ୍ୟାରେ ବାସକରୁଛନ୍ତି ଏବଂ ଆଟ୍‌ଲାଣ୍ଟିକ ମହାସାଗର ଡେଇଁ ଆହୁରି ସେପାଖକୁ ସେମାନେ କାରିବିୟାନ ଅଞ୍ଚଳ ଓ ଲାଟିନ୍ ଆମେରିକାର ଗାଏନା ପ୍ରଭୃତି ଏକାଧିକ ଦେଶରେ ବସବାସକରି ରହିଛନ୍ତି । ପ୍ରାୟ ସର୍ବତ୍ର ସେମାନେ ବଣିକ ହୋଇ ରହିଛନ୍ତି, ବିଶେଷଜ୍ଞ ହୋଇ ରହିଛନ୍ତି, ମଧ୍ୟସ୍ଥତା କରି ଲାଭରେ ଭାଗ ନେଉଛନ୍ତି । ସମ୍ପୃକ୍ତ ସେହିସବୁ ଦେଶରେ ଅଧିକ ସଂଖ୍ୟକ ଲୋକ ଯେଉଁ ସ୍ତରରେ ବା ସ୍ରୋତ ମଧ୍ୟରେ ରହିଛନ୍ତି, ସେଠାରେ ବସତି ସ୍ଥାପନା କରିଥିବା ଭାରତୀୟମାନେ ତା’ଠାରୁ ସ୍ପଷ୍ଟଭାବରେ ବିଚ୍ଛିନ୍ନ ଆଉ ଏକ ସ୍ରୋତ ବା ସ୍ତରରେ ଆସି ରହିଛନ୍ତି ।

 

ଆଫ୍ରିକାର ଯେଉଁସବୁ ଦେଶରେ କଳା ବହୁସଂଖ୍ୟକଙ୍କ ଉପରେ ଗୋରା ସଂଖ୍ୟାଲଘୁଙ୍କର ଦୁରାତ୍ମ ଶାସନ ଆପଣାକୁ ଜାରିକରି ରଖିଛି, ସେଠାରେ ଭାରତୀୟମାନଙ୍କୁ ମଧ୍ୟ ଗୋରାମାନଙ୍କ ଠାରୁ ନ୍ୟୂନ ଓ ଇତର ବୋଲି ଭାବି ନିମ୍ନରେ ରଖାଯାଉଛି ଓ ମାନବିକ ନାନା ଅଧିକାରରୁ ବଞ୍ଚିତ କରି ରଖାଯାଇଛି ସତ, ମାତ୍ର ଗୋରା ଅପଶାସନ ବିରୁଦ୍ଧରେ କଳାମାନଙ୍କର ଯେଉଁ ଲଢ଼େଇ ବିଗତ ଅନେକ ବର୍ଷ ହେଲା ନାନା ଉତ୍‌ଥାନ ପତନ ମଧ୍ୟ ଦେଇ ଗତିକରି ଆସୁଛି, ସେଠାରେ ବାସ କରୁଥିବା ଭାରତୀୟ ବାସିନ୍ଦାମାନେ ଏପର୍ଯ୍ୟନ୍ତ ବି ସମ୍ପୂର୍ଣ୍ଣ ଆନ୍ତରିକତା ସହିତ ସେହି ଲଢ଼େଇଟି ମଧ୍ୟରେ ସାମିଲ ହୋଇନାହାନ୍ତି । ଭାରତୀୟମାନଙ୍କ ସ୍ୱତନ୍ତ୍ର ଅଧିକାରଗୁଡ଼ିକ ସକାଶେ ଲଢ଼ିବା ଲାଗି ସେଠି ଏକ ସ୍ୱତନ୍ତ୍ର ଭାରତୀୟ କଂଗ୍ରେସ ରହିଛି ସତ, ମାତ୍ର ସେହି ଭୂମିର ଅସଲ ବାସିନ୍ଦା ଓ ଅସଲ ଅଧିକାରୀ କଳାମାନଙ୍କ ସହିତ ଭାରତୀୟମାନେ ଏ ପର୍ଯ୍ୟନ୍ତ ଗୋଟିଏ ଶିବିରରେ ଏକତ୍ର ହୋଇନାହାନ୍ତି । ସମ୍ଭବତଃ କଳାମାନଙ୍କୁ ଭାରତୀୟମାନେ ଆପଣାଠାରୁ ଛୋଟ ମନେ କରୁଛନ୍ତି । ଆପଣାର ବ୍ୟାପାରଗତ ସ୍ୱାର୍ଥର ନାନା କ୍ଷେତ୍ରରେ ଅଧିକରୁ ଅଧିକ ସୁବିଧା ହାସଲ କରି ରହିବା ଲାଗି ସେମାନେ ହୁଏତ ଗୋରା ତନ୍ତ୍ରାରୂଢ଼ମାନଙ୍କର ଖୁବ୍ ବେଶି ବିରୁଦ୍ଧାଚରଣ ନକରିବାକୁହିଁ ନିରାପଦ ଓ ତେଣୁ ପ୍ରୟୋଜନୀୟ ବୋଲି ମନେ କରୁଛନ୍ତି । ଭାରତୀୟମାନେ ଅଧିକ ସଂଖ୍ୟାରେ ବେପାରୀ ହୋଇଥିବାରୁ ବ୍ୟାପାରଗତ ମୂଲ୍ୟାୟନଗୁଡ଼ାକହିଁ ସେମାନଙ୍କ ଲାଗି ସର୍ବପ୍ରଧାନ ମୂଲ୍ୟାୟନ ହୋଇରହିଛି ।

 

କେନିଆ, ଉଗାଣ୍ଡା ଓ ଟାଙ୍ଗାନିକା ପ୍ରଭୃତି ଦେଶରେ ଯେଉଁ ଭାରତୀୟମାନେ ରହିଛନ୍ତି, ସେମାନେ ପଚାଶ ଅଥବା ଶହେବର୍ଷ ପୂର୍ବରୁ ସେଠାରେ ଆପଣାର ଉପସ୍ଥିତିଟି ବିଷୟରେ ଯେଉଁ ମନୋଦୃଷ୍ଟି ପୋଷଣ କରି ରହିଥିଲେ, ବର୍ତ୍ତମାନ ସେହିସବୁ ଦେଶ ସ୍ୱାଧୀନତା ହାସଲ କଲା ପରେ ମଧ୍ୟ ପ୍ରଧାନତଃ ସେହି ମନୋଦୃଷ୍ଟିଟି ମଧ୍ୟରେ ଗୁରାଇତୁରାଇ ହୋଇ ରହିଛନ୍ତି । ସେହିସବୁ ଦେଶର ଅର୍ଥନୀତି ଆପଣାକୁ ଏକ ନୂତନ ପରିପ୍ରେକ୍ଷୀରେ ନୂତନ କରି ଗଢ଼ିବା ଲାଗି ପାରୁପର୍ଯ୍ୟନ୍ତ ପ୍ରୟାସ କରୁଥିବାବେଳେ ଭାରତୀୟ ବେପାରୀମାନେ ସେହି ପୁରୁଣା ଅର୍ଥନୀତିର ସୁବିଧାଜନକ ଫନ୍ଦାଗୁଡ଼ାକୁ ତଥାପି କାମୁଡ଼ି ରହିଛନ୍ତି । ସେହିସବୁ ଦେଶର ଅର୍ଥନୀତିରୁ ନିଜର ଜୀବିକା ଅର୍ଜ୍ଜନ କରୁଥିଲେ ମଧ୍ୟ ସେମାନେ ତଥାପି ସେଠାରେ ଆଫ୍ରିକାବାସୀମାନଙ୍କର ଆଖିରେ ଏକ ପ୍ରବାସୀ ଶୋଷକ ଶ୍ରେଣୀ ହୋଇ ରହିଛନ୍ତି, ସେହିସବୁ ଦେଶର ନବବିଧାନ ଏବଂ ନବନିର୍ମାଣରେ ଅନେକ ସମୟରେ ପ୍ରାୟ ଅନ୍ତରାୟପରି କାର୍ଯ୍ୟ କରୁଛନ୍ତି । ଗୋଟିଏ ନୂତନ ରାଷ୍ଟ୍ରର ପ୍ରାରମ୍ଭିକ ସ୍ତରର ଆର୍ଥିକ ଓ ସାମାଜିକ ବିକାଶରେ ଉପକୃତ ବନ୍ଧୁଭାବରେ ସେମାନେ ଯେଉଁପରି ସାହଚର୍ଯ୍ୟ ଦେଇ ପାରୁଥାଆନ୍ତେ, ଏବେ ମଧ୍ୟ ତାହା ଦେଇ ପାରିନାହାନ୍ତି ।

 

ମରିସସ୍ ଓ ଫିଜିରେ ମଧ୍ୟ ଅବସ୍ଥା ଅଳ୍ପବହୁତେ ତଦ୍ରୂପ ହୋଇ ରହିଛି । ସେଠାକାର ଆଦି ଅଧିବାସୀମାନଙ୍କୁ ପ୍ରାୟ ଉତ୍ପାଟିତ କରିବାର ପ୍ରମାଦ ଅର୍ଜନ କରିହିଁ ସେହିସବୁ ଦେଶର ବ୍ୟାପାର ଓ ଅର୍ଥନୀତି ଚାଲୁଛି ଓ ଭାରତୀୟ ବେପାରୀମାନେ ସେଥିରେ ପୁରୋଧାର କାର୍ଯ୍ୟ କରୁଛନ୍ତି । ବ୍ରହ୍ମଦେଶ ଓ ସିଂହଳରେ ପ୍ରଧାନତଃ ସେହିପରି ଏକ ଅବସ୍ଥାର ପ୍ରତିବିଧାନ କରିବାକୁ ଯାଇ ସେହି ଉଭୟ ଦେଶର ରାଷ୍ଟ୍ର ଭାରତୀୟମାନଙ୍କର ବ୍ୟାପାର କ୍ଷେତ୍ରରେ ନାନା କଟକଣା ଜାରି କରୁଛନ୍ତି ଓ ଭାରତୀୟ ବୀତଶ୍ରଦ୍ଧାର କଟୁ ଶରବ୍ୟ ହୋଇଛନ୍ତି ।

 

ତେଣୁ ଅଧିକ ଲାଭ କମାଇବାର ବ୍ୟାପାରୀ ବୁଦ୍ଧିକୁ ପରିତ୍ୟାଗ କରିପାରିଲେ ଯାଇ ଏହି ପ୍ରବାସୀ ଭାରତୀୟମାନେ ଅନ୍ୟ ଯାହାକିଛି ସୁସ୍ଥତର ଭୂମିକାରେ ଅବତୀର୍ଣ୍ଣ ହୋଇପାରିବେ । ସମ୍ଭବତଃ ସେତିକିବେଳେ ଯାଇ ସେମାନେ ଏକ ସ୍ୱାଧୀନତାକାମୀ ଦେଶ ଭାରତବର୍ଷର ଯଥାର୍ଥ ପ୍ରତିନିଧିତ୍ୱ କରିପାରିବେ ।

ତା ୪.୪.୧୯୭୭ ରିଖ

Image

 

ସାମରିକ ବିଦ୍ରୋହ ବ୍ୟର୍ଥ

 

ଏଥିଓପିଆରେ ସାମରିକ ବିଦ୍ରୋହ ବ୍ୟର୍ଥ ହୋଇଛି ବୋଲି ରାଜଧାନୀ ଆଡ଼ିସ୍‌ ଆବାବାର ରେଡ଼ିଓ ଦିନେ ଘୋଷଣା କଲା । ପୂର୍ବତନ ରାଷ୍ଟ୍ରମୁଖ୍ୟଙ୍କ ସମେତ ସେଥିରେ ଗତ ପ୍ରାୟ ଅଢ଼େଇବର୍ଷ ହେଲା ପ୍ରତିଷ୍ଠିତ ହୋଇଥିବା ସାମରିକ ଶାସକ ପରିଷଦର ସାତଜଣ ନେତା ନିହତ ହୋଇଛନ୍ତି ବୋଲି ମଧ୍ୟ ରେଡ଼ିଓରୁ ସମ୍ବାଦ ପ୍ରକାଶ ପାଇଲା ।
 

୧୯୭୪ ମସିହାରେ ଏକ ସାମରିକ ବିଦ୍ରୋହ ଘଟାଇ ଯେଉଁ ସାମରିକ କର୍ତ୍ତାମାନେ ଏଥିଓପିଆର ସମ୍ରାଟ ହାଇଲେ ସେଲାସିଙ୍କୁ ବନ୍ଦୀ କରି ନେଇଥିଲେ, ଏବେ ଘଟିଯାଇଥିବା ସାମରିକ ବିଦ୍ରୋହରେ ସେହିମାନଙ୍କ ମଧ୍ୟରୁ ଆଠଜଣଙ୍କର ମୃତ୍ୟୁ ଘଟିଛି ଏବଂ ଯେଉଁ ସାମରିକ ଅଫିସରମାନେ ସଂପ୍ରତି ଏହି ବିଦ୍ରୋହଟିରେ ନେତୃତ୍ୱ ଗ୍ରହଣ କରିଥିଲେ, ସେମାନଙ୍କୁ ହତ୍ୟା କରି ପୂର୍ବ ସରକାରରେ ରହିଥିବା ଓ ନିହତ ନ ହୋଇଥିବା ସାମରିକ କର୍ତ୍ତାମାନେ ଗାଦି ଅଧିକାର କରିଛନ୍ତି ଓ ସେମାନଙ୍କର ଆସନ ପୂର୍ବ ଅପେକ୍ଷା ଅଧିକ ଦୃଢ଼ୀଭୂତ ହୋଇଛି ବୋଲି ସେମାନେ ରେଡ଼ିଓ ଜରିଆରେ ଘୋଷଣା କରିଛନ୍ତି ।

 

ସାମରିକ ପରିଷଦର ସଦର ଦପ୍ତରରେ ବିଦ୍ରୋହୀମାନେ ଏହି ଗୁଳିକାଣ୍ଡ ଭିଆଇଛନ୍ତି ଓ ଗାଦିରେଥିବା ଆଠଜଣ ଶାସନକର୍ତ୍ତାଙ୍କୁ ହତ୍ୟା କରିଛନ୍ତି । ଗୁଳିକାଣ୍ଡଦ୍ୱାରା ଯେ ରାଜନୀତିକ ପରିବର୍ତ୍ତନ ଘଟାଯାଇପାରେ, ତାହା ଆମର ଏ ଯୁଗରେ ମଧ୍ୟ ଏକାଧିକବାର ପ୍ରମାଣିତ ହେବାରେ ଲାଗିଛି । ଏଥିଓପିଆର ଗୋଟିଏ ପଡ଼ୋଶୀ ଦେଶ ସୁଡ଼ାନରେ ମଧ୍ୟ ଏକାଧିକବାର ଏହିପରି ଗୁଳିକାଣ୍ଡମାନ ଘଟିସାରିଛି । ବିଗତ ମାତ୍ର କେତୋଟି ବର୍ଷର ଅବଧି ମଧ୍ୟରେ ତାହା ଘଟିଛି ଓ ସୁଡ଼ାନର ସର୍ବୋଚ୍ଚ ସାମରିକ ଶାସକ ନୁମେଇରିଙ୍କ ପରମ ସୌଭାଗ୍ୟ ହେତୁହିଁ ସେହିସବୁ ବିଦ୍ରୋହକୁ ପ୍ରତିହତ କରି ଦିଆଯାଇ ପାରିଛି । ଏଥିଓପିଆର ଉତ୍ତର ପଟରେ ଅବସ୍ଥିତ ସୋମାଲିଆ ଦେଶରେ ଯେଉଁମାନେ ବର୍ତ୍ତମାନ ଶାସନାସୀନ ହୋଇ ରହିଛନ୍ତି, ସେମାନେ ମଧ୍ୟ ମୁଖ୍ୟତଃ ଗୁଳିକାଣ୍ଡ ଭିଆଇ ଏବଂ ସେଥିରେ ସଫଳକାମ ହୋଇ କ୍ଷମତାକୁ ଆସି ପାରିଛନ୍ତି । ଆଫ୍ରିକାର ସାଂପ୍ରତିକ ରାଜନୀତିକ ଇତିହାସରେ ଏହି ଗୁଳିକାଣ୍ଡଗୁଡ଼ାକ ସତେ ଅବା କ୍ରମଶଃ ଏକ ନିତ୍ୟାଚରିତ ବ୍ୟାପାରରେ ପରିଣତ ହେବାରେ ଲାଗିଛି ।

 

ଏଥିଓପିଆରେ ଯେଉଁ ସେନାଧ୍ୟକ୍ଷମାନେ ବିଦ୍ରୋହ ଘଟାଇଲେ ଓ ସେମାନେ ଗୁଳିକାଣ୍ଡ ଭିଆଇ ଯେଉଁମାନେଙ୍କୁ ହତ୍ୟା କଲେ, ଅଢ଼େଇ ବର୍ଷ ପୂର୍ବେ ସେମାନେ ଏକାଠି ଗୋଟିଏ ସେନା ଭିତରେ ରହିଥିଲେ । ସମସ୍ତେ ସମ୍ରାଟ ହାଇଲେ ସେଲାସିଙ୍କର ସାର୍ବଭୌମତ୍ୱ ଅଧୀନରେହିଁ ରହିଥିଲେ । କୌଣସି ପ୍ରକାର ରାଜନୀତିକ ଅନ୍ୟ ଆଦର୍ଶରୁ ପ୍ରେରଣା ପାଇ ସେମାନେ ଯେ ଷଡ଼ଯନ୍ତ୍ର କରି ଓ ଗୁଳିକାଣ୍ଡ ଭିଆଇ ସମ୍ରାଟଙ୍କୁ ଗାଦିଚ୍ୟୁତ କରାଇଲେ, ସେ କଥା ମୋଟେ ନୁହେଁ । ଆଫ୍ରିକା ମହାଦେଶର ଅନ୍ୟାନ୍ୟ ଅନେକ ଦେଶରେ ଯେଉଁ ସଫଳ ନାଟକଟିର ଅଭିନୟ ହୋଇ ଆସୁଥିଲା, ସେମାନେ ସେଇଟିରୁହିଁ ସମ୍ଭବତଃ ସବୁଠାରୁ ଅଧିକ ଉତ୍ସାହ ଓ ବଳ ପାଇଥିଲେ । ତେଣୁ ଗୁଳିକାଣ୍ଡ ଭିଆଇ ପ୍ରସାଦସ୍ଥ ସମ୍ରାଟଙ୍କୁ ପ୍ରସାଦ ଭିତରୁ କାରାଗାର ମଧ୍ୟକୁ ଆଣିଲେ ଓ ଆପଣାକୁ ଶାସନସ୍ଥାନଗୁଡ଼ିକରେ ଆସୀନ କଲେ । ଏହିପରି କରି ସେମାନେ ଏଥିଓପିଆରେ ଗୋଟିଏ ଦୀର୍ଘ ଯୁଗର ଅନ୍ତ କରାଇବାରେ ପ୍ରାୟ ଏକ ନିମିତ୍ତରୂପେ କାର୍ଯ୍ୟ କଲେ ସତ, ମାତ୍ର ଆପଣାର ଅତ୍ୟନ୍ତ ଅଜାଣତ ଓ ଅସଚେତନ ଭାବରେ ସେହି ନିମିତ୍ତ ଭାବରେ କାର୍ଯ୍ୟ କଲେ । ଏଥିଓପିଆର ସାଧାରଣ ଜନଗଣ ହୁଏତ ଏହିସବୁ ପରିବର୍ତ୍ତନ ଓ ପଟବଦଳାରେ ଆଦୌ କୌଣସି ଭାଗ ନେଲେ ନାହିଁ । ଆଗରୁ ଗୁଳି ଓ ସୈନ୍ୟଶକ୍ତି ସମ୍ରାଟଙ୍କ ହାତରେଥିଲା ଓ ସେମାନେ ସମ୍ରାଟଙ୍କ ଅଧୀନରେ ରହିଥିଲେ । ଏବେ ସେହି ଗୁଳି ଓ ସୈନ୍ୟଶକ୍ତି ସଫଳ ସୈନ୍ୟାଧ୍ୟକ୍ଷ ମାନଙ୍କର ହସ୍ତଗତ ହେବାରୁ ସେମାନେ ନୂତନ ପ୍ରଭୁମାନଙ୍କର ଅଧୀନ ହୋଇରହିଲେ । ପ୍ରଭୁ ବଦଳିଗଲେ, ଯନ୍ତ୍ରଗୁଡ଼ାକ ଓ ଜାଲଗୁଡ଼ାକ ହୁଏତ ଅପରିବର୍ତ୍ତିତ ହୋଇରହିଲେ ।

 

ଆଗେ ମୋଗଲ ଅମଳରେ ସିଂହାସନ ଦଖଲ କରିବା ଉଦ୍ଦେଶ୍ୟରେ ଅନ୍ତଃପୁରମାନଙ୍କରେ ଯେଉଁ ହତ୍ୟାକାଣ୍ଡ ଓ ଆତତାୟିତା ଲାଗି ରହିଥିଲା, ଆଫ୍ରିକା ମହାଦେଶର କେତେ କେତେ ଦେଶରେ ଏବେ ପ୍ରାୟ ସେହି ଉଦ୍ଦେଶ୍ୟରେହିଁ ସାମରିକ କର୍ତ୍ତାମାନଙ୍କ ଭିତରେ ବନ୍ଧୁକରେ ବଳ କଷାକଷି ଚାଲିଛି । ଯେତେବେଳେ ଯିଏ ଜୟଲାଭ କରୁଛି, ସେଇ ଆପଣାକୁ ଗାଦିରେ ନେଇ ବସାଇ ଦେଉଛି ଓ ପ୍ରତିହତ ଅସଫଳମାନଙ୍କୁ ଫାସିଷ୍ଟ୍‌ ବା ପ୍ରତିକ୍ରିୟାଶୀଳ ବୋଲି କହୁଛି । ସେମାନେ ସାମ୍ରାଜ୍ୟବାଦୀ ମାନଙ୍କର ହାତବାରିସି ହୋଇଥିଲେ ବୋଲି ଅପବାଦ ରଟାଉଛି-। ଏସବୁ ଭିତରେ ରାଜନୀତିକ ପରିବର୍ତ୍ତନ ହୁଏତ ଆଦୌ କିଛି ହେଲେ ହେଉ ନାହିଁ । ବନ୍ଧୁକର ଆଶ୍ରୟ ନିଆ ନହୋଇ ପ୍ରଧାନତଃ ରାଜନୀତିକ ଚେତନାର ବିବର୍ତ୍ତନ ଫଳରେ ଯେ କୌଣସି ରାଷ୍ଟ୍ରର ଜୀବନରେ ହୁଏତ ଅଧିକ ସ୍ଥାୟୀ ଭାବରେ କୌଣସି ପରିବର୍ତ୍ତନ ସମ୍ଭବ ହୋଇପାରେ, ଆଫ୍ରିକାର ସୈନ୍ୟଧ୍ୟକ୍ଷମାନେ ପରିବର୍ତ୍ତନକାମୀ ଆଫ୍ରିକାବାସୀଙ୍କ ମନରେ ସେପରି କୌଣସି ପ୍ରତ୍ୟୟ ଆଣିଦେବାରେ କଦାପି ସମର୍ଥ ହେଉନଥିବେ ।

 

ସାମରିକ ବିଦ୍ରୋହକୁ ବ୍ୟର୍ଥ କରି ଦିଆଯିବା ପରେ ପରିସ୍ଥିତି ଆୟତ୍ତାଧୀନ ରହିଛି ବୋଲି ଶାସନକର୍ତ୍ତାମାନେ ଘୋଷଣା କରୁଥିବା ସମୟରେ ଆଉ ଏକ ସମ୍ବାଦପତ୍ରରୁ ପ୍ରକାଶ ପାଇଛି ଯେ, ରାଜଧାନୀରେ ଛାତ୍ର ଆନ୍ଦୋଳନ ଅବ୍ୟାହତ ରହିଛି । ଆଡ଼ିସଆବାବା ବିଶ୍ୱବିଦ୍ୟାଳୟର ହତା ଭିତରେ ଗୁଳିମାଡ଼ ହୋଇଥିବାର ଆବାଜ ଶୁଣାଯାଇଛି ଏବଂ ତାହା ଫଳରେ ବହୁ ସଂଖ୍ୟକ ଛାତ୍ର ନିହତ ହୋଇଛନ୍ତି । ଛାତ୍ରମାନେ ପୂର୍ବତନ ସମ୍ରାଟଶାସନ ଫେରାଇ ଆଣିବାକୁ ଆନ୍ଦୋଳନ କରୁନାହାନ୍ତି । ଯେଉଁ ସାମରିକ ବିଦ୍ରୋହଟି ବ୍ୟର୍ଥ ହୋଇଗଲା, ସେଇଟା ପ୍ରତି କୌଣସି ସହାନୁଭୂତି ପ୍ରକାଶକରି ମଧ୍ୟ ସେମାନେ ଆନ୍ଦୋଳନ କରୁନାହାନ୍ତି । ଛାତ୍ରମାନେ ଅସାମରିକ ଶାସନର ପ୍ରତିଷ୍ଠା ହେଉ ବୋଲି ଦାବୀ କରୁଛନ୍ତି । ଯାବତୀୟ ମାର୍କାର ଓ ଯାବତୀୟ ପ୍ରକାରର ସାମରିକ ଶାସନ-ଉପଦ୍ରବର ଅବସାନ ଚାହୁଛନ୍ତି । ସେମାନେ ଭୂମିରେହିଁ ପରିବର୍ତ୍ତନ ଇଚ୍ଛା କରୁଛନ୍ତି । ଆଫ୍ରିକାର ଅନେକ ଦେଶରେ ଏହି ଭୂମିରେ ଖୁବ୍ ବେଶି ପରିବର୍ତ୍ତନ ହୋଇପାରି ନାହିଁ ବୋଲି ସାମରିକ କର୍ତ୍ତାମାନେହିଁ ଏଡ଼େ ଦୃଢ଼ତା ସହିତ ଗାଦିମାଡ଼ି ବସିଛନ୍ତି ।

ତା ୫.୪.୧୯୭୭ ରିଖ

Image

 

ତୁରସ୍କ ଓ ଗ୍ରୀସ୍

 

ତୁରସ୍କ ଓ ଗ୍ରୀସ୍ ଦୁହେଁ ଦୁହିଁଙ୍କର ପ୍ରତିବେଶୀ, ଦୁହେଁ ହେଉଛନ୍ତି ଉତ୍ତର ଆଟଲାଣ୍ଟିକ ଚୁକ୍ତି ସଙ୍ଗଠନର ଗୋଟିଏ ଗୋଟିଏ ସଦସ୍ୟଦେଶ । ସାଇପ୍ରସ୍‌କୁ ନେଇ ଦୁଇ ଦେଶ ମଧ୍ୟରେ ସର୍ବପ୍ରଥମେ କଳହ ଆରମ୍ଭ ହେଲା ଏବଂ ସେହି କଳହ କ୍ରମଶଃ ଅଧିକରୁ ଅଧିକ ଜଟିଳ ହୋଇ ସାମରିକ ମେଣ୍ଟ ନାଟୋ ଲାଗି ପ୍ରକୃତରେ ଅନେକ ମୁଣ୍ଡବ୍ୟଥାର କାରଣ ହେଲା । ଏହି ବିବାଦଗୁଡ଼ାକ ଦାଣ୍ଡରେ ପଡ଼ୁଥିବାବେଳେ ସେମାନଙ୍କୁ ନେଇ ଗୋଟିଏ ସାମରିକ ମେଣ୍ଟ ଭିତରେ ଭର୍ତ୍ତି କରିବାର ଯୁକ୍ତିଯୁକ୍ତତା କ’ଣ ରହିଛି, ପୃଥିବୀ ସାରା ରାଜନୀତିକ ପର୍ଯ୍ୟବେକ୍ଷକମାନେ ତାହା ପ୍ରଶ୍ନ କରିବାକୁ ବି ଲାଗିଲେ ।

 

ସାଇପ୍ରସ୍ ଏକ ଦ୍ୱିଭାଷୀୟ ଦେଶ । ଏଥିରେ ଗ୍ରୀକ୍ ଭାଷାଭାଷୀ ଅଛନ୍ତି, ତୁର୍କୀ ଭାଷାଭାଷୀ ଅଛନ୍ତି । ସାଇପ୍ରସ୍ ବ୍ରିଟିଶ ସାମ୍ରାଜ୍ୟର ଅଧୀନହୋଇ ରହିଥିବାବେଳେ ବ୍ରିଟିଶ ସରକାର ଦୁଇ ଭାଷାଭାଷୀଙ୍କୁ ପରସ୍ପର ବିରୁଦ୍ଧରେ ଉସ୍‌କାଇ ରଖିବାକୁ କୌଣସି ତ୍ରୁଟି କରିନଥିଲେ ଏବଂ ସାଇପ୍ରସ୍‌ ରାଜନୀତିକ ସ୍ୱାଧୀନତା ଲାଭ କଲାପରେ ତାହାହିଁ ତାହାର ସର୍ବପ୍ରଧାନ ସମସ୍ୟା ହୋଇ ଦଣ୍ଡାୟମାନ ହେଲା । ସାଇପ୍ରସ୍‌ ଗୋଟାସୁଦ୍ଧା ଗ୍ରୀକ୍‌ ହୋଇ ରହିବ ବୋଲି ପ୍ରଥମେ ଯେତେବେଳେ ଗ୍ରୀକ୍‌ଭାଷାମାନଙ୍କ ତରଫରୁ ଆନ୍ଦୋଳନ ହେଲା, ସେତେବେଳେ ଗ୍ରୀସ୍‌ର ତତ୍କାଳୀନ ସାମରିକ ଶାସକମାନେ ସେଥିରେ ଈନ୍ଧନ ଯୋଗାଇବାକୁ ଆରମ୍ଭ କଲେ । ସାଇପ୍ରସ୍‌ ଗୋଟାସୁଦ୍ଧା ଗ୍ରୀସ୍‌ଦେଶ ସହିତ ମିଶିଯିବା ଉଚିତ ବୋଲି ମଧ୍ୟ ଗ୍ରୀସ୍‌ର ସକ୍ରିୟ ପ୍ରରୋଚନାରେ ସାଇପ୍ରସ୍‌ରେ ଏକ ସଙ୍ଗଠିତ ଆନ୍ଦୋଳନକୁ ମୁଣ୍ଡଟେକିବା ଲାଗି ବେଶ୍‌ ପ୍ରଶ୍ରୟ ଦିଆଗଲା । ସାଇପ୍ରସ୍‌ର ତୁର୍କୀଭାଷୀ ଜନଭାଗଟି ଏଥିରେ ଭୟଭୀତ ଓ ଉତ୍ତେଜିତ ହୋଇପଡ଼ିଲା ଓ ସ୍ୱଭାବତଃ ତୁରସ୍କ ସରକାରଙ୍କର ସହାନୁଭୂତି ପ୍ରାର୍ଥନା କଲା । ୧୯୭୪ ମସିହାରେ ଏହାରି ଫଳସ୍ୱରୂପ ତୁର୍କୀ ସୈନ୍ୟବାହିନୀ ସାଇପ୍ରସ୍‌ ଆକ୍ରମଣ କଲେ ଓ ଦ୍ୱୀପଟିର ଅଧେରୁ ଅଧିକ ଭାଗ ଦଖଲ କରିନେଲେ-। ସେହି ଅଞ୍ଚଳଟି ବର୍ତ୍ତମାନ ମଧ୍ୟ ପ୍ରାୟ ଏକ ଅର୍ଦ୍ଧସ୍ୱାଧୀନ ଅଞ୍ଚଳରୂପେ ଶାସିତ ହେଉଛି ଏବଂ ସେହି ଅଞ୍ଚଳରେ ତୁର୍କୀଭାଷୀମାନେ ଅବସ୍ଥାନ କରୁଛନ୍ତି । ଆର୍କବିଶପ୍‌ ମାକାରିଅସ୍‌ ସଂଯୁକ୍ତ ସାଇପ୍ରସ୍‌ର ରାଷ୍ଟ୍ରମୁଖ୍ୟ ହିସାବରେ ଆପଣାର ବିଶ୍ୱାସଭାଜନତାକୁ ବଜାୟ ନ ରଖିଥିଲେ ସାଇପ୍ରସ୍‌ ହୁଏତ କେଉଁଦିନରୁ ଦୁଇଟି ଭିନ୍ନ ଭିନ୍ନ ଦେଶରେ ବିଭକ୍ତ ହୋଇ ସାରନ୍ତାଣି ।

 

ପ୍ରାୟ ଏକ ଆପୋଷ ସ୍ୱୀକୃତି ସହିତ ସାଇପ୍ରସ୍‌କୁ ଦୁଇ ଭାଗରେ ବିଭକ୍ତ କରି ସେଠି ଗ୍ରୀକ୍‌ଭାଷୀ ଏବଂ ତୁର୍କୀଭାଷୀ ଆପାତତଃ ଶାନ୍ତ ଭାବରେ ବାସ କରିବାକୁ ଅଭ୍ୟସ୍ତ ହେବାରେ ଲାଗିଛନ୍ତି । ମାତ୍ର ସାଇପ୍ରସ୍‌କୁ ନିମିତ୍ତ କରି ଗ୍ରୀସ୍‌ ଓ ତୁରସ୍କ ଯେଉଁ ପାରସ୍ପରିକ କଳହ ମଧ୍ୟକୁ ଅବତରଣ କରିଥିଲେ, ସେହି କଳହ ଏବେ ବି ବଳବତ୍ତର ରହିଛି । ପାର୍ଶ୍ୱବର୍ତ୍ତୀ ସମୁଦ୍ର ଭିତରକୁ କେଉଁ ଦେଶର କେତେଦୂର ପର୍ଯ୍ୟନ୍ତ ପ୍ରଭୁତ୍ୱ ଓ ଦଖଲ ରହିଛି, ତାହାକୁ ସମସ୍ୟା କରି ମଧ୍ୟ ଗ୍ରୀସ୍‌ ଓ ତୁରସ୍କ ମଧ୍ୟରେ ନୂଆ ଝଗଡ଼ା ଲାଗିଛି । କୌଣସି ଏକ ସାଧାରଣ ଶତ୍ରୁ ବା ସାଧାରଣ ଆକ୍ରମଣର ମୁକାବିଲା କରିବାଲାଗି ଯେଉଁ ଆଟଲାଣ୍ଟିକ ମେଣ୍ଟର ଗଠନ ହୋଇଥିଲା, ତାହାର ଦୁଇ ସଦସ୍ୟ ଦେଶ ଗ୍ରୀସ୍‌ ଓ ତୁରସ୍କ ସେହି ସାଧାରଣ ଶତ୍ରୁଟି ବିଷୟରେ ଯେତେ ଭାବୁନାହାନ୍ତି, ପରସ୍ପରକୁ ଜବତ କରିବା ବିଷୟରେ ହୁଏତ ସେମାନେ ଅଧିକ ଉତ୍ସାହିତ ହୋଇ ରହିଛନ୍ତି । ସାଧାରଣ ବିପଦଟିର ମୁକାବିଲା କରିବା ଲାଗି ମେଣ୍ଟର ଦୁଇ ସଦସ୍ୟରୂପେ ସେମାନଙ୍କ ହାତରେ ଯେଉଁ ଅସ୍ତ୍ରଶସ୍ତ୍ର ମହଜୁଦ କରି ରଖାଯାଇଥିଲା, ସେମାନେ ଭାରି ସଫଳ ଭାବରେ ପରସ୍ପର ବିରୁଦ୍ଧରେହିଁ ସେହି ଅସ୍ତ୍ରଶସ୍ତ୍ରକୁ ପ୍ରୟୋଗ କରିଛନ୍ତି ଓ ପ୍ରୟୋଗ କରିବାରେ ଲାଗିଛନ୍ତି । ଏହିସବୁ ପରିପ୍ରେକ୍ଷୀ ଉପରେ ବିଚାର କରି, ଯେଉଁ ସାମରିକ ଅତିଭୀତତା ଏବଂ ମେଣ୍ଟ-ରାଜନୀତିକୁ ମୂଳ କରି ପଶ୍ଚିମ ଇଉରୋପର ଦେଶଗୁଡ଼ିକ ଆପଣାର ରାଜନୀତିକ ରୀତିସୂତ୍ର ଗୁଡ଼ିକର ନିର୍ଦ୍ଧାରଣ କରିଥିଲେ, ବର୍ତ୍ତମାନ ତାହାରି ଯଥାର୍ଥତା ଏବଂ ଯୁକ୍ତିଯୁକ୍ତତା ଉପରେ ସ୍ୱତଃ ଏକ ସନ୍ଦେହ ଜାତ ହେବାକୁ ବି ଆରମ୍ଭ କରିଛି । ପରସ୍ପର ସହିତ ବିବାଦରତ ହୋଇ ରହିବା ବ୍ୟତୀତ ତୁରସ୍କ ଓ ଗ୍ରୀସର କ’ଣ ପ୍ରକୃତରେ କୌଣସି ରାଜନୀତି ନାହିଁ ? ମେଣ୍ଟର ଜଣେ ଜଣେ ସଦସ୍ୟ ହେବା ଲାଗି ସେମାନଙ୍କୁ ପ୍ରଲୁବ୍‌ଧ କରାଯାଇ ନଥିଲେ ଏବଂ ସେମାନଙ୍କ ହାତରେ ପ୍ରାୟ ଅନାବଶ୍ୟକ ଭାବରେ ଅପର୍ଯ୍ୟାପ୍ତ ଅସ୍ତ୍ରଶସ୍ତ୍ର ଆଣି ଜମା କରି ଦେଇନଥିଲେ ସେହି ଦୁଇଟି ଦେଶ ହୁଏତ ଏଡ଼େ ସହଜରେ ପରସ୍ପର ସହିତ ଯୁଦ୍ଧ କରିବାକୁ ମନ କରି ନଥାନ୍ତେ ଓ ଆପଣାର ଅନ୍ୟ ଅଧିକ ମହତ୍ତ୍ୱପୂର୍ଣ୍ଣ ଆଭ୍ୟନ୍ତରୀଣ ସମସ୍ୟାଗୁଡ଼ିକ ଉପରେ ଅଧିକ ଧ୍ୟାନ ଦେଇଥାନ୍ତେ, ଏପରି ଭାବିବା ଲାଗି ମଧ୍ୟ ଏହି କ୍ଷେତ୍ରରେ ଅନେକ ଅବକାଶ ରହିଛି । ଉତ୍ତର ଆଟଲାଣ୍ଟିକ ମେଣ୍ଟ ଗଢ଼ା ହୋଇ ପଶ୍ଚିମ ଇଉରୋପର ସ୍ୱାଭାବିକ ରାଜନୀତିକ ବିବର୍ତ୍ତନକୁ ହୁଏତ ବଡ଼ ଜବରଦସ୍ତି ଭାବରେ ବିକୃତ କରି ଦିଆଯାଇଛି ।

 

ତୁରସ୍କ ଓ ଗ୍ରୀସ୍‌ ଆପଣାର ରାଜନୀତିକ ବିବର୍ତ୍ତନ ଅପେକ୍ଷା ଆପଣା ଆପଣା ଭିତରେ ବିବାଦ ଲଗାଇବାରେହିଁ ଅଧିକ ଉତ୍ସାହ ଦେଖାଉଛନ୍ତି । କାରଣ ଗୋଟିଏ ଗୋଟିଏ ଜନସମୂହ ହିସାବରେ ଏମାନଙ୍କୁ ସ୍ୱାଭାବିକ ରାଜନୀତିକ ବିବର୍ତ୍ତନରୁ ପ୍ରାୟ ବିଡ଼ମ୍ବିତ ଓ ବଞ୍ଚିତ କରି ରଖାଯାଇଛି । ଯେଉଁ ଗ୍ରୀସ୍‌ଦେଶର ବିଚାରରୁ ଆଧୁନିକ ଗଣତନ୍ତ୍ରର ସର୍ବମୂଳ ପ୍ରେରଣାର ଡାକ ଦିନେ ଜନ୍ମଲାଭ କରିଥିଲା, ସେଠାରେ ଆଜି ସାମରିକ ଶାସନ ଚାଲିଛି । ଗତ ତିରିଶବର୍ଷ ଭିତରେ ସେହି ଦେଶରେ ପ୍ରାୟ କୌଣସି ରାଜନୀତିକ ଚେତନାଗତ ଅଗ୍ରଗତି ହୋଇନାହିଁ । ତୁରସ୍କର ନେତାମାନେ ଏ ପର୍ଯ୍ୟନ୍ତ ଲୋକଭୂମିର ପ୍ରାଣସ୍ତରଟିକୁ ହୁଏତ ସ୍ପର୍ଶହିଁ କରିନାହାନ୍ତି । ଏକଦା ଜଣେ ଏକଛତ୍ର ଶାସକ ସେହି ଦେଶର ଜୀବନକୁ ପ୍ରାୟ ବଳପ୍ରୟୋଗ କରି ଆଧୁନିକ ଅର୍ଥାତ୍‌ ଇଉରୋପୀୟ କରି ଦେବାକୁ ଚେଷ୍ଟା କରିଥିଲେ ଏବଂ ତୁରସ୍କର ସାମୂହିକ ଜୀବନ ପ୍ରାୟ ସେହିଦିନଠାରୁ ଅତ୍ୟନ୍ତ ଶୋଚନୀୟ ଏବଂ ଉଗ୍ରଭାବରେ ବିକୃତ ହୋଇ ପଡ଼ିଛି । ସାମରିକ ଘାଟି, ଅତି ସହଜରେ ମିଳିଯାଉଥିବା ସାମରିକ ତଥା ଅସାମରିକ ସାହାଯ୍ୟ ତୁରସ୍କର ରାଜନୀତିକ ନେତୃତ୍ୱକୁ ପ୍ରାୟ ବାଉଳା ଏବଂ ଭୂମିଛଡ଼ା କରି ରଖିଛି ଏବଂ ଦୁଇ ପ୍ରତିବେଶୀ ଆପଣାର ଅସଲ ରୋଗଗୁଡ଼ାକର ଆରୋଗ୍ୟବିଧାନ ନ କରି ସାଇପ୍ରସ୍‌କୁ ଆଳ କରି ପରସ୍ପର ସହିତ ବିବାଦ କରିବାରେ ଲାଗିଛନ୍ତି, ଆପଣାକୁ ଉତ୍ତେଜିତ କରି ରଖିଛନ୍ତି ।

ତା ୬.୪.୧୯୭୭ ରିଖ

Image

 

ଏକନାୟକ ଗୀତାଭିନୟ

 

ପଡ଼ୋଶୀ ରାଜ୍ୟ ପାକିସ୍ତାନରେ ଏହି ମାର୍ଚ୍ଚ ମାସର ଆରମ୍ଭରେ ଜାତୀୟ ଆସେମ୍ଲିର ସାଧାରଣ ନିର୍ବାଚନ ହୋଇ ତାହାର ଫଳାଫଳ ପଦାରେ ପଡ଼ିଯାଇଛି । ଗୋଟାକଯାକ ଦେଶ ପାକିସ୍ତାନ ପିପ୍‌ଲସ୍ ପାର୍ଟିକୁ ଭୋଟ ଦେଇଥିବା ପରି ମନେହେଉଛି । ବିରୋଧୀଦଳ ବୋଲି ସେହି ଦେଶରେ ଖଣ୍ଡିଆଖାବରା ହୋଇ ଯେଉଁଠି ଯେତେ ଯିଏ ପଡ଼ିଥିଲେ, ସେମାନେ ସମସ୍ତେ ସତେ ଅବା ସମୂହ ଭାବରେ ନିଧନ ହୋଇଯିବାର ଭୟରେ ନିର୍ବାଚନ ଲଢ଼ିବା ଲାଗି ଗୋଟିଏ ମେଣ୍ଟ ଗଢ଼ିଥିଲେ । ମେଣ୍ଟ ଗଢ଼ିବା ସତ୍ତ୍ୱେ ସେମାନେ ସତେ ଅବା ସମ୍ପୂର୍ଣ୍ଣ ଭାବରେ ନିର୍ମୂଳ ହୋଇ ଯାଇଛନ୍ତି । ଜାତୀୟ ଆସେମ୍ଲିର ତଥାକଥିତ ନିର୍ବାଚନ ପରେ ପ୍ରାଦେଶିକ ବିଧାନସଭାଗୁଡ଼ିକୁ ଯେଉଁ ନିର୍ବାଚନ ହେଲା, ବିରୋଧୀ ନେତାଗଣ ଅତ୍ୟନ୍ତ କ୍ରୁଦ୍ଧ ଭାବରେ ତାହା ବର୍ଜନ କରିଥିଲେ । ବିଜୟୀ ଭୁଟ୍ଟୋ ସେଥିପ୍ରତି କୌଣସି ଭ୍ରୂକ୍ଷେପ ନକରି ସେଥିରେ ମଧ୍ୟ ପ୍ରାୟ ଏକତରଫା ବିଜୟ ହାସଲ କରିନେଲେ । ଏହିସବୁ ଦ୍ୱନ୍ଦ୍ୱ ଓ କନ୍ଦଳ, ଦୌରାତ୍ମ୍ୟ ଓ ଦୁଃସହନୀୟତା ନେଇ ପାକିସ୍ତାନରେ ସମ୍ପ୍ରତି ଯେଉଁ ଅଶାନ୍ତି ଓ ଅସ୍ଥିରତା କୁହୁଳି ଉଠିଥିବା ପରି ମନେହେଉଛି, କେଉଁଠି ପହଞ୍ଚି ଯେ ତାହାର ଅବସାନ ଘଟିବ ଓ ଜାତୀୟ ଭାଗ୍ୟର ଇତିହାସରେ ଏକ ସ୍ଥାୟୀ ନିଷ୍ପତ୍ତି ନିଆଯିବା ପରି ମନେହେବ, ସେ କଥା ବର୍ତ୍ତମାନ କେହି କହିପାରୁନାହାନ୍ତି ।

 

ପାକିସ୍ତାନରେ ଯେଉଁ ରାଜନୀତିକ ଦଳଟି ଅସଲ ବିରୋଧୀ ଦଳର କାର୍ଯ୍ୟ କରୁଥାନ୍ତା ଏବଂ ସେହି ଦେଶରେ ଗଣତନ୍ତ୍ରକୁ କାର୍ଯ୍ୟକାରୀ କରାଇବାରେ ଏକ ଆବଶ୍ୟକ ପରିପୂରକ ହେବାର ଭୂମିକାଟିକୁ ଗ୍ରହଣ କରିଥାନ୍ତା, ସେହି ଦଳଟି ବର୍ତ୍ତମାନ ଜେଲ ଭିତରେ ରହିଛି । ସେଠି ନିର୍ବାଚନ ହେବାର ଅନେକ ଆଗରୁ ଅଧିନାୟକ ଜୁଲଫିକର ଅଲ୍ଲି ଭୁଟ୍ଟୋ ଦଳଟିକୁ ବେଆଇନ ବୋଲି ଘୋଷଣା କରିଛନ୍ତି ଓ ଦଳର ନେତୃବୃନ୍ଦଙ୍କୁ ଦେଶଦ୍ରୋହର ଦୋଷରେ ବନ୍ଦୀ କରି ରଖିଛନ୍ତି । ନିର୍ବାଚନ ପୂର୍ବରୁ ସେମାନଙ୍କୁ ବାହାରକୁ ଛାଡ଼ି ଦେବାଟା ଅନ୍ତତଃ ରାଜନୀତିକ ଭଦ୍ରତା ହୋଇଥାନ୍ତା, ତଦ୍ଦ୍ୱାରା ଦେଶର ଶାସକ-ଶିବିର ଏକ ସୁସ୍ଥ ବୀରତ୍ୱର ପରିଚୟ ଦେଇଥାନ୍ତେ । ମାତ୍ର ତାହା ହୋଇପାରିଲା ନାହିଁ । ଦେଶରେ ନିର୍ବାଚନ ହୋଇଗଲା, ଅଥଚ ଗୋଟାଏ ପକ୍ଷ ଜେଲ ଭିତରେ ରହିଲେ; ସେମାନଙ୍କୁ ଅବଜ୍ଞା କରାଗଲା ।

 

ଜାତୀୟ ଆଓ୍ୱାମୀ ଲିଗ୍‌କୁ ଛାଡ଼ିଦେଲେ ସମଗ୍ର ପାକିସ୍ତାନରେ ସରକାର ବାହାରେ ଆଉ କୌଣସି ରାଜନୀତିକ ଦଳ କୌଣସି ସକ୍ରିୟ ଅସ୍ତିତ୍ୱରେ ନାହାନ୍ତି ବୋଲି ନିଶ୍ଚିତ ଭାବେ କୁହାଯାଇ ପାରିବ । ଯେଉଁ ଦଳ ଶାସନରେ ରହିଛନ୍ତି, ସେମାନଙ୍କୁ ସରକାରୀ ଦଳ ବୋଲି କୁହାଯାଇ ପାରିବ-। ପାକିସ୍ତାନରେ ଜନାବ ଭୁଟ୍ଟୋ ହେଉଛନ୍ତି ଶାସକ ଏବଂ ଖାସ୍‌ ତାଙ୍କରି ବାହିନୀ ହେଉଛନ୍ତି ପାକିସ୍ତାନ ପିପ୍‌ଲସ୍‌ପାର୍ଟି । ସରକାରୀ ଯନ୍ତ୍ର ଲୋକମାନଙ୍କ ଲାଗି ଯେଉଁଠି ଯେତେ ଯାହା କରୁଛି, ତାହା ପିପ୍‌ଲସ୍‌ ପାର୍ଟି କରୁଛି ବୋଲି ପ୍ରଚାରିତ ହେବାରେ ଲାଗିଛି ଏବଂ ଏହି ଦୁଇଟି ଦଳକୁ ଛାଡ଼ିଦେଲେ ବିରୋଧୀ ଦଳ ବୋଲି ଆଉ ଯେତୋଟି କ୍ଷୁଦ୍ର ବା କମ୍‌ କ୍ଷୁଦ୍ର ଗୋଷ୍ଠୀମାନେ ପାକିସ୍ତାନରେ ଅଛନ୍ତି, ଏମାନଙ୍କର ପାଦତଳେ ହୁଏତ ଆଦୌ କୌଣସି ଭୂଇଁ ନାହିଁ । ଲୋକଙ୍କ ଭିତରେ ଏମାନଙ୍କର ଆଦୌ କୌଣସି ଚେର ନାହିଁ, ଏମାନଙ୍କର କୌଣସି ପ୍ରକାରର ରାଜନୀତିକ କର୍ମସୂଚୀ ନାହିଁ । ଏକ ଦେଶର ରାଜନୀତିକ ଭାଗ୍ୟ ଦୃଷ୍ଟିରୁ ବିଚାର କରି ଦେଖିଲେ ଏମାନଙ୍କର ହୁଏତ ଆଦୌ କୌଣସି ଆବଶ୍ୟକତା ବି ନାହିଁ । କିଏ ଧର୍ମଗତ ପଶ୍ଚାତ୍‌ମୁଖୀନତାକୁ ଧରି ପଡ଼ିରହିଛି, ଆଉ କିଏ ପାକିସ୍ତାନ ଗୋଟାଏ ଅଲଗା ଦେଶ ହୋଇ ତିଆରି ହେବା ବେଳର କେତେଟା ମୋହବୁଟିକୁ ନେଇ ପଡ଼ିରହିଛି । ଗତ ତିରିଶିବର୍ଷ ମଧ୍ୟରେ ଗୋଟାଏ ଦେଶ ହିସାବରେ ପାକିସ୍ତାନରେ ଯେଉଁ ରାଜନୀତିକ ବିବର୍ତ୍ତନମାନ ହୋଇଥାନ୍ତା, ସେଠି ସେସବୁ ପ୍ରାୟ କିଛିହେଲେ ହୋଇନାହିଁ । ପାକିସ୍ତାନର ସ୍ରଷ୍ଟା ମହମ୍ମଦ ଅଲ୍ଲି ଜିନ୍ନାଙ୍କର ମୃତ୍ୟୁ ଏବଂ ପାକିସ୍ତାନର ପ୍ରଥମ ପ୍ରଧାନମନ୍ତ୍ରୀ ଲିଆକତ ଅଲ୍ଲୀ ଖାଁଙ୍କର ହତ୍ୟା ପରେ ପାକିସ୍ତାନ କ୍ରମେ ଦୁର୍ବଳ ରାଜନୀତିକ ଅପାରଗତାର କବଳିତ ହୋଇ ଲୋଲୁପ ସାମରିକ ଶାସନର ମୁଠା ଭିତରେ ପଡିଯାଇଛି ଏବଂ ଏବେ ଭୁଟ୍ଟୋଙ୍କର ଏକନାୟକ ଗୀତାଭିନୟର ଶିକାର ହୋଇଛି । ଗଣତନ୍ତ୍ର ଛାଞ୍ଚ ଭିତରେ ମଧ୍ୟ ଯେ ଏକଛତ୍ରବାଦିତାର ଯାବତୀୟ ଉପଚାର ଭାରି ଉଲ୍ଲାସର ସହିତ ବଞ୍ଚି ରହିପାରେ, ଏସିଆ ଓ ଆଫ୍ରିକାର ଅନେକ ଦେଶପରି ପାକିସ୍ତାନରେ ମଧ୍ୟ ତାହାର ଏକ ଦୃଢ଼ ପ୍ରମାଣ ମିଳିଯାଇଛି ।

 

ପାକିସ୍ତାନର ରାଜନୀତି କ୍ଷେତ୍ରର ଗୋଟିଏ ନାୟକକୁ କେନ୍ଦ୍ର କରି ଯାହାସବୁ ଅଭିନୟ ହେଉଛି ଓ ସରକାରୀ ଜାଲଗୁଡ଼ାକଦ୍ୱାରା ତାହାକୁ ଯେପରି ଆଚ୍ଛାଦିତ କରି ରଖି ଦିଆଯାଇଛି, ସେଥିରୁ ମନେ ହେଉଛି ଯେ ପାକିସ୍ତାନରେ ଏବେ ମଧ୍ୟ ଏକ ସୁସ୍ଥ ଗଣତନ୍ତ୍ର ଲାଗି ଆବଶ୍ୟକ ଯଥାର୍ଥ ପ୍ରଶିକ୍ଷଣଟି ଆରମ୍ଭ ହୋଇନାହିଁ । ଉପମହାଦେଶର ସୁସ୍ଥ ସ୍ୱାଧିକାରଲାଭର ସଂଗ୍ରାମରେ ପ୍ରଧାନତଃ ଏକ ଅନ୍ତରାୟ ଏବଂ ବିଘ୍ନ ସୃଷ୍ଟି କରି ପାକିସ୍ତାନର ବିଚାରଟି ଆପଣାକୁ ଆବିର୍ଭୂତ କରାଇଥିଲା । ପାକିସ୍ତାନର ତତ୍କାଳୀନ ନିର୍ମାତାମାନେ ପ୍ରଧାନତଃ ଏହି ମନ୍ଦକାମଟିରେହିଁ କ୍ରୀଡ଼ନକପ୍ରାୟ ବ୍ୟବହୃତ ହୋଇଥିଲେ । ତାହା ଉପମହାଦେଶର ଭାଗ୍ୟ ଉପରେ ଯେ କେବଳ ରାଜନୀତିକ କୁଠାରର ପ୍ରହାର କଲା ତା’ ନୁହେଁ, ସ୍ୱୟଂ ପାକିସ୍ତାନ ଲାଗି ମଧ୍ୟ ତାହା ଏକ ପ୍ରବଳ ଅଶୁଭ ହୋଇ ରହିଲା । ପାକିସ୍ତାନର ଜାତୀୟ ତଥା ରାଜନୀତିକ ନେତୃତ୍ୱ ଆଜି ମଧ୍ୟ ସେହି ଅଶୁଭ ଓ ଅପଶକୁନ ମଧ୍ୟରୁ ବାହାରି ଆସି ପାରିନାହିଁ କହିଲେ ଆଦୌ ଅତ୍ୟୁକ୍ତି ହେବନାହିଁ ।

 

ରାଜନୀତିକ ବିବର୍ତ୍ତନରେ ପାକିସ୍ତାନକୁ ଏବେ ସୁଦ୍ଧା ଯେଉଁ ପରୀକ୍ଷାର ସମ୍ମୁଖୀନ ହେବାକୁ ପଡ଼ିନାହିଁ, ହୁଏତ ଅଚିରେ ସିଏ ତାହାରି ସମ୍ମୁଖୀନ ହେବାକୁ ଯାଉଛି । ଦରବାରୀ ନେତୃତ୍ୱଗୁଡ଼ାକର ମଜଲିସ ବାହାରେ ପାକିସ୍ତାନରେ ଏକ ସାଧାରଣ ମୁକ୍ତିଲାଭର ଆକାଙ୍‌କ୍ଷା କ୍ରମେ ଅଧିକରୁ ଅଧିକ ପରିମାଣରେ ଆତ୍ମପ୍ରକାଶ କରିବାକୁ ଲାଗିଲାଣି । ମଣିଷ ଲାଗିହିଁ ରାଜନୀତି ଆବଶ୍ୟକ ହୁଏ । ରାଜନୀତି ଲାଗି ଯେ ମଣିଷକୁ ତୁଣ୍ଡି ପକାଇ ରଖାଯାଏ ନାହିଁ, ସେଠି ପବନରେ କ୍ରମେ ଏହି ନୂତନ ଆଲୋଡ଼ନଟି ସଂକ୍ରମିତ ହେବାକୁ ଲାଗିଲାଣି । ଜନାବ ଭୁଟ୍ଟୋ ମଧ୍ୟ ହୁଏତ ତାଙ୍କର ଅଜାଣତରେ ଏଥିଲାଗି କିଞ୍ଚିତ ନିମିତ୍ତର କାର୍ଯ୍ୟ କରିଛନ୍ତି ଏବଂ ସେଥିଲାଗି ତାଙ୍କୁ ନିଶ୍ଚୟ ଧନ୍ୟବାଦ ଦେବାକୁ ପଡ଼ିବ ।

ତା ୮. ୪.୧୯୭୭ ରିଖ

Image

 

କଂଗ୍ରେସ ଜୀଇ ରହୁ

 

ଗତ କେତେବର୍ଷ ହେଲା ଦେଶର ରାଜନୀତି କହିଲେ କଂଗ୍ରେସ ରାଜନୀତିକୁ ବୁଝାଉଥିଲା, ସେବକ କହିଲେ କଂଗ୍ରେସବାଲାକୁ ବୁଝାଉଥିଲା, ଦେଶର ଭବିଷ୍ୟ କହିଲେ କଂଗ୍ରେସର ଉଚ୍ଚ ଆକାଙ୍‌କ୍ଷାଗୁଡ଼ାକୁ ବୁଝାଉଥିଲା । କଂଗ୍ରେସ ରୂପୀ ପହିଲିମାନ ଭାରତବର୍ଷ ରୂପୀ ଜଂଘିଆ ପିନ୍ଧି ଆମ ସମସ୍ତଙ୍କୁ ଦେଶ ଲାଗି, ଜାତି ଲାଗି ଅର୍ଥାତ୍ ସରକାରଙ୍କ ଲାଗି ବାଧ୍ୟ କରି ରଖିବାର ଘଟକଗିରି କରି ଧୂଳି ଉଡ଼ାଉଥିଲା । ଏବେ ଭାରତବର୍ଷରେ ଯେଉଁ ସାଧାରଣ ନିର୍ବାଚନ ହେଲା, ସେଇଥିରେ ମିଥ୍ୟାଟା ମିଥ୍ୟା ବୋଲି ପ୍ରମାଣିତ ହୋଇଗଲା, ମିଥ୍ୟା ବୋଲି ଜାଣି ଆପଣାର ମୁହଁ ବନ୍ଦ କରିଦେଲା, ରଥୀମାନେ ଅଜ୍ଞାତବାସକୁ ଗଲେ, ଜନ୍ତୁମାନେ ବିମ୍ବର ଭିତରକୁ ଗଲେ । ଯେଉଁମାନେ ଆପଣା ଲାଗି କ୍ଷମତା କାମନା କରୁଥିଲେ, ଗୋଟାଏ ଜାତିକୁ ଆପଣାର ଏକ ହସ୍ତମୁଦି କାରବାର ବୋଲି ବିଶ୍ୱାସ କରିବାକୁ ଆରମ୍ଭ କରୁଥିଲେ, ସେମାନେ ବହୁ ସଂଖ୍ୟାରେ ଓ ଏକ ଅନୁପାତହୀନ ଲଜ୍ଜାହୀନତା ସହିତ କଂଗ୍ରେସ ଭିତରେ ଆସି ପଶିବାରୁ ହୁଏତ କଂଗ୍ରେସକୁ ଲୋକମାନଙ୍କର ବିଚାରାଳୟରେ ଏପରି ଏକ ବିପର୍ଯ୍ୟୟ ଭୋଗ କରିବାକୁ ହେଲା । ଏହି ବିପର୍ଯ୍ୟୟ ଭାରତର ସାମ୍ପ୍ରତିକ ରାଜନୀତିକ ବିବର୍ତ୍ତନର ଇତିହାସରେ ଗୋଟାଏ ପର୍ଯ୍ୟାୟର ଅବସାନ ଘଟାଇଲେ । ପରବର୍ତ୍ତୀ ପଦକ୍ଷେପଟି ବିଷୟରେ ଆମ ସମସ୍ତଙ୍କର ମୋହ ଭାଙ୍ଗିଦେଇ ଗଲା । ଗଣତନ୍ତ୍ରର କାହାଣୀ ଭିତରେ ଏଗୁଡ଼ାକୁ ସ୍ୱାଭାବିକ ପର୍ଯ୍ୟାୟ ବୋଲି ଗ୍ରହଣ କରିନେଇ ପାରିଲେ, ତାହା ଆମ ପରିପକ୍ୱ ବୁଦ୍ଧିରହିଁ ପରିଚୟ ଦେବ । ଆମେ ଯେ ଆମ ଗତିପଥଟିକୁ ଯଥାର୍ଥ ଭାବରେ ଜାଣୁ, ତାହାରି ପ୍ରମାଣ ଦେବ ।

 

ଏହି ମାତ୍ର କେତେ ସପ୍ତାହ ମଧ୍ୟରେ ପରାଭୂତ ଶିବିରଟି ମଧ୍ୟରେ ପାରସ୍ପରିକ କଟୁ ଉତ୍ତେଜନାମାନ ପ୍ରକାଶ ପାଇଲାଣି । କାଲି ଯେଉଁମାନେ ଏକାଠି ଗୋଟିଏ କ୍ଷେପାରେ ଏକଜୁଟ ହୋଇ ଗଡ଼ିଆ ଗୋଳାଉଥିଲେ, ଆଜି ସେମାନେ ପରସ୍ପର ଭିତରେ ବିବାଦ ଆରମ୍ଭ କରିଦେଲେଣି-। ସେମାନେ ପରସ୍ପରକୁ ଦାୟୀକରି ବାହାରିଲେଣି । ତା’ର ବେଶି ଦୋଷ ମୋ’ର କମ୍‌ ଦୋଷ ବା ସେଇ ସବୁ କରିଛି, ମୁଁ କିଛି କରିନାହିଁ କିମ୍ବା ଯଦି କରିଛି, ତେବେ ତାହାରି ବୋଲରେ ପଡ଼ି କରିଛି ବୋଲି ଝିଙ୍ଗାସ ଦେଇ ସେମାନେ ପରସ୍ପର ବିରୁଦ୍ଧରେ ତଡ଼ାବାଡ଼ି ନେଇ ବାହାରିଲେଣି । ଏଗୁଡ଼ାକ ସେମାନଙ୍କର କାତର ମନରେହିଁ ପରିଚୟ ଦେଇଯାଉଛି, ପରାଜୟ-ଜର୍ଜର ମନର ପରିଚୟ ଦେଇଯାଉଛି । ଏହା ମଧ୍ୟରେ ଯେ ବୁଦ୍ଧିମତ୍ତା ବୋଲି ଆଦୌ କିଛିନାହିଁ, ଟିକିଏ ମନ ଥିରକରି ଜ୍ୱରର ଉପଶମ କରାଇ ଚିନ୍ତା କରିପାରିଲେ ସେମାନେ ନିଜେ ସେହି କଥାଟିକୁ ବୁଝିବାକୁ ଆରମ୍ଭ କରିବେ । ଯେଉଁମାନେ ଏବେ ପଞ୍ଚମୁଖ ଓ ଦଶମୁଖ ହୋଇ କଜିଆକରି ବାହାରିଛନ୍ତି, ସେମାନେ ହୁଏତ କେବେହେଲେ କୌଣସି ଆଦର୍ଶରେ ବିଶ୍ୱାସ କରୁନଥିଲେ ବା କେବେହେଲେ କୌଣସିଟି ଲାଗି ବଞ୍ଚୁନଥିଲେ । ସେମାନେ ଆଜି ମଧ୍ୟ ପ୍ରକୃତରେ କୌଣସି ଆଦର୍ଶରେ ବିଶ୍ୱାସ କରୁନାହାନ୍ତି, କିମ୍ବା କୌଣସି କିଛିଲାଗି ବଞ୍ଚୁନାହାନ୍ତି । ସେମାନେ ପ୍ରାୟ ନିରଙ୍କୁଶ ଭାବରେ ଯେଉଁ ରୀତିରେ ବଞ୍ଚିଆସିଥିଲେ ଏବଂ ସେହି ରୀତିକୁ ସତ୍ୟ ବୋଲି ଦମ୍ଭକରି ଆସିଥିଲେ, ବିଧାତାର ବିଚାରଦଣ୍ଡ ସେମାନଙ୍କର ସେହି ରୀତିଟି ଉପରେ ପ୍ରହାର କରିଛି ବୋଲି ସେମାନେ ଏପରି ଉତ୍ତେଜିତ ଓ ପରସ୍ପର-ବିଦ୍ରୋହୀ ହୋଇ ଉଠିଛନ୍ତି । ସେମାନେ କ୍ଷମତା ଭିତରେ ରହି ରାଜନୀତି କରି ଆସିଥିଲେ, ଏଣିକି କ୍ଷମତା ବାହାରେ ରହି କିପରି ବଞ୍ଚି ରହିପାରିବେ, ତାହାହିଁ ସେମାନଙ୍କର ଏହି ଯାବତୀୟ ଉଦ୍‍ବେଗ ଓ ଅନ୍ତର୍ଗତ ବିଶୃଙ୍ଖଳାର କାରଣ ହୋଇଛି ।

 

କଂଗ୍ରେସ ଜୀଇ ରହୁ । କଂଗ୍ରେସ ଭାଙ୍ଗି ନ ଯାଉ । ସେପାଖରୁ ସମସ୍ତେ ଡେରାଭାଙ୍ଗି ବିକଳ ହୋଇ ଏପାଖରେ ସାମିଲ ହେବାଲାଗି ଦଉଡ଼ି ନ ଆସନ୍ତୁ । ସେମାନେ ମୋହଭଙ୍ଗରୁ ଶିକ୍ଷା କରନ୍ତୁ ଓ ଜୀଇ ରହନ୍ତୁ । କଂଗ୍ରସ ଜୀଇ ରହୁ । ଏହି ଦେଶରେ ଗଣତନ୍ତ୍ରକୁ ସଚଳ ଏବଂ ଅଧିକ ଫଳଦାୟକ କରି ରଖିବାକୁ କଂଗ୍ରେସ ଜୀଇ ରହିଥାଉ । ଗଣତନ୍ତ୍ରରେ ବହୁମତର ଯେପରି ଆବଶ୍ୟକତା ଅଛି, ଅଳ୍ପମତର ଠିକ୍‌ ସେହିପରି ଆବଶ୍ୟକତା ରହିଛି । ସରକାରୀ ଦଳର ଯେତିକି ଆବଶ୍ୟକତା ରହିଛି, ବିରୋଧୀ ପକ୍ଷର ମଧ୍ୟ ଠିକ୍‌ ସେତିକି ଆବଶ୍ୟକତା ରହିଛି । ଏହି ଦୃଷ୍ଟିରୁ ଦେଖିଲେ, ଗଣତନ୍ତ୍ରର ପଦ୍ଧତି ଭିତରେହିଁ ଗଣତନ୍ତ୍ରର ବାଟରେ ଆସୁଥିବା ବିପଦଗୁଡ଼ିକୁ କାଟିବାର ଭେଷଜଟି ନିହିତ ହୋଇରହିଛି । କ୍ଷମତାକୁ ଅତିରିକ୍ତ ନ ହେବାକୁ ଦେବାର ସତର୍କକାରୀ କାଠିଟି ରହିଛି । ଆମ ଦେଶରେ ଗଣତନ୍ତ୍ରର ଶାସନ ଓ ଗଣତନ୍ତ୍ର ଉପରେ ବିଶ୍ୱାସକୁ ବଜାୟ ରଖିବାକୁ ହେଲେ ଏବଂ ସେହି ଶାସନ ଓ ସେହି ବିଶ୍ୱାସକୁ ଏକ ପରମ୍ପରାରେ ପରିଣତ କରିବାକୁ ହେଲେ ଏଠାରେ ଏକ ବିରୋଧୀ ପକ୍ଷର ଅତ୍ୟାବଶ୍ୟକତା ରହିଛି । ସାମ୍ପ୍ରତିକ ନିର୍ବାଚନର ଫଳାଫଳ କଂଗ୍ରେସ ଉପରେ ସେହି ମହତ୍ତ୍ୱପୂର୍ଣ୍ଣ ଦାୟିତ୍ୱଟିକୁ ଆଣି ଲଦି ଦେଇଛି । କଂଗ୍ରେସ ତାହାର ଯୋଗ୍ୟହେଉ । କଂଗ୍ରେସ ଜୀଇରହୁ,–ଆତ୍ମ-ଉତ୍ତେଜିତ ହୋଇ ଭାଙ୍ଗି ନଯାଉ ।

 

କଂଗ୍ରେସ ଯେଉଁଦିନଠାରୁ ବିରୋଧୀ ପକ୍ଷ ଲାଗି ଏକ ଅସହିଷ୍ଣୁତା ପ୍ରକଟ କଲା, ବିରୋଧକୁହିଁ ଅବାଧ୍ୟତା କହି ଭର୍ତ୍ସନା କରିବାକୁ ଲାଗିଲା, ମର୍ଯ୍ୟାଦା ଦେବାକୁ ଭୁଲି ଆପଣାର ମର୍ଯ୍ୟାଦା ହରାଇଲା, କଂଗ୍ରେସର ଚେରଗୁଡ଼ାକ ସେହିଦିନରୁ ଦୁର୍ବଳ ହେବାକୁ ଆରମ୍ଭ କଲେ । ବିରୋଧ ଅସହ୍ୟ ହେବାରୁ ସେମାନେ ବିରୋଧୀମାନଙ୍କୁ ଅଡ଼ା ଭିତରେ ନେଇ ରଖିଲେ, ପ୍ରତିବାଦର ମୁହଁକୁ ବନ୍ଦ କରିଦେଲେ । ଆପଣାର ସେହି ଅପକରଣି ଗୁଡ଼ାକର ପ୍ରାୟଶ୍ଚିତ୍ତ କରାଇବା ଲାଗି ହୁଏତ ଏଥର କଂଗ୍ରେସ ଏକ ବିରୋଧୀ ଦଳରୂପେ କର୍ତ୍ତବ୍ୟ ନିର୍ବାହିତ କରାଇବା ଲାଗି ଅଭିପ୍ରେତ ହୋଇଛି, ବିପକ୍ଷରେ ବସି ଆପଣାର ଦାୟିତ୍ୱକୁ ତୁଲାଇବା ସକାଶେ ନିରୂପିତ ହୋଇଛି । କଂଗ୍ରେସକୁ ସେହି ଦାୟିତ୍ୱକୁ ତୁଲାଇ ଆପଣାର ଗଣତାନ୍ତ୍ରିକ ଅପରିପକ୍ୱତାକୁ ଅତିକ୍ରମ କରିବାକୁ ପଡ଼ିବ । ତେଣୁ କଂଗ୍ରେସ ଭାଙ୍ଗିନଯାଉ । କଂଗ୍ରେସ ଜୀଇ ରହୁ । ଭାରତବର୍ଷରେ ଗଣତନ୍ତ୍ରର କାର୍ଯ୍ୟକାରିତାକୁ ଆହୁରି ପରୀକ୍ଷିତ କରାଇବା ଲାଗି କଂଗ୍ରେସ ବଞ୍ଚିରହୁ । କଂଗ୍ରେସର ପରାଭୂତ ଗଜପତିମାନେ ଆପଣାର ସେହି ଦାୟିତ୍ୱଟି ବିଷୟରେ ସଚେତନ ହୁଅନ୍ତୁ, ସାବାଳକ ପରି ସେହି ଦାୟିତ୍ୱଟିକୁ ବହନ କରନ୍ତୁ । କଂଗ୍ରେସକୁ ଜୀଆଇ ରଖନ୍ତୁ ।

ତା ୧୧.୪.୧୯୭୭ ରିଖ

Image

 

ଶତକଡ଼ା ନବେରୁ ଅଧିକ

 

ପାକିସ୍ତାନରେ ଏବେ ଯେଉଁ ସାଧାରଣ ନିର୍ବାଚନ ହୋଇଗଲା, ସେଥିରେ ସରକାରୀ କ୍ଷମତାସୀନ ଦଳ ଶତକଡ଼ା ନବେରୁ ଅଧିକ ଭୋଟ ପାଇଲେ ଓ ସେହି ଅନୁପାତରେ ସେହି ଦଳର ପ୍ରତିନିଧିମାନେ ପାକିସ୍ତାନ ଜାତୀୟ ଆସେମ୍ଲିକୁ ନିର୍ବାଚିତ ହେଲେ । ଯଦି କେବଳ ସଂଖ୍ୟାର ହିସାବରୁ ଗଣତନ୍ତ୍ରର ବିଚାର କରାଯାଏ, ତେବେ କହିବାକୁ ହେବ ଯେ, ପାକିସ୍ତାନର ଜନଗଣ ଜନାବ ଅଲ୍ଲି ଭୁଟ୍ଟୋଙ୍କର ପିପ୍‌ଲସ୍‌ ପାର୍ଟି ଉପରେ ସେମାନଙ୍କର ଦୃଢ଼ ଆସ୍ଥା ପ୍ରକଟ କରିଛନ୍ତି ଓ ପାକିସ୍ତାନର ଶାସନ କେବଳ ସେହି ଗୋଟିଏ ଦଳର ହାତରେ ରହୁ ବୋଲି ମତବ୍ୟକ୍ତ କରିଛନ୍ତି ।

 

ପୃଥିବୀର ଅଧିକାଂଶ ଶାସନ ଏବଂ ଶାସନାକାଙ୍‍କ୍ଷୀ ରାଜନୀତିକ ଦଳ ସେମାନଙ୍କ ଦେଶର ଶାସନ କେବଳ ସେହିମାନଙ୍କ ହାତରେ ରହୁ ବୋଲି ଅଭିଳାଷ ପୋଷଣ କରି ଆସିଛନ୍ତି । ସେମାନେ ହୁଏତ ଗଣତନ୍ତ୍ରରେ ବିଶ୍ୱାସ କରିଛନ୍ତି, ମାତ୍ର ଅପର ପକ୍ଷରେ କେବଳ ସେହିମାନେହିଁ ଶାସନରେ ବଜ୍ରବତ୍‌ ରହିଥାନ୍ତୁ ବୋଲି ମଧ୍ୟ ବିଶ୍ୱାସ କରି ଆସିଛନ୍ତି । ପ୍ରଥମ କଥାଟି ଅପେକ୍ଷା ହୁଏତ ଏହି ଦ୍ୱିତୀୟ କଥାଟି ଉପରେ ଅଧିକ ପରିମାଣରେ ଓ ଅଧିକ ଅନୁରକ୍ତିର ସହିତ ବିଶ୍ୱାସ କରିଛନ୍ତି । ସେଥିଲାଗି ସେମାନେ ଶାସନରେ ରହିଥିବା ପର୍ଯ୍ୟନ୍ତ ତଥାକଥିତ ଗଣତନ୍ତ୍ରକୁ ଯତ୍ପରୋନାସ୍ତି ଆପଣାର ସେବାରେହିଁ ଲଗାଇ ଆସିଛନ୍ତି । ଆପେ ଶାସନରେ ରହିଥିବା ପର୍ଯ୍ୟନ୍ତ ଗଣତନ୍ତ୍ରକୁହିଁ ଶାସନର ସର୍ବଶ୍ରେଷ୍ଠ ଛାଞ୍ଚ ବୋଲି ବିଶ୍ୱାସ କରିଛନ୍ତି । ଗଣତନ୍ତ୍ରର ଗାଡ଼ଗୁଡ଼ାକୁ ଖୋଳି ଆପଣାକୁ ଚିରଞ୍ଜିବୀ କରି ରଖିବା ଲାଗି ନାନା ଅନିୟମକୁ ନେଇ ନିୟମ କରି ପୋତିଛନ୍ତି ଓ ସେମାନେ ଯାହାକିଛି କରୁଛନ୍ତି, ତାହା ପଛରେ ଗଣତନ୍ତ୍ରର ସମର୍ଥନ ରହିଛି ବୋଲି ବିଶେଷଜ୍ଞ ବନି ଘୋଷଣାମାନ ବି କରିଛନ୍ତି । ଜନାବ ଜୁଲଫିକର ଅଲ୍ଲି ଭୁଟ୍ଟୋ ଏଥର ପାକିସ୍ତାନରେ ସେହି କଥା କରି ଦେଖାଇ ଦେଇଛନ୍ତି । ପାକିସ୍ତାନରେ ତଥାକଥିତ ସାମରିକ ଏକଛତ୍ରବାଦୀ ଶାସନଗୁଡ଼ାକର ଲୋପ ହୋଇ ତାଙ୍କ ପରିଚାଳିତ ଗଣତନ୍ତ୍ରୀ ଶାସନ ଚଳିଆସିବା ଦିନଠାରୁ ସିଏ ସେଠି ଯାହା କରି ଆସିଥିଲେ, ଏଥର ଅପେକ୍ଷାକୃତ ଅଧିକ ନିରଙ୍କୁଶ ଭାବରେ ଓ ଅଧିକ ଦୁଃସାହସିକତାର ସହିତ ସେ ସେହି କଥାଟିକୁ କରିପାରିଛନ୍ତି । ତେଣୁ ତାଙ୍କରି ଦଳ ଶତକଡ଼ା ନବେରୁ ଅଧିକ ପ୍ରତିନିଧିତ୍ୱ ଲାଭ କରି ପାରିଛି । ଶତକଡ଼ା ଶହେରୁ ଅଧିକ ପ୍ରତିନିଧିତ୍ୱ ଲାଭ କରିଥିଲେ ବି ଶ୍ରୀଯୁକ୍ତ ଭୁଟ୍ଟୋ ହୁଏତ ଆଦୌ ବିସ୍ମିତ ହୋଇନଥାନ୍ତେ । ତାହାକୁ ସେ ଆପଣା ରାଜନୀତିକ ବୁଦ୍ଧିମତ୍ତାର ସୁଯୋଗ୍ୟତମ ଲାଭ ବୋଲି ଗ୍ରହଣ କରି ନେଇଥାନ୍ତେ ।

 

ପାକିସ୍ତାନରେ ଗତ ସାଧାରଣ ନିର୍ବାଚନରେ କ’ଣ ସବୁ ହେଲା ବା କ’ଣ ସବୁ ନହେଲା, ତାହାର ସତ୍ୟାସତ୍ୟ ନିରୂପଣ କରିବା ସକାଶେ ସେଠି ବର୍ତ୍ତମାନ ବିଚାରବିଭାଗୀୟ ଗୋଟିଏ ତଦନ୍ତ କମିଶନ ବସିଛି । ବିରୋଧୀ ଦଳର ନେତାମାନେ ସେହି କମିଶନକୁ ବୟକଟ କରିଥିଲେ ମଧ୍ୟ କମିଶନ ନିଜର କାର୍ଯ୍ୟ ଆରମ୍ଭ କରିଦେଇଛି । ଦେଶର ପ୍ରତ୍ୟେକ ନିର୍ବାଚନ-ମଣ୍ଡଳୀ ବିଷୟରେ ତାହା ସାକ୍ଷୀ ପ୍ରମାଣ ସଂଗ୍ରହ କରି ତଥ୍ୟନିଷ୍ପାଦନ କରୁଛି । ସ୍ମରଣ ରଖିବା ଉଚିତ ଯେ, ସରକାର ଅର୍ଥାତ୍‌ ଜନାବ ଭୁଟ୍ଟୋ ସେହି କମିଶନକୁ ନିଯୁକ୍ତ କରିଛନ୍ତି । କମିଶନ ଉପରେ ନାନା ରାଜନୀତିକ ଚାପ ପ୍ରୟୋଗ କରାଯାଉଛି ବୋଲି କମିଶନ ନିଜେ ସ୍ୱୀକାର କରିଛନ୍ତି । ଚାପ ପ୍ରୟୋଗର ପରିମାଣ ଏବଂ ଉତ୍କଟତା କମିଶନର କାର୍ଯ୍ୟରେ ବ୍ୟାଘାତ ସୃଷ୍ଟି କରିବାକୁ ବସିଲେ ସେ ନିଜେ ଇସ୍ତଫା ଦେଇ ଓହରିଯିବେ ବୋଲି କମିଶନ ଏବେ ସାମ୍ବାଦିକମାନଙ୍କ ଆଗରେ ବିଜ୍ଞପ୍ତି ଦେଇଛନ୍ତି । ଏପର୍ଯ୍ୟନ୍ତ କମିଶନ ଯେତିକି ଅନୁସନ୍ଧାନ କରିଛି, ସେଥିରୁ ଜଣାପଡ଼ିଛି ଯେ, ନିର୍ବାଚନ ମଣ୍ଡଳୀଗୁଡ଼ିକରେ ଯଥେଚ୍ଛା ହସ୍ତକ୍ଷେପମାନ କରାଯାଇଛି । ସରକାରୀ କ୍ଷମତାରେ ଥାଇ ଆହୁରି ଅଧିକ ଦିନ ଲାଗି ସରକାରୀ କ୍ଷମତାରେ ରହିବାକୁ ଇଚ୍ଛା କରୁଥିବା ଏକ ରାଜନୀତିକ ଦଳ ଯେତେ ଯାହା ଯଥେଚ୍ଛାଚାର କରିପାରେ, ଏଥର ନିର୍ବାଚନ ସମୟରେ କୁଆଡ଼େ ସବୁଗୁଡ଼ିକର ଆଶ୍ରୟ ଗ୍ରହଣ କରାଯାଇଛି । ଯଦି କମିଶନକୁ ତାହାର କାର୍ଯ୍ୟଟିକୁ ସ୍ୱାଧୀନ ଭାବରେ ସମ୍ପୂର୍ଣ୍ଣ କରିବାର ଅନୁମତି ଦିଆଯାଏ, ତେବେ ପୃଥିବୀକୁ ପାକିସ୍ତାନ ବିଷୟରେ ଅନେକ କିଛି ଜାଣିବାକୁ ମିଳିବ ବୋଲି ଆଶା କରାଯାଉଛି । ମାତ୍ର କର୍ତ୍ତାମାନଙ୍କୁ ଅସଜ ଲାଗିବା ମାତ୍ରକେ ଯଦି କମିଶନରୂପୀ ପକ୍ଷୀଟିର ବେକ ମୋଡ଼ି ଦିଆଯାଏ, ତେବେ ତାହାକୁ ନିଶ୍ଚୟ ଏକ ଦୁର୍ଭାଗ୍ୟର କଥା ବୋଲି କହିବାକୁ ପଡ଼ିବ ।

 

ଏସିଆର ଓ ଆଫ୍ରିକାର ଅନେକ ଦେଶରେ ଗଣତନ୍ତ୍ରର ଶାସନ ଚାଲୁଚି । କେତେପ୍ରକାର ଗଣତନ୍ତ୍ରର ସାଞ୍ଜୁ ପିନ୍ଧି ତୁଚ୍ଛା ଏକଚ୍ଛତ୍ରବାଦୀ ପ୍ରବୃତ୍ତିଗୁଡ଼ାକ ଆଜି ପ୍ରକୃତରେ କେତେ ଫେସନରେ ତୃତୀୟ ପୃଥିବୀର ରାଜନୀତିକ କଳଟାକୁ ମୋଡ଼ିବାରେ ଲାଗିଛନ୍ତି । ଏପରି କାହିଁକି ହେଉଛି, ତା’ପଛରେ ଅନେକ କାରଣ ରହିଛି । ପରମ୍ପରାଗତ କାରଣ ବି ରହିଛି ।

 

ଭାରତବର୍ଷକୁ ଘେରି ଯେଉଁ ସ୍ୱାଧୀନ ରାଜ୍ୟସବୁ ରହିଛନ୍ତି, ସେଗୁଡ଼ାକରେ ମଧ୍ୟ ଏକଚ୍ଛତ୍ରବାଦୀ ଉଚ୍ଚାକାଙ୍‍କ୍ଷୀମାନେ ଆମ ସମସ୍ତଙ୍କର ଚକ୍ଷୁତୃପ୍ତି ଲାଗି ଗଣତାନ୍ତ୍ରିକ କସରତମାନ କରିବାରେ ଲାଗିଛନ୍ତି । ଏହି କସରତଗୁଡ଼ାକ କେବେ ସରିବ ଓ ଗଣତନ୍ତ୍ରର ଅସଲ ଅଙ୍କୁରଗୁଡ଼ିକୁ ବଢ଼ିବା ଲାଗି କେବେ ବାଟ ଛାଡ଼ି ଦିଆଯିବ, ଭବିଷ୍ୟତର ଇତିହାସହିଁ ତାହା ନିର୍ଣ୍ଣୟ କରି କହିଦେଇ ପାରିବ । ମାତ୍ର ବର୍ତ୍ତମାନ ବି ଯାହାସବୁ ହେଉଛି, ସେଥିରେ ମଧ୍ୟ ଗଣତନ୍ତ୍ର ଲାଗି ଗୋଟାଏ ଆଶାର କଥା ଅବଶ୍ୟ ରହିଛି । ନିପଟ ଏକଚ୍ଛତ୍ରାଗ୍ରହୀମାନେ ଯେଉଁଠି ଯେତେ ଧୋକା ଦେଇ ଯାହା କରୁଥାନ୍ତୁ ପଛକେ, ସେମାନେ ଯେ ଗଣତନ୍ତ୍ରର ମର୍ଯ୍ୟାଦାଟି ଭିତରେ ରହି ସବୁ କରୁଛନ୍ତି, ବୋଲି ଭାରି ଭୟାକୁଳ ଓ ତେଣୁ ଉତ୍ସାହିତ ଭାବରେ ସେମାନେ ଏହି କଥାଟିକୁ ଘୋଷଣା କରିବାରେ ଲାଗିଛନ୍ତି । ଆଗାମୀ ଦିନଟା ଯେ ଗଣତନ୍ତ୍ରର ଦିନ, ଏସବୁ ଉକ୍ତି ତାହାରି ସୂଚନାଟିକୁହିଁ ଦେଇଯାଉଛି ।

ତା ୧୨.୪.୧୯୭୭ ରିଖ

Image

 

ମଶା ଓ ମଣିଷ

 

ଗତ ଦ୍ୱିତୀୟ ମହାଯୁଦ୍ଧ ସମୟରେ ଯୁଦ୍ଧ କେବଳ ଗୋରା ଲୋକଙ୍କ ଅଞ୍ଚଳରେ ସୀମାବଦ୍ଧ ରହିନଥିଲା । ଜାପାନ ଯୁଦ୍ଧରେ ମିଶିବା ପରେ ପ୍ରଶାନ୍ତ ମହାସାଗରର ଗ୍ରୀଷ୍ମ ଅଞ୍ଚଳରେ ମଧ୍ୟ ଯୁଦ୍ଧ ଲାଗିଥିଲା । ବ୍ରହ୍ମଦେଶଠାରୁ ଆରମ୍ଭ କରି ପ୍ରଶାନ୍ତ ମହାସାଗରର ଅନାମଧେୟ ଦ୍ୱୀପଗୁଡ଼ିକ ପର୍ଯ୍ୟନ୍ତ ସବୁ ଜାଗାରେ ଯୁଦ୍ଧର ଛାଉଣୀ ପଡ଼ିଥିଲା, ଏହିସବୁ ସ୍ଥାନରେ ଶତ ଶତ ସଂଖ୍ୟାରେ ଆମେରିକାର ସୈନ୍ୟମାନଙ୍କୁ ନିଯୁକ୍ତ କରାଯାଇଥିଲା । ସେମାନେ ଏହିସବୁ ମଶାଉପଦ୍ରୁତ ସ୍ଥାନକୁ ଆସି ମେଲେରିଆରେ ପଡ଼ିଲେ ଏବଂ ସେହି ବିପଦଟିର ପ୍ରତିବିଧାନ କରିବାକୁ ଯାଇ ସାମରିକ ବିଭାଗର ବୈଜ୍ଞାନିକ ଓ ଗବେଷକମାନେ ଡି.ଡ଼ି.ଟି ପ୍ରଭୃତି ଆବିଷ୍କାର କରି ମନୁଷ୍ୟସମାଜର ମିତ୍ର ହୋଇ ରହିଗଲେ । ବିଶ୍ୱସ୍ୱାସ୍ଥ୍ୟ ସଙ୍ଗଠନର ଆନୁକୂଲ୍ୟରେ ବିସ୍ତୃତ ଯୋଜନାମାନ ପ୍ରସ୍ତୁତ କରାଯାଇ ଆଫ୍ରିକା, ଏସିଆ ଏବଂ ଲାଟିନ୍‌ ଆମେରିକାର ମେଲେରିଆ ବିପର୍ଯ୍ୟସ୍ତ ଅଞ୍ଚଳମାନଙ୍କରେ ଡି.ଡି.ଟି. କୀଟନାଶକ ଔଷଧ ବ୍ୟବହାର କଲେ । ମହାଯୁଦ୍ଧ ସରିଲା, ମାତ୍ର ଡି.ଡ଼ି.ଟି. ପ୍ରଭୃତି ରହିଗଲା । ମେଲେରିଆ ଉପୁଜାଉଥିବା ମଶାଙ୍କର ବାସସ୍ଥାନଗୁଡ଼ିକୁ ଭାଙ୍ଗି ଦିଆଗଲା । ପୃଥିବୀଯାକରୁ ମେଲେରିଆକୁ ନିର୍ମୂଳ କରି ଦିଆଗଲା ବୋଲି ଏକ ଦୃଢ଼ ପ୍ରତ୍ୟୟ ଜନ୍ମିବାକୁ ଲାଗିଲା ।

 

ସେତେବେଳେ ଆମ ଓଡ଼ିଶାରେ ମଧ୍ୟ କେତେ ଜାଗାରେ ଡି.ଡ଼ି.ଟି. ପଡ଼ିଥିଲା । ଯେଉଁ କୋରାପୁଟର ମାଳ ଅଞ୍ଚଳରେ ମଶାମାନେ କୁଆଡ଼େ ଦିନରେ ମଧ୍ୟ ମଣିଷଙ୍କୁ ଉଠାଇ ନେଉଥିଲେ, ସେଠାରୁ ମଧ୍ୟ ମଶାମାନଙ୍କୁ ନିର୍ମୂଳ କରି ଦିଆଯାଇ ପାରିଲା, ମଣିଷମାନେ ମେଲେରିଆରୁ ନିରାପଦ ହୋଇ ରହିପାରିଲେ । କିନ୍ତୁ ଏହି ସୁଖକର ଅବସ୍ଥାଟି ମୋଟେ କୋଡ଼ିଏ ପଚିଶ ବର୍ଷ ସ୍ଥାୟୀ ହୋଇପାରିଲା । ଷଷ୍ଠ ଦଶକର ଶେଷ ଆଡ଼କୁ ପୁନର୍ବାର ମଶାମାନଙ୍କର ଆବିର୍ଭାବ ହେବା ଲକ୍ଷ୍ୟ କରାଗଲା । ଯେଉଁସବୁ ଅଞ୍ଚଳରେ ଆଉ ମଶାମାନଙ୍କର ବଂଶ ସମ୍ଭବ ହେବନାହିଁ ବୋଲି ବୈଜ୍ଞାନିକମାନେ ପ୍ରାୟ ନିଶ୍ଚିନ୍ତ ହୋଇ ସାରିଥିଲେ, ସେଠାରେ ପୁନର୍ବାର ମେଲେରିଆ ରୋଗ ଆସି ଦେଖାଦେଲା । ବୈଜ୍ଞାନିକମାନେ ପ୍ରଥମେ ବିଶ୍ୱାସ କରି ପାରିଲେନାହିଁ । ତା’ପରେ ସେମାନେ ଏହି ଅସ୍ୱାଭାବିକ ଘଟଣାଟିର କାରଣ ଅନୁସନ୍ଧାନ କଲେ ଓ ସବାଶେଷରେ ପ୍ରାୟ ଏକ ନୈରାଶ୍ୟବାଣୀ ଶୁଣାଇଲେ ଯେ ବର୍ତ୍ତମାନ ପୃଥିବୀରେ ମଶାଙ୍କୁ ହଟାଇବାର ଅଭିଯାନରେ ଯେତିକି ପଇସା ଖରଚ ହେଉଛି, ତାହାକୁ ଆହୁରି ଏତେଗୁଣ ନ ବଢ଼ାଇଲେ ହୁଏତ ଆଦୌ କିଛି କରି ହେବନାହିଁ । ଏହି ମଶାମାନେ ପୁନର୍ବାର କୁଆଡ଼ୁଆସି ପହଞ୍ଚିଲେ ? ଏକଥା ସତ ଯେ ଡି.ଡ଼ି.ଟି. ପଡ଼ିବା ଫଳରେ ଯେଉଁ ମଶାମାନେ ପ୍ରାଣ ହରାଇଥିଲେ, ସେମାନେ କଦାପି ପୁନର୍ବାର ପ୍ରାଣ ପାଇ ବାହୁଡ଼ି ଆସିଲେ ନାହିଁ । ପର୍ଯ୍ୟବେକ୍ଷଣ ଏବଂ ଆନୁଷଙ୍ଗିକ ଗବେଷଣାଦ୍ୱାରା ଦେଖାଗଲା ଯେ ପୁରୁଣା ଡି.ଡ଼ି.ଟି. ଜାତିର ଔଷଧ ପକାଇବା ଫଳରେ ଏବେ ମଶାମାନେ ମୋଟେ ମରୁନାହାନ୍ତି । ସେମାନେ ସେହି ବିଷୟରେ ପ୍ରତିରୋଧ କରି ପାରୁଛନ୍ତି । ଡି.ଡ଼ି.ଟି. ପିଇ ପିଇ ସେମାନେ କ୍ରମେ ଡି.ଡ଼ି.ଟି. ବିଷକୁ ସହିଯାଇ ପାରୁଛନ୍ତି ଏବଂ ବଂଶାନୁକ୍ରମେ ସେମାନଙ୍କଠାରୁ ଯେଉଁ ମଶାମାନେ ଜନ୍ମ ହେଉଛନ୍ତି, ଡି.ଡ଼ି.ଟି. ସେମାନଙ୍କର ଆଉ କିଛି କରି ପାରୁନାହିଁ । ଏହି ପ୍ରକ୍ରିୟାଟି ସଫଳ ହେବା ଲାଗି ମଶାମାନଙ୍କୁ ପ୍ରାୟ କୋଡ଼ିଏ ପଚିଶିବର୍ଷ ଲାଗିଛି । ଏବଂ, ଦ୍ୱିତୀୟ କାରଣଟି ହେଉଛି ଯେ, ମଶା ମାରିବାର ଅଭିଯାନଟିକୁ ସଫଳ କରିବା ପାଇଁ ଯେତେ ପଇସା ଲାଗିବ ବୋଲି ହିସାବୀମାନେ ଏବେ ଅଟକଳ କରୁଛନ୍ତି, ସେତେ ପଇସା ଖର୍ଚ୍ଚ କରିବାର ସମ୍ବଳ ସମ୍ପୃକ୍ତ ଦେଶମାନଙ୍କର ନାହିଁ । ଯେଉଁସବୁ ଦେଶରେ ମେଲେରିଆ ଓ ମଶାମାନଙ୍କର ପ୍ରକୋପ ଉଲ୍ଲେଖଯୋଗ୍ୟ ଭାବରେ ଅଧିକ, ସେମାନଙ୍କ ମଧ୍ୟରୁ ଅଧିକସଂଖ୍ୟକ ଦେଶ ହେଉଛନ୍ତି ଅନୁନ୍ନତ ବା ଅଳ୍ପଉନ୍ନତ ଦେଶ । ମଶାମାନଙ୍କ ଲାଗି ଏତେଗୁଡ଼ାଏ ପଇସା ଖରଚ କରିବାର ଉଦାରତା ସେସବୁ ଦେଶର ଅର୍ଥନୀତିକୁ ଆସିବା ଲାଗି ହୁଏତ ଆହୁରି ଅନେକ ବର୍ଷ ବାକି ଅଛି ।

 

କୁହାଯାଉଛି, ଭିଏତନାମ ଯୁଦ୍ଧର ଦୀର୍ଘ କୋଡ଼ିଏ ବର୍ଷ ଭିତରେ ଭିଏତକଙ୍ଗ୍‌ ଏବଂ ଉତ୍ତର ଭିଏତନାମର ସୈନ୍ୟମାନଙ୍କ ହାତରେ ଆମେରିକା ତରଫରୁ ଯେତେ ସୈନ୍ୟ ମରିଛନ୍ତି, ମେଲେରିଆ ରୋଗରେ ପୀଡ଼ିତ ହୋଇ ସେଠି ତା’ଠାରୁ ଅଧିକସଂଖ୍ୟକ ଆମେରିକାନ ମରିଛନ୍ତି । ବିଶ୍ୱସ୍ୱାସ୍ଥ୍ୟ ସଙ୍ଗଠନ ତରଫରୁ ମେଲେରିଆ ଦୂରୀକରଣର ଯେଉଁ ଆନ୍ତର୍ଜାତିକ କାର୍ଯ୍ୟଟି ହାତକୁ ନିଆଯାଇଛି, ତାହାରି ଅନ୍ତର୍ଗତ ଗୋଟିଏ ଦେଶ ଶ୍ରୀଲଙ୍କାର ଉଦାହରଣ ଦେଇ କୁହାଯାଇଛି ଯେ, ଗତ ୧୯୬୮-୬୯ ମସିହାରୁହିଁ ସେଠାରେ ମେଲେରିଆର ପୁନରାବିର୍ଭାବ ହେଲାଣି ଓ ଲୋକମାନେ ପୁନର୍ବାର ମେଲେରିଆରେ ପଡ଼ିଲେଣି । ସେହି ଗୋଟିଏ ବର୍ଷ ଶ୍ରୀଲଙ୍କାରେ ପ୍ରାୟ ଦଶଲକ୍ଷ ମଣିଷ ମେଲେରିଆ ରୋଗରେ ପଡ଼ିଛନ୍ତି, ଡାକ୍ତରଖାନାମାନଙ୍କରେ ରୋଗୀସଂଖ୍ୟା ଶତକଡ଼ା ୨୦ଭାଗ ବଢ଼ିଛି, ସ୍କୁଲମାନଙ୍କରେ ଛାତ୍ରୋପସ୍ଥାନ ଶତକଡ଼ା ୨୦ଭାଗ କମ୍‌ ହୋଇଯାଇଛି ଏବଂ ପ୍ରାୟ ଦଶଲକ୍ଷ ଡଲାର ମୂଲ୍ୟର ଦିନ ମଜୁରି ପାଣିରେ ପଡ଼ିଛି ।

 

ଦ୍ୱିତୀୟ ସମସ୍ୟାଟି ହେଉଛି ବହୁଳ ଖର୍ଚ୍ଚର ସମସ୍ୟା । ଶ୍ରୀଲଙ୍କାରେ ମଶାମାନେ କ୍ରମଶଃ ଡି.ଡ଼ି.ଟି. ସହ୍ୟ କରିନେବାର ଅବସ୍ଥାକୁ ଆସି ଯାଉଥିଲେ ମଧ୍ୟ ସେଠାରେ ଏବେ ସେହି ବାବଦକୁ ବର୍ଷକୁ ପ୍ରାୟ ଚାରିହଜାର ଟନ ଡି.ଡ଼ି.ଟି. ଆବଶ୍ୟକ ହେଉଛି ଏବଂ ସେଥିଲାଗି ଶ୍ରୀଲଙ୍କାରୁ ବାର୍ଷିକ ଷାଠିଏ ଲକ୍ଷ ଡଲାର ବିଦେଶୀ ମୁଦ୍ରା ଗଣିବାକୁ ପଡ଼ୁଛି । ଆଫ୍ରିକାର କ୍ରାନ୍ତିମଣ୍ଡଳୀୟ କେତୋଟି ଦେଶରେ ଚାରିବର୍ଷର ମେଲେରିଆ–ଉତ୍ପାଟନକାରୀ ଅଭିଯାନରେ ମୋଟ ଆଠଶହ ଷୋଳକୋଟି ଟଙ୍କା ଖରଚ ହେବ ବୋଲି ହିସାବ କରାଯାଇଛି । ବର୍ତ୍ତମାନ ଆଫ୍ରିକାର ଏହିସବୁ ଦେଶରେ ସ୍ୱାସ୍ଥ୍ୟ ବାବଦରେ ମୋଟ ମୁଣ୍ଡପିଛା ବର୍ଷକୁ ହାରାହାରି ଦଶଟଙ୍କା ଖର୍ଚ୍ଚ କରାଯାଉଛି । ଯଦି ମେଲେରିଆ ଓ ମଶାଙ୍କ ବିରୁଦ୍ଧରେ କିଞ୍ଚିତ୍‌ ଫଳଦାୟକ ଏକ ଅଭିଯାନ ଆରମ୍ଭ କରାଯାଏ, ତେବେ ସେଥିରେ ଏହି ଅର୍ଥ-ପରିମାଣରୁ ଶତକଡ଼ା ପ୍ରାୟ ୩୦ଭାଗ ଦେବାକୁ ପଡ଼ିବ ବୋଲି ବିଶେଷଜ୍ଞମାନେ କହିଛନ୍ତି । ଗୋଟିଏ ବାବଦକୁ ଏତେଗୁଡ଼ାଏ ଖର୍ଚ୍ଚ ହେଲେ ବାକି ସମସ୍ତ କ୍ଷେତ୍ରକୁ ଅବହେଳା କରାଯିବାର ଆଶଙ୍କା ବି ରହିଛି ।

 

ଏହିସବୁ ହିସାବ ଆମ ଆଗରେ ବାଢ଼ି ଦେଇ ଲଣ୍ଡନର ଏକ ଉଚ୍ଚ ଗବେଷଣା ସଂସ୍ଥା ଆମକୁ ସତର୍କ କରିଦେଇ କହିଛନ୍ତି ଯେ, ପୃଥିବୀ ସ୍ତରରେ ଏହି ମେଲେରିଆ ରୋଗର ଦୂରୀକରଣକୁ ଏବେ ଆଉ କେହି ସମ୍ଭବ ବୋଲି ବିଚାରୁ ନାହାନ୍ତି । ଆସନ୍ତା କେତେ ବର୍ଷ ଭିତରେ ଏ ଦିଗରେ ଫଳ ଦେଖାଇବା ପରି କିଛି କରି ହେବନାହିଁ ବୋଲି ସଂସ୍ଥା ଜଣାଇ ଦେଇଛନ୍ତି ।

ତା ୧୩.୪.୧୯୭୭ ରିଖ

Image

 

ଧୂମକୁଣ୍ଡଳିର ଧନ୍ଦା

 

ସିଗାରେଟର ଧୂଆଁ ପିଇବା ଆମ ଆଧୁନିକ ସଭ୍ୟତାର ଯେପରି ଏକ ଅଂଶ ହୋଇ ସାରିଲାଣି, ଆଧୁନିକ ଅର୍ଥନୀତିର ମଧ୍ୟ ସେହିପରି ଏକ ଅଂଶ ହୋଇ ସାରିଲାଣି । ଧୂମପାନଦ୍ୱାରା ସ୍ୱାସ୍ଥ୍ୟହାନୀର ଭୟଙ୍କରତା ବିଷୟରେ ଲୋକମାନଙ୍କୁ ସାବଧାନ କରି ଦିଆଯିବାରେ ଲାଗିଥିଲେ ମଧ୍ୟ ଲୋକେ ତଥାପି ଧୂମପାନ ଛାଡ଼ିପାରୁ ନାହାନ୍ତି । ଧୂମପାନର ଅଭ୍ୟାସଟି ଥରେ ପଡ଼ିଯିବା ପରେ ଲକ୍ଷେ ବିପଦର ଧମକ ଦିଆଗଲେ ମଧ୍ୟ ତେବେ ସୁଦ୍ଧା ଅଭ୍ୟାସଟିକୁ ଛାଡ଼ି ହେଉନାହିଁ । ଧୂମପାନଜନିତ ବିପଦଗୁଡ଼ିକ ବିଷୟରେ ଦିନକୁଦିନ ନୂଆ ନୂଆ ତଥ୍ୟ ପ୍ରକାଶ ପାଉଛି । ତେଣେ ଅଧିକରୁ ଅଧିକସଂଖ୍ୟକ ମଣିଷ ଧୂମପାନ କରିବାରେ ଲାଗିଛନ୍ତି । ହୁଏତ କେତେ ଲୋକ ଧୂଆଁ ପିଇବାର ଅଭ୍ୟାସଟିକୁ ନିଶ୍ଚୟ ଛାଡ଼ୁଛନ୍ତି, ମାତ୍ର ନୂଆ ପିଇବା ଲୋକ ଆସି ସାମିଲ ହୋଇ ଯାଉଛନ୍ତି । ମୋଟ ସଂଖ୍ୟାଟି ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ଏବଂ ତେଣେ ଗବେଷଣାଗାରର ବୈଜ୍ଞାନିକମାନେ ଭବିଷ୍ୟତବାଣୀ କରି କହିଲେଣି ଯେ ଆଗାମୀ ପଚିଶି ବର୍ଷ ମଧ୍ୟରେ ଫୁସ୍‌ଫୁସ୍‌ରେ କର୍କଟରୋଗଦ୍ୱାରା ଆକ୍ରାନ୍ତ ହେବା ଲୋକଙ୍କର ସଂଖ୍ୟା ତିନିଗୁଣ ହୋଇ ବଢ଼ିଯିବ ।

 

ଧୂମପାନଦ୍ୱାରା ଯେ ଫୁସ୍‌ଫୁସ୍‌ରେ କର୍କଟ ରୋଗ ହୁଏ, ଏକଥା ଆମେରିକାର ସରକାରୀ ମହଲମାନଙ୍କଦ୍ୱାରା ଦଶବର୍ଷ ହେଲା ସ୍ୱୀକୃତ ହୋଇ ସାରିଲାଣି । ତଥାପି ଆମେରିକା ସରକାର ଧୂମପାନ ବିଷୟରେ କଠୋରତର କୌଣସି ବ୍ୟବସ୍ଥା ଗ୍ରହଣ କରିପାରୁ ନାହାନ୍ତି । ଏକଥା ସତ ଯେ, ଆମେରିକା ସରକାର ଧୂଆଁପତ୍ର ବାବଦକୁ ଯେଉଁ ଟିକସ ଆଦାୟ କରୁଛନ୍ତି, ଧୂମପାନ କମ୍‌ ହୋଇଗଲେ ସରକାରଙ୍କୁ ସେହି ଟିକସରୁ ବଞ୍ଚିତ ହେବାକୁ ପଡ଼ିବ । ଧୂଆଁପତ୍ରର ଚାଷଦ୍ୱାରା ଯେଉଁସବୁ ଚାଷୀ ଓ ମୂଲିଆ ପୋଷି ହେଉଛନ୍ତି, ଯେଉଁମାନେ ଲକ୍ଷ ଲକ୍ଷ ସଂଖ୍ୟାରେ ଧୂଆଁପତ୍ର ଉପରେ ନିର୍ଭର କରି ଆସିଛନ୍ତି, ସେମାନଙ୍କର ଜୀବିକାନିର୍ବାହର ପନ୍ଥାଟି ବନ୍ଦ ହୋଇଯିବ । ଆମେରିକାନ କର୍କଟରୋଗ ସମିତିଦ୍ୱାରା ସଂଗୃହୀତ ହିସାବ ଅନୁସାରେ ଏହି ବର୍ଷ ସେହି ଦେଶରେ ୯୩ ହଜାର ଲୋକ ଫୁସ୍‌ଫୁସ୍‌ରେ କର୍କଟରୋଗଦ୍ୱାରା ଆକ୍ରାନ୍ତ ହେବେ ଓ ସେଥିରୁ ୮୪ ହଜାର ପ୍ରାଣ ହରାଇବେ । ଅର୍ଥାତ୍‌ ଦଶବର୍ଷ ପୂର୍ବେ ଗୋଟିଏ ବର୍ଷରେ ଏହି ରୋଗରେ ଯେତେ ଲୋକ ମରୁଥିଲେ ଏବର୍ଷ ତା’ର ଦୁଇଗୁଣ ଲୋକ ମରିବେ । ୧୯୩୦ ମସିହାରେ ଯେତେ ଲୋକ ମରିଥିଲେ, ତା’ର ତିରିଶିଗୁଣ ଲୋକ ମରିବେ । ଧୂମପାନ ବିରୁଦ୍ଧରେ ପ୍ରଚାର କରି ଲୋକମାନଙ୍କୁ ଧୂମପାନରୁ ନିବୃତ୍ତ କରାଇବା ଲାଗି ଜାତୀୟ ସ୍ତରରେ ଆମେରିକାରେ ଯେଉଁ ସଂସ୍ଥାଟି ରହିଛି, ୧୯୭୦ ମସିହାରେ ତାହା ପ୍ରାୟ ବାଇଶି ଲକ୍ଷ ଡଲାର ସରକାରୀ ଅନୁଦାନ ପାଇଥିବା ସ୍ଥଳେ ଏବର୍ଷ ମୋଟେ ନବେ ହଜାର ଡଲାର ଅନୁଦାନ ପାଇପାରିଛି । ତେଣେ ଧୂଆଁପତ୍ର କମ୍ପାନୀଗୁଡ଼ିକ ଲୋକମାନଙ୍କୁ ଧୂମପାନ ଦିଗରେ ଉତ୍ସାହିତ କରିବାର ଅଭିଯାନରେ ବିଜ୍ଞାପନ ଖର୍ଚ୍ଚ ବାବଦରେ ପ୍ରତିବର୍ଷ ତିରିଶି କୋଟି ଡଲାର ବ୍ୟୟ କରୁଛନ୍ତି । ତଦୁପରି, ଦେଶର ପ୍ରାୟ ଷାଠିଏ ହଜାର ଧୂଆଁପତ୍ର ଚାଷୀଙ୍କୁ ସାହାଯ୍ୟ କରିବାଲାଗି ଆମେରିକା ସରକାର ବର୍ଷକୁ ଆଠକୋଟି ଡଲାର ଅର୍ଥ ଲଗାଇ ଆସିଛନ୍ତି ।

 

ଅର୍ଥାତ୍‌ ଗୋଟାଏ ପକ୍ଷରେ ସରକାରଙ୍କ ପକ୍ଷରୁ ସିଗାରେଟ ପିଇବାକୁ ପ୍ରୋତ୍ସାହନ ଦିଆଯାଉଛି ଓ ଆଉ ଗୋଟାଏ ପକ୍ଷରେ ସିଗାରେଟ ନ ପିଇବାକୁ ମଧ୍ୟ ଅନୁରୋଧ କରାଯାଉଛି । ନ ପିଇବାକୁ ଅନୁରୋଧ କରିବାର ତୁଳନାରେ ପିଇବାକୁ ପ୍ରୋତ୍ସାହନ ଦେବାରେ ସରକାର ଅନେକ ଗୁଣ ଅଧିକ ଟଙ୍କା ବ୍ୟବହାର କରୁଛନ୍ତି । ଏହି ପ୍ରୋତ୍ସାହନ ଏବଂ ଅନୁରୋଧ କରିବାର ତୁଳନାତ୍ମକ କ୍ଷେତ୍ରରେ ବିଜ୍ଞାପନଗୁଡ଼ାକ ଅନେକ ସମୟରେ ହାସ୍ୟାସ୍ପଦତାର ସୀମାକୁ ମଧ୍ୟ ସ୍ପର୍ଶ କରୁଛନ୍ତି । ସିଗାରେଟ ଖାଇଲେ ଯେ ସ୍ୱାସ୍ଥ୍ୟହାନି ହୁଏ, ବୈଜ୍ଞାନିକ ମାନଙ୍କର ମତରେ ଧୂମପାନଦ୍ୱାରା ଯେ ଫୁସ୍‌ଫୁସ୍‌ରେ କର୍କଟରୋଗ ହେବାର ପ୍ରାୟ ଏକ ନିଶ୍ଚିତ ଆଶଙ୍କା ରହିଛି, ସିଗାରେଟ ଖୋଳ ଉପରେ ଏହିପରି ଏକ ସତର୍କବାଣୀକୁ ଲେଖି ଦିଆହୋଇଛି ଓ ତା’ପରେ ଦୋଷ ଛାଡ଼ିଗଲା ପରି ପରମ ସନ୍ତର୍ପଣରେ ସିଗାରେଟ ବେପାରୀମାନେ ସିଗାରେଟ ବେପାର କରି ପାରୁଛନ୍ତି । କେଉଁ ସିଗାରେଟ ମଧ୍ୟରେ କେତେ ପରିମାଣରେ ବା ଅନୁପାତରେ ନିକୋଟିନ ବିଷ ରହିଛି, ଖୋଳ ଉପରେ ସେହି କଥାଟିକୁ ମଧ୍ୟ ଘୋଷଣା କରି ଲେଖି ଦିଆଯାଉଛି । ଧୂମପାନର ଅଭ୍ୟାସଟିକୁ ନିରୁତ୍ସାହିତ କରିବାଲାଗି ସାଧାରଣଙ୍କ ତରଫରୁ ଯେଉଁ ବେସରକାରୀ ଅନୁଷ୍ଠାନମାନ ରହିଛି, ସେମାନେ ସ୍ପଷ୍ଟତଃ ଅନେକ ସମୟରେ ଅନୁଭବ କରୁଛନ୍ତି ଯେ, ଧୂମପାନ ସହିତ ସମ୍ବନ୍ଧିତ ହଜାର ହଜାର କର୍କଟ ରୋଗର ପ୍ରତିବିଧାନ କରିବା ଅପେକ୍ଷା ଆମେରିକା ସରକାର ଧୂଆଁପତ୍ର ଚାଷ ଓ ଧୂଆଁପତ୍ର ବେପାର ଅର୍ଥାତ୍‌ ଧୂମପାନକୁହିଁ ଅଧିକ ଉତ୍ସାହ ଦେବାରେ ଲାଗିଛନ୍ତି । ସରକାରୀ ମହଲର ଏହି ପକ୍ଷପାତୀ ଦୁରାଗ୍ରହ ଫଳରେ ଧୂମପାନ ବିରୋଧୀ ଆନ୍ଦୋଳଟି ପ୍ରାୟ କୌଣସି ଉଲ୍ଲେଖଯୋଗ୍ୟ ସଫଳତା ଅର୍ଜନ କରିପାରୁନାହିଁ ।

 

ତଥାପି ସ୍ୱୀକାର କରିବାକୁ ହେବ ଯେ, ଧୂମପାନ ବିରୁଦ୍ଧରେ ହେଉଥିବା ସାଧାରଣ ଅଭିଯାନଟି ଅନେକ ସଫଳତା ହାସଲ କରିପାରିଛି । ୧୯୬୪ ମସିହାରେ, ଯେତେବେଳେ ବୈଜ୍ଞାନିକମାନେ ଧୂମପାନକୁ ଫୁସ୍‌ଫୁସ୍‌ରେ କର୍କଟରୋଗ ହେବାର ଏକ ମୁଖ୍ୟ କାରଣରୂପେ ଘୋଷଣା କଲେ, ସେତେବେଳେ ଆମେରିକାରେ ବୟସ୍କ ପୁରୁଷମାନଙ୍କର ଶତକଡ଼ା ୫୨ ଭାଗ ଓ ବୟସ୍କ ନାରୀମାନଙ୍କର ଶତକଡ଼ା ୩୩ଭାଗ ଧୂମପାନ କରୁଥିଲେ । ବର୍ତ୍ତମାନ ଏହି ସଂଖ୍ୟା ତଳକୁ ଖସି ଶତକଡ଼ା ଯଥାକ୍ରମେ ୩୯ଭାଗ ଏବଂ ୨୯ଭାଗରେ ରହିଛି । ମାତ୍ର ଏବେ ଅପେକ୍ଷାକୃତ ଅଧିକ କମ୍‌ ବୟସରୁ ଧୂମପାନର ଅଭ୍ୟାସ ଆରମ୍ଭ ହେଉଥିବାରୁ ଓ ଦେଶର ଜନସଂଖ୍ୟା ମଧ୍ୟ ବୃଦ୍ଧି ପାଉଥିବାରୁ ୧୯୬୪ ମସିହାରେ ଆମେରିକାରେ ସର୍ବମୋଟ ପ୍ରାୟ ୫କୋଟି ୨୦ଲକ୍ଷ ଲୋକ ଧୂମପାନ କରୁଥିବାବେଳେ ବର୍ତ୍ତମାନ ୫କୋଟି ୪୦ଲକ୍ଷ ଲୋକ ଧୂମପାନ କରୁଛନ୍ତି ଏବଂ ୧୯୭୬ ମସିହାରେ ଆମେରିକାରେ ୬୨ ହଜାର କୋଟି ଡଲାର ମୂଲ୍ୟର ସିଗାରେଟ ବିକ୍ରୀ ହୋଇଛି ଓ ଏହି ପରିମାଣଟି ପୂର୍ବତନ ସକଳ ବାର୍ଷିକ ପରିମାଣକୁ ଅତିକ୍ରମ କରିଯାଇଛି ଏବଂ ତେଣେ କର୍କଟରୋଗର ବିଶେଷଜ୍ଞମାନେ ବି କହୁଛନ୍ତି ଯେ, ୨ହଜାର ମସିହାବେଳକୁ ଫୁସ୍‌ଫୁସ୍‌ କର୍କଟରୋଗରେ ଆକ୍ରାନ୍ତ ଲୋକମାନଙ୍କର ସଂଖ୍ୟା ମଧ୍ୟ ବର୍ତ୍ତମାନର ଦେଢ଼ଗୁଣ ହୋଇ ବଢ଼ିଯିବ । ଆମେରିକାରେ ଏହି କ୍ଷେତ୍ରରେ ଯେଉଁ ସମସ୍ୟା, ପୃଥିବୀର ସବୁ ଆଧୁନିକ ଅଞ୍ଚଳରେ ମଧ୍ୟ ପ୍ରାୟ ଅଳ୍ପବହୁତ ସେହି ସମସ୍ୟା । ସ୍ୱାସ୍ଥ୍ୟବିଜ୍ଞାନ ଜିତିବ ନା ଅର୍ଥବିଜ୍ଞାନର ପାରମ୍ପରିକ ଅନ୍ଧବିଶ୍ୱାସଗୁଡ଼ିକ ଜିତିବ, ତାହାହିଁ ଅସଲ ସମସ୍ୟା ।

ତା ୧୬.୪.୧୯୭୭ ରିଖ

Image

 

ସମ୍ପୂର୍ଣ୍ଣ ଭାବରେ ଦାୟୀ

 

ଗତ ହୋଇଯାଇଥିବା ଲୋକସଭା ସାଧାରଣ ନିର୍ବାଚନରେ କଂଗ୍ରେସ ଦଳର ଯେଉଁ ସାଧାରଣ ଓ ସମଗ୍ର ବିପର୍ଯ୍ୟୟ ଘଟିଲା, ଏତେ ଦିନକେ ଶ୍ରୀମତୀ ଇନ୍ଦିରା ଗାନ୍ଧୀ ସେଥିଲାଗି ସେଇ ନିଜେ ସମ୍ପୂର୍ଣ୍ଣ ଭାବରେ ଦାୟୀ ବୋଲି ପ୍ରକାଶ୍ୟ ଭାବରେ କହିଛନ୍ତି । ତାଙ୍କର ଇଚ୍ଛା ବିରୁଦ୍ଧରେ ଏବେ କଂଗ୍ରେସର ଯେଉଁ କାର୍ଯ୍ୟକାରୀ କମିଟି ଡକାହେଲା ଏବଂ ବସିଲା, ସେଇ କମିଟିରେ ଏକ ବିବୃତ୍ତି ଦେଇ ଶ୍ରୀମତୀ ଗାନ୍ଧୀ ଏକଥା ସ୍ୱୀକାର କରିଛନ୍ତି । ଏ ସମ୍ପର୍କରେ ଆମେ ଆଗରୁ ବି ଆଲୋଚନା କରିଛୁ । କିନ୍ତୁ ଏଥର ତାର ଆଉ ଏକ ଦିଗ କଥା ଏଠି କହୁଛୁ ।

 

କଥାଟି ହେଉଛି, ଆମ ଦେଶରେ ଯେତେବେଳେ ଯାହାକିଛି ଘଟେ, ସେତେବେଳେ ସେଥିଲାଗି ସାଧାରଣତଃ ଭାଗ୍ୟକୁହିଁ ଦାୟୀ କରାଯାଇଥାଏ । ଲଟେରୀରେ ଜିତିଲେ ଭାଗ୍ୟକୁ ଦାୟୀ କରାଯାଏ, ଲଟେରୀରେ ହାରିଲେ ମଧ୍ୟ ସେହି ଭାଗ୍ୟକୁ ଦାୟୀ କରାଯାଏ । କୌଣସି ପରିସ୍ଥିତିରେ ମଧ୍ୟ ଲଟେରୀକୁ ଦାୟୀ କରାଯାଏ ନାହିଁ କିମ୍ବା ଲଟେରୀକୁହିଁ ଭାଗ୍ୟ ବୋଲି ଧରିନେଉଥିବା ବୁଦ୍ଧିହୀନ ଉତ୍ସାହଟାକୁ ବି ଦାୟୀ କରାଯାଏ ନାହିଁ । ରାଜନୀତି ଭିତରେ ଥାଇ ମଧ୍ୟ ଯେଉଁମାନେ ଭାଗ୍ୟହିଁ ସବୁ କରାଉଥାଏ ବୋଲି କହି ଦାୟିତ୍ୱହୀନ ଭାବରେ ସବୁକିଛି କରିବାରେ ନିମିତ୍ତ ହୋଇ ରହିଥାନ୍ତି, ସେମାନେ ଆପଣାକୁ କ୍ରମେ ସେହି ଭାଗ୍ୟ ହାତରେହିଁ ଏକ ନିମିତ୍ତ କରି ଛାଡ଼ିଦିଅନ୍ତି, ଆପଣାର କରିବାଗୁଡ଼ାକୁ ଭାଗ୍ୟର କରିବାବୋଲି ପାଶ୍‌ କରାଇ ନିଅନ୍ତି ଏବଂ ଆପଣାର ଅହଂପ୍ରମତ୍ତ ଗଣନା ଏବଂ କଳନାଗୁଡ଼ାକୁ ସତେ ଅବା ଜ୍ୟୋତିଷର ଗଣନା ଏବଂ କଳନା ପରି ଗ୍ରହଣ କରିନିଅନ୍ତି । ଆହୁରି ବିଚିତ୍ର କଥା ହେଉଛି ଯେ ଏଗୁଡ଼ାକୁ ସମ୍ବିଧାନର କୁଲା ଭିତରେ ରଖି ଏକାଠି ମଙ୍ଗୁଳାଇ ନିଆଯାଏ ଏବଂ ତେଣୁ ସେଥିରେ ସାମ୍ବିଧାନିକତାର ଆଶୀର୍ବାଦ ରହିଛି ବୋଲି ଘୋଷଣା କରିଦିଆଯାଏ । ଗୋଟାଏ ଦେଶରେ ପଞ୍ଚାବନ କୋଟି ମଣିଷ ରହିଛନ୍ତି ବୋଲି ପ୍ରାୟ ଏକ ପ୍ରୟୋଜନବାଦୀ ଦୃଷ୍ଟିରୁ ଆପାତତଃ ପାସୋରି ଦିଆଯାଏ ଏବଂ ଏକ ଆପାତକାଳୀନ ଅବିବେକର ଆବଶ୍ୟକତା ଦୃଷ୍ଟିରୁ ତାହାକୁହିଁ ଦେଶ ଗୋଟାକର ଫଇସଲା ବୋଲି ଘୋଷଣା କରିଦିଆ ଯାଏ । ଯେଉଁ ଦେଶରେ ତିରିଶ କୋଟିରୁ ଊର୍ଦ୍ଧ୍ୱ ମଣିଷ ଦାରିଦ୍ର୍ୟ ଓ ତଜ୍ଜନିତ ଯାବତୀୟ ଅଜ୍ଞାନର ସୀମାରେଖା ତଳେ ବାସ କରୁଥାନ୍ତି, ସେହି ଦେଶରେ ଯାହା କିଛି ଘଟେ ବା ଘଟାଇ ଦିଆହୁଏ, ତାହାକୁହିଁ ଯେ ଭାଗ୍ୟ ବୋଲି ମାନି ନିଆଯାଏ ଓ ଭାଗ୍ୟ ଉପରେ ବିଶ୍ୱାସ କରିବାର ଉତ୍ସାହରେ ପଡ଼ି ଶାସକମାନେ ଯେ ଅତ୍ୟନ୍ତ ଅବଲୀଳାକ୍ରମେ ଆପଣାକୁହିଁ ଗୋଟାଏ ଦେଶର ଅଥବା ଗୋଟାଏ ଯୁଗର ଭାଗ୍ୟଧର ବୋଲି ଭାବିବାକୁ ଓ ସେହି ଅନୁସାରେ ଦୁରାଚାରମାନ କରିବାକୁ ଅଗ୍ରସର ହୋଇପଡ଼ନ୍ତି, ଏହାକୁ ମୋଟେ ଏକ ବିଚିତ୍ର କଥା ବୋଲି କୁହାଯାଇ ପାରିବନାହିଁ ।

 

ଏସବୁ ଦୃଷ୍ଟିରୁ ଶ୍ରୀମତୀ ଇନ୍ଦିରା ଗାନ୍ଧୀ କଦାପି ଆଲୋଚିତ ବିପର୍ଯ୍ୟୟଟି ପାଇଁ ଦାୟୀ ହେବେ କି ? ଯିଏ ରଥ ଉପରେ ବସିଥିବ, ରଥର ଚକ ଭୁଷୁଡ଼ି ପଡ଼ିବାରେ ସିଏ କାହିଁକି ଦାୟୀ ହେବ ? ରଥ ଉପରେ ବସିଥିବା ମଣିଷର ରଥର ଚକ ବିଷୟରେ ଯେ ଆଦୌ କୌଣସି ଦାୟିତ୍ୱ ରହିଛି, ଆମ ଦେଶର ରାଜନୀତିରେ ଗତ କେତେକାଳ ଧରି ରଥୀମାନେ ସେହିକଥାକୁ ଗୋଟା ସୁଦ୍ଧା ଭୁରୁଡ଼ କରି ରଖିଥିଲେ । ଆମ ସମସ୍ତଙ୍କୁ ମଧ୍ୟ ପ୍ରାୟ ତାହାରି ଭିତରେ ବାଉଳା କରି ରଖିଥିଲେ । ମୋଟେ କୌଣସି ରାସ୍ତା ନଥାଇ ମଧ୍ୟ ରଥଗୁଡ଼ାକ ଚାଲି ଯାଉଥିଲା । ହୁଏତ ଆଦୌ କୌଣସି ଗନ୍ତବ୍ୟସ୍ଥଳ ନଥାଇ ମଧ୍ୟ ରଥଗୁଡ଼ାକ ଆମ ଜାତୀୟ ଶୋଭାଯାତ୍ରାର ଶୋଭାବର୍ଦ୍ଧକ ହିସାବରେ କେଡ଼େ ଦର୍ପରେ କେତେ ଶବ୍ଦ କରି ଚାଲିଯାଉଥିଲା । ଅନେକ ସମୟରେ ମଣିଷଙ୍କର ଛାତି ଉପରେ ଚାଲିଯାଉଥିଲେ ମଧ୍ୟ ତଥାପି ଚାଲିଯାଉଥିଲା । ସଭାଗୋଟାକ ସମସ୍ତେ ସତେ ଅବା ରଥୀକୁ ନେଇ ଗୋଟାସୁଦ୍ଧା ବ୍ୟସ୍ତ ଓ ଭୋଳ ହୋଇ ରହିଥିଲେ । ପଥକୁ ଦେଖିବାର ବା ଗନ୍ତବ୍ୟସ୍ଥଳକୁ ଠଉରାଇବାର ଯାବତୀୟ ବିବେକକୁ ସେତେବେଳେ ଅବାଧ୍ୟତା ବୋଲି କୁହାଯାଉଥିଲା ଏବଂ ଅବାଧ୍ୟମାନଙ୍କର ଗୋଛି କାଟି ଦିଆଯାଉଥିଲା ।

 

ଏହି ପରିପ୍ରେକ୍ଷୀରେ ଭାରତୀୟ ଜାତୀୟ କଂଗ୍ରେସ ନାମକ ଏକ ବିରାଟ ରାଜନୀତିକ ଦଳର ଗୋଟାଏ ନିର୍ବାଚନରେ ଏହି ଯେଉଁ ତୁମୁଳ ବିଫଳତା ଘଟିଲା, ସେଥିଲାଗି ଶ୍ରୀମତୀ ଇନ୍ଦିରା ଗାନ୍ଧୀ ମୋଟେ ଦାୟୀ ନୁହଁନ୍ତି ବୋଲି କହିଲେ ବି ଚଳିବ । ଅବସ୍ଥାଚକ୍ରର ଅସରଣରେ ପଡ଼ି ଯେତେ ସ୍ୱୀକାରୋକ୍ତି କଲେ ମଧ୍ୟ ସିଏ ଏଡ଼େ ବଡ଼ ଦାୟିତ୍ୱର କଦାପି ଭାଜନ ନୁହନ୍ତି । ସେଥିପାଇଁ ପ୍ରକୃତରେ ଦାୟୀ ହେଉଛି କାଳ ଏବଂ ଗୋଟାଏ ଦେଶର ରାଜନୀତି ଜୀବନର କ୍ଷେତ୍ରରେ ଜନଗଣ ଏବଂ ଜନବିବେକକୁହିଁ ଆମେ ସବୁଠାରୁ ଅଧିକ ଯଥାର୍ଥ ଭାବରେ ଏହି କାଳ ବୋଲି କହିପାରିବା । ଏହି କାଳହିଁ ଭାଗ୍ୟ । ଗଣତନ୍ତ୍ର ଅର୍ଥାତ୍‌ ପ୍ରତ୍ୟେକ ମନୁଷ୍ୟର ବିଚାରଶକ୍ତିକୁହିଁ ସବୁଠାରୁ ଅଧିକ ନିର୍ଭରଯୋଗ୍ୟ ନିର୍ଣ୍ଣାୟକ ବୋଲି ଗ୍ରହଣ କରି ନେଇଥିବା ଏକ ଜାତୀୟ ବ୍ୟବସ୍ଥାରେ ପ୍ରକୃତରେ ଏହି କାଳ ହେଉଛି ଭାଗ୍ୟ । ଏହି କାଳହିଁ ମଣିଷକୁ ତଉଲ କରିବାରେ ଲାଗିଥାଏ । ମଣିଷ ଫୁଲି ଓ ଆହୁରି ଫୁଲି ଆପଣାକୁହିଁ ଏହି ସମଗ୍ର ଘର ବୋଲି ଭାବିବାରେ ଲାଗିଥିଲେ ହେଁ ଏହି କାଳ ଅସଲ ନିକିତି ଦେଇ ତା’ର ତଉଲ କରୁଥାଏ, ନେତାର ତଉଲ କରୁଥାଏ; ନେତୃତ୍ୱର ତଉଲ କରୁଥାଏ; ସାମନ୍ତମାନଙ୍କର ତଉଲ କରୁଥାଏ । ଦରବାରୀ ସ୍ତୁତିକାରୀମାନେ ସେହି ନିକିତିଟିକୁ ଜାଣିଥିଲେ ମଧ୍ୟ ତଥାପି ତାକୁ ଦେଖି ନ ପାରୁଥିଲା ପରି କୁହନ୍ତି ଓ ରଥଟାରୁହିଁ ପଥର କଳନା କରନ୍ତି । ରଥ ଅନୁସାରେ ପଥଟାକୁ ଦୋରସ୍ତ କରିବେ ବୋଲି ନୂଆ ନୂଆ ଆଇନର ଫଣା ବାହାର କରନ୍ତି ।

 

ଏଗୁଡ଼ାକ ପଦାରେ ପଡ଼ିଯାଏ । ହଠାତ୍ ଧୂମାଳ ଆସି ବିଛା ହୋଇଥିବା ଜାଲଗୁଡ଼ାକୁ ଗୋଟାଏ ଛିଞ୍ଚଡ଼ାରେ ଉଡ଼ାଇ ନେଇଯାଏ । ଜାଲରେ ବାନ୍ଧି ହୋଇ ପଡ଼ିଥିବା ପଥରୂପିଣୀ ହରିଣୀ ମୁକ୍ତ ହୋଇଯାଏ । ବ୍ୟାଧି କଥା ଆଉ କାହାରି ମନେ ବି ରହେ ନାହିଁ, ଗୋଟାଏ ଅନାମଧେୟ ସର୍ପହିଁ ତା’ପାଇଁ ଯଥେଷ୍ଟ ହୋଇଯାଏ । ରାଜନୀତିର ଅଯୋଦ୍ଧାମାନେ ଏହି କଥାଟିକୁ ମୋଟେ ଠଉରାଇ ପାରନ୍ତି ନାହିଁ । କାଳର ନିମିତ୍ତରୂପେ ଯିଏ ଅସଲ ପ୍ରତ୍ୟୟଟିକୁ ବହନ କରି କାଳ ସହିତ ଯୋଦ୍ଧା ହୋଇ ବାହାରିଥାଏ, ସେଇ ଆଗପାଇଁ ତିଷ୍ଠି ରହେ । ଆଗାମୀ ଯୁଦ୍ଧ ତାହାରି ଆବାହନ କରେ । ତେଣୁ ଆମ ହାତରେ କ୍ଷମତା ରହିଲା କି ନାହିଁ, ଆମେ ଜିତିଲୁ କି ନାହିଁ, ସେଥିଲାଗି ଆମେ ମୋଟେ ଦାୟୀ ନୋହୁ; ଆମେ କାଳର ଅସଲ ନିମିତ୍ତ ହୋଇପାରିଲୁ କି ନାହିଁ, ଆମେ କେବଳ ସେଇଥି ସକାଶେ ଦାୟୀ ।

ତା ୧୯.୪.୧୯୭୭ ରିଖ

Image

 

ଅନାକ୍ରମଣ ଚୁକ୍ତି

 

ଭାରତ ସରକାର ପାକିସ୍ତାନ ସରକାରଙ୍କୁ ଦୁଇ ଦେଶ ମଧ୍ୟରେ ଏକ ଅନାକ୍ରମଣ ଚୁକ୍ତି ଲାଗି ପ୍ରସ୍ତାବ ଦେଇଛି । ଏହି ଅନାକ୍ରମଣ ଚୁକ୍ତିର ଅର୍ଥ ହେବ ଯେ ଭାରତବର୍ଷ ଏବଂ ପାକିସ୍ତାନ କେହି କାହାରି ଉପରେ ଆକ୍ରମଣ କରିବେ ନାହିଁ ବୋଲି ଏକ ଲିଖିତ ଚୁକ୍ତିରେ ବଚନବଦ୍ଧ ହୋଇ ରହିବେ । ଭାରତ ସରକାରଙ୍କ ତରଫରୁ ଏହି ଚୁକ୍ତି ପାଇଁ ଯେ ନୂଆ କରି ପ୍ରସ୍ତାବ ଦିଆଗଲା, ସେ କଥା ଆଦୌ ନୁହେଁ । ପଣ୍ଡିତ ଜବାହରଲାଲ ନେହେରୁ ପ୍ରଧାନମନ୍ତ୍ରୀ ଥିବା ବେଳଠାରୁ ଆରମ୍ଭ କରି ଏହିପରି ଅନାକ୍ରମଣ ଚୁକ୍ତିର ପ୍ରସ୍ତାବ କେତେଥର ଦିଆହୋଇ ଆସିଛି ଏବଂ କହିବା ବାହୁଲ୍ୟ, ପୂର୍ବର ସବୁଥର ପରି ଏଥର ମଧ୍ୟ ପାକିସ୍ତାନ ସରକାର ସେହି ପ୍ରସ୍ତାବଟିକୁ ଅଗ୍ରାହ୍ୟ କରି ଦେଇଛି ।

 

ଆଗେ ଯେତେଥର ପାକିସ୍ତାନ ତରଫରୁ ଅନାକ୍ରମଣ ଚୁକ୍ତିର ପ୍ରସ୍ତାବକୁ ଅଗ୍ରାହ୍ୟ କରାଯାଇଥିଲା, ସବୁଥର ସେହି ଦେଶରେ ସାମରିକ କର୍ତ୍ତାମାନେହିଁ ସେହି ଦେଶର ଶାସନ କରୁଥିଲେ । ଜଣେ ଏକଚ୍ଛତ୍ର ଅଧିପତିର ସ୍ଥାନରେ ବସି ସେମାନେ ଦେଶଟାଯାକକୁ ବୋଲ ବତାଉଥିଲେ ଓ ଅଧସ୍ତନ ସାମରିକ ଉପକର୍ତ୍ତାମାନଙ୍କ ସମେତ ସମ୍ପୃକ୍ତ ସମସ୍ତେ ସେହି ବୋଲ ଅନୁସାରେ କାର୍ଯ୍ୟ କରୁଥିଲେ । ବର୍ତ୍ତମାନ ପାକିସ୍ତାନରେ ସାମରିକ ଶାସନ ଚାଲୁନାହିଁ । ବର୍ତ୍ତମାନ ସେଠାରେ ନିର୍ବାଚିତ ପ୍ରତିନିଧିମାନଙ୍କର ଶାସନ ଚାଲୁଛି । ଜନାବ ଅଲ୍ଲି ଭୂଟ୍ଟୋ ଲୋକମାନଙ୍କର ପ୍ରତିନିଧି ହୋଇଥିଲେ ମଧ୍ୟ ପୂର୍ବତନ ସାମରିକ କର୍ତ୍ତାମାନଙ୍କ ପରି ଅନାକ୍ରମଣ ଚୁକ୍ତିର ପ୍ରସ୍ତାବଟିକୁ ଯେ ଆଗ୍ରାହ୍ୟ କରି ଦେଇଛନ୍ତି, ସେଥିରେ ଆଶ୍ଚର୍ଯ୍ୟ ହେବାର ଆଦୌ କୌଣସି କାରଣ ନାହିଁ । ଛାଞ୍ଚଟା କିଞ୍ଚିତ ପରିମାଣରେ ଗଣତାନ୍ତ୍ରିକ ପରି ଦେଖାଯାଉଥିଲେ ମଧ୍ୟ ସାମରିକ ଶାସନକାଳର ସଂସ୍କାର ଓ ପ୍ରକୋପଗୁଡ଼ାକ ସେଠି ଏବେ ମଧ୍ୟ ସରକାରଙ୍କ ମିଜାଜକୁ ଛାଡ଼ିପାରିନାହିଁ, ସେପରି ଏକ ଅନୁମାନ କରିବା ଲାଗି ଏକାଧିକ କାରଣ ରହିଛି ।

 

ପାକିସ୍ତାନ ସରକାରଙ୍କ ତରଫରୁ ବୁଝାଇ କହି ଦିଆଯାଇଛି ଯେ କାଶ୍ମୀର କଥାଟି ଆଗ ନତୁଟିବା ପର୍ଯ୍ୟନ୍ତ ଏପରି ଅନାକ୍ରମଣ ଚୁକ୍ତିରେ ଭାରତ ସହିତ ବଚନବଦ୍ଧ ହେବା ପାକିସ୍ତାନ ପକ୍ଷରେ ଆଦୌ ସମ୍ଭବ ହୋଇପାରୁନାହିଁ । ଅର୍ଥାତ୍ କାଶ୍ମୀର ସମସ୍ୟାର ସମାଧାନ କରିବାଲାଗି ସେପରି ଆବଶ୍ୟକତା ପଡ଼ିଲେ ପାକିସ୍ତାନ ସାମରିକ ମାର୍ଗର ବି ଶରଣ ନେଇପାରେ, ଏପରି ଏକ ସମ୍ଭାବନାକୁ ପାକିସ୍ତାନ ତା’ର ଖାତାରୁ ମୋଟେ ବାଦ୍‌ଦେଇ ପାରୁନାହିଁ । କାଶ୍ମୀର ସମସ୍ୟା ଏ ପାଖରେ କେଉଁଦିନୁ ସମାଧାନ ହୋଇସାରିଲାଣି । ଭାରତବର୍ଷ ପଟେ ଥିବା କାଶ୍ମୀରବାସୀ ଏକ ଗଣତନ୍ତ୍ରଶାସିତ ଦେଶରେ ପୂର୍ଣ୍ଣସମର୍ଥ ନାଗରିକ ଭାବରେ କେଉଁଦିନୁ ସ୍ୱୀକୃତ ହୋଇସାରିଲେଣି । କାଶ୍ମୀରର ଯେଉଁ ଭାଗଟିକୁ ପାକିସ୍ତାନର ସୈନ୍ୟମାନେ ଦିନେ ମାଡ଼ି ବସିଥିଲେ ଏବଂ ଯାହାକୁ ପାକିସ୍ତାନ ଏବେ ମଧ୍ୟ ନିଜର ସମ୍ପତ୍ତି ବୋଲି କହି ଆବୋରି ରଖିଛି, ସେଠି ଏପର୍ଯ୍ୟନ୍ତ ବି ସ୍ୱାଭାବିକ ଅବସ୍ଥା ପ୍ରତିଷ୍ଠିତ ହୋଇପାରିଲା ନାହିଁ । ସେଠି ଉପରେ ଶାସକ ହିସାବରେ ଜଣେ ଜଣେ କ୍ରୀଡ଼ନକଙ୍କୁ ଥାପି ଦିଆଯାଇଛି ଓ ଇତିହାସକୁ ଜବରଦସ୍ତି ଅଟକାଇ ରଖାଯାଇଛି । ବଡ଼ ସ୍ପଷ୍ଟ କଥା ଯେ, ଏହି ସମାଧାନ ପାକିସ୍ତାନର ଅର୍ଦ୍ଧକର୍ତ୍ତୃତ୍ୱବାଦୀ ସରକାରଙ୍କର ମୋଟେ ମନକୁ ପାଉନାହିଁ । ପାକିସ୍ତାନର ଅଧିବାସୀମାନଙ୍କୁ ଉତ୍ତେଜିତ କରି ରଖିବା ଉଦ୍ଦେଶ୍ୟରେ କାଶ୍ମୀରର ସମସ୍ୟାକୁ ଏକ ଅଫିମରୂପେ ବ୍ୟବହାର କରାଯାଉଛି ଏବଂ ଅଫିମଦ୍ୱାରା ଉପକୃତ ହେଉଥିବା ପର୍ଯ୍ୟନ୍ତ ପାକିସ୍ତାନ ସରକାର ଅନାକ୍ରମଣ ଚୁକ୍ତି ଆଡ଼େ ମନଦେଇ ପାରୁନାହାନ୍ତି ।

 

ଏକ ଅନାକ୍ରମଣ ଚୁକ୍ତିର ପ୍ରସ୍ତାବ ସହିତ କାଶ୍ମୀର ସମସ୍ୟାର ସମାଧାନର ମୋଟେ କୌଣସି ବାସ୍ତବ ସମ୍ପର୍କ ନାହିଁ । ଅନାକ୍ରମଣ ଚୁକ୍ତି ସ୍ୱାକ୍ଷରିତ ହୋଇସାରିବା ପରେ ମଧ୍ୟ କାଶ୍ମୀର ବିଷୟରେ ଆଲୋଚନା ହୋଇପାରନ୍ତା ଏବଂ ସେହି ଆଲୋଚନା ଲାଭଜନକ ନ ହେଲେ ପାକିସ୍ତାନ ଇଚ୍ଛା କଲେ ସେହି ଚୁକ୍ତିକୁ ଭଙ୍ଗ ବି କରିପାରନ୍ତା । ସେହି ଚୁକ୍ତିକୁ ଯେ ଅବଶ୍ୟ ପାଳନ କରିବାକୁ କୌଣସି ସାମରିକ ଶକ୍ତି ପାକିସ୍ତାନକୁ ବାଧ୍ୟ କରିବ, ସେପରି କୌଣସି ସମ୍ଭାବନା ନାହିଁ । ଅନାକ୍ରମଣ ଚୁକ୍ତି ହେଉଛି ସମ୍ପୂର୍ଣ୍ଣ ଭାବରେ ଏକ ପାରସ୍ପରିକ ସଦିଚ୍ଛାରହିଁ ପରିଚାୟକ । ଏହିପରି ଗୋଟିଏ ଚୁକ୍ତି ସ୍ୱାକ୍ଷରିତ ହୋଇଗଲେ ଦୁଇଦେଶର ରାଷ୍ଟ୍ରୀୟ ସମ୍ପର୍କର କ୍ଷେତ୍ରରେ ଯେଉଁ ପ୍ରଭୂତ ସଦିଚ୍ଛା ସୃଷ୍ଟି ହୋଇପାରନ୍ତା, ସେଥିରୁ ହୁଏତ ଦୁହେଁ କାଶ୍ମୀର ବିଷୟରେ ମଧ୍ୟ କଥା ପକାଇବାକୁ ସମ୍ମତ ହୋଇ ପାରନ୍ତେ । ବର୍ତ୍ତମାନ ନିଷିଦ୍ଧ ହୋଇ ରହିଥିବା କେତେକ ଦ୍ୱାର ସେତେବେଳେ ହୁଏତ ଖୋଲିଯାଇ ପାରନ୍ତା । ମାତ୍ର ସବୁ ରାଜନୀତି କେବଳ ସଦିଚ୍ଛାଦ୍ୱାରା ଅନୁପ୍ରେରିତ ହୁଏ ନାହିଁ; ଅନେକ ସ୍ଥଳରେ ଭୟହିଁ ଯାବତୀୟ ରାଜନୀତିର ପ୍ରେରକ ହୋଇରହିଥାଏ ।

 

ଏକଦା ଏହି କାଶ୍ମୀର ସମସ୍ୟାକୁ ପାକିସ୍ତାନ ସରକାର ଦୁଇ ଦେଶ ମଧ୍ୟରେ ଯାବତୀୟ ସମ୍ପର୍କ ମଝିରେ ଗୋଟାଏ ପାଚେରୀ ପରି ଠିଆ କରିରଖିଥିଲେ । ସେହି ରୀତି କ୍ରମେ ବଦଳିଗଲାଣି-। କାଶ୍ମୀର କଥାର ଆଗ ସମାଧାନ ନ ହେଲେ ଭାରତ ସରକାରଙ୍କ ସହିତ ଆଉ କୌଣସି କଥାବାର୍ତ୍ତା ଯେ କଦାପି ହେବନାହିଁ, ପାକିସ୍ଥାନ ସରକାର ସେହି ପୁରୁଣା ଜିଦ୍ କ୍ରମେ ଛାଡ଼ି ସାରିଲେଣି ଏବଂ କେବଳ ଅନାକ୍ରମଣ ଚୁକ୍ତିର ପ୍ରସ୍ତାବଟା ଆସି ଯାହା ସେହି ପାଚେରୀ ପାଖରେ ଠୋକ୍‌କର ଖାଇଯାଉଛି । ପାକିସ୍ତାନରେ ଯହୁଁ ଯହୁଁ ଶାସନ ଅଧିକରୁ ଅଧିକ ପରିମାଣରେ ଯଥାର୍ଥ ଭୂମିଗୁଡ଼ିକୁ ସ୍ପର୍ଶ କରିବ, ଯହୁଁ ଯହୁଁ ଅଧିକ ପରିମାଣରେ ଅଫିମର ଆବଶ୍ୟକତା କମିଯାଉଥିବ, ସେହି ପାଚେରୀଟି ହୁଏତ ସେତିକି ଅଧିକ ପରିମାଣରେ କ୍ଷୟ ହୋଇଯାଉଥିବ । ଅସଲ ସଦିଚ୍ଛା ସେତିକି ବଢ଼ୁଥିବ, ରାଜନୀତି ତା’ର ଅସଲ ଚେରଗୁଡ଼ିକୁ ସେତିକି ପାଇଯାଉଥିବ ।

ତା ୨୦.୪.୧୯୭୭ ରିଖ

Image

 

କୁଷ୍ଠରୋଗୀଙ୍କ ଧାରଣା

 

କୁଷ୍ଠରୋଗୀଙ୍କ ସମ୍ବନ୍ଧରେ ଆମର ଆଦୌ କୌଣସି ଧାରଣା ନଥାଉ ପଛକେ, ଆମ ଖବରକାଗଜରେ ଏବେ ପ୍ରକାଶ ପାଇଛି ଯେ ପ୍ରାୟ ଶହେଜଣ ସରିକି କୁଷ୍ଠରୋଗୀ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଆଗରେ ଧାରଣା ଦେଇଛନ୍ତି । ସେମାନେ ଆଗରୁ ସେମାନଙ୍କର କେତୋଟି ସମସ୍ୟାକୁ ଉଲ୍ଲେଖ କରି ଏକ ସଙ୍ଗଠିତ ଅଭିଯୋଗ ଆକାରରେ ମୁଖ୍ୟମନ୍ତ୍ରୀଙ୍କ ପାଖରେ ପେଶ୍ କରିଥିଲେ । ଅମୁକ ଦିନ ଭିତରେ ବୁଝାମଣା ନହେଲେ ସେମାନେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଆଗରେ ଆସି ଧାରଣା ଦେବେ ବୋଲି ଜଣାଇ ଦେଇଥିଲେ । ନିର୍ଦ୍ଦିଷ୍ଟ ଅବଧିଟି ଅତିକ୍ରାନ୍ତ ହୋଇଗଲା, ମାତ୍ର ମୁଖ୍ୟମନ୍ତ୍ରୀ କିଛି କରିପାରିଲେନାହିଁ ଏବଂ ସେହି କାରଣରୁହିଁ ପୂର୍ବ ନିର୍ଦ୍ଧାରଣ ଅନୁସାରେ ତାଙ୍କର ବାସଭବନ ସମ୍ମୁଖରେ କୁଷ୍ଠରୋଗୀଙ୍କର ଧାରଣ ଆରମ୍ଭ ହୋଇଛି

 

ଆଗେ କୁଷ୍ଠରୋଗୀମାନେ ଧାରଣା ଦେଉନଥିଲେ । ସେମାନେ ଯେ କେବେହେଲେ ଧାରଣା ଦେବାକୁ ଆସିବେ, ମୁଖ୍ୟମନ୍ତ୍ରୀମାନେ ସେକଥା କଳ୍ପନା ବି କରିପାରୁନଥିଲେ । ଆଗେ ଭାଗ୍ୟଦୋଷରୁହିଁ କୁଷ୍ଠରୋଗ ହେଉଥିଲା ଏବଂ କୁଷ୍ଠରୋଗ ହେଲେ କେବଳ ଭାଗ୍ୟ ଆଦରି ରହିବା ବ୍ୟତୀତ ଆଉ କୌଣସି ଉପାୟାନ୍ତର ନଥିଲା । ସମାଜର ଭଲ ଓ ଭାଗ୍ୟବନ୍ତମାନେ ଅନୁଗ୍ରହ କରି ଯେତିକି ଦେଉଥିଲେ, ସେମାନଙ୍କୁ ସେତିକିରେ ସନ୍ତୁଷ୍ଟ ରହିବାକୁ ପଡ଼ୁଥିଲା; ସମାଜର ଉତ୍ତମମାନେ କୁଷ୍ଠ ରୋଗୀମାନଙ୍କୁ ଯେତିକି ଦୂରରେ ରଖୁଥିଲେ, କୁଷ୍ଠରୋଗୀମାନଙ୍କୁ ସେତିକି ଦୂରରେ ରହିବାକୁ ପଡ଼ୁଥିଲା । ସେମାନେ ଆମ ଦୁଆରେ ଭିକ ମାଗୁଥିଲେ, ଆପଣାର ଭାଗ୍ୟ ଆଦରି ରହୁଥିଲେ । କୁଷ୍ଠରୋଗୀମାନେ ଏହି ସମାଜରୁହିଁ ଜାତ ହେଉଥିଲେ ମଧ୍ୟ ତଥାପି ସମାଜ ବାହାରେ ରହିବାକୁହିଁ ଏକମାତ୍ର ନ୍ୟାୟ ବୋଲି ମାନି ନେଉଥିଲେ ।

 

ଆଜିକାଲି ସେମାନେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ପର୍ଯ୍ୟନ୍ତ ଆସିଲେଣି । ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଆଗରେ ଧାରଣା ଦେଲେଣି । ସେମାନେ ଏହି ସମାଜରୁ ଜାତ ହୋଇଛନ୍ତି ଏବଂ ତେଣୁ ସମାଜରହିଁ ସେମାନଙ୍କ ପ୍ରତି ଏକ ଦାୟିତ୍ୱ ରହିଛି, ସେ ବିଷୟରେ କ୍ରମେ ସେମାନେ ସଚେତନ ମଧ୍ୟ ହେଲେଣି । ଯେଉଁ ସମାଜ ଏହି କୁଷ୍ଠରୋଗୀମାନଙ୍କୁ ଜାତ କରାଇଛି, ତା’ ଭିତରେ କେଉଁଠି କ’ଣ ରୁଗ୍‌ଣତା ଏବଂ ଅସୁସ୍ଥତା ରହିଥିବାରୁହିଁ ଯେ ତା’ର କୁଷ୍ଠରୋଗୀମାନେ ଏହିପରି ଅରକ୍ଷିତ ଅବସ୍ଥାରେ ବୁଲିବାକୁ ବାଧ୍ୟ ହେଉଛନ୍ତି, କ୍ରମେ ତଥାକଥିତ ସୁସ୍ଥ ଓ ସ୍ୱୀକୃତ ସମାଜ ମଧ୍ୟ ସେହି କଥାଟିକୁ ହୃଦୟଙ୍ଗମ କରିବାକୁ ଆରମ୍ଭ କଲାଣି । ଏହାଦ୍ୱାରା ଆମର ଯାବତୀୟ ସମସ୍ୟା ପ୍ରକୃତରେ ଅଧିକ ଜଟିଳ ହୋଇପଡ଼ିଛି ସତ, ମାତ୍ର ଆମେ ଯେ ଏକ ଗୋଷ୍ଠୀ ହିସାବରେ କ୍ରମେ ଅଧିକ ସଚେତନ ଏବଂ ଅଧିକ ପରିମାଣରେ ମନୁଷ୍ୟପଦବାଚ୍ୟ ହେବାର ଅଧିକ ସୁଯୋଗ ପାଉଛୁ, ସେଥିରେ ଆଦୌ କୌଣସି ସନ୍ଦେହ ନାହିଁ ।

 

କୁଷ୍ଠରୋଗ ହେଉଛି ଏକ କ୍ଷୟରୋଗ, ଏହା ହେଉଛି ଏକ ଅସମର୍ଥତା । ଆମ ସମାଜରେ ଅସମର୍ଥ ମଣିଷ ହିସାବରେ କେବଳ କୁଷ୍ଠରୋଗୀମାନେ ନାହାନ୍ତି । ଆହୁରି ଅଶେଷ କିସମର ଅସମର୍ଥତା ଆମ ସମାଜର ଅଧିକାଂଶ ମଣିଷଙ୍କର ମଞ୍ଜ କାମୁଡ଼ି ଧରିଛି । ସେମାନଙ୍କୁ ପ୍ରାୟ କାବୁକରି ରଖିଛି । ସେମାନେ ଏକ ନିର୍ଦ୍ଦିଷ୍ଟ ନୃଶଂସ ସମାଜରେ ଜନ୍ମଗ୍ରହଣ କରିଛନ୍ତି ବୋଲି ଆପଣାର କ୍ଷୟ ଏବଂ ଅସମର୍ଥତାଗୁଡ଼ାକୁ ପ୍ରାୟ ପାରମ୍ପରିକ ଭାବରେ ଅତ୍ୟନ୍ତ ସ୍ୱାଭାବିକ ବା ଅନ୍ତତଃ ବିଧିନିର୍ଦ୍ଦିଷ୍ଟ ବୋଲି ମାନି ଆସିଛନ୍ତି । ସମାଜ ଭିତରେ ଯେଉଁମାନେ ଅଧିକ ସମର୍ଥ ବା ଏପରିକି ଅତିସମର୍ଥ ହୋଇ ରହିଛନ୍ତି, ଯେଉଁମାନଙ୍କଠାରେ ଅଧିକ ଧନ ଅଛି, ଅଧିକ ବିଦ୍ୟା ଅଛି ଓ ଅଧିକ କୌଶଳ ରହିଛି, ସେମାନେ ଦରକାର ପଡ଼ିଲେ ଆଇନ୍‍ଠାରୁ ଆରମ୍ଭ କରି ଭଗବାନଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ କାମରେ ଲଗାଇ ଆପଣାର ଅତିବୃଦ୍ଧି ଅର୍ଥାତ୍ ଆବୁଗୁଡ଼ାକୁହିଁ ଧର୍ମସମ୍ମତ ଓ ତେଣୁ କୁଳାଚାର ବୋଲି ବୁଝାଇବାରେ ଲାଗିଥାନ୍ତି । ଆମେ ଇଚ୍ଛାକରୁ ବା ନକରୁ, ଏବେ ସେହି କୁଳ ଓ ସେହି ଆଚାରଗୁଡ଼ାକର ସଂଜ୍ଞା ବଦଳି ଯାଉଛି । ସମାଜର ସଂଜ୍ଞା ବଦଳି ଯାଉଛି । ମଣିଷକୁହିଁ କେନ୍ଦ୍ରସ୍ଥ ଅସଲ ଏକକ ଏବଂ ଅସଲ ମୀମାଂସକରୂପେ ଗ୍ରହଣ କରାଯାଉଛି । କୁଷ୍ଠରୋଗୀଗୁଡ଼ାଙ୍କୁ ମଧ୍ୟ ମଣିଷ ବୋଲି ଗ୍ରହଣ କରିବାକୁ ସତେଅବା ଆକାଶଆଡ଼ୁହିଁ ଏକ ହାଓ୍ୱା ସୃଷ୍ଟି ହୋଇ ଆସିଲାଣି । କୁଷ୍ଠରୋଗୀମାନଙ୍କ ପଲାଗୁଡ଼ାକ ପାଖରୁ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ପର୍ଯ୍ୟନ୍ତ ଯେ ଗୋଟିଏ ରାସ୍ତା ଅବଶ୍ୟ ପଡ଼ିଛି, ସେକଥା ସମ୍ପୃକ୍ତ ସମସ୍ତଙ୍କ ସମେତ ସେହି କୁଷ୍ଠରୋଗୀମାନେ ବି ହକ୍ ବୁଝିବାକୁ ଆରମ୍ଭ କଲେଣି ।

 

ଅସମର୍ଥତା କେବଳ ଅସମର୍ଥ କୌଣସି ମଣିଷର ଏକ ଭାଗ୍ୟଦୋଷ ନୁହେଁ । ଅସମର୍ଥତା ହେଉଛି ଗୋଟିଏ ସମାଜ ହୋଇ ବାସ କରୁଥିବା ଆମ ସମସ୍ତଙ୍କର ଅସମର୍ଥତା । ଆମର ଅତିସମର୍ଥତାଗୁଡ଼ାକ ସହିତ ଆମ ଅସମର୍ଥତାଗୁଡ଼ାକର ଯେଉଁଠି ଏକ ଖିଅ ଅବଶ୍ୟ ଲାଗିରହିଛି, ସେହି ଖିଅକୁ ଆମ ସମସ୍ତଙ୍କୁ ଆବିଷ୍କାର କରିବାକୁ ହେବ । ତା’କୁ ସମାଜବାଦ କହନ୍ତୁ ଅଥବା ଗଣତନ୍ତ୍ର କହନ୍ତୁ, ଜନଗଣଙ୍କର ବିଧାନ ଅଥବା ସମ୍ବିଧାନରେ ତାକୁ ଯେପରି ଭାବରେ ଫିଟ୍ କରନ୍ତୁ ଅଥବା ନ କରନ୍ତୁ, ସେହି ଖିଅକୁ ଆମ ସମସ୍ତଙ୍କୁ ଆବିଷ୍କାର କରିବାକୁ ପଡ଼ିବ । ସଚେତନ ଓ ସ୍ୱତଃପ୍ରବୃତ୍ତ ଭାବରେ ଆବିଷ୍କାର କରିବାକୁ ପଡ଼ିବ, ନଚେତ୍ ବାଧ୍ୟହୋଇ ଝକ୍‌ମାରି ଆବିଷ୍କାର କରିବାକୁ ପଡ଼ିବ । ନଚେତ୍ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଆଗରେ ଧାରଣା ଲାଗି ରହିଥିବ ସିନା, ସମସ୍ୟାର ପ୍ରକୃତ ସମାଧାନ ହୋଇପାରିବ ନାହିଁ ।

ତା ୨୪.୪.୧୯୭୭ ରିଖ

Image

 

ବହିଷ୍କାର ଓ ତିରସ୍କାର

 

ବହିଷ୍କାର ଓ ତିରସ୍କାର କରିବା ଯେ ଅସଲ ଆଚାର ନୁହେଁ, ସେ କଥା ଜାଣିଥିଲେ ମଧ୍ୟ ତଥାପି ଅନେକ ସମୟରେ ଅନେକେ ସେହିପରି ଆଚରଣ କରିଥାନ୍ତି । ଅନେକ ବ୍ୟକ୍ତି କରିଥାନ୍ତି, ଅନେକ ଅନୁଷ୍ଠାନ ମଧ୍ୟ କରିଥାନ୍ତି । ନାନା କାରଣରୁ ଉତ୍ତେଜିତ ହୋଇପଡ଼ି ସେମାନେ ଏପରି ଅନାଚରଣମାନ କରିଥାନ୍ତି । ସେମାନେ ଜୟରେ ଉତ୍ତେଜିତ ହୋଇପଡ଼ନ୍ତି, ପରାଜୟରେ ମଧ୍ୟ ଉତ୍ତେଜିତ ହୋଇ ପଡ଼ନ୍ତି, ଗାଦିରେ ବସିଲେ ଉତ୍ତେଜିତ ହୋଇ ପଡ଼ନ୍ତି, ଗାଦିରୁ ଖସିଲେ ମଧ୍ୟ ସମାନ ଭାବରେ ଉତ୍ତେଜିତ ହୋଇ ପଡ଼ନ୍ତି । ଉତ୍ତେଜିତ ହୋଇ ରହିବାକୁହିଁ ବିବେକ ବୋଲି ଜାଣୁଥାନ୍ତି । ଅସଲ ବିବେକଠାରୁ ସେମାନେ ବହୁ ଦୂରରେ ରହିଥାନ୍ତି । ସେମାନେ ଆପଣା ପାଖରେ ହାସ୍ୟାସ୍ପଦ ହୋଇ ରହିଥାନ୍ତି ଏବଂ କାଳଦ୍ୱାରା ହାସ୍ୟାସ୍ପଦ ହୋଇରହିଥାନ୍ତି ।

 

ଅନୁଲାଞ୍ଛିତ କଂଗ୍ରେସ ଭିତରେ ଆଜି ଏହିପରି ଗୁଡ଼ାଏ ବହିଷ୍କାର ଏବଂ ତିରସ୍କାରର ଉତ୍ତେଜନା ଲାଗିରହିଛି । ଆସନରେ ବସିଥିଲାବେଳେ କଂଗ୍ରେସର ମହାତ୍ମା ମାନ୍ୟମାନେ ଯେପରି ଉତ୍ତେଜିତ ହୋଇ ରହିଥିଲେ, ଆଖିବୁଜି କେତେ କ’ଣ କୋଡ଼ି ଯାଉଥିଲେ ଓ ମାଡ଼ି ଯାଉଥିଲେ, ଆଜି ଆସନରୁ ଖସିଗଲା ପରେ ମଧ୍ୟ ସେମାନେ ସେହିପରି ଉତ୍ତେଜିତ ହୋଇ ରହିଛନ୍ତି, ଉତ୍ତେଜନାରେ ପଡ଼ି କେତେ କ’ଣ ବିବୃତି ଝାଡ଼ୁଛନ୍ତି ଓ ଧୂଳି ଉଡ଼ାଉଛନ୍ତି । କିଏ କହୁଛି, ବଂଶୀଲାଲ ଏପରି କରିଥିଲେ ତାଙ୍କୁ ଆଗ ବାହାର କର; ଆଉ କିଏ କହୁଛି, ଶୁକ୍ଳ ଅମୁକ ନାହିଁ ଅମୁକ କରିଥିଲେ, ତାଙ୍କୁ ଆଗ ତିରସ୍କାର କର, ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ କର । ଗତ କେଇଦିନ ହେଲା ଦିଲ୍ଲୀରେ କଂଗ୍ରେସ କାର୍ଯ୍ୟକାରୀ ସମିତି ଭିତରେ ଓ ବାହାରେ ଏହିପରି ଅନାଚାରଣମାନ ଲାଗି ରହିଛି । ବଡ଼ୁଆ ବିଦାହୋଇ ଯାଉଛନ୍ତି ତ ସୁବର୍ଣ୍ଣ ସିଂହ ଆସୁଛନ୍ତି, ଅମୁକ ବସୁଛନ୍ତି ତ ସମୁକ ଖସୁଛନ୍ତି । ଦିନେ ଯେଉଁ ଜାତୀୟ କଂଗ୍ରେସ କହିଲେ ଗୋଟାଏ ଉପମହାଦେଶର ନିୟତିକୁ ବୁଝାଉଥିଲା, କୋଟି କୋଟି ମଣିଷଙ୍କର ସ୍ୱପ୍ନ ଓ ସଙ୍କଳ୍ପକୁ ବୁଝାଉଥିଲା, ସେହି କଂଗ୍ରେସ ଭିତରେ ଆଜି ବଡ଼ମାନେ ପରସ୍ପରର ମୁଣ୍ଡରୁ ଉକୁଣି ଦୁହିଁବାରେ ଲାଗିଛନ୍ତି । ଦେଶର ଭାଗ୍ୟ ସେମାନଙ୍କର ହାତ ମୁଠାରୁ ବାହାରି ସେମାନଙ୍କ ଆଡ଼କୁ ଅନାଇ ହୁଏତ କିରି କିରି ହୋଇ ହସୁଛି ।

 

କଂଗ୍ରେସର ଗତ ସାଧାରଣ ନିର୍ବାଚନରେ ଯେଉଁ ପରାଜୟ ବା ବିପର୍ଯ୍ୟୟ ଘଟିଲା, ତାହା ହୁଏତ କେବଳ କେତୋଟି ମାସର କରଣିର ଫଳ ନୁହେଁ ଅଥବା ମାତ୍ର ଅଳ୍ପ କେତେ ଜଣଙ୍କର କରଣିର ପରିଣାମ ନୁହେଁ । ଦୋଷପରିମାଣର ବିଚାର କରି ଡେଙ୍ଗାମାନଙ୍କୁ ବହିଷ୍କାର ଅଥବା ତିରସ୍କାର କରି ପକାଇଲେ, ଏହି ପରାଜୟ ଏବଂ ବିପର୍ଯ୍ୟୟର କଦାପି କୌଣସି ପ୍ରତିବିଧାନ ହୋଇପାରିବନାହିଁ । ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ କଂଗ୍ରେସ ସରକାରଙ୍କ ତରଫରୁ ଜରୁରୀ ପରିସ୍ଥିତି ଜାରି କରିବା ଫଳରେ ଯେ ଭାରତର ଜନଗଣ କଂଗ୍ରେସ ଉପରୁ ଆପଣାର ସମର୍ଥନ ପ୍ରତ୍ୟାହାର କରିନେଲେ, ସେ କଥା ମଧ୍ୟ ଗୋଟାସୁଦ୍ଧା ସତ ନୁହେଁ । ଜରୁରୀ ପରିସ୍ଥିତିକୁ ଆମେ ଏକ ଉଗ୍ର ମୋହମୁଗ୍‌ଧତା ଏବଂ କର୍ତ୍ତବ୍ୟ ଅବହେଳାର ଚରମ ପର୍ଯ୍ୟାୟ ବୋଲି କହିବା, ଯାହା କି ଗତ କେତେ ବର୍ଷହେଲା ଦାନା ବାନ୍ଧି ଆସିଥିଲା । ଅନେକ ଅନ୍ୟାୟ କ୍ରମଗଠିତ ହୋଇ ଏକ ବିଶାଳ ଅନ୍ୟାୟରେ ପରିଣତ ହୋଇଥିଲା । ସ୍ୱାଧୀନତାପ୍ରାପ୍ତି ପୂର୍ବରୁ କଂଗ୍ରେସ ଭାରତବର୍ଷର ଜନଗଣଙ୍କୁ ଯେଉଁ ସ୍ୱପ୍ନ ଦେଖାଇ ଆସିଥିଲା, ଜନଗଣଙ୍କ କ୍ଷମତାର ପ୍ରତିନିଧି ହୋଇ ନିଜେ ସେହି ସ୍ୱପ୍ନ ଓ ସଙ୍କଳ୍ପର ଭାଜନ ନ ହେବାରୁହିଁ ତାହା ସେହି ଜନଗଣଙ୍କର ଆଘାତର ଶରବ୍ୟ ହେଲା । ମହାତ୍ମାଗାନ୍ଧୀ ରାଜନୀତିକ ସ୍ୱାଧୀନତା ପରେ ଆଉ ଯେଉଁସବୁ ସ୍ୱାଧୀନତାର ଅସଲ ଲଢ଼େଇ ଲାଗିବ ବୋଲି ଆହ୍ୱାନ ଦେଇ ଆସିଥିଲେ, ତାଙ୍କର ତିରୋଧାନ ପରେ କଂଗ୍ରେସ ସେହି ଆହ୍ୱାନର ଦ୍ୱାରଗୁଡ଼ିକୁ ପ୍ରାୟ ସବୁପ୍ରକାରେ ବନ୍ଦ କରିଆସିଥିଲା । ସମାଜବାଦର ଦ୍ୱାହି ଦେଇ ଗୋଟାଏ କିସମର ଆଧୁନିକ ସାମନ୍ତବାଦର ଗହନ ଭିତରେ ଆମ ସମସ୍ତଙ୍କୁ ପ୍ରାୟ ଅକର୍ମଣ୍ୟ କରି ରଖିଦେଇଥିଲା । ଗୋଟାଏ ସଂକଳ୍ପର ପ୍ରତୀକ ଏବଂ ପ୍ରତିନିଧି ହୋଇପାରିବା ପରିବର୍ତ୍ତେ କାଳକ୍ରମେ କଂଗ୍ରେସ କେବଳ କେତେଜଣ କ୍ଷମତାସୀନ ଉଗ୍ରମଣିଷଙ୍କର ଦମ୍ଭ-ପ୍ରଦର୍ଶନରେହିଁ ପରିଣତ ହୋଇ ରହିଗଲା । ଦମ୍ଭୀର ଦମ୍ଭ ଯେ ସବୁଦିନ ଏହିପରି ରହିବ, ସଂସାରର ପ୍ରାୟ ସବୁ ଦମ୍ଭୀ ସେହିପରି ଭାବିଥାନ୍ତି ଓ ସେହି ଭୁଲଟି ସକାଶେ ଆପଣାର ପତନକୁ ଡାକି ଆଣିଥାନ୍ତି । ଗତ ନିର୍ବାଚନ ସେହି ସାମନ୍ତବାଦ ବିରୁଦ୍ଧରେହିଁ ଆପଣାର ରାୟ ଦେଲା ଏବଂ ଦେଶକୁ ଏକ ନୂତନ ଭୂମି ଉପରେ ଆଣି ଠିଆ କରାଇବାରେ ସମର୍ଥ ହେଲା । ଏକ ନୂତନ ଆରମ୍ଭର ଦ୍ୱାରକୁ ଉନ୍ମୁକ୍ତ କରିଦେଇ ପାରିଲା ।

 

ଆମେ ଯେତେଯିଏ ରାଜନୀତିର କ୍ଷେତ୍ରରେ ଆପଣାର ଭାଗ୍ୟକୁ ଭାରତବର୍ଷର ଭାଗ୍ୟ ସହିତ ଏକତ୍ର ଗୁଚ୍ଛ କରି ରଖିଥିବା, ସେମାନଙ୍କୁ ଏଇ କଥାଟିକୁ ସତତ ସ୍ମରଣ ରଖିବାକୁ ହେବ ଯେ ଭାରତବର୍ଷର ରାଜନୀତି କହିଲେ ଗୋଟାଏ ଅନ୍ତଃପୁରର ଖଣ୍ଡଖେଳରେ ମତ୍ତ କେତେଟା ବ୍ୟକ୍ତିଙ୍କର ଚାତୁର୍ଯ୍ୟ ଅଥବା ଉଗ୍ରପଣକୁ କଦାପି ବୁଝାଏ ନାହିଁ । ଯିଏ ଦେଶର ଭାଗ୍ୟକୁ ଆପଣାର ଭାଗ୍ୟସୌଧଟି ଗଢ଼ିବା ପାଇଁ ଗୋଡ଼ିମାଟି ପରି ବ୍ୟବହାର କରିବାର ପ୍ରମତ୍ତତା ଆରମ୍ଭ କରେ, କାଳ ଆସି ପହଞ୍ଚିଲା ବୋଲି ଆଶଙ୍କା କରିବା ପୂର୍ବରୁହିଁ ତା’ର କାଳ ଆସି ପହଞ୍ଚିଯାଏ ।

 

ରାଜନୀତି କହିଲେ ଏକ ସ୍ୱପ୍ନକୁ ବୁଝାଏ, ଏକ ସଂକଳ୍ପକୁ ଓ ସର୍ବାଦୌ ଏକ ଯାତ୍ରାକୁ ବୁଝାଏ, ଏକ ସାହସକୁ ବୁଝାଏ । ନେତୃତ୍ୱ କହିଲେ ସାହସୀ ମଣିଷଙ୍କର ସଂକଳ୍ପକୁ ବୁଝାଏ । ଭୀରୁମାନଙ୍କର ସ୍ୱେଚ୍ଛାଚାରୀ ଅବିଧାନ ଗୁଡ଼ିକୁ କଦାପି ବୁଝାଏ ନାହିଁ । କଂଗ୍ରେସ ବ୍ୟକ୍ତିକୁ ବହିଷ୍କାର ବା ତିରସ୍କାର କରୁ, କିନ୍ତୁ ଅପ୍ରମତ୍ତ ହୋଇ ଆପଣାର ଭୀରୁତାଗୁଡ଼ାକ ବିଷୟରେହିଁ ସବା ଆଗେ ଆତ୍ମସମୀକ୍ଷା କରୁ । ଆପଣାର ଇତିହାସରୁ ଆଗେ ଶିକ୍ଷାକରୁ, ଦେଶର ଗତିପଥରେ ଏକ ସତର୍କସ୍ତମ୍ଭ ହୋଇରହୁ ।

ତା ୨୫.୪.୧୯୭୭ ରିଖ

Image

 

Unknown

ଇସ୍ରାଏଲର ନୂଆ ଆଖି

 

୧୯୬୭ ମସିହାରେ ଇସ୍ରାଏଲ ଏବଂ ଆରବଦେଶଗୁଡ଼ିକ ମଧ୍ୟରେ ଯେଉଁ ଗୃହଯୁଦ୍ଧ ହୋଇଥିଲା, ସେଥିରେ ସାମରିକ ଦୃଷ୍ଟିରୁ ଇସ୍ରାଏଲ ଜୟଲାଭ କରିଥିଲା । ଆରବମେଣ୍ଟ ପରାସ୍ତ ହେଲା । ସେତିକିବେଳେ ଇସ୍ରାଏଲ ପକ୍ଷରୁ ମିଶର ଦେଶର ଏକ ଅଞ୍ଚଳ ଓ ସୁଏଜ ଉପସାଗରର ଉତ୍ତର ଦିଗକୁ ଅବସ୍ଥିତ ସମଗ୍ର ସିନାଇ ଅନ୍ତରୀପକୁ ଦଖଲ କରି ନିଆଯାଇଥିଲା । ସେହିଦିନଠାରୁ ସେହି ଅନ୍ତରୀପଟି ଇସ୍ରାଏଲର ଅଧିକୃତ ଅଞ୍ଚଳ ହୋଇ ରହିଆସିଛି । ୧୯୭୫ ମସିହାରେ ଆମେରିକା ତରଫରୁ ହେନରୀ କିସିଞ୍ଜରଙ୍କ ମଧ୍ୟସ୍ଥତାରେ ଇସ୍ରାଏଲ ଏବଂ ମିଶର ମଧ୍ୟରେ ଯେଉଁ ଏକତରଫା ଆଞ୍ଚଳିକ ରାଜିନାମା ହୋଇଥିଲା, ତାହା ଫଳରେ ସିନାଇ ମାଳଭୂମିର କେତେକ ଅଂଶ ମିଶର ଫେରିପାଇଲା ସତ, ମାତ୍ର ତଥାପି ବହୁ ପରିମାଣ ଅଧିକୃତ ଅଞ୍ଚଳ ପୂର୍ବପରି ଅଧିକୃତ ହୋଇରହିଲା ।

 

ଇସ୍ରାଏଲ ଏବଂ ଆରବଦେଶଗୁଡ଼ିକ ମଧ୍ୟରେ ଏକ ରାଜିନାମା କରାଇ ଶତ୍ରୁତାର ଅବସାନ ଘଟାଇବା ନିମିତ୍ତ କଥାବାର୍ତ୍ତାର ନାନା ଉଦ୍ୟମ ଏବେ ମଧ୍ୟ କରାଯାଉଛି । ଯେଉଁ ମଧ୍ୟସ୍ଥିମାନଙ୍କର ସାମରିକ ସାହାଯ୍ୟ ଓ ଅର୍ଥବଳରେ ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଭିଆଇ ଦିଆଯାଉଛି, ସେହି ମଧ୍ୟସ୍ଥିମାନେହିଁ ଆପଣାର ବିଶେଷ ଉତ୍ସାହ ଦେଖାଇ ସମ୍ପୃକ୍ତ ଦେଶଗୁଡ଼ିକୁ ଏକ ଆଲୋଚନାର ପ୍ରକୋଷ୍ଠ ମଧ୍ୟକୁ ଆଣିବା ଲାଗି ସତତ ଚେଷ୍ଟା କରୁଛନ୍ତି । ଏହି ଉଦ୍ଦେଶ୍ୟରେ ଜେନେଭାଠାରେ ଯେଉଁ ମଣ୍ଡଳୀ ଡକାଯାଇଥିଲା, ତାହା ବିଫଳ ହୋଇଗଲା ପରେ ପୁନର୍ବାର ଜେନେଭାଠାରେ ସମସ୍ତଙ୍କୁ ନେଇ ଜୁଟାଇବାର ଉତ୍ସାହିତ ଉଦ୍ୟମ ଆରମ୍ଭ ହୋଇଗଲାଣି । ଆରବଗୋଷ୍ଠୀ ଜିଦ୍‍ଧରି ବସିଛନ୍ତି ଯେ, ଇସ୍ରାଏଲ ୧୯୬୭ ମସିହା ପୂର୍ବର ଜାତୀୟ ସୀମାଗୁଡ଼ିକୁ ଫେରିଯିବା ପାଇଁ ଆଗ ସମ୍ମତ ନ ହେଲା ପର୍ଯ୍ୟନ୍ତ ସେମାନେ ତା ସହିତ ଆଦୌ କୌଣସି ପ୍ରକାର କଥାବାର୍ତ୍ତା ପାଇଁ ସମ୍ମତ ହେବେ ନାହିଁ । ସ୍ମରଣ ରହିବା ଉଚିତ ଯେ, ଇସ୍ରାଏଲ ଏହିସବୁ ଅଞ୍ଚଳକୁ ବିଗତ ଦଶବର୍ଷ ହେଲା ଦଖଲ କରି ରଖିଛି । ଏହି ଅଞ୍ଚଳଟିର ଚାରିପାଖରେ ବାଡ଼ ଦେଇ ସେ ତାହାକୁ ଯେ କେବଳ ପହରା ଦେଇରଖିଛି, ସେକଥା ଆଦୌ ନୁହେଁ; ଇସ୍ରାଏଲ ସେହି ଅଞ୍ଚଳରେ କ୍ରମଶଃ ବସତି ସ୍ଥାପନ କଲାଣି, ନୂତନ ଗାଆଁମାନ ବସାଇଲାଣି, ଅସ୍ଥାୟୀ ଦଖଲ ଉପରେ ସ୍ଥାୟୀ ଅଧିକାରର ପ୍ରତୀତି ପ୍ରତିଷ୍ଠା କରିବା ଲାଗି ନିର୍ଦ୍ଦିଷ୍ଟ ପଦକ୍ଷେପମାନ ନେଲାଣି ।

 

ଇସ୍ରାଏଲ ପକ୍ଷର ଏହି ଅନ୍ୟ ଅଭିପ୍ରାୟଗୁଡ଼ାକୁ ଅଧିକ ବଳ ଓ ଅଧିକ ପ୍ରଲୋଭନ ଯୋଗାଇ ଦେବାଲାଗି ଏବେ ଶୁଣାଯାଉଛି ଯେ, ସିନାଇ ମାଳଭୂମିର ସୁଏଜ୍ ଉପସାଗରସ୍ଥ ଉପକୂଳରେ ଇସ୍ରାଏଲ ଏବେ ପେଟ୍ରୋଲିଅମ୍ ସନ୍ଧାନ କରିବାକୁ ବାହାରିଛି । ଏହି ସନ୍ଧାନରୁ ଯଦି ତାହାକୁ ପ୍ରକୃତରେ ଏକ ସିଦ୍ଧି ମିଳିଯାଏ ତେବେ ଜେନେଭା କିମ୍ବା ଆଉ କେଉଁଠୁ ଯେତେ ତାଗିଦା ଆସିଲେ ମଧ୍ୟ ତା’ପରେ ସିଏ ସେହି ଅଞ୍ଚଳଗୁଡ଼ାକୁ ଖାଲି କରି ପ୍ରକୃତରେ ପଛକୁ ହଟିଯିବାକୁ ଆଉ ରାଜି ହେବ କି ? ପେଟ୍ରୋଲିଅମର ରାଜନୀତି ଭିତରେ ଇସ୍ରାଏଲର ଏକ ବିଶେଷ କାହାଣୀ ରହିଛି-। ମଧ୍ୟପ୍ରାଚ୍ୟର ଅଧିକାଂଶ ପେଟ୍ରୋଲିଅମ ଉତ୍ପାଦନକାରୀ ଦେଶ ହେଉଛନ୍ତି ଆରବ ଦେଶ । ପାରମ୍ପରିକ ଭାବରେ ସେମାନେ ଇସ୍ରାଏଲର ଶତ୍ରୁ ଦେଶ । କେବଳ ଇରାନ ଦେଶରୁ ସେ ଯେତିକି ତେଲ ପାଏ, ସେଇଥିରେ ତାକୁ ଆପଣାର ଚାହିଦା ମେଣ୍ଟାଇବାକୁ ପଡ଼େ । ଏଥିଲାଗି ତାକୁ ବର୍ଷକୁ ପ୍ରାୟ ୪୦୦ କୋଟି ଟଙ୍କା ଖରଚ କରିବାକୁ ପଡ଼େ । କହିବା ବାହୁଲ୍ୟ ଯେ, ଏହି ଅର୍ଥପରିମାଣଟି ଇସ୍ରାଏଲକୁ ଯୁକ୍ତରାଜ୍ୟ ଆମେରିକାରୁ ସାହାଯ୍ୟରୂପେ ମିଳେ ।

 

୧୯୭୫ ମସିହାରେ ମିଶର ଓ ଇସ୍ରାଏଲ ମଧ୍ୟରେ ଯେଉଁ ସ୍ଥାନୀୟ ଚୁକ୍ତିଟି ହେଲା, ସେହି ଅନୁସାରେ ଇସ୍ରାଏଲ ଅଧିକୃତ ସିନାଇ ଅଞ୍ଚଳରୁ ଆବୁ ରୁବେଇସ୍‌ରେ ଥିବା ତେଲଖଣିଟିକୁ ମଧ୍ୟ ମିଶରକୁ ଫେରାଇ ଦେଲା । କିସିଞ୍ଜର ଯେ ନାନାପ୍ରକାରେ ପ୍ରବର୍ତ୍ତାଇ ଓ ଜିଦ୍ କରି ଏହି କାର୍ଯ୍ୟଟି ଲାଗି ଇସ୍ରାଏଲକୁ ମଙ୍ଗାଇ ପାରିଲେ, ଇସ୍ରାଏଲ ସରକାର ମଧ୍ୟ ସେଥିଲାଗି ତାଙ୍କୁ କେବେହେଲେ କ୍ଷମାଦେବାକୁ ରାଜି ହେବନାହିଁ । ଆବୁ ରୁବେଇସ୍ ତୈଳ ବିଶୋଧନାଗାରରୁ ଇସ୍ରାଏଲକୁ ଦୈନିକ ପ୍ରାୟ ୭୫୦୦୦ ପିପା ତେଲ ମିଳିଯାଉଥିଲା ଏବଂ ଏଥିରେ ଇସ୍ରାଏଲର ତେଲ ଚାହିଦା ଅର୍ଦ୍ଧେକ ମେଣ୍ଟି ଯାଉଥିଲା । ଆପଣାର ଏହି କ୍ଷତିଟିକୁ ହୃଦୟଙ୍ଗମ କଲା ପରେ ଇସ୍ରାଏଲ ଏବେ ସିନାଇ ମାଳଭୂମିରେ ଏକାଧିକ ସ୍ଥାନରେ ତୈଳ ସନ୍ଧାନ କରିବାରେ ଲାଗିପଡ଼ିଛି । ବିଦେଶର କେତେକ କମ୍ପାନୀ ଇସ୍ରାଏଲ ସରକାରଙ୍କ ତରଫରୁ ଏଥିପାଇଁ ନିଯୁକ୍ତ ହୋଇଛନ୍ତି । ଏକ ପ୍ରଶସ୍ତ କ୍ଷେତ୍ରରେ ଆବଶ୍ୟକ ସର୍ବେକ୍ଷଣ ଏବଂ ଅନୁସନ୍ଧାନମାନ କରାହୋଇ କେତେକ ସ୍ଥାନରେ ସଫଳତାର ସୂଚନା ମଧ୍ୟ ମିଳିଲାଣି । ଯଦି ଏହି ସଫଳତା ପ୍ରକୃତରେ ପୂର୍ଣ୍ଣ ସଫଳ ହୁଏ, ଯଦି ସିନାଇ ଅଞ୍ଚଳରେ ଇସ୍ରାଏଲ ତୈଳକୂପର ସନ୍ଧାନପାଏ, ତେବେ ସେ ସିନାଇ ଅଞ୍ଚଳକୁ ମିଶରକୁ ଫେରାଇ ଦେବା ଲାଗି ରାଜି ହେବକି ? ଅଧିକୃତ ଭୂମି ଫେରାଇ ନ ଦେଲେ କ୍ଷତିଗ୍ରସ୍ତ ଆରବଦେଶଗୁଡ଼ିକ ମଧ୍ୟପ୍ରାଚ୍ୟ ସମ୍ବନ୍ଧରେ କୌଣସି ଶାନ୍ତି ଆଲୋଚନାରେ ଇସ୍ରାଏଲ ସହିତ ଏକାଠି ବସିବାକୁ ବି ରାଜି ହେବେ କି ?

 

ସ୍ୱୟଂ ଯୁକ୍ତରାଜ୍ୟ ଆମେରିକାର ସରକାରୀ ମୁଖପାତ୍ରମାନେ ସ୍ୱୀକାର କରୁଛନ୍ତି ଯେ, ସିନାଇ ମାଳଭୂମିରେ ତୈଳର ସନ୍ଧାନ କରାଇ ଇସ୍ରାଏଲ ଯୁଦ୍ଧଦ୍ୱାରା ଅଧିକୃତ ଅଞ୍ଚଳ ବିଷୟରେ ଆନ୍ତର୍ଜାତିକ କ୍ଷେତ୍ରରେ ୧୯୦୭ ମସିହାରୁ ପ୍ରଚଳିତ ହେଗ୍ ରାଜିନାମାର ଖିଲାପ କରିଛି । ଖିଲାପ କରିବା ଇସ୍ରାଏଲର କୂଟନୈତିକ ଆବରଣରେ ଆଦୌ ନୂଆ କଥା ନୁହେଁ । ମିଳିତ ଜାତିସଂଘରେ ପ୍ରାୟ ସର୍ବସମ୍ମତିକ୍ରମେ ଗୃହୀତ ହୋଇଥିବା ନିଷ୍ପତ୍ତିଗୁଡ଼ିକୁ ଇସ୍ରାଏଲ ମଧ୍ୟ ଏକାଧିକ ବାର ଅମାନ୍ୟ କରିଛି । ଇସ୍ରାଏଲ ପଛରେ ଯୁକ୍ତରାଜ୍ୟ ଆମେରିକାର ସ୍ୱାର୍ଥପ୍ରଣୋଦିତ ପକ୍ଷପାତ ରହିଥିବାରୁହିଁ ଇସ୍ରାଏଲ ତାହାରି ବଳରେ ଉକ୍ତ ଖିଲାପମାନ କରିପାରିଛି । ଏଥର ବି ଯଦି ଇସ୍ରାଏଲ ନୂତନ ତୈଳର ଅଧିକାରୀ ହୋଇ ସିନାଇରୁ ହଟିଯିବାକୁ ଅମଙ୍ଗ ହୁଏ ତେବେ ବାକ୍ୟୋତ୍ସାହର ସହିତ ଡକାଯାଉଥିବା ଜେନେଭା ସମ୍ମିଳନୀ ବିଷୟରେ ପ୍ରକୃତରେ କିଛି ଅଧିକ ଆଶା କରାଯାଇ ପାରିବ କି ?

ତା ୨୬.୪.୧୯୭୭ ରିଖ

Image

 

ଶେଷରେ ସମସ୍ତେ ଦାୟୀ

 

ଗତ ମହାଯୁଦ୍ଧ ମହାଯୁଦ୍ଧ ପରେ ଯେତେବେଳେ ଜର୍ମାନୀ ଦେଶରେ ଆଡ଼ଲଫ୍ ହିଟଲରଙ୍କର ପତନ ଘଟିଲା ଏବଂ ବାରବର୍ଷର ନାତ୍‌ସି ଶାସନର ଅନ୍ତ ହେଲା, ସେତେବେଳେ ଜର୍ମାନୀ ଦେଶର ବିବେକହେତୁ ରହିଥିବା ଜର୍ମାନ ଅଧିବାସୀଙ୍କ ମଧ୍ୟଦେଇ ପ୍ରଧାନତଃ ଗୋଟିଏ ପ୍ରଶ୍ନ ପଚରା ଆରମ୍ଭ ହେଲା । ଏସବୁ ଯାହାକିଛି ହେଲା, ଯାହାସବୁ ଅମାନୁଷିକତା ଓ ଦାନବିକତା ଘଟିଗଲା, ସେଥିପାଇଁ ଦାୟୀ କିଏ ? ଏପରି କି ଯେଉଁମାନେ ସେହି ଯାବତୀୟ ଅମାନୁଷିକତା ଓ ଦାନବିକତାରେ ପ୍ରତ୍ୟକ୍ଷ ଭାବରେ ଲିପ୍ତ ହୋଇ ରହିଥିଲେ, ସେମାନେ ମଧ୍ୟ ପ୍ରାୟ ପରସ୍ପର ଆଡ଼କୁ ଚାହାଁଚୁହିଁ ହୋଇ ସେହି ପ୍ରଶ୍ନଟିକୁ ପଚାରିବାକୁ ଲାଗିଲେ । ଜର୍ମାନୀର ନାଆଁରେ ଯେଉଁମାନେ ଦିନେ ଉନ୍ମତ୍ତ ଭାବରେ ପ୍ରାୟ ସବୁକିଛି କରିଥିଲେ, କରାଇଥିଲେ, ସେମାନେ ସତେ ଅବା ଆଉ କେଉଁ ଲୋକରୁ ଆସି ପହଞ୍ଚିଥିବା ପରି କିଏ ଦାୟୀ ବୋଲି ପଚାରିବାକୁ ଲାଗିଲେ । ଅତ୍ୟନ୍ତ ସ୍ୱାଭାବିକ କଥା ଯେ, ସେମାନେ ଜର୍ମାନୀର ଅନ୍ଧ ଯୁଗଟି ପାଇଁ ଆପଣାକୁ ଛାଡ଼ି ଆଉ ସମସ୍ତଙ୍କୁ ଦାୟୀ କରିବାକୁ ଲାଗିଲେ । ନିଜକୁ ଛାଡ଼ି ଆଉ ସମସ୍ତଙ୍କୁ ପାପରେ ଦାୟୀ କରିବା, ଏହା ହେଉଛି ଭୀରୁତାର ସାମ୍ରାଜ୍ୟରେ ଏକ ବିଶେଷ ଓ ସ୍ୱକୀୟ ରୀତି । ଦ୍ୱିତୀୟ ମହାଯୁଦ୍ଧ ପରେ ଜର୍ମାନୀରେ ‘ମୋତେ ଛାଡ଼ି’ (Ohne mich) ବୋଲି ଯେଉଁ ଆନ୍ଦୋଳନଟି ବେଶ୍ କେତେବର୍ଷ ଧରି ଚାଲିଥିଲା, ସେଇଟି ସହିତ ଅଳ୍ପବହୁତ ପରିଚିତ ଥିବା ସମସ୍ତେ ଏହି ରୀତିଗୁଡ଼ିକୁ ଭଲ କରି ଚିହ୍ନି ପାରିଥିବେ ।

 

ଭାରତୀୟ ଜାତୀୟ କଂଗ୍ରେସ କୌଣସି ଯୁଦ୍ଧ ବା କୌଣସି ମହାଯୁଦ୍ଧରେ ହାରିନାହିଁ । ତାହା କେବଳ ଏକ ନିର୍ବାଚନରେହିଁ ହାରିଛି । ନିର୍ବାଚନ ଯାଉଥିବ ଓ ନିର୍ବାଚନ ଆସୁଥିବ । ତଥାପି ଗୋଟାଏ ନିର୍ବାଚନରେ କଂଗ୍ରେସର ଅନ୍ତଃମେରୁଦଣ୍ଡଗୁଡ଼ାକ ହୁଏତ ଏତେ ବେଶି ପରିମାଣରେ ଜଖମ ହୋଇ ପଡ଼ିଥିଲାପରି ଅନୁଭବ କରିଛନ୍ତି ଯେ ଏବେ କଂଗ୍ରେସବାଲାମାନେ ଘଟିଥିବା ବିପର୍ଯ୍ୟୟଟି ସକାଶେ ଇଏ ଦାୟୀ ସିଏ ଦାୟୀ ବୋଲି ଗଗନ କମ୍ପାଇବାରେ ଲାଗିଛନ୍ତି । ଖୁବ୍ ସମ୍ଭବ ସମସ୍ତେ ନିଜକୁ ଛାଡ଼ି ଆଉ ସମସ୍ତଙ୍କୁ ଦାୟୀ କରିବାକୁ ଇଚ୍ଛା କରିଛନ୍ତି, ଆପଣାକୁ ବାଦ୍ ଦେଇ ବାକୀ ସମସ୍ତଙ୍କୁ ବିଚାରର ଓ ଶାସ୍ତିବିଧାନର ଅଡ଼ା ଭିତରକୁ ଟାଣିବା ଲାଗି ମନ କରିଛନ୍ତି ଏବଂ ଏହିପରି କରି ସେମାନେ କାଳଦଣ୍ଡର ପ୍ରହାରଜନିତ ଲାଜରୁ ମୁକ୍ତି ପାଇଯାଇ ପାରିବେ ବୋଲି ଆଶା କରିଛନ୍ତି । ଗୋଟାଏ ନିର୍ବାଚନର ପରାଜୟ ଏଡ଼େ ପୁରୁଣା ଏକ ଖାନ୍‌ଦାନର ସୁଦୃଢ଼ ଖୁଣ୍ଟଗୁଡ଼ାକୁ ଏପରି ଅସ୍ତବ୍ୟସ୍ତ କରି ଦେଇପାରିଲା କିପରି, ହୁଏତ ସେ ବିଷୟରେ ଏକ ସ୍ୱତନ୍ତ୍ର ବିଚାର କରାଯାଇ ପାରିବ ଏବଂ ତଦ୍ଦ୍ୱାରା ଆମ ଦେଶର ସାମ୍ପ୍ରତିକ ଶାସନ ଓ ରାଜନୀତିର ଇତିହାସରେ ହୁଏତ ଅନେକ ଆଲୋକପାତ କରାଯାଇ ପାରିବ । ମାତ୍ର ଏକଥା ସତ ଯେ, ସେମାନେ ସତେ ଅବା ଏକ ପ୍ରାଣାନ୍ତକ ଆଘାତ ପାଇ ଓ ଏକ ପ୍ରାଣଘାତକ ମୋହଭଙ୍ଗର ସନ୍ତାପ ଭିତରେ ପଡ଼ି ପୂର୍ବବତ୍ ସମାନ ଉଗ୍ର ଭାବରେ ଅତୀତର ସକଳ ଅପଚାର ଲାଗି ପରସ୍ପରକୁ ଦାୟୀ କରିବାରେ ଲାଗିଛନ୍ତି, ହୁଏତ ନିଜକୁ ଲୁଚାଇ ରଖି ଆଉ ସମସ୍ତଙ୍କୁ ରାସ୍ତାରେ ବାହାର କରିବା ଲାଗି ବଦ୍ଧମୁଷ୍ଟି ହୋଇ ବାହାରିଛନ୍ତି । ନିଜକୁ ଛାଡ଼ି ପରସ୍ପରକୁ ଦାୟୀ କରୁଛନ୍ତି ଏବଂ ଆଉ ଜଣକର କୁକୀର୍ତ୍ତିକୁ ବଡ଼ କରି ବର୍ଣ୍ଣନା କରି ଆପଣାର କଳାମୁହଁଗୁଡ଼ାକୁ ତାହାରି ଭିତରେ ଲୁଚାଇ ଦେବା ଲାଗି ପ୍ରାୟ ଏକ ବିକଳ ପ୍ରଚେଷ୍ଟା କରିବାରେ ଲାଗିଛନ୍ତି ।

 

କିନ୍ତୁ ପ୍ରକୃତରେ ଏସବୁ ପାଇଁ ସମସ୍ତେହିଁ ଦାୟୀ । କାରଣ ଏତେଦିନ ଯାଏ ଯାହା କିଛି ହେଉଥିଲା, କଂଗ୍ରେସ ଲୋକ ସମସ୍ତେ ତାହା ସହିତ ସାମିଲ ହୋଇ ରହିଥିଲେ । କିଏ ଆଦେଶ ଦେଉଥିଲା ତ ଆଉ କିଏ ମହାମହିମ ଭୃତ୍ୟ ହୋଇ ତାହା ପାଳନ କରୁଥିଲା । କିଏ ଲକ୍ଷେ ଟଙ୍କାର ହାଟରେ କାରବାର କରୁଥିଲା ତ ସିଂହ ସହିତ ରହିଥିବା ଶୃଗାଳଟି ପରି ଆଉ କିଏ ଦଶ ପଚିଶି ମଧ୍ୟରେହିଁ ଆପଣାକୁ ଭାଗ୍ୟବାନ ମନେ କରୁଥିଲା ଏବଂ ସମସ୍ତେ ସେହି ଏକ କ୍ଷମତାରହିଁ ଭୃତ୍ୟ ହୋଇ ରହିଥିଲେ; ଯେଉଁ ଆଦର୍ଶହୀନତା ଓ ଧୂର୍ତ୍ତ ସଫଳତାଗୁଡ଼ାକୁ ସେମାନେ ରାଜନୀତି ବୋଲି କହି ଆସୁଥିଲେ, ସମସ୍ତେ ଏକ ପାରସ୍ପରିକ ନୀରବ ଚୁକ୍ତି କରିଥିବା ପରି ତାହାରି ମଧ୍ୟରେ ମହୋଲ୍ଲାସରେ ବିଚରଣ କରୁଥିଲେ । ଯିଏ ଅନ୍ୟାୟ କରେ କେବଳ ସେଇ ଯେ ଅନ୍ୟାୟ ଲାଗି ଦାୟୀ, ସେକଥା ଆଦୌ ନୁହେଁ; ଅନ୍ୟାୟକୁ ଅନ୍ୟାୟ ବୋଲି ଜାଣି ମଧ୍ୟ ଯିଏ ତଥାପି ଚୁପ ରହିଯାଏ, ପ୍ରତିବାଦ କରେ ନାହିଁ, ଆପଣା ଲାଗି ଅରାଏ ଗୋଳିଆ ପାଣି ବାଛି ନେଇ ତାହାରି ଭିତରେ ରହିଯାଏ ଅନ୍ୟାୟ ଲାଗି ସିଏ ମଧ୍ୟ ଦାୟୀ ।

 

ନାତ୍‌ସି ଜର୍ମାନୀର ପତନ ପରେ ମିତ୍ରପକ୍ଷଙ୍କଦ୍ୱାରା ଜର୍ମାନ ଯୁଦ୍ଧ ଅପରାଧୀମାନଙ୍କର ଯେଉଁ ବିଚାର ହୋଇଥିଲା, ସେମାନଙ୍କ ମଧ୍ୟରୁ ଅଧିକାଂଶ ଅପରାଧୀ ଆପଣାକୁ ହିଟଲର ସମୟର ଅତିଶୟତାଗୁଡ଼ାକ ଲାଗି ମୋଟେ ଦାୟୀ ବୋଲି ଭାବୁନଥିଲେ । ସେମାନେ ବିଶ୍ୱସ୍ତ ଭାବରେ କେବଳ ଆଦେଶହିଁ ପାଳନ କରିଛନ୍ତି, ଏତିକି ବ୍ୟତୀତ ଆଉ କିଛି କରି ନାହାନ୍ତି ବୋଲି ଯୁକ୍ତି ଦର୍ଶାଇଥିଲେ । ଏବେ ଇହୁଦୀମାରଣ ଅପରାଧରେ ଇସ୍ରାଏଲରେ ଯେଉଁ ଆଇଖ୍ ମାନଙ୍କର ବିଚାର ହେଉଥିଲା, ସିଏ ମଧ୍ୟ ସେତେବେଳେ ଠିକ୍ ସେହି ଯୁକ୍ତି ଦେଇ ଆପଣାକୁ ଆଦୌ ଦାୟୀ ବୋଲି ସ୍ୱୀକାର କରୁନଥିଲେ ।

 

ଜାତୀୟ କଂଗ୍ରେସରେ ଗତ କେତେବର୍ଷ ଧରି ଯେଉଁମାନେ କେବଳ ଆଦେଶ ପାଳନ କରୁଥିଲେ, କେବଳ ଅନୁଗତ ଭୃତ୍ୟ ହୋଇ ରହିଥିଲେ, ସେମାନେ ହୁଏତ ଏହିପରି ଏକ ଯୁକ୍ତିର ମୋହରେ ପଡ଼ି ଆପଣାକୁ ଆଦୌ ଦାୟୀ ବୋଲି ଭାବୁନଥିବେ । ସେପରି କରୁଥିଲେ ସେମାନେ ଉପସ୍ଥିତ ବିପର୍ଯ୍ୟୟଟିରୁ ଆଦୌ କୌଣସି ଶିକ୍ଷା କରିପାରିବେ ନାହିଁ । ସେମାନେ ଯେଉଁ ତିମିରରେ ଥିଲେ ଖାସ୍ ସେହି ତିମିର ଭିତରେ ରହିଯିବେ ।

ତା ୨୭.୪.୧୯୭୭ ରିଖ

Image

 

ପ୍ରଧାନମନ୍ତ୍ରୀଙ୍କୁ ଜରିମାନା

 

ଇସ୍ରାଏଲର ପ୍ରଧାନମନ୍ତ୍ରୀ ଇଜ୍‍ଖାକ୍ ରାବିନ୍‌ଙ୍କୁ କେତେ ହଜାର ପାଉଣ୍ଡ ଜରିମାନା ହୋଇଛି । ସିଏ ତାଙ୍କ ସ୍ତ୍ରୀଙ୍କ ନାମରେ ଆମେରିକାରେ କୌଣସି ବ୍ୟାଙ୍କରେ ଅର୍ଥ ଜମା କରି ଆସିଥିଲେ ଓ ନାନା ପ୍ରକାର କୌଶଳକଥା କହି ଆପଣାକୁ ସେହି ଦାୟିତ୍ୱଟିରୁ ମୁକ୍ତ ରଖି ଆସୁଥିଲେ । ଏବେ ସେହି କଥାଟି ପଦାରେ ପଡ଼ିଯାଇଛି ଓ ଶ୍ରୀଯୁକ୍ତ ରାବିନ୍‌ କଥାଟିକୁ ଆଉ ଲୁଚାଇ ରଖି ନପରିବାରୁ ସାଧାରଣ ବିଚାରର ଶରବ୍ୟ ହୋଇଛନ୍ତି ।

 

ଏଠାରେ ଆହୁରି ଉଲ୍ଲେଖଯୋଗ୍ୟ ଯେ, ଶ୍ରୀଯୁକ୍ତ ରାବିନ୍‌ ଇସ୍ରାଏଲର ପ୍ରଧାନମନ୍ତ୍ରୀ ହୋଇ ରହିଥିବା ସମୟରେହିଁ ତାଙ୍କ ଉପରେ ଏହି ଅର୍ଥଦଣ୍ଡ କରାଯାଇଛି । ଏହି କଥାଟି ପଦାରେ ପଡ଼ିଯିବା ପରେ ସିଏ ଅବଶ୍ୟ ଆପଣା ପଦରୁ ଇସ୍ତଫା ଦେଇଛନ୍ତି ସତ, ମାତ୍ର ଆଉ ଜଣେ ପ୍ରଧାନମନ୍ତ୍ରୀ ବିହିତ ଭାବରେ ନିର୍ବାଚିତ ହୋଇ ଆସିବା ପର୍ଯ୍ୟନ୍ତ ସିଏ ପ୍ରଧାନମନ୍ତ୍ରୀ ପଦର ସବୁ କାର୍ଯ୍ୟ ତୁଲାଇବେ ବୋଲି ତାଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଅର୍ଥଦଣ୍ଡ ଓ ଏହି ନିର୍ଦ୍ଦେଶ, ଶ୍ରୀଯୁକ୍ତ ରାବିନ୍‌ ଉଭୟ ନିର୍ଣ୍ଣୟକୁ ମାନି ନେଇଛନ୍ତି ।

 

ଗଣତନ୍ତ୍ରର ଇତିହାସରେ ଏସବୁ ଘଟଣା ସଚରାଚର ଘଟେ ନାହିଁ ଏବଂ ଯେତେବେଳେ ଘଟେ, ସେତେବେଳେ ତାହା ସମଗ୍ର ବିଶ୍ୱର ଦୃଷ୍ଟି ଆକର୍ଷଣ କରେ । ପୃଥିବୀଯାକରେ ଖୁବ୍‌ ବେଶି ସଂଖ୍ୟକ ଦେଶରେ ସବୁ ଘଟଣା ଆଦୌ ଘଟେନାହିଁ । ଗଣତନ୍ତ୍ରଦ୍ୱାରା ଶାସିତ ହେଉଥିବା ଅନେକ ଦେଶରେ ଏହି ଘଟଣାଗୁଡ଼ାକ ପ୍ରାୟ ଅସମ୍ଭବ ହୋଇରହିଥାଏ । ଅଧିକାଂଶ ଦେଶରେ, ଯେଉଁଠି ଶାସକମାନେ ନିର୍ବାଚିତ ହୋଇ ଆସିଥାନ୍ତି, ସେଠି ସେମାନେ ନିର୍ବାଚିତ ହୋଇ ସାରିବା ପରେ ହୁଏତ ଶାଶ୍ୱତକାଳ ସକାଶେ ଗାଦିମାଡ଼ି ରହିବାର ସ୍ୱପ୍ନ ଦେଖନ୍ତି ଓ ଆପଣାର କ୍ଷମତାରେ ତିଷ୍ଠି ରହିବା ସହିତ ଗୋଟାଏ ଗୋଟାଏ ଦେଶର ଭାଗ୍ୟକୁ ନେଇ ଯୋଡ଼ିଦିଅନ୍ତି । ସେମାନେ ଆପଣା ଲାଗି ପଥରରେ ନାଆଁଗୁଡ଼ାକୁ ବସାଇବାର ଦମ୍ଭ ଓ ଅତିଶ୍ରମ କରି ବାହାରନ୍ତି, ସେମାନଙ୍କ ଆଡ଼କୁ ବି ସଂସାରଯାକ ସମସ୍ତେ ଚକିତ ହୋଇ ଚାହିଁରହିଥାନ୍ତି । ଦୁର୍ମଦତାର ହିସାବ କରୁ କରୁ ବିସ୍ମିତ ହୋଇ ଚାହିଁରହିଥାନ୍ତି ।

 

ନିକଟ ଅତୀତରେ ଆମ ଦେଶରେ ଯେତେବେଳେ ସମ୍ବିଧାନର ସମର୍ଥନ ଦେଇ ଏକ ଜରୁରୀ ପରିସ୍ଥିତି ଜାରି ହୋଇ ରହିଥିଲା, ସେତେବେଳେ ଦେଶର ପ୍ରଧାନମନ୍ତ୍ରୀ ନିଜ ଦଳର ବଳଦ୍ୱାରା ପ୍ରଧାନତଃ ନିଜ ଲାଗି ଏକ ଆଇନ ପାଶ୍‌ କରି ନେଇଥିଲେ । ପ୍ରଧାନମନ୍ତ୍ରୀ ପ୍ରଭୃତି କେତେକ ଅତ୍ୟୁଚ୍ଚ ପଦରେ ରହିଥିବା କୌଣସି ବ୍ୟକ୍ତିଙ୍କର ସାଧାରଣ ପ୍ରଣାଳୀରେ କୌଣସି ବିଚାର ହୋଇ ପାରିବନାହିଁ ବୋଲି ସେଥିରେ ସ୍ୱୀକାର କରି ନିଆଗଲା । ପ୍ରଧାନମନ୍ତ୍ରୀ ପଦ ହେଉଛି ଏକ ଅତ୍ୟନ୍ତ ସମ୍ମାନିତ ପଦ । ନିର୍ବାଚିତମାନଙ୍କ ମଧ୍ୟରେ ସ୍ପଷ୍ଟତଃ ସେଇ ହେଉଛି ସର୍ବୋଚ୍ଚ ସମ୍ମାନର ଅଧିକାରୀ-। ସେହି ପଦର ଅପମାନ ହେଉଛି ପ୍ରକୃତରେ ସମଗ୍ର ଦେଶର ଅପମାନ । କିନ୍ତୁ ଯିଏ ସେହି ପଦକୁ ନିର୍ବାଚିତ ହୋଇଆସିବ, ସିଏ ସେହି ପଦର ଅନୁରୂପ ଓ ଯୋଗ୍ୟ ହେବ ସିନା, ମାତ୍ର ସେହି ପଦକୁ ଏକ ଆବରଣ ପରି ବ୍ୟବହାର କରି ଭିତରେ ସ୍ୱେଚ୍ଛାଚାରିତାର ଏକ ଅନ୍ଧାର ସୃଷ୍ଟିକରି ରଖିବାର କୌଣସି ପ୍ରଶ୍ରୟ ପାଇପାରିବ କିପରି ? ଯିଏ ନିଜର କୌଣସି କୁଆଚରଣଦ୍ୱାରା ସେହି ଉଚ୍ଚପଦଟିରେ କଳଙ୍କ ଲଗାଇବ, ତା’ ବିଷୟରେ ଯଥାଶୀଘ୍ର ଉଚିତ କାର୍ଯ୍ୟପନ୍ଥା ଗ୍ରହଣ କରାଯାଇ ସେହି ପଦର ମର୍ଯ୍ୟାଦାଟିକୁ ରକ୍ଷା କରାଯିବ ସିନା, ମାତ୍ର ତାକୁ ସେହିପରି ଦଉଡ଼ିକଟା ଭାବରେ ଛାଡ଼ି ଦିଆଯାଇ ପାରିବ ବା କିପରି ? ଏସବୁ ବିଚାର ହେଉଛି ସାମନ୍ତବାଦୀ ଯୁଗର ବିଚାର, ଏସବୁ ଚିନ୍ତା ସାମନ୍ତବାଦୀ ମନୋଭାବର ଚିନ୍ତା । ଗଣତନ୍ତ୍ରର ଯୁଗରେ ଯେ ସାମନ୍ତବାଦୀ ତଥାପି ଅନେକ ରହିଛନ୍ତି, ଅନେକ ପୁରୁଣା ସାମନ୍ତବାଦୀ ଦମ୍ଭ ଯେ ନୂଆ ଛାଞ୍ଚଗୁଡ଼ାକୁ ତଥାପି ନିଜର ଦେହର ସାଞ୍ଜୁ ପରି ବ୍ୟବହାର କରିବାକୁ ଇଚ୍ଛା କରୁଛି, ଆମ ପୃଥିବୀରେ ଏପରି ଦୃଷ୍ଟାନ୍ତ ଆଦୌ ବିରଳ ନୁହେଁ; ବିଶେଷ କରି ତଥାକଥିତ ତୃତୀୟ ପୃଥିବୀରେ ମୋଟେ ବିରଳ ନୁହେଁ ।

 

ଜଣେ ପ୍ରଧାନମନ୍ତ୍ରୀ ହେଉ, ରାଷ୍ଟ୍ରପତି ହେଉ ଅଥବା ଯେଡ଼େ ଇଚ୍ଛା ସେଡ଼େ ହୋଇଥାଉ ପଛକେ, ସିଏ ହେଉଛି ଆଗ ଏକ ଦେଶର ନାଗରିକ ଏବଂ ସେହି ନାଗରିକ ହୋଇଥିବାରୁହିଁ ସିଏ ଆଉ ଯାହା କିଛି । ଏବଂ ଜଣେ ନାଗରିକ ହୋଇଥିବାରୁ କର୍ତ୍ତବ୍ୟ ଓ ଅଧିକାରର କ୍ଷେତ୍ରଗୁଡ଼ିକରେ ସିଏ ଅନ୍ୟ ସମସ୍ତଙ୍କର ସମକକ୍ଷ । ଆପଣାର ଉଚ୍ଚ ପଦଟିର କାରଣରୁ ତା’ର ଦାୟିତ୍ୱ ସମ୍ଭବତଃ ଅନ୍ୟମାନଙ୍କ ତୁଳନାରେ ଅନେକ ଅଧିକ । ତେଣୁ ତାକୁ ମନୋମୁଖୀ ଆଇନଗୁଡ଼ାଏ ପାସ୍‌ କରାଇ ନେଇ ବୈଧତାର ସୀମା ବାହାରେ ରଖିବା କୌଣସି ରାଜସତ୍ତା ପାଇଁ ହୁଏତ ସୁନ୍ଦର ଦେଖାଯାଇପାରେ, ମାତ୍ର ଗଣତନ୍ତ୍ରଦ୍ୱାରା ପରିଚାଳିତ ହେଉଥିବା କୌଣସି ଦେଶରେ ତାହା ଆଦୌ ଶୋଭନୀୟ ନୁହେଁ, ସୁସ୍ଥ ମଧ୍ୟ ନୁହେଁ । ଆମ ଦେଶରେ ଜରୁରିକାଳୀନ ପରିସ୍ଥିତି ମଧ୍ୟରେ ଏହି ବିଷୟରେ ଯାହା ହୋଇଗଲା, ତାହା ଆମର ଗଣତାନ୍ତ୍ରିକ ଜୀବନର ପରିସର ଭିତରେ ଅନେକ ଅସୁସ୍ଥତା ଲାଗି ବାଟ ଖୋଲି ଦେଇଗଲା । ଭାରି ଆଶାର କଥା ଯେ ଜରୁରୀ ପରିସ୍ଥିତି ଉଠିଯିବା ପରେ ଏବେ ଅନେକ ପଦସ୍ଥ ବ୍ୟକ୍ତି ଏ ବିଷୟରେ ଏକ ଦ୍ୱିତୀୟ ଚିନ୍ତା କରିବାକୁ ଆରମ୍ଭ କରିଦେଲେଣି । ସେମାନେ ଆମ ରାଜନୀତିକ ବାୟୁମଣ୍ଡଳରେ ଅଧିକ ସୁସ୍ଥତା ଲାଗି ଏକ ଅନୁକୂଳତା ସୃଷ୍ଟି କରି ରଖିବେ ବୋଲି ଭାବିଲେଣି ।

 

ଜଣେ ଏତେ ବେଶି ନିରାପଦ ହୋଇ ରହିବ ନାହିଁ ଯେ ତାକୁ ତଦ୍ଦ୍ୱାରା ସ୍ୱେଚ୍ଛାଚାରୀ ହେବାକୁ ପ୍ରଶ୍ରୟ ମିଳିବ ଓ ଜଣେ ଏତେଦୂର ବଞ୍ଚିତ ଓ ଅସହାୟ ହୋଇରହିବନାହିଁ ଯେ ଅନ୍ୟାୟଟାକୁ ନ୍ୟାୟ ବୋଲି ମାନି ନେଉଥିବ, ଗଣତନ୍ତ୍ରର ଅନେକ ମୀମାଂସକ ସୂତ୍ର ମଧ୍ୟରୁ ଏଇଟି ମଧ୍ୟ ଗୋଟିଏ ।

ତା ୨୯.୪.୧୯୭୭ ରିଖ

Image

 

ନିଖିଳ ଭାରତ ବେକାର ଇଉନିୟନ

 

ଏବେ କର୍ଣ୍ଣାଟକର ଗୋଟିଏ ସ୍ଥାନରେ ବେକାରମାନଙ୍କର ଏକ ସଭାରେ ନିଖିଳ ଭାରତ ବେକାର ଇଉନିୟନ ବୋଲି ଗୋଟିଏ ସଙ୍ଗଠନ ଆନୁଷ୍ଠାନିକ ଭାବରେ ଗଢ଼ାଯାଇଛି । ବେକାରମାନଙ୍କ ନିମନ୍ତେ ବିଭିନ୍ନ କ୍ଷେତ୍ରରେ ସଂଗ୍ରାମ କରିବା ପାଇଁ ଏକାବେଳକେ ଭାରତୀୟ ସ୍ତରରେ ଏହି ସଙ୍ଗଠନଟି ଗଢ଼ାଯାଇଛି । ଆଗରୁ ଭାରତରେ ବେକାର ସମସ୍ୟା ଥିଲା, ତେଣୁ ବେକାର ମଧ୍ୟ ଥିଲେ, ମାତ୍ର ବେକାରମାନଙ୍କର କୌଣସି ସଙ୍ଗଠନ ନଥିଲା । ଶିକ୍ଷିତ ବେକାର ଥିଲେ, ଅଶିକ୍ଷିତ ବେକାର ଥିଲେ, ସାମାନଙ୍କର ସଂସ୍ଥାନଗତ ଥଇଥାନ ବିଷୟରେ ଚିନ୍ତା କରିବାକୁ ଏବଂ ସହାୟକ ହେବାକୁ ନାନା ଶାଖାପ୍ରଶାଖାଦ୍ୱାରା ବିଭୂଷିତ ଗୋଟିଏ ଏମ୍ପ୍ଲୟମେଣ୍ଟ ଏକ୍‌ସଚେଞ୍ଜ ରହିଥିଲା, ମାତ୍ର ବେକାରମାନଙ୍କ ତରଫରୁ ସେମାନଙ୍କର ଖାସ୍‌ କୌଣସି ସଂଗଠନ ନଥିଲା । ବୋଧହୁଏ ଖାସ୍‌ ସେଇଥିଲାଗି ସେମାନେ କୌଣସି ସଂଗ୍ରାମାଦି କରିପାରୁନଥିଲେ । ତେଣୁ ଅନେକ ଗଡ଼ ଜିଣିବାକୁ ଇଚ୍ଛାକରୁଥିଲେ ମଧ୍ୟ ସେମାନ ହୁଏତ କୌଣସି ଗଡ଼ ଜିଣିପାରୁ ନଥିଲେ ।

 

ବେକାରମାନଙ୍କର ଯେଉଁ ସଭାରେ ଆନୁଷ୍ଠାନିକ ଭାବରେ ନିଖିଳ ଭାରତ ବେକାର ଇଉନିଅନର ପରିକଳ୍ପନା ଏବଂ ପ୍ରତିଷ୍ଠା ହେଲା, ସମାଚାର ଅନୁସାରେ ପୂର୍ବତନ କେନ୍ଦ୍ର ଶିଳ୍ପମନ୍ତ୍ରୀ ଶ୍ରୀଯୁକ୍ତ ଟି.ଏ.ପାଇ ସେଥିରେ ସଭାପତିତ୍ୱ କରିଥିଲେ । ବେକାରମାନଙ୍କ ସଭାରେ ଯିଏ ସଭାପତିତ୍ୱ କଲେ, ସିଏ ବର୍ତ୍ତମାନ ବେକାର ଅଛନ୍ତି କି ନାହିଁ ଅଥବା କେଉଁଦିନ କେବେ ବେକାର ହୋଇଥିଲେ କି ନାହିଁ ତାହା ଜାଣିବାର କୌଣସି ତଥ୍ୟ ଆମ ପାଖରେ ନାହିଁ । ସିଏ ଆଗରୁ ଜୀବନବୀମା କମ୍ପାନୀର ସର୍ବୋଚ୍ଚ ମାଲିକ ବା ପ୍ରଶାସକ ଥିଲେ; ଅର୍ଥାତ୍ ଯେଉଁମାନେ କଦାପି ବେକାର ନୁହନ୍ତି, କେବଳ ସେହିମାନଙ୍କର କଥା ସେ ବୁଝୁଥିଲେ । ବେକାରମାନେ କଦାପି ଜୀବନବୀମା କରନ୍ତି ନାହିଁ, ତେଣୁ ସେମାନଙ୍କ କଥା ବୁଝିବାକୁ ତାଙ୍କୁ ସେତେବେଳେ ଆଦୌ କୌଣସି ଆନୁଷ୍ଠାନିକ ଅବସରହିଁ ମିଳୁନଥିଲା । ଶ୍ରୀଯୁକ୍ତ ପାଇ ତା’ପରେ ସିଧା କେନ୍ଦ୍ରରେ ମନ୍ତ୍ରୀରୂପେ ନିଯୁକ୍ତି ହେଲେ; ପ୍ରଥମେ ରେଳବାଇ ମନ୍ତ୍ରୀ ହେଲେ, ତା’ପରେ ଶିଳ୍ପମନ୍ତ୍ରୀ ବି ହେଲେ ଏବଂ ମାସକ ତଳେ ଭାରତବର୍ଷରେ ଯେଉଁ ଲୋକସଭା ନିର୍ବାଚନ ହେଲା, ସିଏ ସେଇଥିରେ ହାରିଲେ, ମନ୍ତ୍ରୀପଦ ହରାଇଲେ ।

 

ଆମ ଦେଶରେ ଏକଥା ମୋଟେ ଅପାରମ୍ପରିକ ନୁହେଁ ଯେ ଯିଏ ସ୍ୱୟଂ ବେକାର ନୁହେଁ, ସିଏ ବି କାଳଚକ୍ରର ବିଚିତ୍ର ଆବର୍ତ୍ତନରେ ପଡ଼ି ନିଖିଳ ଭାରତ ବେକାର ଇଉନିୟନ ଗଠିତ ହେଉଥିବାର ଏକ ସଭାରେ ସଭାପତିତ୍ୱ କରିବ, ବା ପରିଶେଷରେ ଏପରି ଏକ ସଙ୍ଗଠନର ସର୍ବପ୍ରଥମ ସଭାପତି ହେବ, ବା ଏପରି କି, ଏପରି ଗୋଟିଏ ଅନୁଷ୍ଠାନ ଗଢ଼ାଯାଉ ଏବଂ ସେଥିଲାଗି ଆଖପାଖ ବେକାରମାନଙ୍କୁ ଉତ୍ସାହିତ କରି ଏକ ସଭା ଡକାଯାଉ ବୋଲି ସିଏ ଆଗ୍ରହ ବି ପ୍ରକାଶ କରିବ । ଆମ ଦେଶରେ ଅଶ୍ରମିକମାନେ ଶ୍ରମିକ ସଙ୍ଗଠନମାନଙ୍କରେ ସଭାପତି ହୁଅନ୍ତି-। ଅଣଛାତ୍ରମାନେ ଛାତ୍ରମାନଙ୍କୁ ଏକାଠି କରି ଛାତ୍ର ସଙ୍ଗଠନ ଗଢ଼ନ୍ତି ଏବଂ ଯେଉଁମାନେ ମେହେନ୍ତର ନୁହନ୍ତି, ସେହିମାନେ ମେହେନ୍ତର ସଂଘର ସଭାପତି ବନନ୍ତି । ଏଭଳି ଏକ ପରମ୍ପରା ଫଳରେ କିଏ କିପରି ଲାଭବାନ ହୁଏ ବା ନ ହୁଏ କେଜାଣି, କିନ୍ତୁ ମେହେନ୍ତରମାନେ ବର୍ଷ ବର୍ଷ ଧରି ସେହି ମେହେନ୍ତର ହୋଇ ରହିଥାନ୍ତି ଏବଂ ଅମେହେନ୍ତରମାନେ ସେମାନଙ୍କର ସଙ୍ଘରେ କେଡ଼େ ଚମତ୍କାର ଭାବରେ ସଭାପତି ହୋଇ ବି ରହିଥାନ୍ତି । ଅଣଛାତ୍ରମାନେ ପ୍ରାୟ କୌଳିକ ପ୍ରଥାନୁସାରେ ଛାତ୍ରମାନଙ୍କୁ ପ୍ରତାରିତ କରିବାରେ ଲାଗିଥାନ୍ତି ଏବଂ ଅଶ୍ରମିକମାନେ ସାନ ଆସେମ୍ବ୍ଲିଠାରୁ ଆରମ୍ଭ କରି ବଡ଼ ପାର୍ଲାମେଣ୍ଟରେ ଯାଇ ବସନ୍ତି ସତ, ମାତ୍ର ଶ୍ରମିକମାନଙ୍କର ଅନ୍ଧାରଘର ଭିତରକୁ ଆଲୁଅ ଆସିପାରେ ନାହିଁ । ଠିକ୍ ସେହିପରି କର୍ଣ୍ଣାଟକର କୌଣସି ଏକ ସ୍ଥାନରେ ଭୁଷ୍‌କରି ଯେଉଁ ନିଖିଳ ଭାରତ ବେକାର ଇଉନିଅନର ସ୍ଥାପନ କରାଗଲା, ଏଥିରେ କୌଣସି ସନ୍ଦେହ ନାହିଁ ଯେ ସେଇଠୁ ଚେର ଓ ଡାଳ ବିସ୍ତାର କରି ଅନେକ ଅବେକାରଙ୍କ ଜରିଆରେ ତାହା ଅଚିରେ ସର୍ବଭାରତୀୟ ହୋଇଯିବ; ମାତ୍ର ଏହି ସଙ୍ଗଠନଟିଦ୍ୱାରା ବି କ’ଣ ଠିକ୍ ସେହି ପରିଣାମ ଭୋଗକରିବାହିଁ ସାର ହେବ ? ଅର୍ଥାତ୍, ଏପରି ଏକ ଜୋରଦାର ସଂଘ ଓ ସଙ୍ଗଠନ ସତ୍ତ୍ୱେ ଏବଂ ତାହାର ସକଳ ସଂଗ୍ରାମ ସତ୍ତ୍ୱେ ଭାରତବର୍ଷରେ ବେକାରମାନଙ୍କର ସଂଖ୍ୟାବୃଦ୍ଧି ପାଇବାରେ ଲାଗିଥିବ ଏବଂ ବର୍ତ୍ତମାନ ସଂଘ ଲାଗି ଏତେଗୁଡ଼ାଏ ଆଗ୍ରହ ପ୍ରକାଶ କରୁଥିବା ଅବେକାର ସଭାପତିମାନେ ହୁଏତ ପୁନର୍ବାର ପାର୍ଲାମେଣ୍ଟକୁ ନିର୍ବାଚିତ ହୋଇଯିବେ, ମନ୍ତ୍ରୀ ହେବେ, ଅଥବା କୌଣସି ବ୍ୟାଙ୍କର ମ୍ୟାନେଜର ହେବେ କିମ୍ବା କୌଣସି ସ୍ଥୂଳକାୟ କମ୍ପାନୀର ଏଜେଣ୍ଟ ହୋଇ ଆଉ କୁଆଡ଼କୁ ଚାଲିଯିବେ ?

 

ବେକାରମାନଙ୍କ ଲାଗି ଅବେକାରମାନେ କୌଣସି ଅଖିଳ ଭାରତୀୟ ସଂଘ ତିଆରି କରିପାରି ନାହାନ୍ତି ବୋଲି ଯେ ବେକାରମାନଙ୍କର ଦୁର୍ଯ୍ୟୋଗ କଟୁନାହିଁ, ସେକଥା ଆଦୌ ନୁହେଁ । ଯେଉଁ ସ୍ତରମାନଙ୍କରେ ଆମ ଦେଶରେ ବେକାର ସମସ୍ୟାର ସମ୍ମୁଖୀନ ହେବାର କଥା, ସେହି ସ୍ତରରେ ଆମେ ତାହାର ସମ୍ମୁଖୀନ ହୋଇପାରିନାହୁଁ ବୋଲି ଆମର ଏଠି ବେକାର ସମସ୍ୟା ଅଛି ଓ ବେକାର ସମସ୍ୟା ବଢ଼ି ବଢ଼ି ଯାଉଛି । ବେକାର ସମସ୍ୟା ହେଉଛି ଜାତୀୟ ଅର୍ଥନୀତିର ଏକ ସମସ୍ୟା, ଆର୍ଥିକ ଉତ୍ପାଦନ ଯୋଜନାରେ କେଉଁ କଥାଟିକୁ ଅଧିକ ଅଗ୍ରାଧିକାର ଦିଆଯିବ, ତାହାରି ସମସ୍ୟା ଏବଂ ଆମ ଦେଶରେ ଜାତୀୟ ଅର୍ଥନୀତି ନାମରେ ଏପର୍ଯ୍ୟନ୍ତ ଯାହା କିଛି ଚଳି ଆସିଛି, ସେଥିରେ ଆମ ଦେଶର ବେକାର ସମସ୍ୟା ବିଷୟରେ ପ୍ରାୟ କିଛି କରାଯାଇନାହିଁ । ହଁ, ତଥାକଥିତ ବିଶେଷଜ୍ଞମାନଙ୍କର ଉତ୍ସାହବୁଦ୍ଧିରେ ପଡ଼ି ଗୁଡ଼ାଏ ୟାଡ଼ୁସାଡ଼ୁ ଅନୁକରଣ ବା ହନୁକରଣ କରାଯାଇଛି ସତ, ମାତ୍ର ଭାରତବର୍ଷ ସ୍ୱାଧୀନ ହେବା ପୂର୍ବରୁ ମହାତ୍ମା ଗାନ୍ଧୀ ଯାବତୀୟ ଅର୍ଥନୀତିକୁ ପୂର୍ଣ୍ଣ କର୍ମଯୋଗାଣର ମୂଳ ଲକ୍ଷ୍ୟଟିଦ୍ୱାରା ନିୟନ୍ତ୍ରିତ କରାଇବାକୁ ହେବ ବୋଲି ଅତ୍ୟନ୍ତ ଦୃଢ଼ତା ସହିତ ଯାହା କହି ଆସିଥିଲେ, ଆମ ଦେଶରେ ଗତ ତିରିଶ ବର୍ଷ ମଧ୍ୟରେ ସେହି ଦିଗରେ ପ୍ରାୟ କୌଣସି ବିଶ୍ୱାସଯୁକ୍ତ ପଦକ୍ଷେପ ନିଆଯାଇ ନାହିଁ । ଏପରି ଏକ ପଦକ୍ଷେପ ନେବା ପାଇଁ କ’ଣ ନେଇ ଆହୁରି ଏକ ସଂଘ ଗଢ଼ିବାରେ କୌଣସି ଆବଶ୍ୟକତା ଥିଲା, ସେ କଥା ବିଚାର କରିବାର ମଧ୍ୟ ଏକ ଆବଶ୍ୟକତା ରହିଛି ।

ତା ୪.୫.୧୯୭୭ ରିଖ

Image

 

ତେଲର ଅଭାବ ନାହିଁ

 

ଜନାବ ଜୁଲିଫିକର ଅଲ୍ଲି ଭୁଟ୍ଟୋଙ୍କ ପାକିସ୍ତାନରେ ଆଉ ତେଲର ଅଭାବ ନାହିଁ ବୋଲି ସେଠି ବିଶେଷଜ୍ଞମାନେ ଅନୁମାନ କରିବାକୁ ଆରମ୍ଭ କଲେଣି । ପୃଥିବୀର ବଜାରରେ ତେଲ ଅର୍ଥାତ୍ ପେଟ୍ରୋଲିୟମ୍‌ର ଦର ହୁ’ହୁ’ ହୋଇ ବଢ଼ିବାକୁ ଆରମ୍ଭ କରିବା ଦିନଠାରୁ ଶ୍ରୀଯୁକ୍ତ ଭୁଟ୍ଟୋ ଅତ୍ୟନ୍ତ ଗମ୍ଭୀର ଭାବରେ ଖଣିଜ ତେଲର ସନ୍ଧାନ କରାଉଥିଲେ । ୧୯୭୨-୭୩ ମସିହାରେ ପାକିସ୍ତାନକୁ ଆପଣାର ତେଲ ଖରଚ ବାବତରେ ଯେତେବେଳେ ବାର୍ଷିକ ମୋଟେ ୪୮କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡ଼ୁଥିଲା, ବର୍ତ୍ତମାନ ତାକୁ ସେହି ସ୍ଥାନରେ ପୂର୍ବର ଠିକ୍‌ ଦଶଗୁଣ ଅର୍ଥାତ୍‌ ୪୮୦ କୋଟି ଟଙ୍କା ଖରଚ କରିବାକୁ ପଡ଼ୁଛି । ସେଇଥିଲାଗି ଭୁଟ୍ଟୋ ଗତ କେତେବର୍ଷ ହେଲା ବିଦେଶୀ କମ୍ପାନୀମାନଙ୍କୁ କାମରେ ଲଗାଇ ତେଲର ସନ୍ଧାନ କରାଉଥିଲେ । ସମ୍ବାଦ ମିଳିଛି ଯେ ଦକ୍ଷିଣ ପଞ୍ଜାବର ଗୋଟିଏ ସ୍ଥାନରେ ମାଟିତଳେ ଯେଉଁ ତୈଳଭଣ୍ଡାରଟିର ଖବର ମିଳିଛି, ତାହା ଅନେକ ପରିମାଣରେ ଅନ୍ତତଃ ଆଗାମୀ ସାତବର୍ଷ ପାଇଁ ପାକିସ୍ତାନର ତେଲ ଚାହିଦାକୁ ମେଣ୍ଟାଇ ଦେଇପାରିବ ଏବଂ ହୁଏତ ଏଣିକି ପାକିସ୍ତାନକୁ ଆଉ ଏତେ ବେଶୀ ପରିମାଣରେ ପେଟ୍ରୋଲିୟମ ଆମଦାନୀ କରିବାକୁ ପଡ଼ିବନାହିଁ ।

 

ପାକିସ୍ତାନରେ ଆଗରୁ ଯେ ପେଟ୍ରୋଲିୟମ୍ କୂପ ନଥିଲା ତା’ ନୁହେଁ । ଥିଲା, ମାତ୍ର ତାହା ସମଗ୍ର ଦେଶର ଚାହିଦା ଅନୁସାରେ ସମ୍ଭବତଃ ଶଙ୍ଖେ ବି ହେଉନଥିଲା । ସେତେବେଳେ ସେହିସବୁ ଖଣିରୁ ପାକିସ୍ତାନକୁ ଦୈନିକ ମୋଟେ ଆଠ ହଜାର ବ୍ୟାରେଲ ତେଲ ମିଳୁଥିଲା । ବର୍ତ୍ତମାନ ଯେଉଁ ନୂତନ ସ୍ଥାନରେ ପେଟ୍ରୋଲିୟମ୍‌ର ଭଣ୍ଡାରଟି ଖୋଲିଯିବାର ଯାବତୀୟ ସୂଚନା ମିଳି ସାରିଲାଣି, ସେଥିରୁ ପାକିସ୍ତାନକୁ ବର୍ଷକୁ ପ୍ରାୟ କୋଡ଼ିଏ କୋଟି ବ୍ୟାରେଲ ତେଲ ମିଳିଯିବ । ପୁଣି କେବଳ ସେତିକି ନୁହେଁ, ଏହି ତେଲ ଅପେକ୍ଷାକୃତ ଅଳ୍ପ ଗଭୀରରେ ମିଳିବ ଏବଂ ତେଣୁ ମାଟିତଳେ ବେଶିଦୂର ପର୍ଯ୍ୟନ୍ତ ପାଇପ ନେବାକୁ ପଡ଼ିବ ନାହିଁ । ତା’ ଫଳରେ ଉତ୍ପାଦନ ବାବଦରେ ଖର୍ଚ୍ଚ ଅନେକ କମ୍‌ ହେବ ଏବଂ ଆଉ ଗୋଟିଏ କଥା ସମ୍ପୃକ୍ତ ବିଶେଷଜ୍ଞମାନେ କହୁଛନ୍ତି ଯେ, ଏହି ତେଲ ହେଉଛି ଏକ ଭଲ କିସମର ତେଲ, ଅର୍ଥାତ୍‌ ଏଥିଲାଗି ଆଦୌ ଖୁବ୍‌ ବେଶି ବିଶୋଧନ ଆବଶ୍ୟକ ହେବନାହିଁ ।

 

ସମ୍ପୂର୍ଣ୍ଣ ପାକିସ୍ତାନ ବର୍ତ୍ତମାନ ଏକ ଅନ୍ୟକାରଣରୁ ପ୍ରାୟ ଜଳୁଥିବା ସମୟରେ ଦେଶରେ ତୈଳ ସନ୍ଧାନ ମିଳିବାର ଏହି ସମ୍ବାଦଟି ଶାସକ ଭୁଟ୍ଟୋଙ୍କୁ ତଥାପି ଅନେକ ପ୍ରସନ୍ନ କରାଇବ । ସିଏ ପାକିସ୍ତାନର ଭବିଷ୍ୟତ ଅର୍ଥାତ୍‌ ଭବିଷ୍ୟତ ବିଷୟରେ ଆହୁରି କେତେ ସ୍ୱପ୍ନ ଦେଖିବା ଲାଗି ନିଶ୍ଚୟ ଟିକିଏ ଉତ୍ସାହିତ ହୋଇପଡ଼ିବେ । କେବଳ ପାକିସ୍ତାନ ନୁହେଁ, ଉପନିବେଶବାଦରୁ ମୁକୁଳି ସ୍ୱାଧୀନ ହୋଇଥିବା ଅଧିକାଂଶ ଦେଶରେ କାଳକ୍ରମେ ବିଶେଷଜ୍ଞମାନଙ୍କର ଚେଷ୍ଟା ଫଳରେ କେତେ କ’ଣ ବହୁମୂଲ୍ୟ ସମ୍ପଦର ସନ୍ଧାନ ମିଳିବ । ତେଲ ମିଳିବ, ଲୁହା ମିଳିବ, ସୁନା ମିଳିବ । ଜଙ୍ଗଲରୁ ସୁନା ମିଳିବ, କ୍ଷେତରୁ ସୁନା ମିଳିବ, କାରଖାନାରୁ ମଧ୍ୟ ସୁନା ମିଳିବ । ଦେଶର ଉତ୍ପାଦନ ବଢ଼ିବ, ରପ୍ତାନି ବଢ଼ିବ, ଆୟ ବଢ଼ିବ, ଆଧୁନିକ ପୁଞ୍ଜିବାଦୀ ଅର୍ଥନୀତିରେ ଯାହାକୁ ଜାତୀୟ ଐଶ୍ୱର୍ଯ୍ୟ ବୋଲି କୁହାଯାଉଛି, ସେଇଟା ମଧ୍ୟ ବଢ଼ିବ । ଏଇଥିଲାଗି ଗତ ତିରିଶବର୍ଷ ମଧ୍ୟରେ ବୈଜ୍ଞାନିକ ଏବଂ ବିଶେଷଜ୍ଞମାନଙ୍କୁ ଅଡ଼ାଇ ତୃତୀୟ ପୃଥିବୀର ନାନା ଦେଶରେ କେତେ କ’ଣ ତନାଘନା କରାଯାଇଛି-। ଯୋଜନା ବି ବନିଛି, ବିଦେଶରୁ ବିଶେଷଜ୍ଞମାନେ ଆସିଛନ୍ତି, ଦେଶ ହୁଏତ ଗୋଟାଏ ରାତିରେ ଇନ୍ଦ୍ରଭୁବନ ପାଲଟିଯିବ ବୋଲି ଏହି ଦେଶର ଇନ୍ଦ୍ରମାନେ କେତେ ଗର୍ବର ସହିତ କଳ୍ପନା କରିଛନ୍ତି ଓ ସେହିସବୁ ଗର୍ବଦ୍ୱାରା ପ୍ରେରିତ ହୋଇ କେତେ କେତେ ପରାକ୍ରମ ଦେଖାଇଛନ୍ତି । ମାତ୍ର ଯେଉଁ ଅସଲ ମୂଳ ଭୂମିଟିକୁ ତିଆରି କରିବାଲାଗି କୌଣସି ଦେଶ ସ୍ୱାଧୀନତା ହାସଲ କରିଥିଲା, ସେହି ମୂଳଭୂମିଟି ଅଧିକାଂଶ ସ୍ଥଳରେ ଏପର୍ଯ୍ୟନ୍ତ ବି ତିଆରି ହୋଇ ପାରିନାହିଁ । କୌଣସି ଦେଶର ରାଜନୀତି, ଅର୍ଥନୀତି ଏବଂ ସାମାଜିକ ସମ୍ବନ୍ଧ-କ୍ଷେତ୍ରରେ ଯେଉଁସବୁ ପରିବର୍ତ୍ତନ ଘଟିଲେ ଗୋଟିଏ ଦେଶ ବା ଗୋଟିଏ ଜାତିର ଅନ୍ତର୍ଗତ ସବୁ ମଣିଷ ପ୍ରକୃତରେ ଆପଣାର ଘରେ ଥିଲାପରି ଅନୁଭବ କରି ପାରନ୍ତେ, ନବସ୍ୱାଧୀନ ଅଧିକାଂଶ ଦେଶରେ ସେହି ପରିବର୍ତ୍ତନଟିକୁ ପ୍ରାୟ ବାଉଳା କରି ରଖାଯାଇଛି । ଯେଉଁ ଗଣତନ୍ତ୍ରର ଅସଲ ଭୂମିଟି ଯଥାସମ୍ଭବ କମ୍‌ ବିଦ୍ୱେଷର ସହିତ ସେହି ପରିବର୍ତ୍ତନଟିକୁ ସମ୍ଭବ କରି ଆଣି ପାରନ୍ତା, ସେହି ଭୂମିଟି ଅଧିକାଂଶ ଦେଶରେ ଏବେ ସୁଦ୍ଧା ତିଆରି ହୋଇନାହିଁ ।

 

ଜନାବ ଭୁଟ୍ଟୋଙ୍କର ପାକିସ୍ତାନରେ ମଧ୍ୟ ଠିକ୍ ସେହି ସମସ୍ୟାଟି ଅସଲ ସମସ୍ୟା ହୋଇ ରହିଛି । ସାମରିକ ଆଇନ ଜାରି କରାଇଦେଇ ଏବଂ ମେସିନଗନ୍‌ ଚାଲୁ ରଖି ଶ୍ରୀଯୁକ୍ତ ଭୁଟ୍ଟୋ ଏହି କଥାଟିକୁ ମାନିବେ ନାହିଁ ବୋଲି ଯେତେ ଜିଦ ଧରି ବସିଲେ ମଧ୍ୟ ଏହା ତଥାପି ପାକିସ୍ତାନର ସର୍ବବୃହତ୍ ସମସ୍ୟା । ତାହା ପାକିସ୍ତାନର ଆଦ୍ୟତମ ସମସ୍ୟା । ତେଲର ଅଭାବ ମେଣ୍ଟିବାଟା ବା ନମେଣ୍ଟିବାଟା ତାର ସମ୍ମୁଖରେ ହୁଏତ ଆଦୌ କୌଣସି ସମସ୍ୟା ନୁହେଁ । ସେଠାରେ ରାଜାମାନଙ୍କ ଲାଗି ପ୍ରଜାମାନେ ମଣହେବେ ନା ଅସଲ ପ୍ରତିନିଧିମାନଙ୍କଦ୍ୱାରାହିଁ ଦେଶର ଶାସନ ଚାଲିବ ? ସେଠି ଧର୍ମ ନାମରେ, ଦେଶକୁ ପୃଥିବୀର ଚକ୍ଷୁରେ ଶକ୍ତିଶାଳୀ କରି ଗଢ଼ିବା ନାମରେ ଲୋକମାନଙ୍କୁ ଗତ ତିରିଶ ବର୍ଷ ଯାବତ ଯେପରି ଚାଲିଛି, ସେହିପରି ଅଫିମ ଖୁଆଇ ରଖାଯିବ ନା ଲୋକମାନଙ୍କୁହିଁ ଅସଲ ବିଧାତା ଓ ଅସଲ ନିର୍ମାତା ବୋଲି ସ୍ୱୀକାର କରାଯିବ, ତାହାହିଁ ପାକିସ୍ତାନର ସମ୍ପ୍ରତି ସର୍ବପ୍ରଧାନ ସମସ୍ୟା ।

 

ମନେ ହେଉଛି, ଯେଉଁ ଅବଧିଟି ସକାଶେ ଭୁଟ୍ଟୋ ନିମିତ୍ତ ହେବାଲାଗି ଅଭିପ୍ରେତ ହୋଇଥିଲେ, ସେହି ଅବଧିଟି ଏଥର ଶୀଘ୍ର ପୂରିଯିବ । ଯେକୌଣସି ମତଲବ ରଖି ହେଉ ପଛକେ, ସିଏ ପାକିସ୍ତାନକୁ ସାମରିକ ଶାସନର କବଳ ଭିତରୁ ମୁକ୍ତକରି ଆଣିଥିଲେ । ପାକିସ୍ଥାନର ପ୍ରଜାଏ ତାଙ୍କୁ ସେଥିଲାଗି ଏତେଦିନ ବେଶ୍‌ ସହି ଆସିଲେ । ଏଣିକି ଏକ ଅନ୍ୟ ସୋପାନର ଆବଶ୍ୟକତା ସେଠାରେ ରାଜନୀତିକୁ ବାଟ କଢ଼ାଇବ, ଜାତୀୟ ନିୟତିକୁ ମଧ୍ୟ ବାଟ କଢ଼ାଇନେବ । ଏହି ବାଟ କଢ଼ାଇବାରେ ଆଉ ଭୁଟ୍ଟୋଙ୍କ ନେତୃତ୍ୱର ପ୍ରୟୋଜନ ହବନାହିଁ । ପାକିସ୍ତାନର ପ୍ରଜାମାନେ ହୁଏତ ଭୁଟ୍ଟୋଙ୍କୁ ବାଦ ଦେଇ ପାକିସ୍ତାନର ଭବିଷ୍ୟତ ବିଷୟରେ ଭାବିବାକୁ ଆରମ୍ଭ କଲେଣି ।

ତା ୬.୫.୧୯୭୭ ରିଖ

Image

 

ଧନୀ ଓ ଦରିଦ୍ର

 

ବର୍ତ୍ତମାନ ପୃଥିବୀରେ କେଉଁ ଦେଶ କେତେ ଧନୀ ଓ କେଉଁ ଦେଶ କେତେ ଦରିଦ୍ର, ତାହାର ଏକ କ୍ଷେତ୍ରଭିତ୍ତିକ ଅଧ୍ୟୟନ କରାଯାଇ ବିଶ୍ୱବ୍ୟାଙ୍କ ତରଫରୁ ଏବେ ଏକ ସମଗ୍ର ସର୍ବେକ୍ଷଣ ପ୍ରକାଶ ପାଇଛି । ମସଗ୍ର ବିଶ୍ୱସ୍ତରରେ ସଂଖ୍ୟାଗୁଡ଼ିକୁ ସଂଗ୍ରହ କରି ତାକୁ ବୈଜ୍ଞାନିକ ଅନୁକ୍ରମ ଅନୁସାରେ ଅଧ୍ୟୟନ କରି ପୁସ୍ତିକାକାରରେ ଛପାଇବାକୁ ଅନେକ ସମୟ ଲାଗିବା ଅତ୍ୟନ୍ତ ସ୍ୱାଭାବିକ; ତେଣୁ ପ୍ରସ୍ତୁତ ପୁସ୍ତିକାଟିରେ ଯେ ୧୯୭୪ ମସିହାରେ ସଂଗୃହୀତ ହିସାବ ଓ ସଂଖ୍ୟାଗୁଡ଼ିକର ଚର୍ଚ୍ଚା କରାଯାଇଛି, ସେଥିରେ ଅପ୍ରସନ୍ନ ହେବାର ଆଦୌ କୌଣସି କାରଣ ନାହିଁ ।

 

ସମ୍ପତ୍ତି-ହିସାବର ତୁଳନାତ୍ମକ ଫର୍ଦ୍ଦଟି ଅନୁସାରେ ପୃଥିବୀ ଯାକର ସବୁଠାରୁ ଧନଶାଳୀ ହେଉଛନ୍ତି ମଧ୍ୟପ୍ରାଚ୍ୟରେ ଅବସ୍ଥିତ ଦେଶଗୁଡ଼ିକର ଲୋକମାନେ । ଅବଶ୍ୟ ଅତ୍ୟନ୍ତ ସ୍ଥାନୀୟ ଭାବରେ ବିଚାର କଲେ ପ୍ରଶାନ୍ତ ମହାସାଗରରେ ଅବସ୍ଥିତ ନାଉରୁ ବୋଲି ଗୋଟିଏ କ୍ଷୁଦ୍ର ଦ୍ୱୀପରେ ଅଧିବାସୀମାନେହିଁ ପୃଥିବୀଯାକରେ ସବୁଠାରୁ ଅଧିକ ଆୟ କରନ୍ତି । ଏମାନଙ୍କର ସଂଖ୍ୟା ମୋଟେ ପାଞ୍ଚ ହଜାର ଏବଂ ଏମାନେ ଫସ୍‌ଫେଟ ରପ୍ତାନି କରି ଇନ୍ଦ୍ରତୁଲ୍ୟ ସମ୍ପତ୍ତିର ଅଧିକାରୀ ହୋଇଛନ୍ତି । ଏଠି ମୁଣ୍ଡପିଛା ବାର୍ଷିକ ଆୟ ହେଉଛି ପ୍ରାୟ ତିନିଲକ୍ଷ ଟଙ୍କା । ମାତ୍ର ଏହାକୁ ଏକ ସ୍ଥାନୀୟ ସ୍ଥିତି ବୋଲି ବାଦ୍‌ ଦେଲେ ମଧ୍ୟପ୍ରାଚ୍ୟର କେତୋଟି ଦେଶକୁହିଁ ହିସାବ ଅନୁସାରେ ସବୁଠାରୁ ଅଧିକ ଆୟକ୍ଷମ ବୋଲି ସ୍ୱୀକାର କରାଯାଇ ପାରିବ ।

 

ମଧ୍ୟପ୍ରାଚ୍ୟର ଏହି ଦେଶଗୁଡ଼ିକ ହେଉଛନ୍ତି ପେଟ୍ରୋଲିୟମ୍‌ ଉତ୍ପାଦନ କରୁଥିବା ଦେଶ ଏବଂ ପେଟ୍ରୋଲିୟମ୍‌ର ସାଂପ୍ରତିକ ରାଜନୀତିରୁ ଅମୂଲମୂଲ ଫାଇଦା ଉଠାଉଥିବା ଦେଶ । ଏହି ପର୍ଯ୍ୟାୟରେ ମଧ୍ୟପ୍ରାଚ୍ୟର ଯେଉଁ ତିନୋଟି ଦେଶର ନାମ ଉଲ୍ଲେଖ କରାଯାଇଛି, ଏମାନେ ହେଲେ କୁଏତ୍‌, ସଂଯୁକ୍ତ ଆରବ ଏମିରେଟ ଏବଂ କତର । ଏହିସବୁ ରାଜ୍ୟରେ ମୁଣ୍ଡପିଛା ବାର୍ଷିକ ଆୟ ହେଉଛି ପ୍ରାୟ ଅଶୀ ହଜାର ଟଙ୍କାରୁ ଅଧିକ । ୧୯୭୩ ମସିହାରୁ ପୃଥିବୀରେ ପେଟ୍ରୋଲିୟମ୍‌ ସଙ୍କଟ ଦେଖା ଦେଇଥିବା ପରଠାରୁ ଏହିସବୁ ଦେଶର ଆୟ ସୀମାଗୁଡ଼ିକ ଏହିପରି ଭାବରେ ରହିଛି ।

 

ପୁସ୍ତକଟିରେ ପ୍ରଦତ୍ତ ହିସାବଗୁଡ଼ିକରୁ ଜଣାପଡ଼ୁଛି ଯେ ଯୁକ୍ତରାଜ୍ୟ ଆମେରିକା ପୃଥିବୀରେ ବିଭିନ୍ନ ମାମଲାର କ୍ଷେତ୍ରରେ ପ୍ରାୟ ସର୍ବାଧିକ ଶକ୍ତିଶାଳୀ ଦେଶ ହୋଇ ରହିଥିଲେ ମଧ୍ୟ ସେହି ଦେଶର ଅଧିବାସୀମାନେ ଆଉ ପୃଥିବୀରେ ସବୁଠାରୁ ଅଧିକ ଧନୀ ହୋଇ ଆଦୌ ରହିନାହାନ୍ତି । ୧୯୭୩-୭୪ ମସିହା ବେଳକୁ ଇଉରୋପ ଓ ପାଶ୍ଚାତ୍ୟ ଜଗତରେ ଯେଉଁସବୁ ଅର୍ଥନୈତିକ ପ୍ରବୃତ୍ତି ମୀମାଂସାକ ଭାବରେ କାର୍ଯ୍ୟ କରିଛି, ତାହାରି ଫଳରେ ଇଉରୋପରେ ଦୁଇଟି ଦେଶର ମୁଣ୍ଡପିଛା ବାର୍ଷିକ ଆୟ ଯୁକ୍ତରାଜ୍ୟ ଆମେରିକାର ସେହି ହିସାବଟିକୁ ଅତିକ୍ରମ କରିଯାଇଛି-। ଏହି ଦୁଇଟି ଦେଶ ହେଉଛନ୍ତି ସୁଇଜରଲାଣ୍ଡ ଓ ସୁଇଡ଼େନ । ପ୍ରଥମେ ସୁଇଜରଲାଣ୍ଡ, ତା’ପରେ ସୁଇଡ଼େନ୍‌ । ପାଶ୍ଚାତ୍ୟ ଶିଳ୍ପୋନ୍ନତ ଦେଶଗୁଡ଼ିକର ବ୍ୟୂହଟି ଭିତରେ ଏହି ଦୁଇଟି ଦେଶର ଅଧିବାସୀଙ୍କୁ ବର୍ତ୍ତମାନ ସବୁଠାରୁ ଅଧିକ ଧନୀ ବୋଲି କୁହାଯାଇ ପାରିବ । ଏହି ସମୟଟି ମଧ୍ୟରେ ଯୁକ୍ତରାଜ୍ୟ ଆମେରିକାରେ ଜଣପିଛା ବାର୍ଷିକ ଆୟ ପ୍ରାୟ ଚଉଦଶହ ଟଙ୍କା ତଳକୁ ଖସି ଆସିଛି; ମାତ୍ର ସୁଇଡ଼େନରେ ତାହା ପ୍ରାୟ ହଜାରେ ଟଙ୍କା ଅଧିକ ହୋଇଛି ଏବଂ ସୁଇଜରଲ୍ୟାଣ୍ଡରେ ଦୁଇ ହଜାର ଟଙ୍କା ଅଧିକ ହୋଇପାରିଛି । ସୁଇଜରଲାଣ୍ଡର ଅଧିବାସୀମାନେ ବର୍ତ୍ତମାନ ବର୍ଷକୁ ହାରାହାରି ପ୍ରାୟ ୬୦,୦୦୦ଟଙ୍କା ରୋଜଗାର କରୁଛନ୍ତି । ଯୁକ୍ତରାଜ୍ୟ ଆମେରିକା ପ୍ରାୟ ୫୦,୦୦୦ରେ ତୃତୀୟ ସ୍ଥାନରେ ରହିଛି ଏବଂ ନିର୍ଦ୍ଦିଷ୍ଟ ଅଞ୍ଚଳ ହିସାବରେ ସ୍କାଣ୍ଡିନେଭିଆ ଦ୍ୱିତୀୟ ସ୍ଥାନରେ ରହିପାରିଛି । ଏହି ଅଞ୍ଚଳର ତିନୋଟି ଦେଶ–ସୁଇଡ଼େନ, ଡେନମାର୍କ ଓ ନରଓଏ ପୃଥିବୀର ସାତୋଟି ସବୁଠାରୁ ଅଧିକ ଧନଶାଳୀ ଦେଶର ତାଲିକା ମଧ୍ୟରେ ଅନ୍ତର୍ଭୁକ୍ତ ହୋଇରହିଛନ୍ତି । ପୂର୍ବ ଇଉରୋପର କମ୍ୟୁନିଷ୍ଟ ଦେଶମାନଙ୍କ ଭିତରେ ପୂର୍ବ ଜର୍ମାନୀ ସର୍ବାଗ୍ର ସ୍ଥାନରେ ରହିଛି । ଏହି ଦେଶଗୁଡ଼ିକ କେନ୍ଦ୍ର ଯୋଜନାଦ୍ୱାରା ପରିଚାଳିତ ଅର୍ଥନୈତିକ ବ୍ୟବସ୍ଥାକୁ ଗ୍ରହଣ କରି ଆସିଛନ୍ତି । ପୃଥିବୀର ସମୂହ ତାଲିକାଟିରେ ପୂର୍ବଜର୍ମାନୀ ସପ୍ତଦଶ ସ୍ଥାନରେ ରହିଛି ଓ ଇଂଲଣ୍ଡ ଠିକ୍‌ ତା’ ପଛକୁ ଅଷ୍ଟାଦଶ ସ୍ଥାନରେ ରହିଛି ।

 

ପୃଥିବୀର ଯେଉଁସବୁ ଦେଶକୁ ଏବେ ବିକାଶଶୀଳ ଦେଶ ବୋଲି କୁହାଯାଉଛି, ସେହିସବୁ ଦେଶରେ ଦୁଇଶହ କୋଟିରୁ ଅଧିକ ଲୋକ ମୁଣ୍ଡପିଛା ବର୍ଷକୁ ମୋଟେ ୪୦୦୦ଟଙ୍କାରୁ କମ୍‌ ଆୟ କରୁଛନ୍ତି । ଏହିସବୁ ଦେଶର ଅର୍ଥନୀତିରେ ଏପର୍ଯ୍ୟନ୍ତ ଯେ ଯଥେଷ୍ଟ ଗତିଶୀଳତା ଆସିନାହିଁ ଓ ଏଠାରେ ଅଧିକାଂଶ ଆର୍ଥିକ ବୃହତ୍‌ ଯୋଜନାରେ ମଣିଷମାନଙ୍କୁ ଯେ ନ୍ୟାୟତଃ ସାମିଲ କରାଯାଇନାହିଁ, ଏଥିରୁ ତାହାରି ସୂଚନା ମିଳୁଛି । ଜନସଂଖ୍ୟା ବୃଦ୍ଧି ମଧ୍ୟ ତୁଳନାତ୍ମକ ଅସମର୍ଥତାର ଆଉ ଗୋଟିଏ କାରଣ ହୋଇରହିଛି ଏବଂ ଏହି ସଂକ୍ରାନ୍ତରେ ଆଉ ଗୋଟିଏ କଥା ବି ଆଖିକୁ ସତେଅବା ଭାରି ଜଳ ଜଳ ହୋଇ ଦିଶିଯାଉଛି । ଏସିଆ ମହାଦେଶର ଅଧିକସଂଖ୍ୟକ ଦେଶ ଏହି ବିକାଶଶୀଳ ଦେଶଗୁଡ଼ିକରେ ପଂକ୍ତିଭୁକ୍ତ ହୋଇରହିଛନ୍ତି । ଏବଂ ଏହି ଏସିଆ ମହାଦେଶରେହିଁ ପୃଥିବୀର ସର୍ବାଧିକ ଆୟ କରୁଥିବା ଦେଶ ରହିଛି, ସର୍ବନିମ୍ନ ଆୟସୀମାରେ ରହିଥିବା ଦେଶଟି ମଧ୍ୟ ରହିଛି । ଏଥିରେ କୁଏତ୍‌ ରହିଛି, ଯେଉଁଠାରେ ଲୋକେ ମୁଣ୍ଡପିଛା ବର୍ଷକୁ ଅଶୀ ହଜାର ଟଙ୍କା ଉପାର୍ଜନ କରୁଛନ୍ତି ଏବଂ ଅପର ପକ୍ଷରେ ଭୂଟାନ ପରି ଗୋଟିଏ ଦେଶ ବି ରହିଛି, ଯେଉଁଠାରେ କି ଦଶଲକ୍ଷ ଲୋକ ବାସ କରୁଛନ୍ତି ଓ ଯେଉଁଠି ମୁଣ୍ଡପିଛା ବାର୍ଷିକ ଆୟ ମୋଟେ ଛଅଶହ ଟଙ୍କାରେ ରହିଛି । ସେହି ରାଜ୍ୟର ଲୋକେ ଭବିଷ୍ୟତରେ କେବେ ଯେ ଆଉ ଟିକିଏ ଉପରକୁ ଉଠିବେ, ତାହାର ପ୍ରାୟ କୌଣସି ସମ୍ଭାବନା ଦେଖା ଯାଉନାହିଁ । କାରଣ ସେଠାରେ ବାର୍ଷିକ ଅର୍ଥନୈତିକ ବୃଦ୍ଧିର ପରିମାଣ ବୃଦ୍ଧି ପାଇବା ପରିବର୍ତ୍ତେ କ୍ରମଶଃ କମି କମି ଯାଉଛି । ଏସିଆ ମହାଦେଶ କ’ଣ ଏହିପରି ଭାବରେ ଚିରକାଳ ଲାଗି ଦୁଇ ଅତିଶୟତାର ପ୍ରଦର୍ଶନ କରୁଥିବା ଏକ ଅସ୍ୱାସ୍ଥ୍ୟକର ମିଉଜିଅମ ହୋଇରହିଥିବ ? ସମୀକ୍ଷକର ମନରେ ବାରବାର ଏହି ସଂଶୟଟି ନିଶ୍ଚୟ ଧକ୍‌କା ଦେଇ ଯାଉଥିବ ।

 

ପୃଥିବୀ ଯାକର ସମ୍ପତ୍ତିଫର୍ଦ୍ଦକୁ ଆମ ଆଗରେ ପ୍ରସ୍ତୁତକରି ରଖାଯିବାଦ୍ୱାରା ଆମେ ଗୋଟିଏ ଗୋଟିଏ ଦେଶ ହିସାବରେ କେତେ ଉପରେ ବା କେତେ ତଳେ ରହିଛୁ, ଏଠାରେ ସେଇଟା ଜାଣିବା ସବୁଠାରୁ ଅଧିକ ମହତ୍ତ୍ୱପୂର୍ଣ୍ଣ କଥା ନୁହେଁ; ପୃଥିବୀକୁ ଏକକ କରି ଏକ ନୂତନ ଅର୍ଥନୈତିକ ବ୍ୟବସ୍ଥାର ପ୍ରଣୟନ ଦିଗରେ ଯେଉଁମାନେ ମନ ବଳାଉଛନ୍ତି, ସେମାନଙ୍କୁ ଏହା ବାସ୍ତବ କ୍ଷେତ୍ରଟିର ଏକ ଖବର ଆଣି ଦେଇଯାଉଛି, ସମ୍ଭବତଃ ତାହାହିଁ ସବୁଠାରୁ ଅଧିକ ମହତ୍ତ୍ୱପୂର୍ଣ୍ଣ ।

ତା ୮.୫.୧୯୭୭ ରିଖ

Image

 

ଆମେରିକା ଓ ଭିଏତ୍‌ନାମ

 

ଆମେରିକା ଓ ଭିଏତ୍‌ନାମ ଦୁଇ ସରକାରଙ୍କ ମଧ୍ୟରେ ଏବେ ପୁଣି କଥାବାର୍ତ୍ତା ଚାଲିଥିଲା । ଆଗରୁ ଯେଉଁ କେତେଥର କଥାବାର୍ତ୍ତା ହୋଇଥିଲା, ତାହା ପ୍ରାୟ ବିଫଳ ହୋଇଯାଇଥିଲା । ଦକ୍ଷିଣ ଓ ଉତ୍ତର ଭିଏତନାମ ଗୋଟିଏ ଦେଶରେ ପରିଣତ ହୋଇଯିବା ପରେ ତାହାକୁ ସଂଯୁକ୍ତ ରାଷ୍ଟ୍ରସଂଘର ସଦସ୍ୟ କରି ନେବାଲାଗି ଆନ୍ତର୍ଜାତିକ ସ୍ତରରେ ଯେଉଁ ଅନୁକୂଳ ମତ ପ୍ରକାଶ ପାଇଥିଲା, ଯୁକ୍ତରାଜ୍ୟ ଆମେରିକାର ସରକାର ତାହାକୁ ନିଜର ଭେଟୋ କ୍ଷମତା ପ୍ରୟୋଗ କରି ଏକାଧିକବାର ନିଷ୍ଫଳ କରି ଦେଇଥିଲେ । ତା’ପରେ ଆମେରିକାରେ ସରକାର ବଦଳିଲା, ଅର୍ଥାତ୍‌ ନୂଆ ରାଷ୍ଟ୍ରପତି ନିର୍ବାଚିତ ହୋଇ ଆସିଲେ ଏବଂ ତାଙ୍କ ସହିତ ସରକାରୀ ଉଚ୍ଚ କର୍ମକର୍ତ୍ତାଙ୍କର ଯୂଥଟି ମଧ୍ୟ ଅନୁରୂପ ନୂଆ ମନୋନୀତ ବ୍ୟକ୍ତିମାନଙ୍କୁ ନେଇ ଗଢ଼ାହେଲା । ରାଷ୍ଟ୍ରପତି ଜିମି କାର୍ଟର ଆପଣାର ଆସନରେ ଆସି ବସିବା ସଙ୍ଗେ ସଙ୍ଗେ ପ୍ରାୟ ସବୁ କ୍ଷେତ୍ରରେ ଏକ ନୂଆ ପବନର ଅନୁଭୂତି ଆଣି ଦେଲେ ଏବଂ କାର୍ଟରଙ୍କ ଅମଳରେ ଏଥର ପ୍ରଥମଥର ପାଇଁ ସରକାରୀ ସ୍ତରରେ ଆମେରିକା ଏବଂ ଭିଏତନାମ ମଧ୍ୟରେ ଏହି ଆଲୋଚନା ଅନୁଷ୍ଠିତ ହୋଇଥିଲା-

 

କେତୋଟି ଦିନର କଥାବାର୍ତ୍ତା ଏବଂ ପାରସ୍ପରିକ ବୁଝାମଣା ଶେଷରେ ଯେଉଁ ସଂଯୁକ୍ତ ବିବୃତିଟି ସ୍ୱାକ୍ଷରିତ ହେଲା ସେଇଟି ଅନୁସାରେ ଜାଣିବାକୁ ମିଳୁଛି ଯେ ଭିଏତନାମ ମିଳିତ ଜାତିସଂଘର ସଦସ୍ୟତା ଲୋଡ଼ି ବସିଲେ ଆମେରିକା ସରକାର ସେହି ଦିଗରେ ଆଉ କୌଣସି ଅନ୍ତରାୟ ସୃଷ୍ଟି କରିବେ ନାହିଁ । ଅର୍ଥାତ୍‌ ସିଏ ଆଉ ସ୍ୱତନ୍ତ୍ର ଭେଟୋ କ୍ଷମତାର ପ୍ରୟୋଗ କରିବେ ନାହିଁ । ତେଣୁ ଆଶା କରାଯିବ ଯେ ଏହିଥର ନିରାପତ୍ତା ପରିଷଦର ଅଧିବେଶନ ବସିଲେ ବହୁ ସଦସ୍ୟ-ରାଷ୍ଟ୍ରଙ୍କର ସମର୍ଥନରେ ଭିଏତ୍‌ନାମ୍‌ ଜାତିସଂଘର ମେଳ ଭିତରକୁ ଆସିଯାଇ ପାରିବ ।

 

ଏକଦା ଚୀନ ସାଧାରଣତନ୍ତ୍ରର ଜାତିସଂଘରେ ସଦସ୍ୟ ହେବା ବ୍ୟାପାର ନେଇ ଆମେରିକା ଦୀର୍ଘ ଅନେକ ବର୍ଷ ପର୍ଯ୍ୟନ୍ତ ଏହିପରି ଏକ ପ୍ରତିବନ୍ଧକ ସୃଷ୍ଟି କରି ରଖିଥିଲା । ଭେଟୋ କ୍ଷମତାର ପ୍ରୟୋଗ କରି ସିଏ ଚୀନକୁ ତା’ର ନ୍ୟାଯ୍ୟ ଆସନଟିକୁ ତିରସ୍କୃତ କରି ରଖିଥିଲା । କାଳକ୍ରମେ ମତି ବଦଳିଲା, ଆମେରିକାର ରାଜନୀତି ବଦଳିଲା । ସିଏ ଚୀନକୁ ସ୍ୱୀକାରକଲା, ସ୍ୱୀକୃତି ଦେଲା । ବିଶ୍ୱର ରାଜନୀତିରେ ଦୁଇ ଦେଶର ମୁଖ୍ୟମାନେ ପରସ୍ପର ଆଡ଼କୁ ସାହସ କରି ଅନାଇ ପାରିଲେ, ପରସ୍ପର ଉପରେ ଭରସା ରଖି ପାରିଲେ । ସମସ୍ତେ ଭାବିଥିଲେ, ଚୀନବେଳକୁ ହୋଇଥିବା ନିର୍ବୋଧତାଟିର ଭିଏତନାମବେଳକୁ କୌଣସି ପୁନରାବୃତ୍ତି ହେବନାହିଁ । ମାତ୍ର ଆମେରିକାର ସରକାରୀ ରାଜନୀତିଜ୍ଞମାନେ ବାସ୍ତବ ସ୍ଥିତିଟିକୁ ସହଜରେ ହଜମ କରି ନପାରିବାରୁ ପୁରାତନରହିଁ ପୁନରାବୃତ୍ତି କରାଗଲା ଏବଂ ସାନ ଦେଶ ହୋଇଥିଲେ ମଧ୍ୟ ବିଜେତା ଭିଏତନାମକୁ ବାଦ କରାଗଲା, ଈର୍ଷା କରାଗଲା ଏବଂ ବଙ୍କାଗୁଡ଼ାକ ସଳଖି ହୋଇ ଆସିବାକୁ ଏଥର ବି ଏତେଦିନ ଲାଗିଲା ।

 

ଭିଏତନାମର ପୁନଃନିର୍ମାଣ ଏବଂ ପୁନଃବସତି ଲାଗି ଆମେରିକା ସରକାର ଭିଏତନାମକୁ କୌଣସି ସାହାଯ୍ୟମୂଳକ କ୍ଷତିପୂରଣ ଦେବେ ନାହିଁ ବୋଲି ଏଥର ବି କହିଛନ୍ତି । ଏପରି ଏକ କ୍ଷତିପୂରଣ ଲାଗି ଭିଏତନାମ ପକ୍ଷରୁ ଦାବୀ କରାହୋଇ ଆସିଥିଲା । ବର୍ତ୍ତମାନ ମଧ୍ୟ ସେହି ଦାବୀଟି ବଳବତ୍ତର ରହିଛି । ପ୍ରାୟ କୋଡ଼ିଏ ବର୍ଷକାଳ ଭିଏତନାମରେ ଏକ ଗୃହଯୁଦ୍ଧ ଭିଆଇ ଆମେରିକା ସେଠାରେ ଯେଉଁ ଭୟାବହ କ୍ଷତିର କାଣ୍ଡଟିକୁ ଘଟାଇଛି, ତାହାରି ଉପରେ ପୁଣିଥରେ ବଞ୍ଚିବାକୁ ମନ କରି ପୁଣିଥରେ ଗଢ଼ି ହେବାକୁ ହେଲେ ଯେଉଁ ସମ୍ବଳ ଆବଶ୍ୟକ ହେବ, ଭିଏତନାମ କଦାପି ସେହି ସମ୍ବଳର ସୃଷ୍ଟି କରି ପାରିବନାହିଁ । ସେଇଥିଲାଗି ସେ ଆମେରିକାଠାରୁ ସାହାଯ୍ୟ ଦାବୀ କରୁଛି । ସମଗ୍ର ପୃଥିବୀର ବିବେକ ମଧ୍ୟ ଭିଏତନାମ ତରଫରେ ରହିଛି । ଆମେରିକାରେ ମାସକର–ଖର୍ଚ୍ଚ ଲାଗି ଯେତେ ଡଲାର ଦରକାର ହେଉଛି, ଭିଏତନାମକୁ ଯଥାସମ୍ଭବ ଦୃଢ଼ କରି ଥୋଇଦେବା ସକାଶେ ହୁଏତ ତାହାହିଁ ଯଥେଷ୍ଟ ହେବ । ତଥାପି ଏହି ବିବେକଟିର ବଶ ହେବାକୁ ହୁଏତ ଆମେରିକାର ସମ୍ମାନକୁ ବାଧୁଛି । ଏକଦା ହୁଏତ ଏହିପରି ସମ୍ମାନକୁ ବାଧୁଥିଲା ବୋଲି ଆମେରିକା ଭିଏତନାମରେ ଏକ କଣ୍ଟାବାଡ଼ ଉପରେ ଲୁଗା ପକାଇ ଏକ ଯୁଦ୍ଧ ଭିଆଇବାକୁ ଯାଇଥିଲା । ସେଇଥିରୁ କୋଡ଼ିଏ ବର୍ଷର ଏକ ମହାଭାରତ ଗଢ଼ା ହେଲା । ପୃଥିବୀର ବଡ଼ ଶକ୍ତିମାନେ ଯଦି ଆପଣାର ଯଥାର୍ଥ ସମ୍ମାନ ଓ ଯଥାର୍ଥ ମର୍ଯ୍ୟାଦାଗୁଡ଼ିକ ବିଷୟରେ ଯଥୋଚିତ ସଚେତନ ହୋଇଯାଇ ପାରନ୍ତେ, ତେବେ ପୃଥିବୀର ସାନ ଦେଶମାନଙ୍କର ମହତରକ୍ଷା କରିବାରେ ବି ସେମାନେ ଅନେକ ପରିମାଣରେ ସହଯୋଗ କରିପାରନ୍ତେ ।

 

ଆଶାର କଥା ଯେ ଆମେରିକା ଓ ଭିଏତନାମ ଭିତରେ ଏହି କଥାବାର୍ତ୍ତା ଏତିକିରେ ସରିଯାଇ ନାହିଁ । ଏହା ଆହୁରି ଥରେ ବା ଅନେକ ଥର ଚାଲିବ ବୋଲି ସମ୍ପୃକ୍ତ ଉଭୟ ପକ୍ଷରୁ ଘୋଷଣା କରାଯାଇଛି । କଥାବାର୍ତ୍ତା ଯେତିକି ଅଧିକ ଚାଲିବ, ଅଭିମାନୀର ଅଭିମାନ ହୁଏତ ସେତିକି ଭାଙ୍ଗିବ । ଅବିବେକ ଗୁଡ଼ାକ ସେତିକି ଅବିବେକ ବୋଲି ଜଣାପଡ଼ିଯିବ, ବୁଦ୍ଧିମତ୍ତା ଓ ବିବେକର ଉଦୟ ହେବ । ଭିଏତନାମର ପୁନଃନିର୍ମାଣରେ ଯଥା ସମ୍ଭବ ସହଯୋଗ କରି ପାରିବାକୁହିଁ ଆମେରିକା ଯଥାର୍ଥ ସମ୍ମାନ ବୋଲି ଅନୁଭବ କରିବାକୁ ସମର୍ଥ ହେବ । ଆମେରିକା ପାଖରେ ସମ୍ବଳ ଅଛି, ଆବଶ୍ୟକରୁ ଅଧିକ ସମ୍ବଳ ରହିଛି । ସେହି ସମ୍ବଳକୁ ଯଦି ସେ ପୃଥିବୀର ଅପେକ୍ଷାକୃତ ଅଧିକ ଅସମର୍ଥ ଦେଶଗୁଡ଼ିକ ସହିତ ସହଯୋଗ କରିବାର କ୍ଷେତ୍ରରେ ନିୟୋଗ କରିପାରନ୍ତା, ତେବେ ଆମେରିକା ଏକାଧିକ କ୍ଷେତ୍ରରେ ଜଗତର ଭବିଷ୍ୟତ ଲାଗି ନେତୃତ୍ୱ ନେଇ ପାରନ୍ତା, ଅନେକ ସ୍ଥଳରେ ବନ୍ଧୁ ବୋଲି ସ୍ୱୀକୃତ ହୋଇପାରନ୍ତା । ତେଣୁ କଥାବାର୍ତ୍ତା ଅବିଚ୍ଛିନ୍ନ ରହିଥାଉ ଓ କ୍ରମଶଃ ସଦ୍‌ବୁଦ୍ଧିର ଅଭ୍ୟୁଦୟ ହେଉ ।

ତା.୧୫.୦୫.୧୯୭୭ ରିଖ

Image

 

ମୌନାବତୀ କଥା କହିଲେ

 

ଭାରତୀୟ ପ୍ରେସ୍‌ଗିଲଡ଼ ପକ୍ଷରୁ ଆୟୋଜିତ ଏକ ସାକ୍ଷାତ୍‍କାରରେ ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ଜଗଜ୍ଜୀବନ ରାମ ଏବେ କହିଛନ୍ତି ଯେ ନିକଟରେ ଡେଭିଡ଼୍‌ ଫ୍ରେଷ୍ଟଙ୍କ ସହିତ ଏକ ଟେଲିଭିଜନ ସାକ୍ଷାତ୍‍କାରବେଳେ ଭାରତ, ପାକିସ୍ତାନ ଆକ୍ରମଣ କରିବାକୁ ଚାହିଥିଲା ବୋଲି ଆମେରିକାର ପୂର୍ବତନ ରାଷ୍ଟ୍ରପତି ରିଚାର୍ଡ଼ ନିକସନ ଯେଉଁ ମନ୍ତବ୍ୟ ପ୍ରକାଶ କରିଛନ୍ତି, ତାହା ଠିକ୍‌ ନୁହେଁ । ବରଂ ଏତେବର୍ଷ ପରେ ନିକସନ ଏବେ ହଠାତ୍‌ କିପରି ଏଭଳି ମନ୍ତବ୍ୟ ପ୍ରକାଶକଲେ ତାହାହିଁ ବିଚାର କରିବାର କଥା ।

 

ଆମ ମତରେ ନିକସନଙ୍କ ଏହି ବିସ୍ମୟପୂର୍ଣ୍ଣ ଆକସ୍ମିକ ମନ୍ତବ୍ୟକୁ ଏକ ପ୍ରଳାପ କହିଲେ କିଛି କ୍ଷତି ହେବନାହିଁ । କେବଳ ସେତିକି ନୁହେଁ, ଯୁକ୍ତରାଜ୍ୟ ଆମେରିକାର ଅନ୍ୟତମ ଭୂତପୂର୍ବ ରାଷ୍ଟ୍ରପତି ରିଚାର୍ଡ଼ ନିକସନ ଏକମାତ୍ର ପ୍ରକାଶ୍ୟରେ କଥା କହିବା ଆରମ୍ଭ କରିଛନ୍ତି । ରାଷ୍ଟ୍ରପତି ଆସନରୁ ବିତାଡ଼ିତ ହେବା ପରଠାରୁ ଅର୍ଥାତ୍‌ ସେହି ପଦରୁ ଇସ୍ତଫା ଦେବାକୁ ବାଧ୍ୟ ହେବା ପରଠାରୁ ସିଏ ଆଜି ପର୍ଯ୍ୟନ୍ତ ଆଦୌ ଏପରି ଭାବରେ କଥା କହି ନ ଥିଲେ, ଆଜି ପର୍ଯ୍ୟନ୍ତ ସର୍ବସାଧାରଣରେ ମୁହଁ ଖୋଲି ନ ଥିଲେ । ନିକସନ ଯାଇ ଫୋର୍ଡ଼ ରାଷ୍ଟ୍ରପତି ହେଲେ । ଫୋର୍ଡ଼ ଯିବା ପୂର୍ବରୁ ଆମେରିକାରେ ନୂଆ ନିର୍ବାଚନ ହେଲା, ସେ ହାରିଲେ । ନିର୍ବାଚନ ରେ ଜୟଯୁକ୍ତ ହୋଇ କାର୍ଟର ଆସିଲେ । ଏସବୁ ପଟବଦଳା ଭିତରେ ଆମେରିକାବାସୀ ଯେ ନିକସନଙ୍କୁ କେବେ ମନେ ପକାଉଥିଲେ, ସିଏ କାହିଁକି କଥା କହୁନାହାନ୍ତି ବୋଲି ଯେ କୌଣସି କୌତୁହଳ ପ୍ରକାଶ କରୁଥିଲେ, ସେ କଥା ବି ନୁହେଁ । ଜିତୁଥିବା ଯାଏ ଅର୍ଥାତ୍‌ ଆସନ ଅଧିକାର କରି ବସିଥିବା ଯାଏ ଯେଉଁମାନେ ଆସୁଣୁ ଯାଉଣୁ ଏଇଟା ବା ସେଇଟା କହିବାରେ ଲାଗିଥାନ୍ତି, ଆସନରୁ ଯିବା ମାତ୍ରକେ ସେମାନେ ସଧାରଣତଃ ଆପଣାଛାଏଁ ପ୍ରାୟ ଗୋଟାସୁଦ୍ଧା ମୌନ ହୋଇ ଯାଆନ୍ତି । ସେମାନଙ୍କର ପ୍ରାୟ ଆଉ କିଛି ହେଲେ କହିବାକୁ ନ ଥାଏ ଏବଂ ସେମାନେ ତଥାପି କିଛି କହନ୍ତୁ ବୋଲି ହୁଏତ କେହିହେଲେ ପ୍ରତୀକ୍ଷା ବି କରୁ ନ ଥାନ୍ତି । ବିଶେଷତଃ ଯେଉଁମାନେ ରିଚାର୍ଡ଼ ନିକସନଙ୍କ ପରି ଅକାଳରେ ଓ ଅଶୁଭରେ ବିଦା ହୋଇ ଯାଆନ୍ତି, ଶୁଭର ପୁନଃପ୍ରତିଷ୍ଠା ଲାଗି ହୁଏତ ସକଳ ଦୃଷ୍ଟିରୁ ସେମାନଙ୍କର ମୌନ ହୋଇ ରହିବାହିଁ ଏକ ଆବଶ୍ୟକତାରେ ପରିଣତ ହୋଇ ଯାଇଥାଏ ।

 

ମୌନାବତୀର ମୌନ ଭାଙ୍ଗିବାକୁ ଆମ ଉପକଥାମାନଙ୍କରେ ବାହାରୁ ରାଜକୁମାରମାନେ ଆସନ୍ତି, ମାତ୍ର ରିଚାର୍ଡ଼ ନିକସନ ଏବେ ନିଜେ ଆପଣାର ମୌନ ଭାଙ୍ଗିଛନ୍ତି । ଅକାତକାତ ପାଣି ଭିତରୁ ବହୁ କଷ୍ଟରେ ଉଠୁଥିବା ମଣିଷ ‘‘ମୁଁ ଅଛି’’ ବୋଲି ସମସ୍ତଙ୍କୁ ଅବଗତ କରାଇବ ବୋଲି ଆଗ ତୁଣ୍ଡ ଶୁଣାଇଲା ପରି ଶ୍ରୀଯୁକ୍ତ ନିକସନ ସ୍ୱୟଂ ମୌନ ଭଙ୍ଗ କରିଛନ୍ତି । ସେ ଅଛନ୍ତି ବୋଲି ଆମ ସମସ୍ତଙ୍କର ଧ୍ୟାନାକର୍ଷଣ କରିଛନ୍ତି । ତାଙ୍କ ଦେଶରେ ଟେଲିଭିଜନ ସଂସ୍ଥା ସହିତ ଏକ ସାକ୍ଷାତ୍‍କାର ମାଧ୍ୟମରେ ସେ ନିଜ ସମ୍ବନ୍ଧରେ ମଧ୍ୟ ଆହୁରି କେତେକ କଥା କହିଛନ୍ତି ।

 

କହିବା ବାହୁଲ୍ୟ, ରିଚାର୍ଡ଼ ନିକସନ ସର୍ବପ୍ରଥମେ ଅତୀତର ସେହି ଓ୍ୱାଟରଗେଟ ମାମଲା ବିଷୟରେହିଁ ପ୍ରାୟ ସବୁକଥା କହିଛନ୍ତି । ଯେଉଁ ଓ୍ୱାଟରଗେଟ ମାମଲାରେ ଜଣେ ମାମୁଲି ଶାସନାଧ୍ୟକ୍ଷ ବିଶ୍ୱବ୍ୟାପୀ ପ୍ରାୟ ସବୁ ସମ୍ବାଦପତ୍ରରେ ଏକ ଆଲୋଚନା-ବସ୍ତୁରେ ଏକଦା ପରିଣତ ହୋଇ ଯାଇଥିଲେ, କାଳିମା ଧୋଇବାର ଆକାଂଙ୍‌କ୍ଷାରେ ନିକସନ କେବଳ ସେହି ଓ୍ୱାଟରଗେଟ ବିଷୟରେହିଁ ବେଶି କଥା କହିଛନ୍ତି । କଥା ତ କହିନାହାନ୍ତି, କେତେକ ସ୍ୱୀକାରୋକ୍ତିହିଁ କରିଛନ୍ତି । କେତେକ କଥା ମାନି ଯାଇଛନ୍ତି ଏବଂ ଆଉ କେତେକ କଥାକୁ ତଥାପି ଅସ୍ପଷ୍ଟତା ଭିତରେ ରଖି ଦେଇଛନ୍ତି । ସ୍ୱୀକାରୋକ୍ତି କରି ଶ୍ରୀଯୁକ୍ତ ନିକସନ କହିଛନ୍ତି ଯେ ଓ୍ୱାଟରଗେଟ ମାମଲାରେ ସେ ଭୁଲ କରିଛନ୍ତି, ମିଛ ବି କହିଛନ୍ତି । ମାତ୍ର ସେହି ସଂକ୍ରାନ୍ତରେ ହୋଇ ଯାଉଥିବା ଯେତେ ଚୋରି ଏବଂ ତୋଷରପାତର ବ୍ୟାପାର ଏପର୍ଯ୍ୟନ୍ତ ଲୋକଗୋଚରକୁ ଆସିଲାଣି, ସେ ସବୁଥିରେ ତାଙ୍କର ଆଦୌ କୌଣସି ଭାଗ ନାହିଁ, ଅର୍ଥାତ୍ ଏ ସବୁଥିରୁ ସେ ପ୍ରକୃତରେ ଆଦୌ କୌଣସି ଭାଗ ନେଇନାହାନ୍ତି ଅଥବା ଭାଗ ପାଇ ନାହାନ୍ତି ।

 

ହଁ, ଶ୍ରୀଯୁକ୍ତ ନିକ୍‌ସନ ପୁନଶ୍ଚ କହିଛନ୍ତି ଯେ ସେ ଆଇନ ଅନୁସାରେ ଆଦୌ କୌଣସି ଭୁଲ କରି ନାହାନ୍ତି । ଆନ୍ତର୍ଜାତିକ ଆଇନଶାସ୍ତ୍ରରେ ଅନେକ କଥା ଆଇନ ଅନୁସାରେ ଅପରାଧ ନ ହୋଇପାରେ, ସତକୁ ସତ ତାହା ଅପରାଧ ହୋଇଥିଲେ ମଧ୍ୟ ଆଇନ ଅନୁସାରେ ଆଦୌ ଅପରାଧ ନୁହେଁ ବୋଲି ପ୍ରମାଣିତ କରାଯାଇପାରେ । ଜଣେ ସତକୁ ସତ ମଣିଷ ମାରିଥିଲେ ମଧ୍ୟ ତଥାପି ଆଇନ ଅନୁସାରେ ସିଏ ଅପରାଧୀ ନ ହୋଇବିପାରେ, ଅର୍ଥାତ୍ ପ୍ରମାଣ ଅଭାବରୁ ନିର୍ଦ୍ଦୋଷରୂପେ ମୁକ୍ତ ବି ହୋଇ ଖସିଯାଇପାରେ । ଶ୍ରୀ ନିକ୍‌ସନ ପରୋକ୍ଷରେ କହିଛନ୍ତି ଯେ ସିଏ ସତକୁ ସତ ଏକାଧିକ ଅପରାଧ କରିଛନ୍ତି ସତ, ମାତ୍ର ଆଇନର ଯେତିକି କାବୁ ରହିଛି, ସେହି ଅନୁସାରେ ତାଙ୍କୁ କଦାପି ଅପରାଧୀ ବୋଲି ସାବ୍ୟସ୍ତ କରାଯାଇ ପାରିବ ନାହିଁ । ଅର୍ଥାତ୍ ଏପରି ବି କ’ଣ କୁହାଯାଇ ପାରିବ ଯେ ଆଇନ ଅନୁସାରେ ନିରପରାଧ ହୋଇ ରହିଥିଲେ ମଧ୍ୟ ଆପେ ଆପେ ଧରାଦେଇ ଓ ପଦତ୍ୟାଗ କରି ଶ୍ରୀଯୁକ୍ତ ନିକ୍‌ସନ ତଥାପି ଏକ ବଦାନ୍ୟତାର ପରିଚୟ ଦେଇଛନ୍ତି ?

 

ନିକ୍‌ସନ ଆପଣା ପକ୍ଷଟିକୁ ଆହୁରି ପରିଷ୍କାର କରିଦେଇ କହିଛନ୍ତି ଯେ, ସିଏ ପ୍ରକୃତରେ ଆହୁରି ଅନେକ ଆଗରୁ ମଧ୍ୟ ନିଜ ଇସ୍ତଫାପତ୍ର ଦାଖଲ କରିପାରିଥାନ୍ତେ ଓ ଓ୍ୱାଟରଗେଟ୍ ମାମଲାର ଯାବତୀୟ ଆବଶ୍ୟକ ଓ ଅନାବଶ୍ୟକ ଧ୍ୱନିକୁ ଶାନ୍ତ କରିଦେଇ ପାରିଥାନ୍ତେ । ମାତ୍ର ସେତେବେଳେ ଆନ୍ତର୍ଜାତିକ ପରିସ୍ଥିତି ଭୀଷଣ ଖରାପ ଥିଲା ବୋଲି ସେ ଇସ୍ଥଫା ଦେଲେ ନାହିଁ, ପରେ ଇସ୍ତଫା ଦେଲେ । ଯିଏ ଯଥାର୍ଥରେ ବୀର, ସିଏ ପରାଜୟରେ ମଧ୍ୟ ଆପଣାକୁ ତଥାପି ବୀର ବୋଲି ପ୍ରଦର୍ଶିତ କରାଇବାକୁ ଭାରି ଚେଷ୍ଟା କରିଥାଏ । ଘରପୋଡ଼ି ଭିତରୁ ନିଜ ପାଇଁ ଟିକିଏ ବୀରତ୍ୱ ବା ଉଦାରତା ସାଇତି ରଖିବ ବୋଲି ଯିଏ ଭାରି ପରିଶ୍ରମ କରିଥାଏ । ବ୍ୟକ୍ତିଗତ ବିପର୍ଯ୍ୟୟ ସତ୍ତ୍ୱେ ଯେ ନିକ୍‌ସନ ତଥାପି ଆନ୍ତର୍ଜାତିକ ପରିସ୍ଥିତିର ଅନୁକୂଳତା ଲାଗି ଆଖି ରଖିଥିଲେ, ଆମେରିକାର ଶୁଭ ଲାଗି ଚିନ୍ତା ଓ କାର୍ଯ୍ୟ କରୁଥିଲେ, ଜାତୀୟ କ୍ଷେତ୍ରରେ ଚରମ ଅସାଧୁତାର ପରିଚୟ ଦେଇ ନିକ୍‌ସନ ଯେ ଆନ୍ତର୍ଜାତିକ ପରିସ୍ଥିତି ବିଷୟରେ ଆମେରିକାର ସ୍ୱାର୍ଥ ଦୃଷ୍ଟିରୁ ପ୍ରଶସ୍ତ ଭାବରେ ଚିନ୍ତା କରୁଥିଲେ, ଏହାହିଁ ପ୍ରତିପାଦିତ କରିବାକୁ ଏବେ ସେ ଏପରି ପ୍ରଳାପ ଆରମ୍ଭ କରିଦେଇଛନ୍ତି । ତେଣୁ ଭାରତ ପାକିସ୍ତାନ ସମ୍ବନ୍ଧ ନେଇ ସେ ଏବେ ଆରମ୍ଭ କରିଥିବା ପ୍ରଳାପ ପ୍ରତି କୌଣସି ପ୍ରକାର ଗୁରୁତ୍ୱ ଆରୋପ କରିବାର କିଛିହିଁ କାରଣ ନାହିଁ ।

ତା ୧୭.୫.୧୯୭୭ ରିଖ

Image

 

ଆଫ୍ରିକା ଲାଗି ଆହ୍ୱାନ

 

ଆଫ୍ରିକା ଏକ ବିରାଟ ମହାଦେଶ ଓ ପୃଥିବୀର ରାଜନୀତିକ ମାନଚିତ୍ରରେ ଏହା ଏକ ନୂତନତମ ମହାଦେଶ । ମାତ୍ର ତିରିଶବର୍ଷ ପୂର୍ବେ ଆଫ୍ରିକା ମହାଦେଶର ଲାଇବେରିଆ ଏବଂ ଆବିସିନିଆ ଏହି ଦୁଇଟି ଦେଶକୁ ଛାଡ଼ି ସମଗ୍ର ଭୂଖଣ୍ଡ ନିର୍ମମ ଉପନିବେଶବାଦଦ୍ୱାରା ଅଧିକୃତ ଓ ଅସମର୍ଥ ହୋଇରହିଥିଲା, ଆଫ୍ରିକା ଏକ ଅନ୍ଧାରୀ ମହାଦେଶ ହୋଇରହିଥିଲା । ଆର୍ଥିକ ଏବଂ ରାଜନୀତିକ ଉପନିବେଶବାଦ ଏବଂ ସାମ୍ରାଜ୍ୟବାଦ ଆଫ୍ରିକାରେ ଯେତେଯେତେ ଜଘନ୍ୟ କାଣ୍ଡ ଭିଆଇଛି ଓ ଯେତେ ଯେତେ ଅପରାଧ ଅର୍ଜିଛି, ତାହାର ପୂର୍ଣ୍ଣାଙ୍ଗ ଇତିହାସ ହୁଏତ ଆଉ କେବେହେଲେ ଲେଖା ହୋଇପାରିବନାହିଁ । ମାତ୍ର ଉପନିବେଶବାଦର କବଳ ଭିତରୁ ବାହାରି ଆସିବା ପରେ ସ୍ୱାଧୀନ ଆଫ୍ରିକାର ଯେଉଁ ଇତିହାସ ବର୍ତ୍ତମାନ ଲେଖା ହେଉଥା’ନ୍ତା, ତାହା ପ୍ରକୃତରେ ବିଡ଼ମ୍ବିତ ହୋଇଛି ।

 

ହିସାବ କରି ଦେଖାଯାଇଛି ଯେ ଆଫ୍ରିକା ମହାଦେଶରେ ବର୍ତ୍ତମାନ ଯେଉଁ ନବସ୍ୱାଧୀନ ପଚାଶଟି ଦେଶ ରହିଛନ୍ତି, ସେଥିରୁ ମୋଟେ ପାଞ୍ଚୋଟି ଦେଶରେ ଗଣତନ୍ତ୍ର ବା ଲୋକଶାସନ ବୋଲି ଉଲ୍ଲେଖଯୋଗ୍ୟ ଭାବରେ କିଛି ନା କିଛି ରହିଛି । ଅର୍ଥାତ୍ ସେଗୁଡ଼ିକରେ ଏକାଧିକ ରାଜନୀତିକ ଦଳ ରହିଛି, ସେମାନେ ପରସ୍ପରକୁ ସ୍ୱୀକାର କରୁଛନ୍ତି, ନିର୍ବାଚନ ବି ହେଉଛି ଓ ଲୋକପ୍ରତିନିଧିମାନେହିଁ ଦେଶର ଅସଲ ମୀମାଂସକ ହୋଇରହିଛନ୍ତି । ବାକି ଆଉ ସବୁ ଦେଶରେ ବିଭିନ୍ନ ଢଙ୍ଗର ଓ ବିଭିନ୍ନ ରଙ୍ଗର ଏକଛତ୍ର ଶାସନ ଚାଲିଛି, ଏକାଧିନାୟକତ୍ୱ ଚାଲିଛି ଓ ସମସ୍ତ ପ୍ରକାର ଉପଦ୍ରବକାରୀ ଦର୍ପର ପ୍ରଦର୍ଶନ କରାଯାଉଛି । ଇତିମଧ୍ୟରୁ ପନ୍ଦରଟି ଦେଶ ସିଧା ସାମରିକ ଶାସନାଧୀନ ହୋଇରହିଛି । ସାମରିକ କର୍ତ୍ତାମାନେହିଁ ସେହିସବୁ ଦେଶରେ ସମସ୍ତ ବଳର ମାଲିକ ହୋଇରହିଛନ୍ତି । ଆଉ ଯେଉଁ ତିରିଶିଟି ଦେଶ ରହିଲେ, ସେଠାରେ ନେତାମାନେ ପ୍ରଥମେ ମୁକ୍ତ ନିର୍ବାଚନରେ ନିର୍ବାଚିତ ହୋଇ କ୍ଷମତାକୁ ଆସିଥିଲେ ସତ, ମାତ୍ର ପରେ ସେମାନେ ପ୍ରୟୋଜନ ଅନୁସାରେ ଏକଛତ୍ରବାଦ ଆଡ଼କୁହିଁ ଢଳି ପଡ଼ିଲେ ଏବଂ ତା’ପରେ ଆଉ ନିର୍ବାଚନ କରାଇବାକୁ ମନ ବି କଲେନାହିଁ ।

 

ନାଇଜିରିଆର ଇବାଡ଼ାନ ବିଶ୍ୱବିଦ୍ୟାଳୟର କୌଣସି ଅନୁଷ୍ଠାନରେ କିଛିଦିନ ତଳେ ଭାଷଣ ଦେଇ ତାଞ୍ଜାନିୟାର ରାଷ୍ଟ୍ରପତି ଜୁଲିଅସ୍ ନାଇରେରେ ମନ୍ତବ୍ୟ ଦେଇଥିଲେ ଯେ ସଂପ୍ରତି ଆଫ୍ରିକା ମହାଦେଶରେ ଅନ୍ୟାୟ ଓ ଉତ୍ପୀଡ଼ନକାରୀମାନଙ୍କ ରାଜତ୍ୱ ଚାଲିଛି । ଯେକୌଣସି ନିରପେକ୍ଷ ଅଥଚ ଆଫ୍ରିକାର ହିତଚିନ୍ତ କରୁଥିବା ପର୍ଯ୍ୟବେକ୍ଷକ ଆଫ୍ରିକା ବିଷୟରେ ହୁଏତ ଠିକ୍ ତାହାହିଁ କହିପାରିବ । ଆଫ୍ରିକାର ଶାସକମାନେ ଲୋକମାନଙ୍କ ଅପେକ୍ଷା ସେମାନଙ୍କର ବନ୍ଧୁକଗୁଡ଼ିକ ଉପରେ ଅଧିକ ବିଶ୍ୱାସ ରଖୁଛନ୍ତି, ସେହିଗୁଡ଼ିକ ଉପରେହିଁ ସବୁଠାରୁ ଅଧିକ ପରିମାଣରେ ନିର୍ଭର କରୁଛନ୍ତି ଏବଂ ଅଧିକାଂଶ ସ୍ଥଳରେ ଏହିସବୁ ବନ୍ଧୁକ, ଗୁଳା ଓ ବାରୁଦ ପ୍ରାୟ ନିୟମିତ ବିଦେଶରୁହିଁ ଆସୁଛି । ପୃଥିବୀର ବୃହତ୍ ଶକ୍ତିମାନେ ଏହା ଫଳରେ ସେହି ମହାଦେଶଟିକୁ ଆପଣାର ଏକ କ୍ରୀଡ଼ାସ୍ଥଳୀରେ ପରିଣତ କରିଛନ୍ତି । ରାଷ୍ଟ୍ରମୁଖ୍ୟମାନେ ଏହି ବୃହତ୍ ଶକ୍ତିମାନଙ୍କଠାରୁ ଅବାଧରେ ଅପର୍ଯ୍ୟାପ୍ତ ଅସ୍ତ୍ରଶସ୍ତ୍ର ଯୋଗାଡ଼ କରି ଆଣୁଛନ୍ତି ଓ ତାହାକୁ ମୁଖ୍ୟତଃ ପରସ୍ପର ବିରୁଦ୍ଧରେହିଁ ପ୍ରୟୋଗ କରୁଛନ୍ତି । ପରସ୍ପରକୁ ଗାଦିରୁ ତଡ଼ିବା ପାଇଁ କାମରେ ଲଗାଉଛନ୍ତି । ଅଥବା କିଛି ନ ହେଲେ ଆପଣା ଦେଶର ସାଧାରଣ ଜନଗଣଙ୍କୁ ଭୟଭୀତ ଏବଂ ହତବଳ କରି ରଖିବାରେହିଁ ସେଗୁଡ଼ିକର ପ୍ରୟୋଗ କରୁଛନ୍ତି । ଯେଉଁଠି ରାଜନୀତିକ ଚେତନାର ଅୟମାରମ୍ଭହିଁ ହୋଇନଥାଏ, ସେଠାରେ ଯେ ବନ୍ଧୁକ ଓ ଭୟ ପ୍ରଦର୍ଶନହିଁ ଏକମାତ୍ର ନିୟାମକ ଓ ପ୍ରବର୍ତ୍ତକ ହୋଇରହେ, ଆଫ୍ରିକା ମହାଦେଶରୁ ବର୍ତ୍ତମାନ ସେହି କଥାଟିର ଭୂରିଭୂରି ପ୍ରମାଣ ମିଳିଯାଉଛି ।

 

ଆଫ୍ରିକାରେ ଚାଲିଥିବା ଏହି ଉତ୍ପୀଡ଼ନର ପ୍ରହସନଟିରେ ଉଗାଣ୍ଡାର ଇଦି ଅମିନ ପ୍ରାୟ ଶିଖର ସୀମାରେ ରହିଛନ୍ତି । ଆପଣାକୁ ସେ ଆଫ୍ରିକାର ହିଟଲର ବୋଲି କହୁଛନ୍ତି । ଆମେ ତାଙ୍କୁ କଂସାସୁର ବୋଲି କହିପାରିବା । ହତ୍ୟାହିଁ ସେଠାରେ ଶାସନର ଏକମାତ୍ର ଧର୍ମ ହୋଇରହିଛି । ଇଦି ଅମିନ କ୍ଷମତାକୁ ଆସିବା ଦିନଠାରୁ ସେହି ଦେଶରେ କେତେ ଫିକରରେ ଓ କେତେ ନିର୍ମମ ଭାବରେ ଯେ ନିରୀହ ମଣିଷମାନଙ୍କୁ ହତ୍ୟା କରାଗଲାଣି, କେବଳ ଇଦି ଅମିନ ବିଦାୟ ନେଇ ଯାଇସାରିବା ପରେହିଁ ତାହାର ବିବରଣ ସଂଗ୍ରହ କରାଯାଇପାରିବ ଇଦି ଅମିନ ରାଜନୀତିକ ହତ୍ୟା ଭିଆଇ ଦିନେ ଉଗାଣ୍ଡାରେ କ୍ଷମତାକୁ ଆସିଥିଲେ । ଏବେ ମଧ୍ୟ ଆପଣାର ଆସନଟି ବିଷୟରେ ସେ ସନ୍ତ୍ରସ୍ତ ହୋଇରହିଛନ୍ତି ଓ ଏକ ରାଷ୍ଟ୍ରୀୟ ସନ୍ତ୍ରାସବାଦକୁହିଁ ରାଜନୀତି ବୋଲି କହୁଛନ୍ତି ।

 

ଆଫ୍ରିକା ମହାଦେଶରେ ଉନ୍ନୟନ ଏବଂ ବିକାଶହିଁ ସବୁଠାରୁ ଅଧିକ ଆଗ୍ରହର ବସ୍ତୁ ହୋଇରହିଥାନ୍ତା । ତାହାର ରାଜନୀତି ପ୍ରଧାନତଃ ନିର୍ମାଣର ରାଜନୀତି ହୋଇଥାନ୍ତା । ମାତ୍ର ଉପନିବେଶବାଦ ବେଳର ଭୂତଗୁଡ଼ାକ ସେଠି ନେତୃବର୍ଗଙ୍କୁ ଏପରି ଉଦ୍ଦଣ୍ଡ ଭାବରେ କାମୁଡ଼ି ଧରିଛି ଯେ ସ୍ୱାଧୀନତା ପରେ ମଧ୍ୟ ସେଠାରେ ନେତାମାନେ ସେହି ପୁରୁଣା ଜାଲ ଭିତରେ ଛନ୍ଦି ହୋଇରହିଛନ୍ତି ଏବଂ ଦକ୍ଷିଣ ଆଫ୍ରିକା ଓ ରୋଡ଼େସିଆର ଗୋରା ସଂଖ୍ୟାଲଘୁ ଶାସକମାନଙ୍କ ଆଙ୍ଗୁଠି ବଢ଼ାଇ ଦେଖାଇ ଦେବାଲାଗି ତାହା ପ୍ରକୃତରେ ଏକ ଘାଆ ପରି ହୋଇରହିଛି । ସେମାନେ କଳା ଶାସନର ଏହି ବର୍ବର ନମୁନାଗୁଡ଼ାକୁ ଦେଖାଇ ଆପଣାକୁ ଅଧିକ କାମ୍ୟ ବୋଲି ପରୋକ୍ଷ ଇଙ୍ଗିତମାନ ଦେବାରେ ଲାଗିଛନ୍ତି । ଆଫ୍ରିକାକୁ ଏହି ଅବସ୍ଥାଟିକୁ ଅତିକ୍ରମ କରିଯିବାକୁ ହେବ । ଆଫ୍ରିକାର ଅସଲ ବିପଦ ବାହାରୁ ନୁହେଁ, ଭିତରୁ । ତେଣୁ ଅସଲ ଆହ୍ୱାନଗୁଡ଼ାକ ମଧ୍ୟ ସେହି ଭିତରୁ । ଆଫ୍ରିକାର ନେତୃତ୍ୱ ଚେତନାର ସୋପାନରେ ଆପଣାକୁ ଗୁଣାତ୍ମକ ଏକ ଉଚ୍ଚତର ସ୍ତରକୁ ଉନ୍ନୀତ କରି ନେଇପାରିଲେ ଯାଇ ସଫଳ ଭାବରେ ସେହି ଆହ୍ୱାନଟିର ସମ୍ମୁଖୀନ ହୋଇପାରିବ ।

ତା ୧୮.୫.୧୯୭୭ ରିଖ

Image

 

ନେପାଳ ରାଷ୍ଟ୍ର ଓ ନେପାଳ ଦେଶ

 

ଭାରତବର୍ଷରେ ପୁନର୍ବାର ନେପାଳବିରୋଧୀ ପ୍ରଚାରମାନ ଆରମ୍ଭ ହୋଇଛି ବୋଲି ନେପାଳ ସରକାରଙ୍କର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ତୁଳସୀ ଗିରି ଅଭିଯୋଗ କରି କହିଛନ୍ତି । ଭାରତବର୍ଷ ଓ ନେପାଳ ମଧ୍ୟରେ ରହି ଆସିଥିବା ସାଂପ୍ରତିକ ସମ୍ବନ୍ଧର ଇତିହାସରେ ଅତୀତରେ ଏହିପରି ଏକାଧିକବାର ଅଭିଯୋଗ କରାହୋଇଛି ଏବଂ ସବୁଥର ପ୍ରାୟ ସେହି ଗୋଟିଏ କାରଣରୁହିଁ କରାହୋଇଛି ।

 

ଏକଦା ନେପାଳରେ ପ୍ରତିନିଧି-ଶାସନର ପ୍ରତିଷ୍ଠା ଲାଗି ସୁଦୃଢ଼ ପଦକ୍ଷେପମାନ ନିଆଯାଇଥିଲା । ଏହିସବୁ ପଦକ୍ଷେପ ତତ୍କାଳୀନ ରାଜାଙ୍କ ପକ୍ଷରୁ ଗ୍ରହଣ କରାଯାଇଥିଲା ସତ, ମାତ୍ର ନିର୍ବାଚନଦ୍ୱାରା ଯିଏ ରାଜ୍ୟର ପ୍ରଧାନମନ୍ତ୍ରୀ ହୋଇଆସିଲେ, ସିଏ ଲୋକତନ୍ତ୍ରରେ ବିଶ୍ୱାସ କରୁଥିଲେ, ସମାଜବାଦରେ ବିଶ୍ୱାସ କରୁଥିଲେ । ନେପାଳକୁ ପୁରାତନ ସାମନ୍ତବାଦର କବଳରୁ ମୁକ୍ତ କରି ସେ ଏକ ଆଧୁନିକ ପ୍ରଜାପାଳିତ ଦେଶରୂପେ ଗଠନ କରି ଆଣିବାକୁ ଇଚ୍ଛା କରୁଥିଲେ । ସିଏ ଠିକ୍ ସେହି ଉଦ୍ଦେଶ୍ୟରେହିଁ ନେପାଳରେ ପ୍ରାୟ ସର୍ବପ୍ରଥମେ ଏକ ଜାତୀୟ ଆନ୍ଦୋଳନ ଆରମ୍ଭ କରିଥିଲେ ଓ ସେହି ପ୍ରଜା ଆନ୍ଦୋଳନରେ ସ୍ୱୟଂ ନେତୃତ୍ୱ ଗ୍ରହଣ କରିଥିଲେ । କହିବା ବାହୁଲ୍ୟ ଯେ ତାଙ୍କର ନେତୃତ୍ୱଦ୍ୱାରା ଗଠିତ ହୋଇଥିବା ମନ୍ତ୍ରିମଣ୍ଡଳକୁ ତତ୍କାଳୀନ ନେପାଳର ରାଜା ମହେନ୍ଦ୍ର ସିଧା ବରଖାସ୍ତ କରିଦେଲେ; ଦେଶରେ ପ୍ରତିନିଧି ଶାସନର କର୍ଣ୍ଣଧାର ହୋଇରହିଥିବା ମନ୍ତ୍ରିମଣ୍ଡଳକୁ ଭାଙ୍ଗିଦେଲେ ଓ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ କୋଇରାଲାଙ୍କୁ ବନ୍ଦୀ କରିରଖିଲେ । ସିଏ ପ୍ରାୟ ପୁରୁଷକ ତଳର ଘଟଣା । ଶ୍ରୀଯୁକ୍ତ କୋଇରାଲା ସେହିଦିନୁ ପ୍ରାୟ ଅବିଚ୍ଛିନ୍ନ ଭାବରେ ରାଜବନ୍ଦୀ ହୋଇରହିଛନ୍ତି । ତାଙ୍କୁ ଦେଶଦ୍ରୋହର ମକଦ୍ଦମାରେ ଅଭିଯୁକ୍ତ କରି ରଖାଯାଇଛି । ଏପର୍ଯ୍ୟନ୍ତ ସେହି ମକଦ୍ଦମାର ବିଚାର ହେଲାଣି କି ନାହିଁ, ସେକଥା କହିବାର ଉପାୟ ନାହିଁ ।

 

ଆଗେ ଯେତେବେଳେ ବିଭିନ୍ନ ଦେଶରେ ରାଜତନ୍ତ୍ରମାନ ଆପଣାକୁ ଜାହିର କରି ରଖିଥିଲା, ସେତେବେଳେ ରାଜାମାନେ ରାଷ୍ଟ୍ର ଓ ଦେଶ ଭିତରେ ଆଦୌ କୌଣସି ପ୍ରଭେଦ ଦେଖିପାରୁ ନଥିଲେ । ଦେଶ କହିଲେ ସେମାନେ ପୂର୍ଣ୍ଣତଃ ଆପଣାକୁହିଁ ବୁଝୁଥିଲେ ଏବଂ ଆପଣାର ଆସନରକ୍ଷାକୁହିଁ ଦେଶର ଏକମାତ୍ର ଭାଗ୍ୟ ବୋଲି ବୁଝୁଥିଲେ । ପ୍ରଜାତନ୍ତ୍ରର ଯୁଗ ଅର୍ଥାତ୍ ଜନଚେତନାର ଯୁଗ ଆସି ପହଞ୍ଚିବା ପରେ ରାଜତନ୍ତ୍ରର କ୍ଷୟ ହୋଇଆସିଲା । ଅଧିକାଂଶ ଦେଶରୁ ରାଜତନ୍ତ୍ର ବିଦାୟ ହୋଇଗଲା । ଯେଉଁଠି ରାଜାମାନେ ତଥାପି ରହିଲେ, ସେଠାରେ ନିତାନ୍ତ ନାମକୁମାତ୍ର ରହିଲେ । ଇଂଲଣ୍ଡ, ଡେନମାର୍କ ଓ ସୁଇଡ଼େନ ପ୍ରଭୃତି ଦେଶକୁ ଆମେ ଏହାର କେତୋଟି ଉଦାହରଣରୂପେ ଗ୍ରହଣ କରିପାରିବା । ଏହିସବୁ ଦେଶରେ ରାଜାମାନେ ପ୍ରଧାନତଃ ଗୋଟିଏ ଗୋଟିଏ ପ୍ରତୀକ ହୋଇରହିଛନ୍ତି, ପ୍ରଜାମାନଙ୍କଦ୍ୱାରା ଶାସିତ ଏବଂ ନିୟନ୍ତ୍ରିତ ହୋଇରହିଛନ୍ତି ।

 

ପ୍ରାୟ ତିରିଶ ବର୍ଷ ତଳେ ଯେତେବେଳେ ଏକ ଦୀର୍ଘ ସ୍ୱାଧୀନତା ସଂଗ୍ରାମର ଫଳସ୍ୱରୂପ ଭାରତବର୍ଷ ରାଜନୀତିକ ସ୍ୱାଧୀନତା ଲାଭ କଲା, ସେତେବେଳେ ଏସିଆର ଇତିହାସରେ ଏକ ନୂଆଯୁଗାରମ୍ଭ ହେଲା । ଏସିଆର ଅନ୍ୟ ଦେଶମାନେ ଗୋଟିକ ପରେ ଗୋଟିଏ ହୋଇ ସ୍ୱାଧୀନ ହେଲେ । ଉପନିବେଶବାଦର ଅବସାନ ହେଲା । ଏଥିପାଇଁ କୌଣସି ଦେଶର ଶାସକ ଯଦି ଭାରତବର୍ଷକୁ ଦୋଷ ଦେବେ, ତେବେ ସେଥିରେ ପୁଣି କି ଉତ୍ତର ଦିଆଯାଇ ପାରିବ ? ସ୍ୱାଧୀନ ଭାରତବର୍ଷର ଏହି ନବଚେତନା ଯେ ନେପାଳର ଜନଗଣଙ୍କୁ ମଧ୍ୟ ସ୍ପର୍ଶ କରିଥିବ, ସେଥିରେ ଅନ୍ୟ ମତ ରହିବାର ଆଦୌ କୌଣସି ଅବକାଶ ନାହିଁ । ଉଲ୍ଲେଖ କରି ରଖିବାର କଥା ଯେ ପ୍ରାୟ ସେହି ସମୟରୁହିଁ ନେପାଳରେ ଶ୍ରୀଯୁକ୍ତ କୋଇରାଲାଙ୍କ ନେତୃତ୍ୱରେ ଏକ ଗଣଆନ୍ଦୋଳନର ସୂତ୍ରପାତ ହୋଇଥିଲା ଏବଂ ନେପାଳର ରାଜାମାନେ ପୁରୁଷାନୁକ୍ରମେ ସେହି ଆନ୍ଦୋଳନକୁ ଭାରତବର୍ଷଦ୍ୱାରା ଅନୁପ୍ରଭାବିତ ହେଉଥିବାର ଯେ ଭାବିବାକୁ ଲାଗିଲେ, ତାହାକୁ ମଧ୍ୟ କେହି ଆଦୌ କୌଣସି ପ୍ରକାରେ ଏକ ଅସ୍ୱାଭାବିକ ଘଟଣା ବୋଲି କହିବାକୁ ଯିବେ ନାହିଁ । ଭାରତବର୍ଷରେ ପ୍ରଜାତନ୍ତ୍ରର କ୍ରମବିବର୍ତ୍ତନ ଯେ ନେପାଳର ରାଜଶାସିତ ଜନଗଣଙ୍କର ଚେତନା ମଧ୍ୟରେ ନାନା ଅସନ୍ତୋଷ ଓ ଉଦ୍‍ବେଳନ ସୃଷ୍ଟି କରିବ ଏବଂ ସେମାନଙ୍କୁ ସ୍ୱବିବର୍ତ୍ତନର ପଥରେ ଆହୁରି ପାଦେ ପାଦେ ଆଗକୁ ଯିବା ଲାଗି ପ୍ରେରଣା ଦେଉଥିବ, ସେଥିରେ ମଧ୍ୟ କୌଣସି ସନ୍ଦେହର ଅବକାଶ ନାହିଁ ।

 

ନେପାଳର ପ୍ରଧାନମନ୍ତ୍ରୀ ଅଥବା ନେପାଳର ରାଜା କ’ଣ ସତରେ ଭାବୁଛନ୍ତି ଯେ ଭାରତର ସରକାର ନେପାଳ ଭିତରେ ଏହି ଅସନ୍ତୋଷ ସୃଷ୍ଟି କରିବାରେ ପ୍ରୋତ୍ସାହନ ଦେଉଛନ୍ତି ? ଯାହାଙ୍କୁ ବର୍ତ୍ତମାନ ନେପାଳର ପ୍ରଧାନମନ୍ତ୍ରୀ ବୋଲି କୁହାଯାଉଛି, ସିଏ ଲୋକମାନଙ୍କଦ୍ୱାରା ନିର୍ବାଚିତ ହୋଇ ଆସିନାହାନ୍ତି; ସିଏ ସ୍ୱୟଂ ମହାରାଜାଙ୍କଦ୍ୱାରା ନିଯୁକ୍ତ ହୋଇଛନ୍ତି । ଅସଲ ନିର୍ବାଚିତ ପ୍ରତିନିଧି ମହାରାଜାଙ୍କ ଆଦେଶରେହିଁ କାରାଦଣ୍ଡ ଭୋଗ କରୁଛନ୍ତି । ଭାରତବର୍ଷରେ ଗଣତନ୍ତ୍ରର ଇତିହାସରେ ନୂଆ ନୂଆ ପ୍ରସ୍ତରର ଥାପନା ହୋଇଯାଉଥିବା ସମୟରେ ନେପାଳର ଜନଗଣ ଯଦି ତଥାପି ଜଣେ ମହାରାଜା ଓ ତାଙ୍କଦ୍ୱାରା ନିଯୁକ୍ତ ଓ ତାଙ୍କରି ଆଜ୍ଞାବହ ଏକ ସରକାରକୁହିଁ ଆପଣାର ଚିରନ୍ତନ ଭାଗ୍ୟ ବୋଲି ମାନିନେବେ ବୋଲି ନେପାଳରେ କୌଣସି କର୍ତ୍ତା ପ୍ରକୃତରେ ବିଶ୍ୱାସ କରୁଥିବେ, ତେବେ ତାଙ୍କୁ ଭାରି ନିରାଶ ହେବାକୁ ପଡ଼ିବ । ଆଜି ନ ହେଲେ କାଲି ନିରାଶ ହେବାକୁ ପଡ଼ିବ । ଇତିହାସ ସବୁ ରାଜାଙ୍କୁ ଯେପରି ନିରାଶ ହେବାକୁ ପଡ଼ିଛି, ତାଙ୍କୁ ମଧ୍ୟ ଠିକ୍ ସେହିପରି ନିରାଶ ହେବାକୁ ପଡ଼ିବ । ଭାରତବର୍ଷ ବିରୁଦ୍ଧରେ ସିଏ ଯେଡ଼େ ପାଟିରେ ଅଭିଯୋଗ କରି କହିଲେ ମଧ୍ୟ ତଥାପି ନିରାଶ ହେବାକୁ ପଡ଼ିବ ।

 

ରାଷ୍ଟ୍ର ଆଉ ରାଜ୍ୟ ଗୋଟିଏ କଥା ନୁହେଁ । ରାଷ୍ଟ୍ର ବଦଳିଯାଏ ମାତ୍ର ରାଜ୍ୟ ରହିଥାଏ । ଯେଉଁମାନେ ରାଷ୍ଟ୍ରର ଶାସନ କରୁଥାନ୍ତି, ପ୍ରାୟ ସ୍ୱାଧିକାରପ୍ରମତ୍ତ ହୋଇ ସେମାନେ ରାଷ୍ଟ୍ରକୁହିଁ ରାଜ୍ୟର ସମବାଚୀରୂପେ ବିଚାର କରିବାକୁ ଆରମ୍ଭ କରନ୍ତି ଏବଂ କ୍ରମଶଃ ଅନ୍ଧ ହୋଇପଡ଼ନ୍ତି । ସେମାନେ ଆଉ ଯୁଗର ସଙ୍କେତଗୁଡ଼ିକୁ ଠଉରାଇ ପାରନ୍ତିନାହିଁ । ସେହି ପୁରୁଣା ରାଜନୀତିର ଫାନ୍ଦ ଭିତରେ ଛନ୍ଦିହୋଇ ରହିଯାଆନ୍ତି । ରାଜା ମହେନ୍ଦ୍ରଙ୍କ ପୁତ୍ର ରାଜା ବୀରେନ୍ଦ୍ର ଯଦି ସେହିପରି ଏକ ଫାନ୍ଦରେ ଛନ୍ଦିହୋଇ ରହିବାକୁ ଇଚ୍ଛା କରୁଥା’ନ୍ତି, ତେବେ ତାଙ୍କ ପକ୍ଷରେ ତାହା ଭାରି ଦୁର୍ଭାଗ୍ୟର କଥା ହେବ । ସିଏ ପଛରେ ପଡ଼ି ରହିବେ, ନେପାଳର ଜନଭାଗ୍ୟ ତାଙ୍କୁ ଛାଡ଼ି ଆଗକୁ ଆଗକୁ ଆଗେଇ ଚାଲିବ ।

ତା ୧୯.୬.୧୯୭୭ ରିଖ

Image

 

ସାଧୁମାନେ ବାହାରିଗଲେ

 

ଭାରତୀୟ ଜାତୀୟ କଂଗ୍ରେସରୁ ବାହାରିଯିବେ ବୋଲି ନିକଟରେ ଭାରତର ସାଧୁମାନେ ନିଷ୍ପତ୍ତି ଗ୍ରହଣ କରିଛନ୍ତି ବୋଲି ଗୋଟିଏ ସମ୍ବାଦ ପ୍ରକାଶ ପାଇଛି । ବିଗତ କେତେବର୍ଷ ହେଲା ଭାରତୀୟ ସାଧୁମାନଙ୍କର ଗୋଟିଏ ବିଧିବଦ୍ଧ ଓ ଔପଚାରିକ ଗୋଷ୍ଠୀ ରହିଆସିଛି । ସେହି ଗୋଷ୍ଠୀକୁ ସେମାନେ ଭାରତୀୟ ସାଧୁସମାଜ ବୋଲି କହିଆସିଛନ୍ତି । ଗଣତାନ୍ତ୍ରିକ ଯୁଗରେ ଆପଣାର ଅସ୍ତିତ୍ୱଗତ ନାନା ସ୍ୱାତନ୍ତ୍ର୍ୟ ଏବଂ ସଙ୍ଗଠନକୁ ବଜାୟ ରଖିବାକୁ ହେଲେ ନିଜର ଏକ ଗୋଷ୍ଠୀ ଗଢ଼ିବାକୁ ହେବ ଏବଂ ଏକ ଗୋଷ୍ଠୀ ହିସାବରେ ବାହାର ସଂସାର ସହିତ ଯାହାକିଛି ସମ୍ପର୍କ ସ୍ଥାପନ କରିବାକୁ ହେବବୋଲି ଆମ ଦେଶରେ ସାଧୁମାନେ ବି କ୍ରମେ ଉପଲବ୍‌ଧି କରିଥିଲେ ଓ ତେଣୁ ଆପଣାର ଏକ ସ୍ୱୀକୃତ ପରିଚୟପତ୍ରରୂପେ ଗୋଟିଏ ଗୋଷ୍ଠୀ ଗଠନ କରିଥିଲେ । ଏହି ସାଧୁସମାଜ ତରଫରୁ ଏକଦା ନୂଆଦିଲ୍ଲୀରେଥିବା ଭାରତୀୟ ପାର୍ଲିଆମେଣ୍ଟ ଭବନ ଉପରେ ଆକ୍ରମଣ ବି ହୋଇଥିଲା । ସେଦିନ ଅନେକ ସାଧୁ ଆହତ ହୋଇଥିଲେ; ତାହାଠାରୁ ଆହୁରି ଅଧିକ ସଂଖ୍ୟାର ସାଧୁ କାରାବରଣ କରିଥିଲେ ।

 

ମାତ୍ର କାଳକ୍ରମେ ଅବସ୍ଥା ବଦଳି ଆସିଲା । ଯୁଗର ଗତିବିଧିଗୁଡ଼ିକୁ ଠଉରାଇ ସାଧୁମାନେ କ୍ରମେ ବାଧ୍ୟ ହୋଇଆସିଲେ, ପରମେଶ୍ୱରଙ୍କର ମାର୍ଗ ଅନୁସରଣ କରିବା ସଙ୍ଗେ ସଙ୍ଗେ ସଂସାରର ଆହୁରି ଅନେକ ଈଶ୍ୱରଙ୍କ ପାଖରେ ଯେ ଯଥାନୁରୂପ ବାଧ୍ୟ ହୋଇରହିବାକୁ ପଡ଼େ, ସାଧୁମାନେ ସତେ ଅବା ଅଗତ୍ୟା ସେହି ନ୍ୟାୟଟିକୁ ହୃଦୟଙ୍ଗମ କରିଥିଲେ ଓ ତତ୍କାଳୀନ ସରକାରଙ୍କର ଅର୍ଥାତ୍ ଭାରତୀୟ ଜାତୀୟ କଂଗ୍ରେସର କିଞ୍ଚିତ୍ ଅନୁଗତ ହୋଇଆସିଲେ ଏବଂ ଅନ୍ୟ ପକ୍ଷରେ କଂଗ୍ରେସର ତୁଙ୍ଗ ନେତାମାନେ ମଧ୍ୟ ସାଧୁସମାଜର ପୃଷ୍ଠପୋଷକତା କଲେ, ସେମାନଙ୍କର ଆନୁଷ୍ଠାନିକ ସମାବେଶମାନଙ୍କରେ ଅତିଥି ହୋଇବସିଲେ, ଭାଷଣମାନ ଦେଲେ । କୃତଜ୍ଞତା ଜଣାଇବା ପରି ଭାରତୀୟ ସାଧୁସମାଜ ବି କଂଗ୍ରେସର ନେତା ଅର୍ଥାତ୍ ସରକାରୀ ନାୟକମାନଙ୍କୁ ଆଶୀର୍ବାଦ ଦେଲେ, ସରକାର ପ୍ରକୃତରେ ଧର୍ମପଥରେ ରହିଛନ୍ତି ବୋଲି ଆପଣାର ଯାବତୀୟ ସଙ୍ଗଠନ ମାଧ୍ୟମରେ ଦେଶର ଜନଗଣଙ୍କ ମନରେ ଏକ ବାତାବରଣ ସୃଷ୍ଟି ହେବାରେ ସେମାନେ ନାନାପ୍ରକାର ସାହାଯ୍ୟ କରିବାକୁ ଲାଗିଲେ ।

 

ଯିଏ ସଂସାର ଛାଡ଼ି ସନ୍ନ୍ୟାସ ଗ୍ରହଣ କରେ, ଆମ ଦେଶର ଲୋକାଚାରରେ ସଚରାଚର ତାହାକୁହିଁ ଜଣେ ସାଧୁବୋଲି କୁହାଯାଏ । ସେମାନଙ୍କ ଭିତରେ ଅନେକ ସଂପ୍ରଦାୟ ରହିଥାଏ ଓ ତେଣୁ ଅନେକ ବିବାଦ ମଧ୍ୟ ରହିଥାଏ; ତଥାପି ଏମାନଙ୍କୁ ଗୋଟିଏ ଯୂଥରେ ପୂରାଇ ଆମେ ଏମାନଙ୍କୁ ସାଧୁ ବୋଲି କହୁ । ସେମାନଙ୍କର ଭେକରୁହିଁ ଆମେ ସେମାନଙ୍କୁ ଚିହ୍ନୁ । ଏମାନଙ୍କର ଭେକରୁ ଏମାନେ ଆଉ ଯାହାକିଛି ଭଳି ଦିଶନ୍ତୁ ପଛକେ, ମାତ୍ର ଲୋକଚକ୍ଷୁରେ ଅବଶ୍ୟ ସାଧୁଙ୍କ ପରି ଦିଶନ୍ତି ଏବଂ ପ୍ରଧାନତଃ ସେହି କାରଣରୁହିଁ ସଂସାରସ୍ଥ ଲୋକମାନେ ସେମାନଙ୍କୁ ଭାରି ସହଜରେ ବାରି ନେଇଥାନ୍ତି । ଆପେ ମୋଟେ ସାଧୁ ହୋଇନଥିଲେ ମଧ୍ୟ ସାଧୁମାନଙ୍କୁ ଭାରି ସହଜରେ ବାରି ନେଇପାରନ୍ତି । ସେମାନଙ୍କର ସଂସର୍ଗ ଲାଭ କରିପାରିଲେ ନିଜକୁ କୃତକୃତ୍ୟ ମନେକରନ୍ତି । ଆମର ଭାରତବର୍ଷରେ ସବୁ କାଳରେ ଓ ସବୁ ଯୁଗରେ ସାଧୁର ଆଦର ହୋଇ ଆସିଛି ବୋଲି ଆମକୁ ଅନେକ ଉତ୍ସାହ ଦେବା ଭଳି ଏକ ପାରମ୍ପରିକ ଲୋକାପବାଦ ମଧ୍ୟ ରହିଛି ।

 

କଂଗ୍ରେସ ଭିତରୁ ଏବେ କେବଳ ଯେ ସାଧୁମାନେ ବାହାରି ଆସିଲେ, ସେକଥା ଆଦୌ ନୁହେଁ । ଆହୁରି ଅନେକ ଲୋକ କଂଗ୍ରେସ ଭିତରୁ ବାହାରି ଆସିଲେଣି । ସାଧୁମାନେ ତ ପ୍ରାୟ ସବାଶେଷରେ ଆସିଲେ; ଯେତେବେଳେ କଂଗ୍ରେସରେ ରହିବାଦ୍ୱାରା ନିଜର ସାଧୁତ୍ୱ ଉପରେ ପ୍ରାୟ ନିଶ୍ଚିତ ଭାବରେ ଏକ ଆଞ୍ଚ ଆସିବ ବୋଲି ସେମାନେ ଆଶଙ୍କା କରିବାକୁ ଆରମ୍ଭ କଲେ, ସେତେବେଳେ ଯାଇ ଭାରତୀୟ ସାଧୁ ସମାଜ ଜରିଆରେ ଆମ ସାଧୁମାନେ କଂଗ୍ରେସ ଭିତରୁ ବାହାରି ଆସିବା ଲାଗି ନିଷ୍ପତ୍ତି ଗ୍ରହଣ କଲେ । ସମ୍ଭବତଃ ଏକ ସମୂହ ହିସାବରେ ଆପଣାର ନିରାପତ୍ତା ଲାଗିହିଁ ସେମାନେ ଏହି ନିଷ୍ପତ୍ତି ଗ୍ରହଣ କଲେ । ଏହି ନିଷ୍ପତ୍ତି ପଛରେ ରାଜନୀତିକ ଆଦର୍ଶବାଦ ଅଥବା ଜାତୀୟ ଆବଶ୍ୟକତାଗତ ଆଦୌ କୌଣସି କାରଣ ରହିଥିବ ବୋଲି ଯଦି ଆମେ ବିଚାର କରୁଥିବା, ତେବେ ଆମେ ତଦ୍ଦ୍ୱାରା ହୁଏତ ଗୋଟିଏ ଭୁଲ କରି ବସିବା । କୌଣସି ପ୍ରକାର ରାଜନୀତିକ ଅଥବା ଆଦର୍ଶଗତ କାରଣରୁ ଭାରତର ସାଧୁମାନେ ଭାରତୀୟ ଜାତୀୟ କଂଗ୍ରେସ ଭିତରକୁ ଆସିନଥିଲେ, ଠିକ୍ ସେହିପରି କୌଣସି ପ୍ରକାର ରାଜନୀତିକ ଓ ଆଦର୍ଶଗତ କାରଣରୁ ମଧ୍ୟରୁ ସେମାନେ ବର୍ତ୍ତମାନ କଂଗ୍ରେସ ଭିତରୁ ବାହାରି ଯାଇ ନାହାନ୍ତି ମଧ୍ୟ । କୌଣସି ଏକ ଦେଶରେ ରାଜନୀତିକ ପରିବର୍ତ୍ତନ ଘଟିଲେ ରାଜନୀତି ବାହାରେ ରହିଥିବା ଏକାଧିକ ଗୋଷ୍ଠୀ ଯେପରି ସେହି ପରିବର୍ତ୍ତନ ସହିତ ନିଜକୁ ଯଥାସମ୍ଭବ ଖାପ ଖୁଆଇ ନେବାକୁ ଚେଷ୍ଟା କରନ୍ତି ଓ ତାହାରିଦ୍ୱାରା ତିଷ୍ଠି ରହିବେ ବୋଲି ବିଶ୍ୱାସ ବି କରୁଥାନ୍ତି, ଭାରତୀୟ ସାଧୁସମାଜ ଏବେ ଯାହା କଲେ, ଆମେ ତାହାକୁ ମୂଳତଃ ସେହି ଦୃଷ୍ଟିରୁହିଁ ବିଚାର କରିବା ଉଚିତ ।

 

ଇଚ୍ଛା କରୁଥିଲେ ଭାରତୀୟ ସାଧୁସମାଜ ଜାତୀୟ ସ୍ଥିତି ତଥା ଜାତୀୟ ଚେତନାର ବିବର୍ତ୍ତନରେ ଆହୁରି ଅଧିକ ସକ୍ରିୟ ଭାବରେ ଆପଣାର ଭୂମିକାଟିକୁ ସଞ୍ଚାଳିତ କରିପାରୁଥାନ୍ତା । ମାତ୍ର ଭାରତୀୟ ସାଧୁ ପରମ୍ପରାର ଅନେକ ବଦ୍ଧମୂଳ ବିଶ୍ୱାସ ଏବଂ ସଂସ୍କାରକୁ ବଦଳାଇଲେ ଯାଇ ସିଏ ତାହା କରିପାରନ୍ତା । ସଂସାର ଛାଡ଼ିବାଟାକୁ ଯେ ସର୍ବଦା ଭଗବତ୍ ମାର୍ଗରେ ଯିବା ବୋଲି କଦାପି କୁହାଯାଇ ପାରିବନାହିଁ, ଏହିପରି ଏକ ସତ୍ୟକୁ ସ୍ୱୀକାର କରିନେଇ ପାରିଲେ ଯାଇ ଆମର ସାଧୁମାନେ ଆମର ଯଥାର୍ଥ ସହଯୋଗୀ ଓ ସହଚାରୀ ହୋଇପାରନ୍ତେ । ଆମ ଦେଶର ବୈରାଗୀମାନେ ଯଦି ବୈରାଗ୍ୟ ଅପେକ୍ଷା ଶ୍ରଦ୍ଧାକୁହିଁ ଅଧିକ ମୂଲ୍ୟବାନ ଏକ ଆଧ୍ୟାତ୍ମିକ ଦୃଷ୍ଟିକୋଣ ବୋଲି ଗ୍ରହଣ କରନ୍ତେ, ଆପଣାର ଉପଲବ୍‌ଧିଗୁଡ଼ିକଦ୍ୱାରା ଯଦି ସେମାନେ ଆପଣାକୁ ଏହି ପୃଥିବୀକୁ ବଦଳାଇ ପାରିବାର ଗୋଟିଏ ଗୋଟିଏ ଦିବ୍ୟ କେନ୍ଦ୍ରରୂପେ ଗଢ଼ିଆଣି ପାରନ୍ତେ, ତେବେ ସେମାନେ ଭଗବାନଙ୍କର ଏହି ପୃଥିବୀ ସକାଶେ ଅନେକ କାମରେ ଲାଗିପାରନ୍ତେ ।

 

ଧର୍ମକୁ ସଂସାରବିମୁଖ ନ କରି ଧର୍ମସ୍ଥ ଜୀବନକୁ ଅଧିକରୁ ଅଧିକ ପରିମାଣରେ ଜୀବନମୁଖୀ କରିପାରିବା ଲାଗି ଧର୍ମର ଇତିହାସରେ ନାନା ଯୁଗରେ ଓ ନାନା ଦେଶରେ କେତେକେତେ ପ୍ରତିବାଦ ଆନ୍ଦୋଳନ ହୋଇଆସିଛି । ଓଡ଼ିଶାର ମହିମାଧର୍ମକୁ ଅନେକ ପରିମାଣରେ ଏହିପରି ଏକ ପ୍ରତିବାଦ ଆନ୍ଦୋଳନ ବୋଲି କୁହାଯାଇ ପାରିବ । ମାତ୍ର କାଳକ୍ରମେ ସେହିସବୁ ଆନ୍ଦୋଳନ ନାନା ବିକୃତି ଓ ଅନାବଶ୍ୟକ ବୈରାଗ୍ୟର ପ୍ରଲୋଭନରେ ପଡ଼ିଯାଇଛନ୍ତି ଓ ଆପଣାର ଅସଲ ସୂତ୍ରଗୁଡ଼ିକୁ ହରାଇ ପକାଇଛନ୍ତି । ସେମାନେ ଏକ ଅକାରଣ ବିରକ୍ତ ଭାବଦ୍ୱାରା ପ୍ରେରିତ ହେଇ କେବଳ ଆପଣାକୁହିଁ ସାଧୁ ବୋଲି ଚିହ୍ନାଇବା ଅର୍ଥାତ୍ ସାଧୁର ଭେକ ଧାରଣ କରି ଯାବତୀୟ ସମସ୍ୟାର ସମାଧାନ କରିଦେଲେ ବୋଲି ଭ୍ରମ କରିଛନ୍ତି । ଭଗବାନଙ୍କୁ ସଂସାର ଭିତରୁ ନିର୍ବାସିତ କରି ରଖିଛନ୍ତି । ସେ ଯାହାହେଉ, କଂଗ୍ରେସରୁ ସାଧୁମାନେ ଚାଲିଯିବା ଯେତିକି ଆବଶ୍ୟକ ନଥିଲା, ସେତିକି ଆବଶ୍ୟକତା ରହିଛି ଅସାଧୁମାନଙ୍କର ଚାଲିଯିବା, କୁଚକ୍ରୀମାନଙ୍କର ପଳାୟନ କରିବା । ଆଶା କରାଯାଉ, ଏଥର ହେଲେ ସେହି ଅସାଧୁମାନେ ଏହି ସାଧୁମାନଙ୍କର ପଦାଙ୍କ ଅନୁସରଣ କରି କଂଗ୍ରେସକୁ ବଞ୍ଚିରହିବା ପାଇଁ ସୁଯୋଗ ପ୍ରଦାନ କରିବେ ।

ତା ୨୦.୬.୧୯୭୭ ରିଖ

Image

 

ଅଙ୍ଗୀକାରବଦ୍ଧ

 

ଦକ୍ଷିଣ କୋରିଆର ପ୍ରତିରକ୍ଷା ବିଷୟରେ ଯୁକ୍ତରାଜ୍ୟ ଆମେରିକାର ସରକାର ଅଙ୍ଗୀକାରବଦ୍ଧ ହୋଇ ରହିଛନ୍ତି ବୋଲି କିଛିଦିନ ତଳେ ଏହି ସଂକ୍ରାନ୍ତୀୟ ଏକ ଆଲୋଚନାରେ ଦକ୍ଷିଣ କୋରିଆରେ ଅବସ୍ଥାପିତ ଆମେରିକା ତରଫ ସୈନ୍ୟବାହିନୀର ଏକ ମୁଖପାତ୍ରଙ୍କ ପକ୍ଷରୁ ମତ ପ୍ରକାଶ ପାଇଥିଲା । ଆମେ ସମସ୍ତେ ଜାଣୁ ଯେ ଦକ୍ଷିଣ କୋରିଆ ମୋଟେ ଏହି ପଚିଶି ବର୍ଷର ସୃଷ୍ଟି । ଆଗେ ଉତ୍ତର କୋରିଆ ନ ଥିଲା କିମ୍ବା ଦକ୍ଷିଣ କୋରିଆ ନଥିଲା । କୋରିଆ ଏକ ଗୃହଯୁଦ୍ଧ ଫଳରେହିଁ ଦୁଇଭାଗ ହୋଇଥିଲା ଏବଂ ଗୋଟିଏ ଦେଶର ଏହି ଦୁଇଭାଗ ହେବା ସକାଶେ ଭବିଷ୍ୟତର ଇତିହାସ ପ୍ରଧାନତଃ ଯୁକ୍ତରାଜ୍ୟ ଆମେରିକାର ସରକାରଙ୍କୁହିଁ ଦାୟୀ କରିବ । ଠିକ୍ ଯେପରି ସର୍ବପ୍ରଥମେ ଦକ୍ଷିଣ ଭିଏତ୍‌ନାମ କିମ୍ବା ଉତ୍ତର ଭିଏତ୍‌ନାମ ନଥିଲେ, କେବଳ ଗୋଟିଏ ଭିଏତ୍‌ନାମ ଥିଲା ଓ ଆପଣାର ସ୍ୱାଧୀନତା ପ୍ରତିଷ୍ଠା ଲାଗି ସଂଗ୍ରାମ କରୁଥିବା ଏକ ଜାତି ରହିଥିଲା । ଏକ ଗୃହଯୁଦ୍ଧ ଫଳରେହିଁ ଭିଏତ୍‌ନାମ ଦୁଇଭାଗ ହେଲା ଏବଂ ବର୍ତ୍ତମାନ ସେହି ଦେଶର ଦୁଇଭାଗ ହେବାଲାଗି ଯେପରି ମୁଖ୍ୟତଃ ଯୁକ୍ତରାଜ୍ୟ ଆମେରିକାକୁ ଦାୟୀ କରାଯାଇ ପାରିବ, କୋରିଆ ବା ଦକ୍ଷିଣ କୋରିଆ ବିଷୟରେ ମଧ୍ୟ ଆମେ ଠିକ୍ ସେହିକଥା କହିପାରିବା ଏବଂ ଅଦୂର ଭବିଷ୍ୟତରେ, ଯେତେବେଳେ ହୁଏତ ଦୁଇ କୋରିଆ ମିଶି ପୂର୍ବପରି ଅବିଭକ୍ତ ଗୋଟିଏ କୋରିଆରୂପେ ପ୍ରତିଷ୍ଠିତ ହେବ, ସେତେବେଳେ ନିର୍ଭୟ ଭାବରେ କୋରିଆର ଇତିହାସ ଲେଖା ହେଲାବେଳେ ଯୁକ୍ତରାଜ୍ୟ ଆମେରିକାର ସରକାରଙ୍କୁହିଁ ବିଭାଜନର ଦୁର୍ଭାଗ୍ୟ ଲାଗି ମୁଖ୍ୟତଃ ଦାୟୀ କରାଯିବ ।

 

ଯୁକ୍ତରାଜ୍ୟ ଆମେରିକା ହେଉଛି ଆଧୁନିକ ପୃଥିବୀର ଏକ ବୃହତ୍‌ଶକ୍ତି । ଦ୍ୱିତୀୟ ମହାଯୁଦ୍ଧ ପରେ ବିଶ୍ୱ ରାଜନୀତିରେ ଏହିପରି ଦୁଇଟି ତଥାକଥିତ ବୃହତ୍ ଶକ୍ତିର ଆବିର୍ଭାବ ଘଟିଥିଲା । ଏମାନଙ୍କୁ ବୃହତ୍ ଶକ୍ତି ବୋଲି କୁହାଯାଇ ଆସିଛି ଅଥବା କୁହାଯାଉଛି, କାରଣ ଏମାନଙ୍କ ହାତରେ ପୃଥିବୀର ବୃହତ୍ତମ ସୈନ୍ୟବାହିନୀମାନେ ରହିଛନ୍ତି, ପୃଥିବୀ ମଧ୍ୟରେ ସବୁଠାରୁ ଅଧିକ ଅର୍ଥବଳ ରହିଛି ଏବଂ ସର୍ବାଧିକ ସଂଖ୍ୟାର ଧ୍ୱଂସସାଧନକାରୀ ବ୍ୟୋମଯାନ ମଧ୍ୟ ରହିଛି । ଏହି ବୃହତ୍‌ଶକ୍ତି ପୃଥିବୀ ଲାଗି ଯଥାର୍ଥ ନେତୃତ୍ୱ ଦେଇ ପାରୁଥିଲେ ଓ ପୃଥିବୀର ଯୁଗବିବର୍ତ୍ତନରେ ଯଥାର୍ଥ ଭାବରେ ସହଯୋଗ କରି ପାରୁଥିଲେ ଗତ ଦୁଇ ତିନି ଦଶନ୍ଧି ମଧ୍ୟରେ ମାନବଜାତିର ଭାଗ୍ୟରେ ଅନେକ ପରିବର୍ତ୍ତନ ହୋଇସାରନ୍ତାଣି । ମାତ୍ର ଆମ ସମସ୍ତଙ୍କ ଲାଗି ଅର୍ଥାତ୍ ଏହି ପୃଥିବୀ ଲାଗି ବଡ଼ ଦୁର୍ଭାଗ୍ୟର ବିଷୟ ଏହି ଯେ, ଏମାନେ ଆପଣାର ସ୍ୱାର୍ଥପ୍ରଣୋଦିତ ଓ ପାରସ୍ପରିକ ଭୟଦ୍ୱାରା ଅନୁପ୍ରେରିତ ଏକ କ୍ଷତିକାରୀ ରାଜନୀତିଦ୍ୱାରା ପୃଥିବୀଟାକୁ ପ୍ରାୟ ଦୁଇଭାଗ କରି ରଖିଛନ୍ତି । ବିଶେଷ କରି ଯେଉଁ ତୃତୀୟ ପୃଥିବୀ ପ୍ରାୟ ବାଧ୍ୟ ହୋଇ ଆପଣାର ବିକାଶ ଲାଗି ଉନ୍ନତ ଦେଶଗୁଡ଼ିକ ଉପରେ ନିର୍ଭରଶୀଳ ହୋଇରହିଛି, ବୃହତ୍‌ଶକ୍ତିମାନେ ପ୍ରାୟ ଏକ ଷଡ଼ଯନ୍ତ୍ର କଲାପରି ସେହିମାନଙ୍କର ଭାଗ୍ୟ ଓ ସ୍ଥିତିକୁ ନେଇ ଖେଳିବାରେ ଲାଗିଛନ୍ତି । ସେହିସବୁ ଦେଶରେ ଅବଶ୍ୟମ୍ଭାବୀ ଅନେକ ପରିବର୍ତ୍ତନକୁ ବାଟ ଉଗାଳି ରଖିଛନ୍ତି ।

 

ଏମାନେ ବିଭିନ୍ନ ଦେଶର ସରକାରଙ୍କ ସହିତ ଅଙ୍ଗୀକାରବଦ୍ଧ ହୋଇ ରହିଛନ୍ତି । ଅର୍ଥାତ୍ ପୃଥିବୀର ବେଶ୍ ବହୁସଂଖ୍ୟକ ଦେଶରେ ସେମାନେ ଆପଣାର ହୁକୁମ ମାନିଲା ଭଳି କେତେକ ଗୋଷ୍ଠୀ ବା କେତେଜଣ ବ୍ୟକ୍ତିଙ୍କୁ ଶାସନ କ୍ଷମତାରେ ଆଣି ବସାଇଛନ୍ତି । ନାନା ପ୍ରକାର ଅନୁଦାନ ଏବଂ ଅନୁଗ୍ରହ ପ୍ରଦର୍ଶନଦ୍ୱାରା ସେମାନଙ୍କୁ ଆପଣାର ସଖୀକଣ୍ଢେଇ କରି ରଖିଛନ୍ତି ଓ ଏହିପରି ଭାବରେ ସଂସାର ଗୋଟାକୁ ପ୍ରାୟ ଏକ ସୈନ୍ୟଛାଉଣୀରେ ପରିଣତ କରି ରଖିଛନ୍ତି । ଦକ୍ଷିଣକୋରିଆ ଯୁକ୍ତରାଜ୍ୟ ଆମେରିକାର ସରକାରଙ୍କ ଲାଗି ସେହିପରି ଗୋଟିଏ ସୈନ୍ୟଛାଉଣୀରେ ପରିଣତ ହୋଇରହିଛି । ଏକଦା ଦକ୍ଷିଣ ଭିଏତନାମ ମଧ୍ୟ ସେହିପରି ଆମେରିକାର ସୈନ୍ୟଛାଉଣୀ ହୋଇରହିଥିଲା । ଦକ୍ଷିଣକୋରିଆରେ ଆଜି ଯେପରି ହୋଇଛି, ଏକଦା ଦକ୍ଷିଣ ଭିଏତ୍‌ନାମରେ ମଧ୍ୟ ସେହିପରି ଆମେରିକା ସରକାରଙ୍କ ତରଫରୁ ମନୋନୀତ ଓ ତାଙ୍କୁହିଁ ସୁହାଇବା ଭଳି ସଖୀକଣ୍ଢେଇମାନେ ଶାସନର କ୍ଷମତାରେ ଅଧିଷ୍ଠିତ ହୋଇରହିଥିଲେ । ଦକ୍ଷିଣକୋରିଆ ପରି ସେତେବେଳେ ଦକ୍ଷିଣ ଭିଏତନାମରେ ମଧ୍ୟ ଆମେରିକା ସରକାର ବିଶେଷ ଭାବରେ ଅଙ୍ଗୀକାରବଦ୍ଧ ହୋଇରହିଥିଲେ ଏବଂ ପୃଥିବୀ ଗୋଟାକୁ ଏକ ଶୀତଳ ଯୁଦ୍ଧର ଦୁରାଗ୍ରହ ମଧ୍ୟରେ ବେଶ୍ ଉତ୍ତେଜିତ କରି ରଖିଥିଲେ ।

 

ଏକ ସୁସ୍ଥ ନୂତନ ବିଶ୍ୱର ଗଠନ ସକାଶେ ଏହି ବୃହତ୍‌ଶକ୍ତିମାନଙ୍କର ପ୍ରକୃତରେ ଏକ ଭିନ୍ନ ପ୍ରକାରେ ଅଙ୍ଗୀକାରବଦ୍ଧ ହୋଇରହିବା ଉଚିତ୍ ଥିଲା । ପୃଥିବୀର ଅଧିକାଂଶ ଭୂଖଣ୍ଡ, ଯେଉଁମାନେ ଏବେ ମଧ୍ୟ ଅତ୍ୟନ୍ତ ଅବିକଶିତ ଅବସ୍ଥାରେ ରହିଛନ୍ତି ଓ ଦୀର୍ଘକାଳ ଉପନିବେଶ ହୋଇରହିବା ଫଳରେ ଯେଉଁସବୁ ଦେଶରେ ନାନା ସାମନ୍ତବାଦୀ ରକ୍ଷଣଶୀଳତା ଏବେ ମଧ୍ୟ ଅଗ୍ରଗତିର ପଥକୁ ରୁଦ୍ଧକରି ରଖିଛି, ସେହିସବୁ ଦେଶର ସତ୍ୱର ବିକାଶ ଲାଗିହିଁ ବୃହତ୍‌ଶକ୍ତିଗୁଡ଼ିକର ଅଙ୍ଗୀକାରବଦ୍ଧ ହୋଇରହିବା ଉଚିତ୍‍ଥିଲା । ବର୍ତ୍ତମାନ ସାମରିକ ସାହାଯ୍ୟ ଅର୍ଥାତ୍ ପୃଥିବୀର ବିଭିନ୍ନ ଦେଶରେ ସ୍ୱାର୍ଥପୋଷକ ସାମରିକ ତଥା ଅନ୍ୟ ଯାବତୀୟ କନ୍ଦଳ ସୃଷ୍ଟିରେ ବୃହତ୍‌ଶକ୍ତିମାନେ ଯେତେ ପଇସା ସାରୁଛନ୍ତି, ତାହାର ହୁଏତ ଦଶଭାଗରୁ ଗୋଟିଏ ଭାଗ ମଧ୍ୟ ସାମାଜିକ ପରିବର୍ତ୍ତନ ଏବଂ ବିକାଶ ଲାଗି ବିନିଯୋଗ ହୋଇ ପାରୁଥିଲେ ଆମ ପୃଥିବୀର ଦାରିଦ୍ର୍ୟ, ଅଶିକ୍ଷା ଏବଂ ଅସମର୍ଥତା ଦୂର ହେବାରେ ତାହା ଏକ ବୃହତ୍ ପଦକ୍ଷେପରୂପେ କାର୍ଯ୍ୟ କରି ପାରୁଥାନ୍ତା । ଏବଂ ସବୁଠାରୁ ଅଧିକ ମହତ୍ତ୍ୱପୂର୍ଣ୍ଣ କଥା ହେଉଛି ଯେ ତଦ୍ଦ୍ୱାରା ପୃଥିବୀର ବିଭିନ୍ନ ଦେଶ ଏକ ପାରସ୍ପରିକ ଯଥାର୍ଥ ସହଯୋଗ-ସୂତ୍ରରେ ସତେ ଅବା ଗୋଟିଏ ପରିବାରରୂପେ ବିକାଶଲାଭ କରି ପାରୁଥାନ୍ତା । ବର୍ତ୍ତମାନ ସାହାଯ୍ୟଦାନ ଏବଂ ସାହାଯ୍ୟଗ୍ରହଣର ଅଙ୍ଗୀକାରମାନ ଯେଉଁ ଭଳି ସ୍ଥିତିରେ ରହିଛି ଓ ଯେଉଁଭଳି ରୀତିରେ ଚାଲୁଛି, ତଦ୍ଦ୍ୱାରା ତାହା ପ୍ରାୟ ମୋଟେ ସମ୍ଭବ ହୋଇପାରୁନାହିଁ । ବୃହତ୍‌ଶକ୍ତିମାନେ ପୃଥିବୀଯାକ ଖେଦିଯାଇ ଆପଣାର ପ୍ରଭାବମଣ୍ଡଳ ଓ ଛାୟାଞ୍ଚଳମାନ ବିସ୍ତାର କରି ରଖିବାରେ ବ୍ୟସ୍ତ ହୋଇରହିଛନ୍ତି । ସେମାନେ ଆପଣାର ସଖୀକଣ୍ଢେଇମାନଙ୍କୁ ନିୟୋଜିତ କରି ନାନା ପରିବର୍ତ୍ତନକୁ ଅଟକାଇ ରଖିଛନ୍ତି । ପୃଥିବୀରେ ଏକ ନୂତନ ସାମନ୍ତବାଦ ଓ ନୂତନ ଉପନିବେଶବାଦକୁ ପ୍ରାୟ ବଜ୍ର କରି ରଖିଛନ୍ତି । ସେମାନେ ଭୁଲଥାନରେହିଁ ଅଙ୍ଗୀକାରବଦ୍ଧ ହୋଇ ରହିଛନ୍ତି । ଦକ୍ଷିଣକୋରିଆଠାରୁ ଆରମ୍ଭ କରି ସୋମାଲିଆ ଦେଇ ଚିଲି ପର୍ଯ୍ୟନ୍ତ ଆମେ ଏହି ଦୁର୍ଭାଗ୍ୟରହିଁ ଏକାଧିକ ଦୃଷ୍ଟାନ୍ତମାନ ଦେଖିବାକୁ ପାଇବା । ଅତଏବ ଏପରି ଏକ ଅନାକାଂକ୍ଷିତ ଦୁର୍ଭାଗ୍ୟ ମଧ୍ୟରୁ ବିଶ୍ୱବାସୀ କେବେ ମୁକ୍ତିଲାଭ କରିବେ, ତାହା ଏକ ଚିନ୍ତାର ବିଷୟ ହୋଇପଡ଼ିଛି ।

ତା ୨୨.୬.୧୯୭୭ ରିଖ

Image

 

ଜନନୀଙ୍କର ଅନେକ ଶକ୍ତି, ଅନେକବିଧ ଶକ୍ତି, ଅନେକବିଧ କାର୍ଯ୍ୟ ସାଧନ କରିବାର ଶକ୍ତି । ଜନନୀ ଆପଣା ଭିତରୁ ସନ୍ତାନ କେବଳ ଜନ୍ମ ଦିଅନ୍ତି ନାହିଁ, ଜନ୍ମ ଦେବାର ସେହି ପ୍ରକ୍ରିୟାଟି ମଧ୍ୟଦେଇ ସେ ସନ୍ତାନ ମଧ୍ୟରେ ଅବତୀର୍ଣ୍ଣ ମଧ୍ୟ ହୋଇଥାନ୍ତି । ଆପଣାର ଶକ୍ତିଗୁଡ଼ିକୁ ସେ ସନ୍ତାନ ମଧ୍ୟରେ ପ୍ରେରଣ କରିଥାନ୍ତି । ସେହି ଶକ୍ତି ହେଉଛି ସ୍ନେହର ଶକ୍ତି, ବିଦ୍ୟାର ଶକ୍ତି, ବିଚ୍ଛିନ୍ନ ଅନେକଙ୍କୁ ଏକରୂପେ ଯୋଡ଼ି ପାରିବାର ଶକ୍ତି, କର୍ମର ଶକ୍ତି ଓ ବିଶ୍ୱାସର ଶକ୍ତି । ମନୁଷ୍ୟ ହିସାବରେ ଆମେ ପ୍ରତ୍ୟେକେ ଯାହାରି ସନ୍ତାନରୂପେ ଏହି ପୃଥିବୀ ଲାଗି ଅଭିପ୍ରେତ ହୋଇ ଏଠାକୁ ଆସିଛେଁ, ସେହିସବୁ ଶକ୍ତିକୁ ନିଜ ଜୀବନ ଉପରକୁ ଆବାହନ କରି ଆଣି ଆମେ ଆପଣା ମଧ୍ୟରେ ତାଙ୍କରି ଜୀବନତ୍ୱଟିକୁହିଁ ପ୍ରତ୍ୟକ୍ଷରୂପେ ଅନୁଭବ କରୁ । ସ୍ୱୟଂ ଜନନୀ ହୋଇ ଆମର ସନ୍ତାନତ୍ୱର ଉଦ୍ଦେଶ୍ୟସିଦ୍ଧ କରୁ । ଯିଏ ଖାଲି ଜନନୀ ପାଖରୁ ମାଗିବାରେ ଲାଗିଥାଏ, ସିଦ୍ଧି ମାଗିଥାଏ, ଯଶ ମାଗୁଥାଏ, କ୍ଷମତା ମାଗୁଥାଏ ଏବଂ ସଫଳତା ମାଗୁଥାଏ, ସିଏ ଜୀବନଯାକ ଆର୍ତ୍ତ ହୋଇ ରହିଯାଏ, ଦୀନ ହୋଇ ରହିଯାଏ, ବୃହତ୍ ବିଶ୍ୱରେ ବଡ଼ କ୍ଷୁଦ୍ରାୟତନ ହୋଇ ରହିଯାଏ, ଭୂମା ଭିତରେ ଥାଇ ମଧ୍ୟ ତଥାପି ଅତ୍ୟନ୍ତ ଅଳ୍ପ ହୋଇ ରହିଯାଏ । ବଡ଼ ନିଃସ୍ୱ ହୋଇ ରହିଯାଏ ।

Image